Prasanna Kumar Madala

Others

3  

Prasanna Kumar Madala

Others

ଠକାମିର ଫଳ

ଠକାମିର ଫଳ

3 mins
14.1K


ଠକାମିର ଫଳ

ଗାଆଁରେ ରହୁଥିବା ଜଣେ ଠକ ଥରେ ମନ୍ଦବୁଦ୍ଧି ଯୋଗୁଁ ଏକ କୌଶଳ ଚିନ୍ତା କଲା ।

ମହୁ ଧରାଳିଠୁ ପାଞ୍ଚ କେଜି ଶୁଦ୍ଧ ମହୁ କିଣି ସେଥିରେ ତରଳ ଗୁଡପାଣି ମିଶାଇ ତା ଉପରେ ମହୁଫେଣାର ସାନବଡ଼ ଭଙ୍ଗା ଅଂଶ କିଛି ଭସାଇ ଗୋଟିଏ ବଡ଼ ପାତ୍ରରେ ରଖି ସହରକୁ ବିକିବା ପାଇଁ ଗଲା । ସହରରେ ପହଞ୍ଚୁ ପହଞ୍ଚୁ ଜଣେ ବେପାରୀ ଦଲାଲ ତା ପାଖକୁ ଆସି କଣ ଆଣିଛୁ ବୋଲି ପଚାରି ମହୁ ଦେଖିଲା । ଶୀଘ୍ର ସେତକ ମହୁର ମୂଲ୍ୟ ଅନୁମାନ କରି ମୂଲଚାଲ କଲା । ଶେଷରେ କଥା ଛିଣ୍ଡିଲା ଏବଂ ସହରୀ ଦଲାଲ ମହୁ ବଦଳରେ ୨୦୦୦ ଟଙ୍କା ଦେବାକୁ ରାଜି ହୋଇଗଲା । ଗାଉଁଲି ଠକ ଖୁସି ଖୁସିରେ ତାକୁ ମହୁତକ ବିକି ତା'ଠାରୁ ୨୦୦୦ ଟଙ୍କିଆ ନୋଟ୍ ଖଣ୍ଡେ ଧରି ଶୀଘ୍ର ଗାଆଁକୁ ଫେରି ଆସିଲା । ମନେ ମନେ ଭାବୁଥାଏ ଯେ ତାଠୁ ଚାଲାକ୍ କେହି ନାହିଁ ।

ଦୁଇ ଦିନ ପରେ ଜାଣିବାକୁ ପାଇଲା ଯେ ତା ପାଖରେ ଥିବା ୨୦୦୦ ଟଙ୍କିଆ ନୋଟ୍ ପୂରାପୂରି ନକଲି ଥିଲା । ପୋଲିସ ଧରିଲେ ବନ୍ଧା ଖାଇବ ବୋଲି ଶୁଣି ମନ ଖରାପ ହୋଇଗଲା । କାନମୁଣ୍ଡ ଆଉଁଷି ଶେଷରେ ନୋଟ୍ ଖଣ୍ଡିକ ଚିରି ନର୍ଦ୍ଦମାରେ ଫୋପାଡ଼ି ଦେଲା । କାହାକୁ କିଛି ନକହି ସେ ସହରୀ ଦଲାଲକୁ କିପରି ପାନେ ଚଖାଇବ , ସେହି ଚିନ୍ତା କରୁଥାଏ ।

ଅନ୍ୟ ପକ୍ଷରେ ସହରୀ ଦଲାଲ ମଧ୍ୟ ପରୀକ୍ଷା ନିରୀକ୍ଷା ପରେ ଜାଣିଲା ଯେ କିଣିଥିବା ମହୁ ଶୁଦ୍ଧ ନୁହେଁ , ମିଶାମିଶି ହୋଇଛି । ତେଣୁ ରାଗରେ ସିଏ ବି ମଉକା ପାଇଲେ ଗାଉଁଲି ଠକକୁ ଛାଡିବନି ବୋଲି ଭାବିନେଲା । ତାକୁ ପାଇଲେ ନିଶ୍ଚୟ ହଇରାଣ କରିବା ପାଇଁ ସଂକଳ୍ପ କଲା । ଏମିତିରେ କେତେ ଦିନ ବିତିଗଲା । ସମୟ କ୍ରମେ ଗାଆଁର ଠକ ସେହି ସହରରେ ଜଣେ ବାବୁଙ୍କ ଘରେ ଗାଈ ରକ୍ଷଣାବେକ୍ଷଣ ଦାୟିତ୍ୱ ପାଇଁ କାମଟିଏ ପାଇଲା । ଦିନକ ପରେ ଜାଣିବାକୁ ପାଇଲା ଯେ ପୂର୍ବରୁ ତାକୁ ଠକିଥିବା ସହରୀ ଲୋକଟି ମଧ୍ୟ ବାବୁଙ୍କ ଘରେ ମାଳି କାମ କରୁଛି । ଦୁହେଁ ଦୁହିଁଙ୍କୁ ଦେଖିବା ପରେ ବି ନ ଚିହ୍ନିଲା ଭଳି ରହିଲେ । କେହି କାହାକୁ ପରିଚୟ ନଦେଇ ନିଜ ନିଜ କାମ କରୁଥାନ୍ତି ।

ଗାଉଁଲି ଠକ ଗାଈ ଚରାଇବାକୁ ନେଇ ବହୁତ ହଇରାଣ ହେଲା , କାରଣ ସେ ଓଲେଇ ଗାଈ କଥା ନମାନି ଯୁଆଡେ ସିଆଡେ ଧାଉଁଥାଏ ।

ଦିନସାରା ତା ପଛରେ ହାଲିଆ ହୋଇ ବିରକ୍ତି ସହ ଫେରିବା ସଞ୍ଜ ବେଳକୁ । ଏଣେ ସହରୀ ଠକ ବଗିଚାରେ ପାଣି ମଡାଉ ମଡାଉ ହାଲିଆ , କାରଣ ସବୁ ପାଣି ମୂଷାଗାତରେ ପଶି ଯାଉଥାଏ ।

ଗାଉଁଲିକୁ ଦେଖି ସହରୀ ପଚାରିଲା , ଗାଈ ଚରା କେମିତି ଲାଗିଲା ? ଗାଉଁଲି କହିଲା ଭାରି ସୁଧାର ଗାଈଟେ , ନିଜେ ନିଜେ ଚରୁଥିଲା , ମୁଁ ଗଛ ମୂଳରେ ଶୋଇ ପଡିଥିଲି। ଆଉ , ତୁମର ପାଣିମଡା କେମିତି ଚାଲିଛି ଭାଇ ? ସହରୀ କହିଲା ଆରାମରେ ତ ପାଇପ୍ ପାଣି ମଡେଇଲି , ବସି ବସି ତୁମରି କଥା ଭାବୁଥିଲି । ଗୋଟେ କାମ କରିବା , କାଲିକି ମୁଁ ଗାଈ ଚରେଇ ନେଇଯିବି , ତମେ ଏଠି ପାଣି ମଡେଇ ଟିକେ ଆରାମ କର । ଗାଉଁଲି ବି ରାଜି ହୋଇଗଲା। ସେହି ଅନୁସାରେ ପରଦିନ କାମ ବଦଳିଗଲା , ଦୁହେଁ ଜାଣି ପାରିଲେ ଯେ ପରସ୍ପରକୁ ମିଛ କହିଛନ୍ତି । ସତକଥା ଆଲୋଚନା ପରେ ଦୁହେଁ ନିଷ୍ପତ୍ତି ନେଲେ ଯେ ପରସ୍ପରକୁ ସାହାଯ୍ୟ କରି ମିଳିମିଶି କାମ କରିବେ , କିନ୍ତୁ ମନେ ମନେ ଭାବୁଥାନ୍ତି କିପରି ହଇରାଣ କରିବାକୁ ଆଉ ଏକ ମଉକା ମିଳିବ ।

ଦିନେ ସହରୀ ଠକ ଗାଉଁଲି ଠକକୁ କହିଲା , ଦେଖ ଭାଇ , ଏ ମାଲିକ ବୁଢାବୁଢୀ ଏତେ ସମ୍ପତ୍ତି ଥିବା ସତ୍ତ୍ୱେ ଆମକୁ ତ ଠିକ୍ ପାରିଶ୍ରମିକ ଦେଉ ନାହାନ୍ତି ,ଚାଲ ଗୋଟେ କାମ କରିବା । ରାତାରାତି ସୁନାରୂପା ନେଇ ପଳେଇ ଯିବା , ଦୁହେଁ ଭାଗ ବାଣ୍ଟି ସୁଖରେ ରହିବା । ତମେ ଆଦୌ ବ୍ୟସ୍ତ ହୁଅନି , ମୁଁ ସବୁ ବ୍ୟବସ୍ଥା କରିଦେବି । ପରେ ସୁଯୋଗ ଦେଖି ଦୁହେଁ ସୁନାରୂପା ନେଇ ଚମ୍ପଟ । ହେଲେ ଗାଉଁଲି ଠକକୁ ଫସାଇବା ପାଇଁ ସହରୀ ଠକ ବୁଢାଙ୍କ ଦୁଇ ପୁଅଙ୍କୁ ଖବର ଦେଇଥାଏ ଯେ ଅମୁକ ବାଟରେ ଜଗିଥିବ , ସେହିବାଟେ ଗାଉଁଲି ଠକ ତା ଗାଆଁକୁ ଯିବ । ଏଣେ ଚୋରି କରିଥିବା ଗଣ୍ଠିଲିଟିକୁ ଗାଉଁଲିକୁ ଧରେଇ କହିଥାଏ , ତୁମେ କିଛି ବାଟ ଚାଲ ଏବଂ ପରେ ମୁଁ ଧରିବି । ଏହି ଅନୁସାରେ ଉଭୟେ ଚାଲିଲେ । ହେଲେ ଅତି ଚତୁର ଗାଉଁଲି ଠକ କିଛି ବାଟ ଗଲା ପରେ ଝାଡା ମାଡୁଛି କହି ଗଣ୍ଠିଲିଟିକୁ ସହରୀକୁ ଧରାଇ କହିଲା , ତମେ ଯାଉଥାଅ , ମୁଁ ପଛେ ପଛେ ଆସୁଛି । ଏଭଳି ଚାଲାକି କରି ଗାଉଁଲି ଠକ ବାବୁଙ୍କ ଘରକୁ ଫେରି ବୁଢାବୁଢୀଙ୍କୁ ଜଣାଇ ଦେଲା ଯେ ସହରୀ ଠକ ଚୋରି କରି ନେଇ ଯାଇଛି , ମୁଁ ଆଉ ଏଠି ରହିବିନି , ଯାଉଛି ଗାଆଁକୁ ପଳେଇବି ।

ଅଧାବାଟରୁ ଦୁଇପୁଅ ଗାଉଁଲିକୁ ଧରି ଆଣି ଘରେ ପହଞ୍ଚିବା ବେଳକୁ ଦେଖିଲେ ସହରୀ ଠକ ବି ବନ୍ଧା ହୋଇଛି । ଦୁହେଁ କହୁ କହୁ ସତକଥା କହିଦେଲେ , ଖୁବ୍ ଛେଚା ଖାଇଲେ । ତାପରେ କାନମୁଣ୍ଡ ଆଉଁଷି ଉଭୟେ ଭୁଲ୍ ମାଗିଲେ ଓ ନିଜ ନିଜର କାମରେ ମନ ଦେଲେ ।

ପ୍ରସନ୍ନ କୁମାର ମାଦଳା


Rate this content
Log in