Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nityananda Nandi

Tragedy Classics Thriller

3  

Nityananda Nandi

Tragedy Classics Thriller

ଅପହରଣ

ଅପହରଣ

5 mins
238



ଶୁନଶାନ୍ କୋଠରୀ, ପ୍ରଥମ ପ୍ରହରକୁ ଟପିନି ରାତିଟା। ଜୀବନ ଓ ମୃତ୍ୟୁର ସଂଘର୍ଷ, ଆବଦ୍ଧ କୋଠରୀ ଭିତରେ। ନକ୍ସଲଙ୍କ କବଳରେ ପରିତୋଷ। ମୃତ୍ୟୁ ଅବଶ୍ୟମ୍ଭାବୀ। ହାତରେ ଅଳ୍ପ ସମୟ। ଅନେକ କଥା ଲେଖିବାକୁ ଅଛି ସ୍ତ୍ରୀ ପ୍ରଭାଳିକାଙ୍କୁ। 

କେତେ ସମୟ ହାତରେ ଅଛି ଜଣା ନାହିଁ। ସମୟ ନଷ୍ଟ ନ କରି ଲେଖିଲେ ସେ ମନ ଭିତରେ ଖୁନ୍ଦି ହୋଇ ରହିଥିବା କେତେ କୁହା ଆଉ କେତେ ଅକୁହା କଥା ସବୁ...


ପ୍ରଭା

ବହୁତ କମ୍ ସମୟ ମୋ ପାଖରେ। ଜୀବନରେ ଏମିତି କିଛି କଥା ଥାଏ, ଯେଉଁ କଥାକୁ ବାର ବାର ତମକୁ କହିବାକୁ ଇଛା ହୁଏ । ସେଇ କଥାଟିକୁ ପ୍ରଥମେ କହି ଦେଉଛି, ଆଇ ଲଭ ୟୁ ପ୍ରଭା। ଆଇ ଲଭ ୟୁ । କାରଣ ସେମାନେ ଯେତେପର୍ଯ୍ୟନ୍ତ ଚାବି ଖୋଲି ନାହାନ୍ତି, ମୁଁ ଜୀବିତ ଅଛି ବୋଲି ଭାବିନିଅ। ଚାବି ଖୋଲିବାର ଶବ୍ଦ ମାନେ, ମୃତ୍ୟୁ ଆଉ ଦୁଇ ତିନି ନିଃଶ୍ୱାସ ଦୂରରେ ।


କାହିଁକି କେଜାଣି, ତମ ବାହାଘର ଦିନର ମୁହଁ ଆଜି ଆଖି ଆଗରେ ନାଚୁଛି। ସାତ ଫେରି, ଦୁଃଖ ସୁଖ ଆଉ ତମ ମୃତ୍ୟୁ ପର୍ଯ୍ୟନ୍ତ ତମ ପାଖେ ପାଖେ ରହିବାର ପ୍ରତିଜ୍ଞା ସବୁ ଆଜି ମିଛ ଲାଗୁଛି। ସେଦିନ ସେଇ ବାହାବେଦୀ ଉପରେ ମୃଗ ନୟନୀ ଝିଅଟିଏ, ତମେ ଥିଲ ନା...। ମନେ ଅଛି ! ବଉଳ ଫୁଲର ବାସ୍ନାରେ ମହକୁଥିଲା ବେଦୀଟି। ଆକାଶରୁ ଯେମିତି କୃଷ୍ଣଚୂଡ଼ା ପାଖୁଡ଼ା ସବୁ ବରଷୁ ଥିଲା ମୂଷଳ ଧାରାରେ। ଗୋଟେ ସ୍ବର୍ଗ ଫେରନ୍ତା ପରୀର ବାହାଘର...। ମୋ ନଜର ଲାଖି ଥିଲା କୋଉଠି ଜାଣିଛ ! ଗୋରା ହାତରେ ନେସିଥିବା କଳା କଳା ମେହେନ୍ଦି ଉପରେ । ମୋ ନଜର ପଡ଼ିଗଲା ନା.. ତମ ଉପରେ। ଏତେ ସୁନ୍ଦର ଚେହେରା ଉପରେ ବୈଧବ୍ୟ ର କଳାବାଦଲ ଏତେ ଶୀଘ୍ର ଘୋଟି ଆସିବ, କେବେ ଭାବି ନ ଥିଲି। ଶବ ଉଠିଯିବା ପରେ ଘର ଅଗଣାର ନିସ୍ତବ୍ଧତା ପରି ଜୀବନଟା କେବେ କେବେ ଭାରି ବିଭତ୍ସ ଲାଗେ ନା.. ପ୍ରଭା। 


ହଁ, ଆସନ୍ତା ମେ ଦଶ ତାରିଖରେ ତମ ଜନ୍ମଦିନ ବୋଲି ଦୁଇ ଦିନ ଆଗରୁ ମୋତେ କହିଥିଲ ୱାଟସପରେ। ସରପ୍ରାଇଜ୍ ଗିଫ୍ଟ ଦେବି ବୋଲି ଭାବିଥିଲି। ସମ୍ଭବ ହେଲା ନାହିଁ। । କାନ ଫୁଲ କଥା ବାର ବାର କହୁଥିଲ ନା ..ମୋ ଅଫିସ ବେଗ ଭିତରେ ଛୋଟ ପର୍ସଟିଏ ଅଛି , ତା ଭିତରେ ତମ ପାଇଁ ନୂଆ କାନ ଫୁଲ ଲୁଚେଇ ରଖିଛି। ଭାବିଥିଲି ତମକୁ ମୁଁ ନିଜ ହାତରେ ପିନ୍ଧେଇ ଦେବି ତମ ଜନ୍ମଦିନରେ। ଲୋରୀ କୁ କହିବ, ପିନ୍ଧେଇ ଦେବ। ରାଣ ରହିଲା କାନ୍ଦିବନି, ଲୋରୀ କଷ୍ଟ ପାଇବ। ଜୀବନର ଘୋମାଘଟ ଲଢେଇ ଭିତରେ ଇଚ୍ଛା ମାନଙ୍କର ଅପମୃତ୍ୟୁ ସ୍ଵାଭାବିକ ପ୍ରଭା। ସବୁ ଇଚ୍ଛା ପୂରଣ ହୁଏନି। ସାରା ଆକାଶ ଟା ତା'ର ବୋଲି, ତାରା କେତେ ଗର୍ବ କରେ। ଅତି ଖୁସି ହୋଇ, ଆକାଶରେ ମିଞ୍ଜି ମିଞ୍ଜି କରୁଥିବା ତାରା ମାନଙ୍କୁ କଳା ମେଘ କାବୁ କରି ନିଏ, ତାରା କଣ ଜାଣି ପାରେ ?? 


ଚାକିରୀ ଛାଡିବନି। ଗାଆଁ ରେ ତମେ ଚଳି ପାରିବନି ପ୍ରଭା। ଦେଖିବ ! ବହୁତ ଶୀଘ୍ର ତମ ଚାକିରୀ ସ୍ଥାୟୀ ହୋଇଯିବ, ଜମାରୁ ବ୍ୟସ୍ତ ହେବନି। 

  

ଶୁଣ ! ଟିଉସନ ଯିବା ରାସ୍ତାରେ ଭୟଙ୍କର ଝଙ୍କାଳିଆ ବଟ ଗଛ ଆସିଲେ ଲୋରୀ, ଡରିଯାଏ। ମୋ ହାତକୁ ଚାପି ଧରି କହେ ଡା ଡି, ଭାରି ଭୟ ଲାଗୁଛି ନା..। ମୁଁ ଯେଉଁଦିନ ହେଡ କ୍ୱାର୍ଟର ରେ ନ ଥାଏ, କନେଷ୍ଟବଳ ଦୀପକ ଯାଇ ଗଛ ପାଖରେ ଛିଡ଼ା ହୁଏ। ସେ ନିର୍ଭୟରେ ଘରକୁ ଫେରେ। ତେଣୁ ତମେ ନିଜେ ଯାଇ ଲୋରୀ କୁ ନେଇ ଆସିବ। ଡିଫେନସ୍ କଲୋନୀ ଭିତରେ ଭୟ ନାହିଁ, ତଥାପି କାହିଁକି କେଜାଣି ଲୋରୀ କୁ ଭାରି ଭୟ ଲାଗେ ସେଇ ଝଙ୍କାଳିଆ ବଟ ଗଛ ପାଖରେ। ଫୁଲ ପେନ୍ଥାରୁ ଫୁଲଟିଏ ଖସିଲେ ଅନ୍ୟ ଫୁଲ ମାନେ କଣ ଜାଣି ପାରନ୍ତି ? ଏମିତି ଅକାଳରେ ଝଡି ଯାଉଥିବା ଫୁଲ ପାଇଁ ସେମାନଙ୍କୁ କଷ୍ଟ ହେଉଥିବ ନା ..। 

ଏଇ ଭିଡଭାଡ, ବ୍ୟସ୍ତ ବହୁଳ ପୃଥିବୀ ଭିତରେ ସମୟ ବି ଯଥେଷ୍ଟ ମିଳେନି ପ୍ରଭା। ସ୍ୱଳ୍ପ ସମୟ ଭିତରେ ତମକୁ ସମ୍ପୂର୍ଣ୍ଣ ଭଲ ପାଇବାର କଳା ମୋ ପାଖରେ ନ ଥିଲା। ବହୁତ ବାକି ରହିଗଲା କଥା ସବୁ ଗପିବାକୁ ଆମ ଦୁହିଙ୍କ ଭିତରେ। ଆର ଜନ୍ମରେ ପୁଣି ଥରେ ଗପିବା ବାକିଥିବା କଥା ସବୁ, ଯଦି ସମ୍ଭବ ହୁଏ.. 


ହଁ, ଆଉ ଗୋଟେ କଥା। ଆଜି ପର୍ଯ୍ୟନ୍ତ ତମକୁ କହିନି ବୋଲି ଖରାପ ଭାବିବନି। ମୁଁ ପ୍ରତିମାସ ମୋ ଦିଦି ପାଖକୁ ହଜାରେ ଟଙ୍କା ମନି ଅର୍ଡର କରିଥାଏ। ବାଲ୍ୟ ବିଧବା ସେ। ଆଜିଠୁ ସେଇ କାମଟି ତମେ କରିବ। ସ୍ଵାମୀ ବିନା ମୋ ଦିଦି କେତେ କଷ୍ଟ ପାଇଥିବ, କିଛି ଦିନ ପରେ ତମେ ବୁଝି ପାରିବ। ପ୍ଲିଜ୍ ଭୁଲିବନି। ତମ ପାଖରେ ବି ଏତେ ପଇସା କୋଉଠୁ ଆସିବ, ଅତି କମରେ ପାଞ୍ଚ ଶହ ପଠେଇବ ନା ...। ବିଚାରୀ କଷ୍ଟ ପାଏ। ସେଇ ହଜାରେ ହିଁ ତାର ସମ୍ବଳ ଥିଲା ପ୍ରଭା। ତା ଶାଶୁ ଘରେ ତା କଥା କେହି ବୁଝନ୍ତିନି ବୋଲି ତମକୁ ମୁଁ କେବେ କହିନି। ସବୁ ଦୁଃଖ କଥା କଣ କହି ହୁଏ। ଜୀବନରେ ସବୁ କଥା ଲୁଚେଇ ରଖି ହୁଏନି ପ୍ରଭା। ପାଉଁଶ ଭିତରେ ଛୁପି ରହିଥିବା ନିଆଁ ବେଳେ ବେଳେ ଧୂଆଁ ହୋଇ ଭିତରେ ଶୋଇ ରହିଥିବା ସତକୁ ଟାଣି ଓଟାରି ନେଇ ଆସେ ବାହାରକୁ। ଜୀବନରେ ସବୁ ସମ୍ପର୍କକୁ ଖାଲି ବଞ୍ଚେଇ ରଖିଲେ ହୁଏନି, ତାକୁ ସନ୍ତୁଳିତ କରି ରଖିବାକୁ ପଡେ ପ୍ରଭା। ମୁଁ ଠିକ୍ ତାହା ହିଁ କରିଛି।


ଗାଆଁରେ ବାପାଙ୍କ ପାଇଁ କୋମୋଡଟିଏ ବସେଇବି ବୋଲି କହି ଆସିଛି। ଭୁଲିବିନି, କୋମୋଡ କିଣିଦେଇ ଆସିବ। ବୋଉର ସମାଧିରେ ରଙ୍ଗ ଛାଡି ଯାଇଛି ବୋଲି ବାପା କହୁଥିଲେ। ଆମ ଗାଁ ରେ ପୁନିଆକୁ କହିବ, ସମାଧିରେ ରଙ୍ଗ ଲଗେଇଦେବ। ବାପା ଖୁସି ହେବେ। ବୋଉ ର ସମାଧି ପାଖରେ ମୋ ସମାଧି ହେଲେ ସୁନ୍ଦର ଲାଗିବ ନା ପ୍ରଭା !!  


ମୋର, ଅଚାନକ ଏମିତି ଚାଲିଯିବା ଟା ବାପାଙ୍କୁ ଶକ୍ତ ଧକ୍କା ଦେବ ପ୍ରଭା। ତାଙ୍କୁ କହିବ, ତମେ ତାଙ୍କ ପାଖେ ପାଖେ ଅଛ ବୋଲି। ଆଉ କହିବ, ସାପ ସିଡି ଖେଳର ଏଇ ଜୀବନ। କାହାକୁ କେତେବେଳେ ସାପ ଦଂଶି ଦିଏ, ବୁଝି ହୁଏନି। ବୁଝିଲା ବେଳକୁ ସମୟ ବହୁତ୍ କମ ଥାଏ ପ୍ରଭା। ହିସାବ ନିକାସ କରି ହୁଏନି ଏତେ ସ୍ୱଳ୍ପ ସମୟ ଭିତରେ। ବେଳାଭୁଇଁରୁ ଶାମୁକା ଗୋଟାଉ ଗୋଟାଉ, କିଏ ଜାଣିଛି ପଛରୁ ଉତ୍ତାଳ ତରଙ୍ଗ ଆସି ଶାମୁକା ସାଥିରେ ମଣିଷ କୁ ଭସେଇ ନେଇଯାଏ ବୋଲି !! ଶାମୁକା ନେଇ ସ୍ବପ୍ନକୁ ସଜେଇବାର ନିଶା ଧରାଶାୟୀ ହୋଇଯାଏ ପ୍ରଭା। ଆତ୍ମୀୟଙ୍କ ଅବ୍ୟକ୍ତ ଦୁଇ ଟୋପା ଲୁହରେ ବାଲୁକା ଭିଜି ଯାଏ ସିନା ଦୁଃଖର ଲାଘବ ହୁଏନି।


ହଁ, ଗାଆଁ ହାଇସ୍କୁଲ ଅଫିସ ଘରେ ଝରକା ନାହିଁ। ଏଇ ଛୁଟିରେ ମୁଁ ହାଇସ୍କୁଲ ଭିତରକୁ ଏମିତି ପଶି ଯାଇଥିଲି। ବିଭୂତି ସାର ଭଙ୍ଗା ଝରକାକୁ ଦେଖେଇ ଭାବପ୍ରବଣ ହୋଇ ଉଠିଲେ। ମୁଁ କହିଲି ସାର୍ ! ବ୍ୟସ୍ତ ହୁଅନ୍ତୁ ନାହିଁ। ନୂଆ ଝର୍କା ବନେଇବା ଦାୟିତ୍ଵ ମୋ ଉପରେ ଛାଡି ଦିଅନ୍ତୁ। 

ପ୍ରଭା ! ଆମ ଗାଁ ସନିଆ ବଢେଇ ପାଖରେ ଅର୍ଡର ଦେଇ ଆସିଛି। ତାକୁ ତିନି ହଜାର ଦେଇ ଝର୍କାଟିକୁ ସ୍କୁଲ ଘରେ ଲଗେଇ ଦେବାର ବ୍ୟବସ୍ଥା କରିବ। ଶାଳ କାଠ ଦେବ ବୋଲି କହିଛି, ଦେଖିବ ! ଠକେଇ ନ ଦିଏ ଯେମିତି।

ଗୋଟାଏ କଥା କହିବି ପ୍ରଭା ! ମଣିଷର ଇଚ୍ଛା ଅନ୍ତହୀନ। ଇଚ୍ଛା ଜନ୍ମଗତ ଅଧିକାର। ଇଚ୍ଛା ହିଁ ଦୁଃଖର କାରଣ। ସମାଜ ବୋଧେ ସବୁ ମଣିଷର ସର୍ବନିମ୍ନ ଇଚ୍ଛାକୁ ବୁଝି ପାରେନି, ହୃଦୟ କିଛି ନୁହେଁ, ଛୋଟ ମାଂସପେଶୀ ଟିଏ। ଚାହିଁଲେ ସବୁ ହୃଦୟକୁ ଜୟ କରି ହୁଏ। ଦଙ୍ଗା, ଅପହରଣ ସବୁ ରୋକି ଯାଇ ପାରନ୍ତା ନା.. ପାରିବ ତ ଦଶାହ ଦିନ ମୋ ତରଫରୁ ଏଇ ମେସେଜ ଟିକୁ ତମେ ପଢ଼ିଦେବ, ସର୍ବ ସମକ୍ଷରେ.. 


ଚିଠି ଟିକୁ ଭାଙ୍ଗି ମୋଡ଼ି କବାଟ ଫାଙ୍କ ଦେଇ ବାହାରକୁ ଫୋପାଡ଼ି ଦେଲେ ପରିତୋଷ.. କିଛିଟା ଆଶ୍ବସ୍ତ ବୋଧ କରୁଥିଲେ ସେ, ମନ କଥା ଆପାତତଃ ପ୍ରଭାଳିକା ପାଖରେ ପହଞ୍ଚିବ ତ !!! ଦୁଇ ତିନି ଘଣ୍ଟା କଟିଗଲାଣି ଏହା ଭିତରେ। ଆଖି ବନ୍ଦ କରି ଶୋଇବାକୁ ଚେଷ୍ଟା କରୁଥିଲେ ସେ।

******

ହଠାତ ଅନ୍ଧାର ହୋଇଗଲା ରୁମ ଭିତରଟା। ଭୟରେ ଆଖି ବନ୍ଦ କରିଦେଲେ ପରିତୋଷ। ଚାବି ଖୋଲିବାର ଶବ୍ଦ, ଭୟଙ୍କର ଥିଲା ମୁହୂର୍ତ୍ତଟା, ଛାତିରେ ଦକା ପଶିଲା। ଭିତରକୁ ଦଳେ ଲୋକ ପଶି ଆସିଲେ। ପରିତୋଷ କିଛି ବୁଝିବା ଆଗରୁ ଆଖିରେ ପଟି ବାନ୍ଧିଦେଲେ ସେମାନେ। ଦୁଇହାତ ଧରି ଚାଲିଲେ , ନିଘଞ୍ଚ ଜଙ୍ଗଲ ପରି ମନେ ହେଉଥାଏ ପରିତୋଷ କୁ। ସମସ୍ତେ ଚୁପଚାପ୍, ସେମାନେ ଚାଲି ଥାଆନ୍ତି, ପରିତୋଷ ଚାଲି ଥାଆନ୍ତି ସେମାନଙ୍କ ସହିତ। ଏକ ଘଡି ସନ୍ଧି ମୁହୂର୍ତ୍ତ, ମୃତ୍ୟୁ ସାଥିରେ କିଛି ସମୟ ଚାଲିବାର ଅନୁଭବ ଭିତରେ କଲିଜା ପଥର ପାଲଟି ଯାଏ। ନିର୍ବାସନ ର ବିଳାପ ଠୁ ଆହୁରି କଷ୍ଟ ଏଇ ମୃତ୍ୟୁର ଚକ୍ରବ୍ୟୁହ। ମୃତ୍ୟୁର ବି ଏତେ ରୂପ ଥାଏ.......!!!! ଗମ୍ ଗମ୍ ଝାଳ ବୋହି ଚାଲିଥିଲା ପରିତୋଷଙ୍କ ଶରୀରରୁ।


ଚିଠିଟିକୁ ମୋ ସ୍ତ୍ରୀ ର ଠିକଣାରେ ପଠେଇଦେବ ନା...


କେହି କିଛି ଉତ୍ତର ଦେଲେ ନାହିଁ।

ଦୁଇ ଅଢେଇ ଘଣ୍ଟା ଚାଲିବା ପରେ ସେମାନେ ପରିତୋଷକୁ ଛିଡା କରିଦେଲେ ଗୋଟାଏ ଜାଗାରେ। ବିଡି ଧୂଆଁ ରେ ନାକ ଫାଟି ଗଲା, ଭୁଟ ଭାଟ କଥା ସବୁ କାନରେ ପଶିଲା। ଡରିଗଲେ ପରିତୋଷ, ଏଇଟା ବୋଧେ ଶେଷ ମୁହୂର୍ତ୍ତ !!

ହଠାତ୍ ମନେ ହେଲା, ପାଖରେ କେହି ନାହାନ୍ତି। ଧିରେ ଧିରେ ପରିତୋଷ ନିଜ ହାତରେ ପଟି ଖୋଲିଦେଲେ ଆଖି ଉପରୁ। ଭୟର ଝଡଟିଏ ଆନ୍ଦୋଳିତ କଲା ତାଙ୍କ ମନକୁ। କୋଉଠି ମୃତ୍ୟୁ ଛୁପି ବସିନି ତ ! ମୃତ୍ୟୁର ବି ଅଜବ ଅଭିନୟ, କିଛି ବୁଝି ପାରୁ ନ ଥିଲେ ପରିତୋଷ !


ବିସ୍ତୃତ ରାଜପଥ। ଆଗରେ କେହିନାହିଁ, ଖାଲି ବଞ୍ଚିବାର ଆଶା। ପଛରେ କେହିନାହିଁ, ଶୂନ୍ୟ ଆକାଶ ତଳେ ଦରଦୀ ହୃଦୟର ପ୍ରତିବିମ୍ବ ବିଛେଇ ପଡ଼ିଛି ରାଜପଥରେ, ଦୂର ଦିଗବଳୟ ପର୍ଯ୍ୟନ୍ତ । ମୃତ୍ୟୁ ମୁହଁରୁ ଛଡେଇ ନେଇ ଆସି କେହି ଜଣେ ଯେମିତି ଛାଡି ଦେଇ ଯାଇଛି ଆଶାର ଏକ ନିଶବ୍ଦ ସୂର୍ଯ୍ୟୋଦୟ ପାଖରେ। ପରିତୋଷ, ବୀରଦର୍ପରେ ଚାଲିଥିଲେ ଆଗକୁ ଭାରତ ମା'ର ଏକ ସୋର୍ଯ୍ୟଭରା ସୈନିକ ପରି, ନିଜ ସହର ଆଡ଼କୁ.. ।



Rate this content
Log in

Similar oriya story from Tragedy