Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମନୁଆର କୀର୍ତ୍ତି - ଇନଷ୍ଟାଣ୍ଟ କବି
ମନୁଆର କୀର୍ତ୍ତି - ଇନଷ୍ଟାଣ୍ଟ କବି
★★★★★

© Rakesh Mishra

Comedy

5 Minutes   14.1K    10


Content Ranking

କିଛିଦିନ ହେଲା ମନୁଆକୁ ନିଶା ଘାରିଛି, କବି ହେବ । କହିବା ବାହୁଲ୍ୟ ଯେ, ଫେସବୁକରେ ଗଣ୍ଡା ଗଣ୍ଡା କବି କବୟିତ୍ରୀ ମାନଙ୍କ କବିତା ଦେଖି ଦେଖି ତସ୍ୟ ହୃଦୟ କବିତା ଲେଖିବାକୁ ବ୍ୟାକୁଳ। ଶନିବାର ସନ୍ଧ୍ୟାରେ, କ୍ଲବଘରେ କ୍ୟାରେମ୍ ପିଟୁ ପିଟୁ ଅନାଦି ଭାଇନା, ବିଷର୍ଣ୍ଣତାର କାରଣ ପୁଛନ୍ତେ ମନୁଆ ନିମ୍ନଦୃଷ୍ଟିପାତ ପୂର୍ବକ କ୍ଷୀଣ କଣ୍ଠରେ ନିଜ ଇଛା କଥା ପ୍ରକାଶ କଲା । ମନୁଆ କଥା ଶୁଣି ଅନାଦି ଭାଇନା ହସି କହିଲେ ଏଇ ଗୋଟେ କଥା। କାଲି, ସକାଳେ ଘରକୁ ଆ । କବି ହବାର ସଲିଡ଼୍ ଟିପ୍ସ ଦେବି । କବିତା ଚିନ୍ତା ଛାଡି କ୍ୟାରେମ ଉପରେ ଧ୍ୟାନ ଦେ । କାଲି ସକାଳ ଠାରୁ ତୋ କବି ହେବାର ପ୍ରଶିକ୍ଷଣ ଶ୍ରୀଗଣେଶ କରି ଦେବା। ଅନାଦି ଭାଇନାଙ୍କ ଅଭୟ ବାଣୀ ଶୁଣି ମନୁଆ କିଛି ଟା ଆଶ୍ୱସ୍ତ ହେଲା ।

ପରଦିନ, ମାନେ ରବିବାର ସକାଳୁ ସକାଳୁ ଗାଧେଇ ଚିତା ଚଇତନ ହୋଇ ମନୁଆ ବାହାରିଲା, ଅନାଦି ଭାଇନାଙ୍କ ଘରକୁ । ପ୍ରାଥମିକ ଚାହା ପାନ ଏବଂ ବାର୍ତ୍ତାଳାପ ଉପରାନ୍ତେ, ଅନାଦି ଭାଇନା ଆରମ୍ଭ କଲେ ।

- ଦେଖ୍, କବିତା ଲେଖିବା ବହୁତ ସହଜ କଥା । ଅତୀତର "ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତ। ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମରେ ୟେ ଶୋଭିତ ।।" ଭଳି ଭଞ୍ଜ ଯୁଗୀୟ କବିତାର ଯୁଗ ଏବେ ନାହିଁ । ଦିନ ଥିଲା ଯେବେ କବିତାରେ ଛନ୍ଦ, ଅଳଙ୍କାର, ଯତିପାତ ଇତ୍ୟାଦି ଉପରେ ପ୍ରାଧାନ୍ୟ ଦିଆ ଯାଉଥିଲା । ଏବେ କିନ୍ତୁ ସେ ସବୁ ଝଂଝଟ ନାହିଁ । ଏବେ ସବୁ ଆଧୁନିକ.. ପ୍ରତିଦିନ ଆମେ ନିଜ ନିଜ ଭିତରେ, ପରିବାରରେ ବା ବନ୍ଧୁ ବାନ୍ଧବ ମେଳରେ ହେଉଥିବା କଥା ବାର୍ତ୍ତାକୁ କାଉଁରିଆ କାଠି ଭାଙ୍ଗିଲା ପରି ଟୁକୁଡା ଟୁକୁଡା କରି ଭାଙ୍ଗି ଦେଲେ ହୋଇଯିବ କବିତା । ଉଦାହରଣ ସ୍ୱରୂପ ତୁ ଘରକୁ ଫେରି ବୋଉକୁ ଖାଇବାକୁ ମାଗିଲୁ.. ତାକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ପକା..

ସଞ୍ଜବେଳେ,

ଘରକୁ ଫେରିଲାପରେ,

ବୋଉକୁ ଖୋଜିଲି,

ବୋଉ ଥିଲା ରୋଷେଇ ଘରେ ।

କହିଲି ବୋଉ

ଭାରି ଭୋକ,କିଛି ଖାଇବାକୁ ଦେ।

ବୋଉ ବ୍ୟସ୍ତ ଥିଲା,

ରୋଷେଇଘରୁ ଶୁଭୁଥିଲା

ବାସନର ଟୁଙ୍ଗ ଟାଙ୍ଗ ଶବ୍ଦ,

ବୋଉ କହିଲା,

ରୋଷେଇ କଲେ ଖାଇବୁ,

ଡବାରେ ମୁଢ଼ି ଅଛି,

ପାଟିରେ ପକା ।

ଦେଖିଲୁ, ୟେ ହେଲା ଆଧୁନିକ କବିତା । ଏ ସବୁ ହେଲା ସାଧାରଣ କବିତା । ୟେ କବିତାକୁ ଟିକେ ଅଧିକ ରସାଳିଆ କରିବାକୁ ହେଲେ, ବ୍ୟାକରଣ ର ନିୟମକୁ ମଝି ଆଙ୍ଗୁଳି ଦେଖେଇ "କର୍ତ୍ତା" ଆଉ "କର୍ମ" ର ସ୍ଥାନ ପରିବର୍ତନ କରି ଦେ ଆଉ ମଝିରେ ମଝିରେ ଦି ଚାରିଟା ଶକ୍ତ ପୋକ୍ତ, ଉଚ୍ଚାରଣ ମାତ୍ରେ ଦାନ୍ତ ଭାଙ୍ଗିଲା ପରି ଶୁଦ୍ଧ ସାହିତ୍ୟିକ ଶବ୍ଦ ପୁରେଇ ଦେ। ପୋଖତ ଫିଲ୍ ଆସିଯିବ କବିତାରେ । ଯଦି ପାରିବୁ ପୂର୍ଣଚନ୍ଦ୍ର ଭାଷା କୋଷ ଖୋଜି ଦି ଚାରିଟା ଅବୋଧ୍ୟ ଦୁର୍ବୋଧ୍ୟ ଶବ୍ଦ ପୁରେଇ ଦେ କବିତାରେ ।

ୟେ ତ ଗଲା ଗଦ୍ୟ କବିତା କଥା, ୟା ପରେ ପଦ୍ୟ କବିତା.. ମନେ ଯତିପାତ ପୂର୍ବକ ପଦ କୁ ପଦ ମିଳେଇ କବିତା ଲେଖା। ୟେ ଧରଣର କବିତା ପାଇଁ ମନକୁ ଯାହା ଆସୁଛି ଲେଖିଯା, କିନ୍ତୁ ପଦ କୁ ପଦ ମିଳୁଥିବା ଦରକାର । ନିଜ କବିତାର ଅର୍ଥ ଖୋଜିବୁନି । ଲୋକ ଯଦି ତୋ କବିତା ପଢି କିଛି ବୁଝି ନପାରି, ମନେ ମନେ କାନ ମୁଣ୍ଡ କୁଣ୍ଡେଇ ହୁଅନ୍ତି ତା ହେଲେ ବୁଝିବୁ ତୋ କବିତା ପୁରସ୍କାର ପାଇବା ଯୋଗ୍ୟ ।

ସବୁ ଶୁଣି ସାରି ମନୁଆ କହିଲା,ସବୁ ତ ବୁଝିଲି କିନ୍ତୁ, ଶେଷରେ ଯାହା କହିଲ, ସେଇଟା ମୁଣ୍ଡରେ ଠିକ ପଶୁନି ।

ଅନାଦି ଭାଇନା ହସି ଉଠିଲେ । କହିଲେ ଆରେ ବୋକା, ପାଠକ ହେଲେ ସବୁଠୁ ବେଶି ସ୍ମାର୍ଟ । ବିଶିଷ୍ଟ ସାହିତ୍ୟିକ ପ୍ରକାଶ ମହାପାତ୍ରଙ୍କ ଭାଷାରେ, "ପାଠକ ହେଉଛି ଜଣେ ଲେଖି ନପାରୁଥିବା ଲେଖକ" । ତେଣୁ ତୁ ଯାହା ବି ଲେଖ, ତା ହୁଏତ ତୋ ବୋଧ ଶକ୍ତିର ବାହାରେ ହୋଇଥାଇ ପରେ କିନ୍ତୁ ପାଠକ ନିଜ ଉର୍ବର ମସ୍ତିଷ୍କରୁ ତାର ଏକ ସୁନ୍ଦର ବ୍ୟାଖ୍ୟା କରିବ ।ଏଇ ଯେମିତି ଧରିନେ, ଜଣେ କବି ଲେଖିଲେ-

କି ସୁନ୍ଦର ଜହ୍ନରାତି,

ଉଡିଗଲେ ଦଳେ ହାତୀ..

ଦେଖିବାକୁ ଗଲେ ଖାଲି ପଦକୁ ପଦ ପଡିବା ଛଡ଼ା କବିତାର ଅର୍ଥ କିଛି ନାହିଁ । କିନ୍ତୁ ପାଠକ ୟାର ଗୋଟେ ସୁନ୍ଦର ବ୍ୟାଖ୍ୟା କରିବ, ଯେମିତି - ବାଃ, କବି ପକ୍ଷୀ କୁ ହାତୀ ସହ ତୁଳନା କରି, କହିବାକୁ ଚାହୁଁଛନ୍ତି ଯେ କ୍ଷୁଦ୍ରାତି କ୍ଷୁଦ୍ର ପକ୍ଷୀ ମଧ୍ୟ ମଣିଷ ଠାରୁ ବଡ, ମହାନ । ଆକାରରେ ନୁହେଁ ଗୁଣଗତ ଭାବେ.. କି ସୁନ୍ଦର୍ ଦାର୍ଶନିକ ଚିନ୍ତାଧାରା..

ଆଛା ତୁ ମନୋଜ ଦାସଙ୍କ "କ୍ରୁଦ୍ଧ" ଗପଟା ପଡ଼ିଛୁ ??

ମନୁଆ ମୁଣ୍ଡ ହଲେଇ ମନା କଲା ।

ଆଛା ସେ ଗପ ପୁଣି କେବେ କହିବି । ତୁ ଆଜି ଘରକୁ ଯା । ମା ସରସ୍ୱତୀଙ୍କୁ ସ୍ମରଣ କରି, ତୋ ମନକୁ ଯାହା ଆସୁଛି କିମ୍ବା ତୋ ଆଖିରେ ଯାହା ପଡ଼ୁଛି କବିତା ଖାତାରେ, ଟୁକୁଡ଼ା ଟୁକୁଡ଼ା କରି ଲେଖି ଚାଲ । ତତେ କବି ହେବାରୁ କେହି ରୋକି ପାରିବେନି.. ଗ୍ୟାରେଣ୍ଟି ରହିଲା ।

xxxxxxxxxxxxxxxxxxxxxxxxxxxxxxxxxxxx

ମନୁଆ ଏଣିକି ଯାହା କିଛି ତା ଆଖିରେ ପଡ଼ିଲା, ତାକୁ ଟୁକୁଡ଼ା ଟୁକୁଡ଼ା କରି ଲେଖି ଚାଲିଲା । ମଝିରେ ମଝିରେ ସେ ସବୁ ଫେସବୁକ୍ ଗ୍ରୁପରେ ପୋଷ୍ଟ କରି ବାହାବା ନିଏ । ଖାଲି ଫେସବୁକ ନୁହଁ ମନୁଆ ଓରଫ୍ ମାନସ ରଞ୍ଜନ ଏବେ କବିତା ଆସର ଏବଂ ସାହିତ୍ୟ ସଭା ନେଇ ଖୁବ ବ୍ୟସ୍ତ । ଆଜି ସନ୍ଧ୍ୟାରେ ବୟାଙ୍ଗଡ଼ିହି ସାହିତ୍ୟ ଚକ୍ରରେ, ଉଦୀୟମାନ ଯୁବ କବି ପ୍ରତିଭା ସମ୍ମାନରେ ତା'କୁ ସମ୍ମାନୀତ କରିଯିବାର କାର୍ଯ୍ୟକ୍ରମ ରହିଛି । ଅବଶ୍ୟ ସେଥିପାଇଁ ମନୁଆକୁ କିଛିଟା ପକେଟ ହାଲୁକା କରିବାକୁ ପଡିଛି । ମନୁଆର ଲେଖା କବିତା ଏବେ ଫେସବୁକରେ ଆଲୋଡନ ସୃଷ୍ଟି କରିଛି । ମନୁଆ ଯେବେ କବିତା ଆସରରେ କବିତା ଆବୃତ୍ତି କରେ, ଶ୍ରୋତାଗଣ ଆଁ କରି ଚାହିଁ ରହନ୍ତି ।

ବୟାଙ୍ଗଡ଼ିହି ସାହିତ୍ୟ ଚକ୍ରରେ ମଂଚାସୀନ ଅନ୍ୟାନ୍ୟ କବି ମାନଙ୍କ ମେଳରେ ଯେବେ ମନୁଆ ନିଜ କବିତା ଆବୃତ୍ତି କରିବା ଆରମ୍ଭ କଲା, କ୍ରମାଗତ କରତାଳି ଶୁଣି ମନୁଆର ଛାତିଟା ଫୁଲି ୫୬ ଇଞ୍ଚର ହୋଇଗଲା ।

କବିତାଟି ନିମ୍ନରେ ପ୍ରଦାନ କରାଗଲା.ମୋ ଘର ଅଗଣାରେ ତୁଳସୀଗଛ

ବାଡ଼ି ପୋଖରୀରେ ପାଣି ଟୋପେ ବିନା ମରନ୍ତି ମାଛ,

ମୋ ଘର ଅଗଣାରେ

ଶିଉଳି ଫୁଲ ।

ମୋ ଘର ଭିତରେ,

ବୁଢିଆଣୀ ଝୁଲ ।

ଶିଉଳି ଫୁଲ ସଭିଙ୍କୁ ବାସେ,

ଭିତରର ଝୁଲ କାହାକୁ ଦିଶେ ??

ବାଃ, ଚମତ୍କାର, ଅତି ସୁନ୍ଦର୍, ସାଧୁ ସାଧୁ ଇତ୍ୟାଦି ଶବ୍ଦ ନିକ୍ଷେପ ପୂର୍ବକ ସଂଚାଳକ ମହୋଦୟଙ୍କ ପ୍ରସଂଶା ଶୁଣି ମନୁଆର ଛାତି କୁଣ୍ଢେମୋଟ୍ । କବିତା ଆସର ପରେ ଥିଲା ସେଲ୍ଫି ପ୍ରତିଯୋଗିତା । ଜଣେ ଗୁଣମୁଗ୍ଧା ମହିଳା ଶ୍ରୋତାଙ୍କ ସହ ସେଲ୍ଫି ନେଲାବେଳେ ଭାବ ବିହ୍ଵଳିତ ହୋଇ ମହିଳା ଜଣକ କହୁଥିଲେ,

- ସତରେ ଆପଣ ବହୁତ୍ ଭଲ କବିତା ଲେଖନ୍ତି । ମୁଁ ଆଗରୁ ଫେସବୁକରେ ବିଭିନ୍ନ ଗ୍ରୁପରେ ଆପଣଙ୍କ କବିତା ସବୁ ପଢିଛି, ବହୁତ ଭଲ ଲାଗେ । ଆଜି ଆପଣଙ୍କ ସହ ସାକ୍ଷାତ କରିବା, ମୋ ପାଇଁ ସତରେ ଭାଗ୍ୟର କଥା । ଏତେ ସୁନ୍ଦର ଭାବୋଦ୍ଦୀପକ ତଥା ନିଆରା କବିତା ମୁଁ ଆଗରୁ କେବେ ଶୁଣି ନଥିଲି । ମଣିଷର ବାହ୍ୟ ସୌନ୍ଦର୍ଯ୍ୟ ଏବଂ ଅନ୍ତରର ଅଳନ୍ଧୁକୁ ଆପଣ ଖୁବ ସୁନ୍ଦର ଭାବେ ନିଜ କବିତାରେ ଚିତ୍ରିତ କରିଛନ୍ତି..

ଏହାପରେ, ପବିତ୍ର ତୁଳସୀ ଗଛ, ଅପବିତ୍ର ମଲା ମାଛ ଇତ୍ୟାଦି ବିଷୟରେ କ୍ରମାଗତ ଭାବେ ବାକି ଚାଲିଥିବା ମହିଳା ଜଣଙ୍କ କଥା ମନୁଆ କାନରେ ତ ପଶୁଥିଲା କିନ୍ତୁ ମସ୍ତିଷ୍କରେ ନୁହେଁ । ସେ ତ ଦିବାଲିରେ ତା ଘର ଝୁଲ ଝଡ଼ା ହୋଇନଥିବାରୁ, ନିଜ ଚାପା କ୍ରୋଧକୁ କବିତା ଖାତାରେ ଉତ୍ତାରି ଦେଇଥିଲା ବାସ୍.. ସେ ନିଜେ ବି ଜାଣେନା ଯେ ତା' କବିତାର ଏତେ ସୁନ୍ଦର ବ୍ୟାଖ୍ୟା କରାଯାଇପାରେ ।

ସତରେ ସେଲୁକସ୍ ! କି ବିଚିତ୍ର ୟେ ଦେଶ !!

(ବି:ଦ୍ର) - ଉକ୍ତ ରମ୍ୟ ରଚନାଟି କାହାକୁ ଅପମାନିତ କରିବା ଉଦ୍ଦେଶ୍ୟରେ ନୁହେଁ। ଯଦି କୌଣସି ଜୀବିତ ବା ମୃତ ବ୍ୟକ୍ତିଙ୍କ ସହ କୌଣସି ସମାନତା ପରିଲକ୍ଷିତ ହୁଏ, ତାହା କେବଳ ସଂଯୋଗ ମାତ୍ର । ତେଣୁ ଦୟାକରି ଦେହକୁ ନେବେନି।

ଇତି- ରାକେଶ ମିଶ୍ର.

କବିତା ମନୁଆ ବୋକା

Rate the content


Originality
Flow
Language
Cover design

Comments

Post

Some text some message..