Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଚୋରାବାଲି
ଚୋରାବାଲି
★★★★★

© sushama Parija

Inspirational Tragedy

5 Minutes   7.0K    18


Content Ranking

ସୁମନକୁ ନିଶାମୁକ୍ତି କେନ୍ଦ୍ରରେ ଛାଡି ଫେରୁଥିଲା ଅଲିଭା । କାନ୍ଦିକାନ୍ଦି ଆଖି ଦୁଇଟା ଗେଣ୍ଡା ଭଳିଆ ଫୁଲି

ଯାଇଥିଲା, କେଶ ଫୁରୁଫୁରୁ ହୋଇ ଉଡୁଥିଲା , ତାକୁ ଦେଖିଲେ ହିଁ ଲାଗୁଥିଲା ସେ କିଛି ଗୋଟାଏ ହଜେଇ ଆସିଛି । ଆଜିକୁ ସାତଦିନ ତଳେ ସେ ନରେଶ ସାଙ୍ଗରେ ଗାଁରୁ ଆସିଥିଲା କଟକ ସୁମନକୁ ଡାକ୍ତରଙ୍କୁ ଦେଖାଇବା ଲାଗି । ଗାଁରେ ଛଅମାସ ଧରି ସୁମନର ଦେହ ବରାବର ଖରାପ ରହୁଥିଲା । ଖୁଁ ଖୁଁ କାଶରୁ ଆରମ୍ଭ ହୋଇଥିଲା ସୁମନର ଅସୁସ୍ଥତା । ଥଣ୍ଡା ଅନବରତ ଲାଗି ରହୁଥିଲା, ନାକରୁ ସବୁବେଳେ ପାଣି ଗଡୁଥିଲା । ଧୀରେ ଧୀରେ ଦେହ ହାତ ଘୋଳା ବିନ୍ଧା ହୋଇ ଛଟ ପଟ ହେଉଥିଲା ସୁମନ । କ୍ରମେ କ୍ରମେ ସେ ଛଟପଟ ହେବାର ମାତ୍ରା ବଢି ବଢି ଚାଲିଲା , ସେଇ ସମୟରେ ଲାଗୁଥିଲା ଯେମିତି ସୁମନର ତଣ୍ଟିକୁ କିଏ ଚିପି ଧରିଛି , ସେ ଅଣନିଃଶ୍ବାସୀ ହୋଇ ପଡୁଥିଲା ଜାଲ ଭିତରେ ପଡିଥିବା ମାଛଟିଏ ଭଳି, ପେଟକୁ ଧରି ଗଡି ଯାଉଥିଲା ଭୂଇଁ ଉପରେ । ତା'ର କଷ୍ଟ ଦେଖି ଛାତି କୋରି ହେଇ ଯାଉଥିଲା ଅଲିଭାର । ନରେଶ ପୁଅର କଷ୍ଟ ଦେଖି ସହି ପାରୁ ନଥିଲେ ମଧ୍ୟ ମୁହଁରେ କିଛି କହୁ ନଥିଲେ । ସେ ସବୁଦିନେ ସେମିତି ଅନ୍ତଃମୁଖୀ। ଦୁଃଖରେ ଛାତି ଫାଟି ଯାଉଥିଲେ ମଧ୍ୟ ଉପରକୁ ପୁରା ସ୍ଥିର ଜଣା ପଡୁଥିବେ। ମନ ଭିତରେ କୋହକୁ ଚାପି ରଖି ଏକବାର ସାଧାରଣ ଢଙ୍ଗରେ ବ୍ୟବହାର କରୁଥିବେ ସତେ ଯେମିତି ତାଙ୍କୁ କେଉଁଠି କିଛି ଫରକ ପଡୁନି । ସୁମନର ଏମିତି ଅବସ୍ଥା ଦେଖି ସେ ଧରି ନେଇ ଥିଲେ ଯେ କେଉଁଠି ଗୋଟିଏ ଅସୁବିଧା ନିଶ୍ଚୟ ହୋଇଛି ସୁମନର । ସେଥିଲାଗି ପଇସା ପତ୍ର ଯୋଗାଡ କରି ଅଲିଭା ଆଉ ସୁମନକୁ ସାଥୀରେ ଧରି ବାହାରି ଆସିଥିଲେ କଟକ ବଡ ମେଡିକାଲରେ ବଡ ଡାକ୍ତରଙ୍କୁ ଦେଖାଇ ପରାମର୍ଶ କରିବା ପାଇଁ।

କଟକରେ ପହଞ୍ଚି ରାଣୀହାଟର ଗୋଟିଏ ଛୋଟ ଏବଂ ଶସ୍ତା ହୋଟେଲ୍ ରହିଥିଲେ ସେମାନେ । ପରଦିନ ମେଡିକାଲରେ ପହଞ୍ଚିଥିଲେ । ଆନୁଷଙ୍ଗିକ କାଗଜପତ୍ର କରି ଦେଖାଇଥିଲେ ମେଡିସିନ୍ ସ୍ପେଶାଲିଷ୍ଟଙ୍କୁ। ସବୁ ପରୀକ୍ଷା ନିରୀକ୍ଷା କରି ଡାକ୍ତର କହିଲେ '' ଏଇଟା ଡ୍ରଗ୍ ଆଡିକ୍ସନ କେଶ୍ , ଏଥିଲାଗି ଲମ୍ବା ଚିକିତ୍ସା କରିବାକୁ ପଡିବ, ରୋଗୀକୁ ଶୀଘ୍ର ଚିକିତ୍ସା ନକଲେ ରୋଗୀ ପାଗଳ ହୋଇ ଯାଇପାରେ କିମ୍ବା ମରି ଯାଇପାରେ, ଆପଣ ତୁରନ୍ତ ୟାର ଚିକିତ୍ସା ଆରମ୍ଭ କରନ୍ତୁ ମୁଁ ୟାକୁ ଆଡମିଶନ ପାଇଁ ଲେଖି ଦେଉଛି ''।

ଥକ୍କା ମରା ହୋଇ ବସି ପଡିଥିଲେ ଅଲିଭା ଆଉ ନରେଶ । ଅଠର ବର୍ଷର ପୁଅ ତାଙ୍କର ''ଡ୍ରଗ୍ ଆଡିକ୍ଟେଡ୍'' ? ସ୍କୁଲ ଛାଡ଼ି କଲେଜ ଯିବାର ଦୁଇ ବର୍ଷ ପୁରି ନାହିଁ ,କେଉଁଠି ଶିଖିଲା ଏ ସର୍ବନାଶୀ ବିଦ୍ୟା ?

ଗୋଟିଏ ବୋଲି ପୁଅ ତାଙ୍କର , କେଡେ ଶାନ୍ତଶିଷ୍ଟ, କେଡେ ସୁଧାର ଥିଲା । ଫାଷ୍ଟ ଡିଭିଜନରେ ମାଟ୍ରିକ ପାସ୍ କରିଥିଲା ଗାଁ ସ୍କୁଲରୁ । ରେଭେନ୍ସା କଲେଜରେ ସାଇନ୍ସ ପଢିବା ପାଇଁ ସିଲେକ୍ସନ ହେବାରୁ ଖୁସିରେ ଉଛୁଳି ପଡିଥିଲା ବାପା ମାଆଙ୍କ ମନ। ଆଡମିଶନ୍ ପରେ ହଷ୍ଟେଲ ନ ମିଳିବାରୁ ପାରେଶ୍ୱର ସାହିରେ ମେସ୍ ଟିଏ କରି ରହୁଥିଲା ସାଙ୍ଗ ମାନଙ୍କ ସହିତ । କେତେବେଳେ କେମିତି ଛୁଟିଦିନ ମାନଙ୍କରେ ଗାଁକୁ ଯାଉଥିଲା । କାଇଁ

କେବେ ତ ଏକଥା ଅନୁମାନ କରି ପାରି ନଥିଲେ ସେମାନେ । ହଁ , ଆଗରୁ ହଜାରେ ଟଙ୍କା ମାସରେ ପକେଟ୍ ଖର୍ଚ୍ଚ ଦେଉଥିଲେ ଚଳି ଯାଉଥିଲା ସୁମନ ,ଧୀରେ ଧୀରେ ତା'ର ଖର୍ଚ୍ଚ ବଢୁଥିଲା , ହଜାରେରୁ ଦୁଇ ହଜାର ଟପି ତିନି ହଜାର ଧରିଲା ବେଳକୁ ବିରକ୍ତ ହୋଇଥିଲେ ନରେଶ। ଅଲିଭାକୁ କହି ଥିଲେ କ'ଣ କରୁଛି କି ସୁମନ ପଇସା ଗୁଡାକ ? ମୁଁ କେତେ କଷ୍ଟ କରୁଛି ଏ ପ୍ରାଇଭେଟ୍ କମ୍ପାନୀରେ ପଇସା ରୋଜଗାର କରିବା ଲାଗି ତମେ ମା' ପୁଅ ଦି ଜଣ ବୁଝି ପାରୁନ ନା କଅଣ ? ଅଲିଭା କହିଥିଲା ''ଓହୋ ! ତମର ସବୁବେଳେ ଖାଲି ପଇସା କଥା । ଛୁଆଟା କ'ଣ ମନକରି ସାଙ୍ଗ ସାଥିରେ ଖାଇ ଦେଇଥିବ କି ବୁଲାବୁଲି କରି ସିନେମା ଫିନେମା ଟିକେ ଦେଖି ଦେଇଥିବ,ସେଥିଲାଗି ପଇସା ସରି ଯାଇଥିଦ ,ତମେ ଏମିତି ଜାହାଜ ଖାଲି ହୋଇଗଲା ଭଳିଆ ଚିଲ୍ଲା ପକେଇଛ କାହିଁକି ଯେ ?'' ମୁହଁକୁ ବନ୍ଦ କରି ଫେରି ଆସିଥିଲେ ନରେଶ ।

ତା'ପର ମାସ ଠାରୁ ଆଉ ତାଙ୍କୁ ଅଧିକ ପଇସା ମାଗି ନଥିଲା ସୁମନ। ନରେଶ ଭାବୁଥିଲେ ବାପ ଧମକରେ ସାବାଡ୍ ହୋଇ ଯାଇଛି ସୁମନ। କିନ୍ତୁ ସେ ଯେ ଚୁପ୍ ଚୁପ୍ କରି ଅଲିଭାଙ୍କର ହାତ ପାଣ୍ଠି ଖାଲି କରୁଥିଲା ସେକଥା ନରେଶ ଜାଣିବା ବେଳକୁ ବହୁତ ଡେରି ହୋଇଯାଇଥିଲା । କାରଣ ପୁତ୍ର ମୋହରେ ଅଲିଭା ଏତେ ଅନ୍ଧୁଣୀ ହୋଇ ଯାଇଥିଲେ ଯେ ପୁଅର ଅସ୍ୱାଭାବିକ ଆଚରଣ ସବୁ ତାଙ୍କ ଆଖିରେ ପଡୁନଥିଲା , ପଡୁଥିଲେ ବି ସେ ତାକୁ ଗୁରୁତ୍ୱ ଦେଉ ନଥିଲେ । ସୁମନର ଏମିତି ଖାପଛଡା ବ୍ୟବହାର କିନ୍ତୁ ନରେଶଙ୍କ ଆଖିରୁ ବାଦ ପଡିନଥିଲା । ନରେଶ ଲକ୍ଷ୍ୟ କରୁଥିଲେ ସୁମନ ଆଜି କାଲି ତାଙ୍କୁ ଆଖିରେ ଆଖି ମିଶେଇ କଥା କହୁନି ,ସବୁବେଳେ ଗୁମ୍ ସୁମ୍ ରହୁଛି , ଛୁଟିଦିନ ମାନଙ୍କରେ ଘରକୁ ଆସିବା ଅପେକ୍ଷା ମେସ୍ ରେ ରହିବାକୁ ଇଚ୍ଛା କରୁଛି , ଫୋନ୍ ରେ କଥା ହେଲା ବେଳେ ଅନୁଚ୍ଚ ଶବ୍ଦରେ କଥା ବାର୍ତ୍ତା କରୁଛି , କେହି ଆସିଗଲେ ଫୋନ୍ ଟିକୁ କାଟି ଦେଉଛି ଏମିତି ଅନେକ ଅସ୍ୱାଭାବିକ ଆଚରଣ ସବୁ କରୁଛି । ଦିନେ ଅଲିଭାଙ୍କୁ ଏକଥା ସେ କହିଥିଲେ ମଧ୍ୟ। କିନ୍ତୁ ଅଲିଭା ଏସବୁ ଏମିତିକା ବୟସରେ ହୁଏ କହି ଏଡେଇ ଯାଇଥିଲେ । ଦିନେ ଗାଧୁଆ ଘରୁ ଖାଲି ଦେହରେ ବାହାରି ଆସୁଥିବା ସୁମନର ବାହୁରେ ସେ ଦେଖିଲେ ଇଞେକ୍ସନ ଛୁଞ୍ଚିର ଦାଗ । ସୁମନକୁ ପାଖକୁ ଡାକି ସେ ବିଷୟରେ ପଚାରିଲେ ମଧ୍ୟ , କିନ୍ତୁ ସୁମନ କହିଲା ଯେ କଲେଜରେ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା ତ ସେଥିଲାଗି ସେ ବ୍ଲଡ୍ ଗ୍ରୁପ୍ କରିବା ପାଇଁ ସେଠୁ ସାମ୍ପଲ ନେଇଥିଲେ ଡାକ୍ତର । ଆଶ୍ବସ୍ତ ହୋଇଥିଲେ ନରେଶ ।

ଫାଇନାଲ ପରୀକ୍ଷା ସରିଲା ପରେ ଘରକୁ ଫେରିଲା ସୁମନ । କିନ୍ତୁ ସେ ପ୍ରତି ଦିନେ ଦୁଇଦିନ ଅନ୍ତରରେ କଟକ ଯିବା ଛାଡୁ ନଥିଲା । ତାକୁ ଯେତେ ମନା କଲେ ବି ସେ ଶୁଣୁନଥିଲା । ଆଜି ଏ କାମ ଅଛି , କାଲି ସେ କାମ ଅଛି କହି ଖସି ଯାଉଥିଲା । ଲାଗୁଥିଲା ଯେମିତି କଟକରେ ସେ କିଛି ଛାଡ଼ି ଆସିଛି ଯାହା ତା'ର ଏକାନ୍ତ ଆବଶ୍ୟକ । ଅଯଥାରେ ଯିବା ଆସିବା କରି ପଇସା ଗୁଡାକ ନଷ୍ଟ କରୁଛି ବୋଲି ବିରକ୍ତ ହେଉଥିଲେ ନରେଶ ।

ସେଥରକ କ'ଣ ହେଲା କେଜାଣି କଟକରୁ ଫେରିବା ପରେ ସେ କେମିତି ଅସ୍ତବ୍ୟସ୍ତ ଜଣା ପଡୁଥିଲା । ଘରୁ ବାହାର,ବାହାରୁ ଘର ଏମିତି ଅଣନିଃଶ୍ବାସୀ ହୋଇ କ'ଣ ଯେମିତି ଖୋଜି ବୁଲୁଥାଏ ସୁମନ। ବାହାରେ ରହି ତା'ର ଏ ବ୍ୟସ୍ତତାକୁ ଲକ୍ଷ୍ୟ କରୁଥିଲେ ନରେଶ । ତା' ପାଖକୁ ଯାଇ ପଚାରିଲେ ସେ କ'ଣ ଖୋଜୁଛି ବୋଲି । କିଛି ନାହିଁ କହି କଥା ବୁଲେଇ ଦେଲା ସୁମନ। ନରେଶ ଦେଖିଲେ ସୁମନର ଦେହ ମୁଣ୍ଡ ଥରୁଛି, ସେ ନିଶ୍ବାସ ପ୍ରଶ୍ବାସ ନେବାକୁ କଷ୍ଟ ପାଉଛି । ଧାଇଁ ଯାଇ ତାକୁ ଧରି ପକେଇ ଅଲିଭାଙ୍କୁ ଡାକ ପକାଇଲେ ନରେଶ। ସେତେବେଳକୁ ସୁମନ କେଉଁ ଏକ ଅଜଣା ଆତଙ୍କରେ ଛଟପଟ ହେଉଥାଏ । ତା'ର ହାତ ଗୋଡ ମୁଠା ମୁଠା ହୋଇ ଯାଉଥାଏ । ପାଟିରୁ ଫେଣ ବାହାରୁଥାଏ । ଆଖିରୁ ଧାର ଧାର ଲୁହ ବୋହି ଯାଉଥାଏ । ନରେଶ ଭାବୁଥିଲେ ପୁଅକୁ କିଛି ଗୋଟାଏ ବଡ ରୋଗ ହୋଇଛି । ମୁହଁକୁ ପାଣି ଛାଟି ତାକୁ ସାଷ୍ଟାମ କରିବାକୁ ଲାଗିଗଲେ ବାପ ମାଆ ଦୁଇ ଜଣ ଯାକ। ନରେଶ କହିଲେ ଅଲିଭାଙ୍କୁ , ଆଜି ରାତିଟା କେମିତି କଟିଯାଉ। କାଲି ସକାଳୁ ପୁଅକୁ କଟକ ନେଇ ବଡ ମେଡିକାଲରେ ସ୍ପେଶାଲିଷ୍ଟଙ୍କୁ ଦେଖାଇବା । ସେଇ ଅନୁସାରେ ସେମାନେ ଆସିଥିଲେ କଟକ ବଡ ମେଡିକାଲକୁ ।

କାହାର ଗୋଟିଏ ବିକଟାଳ ଚିତ୍କାରରେ ଚମକି ପଡିଲା ଅଲିଭା । ତିନି ଦିନ କାଳ ଅଖିଆ ଅପିଆ ବସି ରହିଥିଲା ରାତି ଅନିଦ୍ରା ହୋଇ ନିଶାମୁକ୍ତି କେନ୍ଦ୍ର ବାହାରେ ପଡିଥିବା ସେଇ ମଇଳା ବେଞ୍ଚ ଉପରେ। ଯେଉଁଠି ତା' ପୁଅ ଚିକିତ୍ସିତ ହେଉଥିଲା । ଓଃ କି କଷ୍ଟ ପାଉଥିଲା ସୁମନ , ତା 'କୁ ଦେଖି ଛାତି ଫାଟି ଦି ଫାଳ ହୋଇଯାଉଥିଲା ଅଲିଭାର । ଆଉ ସମ୍ଭାଳି ପାରୁ ନଥିଲା ସେ। ତା'କୁ ହୋଟେଲ୍ କୁ ଫେରି ଯିବାକୁ ଅନୁରୋଧ କରି କରି ଥକି କି ଫେରି ଯାଇଥିଲେ ନରେଶ ଶସ୍ତା ହୋଟେଲ୍ ର ସେଇ ଛୋଟ ରୁମ୍ ଟିକୁ । ମନେମନେ ପଶ୍ଚାତାପ କରୁଥିଲା ଅଲିଭା ,ଯଦି ନରେଶଙ୍କ କଥାରେ ସେ ପ୍ରଥମରୁ ଧ୍ୟାନ ଦେଇ ଥାଆନ୍ତା ତେବେ ତା'ପୁଅ ଏମିତି ଅବାଟକୁ ଯାଇ ନଥାନ୍ତା। ମାରାତ୍ମକ ନିଶାର ଚୋରାବାଲିରେ ଫସି ଏମିତି ପ୍ରାଣାନ୍ତକ କଷ୍ଟ ଭୋଗୁ ନଥାନ୍ତା । ଆଖିରୁ ଲୁହ ପୋଛି ବେଞ୍ଚ ଉପରୁ ଉଠିଲା ଅଲିଭା । ଦୁଇ ହାତ ଯୋଡ଼ି ପ୍ରାର୍ଥନା କଲା '' ହେ ଜଗନ୍ନାଥ ! ମୋ ପୁଅର ଦୋଷ କ୍ଷମା କରି ତା'କୁ ଆରୋଗ୍ୟ କରିଦିଅ ପ୍ରଭୁ , ସେ ସୁସ୍ଥ ହୋଇ ଘରକୁ ଫେରିଆସୁ , ତା'କୁ ଶକ୍ତି ଦିଅ ସେ ଏଇ ନିଶା ରାକ୍ଷସ କବଳରୁ ମୁକ୍ତି ପାଉ ''।

ସୁମନ ନିଶା ଅଲିଭା

Rate the content


Originality
Flow
Language
Cover design

Comments

Post

Some text some message..