Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମମତାର ମୂଲ
ମମତାର ମୂଲ
★★★★★

© Prasanna Kumar Madala

Drama Tragedy

6 Minutes   7.4K    11


Content Ranking

ବିନୟବାବୁ କୈଳାସପୁର ପଞ୍ଚାୟତ ସ୍କୁଲରେ ଶିକ୍ଷକତା କରନ୍ତି । କିଛି ବର୍ଷ ତଳେ ବୋଉର ଆଖି ଅପରେସନ ପାଇଁ ଏହି ସିଟି ହସପିଟାଲରେ ଆଣି ଜଇନ୍ କରେଇଥିଲେ । ତାପରଠୁଁ ନେଇ ନିଜ ପାଖରେ ରଖିଥିଲେ , ଟିକେ ଭଲ ହେଉ ନହେଉଣୁ ଖାଲି ଗାଁ ଗାଁ ଘୋଷି ହେଲା । ଗାଆଁରେ କିଏ ଅଛି ଯେ !

କକାପୁଅ ଭାଇ ଟିକେ ଦେଖାଶୁଣା କରେ । ଭୂମିବାଡି ତ ଭାଗଚାଷରେ ଦିଆ ସରିଚି । ହଁ , ସାନଭାଇ ଅଜୟ କ୍ୟାପିଟାଲରେ ରହୁଥିଲେ ବି ସିଏ ତ ସରକାରୀ ଅଫିସର , ସବୁବେଳେ ବିଭିନ୍ନ ଦାୟିତ୍ବରେ ବ୍ୟସ୍ତ ରହୁଛି । ଆଜିକାଲି ବୋଉର ଦେହ ପା' ତ ପ୍ରାୟ ଖରାପ , ହାଇ ବି.ପି. ସହିତ ମଧୁମେହ ରୋଗରେ ପୀଡିତ । ବର୍ଷେ ତଳେ ହଠାତ୍ ତାର ମୁହଁ ପାଟି ବଙ୍କା ହୋଇଗଲା , ଭାଗ୍ୟ ଭଲ ସେତେବେଳକୁ ଗାଆଁରେ ଧାନ ବିକ୍ରି ପାଇଁ ଚଷା ଡକାଇଥିଲା ବୋଲି ସିଏ ଦିଦିନ ଛୁଟି ନେଇ ଗାଆଁକୁ ଆସିଥିଲେ , ଅଜୟ ତ ଆସେନି , ତଥାପି ତା ଭାଗର ଟଙ୍କା ପଇସା ବିନୟ ନିଜେ ପଠେଇ ଦିଅନ୍ତି । ସେତେବେଳେ ବୋଧେ ପ୍ରେସର୍ ମେଡିସିନ ଖାଇବାରେ ଅବହେଳା କରିଥିଲା କି କଣ ଯେ ଏମିତି ଅବସ୍ଥାରେ ଘାଣ୍ଟି ହେଲା । କୌଣସି ପ୍ରକାରେ ଶୀଘ୍ର ମେଡିକାଲରେ ଆଡମିଟ୍ କରେଇ ସମୟ ଥାଉଣୁ ଚିକିତ୍ସା ହୋଇ ପାରିଲା ବୋଲି ବଞ୍ଚିଗଲା ସିନା ଏଣିକି ଅଧିକ କେୟାର ନେବାକୁ ପଡୁଛି । ହେଲେ ଅଜୟ ଆସି ପାରିଲାନି ଯେ ଫୋନ୍ କରିଥିଲା ବୋଉକୁ ସେଠାକୁ ପଠାଇ ଦେବାକୁ । ତାର ବା ସମୟ କାହିଁ ? ମୂଳକଥା ହେଲା ସାନବୋହୂଙ୍କ ଚାଲିଚଳନ ବୋଉକୁ ଭଲ ଲାଗେନି । ସେଥିପାଇଁ ସେ ସେଇଠିକି ଯିବାକୁ ନାରାଜ । ଗାଆଁ ବେଶି ଦୂର ନୁହେଁ , ତେଣୁ ଘରର ସବୁ ଦାୟିତ୍ୱ ବିନୟ ହିଁ ବୁଝାଶୁଝା କରନ୍ତି । ଅଜୟ କେବେ କେମିତି ଆସେ , କୁଣିଆ ଭଳି ଏକୁଟିଆ ଦି ଦିନ ପାଇଁ । ବାପାଙ୍କ ବିୟୋଗ ପରେ ଥରୁଟିଏ ଯାହା ଆସିଥିଲା ।

ଏପଟେ ବିଭିନ୍ନ ସମସ୍ୟା ଘେରରେ ଥାଇ ବି ଗାଁକୁ କୈଳାସପୁରକୁ ଧାଁ ଧପଡ କରି ନୟାନ୍ତ ହୋଇ ଗଲେଣି । ଷ୍ଟାଫ ନାହାନ୍ତି ବୋଲି ସ୍କୁଲରୁ ମଧ୍ୟ ସବୁବେଳେ ଛୁଟି ମିଳୁନି । ଅନେକ ଦିନରୁ ବୋଉର ଦେହ ଆଉ ଭଲ ରହୁନି , ଟିକେ ସୁସ୍ଥ ହୋଇଥିବ କି ନାଇଁ ଆଉ ଗୋଟେ ସମସ୍ୟା ଥୁଆ । ଏଥର କିନ୍ତୁ ବୋଉ ଗୁରୁତର ଅବସ୍ଥାରେ , କକାପୁଅ ଭାଇର ଫୋନ ପାଇ ଧାଇଁ ଆସି ହାଲଚାଲ୍ ଦେଖି ଏଇ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି । ପଇସାପତ୍ର ଦରକାର ହେଲେ ଜଣାଇବ ବୋଲି ସାନଭାଇ ଫୋନ କରିଥିଲା । ଏଯାଏଁ ଭଉଣୀମାନେ ବି ଆସି ନାହାଁନ୍ତି । ସ୍ତ୍ରୀ ମିନୁ କିନ୍ତୁ ବୋଉର ବହୁତ ସେବା କରିଛି । ଟେକାଟେକି କରିବାଠୁ ପାଇଖାନା ସଫା କରିବା ଯାଏଁ , କଷ୍ଟ ହେଲେ ବି ଦିନେ କେବେ ବିରକ୍ତି ପ୍ରକାଶ କରିନି । ହେଲେ ବାରମ୍ବାର ଏମିତି ଦେହ ଖରାପ ହେଲେ କିଏ କେତେ କରିବ କିହୋ , ଭାରି ନିରାଶ ଲାଗିଲାଣି । ଭଉଣୀମାନେ ଆସିଲେ ରନ୍ଧା ବଢା ବଢିଯାଏ ,ତାଙ୍କ କଥା ବୁଝୁବୁଝୁ ତର ଆଉ ମିଳିବନି । ଏଥର ବୋଧେ ସେମାନେ ଶେଷ ଖବରଟାକୁ ଅପେକ୍ଷା କରିଥିବେ , କଣ ବା କରି ପାରନ୍ତେ , ପିଲାଛୁଆଙ୍କୁ ନେଇ ତାଙ୍କର ବି ଘରଜଞ୍ଜାଳ ଅଛି କି ନା ନାହିଁ !

କ୍ୟାବିନ୍ ଭିତରେ ୪୪ ନଂ ଶଯ୍ୟାରେ ନିସ୍ତେଜ ହୋଇ ପଡିଥିଲା ବୋଉ । ସାଲାଇନ୍ ଛୁଞ୍ଚି ଫୋଡା ହୋଇଥିଲା ତା' ଶିରାଳ ହାତର ଶିରାରେ , ନିଦ ତ ନଥିଲା , ପୀଡାରେ ଖାଲି ଉଁ ଉଁ କରୁଥାଏ । ତାର ଲୋଳିତ ମୁହଁରେ ମାଛିଟିଏ ହଇରାଣ କରୁଥାଏ , ହେଲେ ହାତ ହଲେଇ ପାରୁ ନଥିଲା ସିଏ ।

ଡାକ୍ତରଙ୍କ ପଛେ ପଛେ ଦୁଇଜଣ ନର୍ସ ରୋଗୀର ହିଷ୍ଟ୍ରିଲିଷ୍ଟ ଉପରେ ଆଖି ପକାଉ ପକାଉ ଭିତରକୁ ପଶି ଆସିଲେ । ସେତେବେଳକୁ ପୁଅ ବିନୟ ପାଖ ଟୁଲ୍ ଉପରେ ବସି ଢୁଳାଉଥାନ୍ତି । ଡାକ୍ତରଙ୍କୁ ଦେଖି ଚଞ୍ଚଳ ହୋଇ ଉଠିଲେ । କିଛି ଫିଜିକାଲ୍ ଟେଷ୍ଟ ପରେ ସାଲାଇନ୍ ଫ୍ଳୋ କମାଇ ଦେବାକୁ ନର୍ସକୁ ନିର୍ଦ୍ଦେଶ ଦେଇ ଫେରି ଯାଉଥିବା ଡାକ୍ତରଙ୍କ ପଛରେ ଧାଇଁଯାଇ ବିନୟ ପଚାରିଲେ , ରୋଗୀର ଅବସ୍ଥା କେମିତି ସାର୍ ? ଶୁଣି ନଶୁଣିଲା ପରି ଚାଲି ଯାଉ ଯାଉ ଡାକ୍ତର କହିଲେ - ବୁଢୀ ଲୋକ , ବଡି ରେଜିସ୍ଟାନ୍ସ କମ୍ , ଏଥିରେ ଆଉ ଅବସ୍ଥା କଣ ପଚାରୁଛନ୍ତି ? ମୁହଁ ଶୁଖାଇ ବିନୟ କଣ ସବୁ ୟାଡୁ ସ୍ୟାଡୁ ଭାବି ହେଉଥିଲେ ।

ତିନି ସପ୍ତାହ ହେଲା ବୋଉ ଏଇଠି ପଡିଛି , ଆଗ ଆଗ ଦିନକୁ ଚାରିଟି ସାଲାଇନ୍ ଓ ଏବେ ଦୁଇଟି ଲେଖାଁ ଦିଆ ଚାଲିଛି । କେବେ ଡାକିଲେ ଓ' କରୁଚି ତ କେବେ ଚିହ୍ନି ପାରୁନି କି କଣ ଯେ ବଲବଲ ଅନଉଚି , ଏବେ ତ ପୁଣି ସେହି ପାରାଲିସିସ୍ , କଡ ବି ଲେଉଟାଇ ପାରୁନି । କେତେ କଷ୍ଟ ନ ପାଉଚି ସତରେ ! ଏଥର ଆଉ ଆଶା ନାହିଁ । ବିନୟବାବୁ ରିଟାୟର୍ଡ ହେବାକୁ ଆଉ ଚାରିଟି ବର୍ଷ ରହିଲା , ଦି ଦିଟା ଝିଅ ବାହା କରି ସାରିଲେଣି । ଏଣିକି ତାଙ୍କ ନିଜ ଦେହମନରେ ବି ଆଉ ସେ ପୁରୁଣା ବଳ ନାହିଁ । ବୋଉ କଥା ଭାବି ଭାବି ନିଜେ ଯେମିତି ହୁଗୁଳା ପଡିଗଲେଣି ।

ବୋଉ କଣ ସତରେ ଏଥର ଚାଲିଯିବ ? ଭାବିଲା ବେଳକୁ ବିନୟବାବୁଙ୍କ ଦେହଟା ଶୀତେଇ ଉଠିଲା । ସେ ପିଲାଦିନରୁ ଦେଖି ଆସିଥିବା ବୋଉ ଆଉ ଏବର ବୋଉ ଭିତରେ କେତେ ପାର୍ଥକ୍ୟ ସତେ ! ବାପାଙ୍କ ପରି ଜିଦିକିଆ ମଣିଷର ହାତ ଧରି କେତେ ହନ୍ତସନ୍ତ ନ ହୋଇଛି । ସେ ତ ନିଜେ ଚାଷବାସ କରୁଥିଲେ । ଗାଈଗୋରୁ , ହଳିଆ ମୂଲିଆ ସହ ବନ୍ଧୁ ବାନ୍ଧବ , ପିଲାଛୁଆଙ୍କ କଥା ସବୁ କିଛି ବୁଝି ବୋଉ ଏତେବଡ଼ ବୋଝ ଉଠେଇ କେବେ ଥକି ଯାଇ ନଥିଲା । ନହେଲେ ଏମାନେ ମଣିଷ କୋଉଠି ହୋଇଥାନ୍ତେ ଯେ ! ଯୋଉ ବୋଉର ଏତେ ଅବଦାନ , ଏବେ ସମସ୍ତେ ତା' ମରିଯିବା ଦେଖିଵାକୁ କେମିତି ଜଗି ବସିଛନ୍ତି ? ସାନଭାଇ ଅଜୟ ସେଦିନ କହୁଥିଲା , ବୋଉ ମରିବନି ସିନା ସମସ୍ତଙ୍କୁ ଦହଗଞ୍ଜ କରି ମାରୁଥିବ । ଓଃ ! ମୁଣ୍ଡଟା ଝିମଝିମ ହୋଇ ଯାଉଥିଲା ବିନୟର ।

ତେବେ କଣ ବିନୟ ନିଜେ ଚାହୁଁନାହିଁ ବୋଉ ମରିଯାଉ ବୋଲି ? ସେ କଣ ଅନ୍ୟ ମାନଙ୍କ ପରି ବୋଉକୁ ଭଲ ପାଉନି ? କେତେ ଆଉ କଷ୍ଟ ସହନ୍ତା ! ସାନଭାଇ କି ଭଉଣୀମାନେ କଣ ଚାହୁଁ ନାହାଁନ୍ତି ଯେ ବୋଉ ଚାଲିଯାଉ ବୋଲି , ନହେଲେ ସେମାନେ ଏତେ ଡେରି କଣ ପାଇଁ କରୁଛନ୍ତି ? ବୋଉ କଣ ସେମାନଙ୍କ ପାଇଁ କିଛି କରିନି ? ନା , ବିନୟ ଆଜି ନିଜେ ଏତେ ସ୍ବାର୍ଥପର ଯେ କୌଣସି ପ୍ରକାରେ ବୋଉକୁ ବଞ୍ଚାଇବା ଚେଷ୍ଟାରେ ଲାଗିଛନ୍ତି ? ବୋଉର ଯଦି କିଛି ହୋଇଯାଏ ତାହେଲେ ତ ବିନୁ ଡାକ ବି ସବୁଦିନ ପାଇଁ ସରିଯିବ ! ଏତେଗୁଡିଏ ଅସମାହିତ ପ୍ରଶ୍ନ ଅତିଷ୍ଠ କରି ପକାଇଲା ବିନୟଙ୍କୁ ।

ଆଉ କେତେ ଦିନ ଏଠି ଏ ଡାକ୍ତରଖାନାରେ ରହିବାକୁ ପଡିବ ? କାହିଁ ଡାକ୍ତର ବି କିଛି ସ୍ପଷ୍ଟ ତ କହୁନାହାନ୍ତି ! ବରଂ ବୋଉର ଏମିତି ଶେଷ ଅବସ୍ଥାରେ ତାକୁ ଗାଆଁକୁ ନେଇଗଲେ ଭଲ ହୁଅନ୍ତା , ଅନ୍ତତଃ ତା' ମୁଣ୍ଡ ପାଖରେ ଭାଗବତ ପଢି ହୁଅନ୍ତା । ଆଖପାଖ ବନ୍ଧୁ ବାନ୍ଧବ ଶେଷ ବେଳକୁ ପାଖରେ ରହନ୍ତେ , ହଠାତ୍ ଏଇଠି କିଛି ହୋଇଗଲେ କେତେ କଣ ବିଧିବିଧାନ ଅଛି , ସବୁ ତ ଜଣାନାହିଁ । ବାପାଙ୍କ ସମୟରେ ସିନା ବୋଉ ଥିଲା ବୋଲି ନିଦାପଥର ଭଳିଆ ସବୁକିଛି କାମ ତୁଲେଇ ନେଲା , ଏବେ ?

ପୁଣି ନିଜକୁ ସମ୍ଭାଳି ସେ ବୁଢ଼ୀ ନୋଳିଆଣୀ ପାଖକୁ ଗଲେ ଡାକି ଆଣିବାକୁ । ଟଙ୍କା ନେଲେ ବି ଅନେକ ସେବା ସେ କରିଛି । ରାତିରେ ଜଗୁଛି , ନିଜ ହାତରେ ହଗେଇ ମୁତେଇ , ଦାନ୍ତ ଘଷେଇ ଲୁଗାପଟା ବି ସଫା କରୁଚି , ଏଥର ଟିକିଏ ଅଧିକ ଧ୍ୟାନ ଦେବାକୁ ହବ । ଔଷଧ ଦୋକାନରେ ବାକିଆ ବଢୁଥିବା ସତ୍ତ୍ଵେ ଏ ନୋଳିଆଣୀର ଟଙ୍କା ଦେବାରେ ଥରେ ବି ହେଳା କରୁ ନଥିଲେ । ପାଖରେ ଟଙ୍କା ପଇସା ସରି ଆସିଲାଣି । ହଠାତ୍ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଦରକାର ହେଲେ କୁଆଡୁ କେମିତି ଯୋଗାଡ କରିବେ ଭାବୁ ଭାବୁ ଭିଣୋଇଁ ଫୋନ କଲେ ଯେ ସେମାନେ ଦୁଇ ତିନି ଦିନ ମଧ୍ୟରେ ପହଞ୍ଚିବେ । ଅବଶ୍ୟ ତାଙ୍କ କଥାରେ ବି ଦମ୍ ନଥିବା ଭଳି ଲାଗୁଥିଲା । ଅଜୟକୁ ଡକେଇ ଆଣିଲେ ଭଲ ହୁଅନ୍ତା କି , ନହେଲେ ସିଏ ଆସୁ ଆସୁ ତ ସଂସ୍କାର କାମ ଡେରି ହୋଇଯିବ । କାହାକୁ କାହାକୁ ତୁରନ୍ତ ଖବରଟା ପଠାଇବା ପାଇଁ ହେବ , ସେକଥା ବି ମୁଣ୍ଡଟାରେ ପଶୁଥାଏ । ଛି , ଏସବୁ ଅଶୁଭ ଭାବନା ଗୁଡିକ କାହିଁକି ଯେ ଆସୁଛି ?

ଛାତିର ଏ ଅହେତୁକ କୋହ ସବୁକୁ ଛାତି ତଳେ ହିଁ ଚାପି ଦେଇ ବିନୟବାବୁ ନୋଳିଆଣୀକୁ ବୋଉର ଦାୟିତ୍ୱ ଦେଇ ସନ୍ଧ୍ୟା ବେଳକୁ ହିଁ ଗାଆଁକୁ ଦୌଡିଲେ । ଗୋଟିଏ ନିଃଶ୍ବାସରେ ଯାଇ ପହଞ୍ଚି ଗଲେ ଗାଆଁ ଠାକୁରଙ୍କ ପହଡ ପଡିବା ଆଗରୁ । ସେତେବେଳକୁ ଧୈର୍ଯ୍ୟର ବନ୍ଧ ଆଉ ରହିଲାନି , ଭାଙ୍ଗିଗଲା । ଉଛୁଳି ଆସିଲା ଧାର ଧାର ଲୁହ ଅନର୍ଗଳ ଭାବେ ଦୁଇ ଆଖିରୁ । ନିଜର ସମସ୍ତ ପାରିବାରପଣିଆ ଆଜି ହାର ମାନି ଯାଇଥାଏ । ଭଗବାନଙ୍କ ନିକଟରେ କିଛି ନିବେଦନ କରିବା ମଧ୍ୟ ଭୁଲି ଯାଇଥିଲେ ସେ । ଦୁଇ ହାତ ଯୋଡି ବହେ କାନ୍ଦି ଦେବା ପରେ ଯେମିତି ସବୁ ଅଭିଯୋଗ ସରିଗଲା । ରାତିରେ ହିଁ ଫେରି ଯିବାକୁ ବାହାରିବା ବେଳେ କକାପୁଅ ଭାଇ ଭାଇନାଙ୍କୁ ପ୍ରବୋଧ କରି କହିଲା , "ରହିଯାଅ ଭାଇନା , ସକାଳେ ଉଭୟେ ସାଙ୍ଗ ହୋଇ ଯିବା । ଆମ ହାତରେ ଆଉ କଣ ଅଛି ଯେ , ସବୁ ତାଙ୍କରି ଇଚ୍ଛା ।" ଦୁଇଜଣ ମିଶି ସକାଳୁ ନିତ୍ୟକର୍ମ ସାରି ମେଡିକାଲରେ ପହଞ୍ଚିଲେ । ବିନୟବାବୁ ବୋଉକୁ ତକିଆରେ ଆଉଜି ବସିଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ପାଖରେ ବସି ଉଭୟେ ଧୀର ଗଳାରେ ଭଲମନ୍ଦ ପଚାରୁଥିଲେ । ରୁଟିନ୍ ଚେକିଂ ପାଇଁ ଡାକ୍ତର କିଛି ସମୟରେ ପହଞ୍ଚିଲେ , ବିନୟଙ୍କୁ ଚାହିଁ ଅଳ୍ପ ହସହସ ମୁହଁରେ କହିଲେ , ରୋଗୀ ଡେଞ୍ଜର୍ ବାହାରେ । ଆଉ ଦିନେ ଦୁଇ ଦିନ ପରେ ଡିସ୍ଚାର୍ଜ କରି ଦିଆଯିବ , କିଛି ଫଳମୂଳ ଖାଇବାକୁ ଦେଇ ପାରନ୍ତି ।

ବିନୟ ବୁଝି ପାରୁ ନଥାନ୍ତି କୃତଜ୍ଞତା କାହାକୁ ଆଉ କେମିତି ଜଣାଇବେ ।

ପ୍ରସନ୍ନ କୁମାର ମାଦଳା

ବିନୟ ବୋଉ ରୋଗୀ

Rate the content


Originality
Flow
Language
Cover design

Comments

Post

Some text some message..