Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nityananda Nandi

Inspirational

4.0  

Nityananda Nandi

Inspirational

ନୂଆବର୍ଷର ଉପହାର

ନୂଆବର୍ଷର ଉପହାର

4 mins
363



ବହୁ ଚର୍ଚ୍ଚିତ ନକି , ନକୁଳ ବିବାହ ବିଚ୍ଛେଦ ଘଟଣାର ଶେଷ ଶୁଣାଣି ଆଜି.....

ଆଦିବାସୀ ବହୁଳ ବସ୍ତି ଭିତରେ ବି ମହିଳା ଅଧିକାର ବାବଦରେ ଆଲୋଚନା ହୁଏ !!! 

ସଦ୍ୟ ବିବାହିତା ଆଦିବାସୀ ମହିଳା ସପକ୍ଷରେ ରାଜନୀତି ଗରମା ଗରମ। ନଚେତ, ଲୁଚି ଯାଉଥିବା ଶହ ଶହ ଘଟଣା ଭିତରେ ଏ ଦୁହିଙ୍କ ବିବାହ ବିଚ୍ଛେଦ ଠିକ ସେମିତି ଛୁପି ଯାଇ ଥାଆନ୍ତା।

ଖବର କାଗଜରେ କିନ୍ତୁ ସେମାନଙ୍କ କଥା ବାହାରେ, ଲୋକମାନେ ଆଗ୍ରହରେ ପଢନ୍ତି। ଛିଃ ଛା କରନ୍ତି ନକୁଳକୁ..


ନିଷ୍ଠୁର ସମୟର ଏଇ ସାପସିଡି ଖେଳରେ ସବୁ ଅନିଶ୍ଚିତ। ପାଦ ଚାପି ଚାପି ଚାଲିଲେ ବି ଅଦୃଶ୍ୟ ଖାଇ ଭିତରେ ପଡିଯିବାର ସମ୍ଭାବନା ହିଁ ଖାଲି ସ୍ପଷ୍ଟ ଦେଖାଯାଏ। ନକି ଓ ନକୁଳ ଦୁହେଁ ହାରି ଯାଇଛନ୍ତି ଏଇ ସାପସିଡି ଖେଳରେ, ହାକିମଙ୍କ ଅନ୍ତିମ ବାଣୀ ଗୋଟାଏ ନ୍ୟାୟିକ ବ୍ୟବସ୍ଥାର ଶେଷ କଥା, ସତ !!! କିନ୍ତୁ ଦୁଇ ମନ ଭିତରେ ଦୂରତାକୁ ଆହୁରି ବଢେଇ ଦିଏ...


କୋର୍ଟ ଭିତରେ ଛିଡା ହେବାକୁ ଜାଗା ନାହିଁ, ଖଚାଖଚ ଭିଡ।

ଜଜ୍ ଭିତରକୁ ପଶି ଆସି ରାୟ ଶୁଣେଇ ଦେଲେ।

ନକୁଳ କୁ ପ୍ରଥମେ କୋଡିଏ ହଜାର ଦେବାକୁ ହେବ, ଆଉ ପ୍ରତି ମାସ ତିନି ହଜାର, ନକିର ଭରଣ ପୋଷଣ ପାଇଁ।

ନକୁଳ ଆଖିରୁ ଦୁଇ ଧାର ହୋଇ ଲୁହ ବୋହି ଆସିଲା। ପଥର ଟିଏ ପରି ହାତ ଯୋଡ଼ି ଛିଡା ହୋଇ ରହିଲା କାଠଗଡା ଭିତରେ.. 


ନା ଶବ୍ଦ, ନା ଧ୍ଵନି। ଜଙ୍ଗଲଟା ନିଆଁରେ ପୋଡ଼ିଗଲେ ସ୍ମୃତି ସବୁ ଅଙ୍ଗାର ପାଲଟି ଯାଆନ୍ତି। ସ୍ୱଳ୍ପ ସମୟ ପାଇଁ ଆଲୋକିତ ହୋଇଯାଏ ସିନା ଜଙ୍ଗଲଟା, ତା ପରେ କିନ୍ତୁ ଅନ୍ଧାର ହିଁ ଅନ୍ଧାର।

ସବୁ ଶେଷ, ନକୁଳର....ମନ ଭିତରେ ଖାଲି ଧୂଆଁ ହିଁ ଧୂଆଁ..


- ତମେ ଏବେ ଖୁସି ତ ! ନା କିଛି କହିବ, ହାକିମ ପଚାରିଲେ

- ହଁ, ମୁଁ କିଛି କହିବାକୁ ଚାହେଁ। ନକି କହିଲା


ମହାଶୟ !

ଆମେ ଉଭୟେ ଉଭୟଙ୍କୁ ପିଲା ଦିନରୁ ଜାଣିଛୁ। ପାହାଡ଼ ତଳ ଗୋଟାଏ ବସ୍ତିରେ ଆମେ ରହୁ। ଦିନେ ଜଙ୍ଗଲରେ ମୁଁ ପତ୍ର ଗୋଟାଉ ଥିଲି, ସେ ଛେଳି ଚରାଉ ଥିଲା। ଯୌବନକୁ ମୁଁ ଛୁଇଁ ସାରିଥିଲି କେତେ ଦିନରୁ। କାନ୍ଧରୁ ଗାମୁଛା ଖୋଲି ଆସିଥିଲା ମୋ ଅଜାଣତରେ। ମୁଣ୍ଡରେ ପତ୍ର ବୋଝ। ତାକୁ ଅଡ଼ୁଆ ଲାଗୁଥିଲା ବୋଧେ... 

ପଚାରିଲା, ବାନ୍ଧିଦେବି ! ମୁଁ ଲାଜେଇ ଗଲି। କହିଲି ହଁ....

ମୋ ପାଖକୁ ଆସି ମୋ ଗାମୁଛା ବାନ୍ଧି ଦେଲା ମୋ କାନ୍ଧ ଉପରେ।

ଗୋଟାଏ ଅହେତୁକ ବିଶ୍ୱାସ, ଭରସାର ସୂତାରେ ଗୁନ୍ଥି ହୋଇଗଲା ସେଇଦିନ। ତାକୁ ଭଲ ପାଇ ବସିଲି...

ମୋ ଡାକ ନାଆଁ ରଙ୍ଗ, ତା ନାଁ ନକୁଳ ବୋଲି ସେ ମୋତେ ଗେହ୍ଲରେ ନକି ବୋଲି ଡାକିବାକୁ ଆରମ୍ଭ କଲା। ବିବାହ ବେଳକୁ ନାଁ ବଦଳି ଯାଇଥିଲା ସମ୍ପୂର୍ଣ୍ଣ ଭାବରେ। ସମସ୍ତେ ମୋତେ ନକି ବୋଲି ଡାକିଲେ।

ଆମେ ଦୁଇ ଜଣ ଖୁବ୍ ସ୍ଵାଭିମାନୀ। ସେ ଗାଳି କଲେ ମୋତେ କଷ୍ଟ ହୁଏ। ମୁଁ ତାକୁ ଗାଳି କଲେ ସେ ଭାରି କଷ୍ଟ ପାଏ। ଦୁଇ ତିନି ଦିନ ଆମେ କଥା ହଉନା। ଧୀରେ ଧୀରେ ଠିକ ହୋଇଯାଏ, ଆମେ ପୁଣି ଥରେ ଉଭୟେ ଉଭୟଙ୍କୁ ଭଲପାଇ ବସୁ।


ସେଦିନର ଘଟଣା କିନ୍ତୁ ମୋ ପାଇଁ ଅସହ୍ୟ ଥିଲା। ମୁଁ କାମରୁ ଫେରି ଦେଖିଲି ଆମ କୋଡ଼ିଆ ଖୋଲା ପଡ଼ିଛି। ପାଖ ଘରକୁ ଗଲି ନକୁଳ କୁ ଖୋଜି ଖୋଜି। ନକୁଳ ପାଖ ଘର ଭାଉଜଙ୍କ କାନରେ ଝୁମୁକାଟିଏ ପିନ୍ଧେଇ ଦେଉଛି। କଣ କରୁଛୁ କହି ଚିତ୍କାର କରି ପଳେଇ ଆସିଲି। ବାପା, ବୋଉଙ୍କୁ କହିଲି। ବାପା ୱାର୍ଡ ମେମ୍ବର। ହାଣ୍ଡିଆ ଖାଇ ନିଶାମଗ୍ନ ଥିଲେ। କଥାଟି ତାଙ୍କୁ ବାଧିଗଲା ବୋଧେ, ମୋତେ ଟାଣି ଟାଣି ନେଇଗଲେ ଓକିଲ ପାଖକୁ। ସେଇ ଦିନଠୁ ପାଞ୍ଚ ବର୍ଷରୁ ଅଧିକ ହେବ କୋର୍ଟ ଆସି ଆସି ଥକି ଗଲିଣି।

ଘଟଣା ଘଟିବାର ଦୁଇ ଦିନ ପରେ, ଭାବିଲି ସେ ଆସିବ ମୋତେ ଡାକିବାକୁ, କିନ୍ତୁ ଆସିଲାନି।  

ମୁଁ ଯାଇ ତା କୁଡିଆ ଆଗରେ ଭଡ଼ାରେ ଘରଟିଏ ନେଇ ରହିଲି। ଭାବିଲି, ଡାକିବ। ଜମାରୁ ଡାକିଲା ନାହିଁ। ତାପରେ କୋର୍ଟରୁ ନୋଟିସ ଯାଇଥିବ। ସୁତରାଂ ସମ୍ପର୍କ ଛିନ୍ନ ହୋଇଗଲା ସେଇ ଦିନଠୁ। ବାପା ବୋଉ ବି ମୋ ସହିତ ସମ୍ପର୍କ ରଖିଲେନି। ସେମାନେ ଚାହୁଁ ଥିଲେ ମୁଁ ସବୁ ଦିନ ତାଙ୍କ ପାଖରେ ରହିବି। ମୁଁ କିନ୍ତୁ ମନେ ମନେ ନକୁଳକୁ ଚାହୁଁ ଥିଲି। ପାଞ୍ଚ ବର୍ଷ ଭିତରେ ଅନେକ ଥର ଆମେ ସାମ୍ନା ସାମ୍ନି ହୋଇଛୁ, ସେ ମୁହଁ ବୁଲେଇ ନିଏ, ମୁଁ ବି ମୁହଁ ବୁଲେଇ ନିଏ। 

ପାଖ ଘର ଭାଉଜ ମୋତେ ଆସି କହିଲେ, ସେଦିନ ତାର କିଛି ଭୁଲ ନ ଥିଲା ଦିଦି, ଝୁମୁକା ଫସି ଯାଇଥିଲା ମୋ କାନରେ। ମୁଁ ଚିତ୍କାର କଲି ବୋଲି ନକୁଳ ଭାଇ ଦୌଡ଼ି ଆସିଥିଲା ଆମ ଘର ଭିତରକୁ। ତା ଚରିତ୍ର କିଏ ଜାଣିନି କହିଲ ! ସୁନା ମୁଣ୍ଡାଟିଏ ପରା, ଦରକାର ହେଲେ କୋର୍ଟରେ କହିବି।


ନୂଆବର୍ଷର ପ୍ରଥମ ଦିନରେ ମୋ ଜନ୍ମଦିନ ପଡେ। 

କାଲି ବି ନୂଆବର୍ଷ ଥିଲା, ବାହାରେ କିଛି ଶବ୍ଦ ଶୁଣି ଝରକା ଦେଇ ଅନେଇଲି। ନକୁଳ ନୂଆ ଜୋତାଟିଏ ମୋ ଘର ଆଗରେ ରଖି ଚାଲିଗଲା। ଅଚାନକ ତାକୁ ଦେଖି ଡରିଗଲି। ଇଚ୍ଛା ଥିଲା ଡାକିବି, କିନ୍ତୁ ଡାକି ପାରିଲିନି !!


ମହାଶୟ ! କୋର୍ଟ କଚେରୀରେ ଏତେ ଖର୍ଚ୍ଚ ହୋଇଗଲା ଯେ, ଆଉ ସମ୍ଭାଳି ପାରୁନି। ଚପଲ କିଣିବାକୁ ବି ପଇସା ନାହିଁ। ମାସେ ହେବ, ଖାଲି ପାଦରେ କାମ କରିବାକୁ ଯାଏ, ନକୁଳ ବୋଧେ ଦେଖିଛି ମୋ ଖାଲି ପାଦକୁ। ଏଇ ଚପଲଟି, ସେ ମୋ ପାଇଁ କିଣିଛି, ସାର୍

ମରି ମରି, ମରି ପାରି ନ ଥିବା ଆମେ ଦୁଇଟି ମଣିଷ। ତଥାପି ବଞ୍ଚିଛେ। ଆମ ଭିତରେ ଉଭୟେ ଉଭୟଙ୍କୁ ପାଇବାର ଇଚ୍ଛା ଆହୁରି ବଳବତ୍ତର ହୋଇ ଉଠିଛି ସାର୍।

ଦୟାକରି, ତାକୁ ଦୋଷ ମୁକ୍ତ କର। କୋଡିଏ ହଜାର ସେ କୋଉଠୁ ଆଣିବ !!! ମୁଁ ଶୁଣିବାକୁ ପାଇଲି ଦୁଇ ଦୁଇଟି ଗାଈ ସେ ବିକି ସାରିଲାଣି ଏଇ କେଶରେ ଖର୍ଚ୍ଚ ପାଇଁ।

ସେ ମୋତେ ନୂଆ ବର୍ଷର ଉପହାର ଦେଇଛି। ସେଦିନ ଘଟଣାରେ ମୁଁ ଯେତିକି ମର୍ମାହତ ହୋଇଥିଲି, କାଲିର ଘଟଣାଟି ମୋତେ ସେତିକି ଦୋହୋଲାଇ ଦେଲା। 


ମୁଁ ତା ସାଥିରେ ରହିବି...ସାର୍


ଆଖି ଲୁହରେ ଭରି ଗଲା। ଅଭିମାନ ଯେତେବେଳେ ଭାଙ୍ଗିଯାଏ, ଏଭାରେଷ୍ଟ ଭୁଷୁଡି ପଡ଼ିଲା ପରି ଲାଗେ। ଶବ୍ଦରେ ସାରା ଦୁନିଆଟା ଫାଟିଯାଏ। ନକି ଭାଙ୍ଗି ପଡ଼ିଲା ସମ୍ପୂର୍ଣ୍ଣ ଭାବରେ। ସମର୍ପଣର ଆଭାସ ଝଲସି ଉଠିଲା ତା ମୁଖମଣ୍ଡଳରେ।

ଜଜ ଉଠି ଆସି ନକିର ହାତ ଧରି ନେଇଗଲେ ନକୁଳ ଆଡ଼କୁ। 

ଅଦ୍ଭୁତ ସ୍ଵୟମ୍ବର...ଦୁଇଟି ଅଦ୍ଭୁତ ମନ ଭିତରେ। ହାରିଯିବା ପରେ ବି ଜୀବନକୁ ଜିତିହୁଏ !!!

କର ତାଳିରେ ଭରି ଗଲା କୋର୍ଟ ରୁମଟି..

****

ପାଞ୍ଚ ବର୍ଷ ଭିତରେ ଜୀବନ ଉପନ୍ୟାସର କିଛି ଖାଲି ପୃଷ୍ଠା , କାଲିଠୁ ଗଳ୍ପଟି ନୂଆ ମୋଡ଼ ନେବ। କେତେ କ୍ଷତ ବିକ୍ଷତ ଥିଲା ଦୁଇ ମନ ଭିତରେ। ଏଇଠି ସେଇଠି ଘୁରିବା ଛଡ଼ା ସେମାନଙ୍କ ପାଖରେ କିଛି ଉପାୟ ନ ଥିଲା "ଯେଉଁଠି ସଂଜ ସେଇଠି ଘର" ଏମିତି ଏକ ଦୁଃଖଦ କାହାଣୀର ଅବସାନ ଘଟିବ, କାଲିଠୁ। ବସନ୍ତର ମଧୁର ସକାଳ କୋକିଳ କଣ୍ଠରେ ଗୀତ ଗାଇବ....


ଶେଷ ବସ ଧରି ସହରରୁ ବସ୍ତିକୁ ଫେରିବେ ସାଙ୍ଗ ହୋଇ। ବସ ଷ୍ଟପରେ ଛିଡା ହୋଇ ଦୁହେଁ ପୋଚକା ଖାଉଥିଲେ... ନକି ପଇସା ବଢ଼େଇଲା ଦୋକାନୀକୁ। ନକୁଳ ଆଖି ଦେଖେଇଲା.. ମୁଁ ପଇସା ଦେବି । ଓଢଣୀ ଭିତରୁ ନକି ମୁହଁ ଉପରେ ଅଦ୍ଭୁତ ସେ ହସ, ଯେମିତି ଯୁଦ୍ଧରେ ହାରି ଯାଇଥିବା ଲୋକଟିକୁ ସେ ଜିତି ନେଇଛି। ସାରା ପୃଥିବୀ ଆଜି ତା ହାତ ମୁଠାରେ... 



Rate this content
Log in

Similar oriya story from Inspirational