Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nityananda Sahu

Inspirational Others

4  

Nityananda Sahu

Inspirational Others

।। ଫୁଲ ମା "" ।।

।। ଫୁଲ ମା "" ।।

25 mins
476



ହଇ ରେ ବାଡ଼ିପଡ଼ା , ରଇଜଳା , କୁଳାଙ୍ଗାର , ହତଭାଗା । ଦିନ ଆସି ଦି ପ୍ରହାର ହେଲାଣି , କି ମାମତ କାରୀ କାମ କରୁଚୁ ବା ? ଭୋକ ଶୋଷ ସବୁ ଭୁଲି କି ? ଗାଁ ରେ ଗୋଟେ ମାଇପ ରଖିଚୁ କି ? ଘରେ ନ ରହି ଖାଲି ଗାଁ କୁ ଦୌଡୁଛୁ । ରହ ରେ ପୁଅ , ତୋ କଥା ଏଣିକି ବୁଝିବା କୁ ପଡିବ । ତତେ ବୋଧେ ବୁଢ଼ୀ ର ବୟସ କେତେ ଜଣା ପଡୁନି । ଆଉ କେତେ ଖଟିବି ମୁଁ ? ତୋ ହାତ କୁ ଦି ହାତ କରିଦେଲେ ମୋର ଚିନ୍ତା ଯିବ ।

ମାଇପ ହାତରୁ ଝାଡୁ ମାଡ଼ ଖାଇଲେ ତୁ ସାବାଡ଼ ହେବୁ । ମୋର ବଳ କି ବୟସ ଆଉ ନାହିଁ । ସେଥିପାଇଁ ମତେ ରଙ୍ଗ ଦେଖଉଛୁ ।

ତୁ ବା ଏବେ ଏବେ ଷୋହଳ ରେ ପାଦ ଦେଇଛୁ । ହରିଆ , ଭଗିଆ , ନଟିଆ ବୁଢା ତତେ ଆଜି ବି ଦେଖି ଲାଇନ ମାରୁଛନ୍ତି । ଶ""" ବୁଢା ଙ୍କର ଦାନ୍ତ ଝଡି ଗଲାଣି , ହେଲେ ନୁଙ୍ଗୁରେଇବା ଦୋଷ ଗଲାନି ?

ସେମାନଙ୍କ ଭିତରୁ କିଏ ଯଦି ଆମ ଘରକୁ ଆସୁଛନ୍ତି । ଦେଖ କି ରଙ୍ଗ ବୁଢ଼ୀ ର , ସାଙ୍ଗେ ସାଙ୍ଗେ ପଚାରି ଦଉଚି । କି ପାନ ଖାଇବୁ ବା ? ଗୁଣ୍ଡି ପାନ ନା ମସଲା( ଶିବା) ପାନ ! ମତେ ଦେଖି ନାଲି ଆଖି ଦେଖଉଛି । ଲଙ୍କା ପାଚି ଗଛ ରୁ ଖସିବା କୁ ବସିଲାଣି , ଏବେ ବି ରଙ୍ଗ କି ରାଗ କାମୁନି । ହଉ ମୁଁ ବି ଦେଖୁଚି ରହ ?

ହଇ ରେ ଅଳପଇସା , ତତେ ବାଡ଼ି ଖାଉନି ! ଏ ବୁଢ଼ୀ ଟା ନାଁ ରେ ମିଛ ସତ କହୁଚୁ । ତୁ ନରକେ ପଡ଼ିବୁ , ତୋ ମାଇପ ହାତରୁ ମାଡ଼ ଖାଇବୁ । ଅଭାଗିଆ ତୋ ପାଇଁ ମୋର କେତେ ଦରଦ , ତୁ କଣ ଜାଣିବୁ ଏ ବୁଢ଼ୀ ର କଷ୍ଟ ?? କେମିତି ତତେ ମଣିଷ କରିଛି !!!!

ହଁ ହଁ ଥାଉ ଥାଉ , ସେ ପୁରୁଣା ମାଇକି ଆଉ ବଜାନୀ । କେତେ ଫୁଲେଇ ହଉଛୁ ବା ଫୁଲ ବୁଢ଼ୀ । ତୋ ଦରଦ ର କାହାଣୀ ସେତିକି ଥାଉ । ଗଲୁ ଗଲୁ ମୋ ପାଇଁ ଖାଇବା ଆଣିବୁ। ମୋ ପାଖରେ ସମୟ ନାହିଁ ତୋ ମୁହଁ ଲାଗିବା କୁ । ସାତ ଖଣ୍ଡ ଗାଁ ର ଲୋକେ ପାରିଲେନି ଯେଉଁଠି , ମୁଁ ବା ଛାର ନାତିଆ । କଣ ରୋଷେଇ କରିଛୁ ?????

ବାସି ପଖାଳ ଆଉ ଲୁଣି ଶୁଖୁଆ ବେଶର ରାଇ । ଏଇଠି ବସ ,ମୁଁ ଆଣି କି ଆସୁଛି । ଶ""" ବୁଢା କୁ ମୁଁ ଦେଖିନି , କେମିତି ତତେ ବାହା ହେଲା କେଜାଣି । କିଛି ଗୋଟେ ଭଲ ରୋଷେଇ ତୋ ମାଆ" କରିକି ଶିଖେଇ ନ ଥିଲା କି ତତେ ? ପାଟିର ସ୍ୱାଦ ଜାଣିଲା ଦିନ ରୁ ସେଇ ଗୋଟେ ଖାଇବା ଦଉଚୁ ସବୁବେଳେ । ବୋରେହି ଶୁଖୁଆ ଭଜା , ବେଶର ଶୁଖୁଆ ରାଇ , ବଡି ଚୁରା , ଶାଗ ଭଜା ଆଉ ଗରମ କି ପଖାଳ ଭାତ । ମାଛ ତରକାରୀ ବି ଠିକ ସେ ଆମ୍ବୁଲ ଖଟା ପକେଇ କରି ପାରୁନୁ । ଏଡ଼େ କଞ୍ଜୁସ ବୁଢ଼ୀ ଯେ ଚିକେନ୍ କି ମଟନ ଆଜି ଯାଏ ହାଣ୍ଡିଶାଳ ଘର ମାରା ହେଇଯିବ କହି ଘରେ ପୁରଉନି !!!

ହଇରେ ହେଡ଼ାଖିଆ ? ମୋ ହାତ ଖାଇବା ଯଦି ତତେ ରୁଚୁ ନି !!! ଯାଉନୁ କାହାକୁ ବାହା ହୋଇ ପଡ଼ିବୁ । ହଁ""" ମୁଁ ବି ଦେଖିବି ସେ ତତେ କେମିତି ଛ"" ତିଅଣ ନ"" ଭଜା କରିକି ଦେବ !!! ବାଡ଼ିପଡ଼ା ତୁ ହିଁ ତାକୁ ରୋଷେଇ କରି କି ଖାଇବାକୁ ଦେବୁ , ନ ହେଲେ ହୁଟୁଲୁ ରୁ ଆଣିକି ଖାଇବୁ। ସେ ଦିନ କହିବି ରହ , କେମିତି ଲାଗୁଛି । ଆଉ କି ମତେ ସେ ଡିଲାଗ ମାରି ପାରିବୁ କଣ ତ କହୁ ସେଟା !!!! ଗୁଟେ ଖୁସି ଆଉ । ଦେଖି ବି ରହ ରେ ତୋ ଖୁସି କେମିତି ରହିବ ସେ ଦିନ। ଏତେ ବଡ଼ ଅଣ୍ଡିରା ଛଡା ଟେ ହେଲୁଣି । ଗାଁ ସାରା ଷଣ୍ଢ ପରି ବୁଲୁଚୁ । ତୋ ନାଁ ରେ କେତେ କିଏ ଟାହି ଟାପରା କରୁଛନ୍ତି । କେତେ ଟୋକି ଙ୍କ ମା"" ସବୁ ତୋ ନାଁ ରେ କୁମ୍ପ୍ଲେନ କରୁଛନ୍ତି । ସମସ୍ତ ଙ୍କ ନଜର ରୁ ତତେ କଳା ଟୀକା ଲଗେଇ ଖରାପ ଦୁଷ୍ଟି ରୁ ଦୂରେଇ ରଖିଛି । ହେଲେ ଆଉ ପାରିବିନି!!! ଏଣିକି ତୋ ନିଜ କିଳା ତୁ ସମ୍ଭାଳେ । ସେ ମଙ୍ଗୁ ସାହୁ ଝିଅ ହୁଣ୍ଡିଟା ସହିତ ତୋ ବାହା ଘର କରିଦେଲେ ମୋ ଚିନ୍ତା ଯିବ ।!!!!

ହେ ହେ ଫୁଲ ବୁଢ଼ୀ ? ତୋ ମୁଣ୍ଡ କାମ କରୁଛି ତ ? ମୋ ପରିକା ଷଣ୍ଢ ମାରକା ଟୋକା , ଏ ଖଣ୍ଡ ମଣ୍ଡଳ ରେ ଅଛନ୍ତି !! ତୁ ସେ ହୁଣ୍ଡି କୁ କଣ ମୋ ସହ ବାହା କରେଇବୁ କହୁଚୁ । ଦେଖିବୁ ରହ ସହରୀ ବୋହୂ ତୋ ପାଇଁ ଆଣିବି ।।

ତୋ ଟାଉଟୋରି ସେତିକି ଥାଉ , କିଏ ବା ସେ ଉର୍ବଶୀ ନା ମେନକା ତତେ ଆସି ବିହା ହେବ??? ସବୁ ମରି ଯାଉଥିଲେ ଯେମିତି ??? ସେମାନଙ୍କୁ ପୁଅ ଆଉ କଣ ମିଳିବେ କି ??? ତୁ ତ ଗୋଟିଏ କୃଷ୍ଣ ଅଛୁ ଆଉ !!!! ଯାଉନୁ ବା କାହିଁ ।।।।। ବାଉଁଶ ଭିତର ପୋଲା , ବାହାର କୁ ଦେଖୁନ କେମିତି ମଜବୁତ ଦେଖେଇ ଫୁଲି ଯାଉଛି । ତୋ ପରି ନାଟୁଆ , ଝଗଡା ଖୋରି ବୁଢ଼ୀ ସହ ମୋ ମାଇପ କାହିଁ ରହିବ !!!! ତୋ ପକୃତି ପାଇଁ କେହି ବି ଝିଅ ମତେ ଦେବେ ନି !!!! ବୁଝିଲୁ , ମଲା ଯାଏ ଅବାଡୁଆ ଷଣ୍ଢ ହୋଇ ରହିଯିବି !! ତୁ ତୋ ପକୃତି ବଦଳା ନ ହେଲେ ମୋ ବୋଝ ଏମିତି ମୁଣ୍ଡେଇ ବୁ ହେଁଶ ରେ ଘୁଷୁରୀ ବା ଯାଏ । କଣ କହିଲୁ ରେ ଶଳା ଟୋକା, ମୋ ଠେଙ୍ଗୁଲି ବାଡ଼ି ଟା କୁଆଡେ ଗଲା । ମୁଁ କଳି ହୁଡ଼ି ? ତୋ ମାଇପ ଠାରୁ କମ ହେଇଥିବି ବୁଝିଲୁ । ମୋ ପକୃତି ମୁଁ କଣ ପାଇଁ ବଦଳେଇବି । ତୁ ସୁଧୁରୀ ଯାଉନୁ !!!! ତୋ ସହ ଝଗଡା କରିବା କୁ ସମୟ ନାହିଁ ମୋର । ମୁଁ ଯାଉଛି ଆଜି ବ୍ଲକ ରେ ଏମ ଏ ଲେ ଆସିବେ । ବଡ଼ ମିଟିଙ୍ଗ ଟା ଅଛି। ତୁ ରାତି ରେ ମୋ ପାଇଁ ଅପେକ୍ଷା କରିବୁ ନି ?? ଖାଇକି ଶୋଇ ପଡ଼ିବୁ । ମୁଁ ମୋର ଖାଇକି ଆସିଥିବି । ବୁଝିଲୁ ତ ଫୁଲ!!!! ।

ହଇ ରେ ଧେଡା ଟୋକା । କାମ ଯଦି କିଛି ନାହିଁ ତା ହେଲେ ଶୁଖୁଆ ଆଣି ପାରାଦ୍ୱୀପ ରୁ ବେପାର କରୁନୁ । ବାପା ଅଜା ଚଉଦ୍ ପୁରୁଷ ର କାମ କୁ ଛାଡି , ଯାଉଛୁ ରାଜନୀତି କରି?? ତୋ ଭବିଷ୍ୟତ ଯେ କଣ ହେବ , ମା ଗଂଗେଇ ଜାଣେ ? କେତେ ଥର କହିଲେଣି , ସେ ରାଜନୀତିଆ ବାବୁଙ୍କ ଠାରୁ ଦୂରେଇ ରହ । ହେଲେ ନା , ତୁ ବା ମୋ କଥା କାହିଁକି ଶୁଣିବୁ ? ଆଜି କହୁଚି କାଲି ବି କହୁଥିବି , ସେ ରାଜନୀତି ର ପସା ଖେଳ ରେ ଯୁଧିଷ୍ଠିର ସମେତ ପାଞ୍ଚ ଭାଇ ହାରିବାରୁ , ମହାଭାରତ ହୋଇଥିଲା । ଘର ଭଙ୍ଗା ସେ ଜହର ଖେଳରୁ ତୁ ବାହାରି ଆରେ ଗଉରା !!!! ମୋର ନ"" ଟା କି ଛଅ" ଟା ନାଇଁ ? ତୁ ଏକା ମୋ ସାହାରା । ତୁ ମଣିଷ ହୋଇ ଘର ଦ୍ୱାର କରି ଖୁସି ରେ ରହିଲେ । ମୋ ଜୀବନ ତତେ ଦେଖି ଖୁସି ଖୁସି ରେ ଚାଲିଯିବ । କିଅଣ ପାଇବୁ ରେ , ସେମାନଙ୍କ ପାଇଁ ଦିନ ରାତି ଦୋୖଡି , ମଦ ମାଉଁସ ଖାଇ , କାମ କରି ? ଗଲା ସନ ତୁ କଣ ଦେଖିନୁ ଆର ଗାଁ ରେ ଚାରି ପାଞ୍ଚ ଟା ଟୋକା କେମିତି ମଦ ପିଇ ପରସ୍ପର ସହ ବାଡ଼ିଆ ବାଡ଼ି ହୋଇ ପୁରା ଗାଁ କୁ ରାଜନୀତି ରେ ଦି ପାଟି କରିଦେଇ ଥିଲେ। ମାଡ଼ ପିଟ ରେ ରକ୍ତ ପାତ ହେବାରୁ ପୁଲୁସ ଆସି ନେଇକି ଯାଇଛି ଯେ ବରଷ ହେଲାଣି , ସେମାନଙ୍କ ର ଦେଖା ନାହିଁ । କଣ ଯେ ବିତୁ ଥିବ ତାଙ୍କର ମାଆବାପ ଙ୍କ ଠାରେ ।

ତତେ ମୋ ରାଣ ବାଇଆ ରେ ....... ତୁ ଯା ନା"ରେ।!!! ଫେରି ଆ ରେ """ଫେରି ଆ ଗଉରା !

ଗଉରା ଆଉ କି ଫୁଲ ର କଥା ଶୁଣୁଛି । ଗାଁ ପିଲା ଙ୍କ ସହ ବାହାରି ଯାଇଛି ସରପଞ୍ଚ ପଠେଇ ଥିବା ଗାଡି ରେ । ଆଉ ଦୂର ରୁ ଶୁଭୁ ଥାଏ , ଅମକ ବାବୁ ହାଏ ହାଏ ..... .…...।

ହେ ବିଧାତା କଣ କହି ବୁଝେଇବି ଏ ପାଗଳ ବାଇଆଟା କୁ ମୋର !!!! ସେ ବା କେମିତି ବୁଝିବ ଆଜିର ହୀନ ରାଜନୀତି କୁ । ତା ବାପା ମା ଥିଲେ , ସେ କଣ ଆଜି ତାକୁ ଯିବା କୁ ଦେଇ ଥାନ୍ତେ । ତୁମେ ଦୁହେଁ ମତେ କ୍ଷମା କରିଦେବ । ଘର କାନ୍ଥ ରେ ଟଙ୍ଗା ପୁଅ ବୋହୂ ଙ୍କ ଫୁଟ ଦେଖି ଆଜି ଫୁଲ ଆଖିରେ ଅମାନିଆ ଲୁହ ର ଝଡ଼ । ଠିକ ଯେମିତି ସେ ଦିନ ର ଶିଆଳି ସମୁଦ୍ର ରୁ ମାଡି ଆସିଥିଲା ଢେଉ ଗରଜି ଗରଜି ଏଇ ତା ଗାଁ ଆଡେ , ଆଉ ଦେଖୁ ଦେଖୁ ସବୁ କିଛି ନିମିଷ କେ ଧୋଇ ନେଇଥିଲା ତା କୋଳରୁ। ଆଉ ଆଜି ବି ଭୁଲି ପାରୁନି ଫୁଲ ସେଦିନର ଦୁଃଖ ର ରାତି କୁ ।

ଶାଲ ଉଣେଇଶ ଅନେଶ୍ୱତ ଅକ୍ଟୋବର ଅଣତିରିସି ଶୁକ୍ରବାର ରାତି ର ଘଟଣା । ସବୁଠୁ ବେଶି ଆକ୍ରାନ୍ତ ହୋଇଥିବା ଗାଁ ମଧ୍ୟରୁ ମହାବାତ୍ୟା ରେ , ଏରସମା ବ୍ଲକ ର ଜିଲ୍ଲା-ଜଗତସିଂହପୁର ର ଗାଁ" ଟିଏ ତାର ଥିଲା ସମୁଦ୍ର କୂଳରେ । ପୁଅ ତାର ସାଥି ଭାଇ ଙ୍କ ସହ ସମୁଦ୍ର କୁ ମାଛ ମାରି ସାତ ଦିନ ହେଲା ଯାଇ ଥାଏ । ମେଘ ବର୍ଷା ଟିକେ ଟିକେ କିଛି ଦିନ ହେଲା ହେଉଛି । ଖବର ଦେବା ପାଇଁ କିଛି ଉପାୟ ନ ଥାଏ । ବୋହୂ ସବୁ ଦିନ ପରି ସମୁଦ୍ର କୂଳ କୁ ଯାଇ ଦେଖି ଆସେ , ଆସିଲା କି ନାଇ ତା ଗେରସ୍ତ ।

ରେଡ଼ିଓ ରେ ବାରମ୍ବାର ଶୁଣିବା କୁ ମିଳୁଥାଏ , ବାତ୍ୟା ଆସୁଛି , ନିକଟରେ ଥିବା ଉଚ୍ଚ ଜାଗା କି କୋଠା ଘର କୁ ଚାଲିଯିବା ପାଇଁ । ଫୁଲ ବ୍ୟସ୍ତ ହେଉଥାଏ । କୁଆଡେ ଗଲେ ତା" ପୁଅ ଆଉ ବୋହୂ ?

ରାତି ଆସି ନଅ" ଟା ବାଜିବ , ଝିପି ଝିପି ବର୍ଷା ରେ ଭିଜି କି ଆସି ଦୁହେଁ ଘରେ ପହଞ୍ଚିବାରୁ ତାର ବ୍ୟାକୁଳ ମନ ଟିକେ ଶାନ୍ତ ହେଲା । ସେଇ ରାତି ରେ ପୁଅ ତାକୁ ଆଉ ବୋହୂ ସହ ନାତି(ଗଉରା) କୁ ନେଇ ଗାଁ ଦେବୀ ମନ୍ଦିର ରେ ଛାଡି ଦେଇ ଆସିଲା । ଗାଁ ରେ ଗୋଟେ ବି କୋଠା ଘର ନ ଥିଲା , ଅନେକ ଲୋକେ ସେଇ ମନ୍ଦିର ର ଚାରିପଟେ ହେଁଶ (କତରା ) ସବୁ କୁ ବାଉଁଶ ସାହାଯ୍ୟ ରେ ପାଲ ସହ ଭିଡି କି ମନ୍ଦିର ବାରଣ୍ଡା କୁ ଆବରଣ କରିଦେଇଥିଲେ । ଆଉ ଅନେକ ଲୋକେ କିଛି ହେବ ନାହିଁ କହି ଘରେ ସେମିତି ରହିଥିଲେ । ପୁଅ ତାର ବୋହୂ କୁ ସାଥିରେ ନେଇ ବର୍ଷା ରେ ଘର ର ଚାଳ ଉଡିଯାଇଥିବା ରୁ , ଗଉରା କୁ ତା କୋଳକୁ ଧରେଇ ଦେଇ ମନ୍ଦିର ରେ ଛଣ ପକେଇ ସଜାଡ଼ିବା କୁ ଚାଲିଗଲା । ରାତି ବଢିବା ସହ ପବନ ଆଉ ବର୍ଷା ବଢି ଚାଲିଥାଏ । ସମୁଦ୍ର ର ଗର୍ଜନ ଶୁଣି ହୃଦୟ କାହିଁକି କେଜାଣି ଭୟ ରେ ଥରୁ ଥାଏ । ସମୁଦ୍ର କୂଳରେ ଏ ଜୀବନ ସରିବା କୁ ବସିଲାଣି କାହିଁକି କେଜାଣି ଆଜି ଯାଏ ଏମିତି ସମୁଦ୍ର ର ଗର୍ଜନ କେହି ଶୁଣି ନ ଥିଲା କେବେ ସେ । ରାତି ବଢିବା ସହ ସମୁଦ୍ର ଗର୍ଜନ ସହ କିଛି ଭାଙ୍ଗିବା ର ଶବ୍ଦ ଆଉ ଲୋକ ଙ୍କ ଚିତ୍କାର ଶୁଣି ସମସ୍ତେ ଭୟ ରେ ଛାନିଆ । ଦେଖୁ ଦେଖୁ ସମୁଦ୍ର ର ଢେଉ ମାଡି ଆସିଲା ଝାଉଁ ବଣ ଡେଇଁ ତାର ଗାଁ ଆଡେ । ଘରେ ଘରେ ପାଣି ପଶି ଗଲା । ଗାଁ ଲୋକେ ସବୁ ଧାନ ,ଚାଉଳ , ଅନନ୍ୟା ସାମଗ୍ରୀ ଧରି ମନ୍ଦିର ଆଡ଼କୁ ପାଣି ରେ ପଶି ଆସି ରଖି ଯାଉଥାନ୍ତି । ଦେଖୁ ଦେଖୁ ସମୁଦ୍ର ର ଉଗ୍ର ରୂପ ଧରି ଢେଉ ଗୋଟେ ପରେ ଗୋଟେ ବଡ଼ ବଡ଼ ଅଟାଳିକା ସଦୃଶ୍ୟ ଗାଁ ଭିତର କୁ ମାଡି ଆସୁଥାଏ । କି ଭୟାନକ ଦୃଶ୍ୟ ଥିଲା ଘରେ ଘରେ ପାଣି ପଶି ମାଟିର କାନ୍ଥ ପଡି ଘର ସବୁ ଭୁଶୁଡି ଯାଉ ଥାଏ । ଲୋକେ ସବୁ ଆଖି ସମ୍ନା ରେ ପାଣି ରେ ଭାସି ଯାଉ ଥିଲେ । କେହି ବି ବଞ୍ଚେଇବା କୁ ଚେଷ୍ଟା କରୁଥିଲେ ବି ଅସଫଳ ହେଉଥିଲେ । ରାତି ପ୍ରାୟ ଶେଷ ପ୍ରହର ବେଳ କୁ ପବନ ର ଗତି ବଢୁଥାଏ । ପୁଅ ବୋହୂ ଏ ଯାଏ ମନ୍ଦିର କୁ ଫେରି ଆସି ନାହାନ୍ତି । ମନ ରେ ନାନା ଦି ଚିନ୍ତା ।କୁଆଡେ ଗଲେ କେଜାଣି ! ସେମିତି ଦେବୀ ମନ୍ଦିର ରେ ବସି ଏ ମହା ବିପତ୍ତି ରୁ ରକ୍ଷା କରିବା ପାଇଁ ତ୍ରାହି ମା " କହି ସମସ୍ତେ ଡାକୁ ଥିଲେ । କିଛି ସମୟ ର ତାଣ୍ଡବ ରଚିବା ପରେ ବାତ୍ୟା ର ପ୍ରକୋପ କମି ଗଲା । ପାଣି ଟିକେ ଦାଣ୍ଡ ରୁ ଛାଡି ଯାଇଥାଏ । ସମସ୍ତେ ଘର କୁ ଫେରି ଘର ସଜାଡ଼ିବା କୁ ଲାଗି ଗଲେ ।ପାଣି ରେ କିଛି ଲୋକେ ଭାସି ଯାଇଥିବାରୁ , ସେମାନଙ୍କ ର ଆତ୍ମୀୟ ମାନେ କନ୍ଦା କଟା କରି ଖୋଜୁଥିଲେ । ଗଉରା କୁ ମନ୍ଦିର ପରିସରରେ ପୂଜକ ଙ୍କ ପାଖ ରେ ଛାଡି ଘରକୁ ପୁଅ ବୋହୂ କୁ ଦେଖିବା କୁ ଚାଲିଗଲି । ଗାଁ ଭିତରେ କିଛି ବାଟ ଗଲା ପରେ ଦେଖିଲି ଅଧା ଗାଁ ପାଣି ରେ ଭାସି ଯାଇଛି । ମୋ ଘର ଟା ଗାଁ ର ଶେଷ ମୁଣ୍ଡରେ ସମୁଦ୍ର ଆଡୁ ପାଖ । ମନରେ ଭୟ ଆଉ କୋହ ଛାତିରେ ଉନ୍ମାଦ କରୁଥାନ୍ତି । କିଛି ବାଟ ଗଲା ପରେ ଦେଖିଲି ମୋ ଘର ପୁରା ନଷ୍ଟ ହୋଇଯାଇଛି । ଖାଲି ମୁଳୁଦୁଆ ଅଛି ଆଉ କିଛି ନାହିଁ । ପୁଅ ବୋହୂ ନାଁ ଧରି ପାଣି କାଦୁଅ ରେ ଯେତେ ଡାକି କି ଖୋଜି ବୁଲିଲି ଆଉ କୁଆଡେ ବି ପାଇଲି ନାହିଁ। କିଛି ସମୟ ଖୋଜିଲା ଭିତରେ ଆକାଶ ରେ ମେଘ ଅନ୍ଧାର କରି ଆସିଲା ।ବର୍ଷା ଆଉ ପବନ ର ଗତି ସହ ଆଉ ଥରେ ସମୁଦ୍ର ର ଗର୍ଜନ ଜୋର ରେ ଶୁଣିବା କୁ ମିଳିଲା ।ପୁଅ ବୋହୂ ଙ୍କୁ ନ ପାଇ , ଲୁହ ର ସାଗର ଭିତରେ ଡୁବୁଥିବା ମଣିଷର ଏକମାତ୍ର ମୋ ଆଶା ର ଆଲୋକ ଥିଲା ଗଉରା । ଅତ୍ୟନ୍ତ ସାହସ ର ସହ ପବନ ର ତୀବ୍ର ଗତିକୁ ବେଖାତିର କରି ମନ୍ଦିର ରେ ପହଞ୍ଚି ଯାଇ , ଗଉରା କୁ ଦେଖି ଆଉ କୋହ ସମ୍ବରଣ କରି ପାରିଲି ନି। କୋଳ ରେ ଚାରି ବର୍ଷ ର ଛୁଆ ଟି କୁ ଧରି ଛାତି ଫଟେଇ କାନ୍ଦୁଥିଲି । ମନ୍ଦିର ପରିସର ଟିକେ ଫାଙ୍କା ଥିଲା । ଯିଏ ଯେମିତି ଘର ସଜାଡ଼ିବା କୁ ଯାଇଥିଲେ । ଅନ୍ୟମାନେ ନିଜର ଲୋକଙ୍କୁ ପବନ ବର୍ଷା କୁ ବେଖାତିର କରି ପାଣି କାଦୁଅ ରେ ଖୋଜୁ ଥିଲେ । ଗଉରା କାନ୍ଦିବା ରୁ ଭୋକ ଭୋକ କହି , କଣ କରିବି କିଛି ବୁଝି ପାରୁ ନ ଥିଲି । ମମତା ର ମାତୃ ତୁଲ୍ୟ ବକ୍ଷ ରେ ବି ସେ ଅମୃତ ଆଉ ନ ଥିଲା । ବାପା ବୋଉ କହି ଗଉରା କଇଁ କଇଁ ଡାକି କାନ୍ଦୁ ଥାଏ । କେମିତି କହିବି ତାକୁ , ତୋ ବାପା ବୋଉ କୁ ମୁଁ ଖୋଜି ପାଇଲି ନାହିଁ ବୋଲି ? ପୁରୋହିତ ଆଜ୍ଞା ଗଉରା ର କାନ୍ଦ ଦେଖି ମନ୍ଦିର ରେ ସକାଳୁ ପୂଜା ଲାଗି ହୋଇଥିବା କଦଳୀ ଆଉ ପାଦୁକା ର କ୍ଷୀର ଗିଲାସ ଦେଲେ ଖୁଆଇ ଦେବାକୁ। ବାଇଆ ଟା ମୋର ଭୋକ ରେ ଥିବା ରୁ କଦଳୀ କ୍ଷୀର ପିଇ ଟିକେ ଶାନ୍ତ ହୋଇଗଲା । କିଛି ସମୟ ଭିତରେ ଚାରିଆଡେ ଦେଖୁ ଦେଖୁ ଅନ୍ଧାର ହୋଇ ଆସିଲା । ଲାଗିଲା ଯେମିତି ସାତ ମେଘ ଆସି ଧରଣୀ ଉପରେ ନିଜର କୋପ କରି ବରସୁ ଥିଲେ । ଦକ୍ଷିଣା ପବନ ର ବେଗ ରେ ଶିଆଳି ବେଳା ଭୂମି ରୁ ଝାଉଁ ଗଛ ସବୁ ଭାଙ୍ଗି ବାର ଶବ୍ଦ ସହ ବାକି ଥିବା ଗାଁ ର ଘର ଗଛ ସବୁ କୁ ଭାଙ୍ଗି ଉଡାଉ ନେଉଥାଏ । ଦକ୍ଷିଣା ପବନ ର ବେଗ ରେ ସମୁଦ୍ର ଆଉ ଥରେ କୂଳ ଲଂଙ୍ଘି ଗାଁ ଭିତର କୁ ମାଡି ଆସିଲା । କାଳ ର କରାଳ ନୃତ୍ୟ କୁ ଦେଖି ଭୟ ଲାଗୁଥାଏ ସେଦିନ। ଚାରି ଆଡ଼େ ପବନ ବର୍ଷା ସହ ଲୋକ ଙ୍କ ଆର୍ତ୍ତ ଚିତ୍କାର ଶୁଣି , ସମସ୍ତେ ମନ୍ଦିର ପରିସର ରେ ସ୍ଥାଣୁ ପାଲଟି ଯାଇଥିଲୁ । ତ୍ରାହି ମା" ତ୍ରାହି ମା" କହି ଡାକ ଛାଡୁଥିଲୁ । ତିନିରୁ ଚାରି ଘଣ୍ଟା ର ମହାବାତ୍ୟା ର ତାଣ୍ଡବ ରେ ଅନେକ କିଛି ନଷ୍ଟ କରି ଦେଇଥିଲା । ଶହ ଶହ ଲୋକ , ଗୋରୁ ଗାଈ ଅନ୍ୟାନ୍ୟ ଜୀବ ମାନଙ୍କର ଶବ ସବୁ ରାସ୍ତା କଡ଼ରେ ଚାରିଆଡେ ପଡି ରହିଥାଏ । ଗଉରା କୁ ପଣତ ସାହାଯ୍ୟ ରେ ଅଣ୍ଟା ରେ ବାନ୍ଧି ଶବ ସବୁ କୁ ଆଡେଇ ଖୋଜି ବା କୁ ବାହାରିଲି ପୁଅ ଆଉ ବୋହୂ ଙ୍କୁ । ସାତ ଦିନ ଖୋଜିଲା ପରେ ବି ଆଉ ସେମାନଙ୍କ ର କୌଣସି ସନ୍ଧାନ ପାଇଲି ନାହିଁ । ଦୁଃଖ ର ଯନ୍ତ୍ରଣା ରେ ଛଟ ପଟ ହୃଦୟ ପୁଅ ଆଉ ବୋହୂ ଙ୍କ ବିୟୋଗ ରେ ଦିନ ରାତି ଅଶ୍ରୁ ର ସାଗର ମଧ୍ୟରେ ଗଉରା କୁ ଛାତି ରେ ଭିଡି ନେଇ କାନ୍ଦୁଥିଲି । ଏଡ଼େ ଟିକି ଟିଏ ହୋଇଥିଲା ଗଉରା , ସେ ବା କଣ ବିରହ ର ଦୁଃଖ କୁ ବୁଝିପାରୁଥାଏ ।

ନିଜ ଗୋଡ଼ରେ ଠିଆ ହୋଇ , ମାନ ସମ୍ମାନ ସବୁ ଭୁଲି କି ,ତୋରି ପାଇଁ (ଗଉରା) ସରକାର ଙ୍କ ସାହାଯ୍ୟ ମିଳୁଥିବା ଜାଗା ରେ ଝଗଡା କରି କିଛି ଖାଦ୍ୟ ସାମଗ୍ରୀ ଅତ୍ୟାବଶ୍ୟକ ଜିନିଷ ଜୋର ଜବରଦସ୍ତି ଗାଳି ଗୁଲଜ କରି ଘର କୁ ଆଣୁଥିଲି। ଦଇବ ଯୋଗ କୁ ସରକାରୀ ପ୍ରତ୍ସାହନର(ଇନ୍ଦିରା ନାଁ ) ଘର ଖଣ୍ଡେ ମିଳିଲା । ଅନେକ ବଡ଼ ବଡ଼ ବାବୁ କୁମ୍ପାନୀ ଲୋକେ ଆସି ଦେଉଥିବା ସାହାଯ୍ୟ କୁ ଆଣି ସୁରକ୍ଷିତ ଭାବେ ରଖୁଥିଲି । ସମାଜ ଆଗରେ ଏ ଫୁଲ ଇଜ୍ଜତ କୁ ଭୁଲି ତତେ ମଣିଷ କରିବା କୁ ଚେଷ୍ଟା କରୁଥିଲା ।

ତୋ ବାପା ମା" ଙ୍କ ବୟୋଗ ରେ ମିଳିଥିବା ଆର୍ଥିକ ଟଙ୍କା କୁ ଆଜି ବି ରଖିଛି ତୋ ପାଇଁ । ସେ ଟଙ୍କା ରେ ତୋର ଅଧିକାର ଥିଲା । ମୁଁ ପେଟର ଭୋକ କୁ ମାରି ଗାଁ ଗାଁ ଶୁଖୁଆ ମୁଣ୍ଡେଇ ବିକି କି ଚଳିଛି । ଏଡିକି ଟି ରୁ ଏତେ ବଡ଼ କଲି । କେବେ ବି ତତେ ଦୁଃଖ ରେ ରହିବା କୁ ଦେଇନି । ଭାବିଲି ଭଲ ପଢୁଛୁ , ଚାକିରୀ କରିବୁ । ଯେତେ ପାଠ ପଢିଲେ ବି ମୁଁ ଖର୍ଚ୍ଚ କରିବା କୁ ରାଜି ଥିଲି । ହରିଆ ଠାରୁ ଶୁଖୁଆ କିଣି ବିକି କି ରଖିଥିବା ଟଙ୍କା ଆଜି ବି ମୋ ଟ୍ରଙ୍କ ରେ ଅଛି । ହେଲେ ମୋ ଆଶା ଆଉ ଅଭିଳାଷ କୁ ତୁ ଭାଙ୍ଗି ଦେଲୁ ରେ ଗଉରା ।

ଆଜି ଚାଲି ଗଲେ ଦେଖିବା କୁ ମିଳୁଛି ଗାଁ ର ପିଲା ମାନେ କେମିତି ଶିକ୍ଷିତ ହୋଇ ବି ଅଶିକ୍ଷିତ ହେଇ ଯାଉଛନ୍ତି । ସଂସ୍କାର ପରମ୍ପରା , ଗୁରୁ ଗୁରୁଜନେ ସେବା ସମ୍ମାନ ସବୁ କୁ ଭୁଲି , ପୂଜା ପାଠ ରୁ ଦୁରେଇ , ଅସାମାଜିକ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି । ଏଡିକି ମେଣ୍ଡି ମେଣ୍ଡି ଛୁଆ ମଦ ପିଇ ଘରେ ଘରେ ବାପା ମା ଙ୍କ ର ଚିନ୍ତା ର କାରଣ ସାଜିଲେଣି । କି ଯୁଗ ହେଲା ଲୋ ମା" ହାତ ରେ ଫୂଂନ ଟିଏ ଧରି ଯୋଉଠି ନାହିଁ ସେଇଠି ବସି ପଡ଼ି କିଅଣ ସବୁ ଚିପି ପକାଉଛନ୍ତି । ସମୟ ର ମୂଲ୍ୟ କୁ ଭୁଲି ଯାଇ , ଯିଏ ମଦ ମାଂସ ଦେଉଚି ,ତାରି ପଛରେ ଗୋଡାଉଛନ୍ତି । ସ୍ଵଭାଵ କୁ ନଷ୍ଟ କରି ସାରିଲେଣି । ଆଗ ଭଳି ଆଉ ଗାଁ ରେ ଭାଗବତ, ପାଲା ଦାସକାଟିଆ , ଘୋଡା ନାଚ ଦେଖିବା କୁ ମିଳୁନି । ପୂଜା ଅନୁଷ୍ଠାନ ନାଁ ରେ ଖାଲି ଅର୍ଧ ଲଙ୍ଗଳା ନାଚ ସବୁ କରେଇ କିଅଣ ଟା ଦେଖେଇ ହେଉଛନ୍ତି , କିଛି ବୁଝା ପଡୁନି । ଗାଁ ମଝି ଟା ରେ ଗୁରୁ ଗୁରୁଜନଙ୍କ ସାମ୍ନାରେ କି କି କଦର୍ଯ୍ୟ ଗୀତ ସବୁ ବଜେଇ ଲଙ୍ଗଳା ଦୃଶ୍ୟ କୁ ଉପଭୋଗ କରୁଛନ୍ତି। ସେମାନଙ୍କ ର ବୋପା ମାଆ ମଣିଷ ହେବା ପାଇଁ କଣ ଏମିତି ଶିକ୍ଷା ଦେଉଥିଲେ ??

ଭାବିଥିଲି ଗଉରା ଟା ମୋର ପାଠ ଶାଠ ଦି ଅକ୍ଷର ପଢ଼ିଛି। ସେ ଗାଁ ର ପିଲା ମାନ ଙ୍କୁ ବୁଝେଇ , ଏ ସବୁ କାମ ରୁ ସେମାନଙ୍କୁ ନିବୃତ କରାଇବ। ହେଲେ ନା , ସେ ହିଁ ମତେ ଭୁଲ ପ୍ରମାଣ କରିଦେଲା । ଏ ସମାଜ ବଦଳିବା ସହ ବଦଳି ଯାଇଛି ବି ଚାଲି ଚଳଣି। କାହିଁ ସେଇ ଗାନ୍ଧୀ ,ଗୋପବନ୍ଧୁ ,ମଧୁସୂଦନ ଙ୍କ ଭଳି ସମାଜ କଲ୍ୟାଣ କାରୀ ବୀର ପୁତ୍ର । ଏଠି ଯୁଆଡେ ଆଖି ବୁଲେଇ ଲେ ଦେଖିବା କୁ ମିଳୁଛି , ଅସଭ୍ୟ , ଶିକ୍ଷିତ ଧାରି ଅଶିକ୍ଷିତ କୁଳାଙ୍ଗାର , ମଦପ୍ୟ , ଚୋର , ଟାଉଟର ଏମିତି ଅନେକ ଲୋକ । ଏ ସମାଜ କୁ କଳୁଷିତ କରି ରଖିଛନ୍ତି । ଦେବା ଦେବୀ ଙ୍କ ପୂଜା ନାଁ ରେ ମଦ ମାଂସ ଖାଇ ପୂଜା ମଣ୍ଡପ ରେ ଭଷାଣି ନାଁ ରେ ବାଡ଼ିଆ ବାଡ଼ି ହୋଇ ରକ୍ତ ପାତ କରି ଦେଉଛନ୍ତି ।

ମୋ ଶେଷ ନିଶ୍ୱାସ ଥିବା ଯାଏ , ଗଉରା କୁ ମୁଁ ଏ ପଥରୁ ନିବୃତ ନ କରିବା ଯାଏ , ଚୁପି ହୋଇ ବସିବି ନାହିଁ । ଦେହ ରେ ଆଉ ବଳ ନାହିଁ ତାକୁ ଘର ଭିତରେ ଭିଡି କି ରଖିବା ପାଇଁ । ଇଚ୍ଛା ନ ଥାଇ ବି ଖରାପ ଶବ୍ଦ ରେ ଗାଳି କରିବା କୁ ଭଲ ଲାଗୁ ନାହିଁ । କେବେ ସୁଧୁରୀ ଯିବ ମୋ ସୁନା ଟା କେଜାଣି ??

ରାତି ଆସି ଗୋଟେ ପ୍ରହର ହେଲାଣି ,ପିଲାଟା ର ଦେଖା ନାହିଁ । କଣ ଖାଇଲା ,କେଉଁଠି ଅଛି, କିଏ ବା ଜାଣିଚି । ହେ ପ୍ରଭୁ ଯେଉଁଠି ବି ଥାଉ ମୋ ବାଇଆ ଟା ଭଲ ରେ ଥାଉ ।

ରାତି ପାହି ଯାଇଛି । ଗାଁ ସାରା ଚହଳ ପଡି ଯାଇଛି । ଗାଁ ର କୌଣସି ବି ପିଲା ଘରକୁ ଫେରି ନାହାନ୍ତି । କାଲି ବ୍ଲକ ରେ ମିଟିଙ୍ଗ ବେଳେ ଗ୍ରାମ ରଖୀ ଚାକିରୀ ପାଇଁ ଯୁବକ ମନୋନୀତ ସମୟ ରେ ଗଣ୍ଡ ଗୋଳ ହୋଇ ମୁଣ୍ଡ ଫଟା ଫଟି ହୋଇ , କିଛି ପିଲା ହସ୍ପିଟାଲ ରେ ପଡିଛନ୍ତି ତ ଆଉ କେତକ ଜେଲ ରେ ଅଛନ୍ତି ।

ଶୁଣିଲା ପର ଠାରୁ ଆଖିରେ ଲୁହକୁ ଆଉ ରୋକି ପାରୁନି ।କେତେ ନେହୁରା ହୋଇ କହିଥିଲି ବାବୁ ରେ ଯାଆନି ସେ ମିଟିଙ୍ଗ କୁ , ହେଲା ନା ମୋ କଥା କଣ ପାଇଁ ଶୁଣିବ ? ଘର କୁ ଫେରି ଆସିନି କାଲି ରାତି ଠୁ । ଦୋୖଡି ଯାଇଛି ହରିଆ ପାଖକୁ , ଆରେ ଶୁଣ ରେ ହରି ମୋ ନାତି କୁ ଟିକେ ଖୋଜି କି ଆଣି ଦେବୁ ରେ , ମୁଁ ତାକୁ କାଲି ରାତି ଠୁ ଦେଖିନି । ଏଇ ନେ ଟଙ୍କା କିଛି ରଖିଥା , କାଳେ କଣ ଦରକାର ହେବ । ମୋ ସୁନା ନାତିଟା ସେ , ମୁଁ ଜାଣିଚି ତାର କିଛି ବି ଭୁଲ ନ ଥିବ । ମୋର ଅଣ୍ଟା ରେ ଆଉ ବଳ ନାହିଁ ରେ । ତୁ ତା କାନ ଧରି ମୋ ପାଖକୁ ନେଇକି ଆସିବୁ , ମୋ ଠେଙ୍ଗୁଲି ବାଡ଼ି ରେ ଦି ପାହାର ଦେଲେ ,ସେ ଯାଇ ମଣିଷ ହେବ ?????

ଗାଁ ର କିଛି ଲୋକ ଗାଡି କରି ବ୍ଲକ କୁ ଚାଲି ଯାଇଛନ୍ତି।

ଗାଁ ବୁଢ଼ୀଜାଗୁଳାଇ ମନ୍ଦିର ନିକଟ ରେ ଭୋଗ ଲଗେଇ ସେମିତି , ନାତି ର ଶୁଭ ମାନସୀ ତା ଫେରିବା ବାଟ କୁ ଚାହିଁ ରହିଛି । ଦିନ ଆସି ଦି ପ୍ରହର ହେଲାଣି , ଭୋକ ରେ ଫେଟ ଟାଣି ହେଲାଣି ମୋର । ସକାଳୁ କିଛି ଖାଇନି ,ଗଉରା ଘରକୁ ଆସିନି ବୋଲି ? ଉଦର ର ଯନ୍ତ୍ରଣା କୁ ଭୁଲି ଯାଇଛି ମୋ ନୟନ ପିତୁଳା ର ବାଟ କୁ ଚାହିଁ । ଘଡ଼ିଏ କୁ ଥରେ ମା କୁ ଡାକି ଗଉରା କୁ ଭଲ ରେ ଫେରେଇ ଆଣ କହି କେତେ କଣ ଯାଚି ସାରିଲିଣି । ଏ ବୟସ ରେ କି ଆଉ କୋଟ କଚେରୀ ଦୌଡ଼ି ମୁଁ ଗଉରା କୁ ଖଲାସ କରି ପାରିବି । କାହିଁକି ତୁ ମୋ କଥା ମାନୁନୁ ରେ ଗଉରା ????

କିଛି ସମୟ ପରେ ଗାଁ ମନ୍ଦିର ପାଖ ରେ ଗାଡି ଆସି ଲାଗିଲା । ସମସ୍ତେ ଗାଡି ରୁ ଓଲେଇ ପଡିଲେ । ଗଉରା କୁ ଦେଖି ମୁଁ ନିଜର କୋହ କୁ ରୋକି ପାରିଲିନି ।

ହଇରେ ହତଭାଗା କେତେ ଥର କହିଲେଣି ତତେ , ସେ ରାଜନୀତି ରେ ପଶନି , ହେଲେ ଆଜି ଦେଖିଲୁ ତ , ତା ଫଳ ନିଜ ଆଖିରେ । ସେ ଅମଡା ବାଟ ରୁ ଫେରି ଆସି , ମଣିଷ ହେବାକୁ ତୋ ବିବେକ ଥରୁ ଟିଏ କହୁନି!!! ବାପା ମା ଛେଉଣ୍ଡ , ଏମିତି ହେଣ୍ଡା ପରି ବେରୋଜଗାରିଆ ହୋଇ କେତେ ଦିନ ବସି ଖାଇ ନଈ ବାଲି ସାରୁଥିବୁ । ଏ ବୟସ ରେ ତୁ ମୋ ର ଭଲ ମନ୍ଦ ଚିନ୍ତା କରିବା କଥା , ହେଲେ କଣ ପାଇଁ ବା ତୁ କରିବୁ । ସେ କୁଜି ନେତା ଙ୍କ ଚାମଚା ଗିରି କଲେ , ମାଉଁସ ଖଣ୍ଡେ ଆଉ ଗିଲାସେ ଜହର (ମଦ) ମିଳିଯାଉଛି ପିଇବା କୁ । ଯେମିତି ସେ ଜହର ମୁଣ୍ଡ କୁ ଚଡ଼ୁଛି , ଦେଖ କି ଠାଣି ଟୋକା ର ନିଜକୁ ରାଜା ମହାରାଜା ଭାବୁଛି । ଆଜି ଯଦି ମୋ କଥା ଶୁଣି ଥାନ୍ତୁ ବାପା ଅଜା ଚଉଦ ପୁରୁଷ ପୁଲିସି ଷ୍ଟେସନ କେହି ଦେଖି ନ ଥିଲେ ,କିନ୍ତୁ ତୁ ସେତକ ବି କରିକି ଦେଖେଇ ଦେଲୁ ।

ହାଏ ରେ ମୋ ପୋଡ଼ା ଭାଗ୍ୟ ,ଶେଷ ରେ କଣ ଏମିତି ଦିନ ଦେଖେଇବା ପାଇଁ ମତେ ବଞ୍ଚେଇ ରଖିଥିଲୁ ।

କଣ ପାଇଁ ମୋ କଟା ଘା" ରେ ଚୁନ ମାରୁଛୁ । ମୁଁ ତୋ ନାତି ଟି ????? ଏତେ ପାଠ ପଡ଼ିଲା ପରେ ବି ଚାକିରୀ ନାହିଁ ।ଘରେ ପୋତା ସମ୍ପତ୍ତି କି କଳା ଧନ କିଛି ନାହିଁ । କିଛି କରି ପାରୁନି ବୋଲି ,ନିଜକୁ ଅନେକ ଧିକାର କରୁଛି । ତା ଉପରେ ତୁ ମୋ ପଛରେ ପଡି ଯାଇଛୁ । କଣ ଟା ଏମିତି ମତେ ଆଗକୁ ବଢିବା ପାଇଁ କରିଦେଇଛୁ ଯେ ! ଆଜି ଯଦି ମୋ ପାଖରେ ଟଙ୍କା କିଛି ଥାନ୍ତା ,ମୁଁ ଆଜି ଗ୍ରାମ ରଖୀ ଚାକିରୀ କରିପାରିଥାନ୍ତି । ଟଙ୍କା ଦେଇ ପାରିଲିନି ବୋଲି ସିନା କଣ୍ଟ୍ରାକଟର ର ପୁଅ ପାଇଲା । ଗାଁ ର ଲୋକେ କହିବାର ଅନେକ ଥର ଶୁଣିଚି , ବାପା ବୋଉ ର ଦେହନ୍ତ ପରେ ଯେଉଁ ଟଙ୍କା ମିଳିଥିଲା , ତୁ କଣ କଲୁ କିଛି କହିଚୁ କି ମତେ ?? କଞ୍ଜୁସି ର ଗୋଟେ ସୀମା ଥାଏ ବୁଝିଲୁ । ପଚାରିଲେ କଣ କହୁ ବେପାର ରେ ସବୁ ଟଙ୍କା ବୁଡି ଗଲା । ଆଲୋ ଫୁଲ ଶୁଖୁଆ ବେପାର ଟା ଏମିତି କି ବେପାର ଯେ , ଏତେ ଟଙ୍କା ସେଥିରେ ବୁଡ଼େଇ ଦେଲୁ। ମୋ ପାଇଁ ଗୋଟେ ଫୁଟା କଉଡି ଟିଏ ବି ରଖିଲୁନି । ଆଜି ଯଦି କିଛି ମୁଁ କହୁଚି , ମୁହଁ ଫୁଲେଇ ଦେଉଛୁ। କହିଲେ କଣ କହୁଚୁ ମତେ , ଛୋଟ ରୁ ବଡ଼ କରିଛୁ । ସେତକ କଣ କରି ମୋ ଉପରେ ଦୟା କରିଦେଲୁ କି ???? ଲୋକେ ଠିକ କହୁଥିଲେ , ମୋ ବପା ମା ଙ୍କ ପଇସା କୁ ବି ଆତ୍ମସ୍ୟାତ କରିଦେଲୁ । ଧର୍ମ ସହିବ ନାହିଁ ରେ ତତେ । କଣ କହିଲୁ ରେ ପୋଡ଼ା ମୁହାଁ । ଏ ବୟସ ରେ ଏମିତି କଥା ଶୁଣିବା ଆଗରୁ ମରି ଗଲିନି ମୁଁ କାହିଁ ?? ଆରେ ଦୁଃଖ ଆଉ କଷ୍ଟ ତୁ କଣ ଜାଣିବୁ । ସବୁ ବେଳେ ଯିଏ ନାଲି ପାଣି ନିଶାରେ ଝୁମିଲା । ତାକୁ ତା ଭବିଷ୍ୟତ କେବେ ଦିଶେ ନାହିଁ । କୁଳାଙ୍ଗର ",ବୁଝିଲା ପୁଅ ହାତରେ ଯଦି ଟଙ୍କା ଟିଏ ଦିଆ ହୁଏ , ସେ ତାକୁ ତା ବୁଦ୍ଧି ଆଉ ସାମର୍ଥ୍ୟରେ ଶହେ ଟଙ୍କା କରି ପାରିବ କିନ୍ତୁ ଯଦି ନିର୍ବୋଧିଆ ହାତରେ ଶହେ ଟଙ୍କା ଦେଲେ ବି , ସେ ସେଇ ଟଙ୍କା ରେ ନିଜର ଖୁସି ପାଇଁ ଉଡେଇ ଦେବ । ତୁ ହେଲୁ ସେଇ ଥିରୁ ଜଣେ । ବହୁତ ପାଠ ପଢିଛୁ , ଶିକ୍ଷିତ ଛୁଆ ସମସ୍ତେ କୁହନ୍ତି ତତେ କିନ୍ତୁ ଏମିତି ଅଶିକ୍ଷିତ , ଅବିବେକି ଅସାମାଜିକ କାର୍ଯ୍ୟ କରିବା କୁ ତୋ ବିବେକ ବାଧା ଦେଉନି? ଆରେ ଜଣ ଙ୍କ ପାଖରେ ଯଦି କିଛି ବି ଧନ ରତ୍ନ ନଥାଏ ଆଉ ସେ ଶିକ୍ଷିତ ହୋଇ ଥାଏ , ତେବେ ଶିକ୍ଷା ହିଁ ତାର ଧନ ଠାରୁ ବେଶି ମୂଲ୍ୟବାନ ହୋଇଥାଏ । କିନ୍ତୁ ଅଶିକ୍ଷିତ ପାଇଁ ଏ ସମାଜ କଳୁଷିତ ହୋଇଯାଏ ଆଉ ତାର ବୁଦ୍ଧି ବିବେକ କିଛି ବି କାମ କରେ ନାହିଁ । ଭୁଲ ଠିକ ମଧ୍ୟରେ ପ୍ରଭେଦ ବି ସେ ଜାଣି ପାରେ ନି ???

ତତେ କଷ୍ଟ ପଡି ପାଠ ଶାଠ ପଢେଇ ମଣିଷ କରିଥିଲି କଣ ମୋ ମୁହଁରେ ଜବାବ ଦେବା ପାଇଁ । ଗାଁ ର ଅସଭ୍ୟ ଅସାମାଜିକ ପିଲା ଙ୍କ ସହ ପଢି ତୁ ତୋ ବୁଦ୍ଧି କୁ ହଜେଇ ସାରିଲୁଣି । ଏ ସମାଜ ପାଇଁ ତୁ ଗୋଟେ ନଷ୍ଟ ଚରିତ୍ର ହେଇ ସାରିଲୁଣି । ତୋ ପାଟି ଏବେ ବି ଗନ୍ଧ ହେଉଛି ??? ତୁ ଆସିଲା ବେଳେ ପଇକି ଆସିଛୁ ନା??? ଆଜି ସତରେ ମୋ ନିଜକୁ ଖରାପ ଲାଗୁଚି । ତୋ ବାପା ମା ଯେଉଁ ଦାଇତ୍ୱ ଦେଇଥିଲେ ମଣିଷ କରିବା ପାଇଁ ତତେ , ଆଜି ତତେ ଏମିତି ଦେଖି ଲାଗୁଚି ମୁଁ ମୋ କର୍ତ୍ତବ୍ୟ ଠିକ ସେ କରି ପାରିନି ।

ସେତିକି ଥାଉ ତୋର କର୍ତ୍ତବ୍ୟ ର ଭାଷଣ । ଯେତେବେଳେ ଦେଖ ଘରେ ମଣିଷ ଟାକୁ ଶାନ୍ତିରେ ରହିବା କୁ ଦେଉନୁ । ସବୁ ବେଳେ ବକର ବକର ହେଉଛୁ । ଖାଲି ମୁଠେ ବାଢି ଖାଇବା କୁ ଦେଇ ଦେଲେ ସବୁ କିଛି ମଣିଷ କୁ ମିଳି ଯାଏନି । ତା ଛଡା ମୋର ବୟସ ବା କେତେ , ବୁଲିବା ଖେଳିବା ବୟସ ରେ ଟିକେ ଯଦି କଣ କରିଦେଲି ତାକୁ ନେଇ ଏତେ ତର୍ଜମା କଣ କରିବା ଦରକାର । ମୋ କଥା ମୁଁ ବୁଝିବି , ବୁଝିଲୁ । ତୋର ଖାଲି ଏତିକି ଇଛା ମୁଁ ଚାକିରୀ କଲେ ତୋ ବୋଝ ନେଇ ପାରିବି ନ ହେଲେ ପରିବିନି ??? ହେଲେ ସତ କହୁଛି ଯଦି ଆଉ ଥରେ ଗାଁ ଦାଣ୍ଡ ରେ ମତେ ଏମିତି କହି ବେଜିତ କରିବୁ । ମୋ ମଲା ମୁହଁ ଦେଖିବୁ । ହଁ .........

ଆଉ ଥିଲେ ତ ତୋ କଥା ଶୁଣିବା କୁ ପଡିବ ମତେ ? ଆଜି ଯଦି ବାପା ବୋଉ ଦୁହେଁ ଥାନ୍ତେ , ମତେ କଣ କାମ କରିବାକୁ କହିଥାନ୍ତେ !!!!!.....

ହାଏ ରେ ବସୁଧା , ତୁ ଫାଟି ଯା , ମୁଁ ଗଳି ପଡୁଛି। ଆରେ ରକତ ବାଡ଼ିଆ , ମୁଁ କଣ ମୋ ପାଇଁ ତତେ କହୁଚି । ତୋ ଭଲ ପାଇଁ କହୁଚି । ଆଜି ସତରେ ତୁ କେତେ ବଡ଼ କଥା କହିଦେଲୁ । ବୁଢ଼ୀ ମା ର ଲାଳନ ପାଳନ ଉପରେ ପ୍ରଶ୍ନ କରିଦେଲୁ । ଏ ଆଖି ଦେଖିଚି ସେ ଦୃଶ୍ୟ , ଏ ଛାତି ସହିଛି ସେ କଷ୍ଟ ,ଖାସ ତତେ ହିଁ ବଡ଼ କରିବା ପାଇଁ । ତା ନ' ହୋଇଥିଲେ ସେଇ ବାତ୍ୟା ରାତି ରେ ମୁଁ ବି ଜୀବନ ହାରି ଦେଇଥାନ୍ତି । ଆଜି ତତେ ବଡ଼ କଲା ପରେ , ମୁଁ ତୋର ଅମଙ୍ଗଳ ଚିନ୍ତା କରୁଛି ବୋଲି ତୁ କେମିତି କହି ପାରୁଛୁ । ମୁଁ ତୋ ଜୀବନ ରେ ଦୁଃଖ ଭରି ଦେଇଛି କେମିତି କହି ପାରୁଛୁ । ହଉ ଠିକ ଅଛି , ତୋ କହିବାରେ ମୁଁ ଭୂଲ କରିଛି । ଆଜି ବୁଝୁଛି ମୁଁ ମମତା ରେ ଅନ୍ଧ ହୋଇ କଣ ପାଇଲି । ଭଗବାନ କରନ୍ତୁ ରେ ବାବୁ ତୁ ସବୁବେଳେ ଖୁସି ରେ ରହ .......ହଁ ଖୁସି ରେ ରହ । ମୋ ଭାଗ୍ୟ କୁ ମୁଁ ଆଦରି ବଞ୍ଚିଯିବି । କେବେ ବି ମୋ ବୋଝ ଉଠେଇବା ପାଇଁ ତତେ କହିବିନି । ଅଶ୍ରୁଳ ଲୋତକ ରେ ଆଜି କହି କହି ଭିଜି ଯାଇଛି ଫୁଲ ର ମନ । ଯେଉଁ ନାତି ପାଇଁ ଦୀର୍ଘ ଦିନର ସଂଗ୍ରାମ କରି ଜୀବନ ଯୁଧ୍ୟ ରେ ମଥା ପୋତି ସହି ଯାଉଥିଲା ଭୋକ ଶୋଷ ଭୁଲି । ଶେଷ ରେ ତା ପାଇଁ ଆଜି ମୁଁ ବୋଝ ହୋଇ ଗଲି । ଧନ୍ୟ ରେ ବିଧାତା ତୁ ଧନ୍ୟ । ଧନ୍ୟ ତୋର ଲୀଳା ।

ଘର ପିଣ୍ଡା ରେ ଗଉରା କୁ ଖାଇବା କୁ ଦେଇ , ଫୁଲ ଚାଲି ଯାଇଛି ଘର ଭିତର କୁ । ଗଉରା ବି ଅଭିମାନ ରେ ଖାଇବା କଂସା କୁ ଆଡେଇ ଦେଇଛି ଫୁଲ ଦେଲା ବେଳେ । ମଣିଷ ଯେତେବେଳେ ରାଗ ଆଉ କ୍ରୋଧ ରେ ଥାଏ , ସେ ତା ହିତାହତ ଜ୍ଞାନ କୁ ଭୂଲି ଯାଇଥାଏ । ଠିକ ଯେମିତି ଭଲ ମଣିଷ କୁ ମଦ ତା ନିଶା ରେ ବର୍ବାଦ କରିଦିଏ । ଗଉରା ର ହାଲତ ଦେଖି ନିଶା ରେ ଫୁଲ ବି ବୁଝି ଯାଇଥିଲା , ସେ (ଗଉରା) ତା ପଣତ ର ଗଣ୍ଠି ରୁ ଫିଟି ସାରିଛି । ପିଣ୍ଡା ରୁ ଉଠି ରାଗି କି ଗଉରା ଗାଁ କୁ ମଦ ନିଶା ରେ ଝୁଲି ଝୁଲି ଚାଲି ଯାଉଛି । କବାଟ ଫାଙ୍କ ରେ ଥାଇ ଫୁଲ କହୁଥାଏ , ବାବୁ ରେ ଥରେ ହେଲେ ଖାଇ ଦେଇ ଯା ????? ହେଲେ ରାଗିକି ମୁଁ ଖାଇବିନି କହି ଗଉରା ଚାଲି ଯାଉଥାଏ । ଭାତ କଂସା କୁ କୁଣ୍ଡ ତଳେ ଘୋରେଇ ଦେଇ ଫୁଲ ବି ନ ଖାଇ ଘର ଭିତରେ ହେଁଶ ବିଛେଇ ଗାଲେଇ ଶୋଇଛି ।

ସତରେ ଗଉରା କଣ ଆଉ ମଣିଷ ହେବ ନି ???? ସେ ବଡ଼ ହେଲେ , ଚାକିରୀ କରିବ , ବାହା ସାହା ହୋଇ ଘର ଦ୍ୱାର କଲେ , ନାତି କି ନାତୁଣୀ ଟିଏ ଦେଖି ଖୁସି ଖୁସି ଭାବିଥିଲି ଦୁନିଆଁ ଛାଡି ଚାଲିଯିବି । ଲାଗୁଚି ସେ ସ୍ୱପ୍ନ ଆଜି ସ୍ୱପ୍ନ ହୋଇ ରହିଯିବ । ଥରେ ଯେ ସେ ଅମଡା ବାଟ ରେ ପାଦ ଦେଇ ଦିଏ , ସେ କେବେ ସୁଧୁରିବ ଜଣା ନାହିଁ ! ହେ ଭଗବାନ ମୋ ନାତି କୁ ଟିକେ ସଦ ବୁଦ୍ଧି ଦିଅ ପ୍ରଭୁ । ଫେରେଇ ଆଣ ତାକୁ ସେଇ ଅସମାଜିକ ସମାଜ ରୁ !!!!! ଖୁସି ଭରି ଦିଅ ତା ଜୀବନ ରେ , ବାପ ମା ଛେଉଣ୍ଡ ଛୁଆ ଟା ସେ , ଦୁନିଆଁ କଣ ଚିହ୍ନି ନି । ଥରୁ ଟିଏ ତାକୁ ସୁଯୋଗ ଦିଅ ବଦଳିବା କୁ ।

ଏମିତି ଅନେକ ଚିନ୍ତା ରେ ଆଜି ଫୁଲ ବିଷାଦ ଗ୍ରସ୍ତ । ଦିନ ଯାଇ ସନ୍ଧ୍ୟା ,ରାତି ଆସି ହେଲାଣି । ଫୁଲ ସକାଳୁ ଖାଇନି ଏ ଯାଏଁ । କେମିତି ବା ଖାଇଥାନ୍ତା , କଣ ଟିକେ ପୋଡ଼ା ମୁହିଁରେ କହିଦେଲି ବୋଲି ଫିଙ୍ଗି ଦେଇ ଯାଇଛି ଭାତ କଂସାକୁ । ସେ ଆସୁ ତାକୁ ବୁଝେଇ ଦେବି , ନ ବୁଝିଲେ ମୁଁ ଭୂଲ ମାଗିନେବି । କିନ୍ତୁ ତାକୁ ଛାଡି ଘଡ଼ିଏ ମୁଁ ବଂଚି ପାରିବି ନାହିଁ ! ସେ ବା ମୋ ନୟନ ପିତୁଳା ।

ରାତି ଆସି ପ୍ରଥମ ପ୍ରହର ଗଡ଼ିବା କୁ ବସିଲାଣି , ଦିନ ସାରା ଉପବାସ ରେ ଫୁଲ ବି ଥରିବା କୁ ବସିଲାଣି । ଖାଦ୍ୟ ପାନୀୟ ବିନା ଏ ବୟସ ରେ କେତେ ଯେ ଦେହ ରେ ବଳ ଅଛି ତାର ! ଦେହ ହାତ ଝିମ ଝିମ ଲାଗୁଚି , ମୁଣ୍ଡ ଟିକେ ବୁଲେଇ ଦେଉଛି , ଆଖି କୁ ବି ଝାପ୍ସା ଦିଶୁ ଥାଏ । ତଥାପି ଗଉରା ନ ଆସିବା ଯାଏ ସେ ଖାଇବି ନାହିଁ ପଣ କରିଛି । ସେମିତି ଜଗିକି ବସିଥିବ । ତା ରାଗ କମେଇବା ପାଇଁ ବେଶର ଦେଇ ମାଛ ରାଇ କରିଛି ,ଆମ୍ବୁଲ ଖଟା ମୋ ବାଇଆ ର ଭାରି ପସନ୍ଦ ବୋଲି ଭଲ ରେ କରିଛି । ଆଜି ଆସୁ ତା କାନ ମୋଡି କି କହିବି , କଣ ଗୋଟେ ଛୋଟ ଛୁଆ ପରି ନ ଖାଇ ରାଗି କି ପଳଉଛି । କୋଉଠି କେଜାଣି ପିଇ କି ଗଡୁଥିବ । ଯାଏ ଦେଖେ , ତାକୁ ଖୋଜି କି ଆଣେ । ସେ ଖାଇଲେ ଯାଇ ମୋ ମନ କୁ ଶାନ୍ତି ମିଳିବ । ହେଲେ ଦେହ ଦୁର୍ବଳିଆ ହୋଇ ଯାଇଥିବା ରୁ ଉଠି କି ଠିଆ ହେଲା ବେଳ କୁ ମୁଣ୍ଡ ବୁଲେଇ ଦେଉଛି । ସେମିତି ଘର ଭିତ ରୁ ଦି ତିନି ପାଦ ଆଗେଇ ଯାଇଛି କି ନାହିଁ , ମୁଣ୍ଡ ବୁଲେଇ ପଡି ଯିବା ରୁ , ଅଟକି ଗଲା । ତଣ୍ଟି ଶୁଖି ଯାଉଥାଏ , ଦରାଣ୍ଡି ଦରାଣ୍ଡି ପାଣି ଗିଲାସେ ପିଇଲା ପରେ ଦେହ ରେ ଟିକେ ଉର୍ଜା ଫେରି ପାଇଲା ପରି ଲାଗିଲା । ଘର ଭିତ ରୁ ଦାଣ୍ଡ କବାଟ ଆଡେ ବାରମ୍ବାର ଚାହିଁ ଦେଖୁ ଥାଏ । କାଳେ ଆସିଲା କି ଗଉରା .......

ହେଲେ ତା ଆସିବା ର ଟିକେ ବି କିଛି ଶବ୍ଦ କି ଡାକ ଶୁଣି ପାରୁ ନ ଥାଏ । ଥକା ଲାଗି ଅପେକ୍ଷା କରି କରି ରାତି ରେ ଶୋଇ ଯାଇଛି ଫୁଲ ।

ସାରା ଦିନ ରାତି ନିଶା ରେ ଝୁମି ରହିଥିବା ଗଉରା ହୋସ ଆସିଲା ପରେ , ଗାଁ କ୍ଲବ ଘରୁ ,ଉଠି ଘର କୁ ଯିବା ପାଇଁ ବାହାରିଛି । କେତେ ସମୟ ହେଲା ଏଠି ସେ ରହିଛି ସାଙ୍ଗ ମାନଙ୍କୁ ପଚାରି ବୁଝିବା ରୁ ଜାଣେ କାଲି ଦିନ ଦି ପ୍ରହର ରୁ । ଚମକି ପଡିଛି ଗଉରା , ମଦ ନିଶା ରେ ମୁଣ୍ଡ ବିନ୍ଧା ହେଉଥାଏ । ମନେ ପକେଇବା କୁ ଚେଷ୍ଟା କରିଛି କାଲି ର ଘଟଣା କୁ , ଫୁଲ ମା କୁ କଣ ସବୁ ଏଆଡୁ ସେଆଡୁ ସେ କହି ଦେଇଛି । ଜାଣିଚି ସେ ଠିକ ଫୁଲ କୁ , ସେ କଣ କହିଦେଇଥିବି ଯେ ତାକୁ କାନି ରେ ଗଣ୍ଠି କରି ନ ଖାଇ ପିଇ ରହିଥିବ । ନା ଆଉ ବେଶି ଡେରି କରି ହେବ ନି , ଦୋୖଡି ବା କୁ ଲାଗିଛି ଘର ଆଡେ ।

ଘର ଦୁଆରେ ପହଂଚି ଦେଖେ , ଦାଣ୍ଡ କବାଟ ପୁରା ଖୋଲା ଅଛି । ବୋଧ ହୁଏ ଫୁଲ ଉଠି ବାରି ଆଡେ କଣ କାମ କରୁଥିବ। ପକେଟ ରୁ ମୋବାଇଲ କାଢି ସମୟ ଦେଖେ , ଦିନ ନଅ ଟା ବାଜିଲାଣି । ହଁ ସେ (ଫୁଲ) ଉଠି ଯାଇଥିବ । ଯାଉଛି ତାକୁ ଟିକେ ଚିଡ଼େଇ ବା ବାହାନା ରେ ଭୁଲ ମାଗି ନେବି । ସେ ଜାଣିଚି ତା" ମୁହଁ ଦେଖିଲେ , ତାର ରାଗ ନିଶ୍ଚିତ ଗାଳି କରି କରି କମିଯିବ ।

ବାରି , ଅଗଣା ସବୁ ଖୋଜି ଦେଇଛି ଗଉରା , କେଉଁଠି ପାଇନି । ଶେଷ ରେ ଶୋଇବା ଘର କୁ ଯାଇ ଦେଖେ , ଫୁଲ ପୁରା ନିଦ୍ରା ରେ ଶୋଇ ଛି । ବୁଝିଲୁ ଫୁଲ , ତତେ ବୋଧ ହୁଏ ଦିନ କେତେ ହେଲାଣି ଜଣା ପଡୁନି ???? ଆରେ ଉଠ..... ଉଠ ! କେତେ ମୁଁ ଆସିବା କଥା ଜାଣି ଗାଲେଇ ଅଭିମାନ ରେ ଶୋଇଛୁ ବା !!! ଭାରି ଭୋକ ହେଲାଣି , କାଲି ରାତି ଠୁ କିଛି ଖାଇନି । ଆସେ ଦେବୁ ଖାଇବା କୁ । ଏତିକି କହି ଯେତେବେଳେ ଗଉରା ଫୁଲ ର ଦେହ ରେ ହାତ ପକେଇ ଦେଇଛି , ଚମକି ପଡିଛି , ପୁରା ଦେହ ଥଣ୍ଡା ଲାଗୁଥାଏ । ଆଉ ଥରେ ପାଖକୁ ଯାଇ ଯେତେବେଳେ ହଲେଇ ଡାକିଛି ଫୁଲ ଏ ଫୁଲ ଉଠି ଯା .... କିନ୍ତୁ ନିସ୍ତବ୍ଧ ଶରୀର କୁ ଦେଖି ବୁଝିବା କୁ ଆଉ ବାକି ନାହିଁ ଗଉରା ର , ଜାବୁଡି ଧରି କାନ୍ଦି କାନ୍ଦି ରଡି କରୁ ଥାଏ । ଏ ଫୁଲ ତୁ ଉଠ , ମୁଁ କାନ ଧରୁଛି ଲୋ ଆଉ ତତେ କିଛି କହିବିନି । ଏମିତି ଅନେକ , ଆଉ ସେ ଦୃଶ୍ୟ କୁ ଲେଖିବା ପାଇଁ ମୋ ହୃଦୟ ଅନୁମତି ଦେଉ ନାହିଁ । ଗଉରା ର କାନ୍ଦ ଆଉ ପାଟି ଶୁଣି ସାହି ପାଖର ଲୋକେ ସବୁ ଘରେ ଜମା ହୋଇଯାଇଛନ୍ତି । ସମସ୍ତେ ଫୁଲ ବିୟୋଗ ରେ ନାନା କଥା କହୁ ଥିଲେ । ଶେଷ କୃତ୍ୟ ସମ୍ପର୍ଣ୍ଣ ପାଇଁ ସମସ୍ତ ଗାଁ ଲୋକେ ମିଶି ଗଉରା ସହ ସମ୍ପାଦନ କରିଛନ୍ତି । ଯେଉଁ ଲୋକେ ଫୁଲ ବଞ୍ଚି ଥିଲା ବେଳେ କହୁଥିଲେ କୃପଣ ବୁଢ଼ୀ ବୋଲି ଆଜି ସେଇ ମାନଙ୍କ ମଧ୍ୟରୁ କିଛି କହୁଥିଲେ ବୁଢ଼ୀ ଭାରି ଦରଦୀ ଥିଲା। ତାହା ନ ହୋଇଥିଲେ ଏତେ ବଡ଼ ବାତ୍ୟା ରେ ପୁଅ ବୋହୂ ହରେଇଲା ପରେ ବି ଗଉରା କୁ ଛାତିରେ ଭିଡି ଧରି ଅନେକ ଲୋକ ଙ୍କୁ ସାନ୍ତୁନା ଦେବା ସହ ତା ପାଖରେ ଥିବା ଧାନ ଚାଉଳ ମୁଗ ଜାଇ ସବୁ ଖାଇବା ପାଇଁ କେମିତି ଦେଉଥିଲା । ସତରେ ଏମିତି ଦମ୍ବ ଆଉ ସାହସୀ ପରିଶ୍ରମୀ ବୁଢ଼ୀ ଆମ ତିନି ଖଣ୍ଡ ଗାଁ ରେ କେହି ନ ଥିଲେ ।

ଏତକ ଶୁଣି ଗଉରା ବି ଫୁଲ କୁ ବହୁତ ମନେ ମନେ ଝୁରି ହୋଇଛି । ଘର ଭିତର ଯାହା ହେଲେ ପରିଷ୍କାର କରିବା କୁ ପଡିବ , ଆଉ ବା ତାର କିଏ ଅଛି । ଫୁଲ ର ବାକି ସବୁ ଜିନିଷ କୁ ସମୁଦ୍ର ରେ ନେଇ ବିସର୍ଜନ କରିବା ପାଇଁ ସ୍ଥିର କରି ବାହାର କରୁଥିବା ବେଳେ , ଫୁଲ ବୁଢ଼ୀ ର ଟ୍ରଙ୍କ ଟି ତା ନଜର ଉପରେ ପଡେ । ବୁଢୀ କେବେ ହେଲେ ସେ ଟ୍ରଙ୍କ କୁ କାହାକୁ ଛୁଇଁ ବା କୁ ଦିଏ ନାହିଁ । ହେଲେ ଆଜି କଣ ସେ ଅଛି ଯେ ମତେ ରୋକିବ । ତାଲା ଭାଙ୍ଗି ଟ୍ରଙ୍କ ଖୋଲି ଦେଖେ ତ ..... ଗୋଟେ ଗଣ୍ଠିଲି ଆଉ ବ୍ୟାଙ୍କ ର ଖାତା ପାଏ । ଏ ଖାତା କଥା ବୁଢ଼ୀ ମତେ କେବେ ବି କିଛି କହି ନି ତ ??? ଅଭିଳାଷ ରେ ଖତା ଖୋଲି ଦେଖେ ତ , ବ୍ୟାଙ୍କ ଖାତା ରେ ପନ୍ଦର ଲକ୍ଷ୍ୟ ଟଙ୍କା ଜମା ହୋଇ ଉଣେଇସ ଅନେଶ୍ୱତ ଡିସେମ୍ବର ର ରୁ ଅଛି । ଏବେ ସେ ବୁଝିବା କୁ ଚେଷ୍ଟା କରିଚି , ଏ ଟଙ୍କା କୋଉଠୁ ବୁଢ଼ୀ ପାଇଛି । ସେ ଯେଉଁ ବୁଢ଼ୀ କି ଖରାପ କରି ଦୋଷ ଦେଉଥିଲା ତା ବାପା ମା ଙ୍କ ଟଙ୍କା କୁ ଖର୍ଚ୍ଚ କରିଛି , ନା ଏହା ତାର ସମ୍ପୂର୍ଣ୍ଣ ଭୁଲ ଧାରଣା ଥିଲା। ସେ ଟଙ୍କା ଆଜି ବି ସୁରକ୍ଷିତ ବ୍ୟାଙ୍କ ରେ ସେମିତି ଅଛି । ମନ ଭିତରେ ଅନେକ ସଂଶୟ ଖେଳି ଯାଉଛି ଗଉରା ର । ଗଣ୍ଠିଲି ଖୋଲି ଦେଖେ , ସେଥିରେ ବି ଅଛି କିଛି ନୂଆ ପୁରୁଣା ଟଙ୍କା , ଗଣିବା ରୁ ଜାଣେ ପଚାଶ ହଜାର ହେବ । ଏ ଟଙ୍କା ଫୁଣି କେଉଁଠୁ ଆଣିଲା , ମନ ଭିତରେ ଉଠୁଥିବା ପ୍ରଶ୍ନ ର ଉତ୍ତର ଖୋଜିବା ଭିତରେ ବୁଝିବା କୁ ଚେଷ୍ଟା କରିଚି ଶୁଖୁଆ ବେପାର କରି ସାଇତି ରଖିଥିବା ଏ ଟଙ୍କା କୁ ମୁଁ ଦରକାର କଲା ବେଳେ ସଞ୍ଚିତ ରୁ ଦିଏ , ସେଇଥିରୁ ଆଉ ଯାହା ବାକି ବଳି ପଡିଛି । ଗଣ୍ଠିଲି କୁ ଛାତିରେ ଜାବୁଡି ଧରି ଜୋର ରେ କାନ୍ଦୁ ଥିଲା ଗଉରା। ନିଜକୁ ନିଜେ ଆଜି ବୁଝିବା କୁ ଚେଷ୍ଟା କରୁଥିଲା , ଫୁଲ କଣ ପାଇଁ ଏତେ ଟଙ୍କା ରଖି ବି ତାକୁ ଦେଉ ନ ଥିଲା କି ଟଙ୍କା ସଞ୍ଚୟ କରି ରଖି ଥିବାର କହୁ ନ ଥିଲା । ତାର ମନେ ପଡି ଯାଇଛି ଫୁଲ ସବୁ ବେଳେ କହୁଥିବା କଥା ଟିଏ , ଟଙ୍କା ର ମୂଲ୍ୟ ସିଏ ଜାଣେ ଯିଏ କଷ୍ଟ କରି କମେଇ ଥାଏ ନା କି ଯିଏ ଖୁଲୁମ ଖୁଲା ଉଡାଉ ଥାଏ । ମୋ ମଦ୍ୟପ ସ୍ଵଭାଵ ଆଉ ଅସଭ୍ୟ ବ୍ୟବହାର ଭିତରେ ହୁଏ ତ ସେ ଦେଖି ପାରୁଥିଲା ଏକ ରକ୍ଷାସ କୁ ମୋ ଭିତରେ । ସେଥିପାଇଁ ବାପା ମା ଙ୍କ ଦେହାନ୍ତରେ ମିଳିଥିବା ଏ ଟଙ୍କା କୁ ମତେ ଦେଇ ଦେଲେ କାଳେ ଖରାପ ବାଟ ରେ ସାରିଦେବି , ସେଥିପାଇଁ ସେ କହୁ ନ ଥିଲା । ନିଜ ମୁଣ୍ଡ କୁ ସବୁ ଦୋଷ ନେଇ ମୋ ଖୁସି ପାଇଁ ସହି ଯାଉଥିଲା । ସତରେ ଫୁଲ ମା" ତୁ ମହାନ । ଛାତି ଫଟେଇ ଆଜି ବସି କି କାନ୍ଦି କାନ୍ଦି କହୁ ଥାଏ ,ମୁଁ ମୂର୍ଖ । କେବେ ବି ଶିକ୍ଷିତ ନ ଥିଲି । କିନ୍ତୁ ଫୁଲ ମା" ହିଁ ଅର୍ଧ ଶିକ୍ଷିତ ହୋଇ ବି ଶିକ୍ଷା ଆଉ ଜୀବନ ର ମୌଳିକତା କୁ ବୁଝି ପାରୁଥିଲା ବୋଲି ମତେ ସବୁବେଳେ ଗାଳି ରେ ଗାଳି ରେ ବୁଝେଇବା କୁ ଅନେକ ଥର ଚେଷ୍ଟା କରୁଥିଲା କିନ୍ତୁ ମୁଁ ଅଭାଗା ତା କଥା କୁ କେମିତି ବୁଝି ପାରୁ ନଥିଲି । ଆଜି ଯଦି ବୁଝି ପାରି ଥାଆନ୍ତି , ତା ହେଲେ ସ୍ନେହ ମୟୀ କରୁଣା ର ମମତା ତୁଲ୍ୟ ବୁଢ଼ୀ ମା କୁ ହରେଇ ନ ଥାନ୍ତି । ଏଥିପାଇଁ ମୁଁ ହିଁ ଦାୟୀ ।

ଛିଃ, କି ଶିକ୍ଷିତ ମୁଁ , ଯେ ପକୃତ ଜୀବନ ର ଶିକ୍ଷା କଣ ହେବା ଦରକାର ଜୀବନରେ ବୁଝି ପାରିଲାନି ??? .........

ଅସ୍ତି କଳସ କୁ ହାତରେ ଧରି ଲୋତକ ବନ୍ୟା ରେ ଆଜି ଗଉରା ଦେଖୁଥିଲା ସ୍ମୃତି ର ସେଇ ଅତୀତ କୁ ଛୋଟ ରୁ କେମିତି ଫୁଲ ମା" ତାକୁ ବଡ଼ କରିଥିଲା ତା ହସ ଖୁସି କୁ ବଳିଦାନ ଦେଇ ।।।

ଆଉ କହୁଥିଲା , ଫୁଲ ମା ତୁ ମହାନ .....💐💐💐💐।।

।। ନିତ୍ୟାନନ୍ଦ ସାହୁ ।।

 ସନ୍ତୋଳ, ଏରସମା 

 ଜଗତସିଂହପୁର  


Rate this content
Log in

Similar oriya story from Inspirational