Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Pranati Mahapatra

Inspirational


5.0  

Pranati Mahapatra

Inspirational


ନାରୀ ଶକ୍ତି ସ୍ଵରୁପିଣୀ

ନାରୀ ଶକ୍ତି ସ୍ଵରୁପିଣୀ

8 mins 364 8 mins 364

ତିନି ତିନୋଟି ଝିଅର ମାଆ ମନ୍ଦାକିନୀ। ଜୀବନ ଯୁଦ୍ଧରେ ହାରି ଯାଇ ନାହିଁ କି ମେରୁଦଣ୍ଡ ଭାଙ୍ଗି ପଡି ନାହିଁ। ଚାଲିଛି ଅଣ୍ଟା ସଳଖି। ପୁଅଙ୍କ ଠାରୁ କେଉଁ ଗୁଣରେ କମ୍ ନୁହେଁ। ସମାଜର ଟାହିଟାପରା ସହ ବେଶ୍ ଅଭ୍ୟସ୍ତ ସିନା ମୁହଁ ତୋଡ଼ ଜବାବ ଫିଙ୍ଗିଚାଲେ ସମାଜର ତଥାକଥିତ ବଡ଼ପଣ୍ଡା ମାନଙ୍କୁ। ଯେଉଁମାନେ ସଂସ୍କୃତି ରକ୍ଷକ ବୋଲି ନିଜକୁ ବାହା ବାହା ଦେଉଥାନ୍ତି। ସେହିମାନେ ହିଁ ସମାଜରେ ନୀତି ନିୟମ ତିଆରି କରନ୍ତି ଆଉ ଆବଶ୍ୟକ ପଡିଲେ ଅନାୟାସରେ ନିୟମ ଉଲଙ୍ଘନ କରିଥାନ୍ତି।


   ନୀଳକଣ୍ଠ ସାମନ୍ତରାୟ। ଅଣଗୋସିବାପା ପଣ ଗୋସିବାପା ମାନଙ୍କୁ ଇଂରେଜମାନେ ଦେଇଥିବା ଉପାଧି। ଜମିଦାରୀ ଉଛେଦ ହେବାପରେ ଆଉ ଜମିଦାର ମାନଙ୍କର ହାକିମାତି କେହି ଶୁଣିଲେ ନାହିଁ। ସେହିଦିନ ଠାରୁ ଜମିଦାରଙ୍କ ଓଜନ କମିଲା। ସରକାର ଙ୍କ ହାତକୁ ଜମିଦାରଙ୍କ ଜମି ଚାଲିଗଲା। ସେବେକାର ଜମିଦାର ସାଧାରଣ ପ୍ରଜା ମାନଙ୍କ ସହ ସମାନ ହୋଇଗଲେ। ହେଲେ ସେମାନଙ୍କ ର ସେ ଜମିଦାରୀ ଚାଲି ଚଳଣିରେ ପରିବର୍ତ୍ତନ ହୋଇ ନ ଥିଲା କି ସେମାନଙ୍କ ଦାମ୍ଭିକତା ହଟି ନ ଥିଲା।

        ସେହି ସୂତ୍ରରେ ନୀଳକଣ୍ଠ ସାମନ୍ତରାୟ କିନ୍ତୁ ଅଲଗା। ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କ ପରିବାର। ସ୍ତ୍ରୀ ସୁନ୍ଦରୀ। ପୁଅ ଓ ସାନଝିଅ ସୁନ୍ଦର ଦେଖିବାକୁ। ମାଆ ଭଳି। ହେଲେ ବଡ଼ଝିଅ ମନ୍ଦାକିନୀ ଠିକ ବାପା ଭଳି। ରଙ୍ଗ କଳା,ଆଖି ବଡ଼ବଡ଼, ମଥାଉପରେ ଏମିତି କେଶ ଅଛି ଯେ ଗାଁ ଲୋକ ମାନେ କୁହାକୁହି ହୁଅନ୍ତି ଏ ଉଚ୍ଚକପାଳୀ,ଘଇତା ଖାଇ ୟା ଭାଗ୍ୟରେ ସ୍ଵାମୀ ସୁଖ ନାହିଁ।

ଦେଖିବାକୁ ସିନା ଏମିତି, ହେଲେ କାମଦାମ କେଉଁ ଥିରେ ତାକୁ କେହି ଖୁଣି ପାରିବେ ନାହିଁ। ଭାରି ସଣ୍ଠଣାରେ କାମ କରେ। ଏକାଥରକେ ପଚାଶ ଲୋକଙ୍କ ଚର୍ଚ୍ଚା କରିଦିଏ। ସେଥିପାଇଁ କେହି କେହି ତାକୁ ବହୁତ ଭଲ ମଧ୍ୟ ପାଆନ୍ତି। ଆଉ ବହୁତ ପ୍ରଶଂସା ମଧ୍ୟ କରନ୍ତି।

   ମନ୍ଦାକିନୀ ସେତେବେଳେ ଗାଆଁ ସ୍କୁଲରୁ ଅଷ୍ଟମ ପାସ କରିଥିଲା। ସେତେବେଳେ ପ୍ରାୟ ଗାଆଁରେ କେହି ଝିଅ ଏତେ ପାଠ ପଢି ନ ଥିଲେ। ଆଉ ଏମିତି ସମୟରେ ହଠାତ ସେ ସମୟର M.L ପୁଅଙ୍କୁ ଭଲ ପାଇ ବସିଲା। ଧୀରେ ଧୀରେ ସେମାନଙ୍କ ଭଲପାଇବା ବି ବଢିଲା। କେଉଁ ଗୁଣ ଯେ ରଶ୍ମିରଞ୍ଜନ କୁ ଭଲ ଲାଗିଲା, ସେ ମନ୍ଦାକିନୀ କୁ ପସନ୍ଦ କଲେ। ଏମାନଙ୍କ ସମ୍ପର୍କ ସମ୍ପର୍କର ଶେଷ ସୀମାରେ ପହଞ୍ଚି ଗଲା ଯେ ଆବଶ୍ୟକ ପଡିଲା ବିବାହ କରିବାକୁ। ନୀଳକଣ୍ଠ ବାବୁ ମନ୍ଦାକିନୀ ଓ ରଶ୍ମିରଞ୍ଜନ ଦୁହିଁଙ୍କର ସମ୍ପର୍କ ବିଷୟରେ ସବୁ କିଛି ଜାଣି ସାରିବା ପରେ M.L.A.ବାବୁଙ୍କର ଘରକୁ ଯାଇ ପ୍ରସ୍ତାବ ଦେଲେ ବିବାହ କରିବା ପାଇଁ। ଧନ ଗର୍ବରେ ନୀଳକଣ୍ଠ ବାବୁଙ୍କୁ ତାତ୍ସଲ୍ୟ ପୂର୍ଣ୍ଣ ବ୍ୟବହାର କରି ଘରୁ ବାହାର କରିଦେଲେ M.L.A. । ଅପମାନ ଜ୍ଵାଳାରେ ନୀଳକଣ୍ଠ ଘରକୁ ଫେରି ଝିଅକୁ ଅନେକ ଗାଳି ଦେଲେ। ତହିଁ ପରଦିନ ମନ୍ଦାକିନୀ ରଶ୍ମିରଞ୍ଜନ କୁ ଏସବୁ କଥା କହିବା ପରେ ରଶ୍ମିରଞ୍ଜନ ବାପାଙ୍କ ସହ ଆଲୋଚନା କରି କହିବ ଓ ନିଶ୍ଚୟ ମନ୍ଦାକିନୀ କୁ ବିବାହ କରି ବୋଲି ପ୍ରତିଶ୍ରୁତି ଦେଇ ଗଲା।

    ଏଣେ ନୀଳକଣ୍ଠ ନିଜ ଝିଅର ବିବାହ ପାଇଁ ଅନେକ ପ୍ରସ୍ତାବ ଆଣିଲେ ମଧ୍ୟ କୌଣସି ପୁଅଘର ଏଭଳି ଝିଅକୁ ବିବାହ କରିବାକୁ ଇଚ୍ଛା କଲେ ନାହିଁ। ଏଭଳି ଦୁଃସମୟରେ ନୀଳକଣ୍ଠ ବାବୁଘରେ ରଶ୍ମିରଞ୍ଜନ ପହଞ୍ଚି ବିବାହ କରିବାର ପ୍ରସ୍ତାବ ଦେଲେ। ନୀଳକଣ୍ଠ ବାବୁ ବହୁତ ଖୁସି ହୋଇଗଲେ।

ଏତେ ଦିନ ପରେ ଝିଅର ମଥାଉପରେ ସିନ୍ଦୁର ବିନ୍ଦୁ ଦେଖିବେ ନୀଳକଣ୍ଠ। ଝିଅ ତା ସୁଖର ଘରସଂସାର କରିବ। ଝିଅରୁ ବୋହୁ ସାଜିବ। ଖୁସିରେ ଆତ୍ମହରା ହୋଇଗଲେ। ଝିଅ ବାହାଘର ପାଇଁ ସଞ୍ଚିତ ଅର୍ଥ ବାଦ୍ ତିନି ଏକର ସମ୍ପତ୍ତି ବିକ୍ରି କରି ଜ୍ଵାଇଁକୁ ଡିମାଣ୍ଡ ଦେଲେ। ଖୁବ୍ ଧୁମଧାମରେ ବିବାହ କରି ଝିଅକୁ ଶଶୁର ଘରକୁ ପଠେଇ ଦେଲେ।

ଚତୁର୍ଥୀ, ଅଷ୍ଟମଙ୍ଗଳା ଭାର ବୋଝ ,ଲୁଗାପଟା, ବେଭାର ଝିଅ ଘରକୁ ପଠେଇଲେ। ବାହାଘରର ପାଖାପାଖି ଦୁଇମାସ ପରେ ଶଶୁର, ପୁଅବୋହୁଙ୍କୁ ବାହାରେ ବୁଲାବୁଲି କରିବାକୁ ପଠେଇଲେ ଥାଇଲାଣ୍ଡ। ବହୁତ ଟଙ୍କା ମଧ୍ୟ ସେମାନଙ୍କ ହାତରେ ଦେଲେ। ହେଲେ ରଶ୍ମିରଞ୍ଜନ ବାପାଙ୍କୁ ମିଛ କହି ଭୁବନେଶ୍ୱର ପଳେଇ ଗଲେ। ଆଉ ନାନାପ୍ରକାର ଅନୈତିକ କାର୍ଯ୍ୟ କରିବାକୁ ବାଧ୍ୟ କଲେ। ନ କରିଲେ ଘରୁ ତଡିଦେବେ ଅବା ବାହାରେ ନେଇ ବିକ୍ରି କରିଦୈବାକୁ ଧମକ ଦେଲେ।

ଧୀରେ ଧୀରେ ଏଭଳି କଥାବାର୍ତ୍ତା ଉପରେ ମନ୍ଦାକିନୀ ବାଧ୍ୟ ହୋଇ ଚୁପ ହୋଇ ଯାଉଥିଲା। କିନ୍ତୁ କେବେବି ଏ ପର୍ଯ୍ୟନ୍ତ ସେଭଳି କିଛି ଘଟଣାର ସମ୍ମୁଖୀନ ହୋଇ ନ ଥିଲା। ଅଚାନକ ଜଗନ୍ନାଥ ଦର୍ଶନ କରିବା ର ନିଷ୍ପତ୍ତି ନେଲେ ପରିବାରର ମୁଖିଆ ମାନେ M.L.A.ସେହି ରାତି ରାତି ବି ପୁରୀ ଅଭିମୁଖେ ଗଲେ। ମନ୍ଦାକିନୀ ପୁରୀ ଯାଇଛି ବୋଲି ସକାଳୁ ସକାଳୁ କେହି ଜଣେ ତା ମାଆଙ୍କୁ ଖବର ଦେଲା।

ଏ ଭିତରେ ଚାଲିଯାଇଛି ଦୁଇମାସ। ଝିଅ ଘରକୁ ଆସି ଝିଅକୁ ନ ଦେଖି ନୀଳକଣ୍ଠ ବ୍ୟସ୍ତ ହୋଇ ସମୁଦିକୁ ପଚାରିଲେ।

ପୁଅବୋହୁ ଦୁହେଁ ଭୁବନେଶ୍ୱର ରେ ଗୋଟିଏ ନୂଆ ବେପାର ଆରମ୍ଭ କରି ଘରଦ୍ୱାର କରି ସେଠାରେ ରହୁଛନ୍ତି।

ଏସବୁ ଶୁଣି ନୀଳକଣ୍ଠ ବି ଖୁସି ହୋଇଗଲେ।

ଏମିତି ଭାବରେ ଗୋଟିଏ ବର୍ଷ ଅତିବାହିତ ହୋଇଗଲା। ହଠାତ ଦିନେ ରଶ୍ମିରଞ୍ଜନ ଆସି ଶଶୁର ଘରେ ମାନେ ମନ୍ଦାକିନୀ ଘରେ ମୁଣ୍ଡକୋଡି କାନ୍ଦିଲା। ଘଟଣା ସମ୍ପର୍କରେ ପଚାରିବାରୁ ,ଖାଲି କହୁଥାଏ ମୋ ସଂସାର ଭାସିଗଲା।

ମୁଁ ଘରେ ନ ଥିଲି, ମୋ ଘରୁ ସବୁ ସୁନାଗହଣା ଧରି ମନ୍ଦାକିନୀ କୁଆଡ଼େ ଚାଲି ଯାଇଛି। କେତେ କୁଆଡ଼େ ଖୋଜିଲିଣି।ଭାବିଲି ଘରକୁ ଆସିଥିବ।ହେଲେ ଆମ ଘରେ କି ଏଠାରେ ନାହିଁ।ମୁଁ କଣ କରିବି ବାପା। ମୋ ବେପାର କାମରେ ମୁଁ କଲିକତା ଯାଇଥିଲି ୧୫ଦିନ ହେଲା। ମନ୍ଦାକିନୀ କୁଆଡ଼େ ଚାଲିଗଲା। ମୋତେ ଟିକିଏ ଜଣେଇଥାନ୍ତା ଭଲା।

ଓହୋଃ, ପୁଅ ରୁହ। ଆମେ ଖୋଜାଖୋଜି କରିବା, କଣ ହୋଇଛି।

କଣ ତୁମେ ଖୋଜିବ,ଆମେ ରହୁଥିବା ଘରର ପାଖଲୋକ ମାନେ କହୁଛନ୍ତି କାଳେ ମୁଁ କଲିକତା ଯିବା ପରେ ପରେ ସେ ପଳେଇଛି।

ଆମେ ଥାନାରେ ଏତଲା ଦେବା।

ନାହିଁ ନାହିଁ ବାପା, ମୋ ଇଜ୍ଜତ ମାଟିରେ ମିଶିଯିବ। ମୁଁ ଲୋକ ଲଗେଇ ଖୋଜିବି ପଛେ, ଆପଣ ସେ ପୋଲିସ ଥାନା, କୋର୍ଟ କଚେରୀ ଉଠାନ୍ତୁ ନାହିଁ।

ଜ୍ଵାଇଁକୁ କିଛି କହିବା ଆଗରୁ ଝିଅର ଚରିତ୍ର ଉପରେ ଅନେକ ଘୃଣ୍ଯ ମନ୍ତବ୍ୟ ଦେଇ ଚାଲିଗଲେ ଜ୍ଵାଇଁ।

କଣ କରିବେ ନୀଳକଣ୍ଠ ବାବୁ। ଗୁହକୁ ମାରିଲେ ମୁହଁକୁ ପଡିବ। ଘରେ ଆଉ ଗୋଟିଏ ବଢିଲା ଝିଅ। କେଉଁଠି ଯାଇ ଅଭିଯୋଗ କରିବେ। କିଏ ବା ଶୁଣିବେ। ଆଉ ଏସବୁ ପରେ ଘରେ ଥିବା ଝିଅ ପୁଅ ଆଉ ବାହା ହୋଇ ପାରିବେ ତ। ଥାନା କୋର୍ଟ ନ ଯାଇ ଭିତରେ ଭିତରେ ଅନେକ ଖୋଜି ଖୋଜି ହତାଶ ହୋଇ ଗଲେ। ତଥାପି ଆଶା ଛାଡି ନ ଥାନ୍ତି।


ନା ପଚାରିଲେ କେବଳ ଗୋଟିଏ ଶବ୍ଦ ଉଚ୍ଚାରଣ କରେ ମନ୍ଦିରା। ମନ୍ଦିରା। ମନ୍ଦିରା। ହେଲେ ମନ୍ଦାକିନୀ କିଏ, କଣ। କେହି କିଛି ବୁଝି ପାରନ୍ତି ନାହିଁ। ମୁଁ ଭାବେ, ବୋଧହୁଏ ଝିଅଟିର ନାଆଁ ମନ୍ଦିରା। କିଏ କହୁଥାଏ ପାଗଳୀ ଟିଏ ତ କିଏ କହୁଥାଏ ଛୁଆଧରା ଚୋର। ହେଲେ କାହାର କିଛି କ୍ଷତି କରୁ ନ ଥାଏ ସେ। ନା କାହାକୁ ଖାଇବାକୁ ମାଗେ ନା ପିନ୍ଧିବାକୁ। ସେଇ ଦନେଇ ମଉସା ପିଣ୍ଡାରେ ବସିଥାଏ ତ କେତେବେଳେ ଏଣୁ ତେଣୁ ଗପିଗପି ଶୋଇ ଯାଏ। ରାତି ଆଠଟା ନଅଟା ଯାଏ ଥାଏ। ତ ପରେ କୁଆଡେ ଯାଏ କି କେହି ତାକୁ ନେଇଯାଏ ଯେ ରାତି ଦୁଇଘଡିକୁ ଆସେ,ଗୋଟିଏ ଅଟୋରିକ୍ସା କି ରିକ୍ସା ରେ ବୋଝେଇ ହୋଇ।

            ସେଦିନ ଥାଏ ବିଶ୍ଵମହିଳା ଦିବସ। ମହିଳା ସଶକ୍ତିକରଣ,ମହିଳା ମାନଙ୍କୁ ରୋଜଗାର, ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ତଥା ମହିଳା ସୁରକ୍ଷା ଉପରେ ବଡ଼ବଡ଼ ନେତା ମାନେ ରାଜ୍ୟ ରାଜଧାନୀ, ଦେଶ ରାଜଧାନୀ ରୁ ଆସି ଲମ୍ବା ଲମ୍ବା ଯୋଜନାର ଶୁଭାରମ୍ଭ ସହ ଲମ୍ବା ଲମ୍ବା ଭାଷଣ ଦେବେ। ସେଥିପାଇଁ ଆଜି ସହର ବଜାର ଚଳଚଞ୍ଚଳ ଆଉ ଚାରିଆଡ଼େ ବ୍ଲିଚିଂ ପାଉଡର ଚୁନ ପଡି ପରିସ୍କାର କରାଯାଇଛି। ନେତା ମନ୍ତ୍ରୀ ମାନଙ୍କର ଭାଷଣରେ ସହର ବଜାର କମ୍ପୁଛି। ମାଗଣା ଚିକେନ ମଟନ ଭାତ ଖାଇବାକୁ ମହିଳା ମାନଙ୍କୁ ଡାକି ନିଆଯାଇଛି ଗାଡିରେ। ସମସ୍ତଙ୍କୁ କାଳେ ଆଜି କଣ ସବୁ ଉପହାର ଦିଆଯିବ। ଆଉ କେତେ ଜଣ ମହିଳା ସମ୍ବର୍ଦ୍ଧିତ ହେବାର ସବୁ କାର୍ଯ୍ୟକ୍ରମ ରହିଛି।

     

    ରାତି ଆସି ଦୁଇଟା ବାଜିଲାଣି। ମନଟା କାହିଁକି ଜମା ଭଲ ଲାଗୁ ନ ଥାଏ, କି ଆଖିକୁ ନିଦ ବି ଆସୁ ନ ଥାଏ। ଆଖି ଦୁଇଟା ବନ୍ଦକଲେ ବି ଦେଖା ଯାଉଥିଲା ସେହି ନୀରିହ ଝିଅଟି ମୁହଁ। ଝରକା ପାଖରେ ଠିଆ ହୋଇଥିଲି। ମୁଁ ଠିଆ ହେବାର ଦଶ ପନ୍ଦର ମିନିଟ ପରେ...


ସେଦିନ ମନ୍ଦିରାର ରେଫ୍ ହୋଇଥିଲା। ତା ବେହୋସ ଦେହରେ ଗୋଟିଏ ନିର୍ବାଚନ ପୋଷ୍ଟର ଗୁଡେଇ ଅଟୋରିକ୍ସା ବାଲାଟେ ତାକୁ ଗେଟ୍ ପାଖରୁ ଉଠେଇ ଆଣିଥିଲା।


                 ସବୁଥର ପରି ମୁଁ ତା ଆସିବା ବାଟକୁ ଚାହିଁ ଥିଲି। ମୁଁ ଆଲୁଅ ଲିଭାଇ ମୋ ଝରକାର ପର୍ଦ୍ଦା ଫାଙ୍କରୁ ତାକୁ ଦେଖିବାକୁ ଚେଷ୍ଟା କରୁଥିଲି। ଅଟୋରିକ୍ସା ବାଲା ଜଣକ ତାଠୁଁ ପଇସା ମାଗି ନ ଥିଲା।


ଭଲକରି ଟିକେ ଚାହିଁଲି। ସେ ଅଟୋରିକ୍ସା ବାଲା ଆଉ କେହି ନୁହେଁ। ଆମ ଗାଆଁ ନୋକା। ଭଲ ଜାତିର ପିଲାଟିଏ। ମୁର୍ଖ ନୁହେଁ। ବାପା ମାଆ ଛେଉଣ୍ଡ । ଅଟୋରିକ୍ସା ଚଳେଇ ଯାହା ରୋଜଗାର କରେ,ସେହିଥିରେ ଦୁଇବଖରା ଘର କରିଛି। ଚଳିବା ମାପକେ ସବୁ କରିଛି। ଟାହିଟାପରା ଲୋକ ପଚାରିଲେ,

      କିରେ ନୋକା ବାହାସାହା ହେବୁ ନାହିଁ କି। ମୁଣ୍ଡ ଟୁଙ୍ଗାରି କହେ ,ସବୁ ସେହି ଲୀଳାମୟ ଙ୍କ ଲୀଳା। ମୋ ଭାଗ୍ୟରେ ଝିଅଟିଏ ଦେବାର ଥିଲେ ସେ ଏକା ଦେବେ। ନ ହେଲେ ଏ ଅନାଥ କୁ ଝିଅ କିଏ ଦେବ।


ଅଟୋରିକ୍ସା ରେ ଆଣିଥିବା ଝିଅଟିକୁ ତା ଘରକୁ ନେଲା। ତହିଁ ପରଦିନ ମୁଁ ଦେଖିଲି ତାକୁ ଡାକ୍ତରଖାନାରେ ଭର୍ତ୍ତି କରିଛି। କିଛି ଦିନ ପରେ ଝିଅଟି ମାନସିକ ଓ ଶାରୀରିକ ଭାବେ ସୁସ୍ଥ ହୋଇଗଲା ସିନା, କିନ୍ତୁ ନିଜ ବିଷୟରେ କେବେ କିଛି କହେ ନାହିଁ। ପଚାରିଲେ କହେ,ମୁଁ ଜାଣିନାହିଁ, ମୁଁ କିଏ।

ଗାଆଁ ମାଇପେ ତ କିଏ କେତେ କଥା କହିଲେ। ହେଲେ କିଛି ଭଲଲୋକ ନୋକାର ଏଭଳି କାମ ପାଇଁ ତାରିଫ କରୁଥିଲେ। ଆଉ ନୋକା କୁ ସେ ଝିଅକୁ ବାହା ହେବାକୁ ବି କହିଲେ। ଏ କଥାରେ ନୋକାର ଖୁସି କହିଲେ ନ ସରେ। ଭଗବାନ ଏ ଝିଅଟିକୁ ମୋତେ ଦେଇଛନ୍ତି ଲକ୍ଷ୍ମୀ ଠାକୁରାଣୀ ଭାବରେ। ବହୁତ ଖୁସି ଆନନ୍ଦରେ ମନ୍ଦିରରେ ବିବାହ କରି ରହିଲେ। ଅଟୋରିକ୍ସା ଚଳେଇ ଯାହା ଟଙ୍କା ଆଣେ,ସେଥିରେ ଚଳିଯାଆନ୍ତି ଦୁହେଁ। ଏବେ ତ ଆଉ ଆଗ ମନ୍ଦାକିନୀ ଓ ଏବେ ର ଲକ୍ଷ୍ମୀ କୁ ଚିହ୍ନି ହେଉନାହିଁ। ଦୁଇଟି ନାମରେ ଜଣେ। ନୋକା ସିନା ଲକ୍ଷ୍ମୀ ବୋଲି ଡାକେ, ହେଲେ ଗାଆଁ ଯାକ ଲୋକ ମନ୍ଦାକିନୀ ବୋଲି ଡାକନ୍ତି।


ଅନେକ ବର୍ଷ ବିତିଯାଇଛି। ତିନି ତିନୋଟି ଝିଅ ମନ୍ଦାକିନୀ ର।

ସ୍ଵାମୀ ଦିନେ ଘରକୁ ଫେରୁଥିବା ସମୟରେ ଟ୍ରକ ଚାପାରେ ମରିଗଲେ।

। ଏବେ ସବୁ ଦାୟିତ୍ୱ ମନ୍ଦାକିନୀ ର। ତିନି ତିନୋଟି ପିଲାଙ୍କ ପାଠପଢ଼ା, ଖାଇବା, ରହିବା ସବୁ କେମିତି ତୁଲାଇବ। ମୁହଁ ଖୋଲି କାହାକୁ କିଛି ନ କହିଲେ ବି ମନ୍ଦାକିନୀ ଭିତରେ ଭିତରେ ସୁଦୃଢ଼ ହୋଇ ଯାଇଛି। ସମାଜକୁ ଭଲ ଭାବରେ ଚିହ୍ନି ଯାଇଛି। ଆଜିର ସମାଜରେ କେମିତି ଚଳିବାକୁ ହେବ ସେ କଥା ବହୁତ ଭଲ ଭାବରେ ଜାଣି ଯାଇଛି। ନିଜର ତିନି ଝିଅଙ୍କୁ ବି ସେସବୁ ସତଶିକ୍ଷା ଦେଇ ସମାଜରେ ମଣିଷ ଭଳି ମଣିଷ ହୋଇ ଚଳିବାର ମନ୍ତ୍ର ଶିଖାଉଛି। ସ୍ଵାମୀ ଚାଲିଯିବା ପରେ ପାଖରେ ଥିବା କିଛି ଟଙ୍କାରେ ଗୋଟିଏ ଟ୍ରଲି ସାଇକେଲ କିଣିଲା। ସେଥିରେ ବସାଇ ନିଜ ପିଲାମାନଙ୍କୁ ସ୍କୁଲ ନେବା ଆଣିବା କଲା,ଘରଧନ୍ଦା,ରୋଷେଇ ବାସ ପରେ ,କାହା ପାଖରେ ଅଣ୍ଟାଭାଙ୍ଗି ଠିଆ ନ ହୋଇ ପରିଶ୍ରମ କଲା। ଟ୍ରଲିରେ ବଜାରରୁ ଲୋକ ମାନଙ୍କ ର ଜିନିଷପତ୍ର ବୁହାବୁହି କଲା। ଭଲ ଦି ପଇସା ବି ପାଇଲା। ଦିନକୁ ୧୨୦୦/୧୦୦୦ରୋଜଗାର କଲା। ମାଆ ଝିଅ ଭଲରେ ଗଣ୍ଡେ ଖାଇପିଇ ଭଲ ଖଣ୍ଡେ ପିନ୍ଧି ରହିଲେ।

ପିଲାମାନଙ୍କ ପାଠପଢ଼ା କେବେ ବନ୍ଦ୍ କଲାନାହିଁ ମନ୍ଦାକିନୀ। ଝିଅ ମାନେ ବି ମାଆର ଦୁଃଖ ବୁଝି ପାଠପଢ଼ା ରେ ସବୁବେଳେ ବ୍ୟସ୍ତ ଥାଆନ୍ତି। ସବୁ ଝିଅଙ୍କୁ ଜୁଡୋ,କରାଟ,ବକ୍ସିଂ ଶିଖାଇବା ପାଇଁ ସେସବୁ ସ୍କୁଲରେ ନାମ ଲେଖାଇଲା। ମାସର ପ୍ରତ୍ୟେକ ରବିବାର ଝିଅମାନେ ସେ ସ୍କୁଲରେ ଯାଇ ଶିଖନ୍ତି। ଆତ୍ମରକ୍ଷା ର ସମସ୍ତ କୌଶଳ ଝିଅ ମାନଙ୍କୁ ଦେଲା। କୌଣସି ଘଟଣା ଦୁର୍ଘଟଣା ରେ ହାରି ନ ଯାଇ ଜିତିବାର କୌଶଳ ନିଜ ଝିଅମାନଙ୍କୁ ଶିଖାଇଲା।


      ବଡ଼ଝିଅ ବିଏ ପାଶ୍ ପରେ ପୋଲିସ ରେ ଚାକିରୀ ପାଇଗଲା। ମଝିଆ ଝିଅ ବି ନୌସେନାରେ। ସାନଝିଅ ର ଚାକିରୀ ଆସିଥିଲେ ମଧ୍ୟ ସେ ତା ମାଆକୁ ଛାଡ଼ି ଗଲା ନାହିଁ। ମାଆ ସହ ଗାଡ଼ି ଚଲେଇବା ଶିଖିଲା। ମାଆ ଏବେ ଟ୍ରଲି ଛାଡ଼ି ଦୁଇଟା ଅଟୋରିକ୍ସା କିଣିଛି। ମାଆ ଝିଅ ସ୍କୁଲ ପିଲାମାନଙ୍କୁ ନେବା ଆଣିବା କରନ୍ତି। ଭଲ ଦି ପଇସା ବି ରୋଜଗାର କଲେ। ଦିନ ୫ଟା ପରେ ଗାଡ଼ି ଘର ପାଖରେ ରଖି ଗାଁରେ ଥିବା ଝିଅ ବୋହୁଙ୍କୁ ଆତ୍ମନିର୍ଭରଶୀଳ ପାଇଁ ପ୍ରେରଣା ଦେବା ସହ ବିଭିନ୍ନ ସଙ୍ଘ କରନ୍ତି। ସଙ୍ଘ ମାଧ୍ୟମରେ ମାଛଚାଷ ଠାରୁ ଆରମ୍ଭ କରି ଛତୁ,ବଢି,ପାମ୍ପଡ,ଆଚାର, ବ୍ଲାଉଜ, ସାୟା ସିଲେଇ, ହାତବୁଣା ଇତ୍ୟାଦି କାମ ବି କରିବା ପାଇଁ ପ୍ରବର୍ତ୍ତାଇଲେ।

ଘରଦ୍ୱାର, ଟଙ୍କା ପଇସା ରେ ଆଉ ଅଭାବ ରହିଲା ନାହିଁ ମନ୍ଦାକିନୀ ର। ମନ୍ଦାକିନୀ ଆଉ ସାନଝିଅ କଲ୍ୟାଣୀ ଗାଆଁରେ ସମସ୍ତଙ୍କ ର ଅତି ଆପଣାର ହୋଇଗଲେ। ଝିଅ ମାନଙ୍କ ଚାକିରୀ ଟଙ୍କା ରେ ଆଉ ଦୁଇଟି କୋଠାଘର ତିଆରି କରି ଗୋଟିଏ ରେ ପ୍ରାଥମିକ ବିଦ୍ୟାଳୟ ଓ ଆଉ ଗୋଟିଏ ରେ ବିଭିନ୍ନ ପ୍ରକାର ବ୍ୟବସାୟ ଆରମ୍ଭ କଲେ। ବର୍ତ୍ତମାନ ଗାଆଁର ନେତ୍ରୀ ହୋଇଗଲା ମନ୍ଦାକିନୀ। ଏବର୍ଷ ନିର୍ବାଚନ ବେଳେ ସମସ୍ତେ ମନ୍ଦାକିନୀ କୁ ସାଂସଦ ପାଇଁ ଠିଆ କରେଇଲେ,ଆଉ ମନ୍ଦାକିନୀ ଜିତିଲା ବି।

ଟିଭି ପେପରରେ ମନ୍ଦାକିନୀ ର ଫଟୋ ଦେଖି ମନ୍ଦାକିନୀ ର ବାପା ତା ପାଖକୁ ଆସିଲେ। ମନ୍ଦାକିନୀ ମୁହଁ ରୁ ଯାହା ଶୁଣିଲେ ସ୍ଵପ୍ନରେ ବି ଭାବି ନ ଥିଲେ। ମାଆ ର ବିଜୟ ଖୁସିରେ ଦୁଇ ଝିଅ ବି ଘରକୁ ଆସିଲେ। ସେଦିନ ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା। ସେଠାକୁ ରଶ୍ମିରଞ୍ଜନ ଙ୍କଙ ବି ଆମନ୍ତ୍ରଣ କରାଯାଇଥିଲା। ବିଭିନ୍ନ ଅଞ୍ଚଳରୁ MLA.MP. ମାନଙ୍କୁ ନିମନ୍ତ୍ରଣ ହୋଇଥିଲା। ସମସ୍ତେ ବି ଆସିଥିଲେ। ସଭାକାର୍ଯ୍ୟ ଚାଲିଲା। ଶେଷରେ ମନ୍ଦାକିନୀ ଭାଷଣ ଦେଲେ। କିନ୍ତୁ ସେ ଏମିତି ଏକ ରୋମାଞ୍ଚକର ହୃଦୟବିଦାରକ ଘଟଣା ସମ୍ପର୍କରେ ବର୍ଣ୍ଣନା କଲେ, ସମସ୍ତେ ଅଭିଭୂତ ହୋଇ ଯାଇଥିଲେ। ସେଠାରେ ବସିଥିବା ରଶ୍ମିରଞ୍ଜନ ବିଟ ଖୋଜୁଥିଲେ ପଳେଇ ଯିବା ପାଇଁ। ହେଲେ ମନ୍ଦାକିନୀ ତ ଚତୁରତାର ସହ ଅନେକ ଆଗରୁ ତା ସହ ଦୁଷ୍କର୍ମ ଘଟାଇଥିବା ସମସ୍ତଙ୍କୁ ଡକାଇ ଆଣିଥିଲା। ପୋଲିସ ଫୋର୍ସ ବି ବହୁତ ଥିଲେ। ଏଥର ଖସିବାର ସବୁ ରାସ୍ତା ବନ୍ଦ ରଶ୍ମିରଞ୍ଜନ ଓ ତା ସହ ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ର। ଘଟଣା ସ୍ଥଳରୁ ସମସ୍ତ ଅପରାଧୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କଲା। ସମସ୍ତେ ମନ୍ଦାକିନୀ ର ଏ ବିଜୟ ଓ ସାହସିକତା ପାଇଁ ବାହା ବାହା କଲେ। ହେଲେ ମନ୍ଦାକିନୀ ଶେଷରେ ଗୋଟିଏ କଥା କହିଲେ ଯେ  ବନ୍ଧୁଗଣ, ମୁଁ ଯଦି ଆଜି ଆପଣ ମାନଙ୍କ ସମ୍ମୁଖରେ ଠିଆ ହୋଇଛି, କେବଳ ଜଣକ ପାଇଁ।

ସେ ହେଲେ ମୋ ସ୍ଵାମୀ ଭଗବାନ ଲୋକନାଥ ପାଇଁ। କାରଣ ସେ ଜାଣିଥିଲେ ଯେ ମୁଁ କଣ। ମୁଁ କୁଆଁରୀ ନୁହେଁ, ମୁଁ ଜଣେ ଧର୍ଷିତା, ବ୍ୟଭିଚାରିତା। ମୋ ସହ ଅନେକ ରାତି ଅନେକ ପୁରୁଷ ଦୁଷ୍କର୍ମ କରିଛନ୍ତି। ତଥାପି ସେ ମୋତେ ଶଙ୍ଖା ସିନ୍ଦୁର ଦେଇ ଦେବୀ ଆସନରେ ବସାଇ ସମାଜରେ ଏକ ନୂତନ ପରିଚୟ ସୃଷ୍ଟି କରିଥିଲେ। ତାଙ୍କୁ ମୋର କୋଟି କୋଟି ପ୍ରଣାମ। ଯଦି ସବୁ ପୁରୁଷ ନାରୀ ମାନଙ୍କୁ ଏଭଳି ମର୍ଯ୍ୟାଦା ଦେବେ,ତା ହେଲେ ଏ ସମାଜରେ ନାରୀ କେବେ ଅବଳା ଦୁର୍ବଳା ବୋଲି ନିଜକୁ ଭାବିବନି କି ନାରୀ ନିର୍ଯ୍ୟାତନା, ନାରୀ ପ୍ରତି ବ୍ୟଭିଚାର ହେବନାହିଁ। ନାରୀ ଲକ୍ଷ୍ମୀ, ନାରୀ ଜାୟା ଜନନୀ ଭଗିନୀ ଆସନରେ ରହି ଦେଶଜାତିର ମଙ୍ଗଳକାରିଣୀ ହେବ।


ଅଜୟ ମହାଲାଙ୍କ ଗଳ୍ପର ଅଂଶବିଶେଷ କୁ ନେଇ ମୋର ଏ ଗଳ୍ପ। ଖୁବ୍ ସୁନ୍ଦର ଗଳ୍ପର ଅଂଶ। ସେହି ଅଂଶ କୁ ନେଇ ମୋର ଏ ଗଳ୍ପଟି,ଆଶା କରୁଛି ସମସ୍ତଙ୍କୁ ନିଶ୍ଚୟ ଭଲ ଲାଗିବ। ଧନ୍ୟବାଦ ଜଣାଉଛି ଶ୍ରୀଯୁକ୍ତ ଅଜୟ ମହଲା ମହୋଦୟ ଆପଣଙ୍କୁ।



Rate this content
Log in

More oriya story from Pranati Mahapatra

Similar oriya story from Inspirational