ଅନ୍ୟ ଏକ ରାମାୟଣ
ଅନ୍ୟ ଏକ ରାମାୟଣ
ଓଡ଼ିଶା ବିରୋଧ କରି ଆସୁଥିବା ବହୁମୁଖୀ ପ୍ରକଳ୍ପ ପୋଲାଭରମ୍.ର ନିର୍ମାଣ ଆରମ୍ଭ ସମୟର କଥା। ପୋଲାଭରମ୍ ପ୍ରକଳ୍ପକୁ ଲାଗି ପାହାଡ଼ କଡ଼ରେ ଛୋଟ ଗାଁଟିଏ। ସେଇଠି ବସବାସ କରନ୍ତି କୋଣ୍ଡାରେଡି ସମ୍ପ୍ରଦାୟର କିଛି ପରିବାର। ଗାଁର ଶେଷ ମୁଣ୍ଡରେ ନିଜ ପରିବାର ସହ ରହେ ରାମୁଲୁ। ରାମୁଲୁର ପରିବାର କହିଲେ ପତ୍ନୀ ସୀତାମ୍ମା, ଝିଅ ମୁଚ୍ୟାଲୁ ଏବଂ ଅଶୀ ବର୍ଷର ବୁଢ଼ୀ ଆମ୍ମା(ମାଆ)। ପ୍ରକଳ୍ପ ଆରମ୍ଭ ହେବା ପରଠାରୁ ଗାଁ ଲୋକଙ୍କ ନିଦ ହଜିଯାଇଛି। ପ୍ରକଳ୍ପର ବାସ୍ତବ ଚିତ୍ରକୁ ଅନୁଧ୍ୟାନ କରି ତାର ବିରାଟ କାୟାକୁ ଅବଲୋକନ କରି ଗାଁ ଲୋକ ବ୍ୟତିବ୍ୟସ୍ତ। ଶୁଣାଯାଏ, ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲା ପରେ ଗୋଦାବରୀ ନଦୀର ଉଚ୍ଚତା ବଢ଼ିଯିବ ପାଖାପାଖି 150 ଫୁଟ। ଦୁଇଦିନର ବନ୍ୟାରେ ଅସ୍ତବ୍ୟସ୍ତ ହୋଇ ଉଠନ୍ତି ଗାଁ ଲୋକ। ଆଉ 150 ଫୁଟ ଉଚ୍ଚତାର ପାଣି ସବୁବେଳେ ଧରି ରଖିବ ଗୋଦାବରୀ ନଦୀ। ଯାହାର ଅର୍ଥ ରାମୁଲୁର ଗାଁ ସହିତ ଆଖପାଖ ପ୍ରାୟ 250 ଖଣ୍ଡ ଗାଁ ଜଳମଗ୍ନ ହେଇଯିବ। ପୁରୁଷ ପୁରୁଷ ଧରି ବସବାସ କରୁଥିବା ନିଜ ମାଆ ସମାନ ଭିଟାମାଟିକୁ, ତା ସହିତ ଗାଁକୁ ଲାଗି ଥିବା ଚାଷଜମି ଆଦିକୁ ଛାଡ଼ି ଯେ ଦିନେ ତାଙ୍କୁ ଯିବାକୁ ହେବ, ସେଇ କଥା ବ୍ୟଥିତ କରେ ତାଙ୍କ ପ୍ରାଣକୁ। ପ୍ରାୟ ସମୟ ପୁରୁଷ ଓ ସ୍ତ୍ରୀ ଲୋକମାନେ ସେଇ ଚର୍ଚ୍ଚାରେ ଲାଗି ରହି ଭବିଷ୍ୟତର ଥଳକୂଳ ନ ପାଇ ହୃଦୟ ତାଙ୍କର ଦୁଃଖରେ ମ୍ରୀୟମାଣ ହୋଇପଡ଼େ। ତେବେ, ସେ ବିଷୟ ଅପ୍ରାସଙ୍ଗିକ।
ରାମୁଲୁ ଏବେ ପଚିଶି ବର୍ଷର ଭେଣ୍ଡିଆ ଟୋକା। କଳା, ତେଲିଆ ଚିକ୍କଣ ତାର ଚେହେରା। କୁଞ୍ଚୁକୁଞ୍ଚିଆ ତାର କେଶ। ତାର ଉପର ଦୁଇ ଭାଇ ଅଜଣା ରୋଗରେ ପଡ଼ି ବାଳୁତ କାଳରୁ ହିଁ ସଂସାରରୁ ବିଦାୟ ନେଇଛନ୍ତି। ରାମୁଲୁ ମଧ୍ୟ ପିଲା ଥିବା ସମୟରେ ପତଳା ନହକା ଥିଲା ତାର ଚେହେରା। ଏବେ କିନ୍ତୁ ସେ ହଟାକଟା ଯବାନ। ରୋଗବ୍ୟାଧି ତାର ପାଖ ମାଡ଼ିବାକୁ ଡରନ୍ତି। ସବୁବେଳେ ଖୁସି ମିଜାଜରେ ରହେ ରାମୁଲୁ। ଜୀବନକୁ ବୋଝ ବୋଲି କେବେ ମନେ କରେନା। ତାକୁ ଯେତେବେଳେ ଦଶ ବର୍ଷ, ସେଇ ସମୟରୁ ସେ ତା ଆୟା (ବାପା)କୁ ସାହାଯ୍ୟ କରି ଆସୁଥିଲା ଚାଷବାସ ସାଙ୍ଗକୁ ବଣର ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହରେ। ଆୟା ଗଲା ପରେ ପରିବାରର ପୁରା ଭାର ପଡ଼ିଲା ରାମୁଲୁ ଉପରେ। ତେବେ, ସୀତାମ୍ମାର ବିନା ସହାୟତାରେ ରାମୁଲୁ କିଛି କରିପାରେ ନାହିଁ। ସୀତାମ୍ମା କେବଳ ତାର ପତ୍ନୀ ନୁହଁ ସହକର୍ମିଣୀ ମଧ୍ୟ। ସୀତାମ୍ମାକୁ ସେ ଯେଉଁଦିନ ପ୍ରଥମେ ଦେଖିଲା, ଦେଖି ସ୍ତବ୍ଧ ରହିଗଲା ରାମୁଲୁ। ସାବନା ରଙ୍ଗର ତ୍ୱଚା ସାଙ୍ଗକୁ ପୁରିଲା ପୁରିଲା ଗଣ୍ଡଦେଶ ଆଉ ମୁଣ୍ଡରେ ବଡ଼ ଖୋସାଟିଏ ସହ ଅପୂର୍ବ ଦିଶିଲା ସୀତାମ୍ମା ତା ଆଖିକୁ। ତାର ଚଳଚଞ୍ଚଳ ଭାବ, ହସ ହସ ମୁହଁ ଆଉ ଅଙ୍ଗେ ଅଙ୍ଗେ ଖେଳୁଥିବା ଯୌବନର ଛଟା ରାମୁଲୁକୁ ସମ୍ମୋହିତ କରି ରଖିଲା ଅନେକ ଦିନ। ରାମୁଲୁର ଆମ୍ମା ରାମୁଲୁର ହାବଭାବ ଦେଖି ସୀତାମ୍ମାର ଆୟା ସହ କଥା ହେଇ ଖୁବ୍ ଶୀଘ୍ର ଦୁଇଜଣଙ୍କର ବିବାହ କରିଦେଲେ। ଗୋଟିଏ ବର୍ଷ ଭିତରେ ତାଙ୍କ କୋଳମଣ୍ଡନ କରି ଆସିଲା ଝିଅ ମୁଚ୍ୟାଲୁ। ହସଖୁସିର ପରିବାର ନେଇ ଦିନ କଟି ଯାଉଥାଏ ରାମୁଲୁର। ଅଳ୍ପକେ ସନ୍ତୁଷ୍ଟ ରାମୁଲୁକୁ କୌଣସି ବଡ଼ ଆଶା ପ୍ରଲୋଭିତ କରିପାରେ ନାହିଁ। ମୁଚ୍ୟାଲୁକୁ ସେ ତା ଜୀବନର ଅମୂଲ୍ୟ ସମ୍ପଦ ମୁକ୍ତା ବୋଲି ମନେ କରେ। ସେଇଥିପାଇଁ ତ ସେ ତାକୁ ମୁଚ୍ୟାଲୁ ବୋଲି ନାଁ ଦେଇଛି। ମୁଚ୍ୟାଲୁକୁ ଏବେ ତିନି ବର୍ଷ। ତାର ଦୈନନ୍ଦିନ ବ୍ୟସ୍ତତା ଭିତରେ ମୁଚ୍ୟାଲୁକୁ ଅନେକ ସମୟ ଦିଏ ରାମୁଲୁ। ତାର ହସ, ଖେଳକୁଦରେ ନିଜେ ଛୋଟ ଛୁଆଟିଏ ହୋଇ ଜୀବନର ବିବିଧ ଢ଼େଉମୟ ରଙ୍ଗକୁ ମନଭରି ଉପଭୋଗ କରେ। ମୁଚ୍ୟାଲୁର ଦରୋଟି ହସ କେତେବେଳେ ତା ଓଠକୁ ସଂକ୍ରମିତ ହୋଇଯାଏ ଜାଣିପାରେନା ରାମୁଲୁ। ତେବେ ତାଙ୍କ ସୁଖର ପରିବାରକୁ କାହାର ନଜର ଲାଗିଗଲା।
ସେଦିନ ବଣରୁ ଫେରି ରାମୁଲୁ ଦେଖିଲା, କେହି ଜଣେ ବାବୁ ପରି ଦିଶୁଥିବା ଲୋକ ତାର ଘର ଆଡ଼ୁ ବାହାରି ଆସୁଛି ସାର୍ଟ୍ ଗଳେଇ ଗଳେଇ। ପାଖରେ ପହଞ୍ଚି ସେ ଜାଣି ପାରିଲା, ସେ ଥିଲେ ପୋଲାଭରମ୍ ପ୍ରକଳ୍ପର ଜଣେ ଇଞ୍ଜିନିୟରବାବୁ। ରାମୁଲୁ ଘର ଭିତରେ ପଶି ସୀତାମ୍ମାକୁ ଡାକ ଛାଡ଼ିଲା। ଅଉଡ଼େ ଆଡ଼ୁ? ଏକାଡ଼ିକି ଓଚାଡ଼ୁ? (ନିମ୍ନମାନର ତେଲୁଗୁ) ସେ କିଏ, କୁଆଡ଼େ ଆସିଥିଲା?) ସୀତାମ୍ମା ତାର ଘର କାମ କରୁ କରୁ ରାମୁଲୁକୁ ଜବାବ ଦେଲା, କିଏ ଜଣେ ଡ୍ୟାମ୍ କାମ ଦେଖିବାକୁ ଆସିଛନ୍ତି ବଙ୍ଗାଳୀ ମହାଶୟ। “ଜଲ୍ ଖାବୋ” କହିବାରୁ ସେ ପ୍ରଥମେ ବୁଝି ପାରିଲା ନାହିଁ। ପରେ ଈଶାରାରେ କହିବାରୁ ତାଙ୍କୁ ପାଣି ପିଆଇଥିଲା।
- ଉତି ନିଳ୍ ଆ ଇଙ୍କା ଏଟି (ଖାଲି ପାଣି ପିଆଇଥିଲୁ ନା ଆଉ କିଛି)? ରାମୁଲୁ ତାର ସନ୍ଦେହ ଜାହିର୍ କଲା ସୀତାମ୍ମାକୁ ନ ଅନେଇ।
- ଓଲାମା (ମାଆଲୋ), କଣ କହିବାକୁ ଚାହୁଁଛ ତମେ? ସୀତାମ୍ମା ଝାଡ଼ୁ କରିବା ବନ୍ଦ କରିଦେଇ ରାମୁଲୁ ଆଡ଼କୁ ଚାହିଁଲା ଅବିଶ୍ୱାସ ନେତ୍ରରେ। ରାମୁଲୁ ଉଠି ଚାଲିଗଲା ଗାଁ ଭିତରକୁ। ସୀତାମ୍ମା ଅଭିମାନରେ ଝାଡ଼ୁଟାକୁ ଘର ବାହାରକୁ ଫୋପାଡ଼ି ଦେଇ କାନ୍ଦି ବସିଲା ଘର ଭିତରେ। କାନ୍ଦି କାନ୍ଦି ଆଖି ଦିଟା ତାର ଫୁଲିଗଲା ଗେଣ୍ଡା ପରି। ସେଦିନ ରୋଷେଇବାସ ବନ୍ଦ। ମୁଚ୍ୟାଲୁକୁ କଣ ଟିକେ ଖୁଆଇ ଦେଇ ଭୋକ ଓପାସରେ ଶୋଇଲେ ବାକି ତିନି ପ୍ରାଣୀ।
ସୀତାମ୍ମା ରୂପରେ ଗୁଣରେ ପୁରାଣବର୍ଣ୍ଣିତ ସୀତା ପରି। ହେଲେ ସୀତାଙ୍କ ପରି ଅଭିମାନ ମଧ୍ୟ ତାର ଅନେକ। ରାମଙ୍କ ସନ୍ଦେହକୁ ସୀତା ଯେମିତି ସହ୍ୟ କରି ନ ପାରି ଭୁଗର୍ଭା ହୋଇଥିଲେ, ସୀତାମ୍ମା ମଧ୍ୟ ରାମୁଲୁର ସନ୍ଦେହକୁ ସହ୍ୟ କରି ପାରିଲା ନାହିଁ। ଅନେକ ଦିନ କଥାବାର୍ତ୍ତା ବନ୍ଦ କରି ଦେଇଥିଲା ରାମୁଲୁ ସହିତ। ରାମୁଲୁ ତାର ଭୁଲ୍ ବୁଝି ପାରିଥିଲା କି କଣ, ଅନେକ ଥର ସୀତାମ୍ମା ପାଖରେ ବସି ତାର ମାନଭଞ୍ଜନ କରିବାକୁ ଚେଷ୍ଟା କରିଥିଲା। ରାମୁଲୁର ବିନତି ଓ ଶାଶୁଙ୍କର ଅନେକ ବୁଝାଶୁଝା ପରେ ଶାନ୍ତ ହୋଇଥିଲା ତାର ମନ। କଥାଟା ଧୀରେ ଧୀରେ ଭୁଲିବାକୁ ବସିଲେ ରାମୁଲୁ ଓ ସୀତାମ୍ମା। ପୂର୍ବପରି ତାଙ୍କ ସମ୍ପର୍କରେ ନିବିଡ଼ତା ବଢ଼ିବାକୁ ଲାଗିଲା। ଇତିମଧ୍ୟରେ ବୁଢ଼ୀ ଚାଲିଗଲା ଆରପାରିକୁ। ରାମୁଲୁ ଓ ସୀତାମ୍ମା ଉପରୁ ଏକମାତ୍ର ଅଭିଭାବକର ଅଙ୍କୁଶ ଓ ଆଶ୍ୱାସନା ଉଠି ଯାଇଥିଲା। ଏବେ ଛୋଟ ମୋଟ କଳି ତକରାଳରେ ତାଙ୍କୁ ବୁଝେଇବା ଲୋକ କେହି ନ ଥିଲେ।
ସେଦିନ ରାମୁଲୁ ଗାଁ ଭିତର ଦେଇ ଆସିବା ସମୟରେ ଚାଉଳି ଦେଶୀରୁ ଦୁଇ ଢୋକ ପିଇ ଦେଇଥାଏ। ଆଖି ଈଷତ୍ ଲାଲ୍। ତେଲୁଗୁ ଗୀତଟିଏ ଗାଇ ଗାଇ ଘର ମୁହାଁ ହେଉଥାଏ। ଘରର ଅନତି ଦୂରରୁ ଲକ୍ଷ୍ୟ କଲା ସେଇ ଇଞ୍ଜିନିୟରବାବୁ ତାରି ଘର ଆଡ଼ୁ ଚାଲି ଆସୁଛନ୍ତି। ସେ ତାଙ୍କ ବାଟ ଓଗାଳି ଠିଆ ହେଲା। ନିଜ ଭାଷାରେ ପଚାରିଲା, କୁଆଡ଼େ ସେ ବାରମ୍ବାର ତାଙ୍କ ଘରକୁ ଆସୁଛନ୍ତି? ଇଞ୍ଜିନିୟର ମହାଶୟ କିଛି ବୁଝି ପାରିଲେ ନାହିଁ। ସେ ବଙ୍ଗାଳୀ ଓ ହିନ୍ଦୀ ମିଶା ମିଶି ଭାଷାରେ କଣ ସବୁ କହିଲେ ଅଥବା ବୁଝାଇବାକୁ ଚେଷ୍ଟା କଲେ, ଯାହା ରାମୁଲୁ ବୁଝି ପାରିଲା ନାହିଁ। ଇଞ୍ଜିନିୟର ମହାଶୟ ନ ବୁଝି ପାରୁଥିଲେ ମଧ୍ୟ ରାମୁଲୁ ରାଗରେ ତାଙ୍କୁ ଈଶାରା କରି ଟାଙ୍ଗିଆ ଦେଖାଇ “ଆଉଦିନେ ଏ ଗାଁରେ ଦେଖିଲେ ହାଣି ପକାଇବ” କହିଲା। ତାପରେ ଘର ଭିତରେ ପଶି ନ ବୁଝି ନ ଶୁଝି ସୀତାମ୍ମା ଉପରକୁ ଦେ ଦନାଦନ୍ ବର୍ଷି ଦେଇଗଲା ମୁଥ, ବିଧା, ଗୋଇଠା। ସୀତାମ୍ମା ତଳେ ପଡ଼ି ଲହୁଲୁହାଣ ଅବସ୍ଥା। ପଡ଼ୋଶୀ ଦୌଡ଼ି ଆସି ରାମୁଲୁକୁ ଟାଣି ନେଲେ ଘର ଠାରୁ ଦୂରକୁ ତାକୁ ବୁଝାଶୁଝା କରିବା ଉଦ୍ଦେଶ୍ୟରେ। ରାମୁଲୁ ନିଶା ବାଉଳାରେ ପାଟି କରୁଥାଏ, ଚରିତ୍ରହୀନା, ମୋ ବିଶ୍ୱାସକୁ ତୁ ଭାଙ୍ଗିଦେଲୁ। ତୋତେ ମୁଁ କଣ ନ ଭାବିଥିଲି। ଦେବୀ ପରି ମୁଣ୍ଡେଇ ବସିଥିଲି ମସ୍ତକରେ। ତୁ ଶେଷରେ ମୋ ବଂଶରେ କଳଙ୍କ ବୋଳିଲୁ। ଯା, ବାହାର୍ ମୋ ଘରୁ। ଆଜିଠୁ ତୁ ମୋର କେହି ନୁହଁ। ଏକା ମୁଚ୍ୟାଲୁକୁ ମୁଁ ଚିହ୍ନେ। ସୀତାମ୍ମା ଅତିଶୟ କ୍ରୋଧ, ଅପମାନ ଓ ଅଭିମାନରେ ସେଇ ଲୁଗାରେ ଘରୁ ବାହାରି ଚାଲିଗଲା ନିଜ ବାପ ଘରକୁ। ରାମୁଲୁ କି ମୁଚ୍ୟାଲୁ ଆଡ଼କୁ ଥରୁଟିଏ ଚାହିଁଲା ମଧ୍ୟ ନାହିଁ।
ନିଶା ଉତ୍ତୁରିଲା ପରେ ହୋସ୍.ରେ ଆସି ରାମୁଲୁ ସବୁ ଆଡ଼ୁ ଚିନ୍ତା କଲା। କେମିତି ସେ ସନ୍ଦେହ କଲା ତାର ଦେବୀପ୍ରତିମ ସୀତାମ୍ମାକୁ। ଇଞ୍ଜିନିୟରବାବୁ ଆଉ କେଉଁ କାମରେ ଗାଁ ଭିତରେ ବୁଲୁ ଥାଇ ପାରନ୍ତି। ତା ମୁଣ୍ଡ ଆଉ କିଛି କାମ କଲା ନାହିଁ। ମୁଚ୍ୟାଲୁର ସବୁ ହାନିଲାଭ ବୁଝୁଥିଲା ସୀତାମ୍ମା। ତାର ଗାଧୋଇବା, ଖାଇବା, ଶୋଇବା ସବୁକିଛିର କାର୍ଯ୍ୟନିର୍ଘଣ୍ଟ ଥିଲା ସୀତାମ୍ମା ପାଖରେ। ଏକା ପଡ଼ିଗଲା ରାମୁଲୁ। ମୁଚ୍ୟାଲୁକୁ ଘରେ ରଖି ସେ ବଣକୁ କି ଜମିକୁ ଯାଇ ପାରିବ ନାହିଁ। ଏଣେ ତାକୁ ନିଜ ସାଙ୍ଗରେ ମଧ୍ୟ ନେଇ ପାରିବ ନାହିଁ। ଦୁଇ ତିନି ଦିନ କେଉଁ ଆଡ଼େ ନ ଯାଇ ମୁଚ୍ୟାଲୁକୁ ଜଗି ରହିଲା ରାମୁଲୁ। ତାର ଅସୁବିଧା ତାର ପଡ଼ୋଶୀ ଭାଉଜ ରତ୍ନାଲୁ ହୃଦୟଙ୍ଗମ କଲେ। ମୁଚ୍ୟାଲୁକୁ ସେ ଦିନତମାମ ନିଜ ପାଖରେ ରଖିଲେ। ରାତି ହେଲେ ରାମୁଲୁ ନେଇ ଆସୁଥିଲା ଝିଅକୁ। ଝିଅର ସୁବିଧା ଅସୁବିଧା କଥା ବୁଝିବା ଅନୁଭୁତି ତାର ନ ଥିଲା। ରାତିରେ ଅନେକ ଥର ମାଆକୁ ଖୋଜି କାନ୍ଦି କାନ୍ଦି ଶେଯରେ ଉଠି ବସୁଥିଲା ମୁଚ୍ୟାଲୁ। ତାକୁ କୌଣସିମତେ ବୋଧ କରିବା ରାମୁଲୁ ପକ୍ଷେ ସମ୍ଭବ ହେଉନଥିଲା। ଛାତି ଉପରେ ଆଉଜେଇ ପିଠି ଥାପୁଡ଼େଇ ରାତିର ଅଧିକାଂଶ ସମୟ ଘର ବାହାରେ ଟହଲ ମାରୁଥିଲା ରାମୁଲୁ ମୁଚ୍ୟାଲୁକୁ ନିଦ ହେବା ଯାଏଁ। ଦିନବେଳାର ପରିଶ୍ରମ ସାଙ୍ଗକୁ ରାତିବେଳାର ଅନିଦ୍ରା ରାମୁଲୁକୁ ଧୀରେ ଧୀରେ ନିସ୍ତେଜ କରି ତୋଳୁଥିଲା।
ପୂର୍ବ ପରି ମୁଚ୍ୟାଲୁ ମୁହଁରେ ସରସତା ନ ଥିଲା। ଦିନତମାମ ଫୁଲର ପାଖୁଡ଼ା ପରି ଖିଲ୍ ଖିଲ୍ ହସି ଉଠୁଥିବା ମୁଚ୍ୟାଲୁ ନିରବୀ ଗଲା। କୌଣସିଥିରେ ତାର ଆତ୍ମସନ୍ତୋଷ ରହିଲା ନାହିଁ। ଅଧିକାଂଶ ସମୟ ସେ କେବଳ ମାଆ ବିଷୟରେ ପଚାରେ ରାମୁଲୁକୁ। ସେଇ ଗୋଟିଏ ପଦ - ଆମ୍ମା? ରାମୁଲୁ କଥା ବାଁରେଇ ଦିଏ। ତାଳପତ୍ର ଓ ବାଉଁଶର ବିଭିନ୍ନ ଖେଳଣା ଦେଖାଇ ମନ ଭୁଲାଇବାକୁ ଚେଷ୍ଟା କରେ। ନଡ଼ିଆଗଛ ପତ୍ରରେ ପେଁକାଳି କରି ତା କାନ ପାଖରେ ବଜାଏ। କୁକୁଡ଼ା ଚିଆଁ ସବୁକୁ ତା ଚାରିପଟେ ଛାଡ଼ି ଦେଇ ତାକୁ ଖେଳରେ ବ୍ୟସ୍ତ ରଖିବାକୁ ଚେଷ୍ଟା କରେ। ହେଲେ କିଛି ସମୟ ଖେଳି ସାରିବା ପରେ ମୁଚ୍ୟାଲୁ ପୁଣି ଥରେ ପ୍ରଶ୍ନ କରେ - ଆମ୍ମା? ବିରକ୍ତ ହୋଇ ଚାପୁଡ଼ାଏ କଷି ଦେଇ ଘର ବାହାରକୁ ଚାଲିଯାଏ ରାମୁଲୁ। ରାହା ତୋଳି କାନ୍ଦି ଉଠେ ମୁଚ୍ୟାଲୁ। ରତ୍ନାଲୁ ଆସି କାଖ କରି ନେଇ ଯାଏ ମୁଚ୍ୟାଲୁକୁ।
ଟାଙ୍ଗିଆ ଧରି ବଣକୁ ଯାଇ ରାତି ଅନିଦ୍ରାଜନିତ କ୍ଳାନ୍ତିରେ ଗୋଟିଏ ବାଉଁଶ ବୁଦା ମୂଳରେ ଶୋଇଗଲା ରାମୁଲୁ। ହଠାତ୍ କିଛି ଏକ ଶବ୍ଦରେ ରାମୁଲୁର ନିଦ ଭାଙ୍ଗିଗଲା। ଦେଖିଲା କିଛି ଦୂରରେ ନଈକୁ ପାଣି ପିଇବାକୁ ଆସିଥିବା ଗୋଟିଏ ମାଆ ହାତୀ ତାର ଛୁଆ ସହିତ କୌତୁକ କରୁଛି। ଶୁଣ୍ଢରେ ତାର ପାଣି ଉଠେଇ ଛୁଆ ହାତୀ ଉପରେ ଢ଼ାଳୁଛି। ମୁଣ୍ଡ ଓ ଦେହକୁ ଘଷି ଦେଉଛି ତାର ଶୁଣ୍ଢରେ। ଛୁଆ ହାତୀ ମଧ୍ୟ ମାଆର ଗୋଡ଼ ପାଖରେ ବାରମ୍ବାର ଘଷି ହେଉଛି। ସ୍ୱପ୍ନ ତୁଟିଲା ପରି ଉଠି ବସିଲା ରାମୁଲୁ। ଟାଙ୍ଗିଆଟାକୁ କାନ୍ଧରେ ପକାଇ ଦୌଡ଼ିଲା ଘର ଆଡ଼େ। ତାପରେ ମୁଚ୍ୟାଲୁକୁ ଧରି ଚାଲିଲା ପାହାଡ଼ର କଡ଼େ କଡ଼େ ସୀତାମ୍ମାର ବାପଘରକୁ।
ସୀତାମ୍ମାର ବାପା ରାମୁଲୁକୁ ଦେଖି ଘର ଭିତରକୁ ପାଛୋଟି ନେଲେ। ଘର ଭିତରେ ବସାଇ ଅନେକ କଥା ବୁଝେଇଲେ। ବାପା, ତୁ ନ ଆସିଥିଲେ ମୁଁ ସୀତାମ୍ମାକୁ ନେଇ ଯାଇଥାନ୍ତି ତୋ ଘରକୁ। ସଂସାର କଲେ ଏମିତି ଅନେକ କଥା ଆସେ। ସଂସାର ଚାଲେ ବିଶ୍ୱାସ ରୂପକ ଅମୃତରେ। ସେଥିରେ ସନ୍ଦେହର କାଣିଚାଏ ବିଷ ପୁରା ସଂସାରକୁ ବିଷମୟ କରି ତୋଳେ। ତୁମ ଦୁହିଁଙ୍କ ପ୍ରେମ ଭଲପାଇବାର ଉର୍ବର ଜମିରେ ସନ୍ଦେହର ଚାରା ବୁଣିବା ବନ୍ଦ କର ବାପା। ବିଶ୍ୱାସର ଫଳନ୍ତି ବୃକ୍ଷକୁ ଆହୁରି ପ୍ରେମ ଭଲପାଇବାର ସାର ଦେଇ ତାକୁ ମଜ୍.ବୁତ କର। ମୁଁ ଦେଖେ, ସୀତାମ୍ମା ଗଲା କୁଆଡ଼େ? କହି ଦେଇ ସୀତାମ୍ମାର ବାପା ଉଠି ଚାଲିଗଲେ ସୀତାମ୍ମାକୁ ଖୋଜିବାକୁ।
ରାମୁଲୁ ଉଠି ଟିକିଏ ଏପଟ ସେପଟ ହେଲା। ଖୋଜିଲା ବେଳକୁ ମୁଚ୍ୟାଲୁ ପାଖରେ ନାହିଁ। ବ୍ୟସ୍ତ ହୋଇ ପଡ଼ିଲା ରାମୁଲୁ। ସବୁ ଆଡ଼ୁ ଖୋଜି ନିରାଶ ହୋଇ ବାରି ପଟକୁ ଗଲା। ଦେଖିଲା, ସୀତାମ୍ମା କଣ୍ଟାଝଣ୍ଟା ନ ମାନି ଏକ ଲୟରେ ହାତ ଦୁଇଟି ପ୍ରସାରିତ କରି ଦଉଡ଼ି ଆସୁଛି ଘର ଆଡ଼କୁ। ଆଉ ମୁଚ୍ୟାଲୁ ତାର କୁନି କୁନି ପାଦ ବଢ଼େଇ ଖିଲ୍ ଖିଲ୍ ହସି ଆମ୍ମା, ଆମ୍ମା କହି ମାଡ଼ି ଯାଉଛି ସେଇ ଆଡ଼କୁ।
ଟି.ଦୁର୍ଗା ପ୍ରସାଦ ରାଓ