Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Inspirational

5.0  

Pranati Mahapatra

Inspirational

ଧରିତ୍ରୀ

ଧରିତ୍ରୀ

6 mins
8K


ଆ…ହା…ହା....

ପଡିଗଲା, ପଡିଗଲା, ଦୌଡ଼ି ଗଲେ ସମସ୍ତେ । ଆରେ ଆରେ ,ଏତେ ରକ୍ତ ମୁଣ୍ଡରୁ ବାହାରୁଛି ୟା’ଙ୍କ ମୁଣ୍ଡରୁ । କିଏରେ ସେ ଏତେ ନିର୍ଦ୍ଦୟ । ଏମିତି ଭାବରେ ଗାଡ଼ି ଚଲାଉଛନ୍ତି ଯେ ଲୋକବାକ କିଛି ମାନୁ ନାହାନ୍ତି । ହୋ ହାଲ୍ଲା ଭିତରେ ଅସଲ ଗାଡ଼ି ବାଡେଇବା ଲୋକଟା ଗହଳି ଭିତରୁ ବାହାରି ଆସିଲା । ଆଉ ସମବେଦନା ଜଣାଇବାକୁ ଯାଇ କହିଲା, ଛାଡ଼,ଛାଡ଼ । ସେ ମହିଳାଙ୍କର ମୁଣ୍ଡଫାଟି ରକ୍ତ ବହୁଛି । ଆଉ ତୁମେ ମାନେ... । ଏଇ ମାନବିକତା ଏଠି ।

ସେଥିପାଇଁ ପରା ଶାଗୁଣା ଆଉ ଯମରାଜର ଟଣା ଘୋଷରା ଦୃଶ୍ୟକୁ ମନଭରି ନିଜ କ୍ୟାମେରା ଭିତରେ ଚାପି ବାହା ବାହା ନେଇ ଶ୍ରେଷ୍ଠ ଚିତ୍ରର ମାନ୍ୟତା ପାଇଥିଲା,ସେତେବେଳର ସେ ଫଟୋଗ୍ରାଫର । ହେଲେ କଣ ପାଇଥିଲା ସେ ନିରୀହ ନିଷ୍ପାପ ଶିଶୁ । ନା ପାଇଥିଲା ବଞ୍ଚିବାର ଅଧିକାର ,ନା ପାଇଥିଲା ନିଶ୍ଵାସ ଗଣ୍ଡାଏ ଖାଦ୍ୟ ।

ଛାଡ,ଛାଡ଼  ।

ମୁଁ ଏ ମହିଳା ଜଣଙ୍କୁ ବଞ୍ଚାଇବି । ଡାକ୍ତରଖାନା ନେବା ବଦଳରେ ପ୍ରହସନ ଚାଲିଛି ଏଠି । ଏକା ନିଶ୍ଵାସରେ ଏତକ କହି ଉଠାଇ ନେଲେ ମହିଳା ଜଣକୁ ମେଜର ରାଜେନ୍ଦ୍ର । ଉପସ୍ଥିତ ଦେଖଣାହାରୀଙ୍କ ପାଟିରେ ଯେମିତି ତାଲା ପଡିଗଲା । ବାହା ବାହା ଦେଲେ ସମସ୍ତେ । ଡାକ୍ତରଖାନାରେ ତିନିଦିନ ଚିକିତ୍ସା ଚାଲିବା ପରେ ଚେତା ଫେରିଲା ମହିଳା ଜଣକର ।  ହଠାତ୍ ଆଖି ସାମ୍ନାରେ ମେଜରଙ୍କୁ ଦେଖି ଖୁବ୍ ଭାବବିହ୍ୱଳ ହୋଇଯାଇଥିଲା ମହିଳା ଜଣକ । ଏଣେ ମହିଳା ଜଣଙ୍କର ଚେତା ଫେରିବା ଖୁସିରେ ବହୁତ ଆନନ୍ଦିତ ହୋଇଯାଇଥିଲେ ମେଜର ।

ଏକ ଲୟରେ ମହିଳା ଜଣଙ୍କ ମେଜରଙ୍କୁ ଚାହିଁଲା ପରେ ହାତର ଇସାରାରେ ପାଖକୁ ଡାକିଲେ  ।

ମେଜର ପାଖକୁ ଆସିବା ପରେ , ହାତଯୋଡି କୃତଜ୍ଞତା ଜଣାଇବା ସହ ମେଜରଙ୍କର ହାତ ଧରିନେଲେ । ଆଉ ମେଜରଙ୍କର କପାଳରେ ଭକ୍ତିର ଚୁମ୍ବନଟିଏ ଆଙ୍କି ଦେଲେ ।

କିଛି ବୁଝି ପାରୁ ନଥାନ୍ତି ମେଜର ।

ଗୋଟିଏ ଦିନ ପରେ ମହିଳା ଜଣଙ୍କୁ ଡାକ୍ତରଖାନାରୁ ଡିସ୍ ଚାର୍ଜ କରାଗଲା । ୟା ଭିତରେ ସ୍ତ୍ରୀ ଲୋକଟିକୁ ଦେଖିବାକୁ କେହି ଜଣେ ହେଲେ ବି ଆସିଲେ ନାହିଁ । ପଚାରିଲେ ଉତ୍ତରରେ ଟିକିଏ ହସି ଦିଏ ମହିଳାଟି ।

ମେଜର ପଚାରିଲେ ଆପଣ ତ ଏବେ ସୁସ୍ଥ । ଏଥର ଆପଣଙ୍କ ଘର କେଉଁଠି କୁହନ୍ତୁ, ମୁଁ ଆପଣଙ୍କୁ ନେଇ ଆପଣଙ୍କ ଘରେ ଛାଡି ଦେଇ ଆସିବି ।

ଦିନ ଥିଲା ମୋର ସମସ୍ତେ ଥିଲେ । ହେଲେ ଆଜି ମୋର କେହି ନାହାଁନ୍ତି । କୁଆଡେ ଯିବି ଆଜ୍ଞା । ଆଖି ଯୁଆଡେ ପାଇବ ,ତେଣିକି ପଳେଇବି । ଏ ଥିଲା ଜଣେ ନିରୀହା ମାଆର ଅଶ୍ରୁ ଭିଜା ଉତ୍ତର । ହୃଦୟର ଲହୁ ଗୁଡା ଆଖିରୁ ଧାରଧାର ଲୁହ ହୋଇ ବହି ଯାଉଥାଏ ।

ଅଖଣ୍ଡ ନୀରବତାର ରାଜୁତିରୁ ଫେରି ଆସି ମେଜର କହିଲେ ,ଠିକ୍ ଅଛି ମୋ ସହ ମୋ ଘରକୁ ଆସ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତେଣିକି ଯୁଆଡେ ଇଚ୍ଛା ସିଆଡେ ଚାଲିଯିବ ।

ଯୋର୍ କରି ମେଜର ରାଜେନ୍ଦ୍ର ନିଜ ଘରକୁ ନେଇଗଲେ ମହିଳା ଜଣଙ୍କୁ ।

ମେଜର ରାଜେନ୍ଦ୍ର ନାରାୟଣ ଚୌଧୁରୀ । ଘର ପରିବାର କହିଲେ ମାତ୍ର ୪ଜଣ । ପୁଅ ସି. ଆର.ପି.ଏଫର ଜବାନ୍ । ସବୁବେଳେ ବାହାରେ ମାନେ କାଶ୍ମୀରରେ ।  ଘରେ ବୋହୁ, ଗୋଟିଏ ୮/୯ ବର୍ଷର ନାତୁଣୀଟିଏ । ବୋହୂଟି ଭାରି ସାଧାସିଧା ଝିଅଟିଏ । ମାଛିକୁ "ମ" ବୋଲି କହେନାହିଁ । ଶ୍ଵଶୁରଙ୍କ ଠାରୁ ସବୁ କିଛି ଶୁଣି ସାରିବା ପରେ ଖୁବ୍ ସହଜରେ ଗ୍ରହଣ କରିନେଲେ ବୁଢୀକୁ ।

ସେଦିନ ଠାରୁ ସେ ତାଙ୍କ ଘରେ ବୋହୂର ଶାଶୁ ହୋଇ ରହିଲେ ।

ଦିନକର କଥା...

ପ୍ରତ୍ୟେକ ଦିନ ସକାଳୁ ସକାଳ ବୁଲା ଥିଲା ମେଜରଙ୍କର ଅଭ୍ୟାସ, ଏଣିକି କିନ୍ତୁ ସେ ପ୍ରତିଦିନ ଯୋର କରି ବୁଢୀକୁ ସାଙ୍ଗରେ ନେଇ ଯାଆନ୍ତି ।

ଦିନେ ଦୁହେଁ ଚାଲି ଚାଲି ଗୋଟିଏ ବରଗଛ ମୂଳେ ବସିଲେ । ମେଜର ପ୍ରଥମେ ନୀରବତା ଭଙ୍ଗ କରି କଥା ଆରମ୍ଭ କଲେ । ତୁମକୁ ଆଜି ଗୋଟିଏ କଥା ପଚାରିବି । ଆଶା କରୁଛି ନିଶ୍ଚୟ ଉତ୍ତର ଦେବ ।

ହଁ କୁହ, ଛୋଟ ଉତ୍ତର ଥିଲା ବୁଢୀର ।

ମେଜର- ତୁମ ନାମ କଣ, ଘର କେଉଁଠି, ଆଉ କିଏ ସବୁ ଅଛନ୍ତି ତୁମର ।

ବୁଢୀ -ପାଟପୁର ଗାଁଆର ନରୋତ୍ତମ ଦାସଙ୍କ ଝିଅ, ମୁଁ କଲ୍ୟାଣୀ । ବିବାହ ତ କରିଛି, ହେଲେ ଭାଗ୍ୟ ମୋ ସାଥ ହେଲାନାହିଁ ।

ମାନେ, ଆଶ୍ଚର୍ଯ୍ୟ ଓ ଗମ୍ଭୀର ସ୍ଵରରେ ପଚାରିଲେ ମେଜର ।

ମୁଁ ଥିଲି ଗୋଟିଏ ଉଆଁସୀ କନ୍ୟା । ବାପା ଥିଲେ ଗୋଟିଏ ପ୍ରାଇମେରୀ ଶିକ୍ଷକ । ଘରର ଆର୍ଥିକ ପରିସ୍ଥିତି ବେଶ୍ ଅସ୍ୱଛଳ । ଆଦ୍ୟ ଯୌବନର ଅନେକ ପୂର୍ବରୁ ମୁଁ ଜଣକୁ ମନପ୍ରାଣ ଦେଇ ଭଲ ପାଉଥିଲି । ଆଉ ସେ ବି ...

ଉଚ୍ଚଶିକ୍ଷା ପାଇଁ ସେ ବିଦେଶକୁ ଯାଇ ସବୁକିଛି ଭୁଲିଗଲେ । ଆଉ ଫେରିଲେ ବଡ଼ ଅଫିସର ହୋଇ । ଯୌତୁକ ରାକ୍ଷସର କବଳରେ କବଳିତ ହୋଇ ଘର ଲୋକଙ୍କ ସମେତ ସେ ବି ମୋତେ ପାଦରେ ଆଡେ଼ଇ ଆଉ କାହାକୁ ନିଜର କଲେ । ମୋ ବାପା ତାଙ୍କ ବାପାଙ୍କୁ ଏ ବିଷୟରେ ପଚାରିବାରୁ ନାନା ପ୍ରକାର ନିନ୍ଦା ଅପବାଦର ଶିକାର ହେଲେ ମୋ ବାପା । ସେଦିନ ଠାରୁ ମୋ ମୁଣ୍ଡ ଉପର ଛାତଟା ଯୌତୁକ ବନ୍ୟାରେ ଭାସିଯାଇ ମୋ ଜୀବନର ଗତିପଥକୁ ବଦଳାଇ ଦେଲା । ଯୁଆଡୁ ଯେତେ ବିବାହ ପ୍ରସ୍ତାବ ଆସିଲା ନାନା ପ୍ରକାର ଆଳରେ ଭାଙ୍ଗିଗଲା ।

ଉଆଁସୀ କନ୍ୟା ଭଳି ନିନ୍ଦା, ବୟସ ଗଡି ବୁଢୀ ହେବାର ଅପ ନିନ୍ଦାରେ ମୁଁ ଏକ ରକମ ଆତ୍ମହତ୍ୟାର ନିଷ୍ପତ୍ତି ନେଇ ସାରିଥିଲି,କାରଣ ଆଜିର ସମାଜରେ ଝିଅଟିର ପ୍ରତି ପାଦେ ପାଦେ ନିନ୍ଦା, ଅପବାଦ ଆଉ ବିପଦର ବସାମାନ ରହିଛି । ମୁଁ ବା ବର୍ତ୍ତିବି କେମିତି; କିନ୍ତୁ ବାପା ଅନ୍ୟ ଉପାୟ ମାନେ ଦୋଳବୋଇ ବରର ସନ୍ଧାନରେ ଥାଆନ୍ତି ।

ଏଣିକି ସବୁ ଦୋବେଇ ବରର ପ୍ରସ୍ତାବ ଆସିଲା । ବାପା ନିରୁପାୟ ହୋଇ ସେହି ଭଳି ସ୍ଥାନରେ ବିବାହ କରିଦେଲେ ।

ଏଇଠି ଆଉ ଏକ ଦୁର୍ଭାଗ୍ୟ ମୋ ପାଇଁ ଅପେକ୍ଷା କରିଥିଲା । ବାସର ରାତିରେ ମୋ ବର ମାନେ ସ୍ଵାମୀ ମୋତେ ଏକ କଠୋର ନିଷ୍ପତ୍ତି ଶୁଣାଇଲେ,ତାହା ପୁଣି ବିନା ଦ୍ୱିଧାରେ । ଆଉ ନିଷ୍ପତ୍ତି ଥିଲା ଯେ ମୁଁ ବାସର ରାତିକୁ ଯିବା ଆଗରୁ ସବୁ ଦିନ ପାଇଁ ମାଆ ହେବାର ସ୍ଵପ୍ନକୁ ଭୁଲିଯିବି,ମାନେ ମୋ ମାତୃତ୍ଵକୁ ଅପରେସନ କରି ସମାଧି ଦେଇଦେବି । ବଞ୍ଚିବାର ସବୁ ରାସ୍ତା ଯେମିତି ମୋ ପାଇଁ ସେଇଠି ଶେଷ ହୋଇଯାଇଥିଲା । ତଥାପି ସେ ମରିବାକୁ ନ ଦେଇ ଜଳାଇ ଜଳାଇ ବଞ୍ଚାଇ ରଖିଲେ । କାରଣ ତାଙ୍କର ଆଗ ସ୍ତ୍ରୀର ୭ଟି ସନ୍ତାନର ଲାଳନ ପାଳନ ମୋ ଉପରେ ନ୍ୟସ୍ତ ଥିଲା ।

ଅନନ୍ୟୋପାୟ ହୋଇ ତାଙ୍କର ସବୁ ପ୍ରସ୍ତାବରେ ମୁଁ ରାଜି ହୋଇଥିଲି । ଜୀବନର ପ୍ରତ୍ୟେକ ମୁହୁର୍ତ୍ତରେ ପ୍ରଥମ ପ୍ରେମର ପୁରୁଷକୁ ଝୁରିହେଉ ଥିଲି ।

ସ୍ଵାମୀଙ୍କ ସନ୍ତାନ ମାନଙ୍କୁ ଉପଯୁକ୍ତ ଭାବରେ ଗଢି ଚାଲିଥିଲି,ମାଆ ନ ହୋଇ ଉପଯୁକ୍ତ ମାଆର କର୍ତ୍ତବ୍ୟ ରେ ବ୍ରତୀ ହୋଇଗଲି ।  ମଧ୍ୟବିତ୍ତ ଅଭାବି ପରିବାରରେ ୭ଟି ପିଲାଙ୍କୁ ମଣିଷ କରିବା କେତେ ଯେ କଷ୍ଟ ,ତାହା ମର୍ମେ ମର୍ମେ ଅନୁଭବ କରେ ।  ତଥାପି କେବେ ହାରି ଯାଇ ନ ଥିଲି ।

ଚାଷୀ ପରିବାର,ଚାଷରୁ ଯାହା ରୋଜଗାର ସେଇଥିରେ ପରିବାର ଚଳେ । ଏତେ ଲୋକ ଖାଇବାକୁ,ଜଣଙ୍କର ରୋଜଗାର । ସ୍ଵାମୀ ସେଥିପାଇଁ ଢେର୍ ଦେଣା କରିଥାନ୍ତି । ସେ ସନ ଚାଷ ଭଲ ହେଲାନାହିଁ । ଧାନ ସବୁ ପୋକ ଲାଗିଗଲା । ମରୁଡି ପଡିଲା । ଦେଣା ଭାରରେ ସ୍ଵାମୀ ମୋର ଫସଲ ପାଇଁ ଆଣିଥିବା ବିଷ ପିଇ ଆତ୍ମହତ୍ୟା କଲେ । ବଞ୍ଚିବାର ରାସ୍ତା ମୋ ପାଇଁ କିଭଳି ଅଛି ଲକ୍ଷ୍ୟ କରୁଥିବେ ।

୫ପୁଅ,୨ଝିଅ । ଧୀରେ ଧୀରେ ପିଲାମାନେ ବାହା ସାହା ହୋଇଗଲେ । ନିଜ ମୁଣ୍ଡକୁ ହାତ ପାହିଗଲା । ୩ପୁଅ ଛୋଟ ମୋଟ ଚାକିରୀ କରନ୍ତି,୨ ପୁଅ ଦୋକାନ ଖଣ୍ଡେ ଖଣ୍ଡେ କଲେ । ବୋହୂ ମାନେ ଆସିବା ପରେ ସାବତ ମାଆର ଆଖ୍ୟା ଦେଇ ମୋତେ ଘରୁ ତଡିଦେଲେ । ତଥାପି ମୁଁ ମରିପାରିଲି ନାହିଁ । ଜଣେ ବାବୁ ମୋତେ ନେଇ ଗୋଟିଏ ବୃଦ୍ଧା ଶ୍ରମରେ ରଖିଦେଲେ । ବଞ୍ଚିବା କାହାକୁ କହନ୍ତି, ସ୍ନେହ ମମତା କଣ, ଆତ୍ମୀୟ ମାନେ କେମିତି ହେବା ଉଚିତ, ସେଇଠି ଜାଣିଲି ଆଉ ଦେଖିଲି ବି । ଅନ୍ତେବାସୀ ମାନେ ବହୁତ ଆପଣାର । ହେଲେ ଆଉ ଏକ ବାସ୍ତବ ସତ୍ୟ ଯେ ମୋତେ ସାମ୍ନା କରିବାକୁ ପଡିଲା ସେଦିନ । ଏଇଠି କହି ରଖେ ମୋ ପୁଅଝିଅ ମାନେ ସିନା ଏମିତି, ହେଲେ ନାତି ନାତୁଣୀ ମାନେ ଭାରୀ ସ୍ନେହୀ । ମୋତେ ଦଣ୍ଡ ତାଙ୍କ ପାଖରୁ ଛାଡନ୍ତିନି । ସେମାନଙ୍କ କଥା ସବୁବେଳେ ମନେ ପଡେ ।

ସେଦିନ ବୃଦ୍ଧାଶ୍ରମର ସେକ୍ରେଟେରୀ ଆସି ଖବର ଦେଲେ, ଆଜି ଗୋଟିଏ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆମମାନଙ୍କୁ କମ୍ବଳ, ଚଦର ବାଣ୍ଟିବାକୁ ଆସିବ । ଭାରି ଖୁସି ରେ ସମସ୍ତେ ଗାଧୁଆ ପାଧୁଆ ସାରି ଅପେକ୍ଷା କଲୁ । ସେମାନେ ବି ଆସିଲେ  । ସେମାନେ ଥିଲେ ସବୁ ମୋ ନାତି ନାତୁଣୀ ବୟସର । ଆମକୁ ଜୁହାର କରି ପରମ ଆନନ୍ଦରେ ସେସବୁ ଦେଉଥାନ୍ତି । ମୋ ପାଳି ପଡିବା ଆଗରୁ ମୁଁ ଦେଖିଲି ମୋ ନାତିଆ ବି ତାଙ୍କ ସାଙ୍ଗରେ ଆସିଛି । ସେ ମୋତେ ଦେଖିଲେ ତ ଜେଜେମା ଜେଜେମା କହି କୁଣ୍ଢେଇ ପକାଇବ । ଆଉ ଘର ଛାଡି ଏଠାକୁ କାହିଁକି ପଳାଇ ଆସିଛି ବୋଲି କୈଫିୟତ ମାଗିବ,ପୁଣି ତା ସାଙ୍ଗମାନଙ୍କ ପାଖରେ କେତେ ଛୋଟ ହୋଇ ନ ଯିବ ସେ । ସମସ୍ତେ କେତେ କଣ ତାକୁ ପଚାରିବେ । ସେ କି ଉତ୍ତର ଦେବ । ଘରେ ଯାଇ ତା ବାପା ବୋଉକୁ ଗାଳି ମନ୍ଦ ଦେବ । ଘରେ କେତେ ଅଶାନ୍ତି ନ ହେବ ।  ଏକଥା ମନରେ ବିଚାରି ,ଅନ୍ୟମାନଙ୍କୁ କମ୍ବଳ ବାଣ୍ଟିବା ବେଳେ ଚୁପ୍ କରି ପାଇଖାନା ଯିବା ବାହାନାରେ ସେଠାରୁ ଖସି ପଳେଇ ଆସୁ ଆସୁ ବାଟରେ ଦୁର୍ଘଟଣାର ଶିକାର ହୋଇ ଏଠାରେ ଆସି ପହଞ୍ଚି ଗଲି । ଏଇ ମୋର କାହାଣୀ ଆଜ୍ଞା ।

ବୁଢ଼ୀ ଆଖିରୁ ଝରଝର ହୋଇ ଲୁହ ବହିଯାଉଥାଏ । ମେଜର ବି କାନ୍ଦୁଥିଲେ ।

କିଛି ସମୟ ପରେ ଦୁହେଁ ଘରକୁ ଆସିଲେ । କାହିଁକି କେଜାଣି ମେଜରଙ୍କର କୈଲ୍ୟାଣୀ ଦେବୀଙ୍କ ଉପରେ ଦୟା ହେଲା ଭାବିଲେ, ଏ ଯେତେଦିନ ବଞ୍ଚିବ, ଏଇଠି ଥାଉ ମରିବା ଯାଏ ।

ଦିନକର କଥା, ବୋହୁ ଜଳଖିଆ ଦେଇ ବଜାର ଚାଲିଗଲା ଝିଅକୁ ସାଙ୍ଗରେ ଧରି । ଘରେ ମେଜର ଆଉ କଲ୍ୟାଣୀ ଦେବୀ ଚେୟାରରେ ବସି ଖବରକାଗଜ ପଢୁଥାଆନ୍ତି ମେଜର । ଭାରି ଆଗ୍ରହ ସହକାରେ ଚା’ ଦୁଇ କପ୍ ଧରି ଆସି ପହଞ୍ଚିଲେ କଲ୍ୟାଣୀ ଦେବି ।  ଗୋଟିଏ କପ୍ ମେଜରଙ୍କୁ, ଆଉ ଗୋଟିଏ କପ୍ ନିଜେ ଧରି ବସି ପଡିଲେ ।

ଏମିତି ଗପ ସପରେ ଦୁହେଁ ମାତିଗଲେ ଯେ କଥା ଯାଇ ଲଟକିଲା କଲ୍ୟାଣୀ ଦେବୀଙ୍କ ଅତୀତର ସେଇ ଈପସିତ ପୁରୁଷ ପାଖରେ । ମେଜର ପଚାରିଲେ କଲ୍ୟାଣୀ ଦେବୀ, ତୁମର ସେ ଦିନର ସେଇ ପ୍ରେମିକ ଜଣକ ଏବେ କେଉଁଠି ଅଛନ୍ତି କୁହନ୍ତୁ ତ । ଯୌବନ ସମୟରେ ଘର ସଂସାର ସିନା କରିପାରିଲେ ନାହିଁ । ହେଲ ଶେଷ ସମୟରେ ସାହାରା ଟିକିଏ ତ ଦେଇପାରିବେ । କୁହନ୍ତୁ ତ ,ସେ ଏବେ କେଉଁଠି? ।

କଲ୍ୟାଣୀ ଦେବୀ କୋହ ମିଶା କଣ୍ଠରେ କହିଲେ, ମେଜର ,ଏବେ ଆଉ ସେସବୁ କାହିଁକି?

ବୟସର ଅପରାହ୍ନରେ ତାଙ୍କର ଆଉ କଣ ବା ଆବଶ୍ୟକ ଅଛି । ମୁଁ କଣ ଆପଣଙ୍କର ବୋଝ ବୋଲି ଆପଣ ମାନେ ଭାବୁଛନ୍ତି । ତାହେଲେ ମୁଁ ଏଠାରୁ ପଳେଇ ଯିବି । ହଁ,ହଁ ମୁଁ ପଳେଇ ଯିବି ।

ନାହିଁ କଲ୍ୟାଣୀ ଦେବୀ । ଶେଷ ବେଳେ ହସ ଖୁସି,ଥଟ୍ଟା ମଜା, ଗପ ସପ ପାଇଁ ସାଥି କେବଳ ଜଣେ ଦରଦୀ ବନ୍ଧୁ ହିଁ ହୋଇଥାଏ । ଆପଣ ମୋ କଥାକୁ ଅନ୍ୟଥା ନିଅନ୍ତୁ ନାହିଁ । ମେଜର ଦରଦ କଣ୍ଠରେ ବୁଝାଇଲେ ।

କଲ୍ୟାଣୀ - ମୁଁ ଯଦି କହେ ସେହି ଦରଦୀ ବନ୍ଧୁ ଜଣକ ଆପଣ ବୋଲି, କଣ ଅସ୍ୱୀକାର କରିବେ ।

ମେଜର - ନାହିଁ ଅସ୍ୱୀକାର ତ କରି ପାରିବି ନାହିଁ, ତଥାପି ଆପଣଙ୍କ ମୁହଁରୁ ଖାଲି ସେ ବ୍ୟକ୍ତିଙ୍କର ପରିଚୟ ମାଗିବି ।

କଲ୍ୟାଣୀ - ସେ ତ ମହାନ ମୋ ପାଇଁ, ସେ ତ ମୋ ଭଗବାନ । ତାଙ୍କ ନାମରେ ମୁଁ କିଛି ଶୁଣିପାରିବି ନାହିଁ ।

ମେଜର - ମୁଁ ଅନୁରୋଧ କରୁଛି, ଖାଲି ତାଙ୍କର ନାଆଁ ମୋତେ ଥରେ କୁହ ।

କଲ୍ୟାଣୀ - ସେ ତ ଆଉ କେହି ନୁହନ୍ତି, ମୋ ସାମ୍ନାରେ ବସିଛନ୍ତି, ମୋ ପ୍ରଥମ ପ୍ରେମର ପୁରୁଷ, ମୋ ବାଲ୍ୟ ସାଥି ରାଜୁ ଓରଫ ଆଜିର ମେଜର ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ।

ମେଜର - ଆରେ ତୁମେ କଣ ସେଇ ଟିକି । ମୋ ପିଲା ଦିନର ବାଲ୍ୟ ସାଥି,କହି କୋଳେଇ ନେଲେ କଲ୍ୟାଣୀ ଦେବୀଙ୍କୁ । ଦୁହେଁ ଦୁହିଁଙ୍କୁ ବହୁତ ସମୟ ଯାଏ କୋଳାକୋଳି କରି କାନ୍ଦିଲେ ।

ମେଜର - ସେଥିପାଇଁ ପରା ସେଦିନ ଠାରୁ, ତୁମକୁ ଦେଖିବା ଦିନଠାରୁ ମୁଁ ଅନ୍ୟମନସ୍କ ହୋଇ ଗାଡ଼ି ବାଡେଇ ଦେଇଥିଲି । ଆଉ ସେ ଋଣ ପରିଶୋଧ ପାଇଁ ପାଖରେ ରଖି ସେବାଶୁଶ୍ରୂଷା କଲି । ସେ ଦୋଷମୁକ୍ତ ପାଇଁ ନିଜକୁ ସବୁବେଳେ ଧିକ୍କାର କରୁଛି । ମୋତେ ତୁମେ କ୍ଷମା କରିଦିଅ କଲ୍ୟାଣୀ ।

କଲ୍ୟାଣୀ - ଛି,ତୁମେ ସେମିତି କୁହନି । ତୁମ ପାଇଁ ତ ମୁଁ ଆଜି ବଞ୍ଚିଛି ।

ଏହି ସମୟରେ ବୋହୁ ସହ ନାତୁଣୀ ବି ଆସି ପହଞ୍ଚି ଗଲେ ।

ସେମାନଙ୍କୁ ଦେଖି କଲ୍ୟାଣୀ ଦେବୀ ବ୍ୟସ୍ତ ବିବ୍ରତ ହୋଇଗଲେ ।

ହେଲେ ବୋହୁ କହିଲା ମାଆ, ଆପଣ କିଛି ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ ସବୁ ଜାଣିଛି, ବାପା ମୋତେ ସବୁ କହିଛନ୍ତି ।

ପିଲା ଦିନରୁ ବାପା ମାଆଙ୍କୁ ହରାଇଥିଲି । ବାପା ବଦଳରେ ବାପା ସିନା ପାଇଥିଲି, ହେଲେ ଆଜି ଯାଏ ମାଆର ସ୍ଥାନ ଅପୂରଣୀୟ ଥିଲା, ଆଜି ଆପଣ ସେ ସ୍ଥାନ ପୂରଣ କରିଦେଲେ । ଆପଣଙ୍କ ବ୍ୟକ୍ତିତ୍ୱ ପାଖରେ ଆଜି ସମଗ୍ର ମାତୃ ସମାଜ ହାତଯୋଡି ପ୍ରଣାମ କରୁଛି ମାଆ ।

ଆପଣଙ୍କ ତ୍ୟାଗ, ଆପଣଙ୍କ ସହିଷ୍ଣୁତା ପାଇଁ ସଭିଙ୍କ ପାଖରେ ମହାନ ହୋଇଯାଇଛନ୍ତି । ମାଆ ସମାଜର ଆପଣ ହେଉଛନ୍ତି ଉଦାହରଣ । ଧନ୍ୟ ମାଆ ତୁମେ । ଜନନୀ ଜନ୍ମଭୂମିଙ୍କ ସ୍ଵର୍ଗାଦପି ଗରୀୟସୀ ।

ପ୍ରଣତି ମହାପାତ୍ର

ଫକୀରମୋହନ ନଗର,ବାଲେଶ୍ଵର


Rate this content
Log in

Similar oriya story from Inspirational