ଅପରାହ୍ନ
ଅପରାହ୍ନ
ଲେଉଟାଣି ବେଳରେ ବି ପଥି ପାଇଁ ଟିକେ ନିଘା ନାହିଁ , କେତେ ବା ଜଗି ରହିବ ତାଙ୍କୁ ସବୁବେଳେ ? ଆଜିକାଲି ବୁଢା ସବୁକଥା ଦାଣ୍ଡରେ ପକାଉଛନ୍ତି , ଘରର ମାନ ସମ୍ମାନ ବି ଖାତିରି କରୁନାହାନ୍ତି । ନିଜେ ପଛେ ହଜାରେ ରୋଗରେ ପୀଡିତ , ଅନ୍ୟ ମାନଙ୍କ ଚାଲି ଚଳନ ଦେହକୁ ଯାଉନି । ରାତିସାରା ଖୁଁ ଖୁଁ ହୋଇ ଶୁଆଇ ଦେଉନାହାନ୍ତି। ଇଆଡେ ପିଲାଙ୍କ ଭଲମନ୍ଦ ବୁଝିବ ନା ଚବିଶ ଘଣ୍ଟା ଖାଲି ତାଙ୍କର ଜାଗ୍ରତ କରୁଥିବ .. ମଣିଷ କୁଆଡର ହେଲାନି । ପେନସନ କଣ ଟିକେ ମିଳୁଛି ଯେ ସବୁବେଳେ କହୁଛନ୍ତି ସେ କୁଆଡେ ଆମ ଦୟାର ପାତ୍ର ନୁହନ୍ତି ।
ସତେ ଯେମିତି ଜୀବନର ସବୁ ସୁଖ ଏ ବୁଢା ପାଇଁ ହଜି ଯାଇଛି । ସ୍ତ୍ରୀ ତ ରଖେଇ ଥୋଇ ଦେଉନି । ବୁଢାକୁ ଉପର ମହଲାରେ ବଖରାଟେ ଦେଲା ପରେ ତ ତଳକୁ ଉପରକୁ ହୋଇ ଦିନ ସରୁଛି । ବହୁତ ଭାବି ଭାବି ଶେଷରେ ବିଜନର ମୁଣ୍ଡରେ ଗୋଟିଏ ଯୋଜନା ଢୁକିଲା । କାହିଁକି ଯେ ଏତେ କଷ୍ଟ ପାଇ ଓଷର ଭରସାରେ ଜୀଇଁଥିବ , ଆଗକୁ ତ ସମସ୍ୟା ବଢିବ ସିନା କମିବାର ନାଆଁ ନାହିଁ ।
ତା' ପରଦିନ ଅପରାହ୍ନରେ ଦେଖିଲା ବେଳକୁ ଉପର ବାଲ୍କୋନୀରୁ ତଳ ଚଟାଣ ଉପରେ ପଡି ବୁଢା ରକ୍ତ ଜୁଡୁବୁଡୁ । ବିଜନ ଓ ତା' ସ୍ତ୍ରୀ ଉପରୁ ସମସ୍ତଙ୍କୁ ଶୁଣାଇ ପାଟି କରୁଥାନ୍ତି - ଏ ହେ.. ବାପା ପଡିଗଲେ , ବାପା ପଡିଗଲେ ।
ବୋଧହୁଏ ଲୋକେ ଏକତ୍ରିତ ହୋଇ ଆମ୍ବୁଲାନ୍ସ ଡକାଇଲା ବେଳକୁ ବୁଢା ଶେଷ ହିକା ମାରି ନୀରବ ହୋଇ ସାରିଥିଲା ।
ପ୍ରସନ୍ନ କୁମାର ମାଦଳା ।