Rakesh Mishra

Tragedy

2  

Rakesh Mishra

Tragedy

ଭିକାରିଣୀ

ଭିକାରିଣୀ

7 mins
307



ଯାତ୍ରୀ ମାନେ ଦୟା କରି ଧ୍ୟାନ ଦିଅନ୍ତୁ.. ଟ୍ରେନ ନମ୍ବର ୫୮୦୦୫ ଖଡ଼ଗପୁର ଖୁରଧା ରୋଡ଼ DMU ୩୦ ମିନିଟ ବିଳମ୍ବରେ ଚାଲୁ ଅଛି... ଯାତ୍ରୀ ମାନଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ" ।


- "ହୁଃ ଦୁଃଖିତ..! ଏଇଟା ନୂଆ କଣ ?? ଗୋଟେ ପାଲା ଲଗେଇଛନ୍ତି ହୋ । ଦିନେ ଛାଡି ଦିନେ, ୟାଙ୍କର ଏ ଦୁଃଖଭରା କାହାଣୀ ଶୁଣି ଶୁଣି କାନ ପଚିଗଲାଣି । ଆଜି ଦୁଃଖଟା ଅନେକ ବେଶୀ, ପୁରା ଅଧଘଣ୍ଟା । ବିଷ୍ଣ ଭାଇ, ଆଉ ଗୋଟେ କପ ଚାହା ଦିଅ । ଆଜିକା'ର ଖବର କାଗଜ ଟା ବି ଦେବ ।" ରେଳବାଇର ଉଦଘୋଷଣା ଶୁଣି ବିଷ୍ଣ ଭାଇ ଚାହା ଦୋକାନର ସାମ୍ନାରେ ପଢିଥିବା ବେଞ୍ଚରେ ବସୁ ବସୁ ସାମାନ୍ୟ ବିରକ୍ତି ଭାବ ଦେଖାଇ କହିଲା ଅନିମେଶ ।

ବିଗତ ତିନି ବର୍ଷର ଅଭ୍ୟାସ | ପ୍ରତିଦିନ ସକାଳେ, ଦୁଇ ନମ୍ବର ପ୍ଲାଟଫର୍ମରୁ ବିଷ୍ଣ ଭାଇ ଚାହା ଦୋକାନରୁ ଚାହା ପିଇ ସକାଳ ୭'ଟାର ଲୋକାଲ ଟ୍ରେନ ଧରେ ଅନିମେଶ ।


ସକାଳୁ ସକାଳୁ ବି ଅସମ୍ଭବ ଗରମ । ମୁଣ୍ଡ ଉପରେ ବିଗତ କିଛି ବର୍ଷ ଧରି ଦିବାରାତ୍ର ସେବା ଯୋଗାଇ ଚାଲିଥିବା ରେଳବାଇର ପଙ୍ଖାଟି ସତେ ଯେମିତି କ୍ଲାନ୍ତ ଶ୍ରାନ୍ତ । ତାର ଇଛା ନାହିଁ ଘୁରିବାକୁ । ମୁହଁ ପୋଛିବାକୁ ପକେଟରୁ ରୁମାଲ ବାହାର କଲା ଅନିମେଶ । ଏଇ ପକେଟରେ ରୁମାଲ ଛଡ଼ା କିଛି ଖୁଚୁରା ପଇସା ବି ରଖେ । ଆଜି କିନ୍ତୁ ତରବରରେ ରୁମାଲ'ଟା କାଢ଼ିବାକୁ ଯାଇ ବିପତ୍ତିରେ ପଡିଲା । ରୁମାଲ ସହ ଝଣ ଝଣ କରି ତଳେ ପଡିଗଲା କେଇଟା ଟଙ୍କିକିଆ , ଦିଟଙ୍କିଆ କଏନ ।


-"ଟଙ୍କା ପଇସା ବେଶୀ ହୋଇ ଗଲାଣି ଅନି ବାବୁ" ହସି ହସି ସାମାନ୍ୟ ବ୍ୟଙ୍ଗ ସ୍ୱରରେ କହିଲା ବିଷ୍ଣ ଭାଇ ।


ତଳୁ ପଡ଼ିଯାଇଥିବା ଖୁଚୁରା ଟଙ୍କା ଗୁଡା ଗୋଟେଇବାରେ ବ୍ୟସ୍ତ ଥିଲା ଅନିମେଶ । ବେଞ୍ଚ ତଳୁ ୨ ଟଙ୍କିଆ କଏନ ଟେ ପାଇଲା । ପାଖରେ ଛିଡା ହେଇଥିବା କଲେଜ ପଢୁଆ ଟୋକାର ଜୋତା ପାଖରୁ ଟଙ୍କାକିଆ କଏନ ଉଠେଇ ବୁଲି ଦେଖେ ପଛରେ ୧୭-୧୮ ବର୍ଷ ର ଝିଅଟେ ତା ଆଡକୁ ହାତ ବଢ଼େଇ ଛିଡା ହୋଇଛି । କୋଳରେ ବର୍ଷେ ଦେଢ଼ ବର୍ଷର ଛୁଆଟା । ଦେହରେ ମଇଳା ଶାଢ଼ୀ, ଛିଡା ବ୍ଲାଉଜ, ରୁକ୍ଷ ଶୁଷ୍କ କେଶରାଶି । ମୁହଁରେ ଏକାଧିକ ରାତିର ଅନିଦ୍ରା ଜନିତ କ୍ଲାନ୍ତି ଅତି ସ୍ପଷ୍ଟ । ହାତରେ ଧରିଥିବା ଟଙ୍କିକିଆ କଏନ'ଟା ତା' ହାତ କୁ ବଢ଼େଇ ଦେଲା ଅନିମେଶ ବାଧ୍ୟହୋଇ ।


- ବାବୁ ୫ ଟଙ୍କା ଦିଅନା । ବାବୁ ଠାକୁର ତୁମର ମଙ୍ଗଳ କରିବେ.. ବାବୁ ୫ ଟଙ୍କା ଦିଅନା ।


-କଣ କରିବୁ ୫ଟଙ୍କା ନେଇ...କଣ କିଛି ଖାଇବୁ..?


ମୁଣ୍ଡ ହଲେଇ ସମ୍ମତି ଜଣେଇଲା ଝିଅ ଟା..


- ୫ ଟଙ୍କା ରେ କଣ ଖାଇବୁ ? କଣ ଖାଇବୁ କହ ମୁଁ କିଣି ଦଉଚି ।


କିନ୍ତୁ ଝିଅଟା ନଛୋଡ ବନ୍ଧା.. ସେଇ ଏକ କଥା.. ୫ ଟଙ୍କା ଦିଅନା ବାବୁ ।


-ହେ ଯା ଏଠୁ... ଟିକେ ଧମକେଇଲା ପରି କହିଲା ବିଷ୍ଣ ଭାଇ..


ଯେତେ ଖାଇବାକୁ ଯାଚ, ଖାଇବେନି.. ଏଗୁଡାଙ୍କର ଖାଲି ଟଙ୍କା ଦରକାର ।


ବିଷ୍ଣ ଭାଇର ଚିତ୍କାର ଶୁଣି ଦୋକାନ ଠାରୁ ଟିକେ ଦୂରରେ ଯାତ୍ରୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ବେଞ୍ଚ ଉପରେ ଯାଇ ବସିଲା ଝିଅଟା... ମୁହଁରେ ଏକ ଅଦ୍ଭୁତ ବିକଳ ଭାବ ।


- ଆଗେ କେବେ ଦେଖିନି ଏ ଝିଅଟାକୁ ଏଠି ଭିକ ମାଗିବାର !


କହିଲା ଅନିମେଶ


- ଏ ତିନି ନମ୍ବର ପ୍ଲାଟଫର୍ମରେ ରୁହେ । ଆଉ ତୁମେତ କେବେ ସେ ଆଡ଼କୁ ଯାଅନା । ଆଉ ତା'ପରେ ତୁମେ ଷ୍ଟେସନ ରେ ରୁହ କେତେ ସମୟ, ଯେ ଦେଖିବାକୁ ପାଇବ ।


ବିଷ୍ଣ ଭାଇ ଏ ଷ୍ଟେସନ ର ଅନ୍ୟତମ ପୁରୁଣା ଦୋକାନୀ । ସବୁ ପ୍ଲାଟଫର୍ମର ଖବର ତା ନଖ ଦର୍ପଣ ରେ । ୨୫-୩୦ ବର୍ଷ ହେଲା ଏଠି ଷ୍ଟଲ କରିଛି ବିଷ୍ଣ ଭାଇ । ଅନିମେଶ ସହ ଟିକେ ଖାତିର ବେଶୀ। ବିଷ୍ଣ ଭାଇ ଶଶୁର ଘର ଅନିମେଶ ଘର ପାଖରେ, ତେଣୁ ପରିଚୟଟା ଆଗରୁ ଥିଲା। କିନ୍ତୁ ଷ୍ଟେସନର ଅନ୍ଧକାରରେ ହଜି ଯାଉଥିବା ଗପ ସବୁ ଶୁଣିବାର କେବେ ସୁଯୋଗ ପାଇନଥିଲା।


ଫୁଟନ୍ତା କ୍ଷୀର ରେ ଚାହାପତି ଆଉ ଚିନି ମିଶାଉ ମିଶାଉ ବିଷ୍ଣ ଭାଇ ପୁଣି ଆରମ୍ଭ କଲା..


-୧୯୯୯ ମସିହା ର ମହାବାତ୍ୟା ପରେ ଏରସମାରୁ ସର୍ବସ୍ବ ହରେଇ ଏ ଚାଲି ଆସିଥିଲା ଏ ସହରକୁ.. ସେତେ ବେଳେ ଏ ଝିଅଟା ବର୍ଷେ ଦେଢ଼ବର୍ଷର ହବ କି କଣ.. ମହାବାତ୍ୟା ରେ ମା, ବାପା ଭାଇ ଭଉଣୀ ସମସ୍ତଙ୍କୁ ହରେଇଥିଲା.. ଗୋଟେ ମାଇକିନା ସଂଗେ ଆସିଥିଲା.. ନିଜର କିମ୍ବା ପର ଜାଣିନି.. ଢେର ଦିନ ସେ ମାଇକିନା ଏ ଝିଅ କୁ କୋଳରେ ନେଇ ଭିକ ମାଗିବାର ଦେଖିଚି.. କିଛି ବର୍ଷ ପରେ ସେ ମାଇକିନା କୋଉ ଆନ୍ଧ୍ରା ରିକ୍ସାଵାଲାକୁ ବାହାହୋଇ ପଳେଇଗଲା ବୋଲି ଶୁଣିବାକୁ ମିଳିଥିଲା.. ସେବେଠାରୁ ଏ ଝିଅ ଷ୍ଟେସନରେ ରୁହେ, ଭିକମାଗି ଚଳେ ।


- "ସବୁ ବୁଝିଲି..। କିନ୍ତୁ ନିଜେ ଖାଇବାକୁ ପାଏନା, ତା ଉପରେ ପୁଣି ଏତେ କମ୍ ବୟସରୁ ବାହାହେଇ ଘର ସଂସାର ପିଲା ଛୁଆ କରିବା କଣ ଦରକାର !! ୟେ ବି କୋଉ ରିକ୍ସାବାଲା କିମ୍ବା ଆଉ କୋଉ ଭିକାରିକୁ ବାହା ହୋଇଥିବ, ଯିଏ ଦିନର ସବୁତକ ରୋଜଗାର ମଦରେ ଉଡେଇ ରାତିରେ ୟା ଉପରେ ଦାଉ ସାଧୁଥିବ, ମାରଧର କରୁଥିବ । ବାହାହବା ପାଇଁ କିଏ କହିଥିଲା ୟାକୁ, ତା ଉପରେ ଏଡ଼େ ବକଟେ ଛୁଆ !!" କହିଲା ଅନିମେଶ


ହୋ ହୋ ହେଇ ହସି ଉଠିଲା ବିଷ୍ଣ ଭାଇ..


- ଘର ସଂସାର ?? ତୁମେ ବି ନା ସତରେ ଅନି ବାବୁ.. ଦୁନିୟାଦାରି କିଛି ଜାଣିଲ ନାହିଁ..। ଖାଲି ଘରୁ ଅଫିସ ଆଉ ଅଫିସ ରୁ ଘର। ଏଇ ତୁମ ଦୁନିଆ ।


ନିର୍ବାକ ଦୃଷ୍ଟି ରେ ଚାହିଁ ରହି ଥିଲା ଅନିମେଶ .. ସତରେ ସେ ବୁଝିପାରୁ ନଥିଲା ବିଷ୍ଣ ଭାଇଙ୍କ କଥାର ରହସ୍ୟ।


-"ଷ୍ଟେସନ ଭିକାରୁଣୀର ପୁଣି ବାହାଘର, ସ୍ୱାମୀ ସଂସାର ..!! ଏଇ ଷ୍ଟେସନ ରେ ଭିକ ମାଗେ.. ଏଇ ଷ୍ଟେସନ ହିଁ ଏମାନଙ୍କ ସଂସାର..।" କହିଲା ବିଷ୍ଣ ଭାଇ


- ହଁ ମାନୁଛି ..। କିନ୍ତୁ ଏ ପିଲା ର ବାପ ତ କିଏ ଥିବ..!!


- ହଁ, ସେ ଥିବ । କିନ୍ତୁ ସେ କିଏ, ଜନ୍ମ ଦେଲାବାଲି ନିଜେ ବି ଜାଣେନି ହୁଏତ..


- "ମାନେ ??" ବିଷ୍ଣଭାଇ ମୁହଁକୁ ନିର୍ବାକ ଦୃଷ୍ଟିରେ ଚାହିଁ ରହି ଥିଲା ଅନିମେଶ ..।


- କଣ ହେଲା ? ହାଁ କରି କଣ ଭାବୁଛନ୍ତି ଅନିବାବୁ ?? ପ୍ରଶ୍ନ କଲା ବିଷ୍ଣ ଭାଇ ।


- ନା ଭାବୁଛି ୟେ ବିଚାରିର ଏମିତି ସର୍ବନାଶ କିଏ କଲା..


- କେତେ କୁକୁର ଅଛନ୍ତି ଅନି ବାବୁ..। ପ୍ରତି ମୁହୂର୍ତ ରେ ଏମାନଙ୍କ ଦେହକୁ ଝୁଣି ଖାଇବାକୁ..। ରାତିରେ ପହରା ଦେଉଥିବା ଗାର୍ଡକୁ ନିଜ ଦେହଦେଇ ପରିଶୋଧ କରେ ଖରା ବର୍ଷା ଆଉ ଶୀତରୁ ଆଶ୍ରୟ ପାଇବାର ଦାମ୍ ..। ଶେଷ ଟ୍ରେନରେ ଘରକୁ ଫେରୁଥିବା କେଉଁ ଲମ୍ପଟ, ଗୋଟେ ପ୍ୟାକେଟ ବିସ୍କୁଟ କିମ୍ବା କେକ ଦେଇ ନିଜ ଦେହର ଭୋକ ମେଂଟାଏ..। ଦେଶିମଦ ଦୋକାନରୁ ଟଳମଳ ପାଦରେ ବାହାରି ଆସି ଥିବା କେଉଁ ମାତାଲ ଜବରଦସ୍ତି ଆଣ୍ଠେଇ ପଡେ ଏମାନଙ୍କ ଦେହ ଉପରେ ..। କେବଳ ସେତିକି ନୁହେ ଅନିବାବୁ, ପ୍ରତିବର୍ଷ କୁଜି ନେତା ଆଉ ବିଭିନ୍ନ ସ୍ବେଛାସେବୀ ସଂଗଠନ ମିଶ ଏଇ ଯେଉଁ ମାଗଣାରେ ଶାଢ଼ୀ କିମ୍ବା ଶୀତରେ କମ୍ବଳ ବାଣ୍ଟନ୍ତି, ତା'ର ମୂଲ ବି ଶୁଝିବାକୁ ହୁଏ ନିଜର ଦେହର ବଦଳରେ.. ଶଃ ଅମଣିଷ କୁକୁର ଗୁଡ଼ା..।

ଶେଷ କେଇପଦକ ଅତ୍ୟନ୍ତ ଦୁଃଖ, କ୍ଷୋଭ, ରାଗ ଓ ବିରକ୍ତର ଏକ ଫେଣ୍ଟାଫେଣ୍ଟି ସ୍ୱରରେ ଫିଙ୍ଗି ଦେଇ, ବିଷ୍ଣଭାଇ ଆଗନ୍ତୁକ ଗରାଖକୁ ଚାହା ଦେବାକୁ ଯାଇ ଚୁପ କରିଗଲା ।


ଅନିମେଶ କିନ୍ତୁ ପଥର ପାଲଟି ଯାଇଥିଲା..। କି ଅଦ୍ଭୁତ ଅସହାୟତା..! ବଂଚି ରହିବା ପାଇଁ କି ଅସମ୍ଭବ ଯୁଦ୍ଧ !! ଦିନର ଆଲୁଅ ରେ ଝଲମଲ କରୁଥିବା ୟେ ସହର, ରାତିର ଅନ୍ଧକାରରେ କେମିତି ଏତେ ବଦଳି ଯାଏ !! ଚୁପ ଚାପ ବସି ରହିଛି ଅନିମେଶ। ଆଖି ଆଗରେ କେତେ ଚିହ୍ନା ଅଚିହ୍ନା ମୁହଁ ଆସୁଛନ୍ତି ଯାଉଛନ୍ତି ଦ୍ରୁତ ଗତିରେ। କେହି କେହି ଟ୍ରେନ ଧରୁଛନ୍ତି ନିଜ ଗନ୍ତବ୍ୟ ପାଇଁ, କେହି କେହି ଫେରୁଛନ୍ତି । ହଠାତ ଧୀରେ ଧୀରେ ମଣିଷ ସବୁ କିଏ କୁଆଡେ ଉଭେଇ ଯାଉଛନ୍ତି। ଅନ୍ଧକାରାଚ୍ଛନ ହେଇ ପଡୁଛି ପୁରା ପ୍ଲାଟଫର୍ମ.. ସବୁ କିଛି ଝାପ୍ସା ହେଇ ଯାଉଛି । ରାତିର ଗଭୀରତା ସହିତ ତାଳଦେଇ, କ୍ରମଶଃ ମିଳେଇ ଯାଉଛନ୍ତି ସବୁ ମୁହଁଗୁଡା ଅନ୍ଧକାରରେ..। ହଠାତ୍ ବିଷ୍ଣ ଭାଇର କେବିନ ପଛରୁ କେଉଁ କଅଁଳ ଶିଶୁର କାନ୍ଦିବାର ଶବ୍ଦ ଶୁଭୁଚି..। ଉଙ୍କି ମାରି ଦେଖେ ଛିଣ୍ଡା ଦରି ଉପରେ ଅଧା ଲଙ୍ଗଳା ଗୋଟେ ନାରୀ ଦେହ..। ତା ଉପରେ ହାମୁଡ଼ି ପଡିଛି ଗୋଟେ ଭୁଭୁକ୍ଷୁ ରାକ୍ଷସ..। ବିଚାରି ଗୋଟିଏ ହାତରେ ନିଜର କ୍ରନ୍ଦନ ରତ ଶିଶୁ କୁ ତୁନି କରିବାର ଦୁର୍ବାର ପ୍ରଚେଷ୍ଟା କରୁଛି ତ ଅନ୍ୟ ହାତରେ କାମଲାଳସା ଜର୍ଜ୍ଜରିତ ରାକ୍ଷସ ଠାରୁ ନିଜ ଇଜ୍ଜତର ଶେଷ ରକ୍ଷା କରିବାର ନିଷ୍ଫଳ ଚେଷ୍ଟା କରୁଛି ।


- "ଏକ ଲୟରେ ଝିଅଟାକୁ ଦେଖି କଣ ଭାବୁଛ ଅନିବାବୁ ସେତେବେଳୁ.. ଆମର ଏ ସବୁ ଦେହସୁହା ବୁଝିଲ.. ଏବେ କିଛି ଲାଗେନି..।" ବିଷ୍ଣ ଭାଇ ଙ୍କ କଥାରେ ସମ୍ବିତ ଫେରି ପାଇଲା ଅନିମେଶ..


ବେଞ୍ଚ ଉପରେ ଝିଅଟା ବସି ଟିକେ ଢ଼ୋଳେଇ ପଡିଛି । ଛୁଆଟା ବେଞ୍ଚରେ ଗୋଡ଼ ଧରି ଛିଡା ହେବାକୁ ଚେଷ୍ଟା କରୁଛି..। ଉଠୁଛି, ପୁଣି ବସି ପଡୁଛି..। ପୁଣି ଉଠିବାକୁ ଚେଷ୍ଟା କରୁଛି.. ଆଘାତ ପାଉଛି ହେଲେ ଉଠିବାର ଚେଷ୍ଟା ବନ୍ଦ ହେଉନି..।


ବିଷ୍ଣ ଭାଇ ଠାରୁ ନରମ ଦେଖି କେଇଟା ବେକାରୀ ବିସ୍କୁଟ ନେଇ ଧୀରେ ଧୀରେ ସେ ଆଡକୁ ପାଦ ବଢ଼େଇଲା ଅନିମେଶ । ପିଲାଟାକୁ କୋଳକୁ ନେଇ ତା ହାତରେ ବିସ୍କୁଟ ଦେଲା। ପିଲାଟା ହାତରେ ବିସ୍କୁଟ ଧରି ଲାଳେଇ ଲାଳେଇ ଖାଉଛି। କି ନିଷ୍ପାପ ସତରେ ।


ପକେଟରୁ ମନିବ୍ୟାଗ କାଢି ଦେଖିଲା । ଗୋଟେ ୧୦୦ ଟଙ୍କିଆ, ଗୋଟେ ପଚାଶ ଟଙ୍କିଆ ଆଉ କେଇଟା ୧୦ ଟଙ୍କିଆ ନୋଟ। ୧୦ ଟଙ୍କାର ନୋଟ୍ ଟା କାଢ଼ିବାକୁ ଯାଇ କଣ ମନେ ହେଲା, ହଠାତ ୫୦ ଟଙ୍କିଆ ନୋଟ୍ ଟା କାଢି ଝିଅଟା କୁ ଡାକି ତା ହାତରେ ଦେଲା.. ହଠାତ ଝିଅଟା ନିଦରୁ ଉଠି ଭୁତ ଦେଖିଲା ପରି ଚମକି ଉଠିଲା ଅନିମେଶ ତା ପିଲାକୁ କୋଳରେ ଧରିଥିବା ଦେଖି । ୫୦ ଟଙ୍କାର ନୋଟ୍ ଟା ତା ପାଦ ଆଡକୁ ଫିଙ୍ଗିଦେଇ ଆଣ୍ଠେଇ ପଡି ଦୁଇହାତ ଯୋଡି ହଠାତ କାନ୍ଦି ଉଠିଲା ଝିଅଟା..


-ମୋ ଛୁଆ .. ମୋ ଛୁଆ ମୋତେ ଫେରେଇ ଦିଅ.. ମୋର ଟଙ୍କା ପଇସା କିଛି ଦରକାର ନାହିଁ ବାବୁ । ଆଉ କେବେ ଟଙ୍କା ମାଗିବିନି.. ମୋ ଛୁଆକୁ ମୋତେ ଦିଅ ।


- ଆରେ ମୁଁ ତୋ ପିଲା କୁ ତୋ'ଠୁ ନେଉନି.. ତୁ ନେ, ୟେ ପଇସା ରଖ ।


- ନା ନା ମୋର ପଇସା ଦରକାର ନାହିଁ.. ମୋ ଛୁଆ.. ମୋ ଛୁଆ ମୋତେ ଦିଅ !


ପାଟିତୁଣ୍ଡ ଶୁଣି ହଠାତ ଗୁଡ଼ାଏ ଲୋକ ରୁଣ୍ଡ ହେଇ ଯାଇଥିଲେ.. । "ଆରେ ସେ ବାବୁ ତୋ ପିଲା ତୋ'ଠାରୁ ନେଉ ନାହାନ୍ତି ପାଗିଳି.."-ବିଷ୍ଣଭାଇ ମଝିରେ ପଶି ବୁଝାଉଥିଲା ଝିଅଟାକୁ ।

ଆଖପାଖରେ ଛିଡା ହୋଇଥିବା ଯାତ୍ରୀମାନେ ଏକ ଅଦ୍ଭୁତ ଦୃଷ୍ଟିରେ ଚାହୁଁଥିଲେ ଅନିମେଶ ଆଡକୁ। ସତେ ଯେମିତି ଭିକାରିଣୀର ପିଲାକୁ କୋଳକୁ ନେବାଟା, ସେମାନେ ଆଦୌ ହଜମ କରି ପାରୁନାହାନ୍ତି ।


ସାମ୍ନାକୁ ଝୁଙ୍କି ଗୋଡ଼ତଳୁ ୫୦ ଟଙ୍କାର ନୋଟ୍ ଟା ସାଉଁଟି ନେଇ, ଝିଅଟି ହାତରେ ଉଭୟ ଟଙ୍କା ଆଉ ପିଲା, ଦୁଇଟାଯାକ ଦେଲା, ଅନିମେଶ । ଟଙ୍କାଟା ଗୋଟେ ହାତରେ ଠେଲିଦେଇ ପିଲାଟାକୁ ନିଜ ଛାତିରେ ଚାପି ରଖିଲା ଝିଅଟା । ପିଲାଟିର କପାଳ, ଗାଲ, ଦେହ ସାରା ଚୁମି ଯାଉଥିଲା। ସତେ ଯେମିତି ସେ କହୁଥିଲା କେଇଟା ଟଙ୍କା, ମୁଠାଏ ଭାତ, ଖଣ୍ଡେ ଶାଢ଼ୀର ବଦଳରେ ତୁମେମାନେ ମୋର ସର୍ବସ୍ବ ଲୁଟି ନେଇଛ କିନ୍ତୁ ମନେରଖ ପୃଥିବୀର ସମସ୍ତ ଧନ ସମ୍ପଦ ଦେଇ ବି ମୋ ପିଲାକୁ ମୋଠାରୁ ନେଇ ପାରିବ ନାହଁ..। ନଥାଇ ପାରେ ତା'ପାଖରେ ତାର ପ୍ରକୃତ ପିତାର ପରିଚୟ, ତଥାପି ସେ ମୋ ଦେହର ଅଂଶ । ଆଉ ମୋ ଦେହର ଅଂଶକୁ ମୋଠାରୁ କେହି ଅଲଗା କରି ପାରିବନି..। କେହି ଅଲଗା କରି ପାରିବନି..।


ମାତୃତ୍ବର ସେ ଅନାବିଳ ପ୍ରେମକୁ ମନଭରି ଦେଖିବାକୁ ଚାହୁଁଥିଲା ଅନିମେଶ, କିନ୍ତୁ ସେତେବେଳକୁ ଟ୍ରେନ୍ ଆସି ପ୍ଲାଟଫର୍ମରେ ପହଞ୍ଚି ସାରିଛି।


© ରାକେଶ ମିଶ୍ର



Rate this content
Log in

Similar oriya story from Tragedy