ପରିବର୍ତ୍ତନ
ପରିବର୍ତ୍ତନ
ଜଣ ଜଣ କରି ସମସ୍ତ ବାରଜଣ ଶିଷ୍ୟ ରାତ୍ରି ଭୋଜନ ନିମନ୍ତେ ସ୍ଵ ଆସନରେ ଉପବିଷ୍ଟ । ଯୀଶୁ ନିଜ ହାତରେ ସମସ୍ତଙ୍କୁ ରୁଟି ଭାଗ କରିଦେଲେ । ନିଜ ହାତରେ ସମସ୍ତଙ୍କ ପାତ୍ରରେ ଭରିଦେଲେ ମଦିରା । ତାପରେ ସ୍ପଷ୍ଟ ଓ ଅନୁଚ୍ଚ ସ୍ୱରରେ କହିଲେ,
- "ତୁମ ମାନଙ୍କ ମଧ୍ୟରୁ ଜଣେ ମୋ ସହ ବିଶ୍ୱାସଘାତକତା କରିବ"।
ଚମକି ଉଠିଲେ ଶିଷ୍ୟମାନେ । କେହି ହତାଶରେ ମ୍ରିୟମାଣ କେହି ଜିଜ୍ଞାସୁ ଆଖିରେ ଚାହିଁ ରହିଛି ଯୀଶୁଙ୍କ ଆଡ଼କୁ କିଏ ଅବା ବାକରୁଦ୍ଧ । ଆଶ୍ଚର୍ଯ୍ୟ ଚକିତ ଜୁଦାସ, ଦୁଇ ଚକ୍ଷୁ ବିସ୍ଫାରିତ । ତେବେ କଣ ତା' ବିଶ୍ୱାସଘାତକତାର ଖବର ଯୀଶୁ ଜାଣି ପାରିଛନ୍ତି ! କିନ୍ତୁ ଯୀଶୁଙ୍କ ମୁଖରେ ସେଇ ପରମ କାରୁଣିକ ପ୍ରେମର ଭାବ । ଠିକ ଏହି ମୁହୂର୍ତ୍ତକୁ ଅବିକଳ ତଥା ଜୀବନ୍ତ ଭାବେ ତୋଳି ଧରାଯିବ ସାନ୍ତା ମାରିଆ ଡେଲା ଗ୍ରାଜୀର ସେଇ ପୁରାତନ ଗୀର୍ଜାର ଭୋଜନ କକ୍ଷରେ ଥିବା ଆଠ ମିଟର ଦୈର୍ଘ୍ୟ ଓ ଚାରି ମିଟର ଉଚ୍ଚ ବିଶିଷ୍ଟ କାନ୍ଥରେ ।
କିଏ ସେହି ଶିଳ୍ପୀ ! କିଏ ଅବିକଳ ଭାବେ ଫୁଟେଇପାରିବ ଯୀଶୁଙ୍କ ଶେଷ ଭୋଜନ ବା The Last Supper ର ସମସ୍ତ ବାରଜଣ ଶିଷ୍ୟ ମାନଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟାକୁ ରଙ୍ଗ ଆଉ ତୂଳୀର ସମାହାରରେ, ଏକ ମାତ୍ର ଲିଓନାର୍ଡୋ ବ୍ୟତୀତ ! ହଁ, ସେଇ ବେଶ୍ୟାସକ୍ତ ଏବଂ ତଥାକଥିତ ଧର୍ମକୁ ଅବମାନନା କରୁଥିବା ଉନ୍ମାଦ ଅଥଚ ଅସାମାନ୍ୟ ଚିତ୍ରକର, ଲିଓନାର୍ଡୋ ଦା ଭିନ୍ସି । ମିଲାନରୁ ଡାକରା ଆସେ ଲିଓନାର୍ଡୋ ପାଇଁ । ସ୍ୱୟଂ ଡ଼ିଉକ ଡାକିଛନ୍ତି । ଉଦ୍ଦେଶ୍ୟ, ସାନ୍ତା ମାରିଆ ଡେଲା ଗ୍ରାଜୀର ସେଇ ପୁରାତନ ଗୀର୍ଜାଟିକୁ ଅମରତ୍ୱ ପ୍ରଦାନ କରିପାରିବ, ଆଉ ଅଖ୍ୟାତ ଏକ ଗିର୍ଜାକୁ ବିଖ୍ୟାତ କରିପାରେ କେବଳ ଲିଓନାର୍ଡୋର ରଙ୍ଗ ତୂଳୀର ସ୍ପର୍ଶ ।
ଇଉରୋପୀୟ ପୁନର୍ଜାଗରଣ ସମୟର ହାତଗଣତି ଯେଉଁ କେତେଜଣ ଶିଳ୍ପୀ ଥିଲେ, ସେମାନେ କେହି ଚର୍ଚ୍ଚ ବା ପୋପଙ୍କ ଵଶ୍ୟତା ସ୍ୱୀକାର କରିବାକୁ ଅନିଚ୍ଛୁକ । ଅନିଚ୍ଛା ସତ୍ତ୍ଵେ ସେମାନେ ହିଁ ଆଙ୍କନ୍ତି ସିଷ୍ଟିନ ଚ୍ୟାପେଲର ସିଲିଂରେ ପ୍ରଭୁ ଯୀଶୁଙ୍କ ମହିମା । ସେଣ୍ଟ ପଲସ କ୍ୟାଥିଡ୍ରଲର କୋଣ ଅନୁକୋଣରେ ସେମାନଙ୍କ କଳା ସ୍ଥାପତ୍ୟ ଶୋଭା ପାଏ ।କେବଳ ପ୍ରାଣଭୟରେ । ପୋପ ମାନଙ୍କ ବିଷଦୃଷ୍ଟିରେ ନପଡ଼ିବାର ଭୟରେ ହିଁ ଚିତ୍ରଶିଳ୍ପୀମାନେ ଆଙ୍କି ଚାଲିଛନ୍ତି ସିଲିଂ ବ୍ୟାପି, କାନ୍ଥ ବ୍ୟାପି ଅତିକାୟ ମ୍ୟୁରାଲ, ଯେଉଁମାନେ ବଖାଣିବେ ଯୀଶୁଙ୍କ ଅଲୌକିକ କାହାଣୀ, ଯୀଶୁଙ୍କ ମହାନତା, ଯୀଶୁଙ୍କ ବାଣୀ । ଯାହାକୁ ଦେଖୁ ଦେଖୁ ଶ୍ରଦ୍ଧା, ଭକ୍ତିରେ ଅଭିଭୂତ ହେବେ ଭକ୍ତ, ଆଖିରୁ ଝରି ପଡ଼ି଼ବ ଧାର ଧାର ଅଶ୍ରୁ ।
କିନ୍ତୁ ଲିଓନାର୍ଡୋ ଦା ଭିନ୍ସିର ସେମିତି ଭୟ କେବେ ବି ନଥିଲା !
ଲିଓନାର୍ଡୋ ଭିନ୍ନ ଏକ ମଣିଷ । ଲିଓନାର୍ଡୋ ନା ଯୀଶୁଙ୍କୁ ଈଶ୍ୱରଙ୍କ ପୁତ୍ର ବୋଲି ବିଶ୍ୱାସ କରେ ନା ଭୟ କରେ ଡ଼ିଉକ ବା ପୋପଙ୍କ ବିଷଦୃଷ୍ଟିକୁ । ପଡିରୁହେ ବେଶ୍ୟାଳୟରେ, ଆଉ ସମୟ ପାଇଲେ ରାତ୍ରିର ଅନ୍ଧକାରରେ କେଉଁ ଅଜଣା କବର ଖୋଳି ମୃତଦେହ ଆଣି ଚିରିଫାଡ଼ି କଣ ସବୁ ଅନୁଧ୍ୟାନ କରେ ! ଯିଏ ଆକାଶରେ ଉଡିବା ଭଳି ଅଦ୍ଭୁତ ସ୍ବପ୍ନ ଦେଖେ । ଯିଏ ଧର୍ମ ମାନେନା, ଯୀଶୁଙ୍କୁ ଈଶ୍ୱରପୁତ୍ର ବୋଲି ବି ବିଶ୍ୱାସ କରେନା । ତା'ମତରେ ଯୀଶୁ କେବଳ ଜଣେ ମଣିଷ । ପତ୍ନୀ ଓ ସଂସାର ସହ ରହୁଥିବା ଏକ ରକ୍ତ ମାଂସଧରି ମଣିଷ । କିନ୍ତୁ ସେ ସ୍ଥିର କରେ ମିଲାନ୍ ଯିବାପାଇଁ, ଆଉ ଆଙ୍କିବାକୁ ଲାଷ୍ଟ୍ ସପ୍ପର୍ ର ସେଇ ଦୃଶ୍ୟକୁ । କାରଣ, ଯୀଶୁଙ୍କ ବାଣୀ, ଯୀଶୁଙ୍କ ଦର୍ଶନ ତାକୁ ମୁଗ୍ଧକରେ । ଲାଷ୍ଟ ସପ୍ପରର ସେହି ଦୃଶ୍ୟ ଅଭିଭୂତ କରେ ତାକୁ । ନିଜର ମାନସ ଚକ୍ଷୁରେ ସେ ଅଗଣିତ ବାର ଦେଖିଚି ସେଇ ଦୃଶ୍ୟ । ସେଇ ଦୃଶ୍ୟକୁ ତୋଳି ଧରିବ ସେ ରଙ୍ଗ ଓ ତୁଳୀରେ ସାନ୍ତା ମାରିଆର ପ୍ରସିଦ୍ଧ ସେ ଗୀର୍ଜାଘର କାନ୍ଥରେ ।
ନିଜସ୍ୱ ସର୍ତ୍ତରେ କାର୍ଯ୍ୟାରମ୍ଭ ହୁଏ । କିନ୍ତୁ ଚିତ୍ର କାହିଁ ! ଦିନ ପରେ ଦିନ, ସେଇ କାନ୍ଥ ସାମ୍ନାରେ ବସି ଆକାଶ ପାତାଳ କଣ ସବୁ ଭାବି ଚାଲନ୍ତି ଲିଓନାର୍ଡୋ । ଲିଓନାର୍ଡୋର ଅସାମାନ୍ୟ ମସ୍ତିଷ୍କରେ ଯୋଜନାବଦ୍ଧ ଭାବେ ପ୍ରସ୍ତୁତ ହେଉଥାଏ ଲାଷ୍ଟ ସପ୍ପରର ସେଇ ଦୃଶ୍ୟ। ଜୀବନର ସମସ୍ତ ଅଭିଜ୍ଞତାର ଉପଯୋଗରେ ସେ ଆଙ୍କିବ ଏକ ବିଶ୍ୱବିଖ୍ୟାତ ଚିତ୍ର ଯାହାକୁ ଶହ ଶହ ବର୍ଷ ପରେ ବି ଲୋକେ ଦେଖି ଅଭିଭୂତ ହେଉଥିବେ।
୧୪୯୫ ମସିହାରେ ସର୍ବ ପ୍ରଥମେ ଅଙ୍କିତ ହେଲା ଯୀଶୁଙ୍କ ଚିତ୍ର । ମିଲାନ ସହରର ଏକ ସୌମ୍ୟକାନ୍ତି ଯୁବକଙ୍କୁ ବଛା ହେଲା ଯୀଶୁଙ୍କ ମଡେଲ ନିମନ୍ତେ । ଖୁବ ଖୁସି ଲିଓ
ନାର୍ଡୋ । ସତରେ ଏହି ଯୁବକହିଁ ଉପଯୁକ୍ତ ମଡେଲ ଯୀଶୁଙ୍କ ପାଇଁ । ନିଷ୍ପାପ ଯୋଡ଼େ ଆଖି, ଖଣ୍ଡାଧାର ପରି ନାକ । ସାରା ଶରୀରରୁ ସତେ ଯେମିତି ଏକ ଆଭା ବିଛୁରିତ ହୋଇ ପଡୁଛି ଚତୁର୍ଦିଗରେ । ଅତ୍ୟନ୍ତ ଧୈର୍ଯ୍ୟର ସହ ନିଖୁଣ ଭାବରେ ଯୀଶୁଙ୍କ ଚିତ୍ର ଅଙ୍କନ ସରିଛି । ଆଉମଧ୍ୟ ଧିରେ ଧିରେ ଅଙ୍କା ସରିଲାଣି ଗୋଟିଏ ପରେ ଗୋଟିଏ ଏଗାର ଶିଷ୍ୟ ମାନଙ୍କ ଜୀବନ୍ତ ଅବୟବ । କିନ୍ତୁ ଜୁଦାସ ! ଜୁଦାସର ଚିତ୍ର ଯେ ଅସମ୍ପୂର୍ଣ୍ଣ । କେବଳ ଶରୀର ଅଙ୍କା ସରିଛି, ବାକିଅଛି ଜୁଦାସର ମୁହଁ । ଦିନ ପରେ ଦିନ, ମାସ ପରେ ମାସ ଆଉ ବର୍ଷ ପରେ ବର୍ଷ ବିତିଯାଇଛି ।
ଦୀର୍ଘ ତିନି ବର୍ଷର ଅପେକ୍ଷା ପରେ ଆଉ ଧୈର୍ଯ୍ୟ ନାହିଁ ମିଲାନର ଡ଼ିଉକ ବା ଗୀର୍ଜାର ଯାଜକ କାହାରି । ପ୍ରତିଦିନ କେହି ନା କେହି ଆସି ଲିଓନାର୍ଡୋକୁ ତାଗିଦ କରୁଛନ୍ତି ଚିତ୍ର ସମ୍ପୂର୍ଣ୍ଣ କରିବାକୁ । କିନ୍ତୁ ଲିଓନାର୍ଡୋ, ଅସହାୟ । ସେ ଖୋଜି ପାଉ ନାହାନ୍ତି ମନ ମୁତାବକ ମଡେଲ, ଯାହାକୁ ଦେଖି ସେ ଆଙ୍କିବେ ବେଇମାନ୍ ବିଶ୍ୱାସଘାତକ ଜୁଦାସର ଚେହେରା । ଖୋଜା ସରିଛି ମିଲାନ ର ସମସ୍ତ ଗଳିକନ୍ଦି, ଦେଖାସରିଛି ମିଲାନର ସମସ୍ତ ଜେଲଖାନାର ସମସ୍ତ ଭୟଙ୍କର କଏଦୀ ମାନଙ୍କୁ । କିନ୍ତୁ କାହାରି ଚେହେରା ମନକୁ ଯାଉନି ଲିଓନାର୍ଡୋଙ୍କର । ସେ ଚାହାନ୍ତି ଏକ ଅତ୍ୟନ୍ତ ନିର୍ମମ ଭୟଙ୍କର ଚେହେରା ! କେଉଁଠି ପାଇବେ ସେ ଏମିତି ଏକ କ୍ରୁର, ନିର୍ମମ ମୁଖଧାରୀ ମଡେଲ ଯାହାକୁ ଦେଖି ସ୍ୱୟଂ ଯମଦୂତ ମାନେ ବି ଭୟ ପାଇଯିବେ ।
ପରିଶେଷରେ ରୋମ୍ ର ଏକ ଜେଲଖାନାରେ ଲିଓନାର୍ଡୋକୁ ମିଳିଯାଏ ତା ଇପ୍ସିତ ଜୁଦାସ । କିଛି ଦିନ ମଧ୍ୟରେ ଫାଶୀ ପାଇବାକୁ ଯାଉଥିବା ଏକ ଆତତାୟୀ, ଯାହା ବିରୁଦ୍ଧରେ ରହିଛି ଏକାଧିକ ଚୋରି, ରାହାଜାନି ବଳାତ୍କାର ଓ ହତ୍ୟାର ସଂଗୀନ ଅଭିଯୋଗ । ନିର୍ମମ ରୁକ୍ଷ ଶୁଷ୍କ ମୁହଁରେ ଅସଂଖ୍ୟ କ୍ଷତଚିହ୍ନ । ଅବିକଳ ଯେମିତି ଖୋଜୁଥିଲେ ଲିଓନାର୍ଡୋ, ଠିକ ସେମିତି ଚେହେରା । ମିଲାନର ଡ଼ିଉକ୍ ଙ୍କ ଆଦେଶ କ୍ରମେ ରୋମରୁ ଅଣାଯାଏ ସେହି ଆସାମୀଟିକୁ, ମିଲାନ ସହରକୁ । ସର୍ତ୍ତ, ଚିତ୍ର ଅଙ୍କା ସମ୍ପୂର୍ଣ୍ଣ ହେବା ପରେ ପୁଣି ଫେରେଇ ଦେବାକୁ ପଡିବ ଜେଲଖାନାକୁ ।
କିଛିଦିନ ସାମ୍ନାରେ ବସେଇ ରଖି, ଲିଓ ଆଙ୍କି ଚାଲିଲେ ଜୁଦାସର ମୁହଁ । ଦୀର୍ଘ ତିନି ବର୍ଷର ପରିଶ୍ରମ ପରେ ସମ୍ପୂର୍ଣ୍ଣ ହେଲା ତାଙ୍କ ସ୍ୱପ୍ନର ଚିତ୍ର, ଲାଷ୍ଟ ସପ୍ପାର । ଚିତ୍ର ଅଙ୍କା ସରିବା ପରେ ଅଭିବାଦନ ଓ ଧନ୍ୟବାଦ ଜଣାଇଲେ ଲିଓନାର୍ଡୋ ସମ୍ପୃକ୍ତ ଯୁବକଙ୍କୁ । ଲିଓନାର୍ଡୋଙ୍କ ଆଖିରେ ତୃପ୍ତି । କିନ୍ତୁ ଏ କଣ ! ଯୁବକଙ୍କ ଆଖିରେ ଅଶ୍ରୁ ! ସାମାନ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଲିଓନାର୍ଡୋ କାନ୍ଦିବାର କାରଣ ପଚାରିଲେ । ଡ଼ିଉକଙ୍କୁ କହି ଦଣ୍ଡ ସାମାନ୍ୟ କୋହଳ କରିବାର ପ୍ରତିଶୃତି ମଧ୍ୟ ଦେଲେ ଲୋୟନାର୍ଡୋ । ନିର୍ବାକ ସେଇ ଯୁବକ । ଅସୀମ ଶୂନ୍ୟତା ଓ ହତାଶ ସେଇ ଦୁଇ କ୍ରୁର ଆଖିରେ ।
- ମୃତ୍ୟୁକୁ ମୋର ଭୟ ନାହିଁ ଶିଳ୍ପୀ ।
- ତେବେ କାନ୍ଦିବାର କାରଣ !
- ଆପଣ ହୁଏତ ମୋତେ ଚିହ୍ନି ପାରିଲେନି ଶିଳ୍ପୀ । ତିନି ବର୍ଷ ତଳକୁ ଫେରି ଯାନ୍ତୁ, ହୁଏତ ମନେ ପଡ଼ି ପାରେ ।
ଚମକି ଉଠିଲେ ଲିଓନାର୍ଡୋ ! ସେ ନିଜ ଆଖିକୁ ବିଶ୍ୱାସ କରିପାରୁ ନଥିଲେ, ଏଇ ସେଇ ଯୁବକ ଯାହାକୁ ସାମ୍ନାରେ ବସେଇ ଲିଓ କରିଛନ୍ତି ଦୟା, କ୍ଷମା ଓ ପ୍ରେମର ମୂର୍ତ୍ତିମନ୍ତ କରୁଣବତାର ଯୀଶୁଙ୍କ ଚିତ୍ର । ଏ ତ ସେଇ ନିଷ୍ପାପ ସୌମ୍ୟକାନ୍ତି ଯୁବକ ଯାହାକୁ ସେ ପ୍ରଥମ ଦେଖାରେ ପସନ୍ଦ କରିଥିଲେ ଯୀଶୁଙ୍କ ମଡେଲ ହିସାବରେ । ମାତ୍ର ତିନି ବର୍ଷରେ ଏତେ ବଡ଼ ପରିବର୍ତ୍ତନ ! ମାତ୍ର ତିନି ବର୍ଷରେ ଦେବଦୂତ ଶୟତାନ ପାଲଟି ଯାଇଛି ! ସମୟର କି କ୍ରୁରତମ ଖେଳ ।
ସମୟଚକ୍ରରେ ଦେବତା ବି ଦାନବ ପାଲଟି ଯାଇପାରେ, ଏହି କଥା ହିଁ ବାରମ୍ବାର ସୂଚିତ କରେ, ଲିଓନାର୍ଡୋ ଦା ଭିନ୍ସି ଙ୍କ ଲାଷ୍ଟ ସପ୍ପର। ଲାଷ୍ଟ ସପ୍ପରରେ ଯେଉଁ ମଣିଷଟି ପବିତ୍ର ଯୀଶୁ, ସେଇ ମଣିଷହିଁ ପ୍ରବଞ୍ଚକ ବିଶ୍ୱାସଘାତକ ଜୁଦାସ । ଲାଷ୍ଟ ସପ୍ପର ଆଖିରେ ଆଙ୍ଗୁଳି ଗେଞ୍ଜି ଦେଖେଇ ଦିଏ, ମଣିଷ କେମିତି ବଦଳି ଯାଇପାରେ । ସେ ହିଁ ବିଷ ଦେଇଥାଏ, ଯାହାକୁ ଆମେ ସବୁଠାରୁ ବେଶି ବିଶ୍ୱାସ କରିଥାଆନ୍ତି। ସେ ହିଁ ଧୋକା ଦିଏ ଆମେ ଯାହାକୁ ବେଶି ଭଲ ପାଇ ଥାଆନ୍ତି ।
ସେଇଥି ପାଇଁ କିଏ ଜଣେ କବି ଲେଖିଥିଲେ-
ଏଇଠି ରହିଛି ପବିତ୍ର ଓଁକାର,
ଏଇଠି ରହିଛି ଟଙ୍କାର ଝଙ୍କାର,
ଏଇଠି ରହିଛି ସ୍ବର୍ଗ, ଏଇଠି ନରକ,
ବୁଝିବା ଜାଣିବାରେ ଖାଲି ଯା ଫରକ ।