Prasanna Kumar Madala

Tragedy

3  

Prasanna Kumar Madala

Tragedy

ନିରପେକ୍ଷ ଜଗନ୍ନାଥ

ନିରପେକ୍ଷ ଜଗନ୍ନାଥ

3 mins
7.7K


ନିର୍ଗୁଣ ନିରାକାର ଭଗବାନ ଯେ ସମ୍ପୂର୍ଣ୍ଣ ନିରପେକ୍ଷ , ଏକଥା ମୁଁ ଭଲଭାବେ ବୁଝି ସାରିଥାଏ । ତାଙ୍କୁ ମାଗିଲେ କି ବିନତି କଲେ କିଛି ମିଳେନାହିଁ । ଯାହା ପ୍ରାରବ୍ଧ କର୍ମଫଳ ସେସବୁ ଯେ ଅବଶ୍ୟ ହିଁ ଭୋଗ କରିବାକୁ ହୁଏ ,ଏକଥା ଦିନକୁ ଦିନ ଅଧିକରୁ ଅଧିକ ବୋଧ ହୋଇ ଆସୁଥାଏ । ଅନେକଙ୍କ ଜୀବନ ଓ ଭାଗ୍ୟଫଳ ଉପରେ ଚାଷ କରି କରି ଜଣେ ଜ୍ୟୋତିଷ ହୋଇ ସାରିଥିଲି । ନାସ୍ତିକ ତ ନୁହଁ, ତେଣୁ ମୁଁ ବି ନିଜ ଘରେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ରଖି ନିୟମିତ ପୂଜା ଆରାଧନା କରେ , ସ୍ତୁତି କରେ । କିନ୍ତୁ ଦିନେ ହେଲେ କେବେ ମୋ ନିଜ ଦୁଃଖ ନିବାରଣ ପାଇଁ ପ୍ରାର୍ଥନା କରିନି । ସବୁବେଳେ ହେ ପ୍ରଭୁ ସହିବାର ଶକ୍ତି ଦିଅ , ଭକ୍ତି ଦିଅ ଆଉ ସୁପଥଗାମୀ କରାଅ ବୋଲି ନିବେଦନ କରିବା ମୋର ଅଭ୍ୟାସ ହୋଇ ସାରିଥାଏ । ଜ୍ଞାନ ଆହରଣର ଜିଜ୍ଞାସା ନେଇ ନାନାଦି ଗ୍ରନ୍ଥ ଅଧ୍ୟୟନ କରିବା ମୋର ନିତିଦିନିଆ କାମ ।

କେବେ କେବେ କେହି ଅଳି କଲେ ଭାଗ୍ୟଫଳ କହିବା ବେଳେ ସଂଯମତା ବି ରଖେ ।

ସେଦିନର ତିକ୍ତ ଅନୁଭୂତି ଆଜି ଯାଏଁ ମନେଅଛି, ଚେଷ୍ଟା କଲେ ବି ଭୁଲି ପାରିନି ମୁଁ । ଏକାବେଳକେ ଛାଡି ଦେଲି ଜ୍ଯୋତିଷବିଦ୍ଯା ଯାହା ସବୁ ଶିଖିଥିଲି ଅଳ୍ପ ବୟସରୁ । ଶପଥ କରିନେଲି କି ଜୀବନରେ ଆଉ କେବେ କାହାର ହାତ ଦେଖିବିନି କି କୋଷ୍ଠି ବିଚାର କରିବିନି, ଅନ୍ତତଃ ନିଜ ଜଣାଶୁଣା ଆତ୍ମିୟ ସ୍ବଜନଙ୍କର । ଘଟଣାଟି ବେଶ୍ ପ୍ରଭାବିତ କରିଥିଲା ମୋତେ । ସେଦିନ ଭାଇନା ଘରକୁ ଫେରି ଏ ଦୁଃସମ୍ବାଦଟା ଶୁଣାଉ ଶୁଣାଉ ହତବାକ୍ ହୋଇ ବସି ପଡିଲେ, ଲୁହ ପୋଛି ନିରେଖି ଚାହିଁଲେ ଆଉ କହିଲେ ଚାଲ ଯିବା ଆଇ.ସି.ୟୁ. ରେ ନିତ୍ୟାନନ୍ଦକୁ ଟିକେ ଦେଖି ଆସିବା । ଆଉ ତା ଶଳାର ଶବଟାକୁ ମର୍ଗରୁ ବାହାର କରେଇ କେମିତି ସଂସ୍କାର କାର୍ଯ୍ୟ କରିବା ସେକଥା ମୁଁ ବୁଝାବୁଝି କରେ, ଏତକ କହି ସେ ଟିକେ ପଦାକୁ ଚାଲିଗଲେ । ମୁଁ ହ୍ଯାଂଗରରୁ ହାଫ୍ ସାର୍ଟଟି ବାହାର କରି କିଂକର୍ତ୍ତବ୍ଯ ଭାବେ ଦେହରେ ଗଳେଇ ଦେଲା ବେଳେ ମୋ ବାହୁରୁ ହନୁମାନ କବଚଟା ଛିଣ୍ଡି ତଳେ ପଡିଗଲା । ଅର୍ଜୁନଙ୍କ କଳା ହରଣ ହେଇଗଲା ପରି ନିର୍ବଳ ଲାଗିଲା ମୋତେ, ମନଟା ଅଶାନ୍ତ ଲାଗିଲା । ହଠାତ୍ ମନେ ପଡିଲା କବଚ ପିନ୍ଧାଇବା ବେଳେ ଗୁରୁଦେବ ବାରଣ ନିୟମ ଯାହାସବୁ କହିଥିଲେ । କବଚଟା ତଳୁ ଉଠାଇ ମୁଣ୍ଡରେ ଲଗାଇଲି, ପୁଣି ମଠା ପିନ୍ଧି ଧୂପଦୀପ ଦେଇ ଠାକୁରଘର ଶ୍ରୀଜଗନ୍ନାଥଙ୍କ ପିଢା ଊପରେ ସନ୍ତର୍ପଣରେ ସାଇତି ରଖିଦେଲି ।

କିଛି ମାସ ତଳେ ମୋ ମାଉସୀ ପୁଅ ଭାଇ ନିତ୍ୟାନନ୍ଦ ଭାବନା ଆମ ଘରକୁ ଆସିଥିଲେ। ସିଏ ଓ ମୋ ନିଜ ବଡଭାଇ ପାଖାପାଖି ସମ ବୟସର ଏବଂ ସେମାନେ ଏକାବେଳରେ ଚାକିରି କରିଥିଲେ ଏହି ଲୁହା କାରଖାନାରେ । ମୁଁ ଯଥେଷ୍ଟ ସାନ ହେଲେ ବି ସେଦିନ ମୋତେ ପ୍ରଶଂସା କରୁ କରୁ କହିଲେ ଯେ ଭାଉଜ କୁଆଡେ ଡକାଇଛନ୍ତି ତାଙ୍କ ହାତ ଦେଖେଇବା ପାଇଁ । ମୁଁ ମନେ ମନେ ଉଲ୍ଲସିତ ହେଲି ଅନ୍ତତଃ ଭାଇନା ମୋ ଜ୍ଯୋତିଷପଣକୁ ସ୍ବୀକୃତି ଦେଇଥିବାରୁ । ଦୁଇ ଦିନ ପରେ ଯାଇଥିଲି, ଭାଉଜ ସରାଗରେ ଚର୍ଚ୍ଚା କରୁ କରୁ ପାଖରେ ବସି ହାତକୁ ମେଲେଇ ଦେଇ ପଚାରିଲେ ସତ କୁହ ପୁଅ ହେବ କି ଝିଅ ହେବ? ମୋ ପାଇଁ ଇଏ ଥିଲା ଏକ ଯକ୍ଷପ୍ରଶ୍ନ। ଶତକଡା ପଚାଶ ସମ୍ଭାବନା ଥିବା ଏକ ଜଟିଳ ପ୍ରଶ୍ନ ମୋ ପରି ଜଣେ ନୂଆ ଶିଖାଣିଆ ଜ୍ଯୋତିଷ ପାଇଁ । ମନସ୍ଥ କଲି ସଠିକ୍ ଉତ୍ତର ସକାଶେ ପତିପତ୍ନୀ ଉଭୟଙ୍କ କର କୋଷ୍ଠି କପାଳ ଦେଖିବା ପାଇଁ । ପୁତ୍ର ଯୋଗ ଯେ ପ୍ରବଳ ଏ ନେଇ ସନ୍ଦେହ ନ ଥିଲା, କିନ୍ତୁ ମହାଦଶା ଅନ୍ତର୍ଦଶା ଭାବଫଳ ଓ ଗ୍ରହଦୃଷ୍ଟି ବିଚାର କରୁ କରୁ ମୋ ମୁହଁ ଫିକା ପଡିଗଲା । ଠଉରାଇ ପାରି ଭାଇନା ଭାଉଜ ଉଭୟେ ସତ କହିବାକୁ ବାରମ୍ବାର ଚାପ ପକାଇଲେ, ଶେଷକୁ ନିରୁପାୟ ହୋଇ କହିଦେଲି କି ମୋ ଗଣନା ଭୁଲ୍ ହୋଇପାରେ, ହେଲେ ନିକଟ ଭବିଷ୍ୟତରେ ଏ ପରିବାର ପାଇଁ ମୃତ୍ଯୁ ତୁଲ୍ୟ ସଂକଟ ଦୃଶ୍ୟ ହେଉଛି । ଏଥିପାଇଁ ମହାମୃତ୍ଯୁଞୟ ଜପ କରିବା ସହ ନିଜ ଘରେ ଥିବା ଠାକୁର ଶ୍ରୀଜଗନ୍ନାଥଙ୍କ ଶରଣରେ ରହି ପୂଜାର୍ଚ୍ଚନା କରୁଥିବା ପାଇଁ ମୋର ଉପଦେଶ ରହିଲା । ତୁମର କି ଭାଇନାଙ୍କର କି ଗର୍ଭସ୍ଥ ଶିଶୁର ମୃତ୍ୟୁ ଯୋଗ ନାହିଁ ସିନା ବିପଦ ସଙ୍କେତ ତ ମିଳୁଛି... ତେଣୁ ସତର୍କ ରୁହ । ବାସ୍ ଆକାଶଟା ପଡିଗଲା ଯେମିତି । ଦି'ଜଣ ଯାକ ଅଧୀର ହେଇପଡିଲେ, କିଛି ପ୍ରବୋଧନା ଦେଇ ମୁଁ ବି ସ୍ଥିର କରିପାରିଲିନି ଠିକ ନା ଭୁଲ୍ କଲି ।

ପ୍ରସବ ପାଇଁ ଭାଉଜ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ଭାଇ ଗାଁରୁ ଆସିଥିଲା ଭଣଜାକୁ ଦେଖିବ ବୋଲି । ନିତ୍ୟାନନ୍ଦ ଭାଇନା ତାଙ୍କର ନୂଆ ସ୍କୁଟରରେ ଶଳାକୁ ବସାଇ ଭାଉଜଙ୍କ ପାଇଁ ଖାଇବା ଟିଫିନ୍ ଧରି ଯିବା ବାଟରେ ସିଟିବସ୍ ସହିତ ସାଂଘାତିକ ଦୁର୍ଘଟଣା ହେଲା ଆଉ ଭେଣ୍ଡିଆ ଶଳା ଭାଇର ମୁଣ୍ଡ ଉପରେ ବସ୍ ଚକ ମାଡି ଗଲା, ଭାଇନା ବି ଘୋଷାଡ଼ି ହୋଇ ଆଘାତ ପାଇ ଏବେ ଆଇ. ସି. ୟୁ. ରେ । ଆମେ ଦି'ଭାଇ ଏସବୁ ଘଟଣା ପରେ ଜାତିବଂଧୁ ମାନଙ୍କ ପରାମର୍ଶ କ୍ରମେ ଶବସତ୍କାର କରାଇ ସାରି ଡାକ୍ତରଖାନାରେ ଥିବା ବେଳେ ଭାଉଜ ପୁଅକୁ ଛାଡ଼ି ତାଙ୍କ ସ୍ବାମୀଙ୍କୁ ଦେଖିବାକୁ ଆସିଗଲେ। ଆଉ ସେଠାରେ ମୋତେ ଦେଖି ମୋ ଉପରେ ଲୋଟି ହୋଇ କାନ୍ଦଣା ଆରମ୍ଭ କରିଦେଲେ କି ମୁଁ ଯାହା କହିଥିଲି ତାହା ଅକ୍ଷରେ ଅକ୍ଷରେ ସତ ହେଇଗଲା, ସତ ହେଇଗଲା । ଆଉ ମୁଁ ମଧ୍ୟ ଶୋକଜର୍ଜରିତ ହୋଇ ତାଙ୍କୁ ସମବେଦନା ସ୍ବରୂପ ଭିଡି ଧରିଥିଲି , କହୁଥିଲି - ତୁନି ଯା' ଭାଉଜ , ସବୁ ଜଗନ୍ନାଥଙ୍କ ଇଚ୍ଛା ।

ପ୍ରସନ୍ନ କୁମାର ମାଦଳା


Rate this content
Log in

Similar oriya story from Tragedy