Rakesh Mishra

Comedy

5.0  

Rakesh Mishra

Comedy

ମନୁଆର କୀର୍ତ୍ତି (ଗଞ୍ଜେଇ)

ମନୁଆର କୀର୍ତ୍ତି (ଗଞ୍ଜେଇ)

6 mins
7.4K


ବିତର୍କ ଆରମ୍ଭ ହୋଇଥିଲା କୋଉ ଗୋଟେ ଓଡ଼ିଆ ଟିଭି ଚ୍ୟାନେଲରେ ଦେଖେଇଥିବା ଗୋଟେ ଖବରକୁ ନେଇ । ଖବର ଅନୁଯାୟୀ ଜଣେ ଉଚ୍ଚଶିକ୍ଷିତ ପିଲା ଚାକିରୀ ନ ପାଇ ଶେଷରେ ଗଞ୍ଜେଇ ବେପାର କରିବାକୁ ଯାଇ ଧରାପଡ଼ି ହଟହଟା ହେବା ଏବଂ ସେ ଗଞ୍ଜେଇ ବେପାରୀର ରୋକଠୋକ୍ କଥା ଗୁଡିକୁ ନେଇ ଉପସ୍ଥାପକଙ୍କ ଥଟ୍ଟାକୁ ନେଇ । କୁନାର କହିବା କଥା, ବିଚରାକୁ ଏମିତି କହିବା ଉଚିତ୍ ନଥିଲା । ଗଞ୍ଜେଇକୁ ନେଇ ଲୋକଙ୍କ ମନରେ ବହୁ ଭ୍ରାନ୍ତ ଧାରଣା ରହିଛି । ବିନା କାରଣରେ ବିଚରା ଗଞ୍ଜେଇ ଓ ଗଞ୍ଜୋଡ଼ ଦୁହେଁ ବଦନାମ୍ । ନିଜ କଥାକୁ ପ୍ରମାଣ କରିବାକୁ ଯାଇ, ଗୋଟେ ଲମ୍ବା ଚୌଡ଼ା ଭାଷଣ ବି ଦେଇଦେଲା କୁନା।


- ପ୍ରଥମେ କହୁଛି ଗଞ୍ଜେଇ କଣ ପାଇଁ ଖରାପ ନୁହଁ । ଗଞ୍ଜେଇ ଗଛର ଶୁଖିଲା ଫୁଲରୁ, ଆନନ୍ଦ ପ୍ରଦାନକାରୀ, ଜ୍ଞାନ ଉଦ୍ରେକକାରୀ ବହୁ ଦୁରାରୋଗ୍ୟ ରୋଗର ଔଷଧୀୟ ଗୁଣସମ୍ପନ୍ନ ଉପକାରୀ ଆୟୁର୍ବେଦିକ ଗୁଳ୍ମଟି ସ୍ଥାନ, ଗୋଷ୍ଠୀ ବା ବ୍ୟକ୍ତିବିଶେଷରେ ବିଭିନ୍ନ ନାମରେ ପରିଚିତ ଯଥା ଭୋଗ, ପ୍ରସାଦ, ଘାସ, ଜଏଣ୍ଟ, ମାରିଯୁଆନା ବା କାନାବିଶ ଇତ୍ୟାଦି । ଏହି ଏକା ଗଛର ପତ୍ରରୁ ପ୍ରସ୍ତୁତ ହୁଏ ଭାଙ୍ଗ । ଭାରତରେ ସର୍ବତ୍ର ଶିବରାତ୍ରି, ପଣାସଂକ୍ରାନ୍ତି, ହୋଲି ତଥା ଅନ୍ୟାନ୍ୟ ଧାର୍ମିକ ପର୍ବ ପର୍ବାଣି ଓ ଅନୁଷ୍ଠାନରେ ମହା ଆନନ୍ଦରେ ଭାଙ୍ଗ ପଣା ପାନ କରାଯାଇଥାଏ ।

ସମସ୍ତେ ଜାଣନ୍ତି ଜଗତରନାଥ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ପୁରୀର ଜନଗଣ ମାନଙ୍କର ଭାଙ୍ଗ ସହ ସମ୍ପର୍କ କେତେ ମଧୁର ତଥା ଆପଣାର । ଏଠାରେ କହି ରଖୁଛି, ଭାରତରେ ଭାଙ୍ଗ ବ୍ୟବହାର ଉପରେ କୌଣସି ଆଇନଗତ କଟକଣା ନାହିଁ । କାରଣ ହେଲା ଭାରତର ଜନଗଣଙ୍କର ଅତ୍ୟଧିକ ଧାର୍ମିକ ଭାବନାକୁ ଆଘାତ ଦିଆଯାଇ ପାରିବନି, ଯେହେତୁ ଭାଙ୍ଗ ହେଲା ଧାର୍ମିକ ଜିନିଷ, ତେଣୁ ନୋ ଇସ୍ୟୁ । ଘରେ ତ୍ରୀନାଥ ମେଳା ହେଉ କି ପଞ୍ଚାନନ ମେଳା, କଦଳୀ ନଡ଼ିଆ ବସାଦହି ଇତ୍ୟାଦି ସହ ଭାଙ୍ଗ ଟିକେ ନ' ପଡ଼ିଲେ ସେ ପଞ୍ଚାମୃତ ହିସାବରେ ଗଣାନୁହେଁ । କିନ୍ତୁ ଗଞ୍ଜେଇ ଉପରେ କଟକଣା ? କଣ ପାଇଁ ଭାଇ ?? ଗଞ୍ଜେଇ କାହାର କଣ କ୍ଷତି କଲା ??? ଗୋଟିଏ ମା'ର ଦୁଇ ସନ୍ତାନ ଭାଙ୍ଗ ଓ ଗଞ୍ଜେଇ । ତେବେ ଦୁହିଁଙ୍କ ମଧ୍ୟରେ ଏତେ ପାତର ଅନ୍ତର କାହିଁକି ? ମଦ ପିଇବାଟା ଆଜି କାଲି ଫେସନ କିନ୍ତୁ ଗଞ୍ଜେଇ ଟାଣିଲେ ଲୋକେ ନାକ ଟେକିବେ । ଦୁଇ ନିଶାଦ୍ରବ୍ୟକୁ ନେଇ ଏ ପକ୍ଷପାତିତା କଣ ପାଇଁ ।କାରଣ ହେଲା ଆମ ମନସ୍ତତ୍ତ୍ୱ । ଠିକ ଯେମିତି ଯାତ୍ରା ଵାଲା ଆଉ ଫିଲିମ ଵାଲା । ଫିଲିମ ଵାଲାଙ୍କୁ ମୁଣ୍ଡରେ ବସେଇ ନାଚିବୁ କିନ୍ତୁ କେହି ଟିକେ ରଙ୍ଗେଇ ରଙ୍ଗେଇ କଥା ହେଲେ କିମ୍ବା ଲମ୍ବା ଚୁଳ ରଖିଲେ କିମ୍ବା ଅଦ୍ଭୁତ ପୋଷାକ ପିନ୍ଧିଲେ ତାକୁ ଯାତ୍ରାଵାଲା କହି ଥଟ୍ଟା କରିବୁ । ଆଜିକାଲି ତ' ଗାଁ ଗହଳିରେ ପାନ ଦୋକାନ କମ୍ କିନ୍ତୁ ସରକାରୀ/ବେସରକାରୀ ମଦ ଦୋକାନ ବେଶି । ସରକାର ନିଜେ ଲାଇସେନ୍ସ ଦଉଛନ୍ତି । ନିଅ, ମଦ ପିଅ, ସମସ୍ତଙ୍କୁ ପିଆଅ, ପିଇକି ମର। କିନ୍ତୁ ବିଚରା ଗଞ୍ଜେଇ ଉପରେ ପ୍ରତିବନ୍ଧକ । ପରିସଂଖ୍ୟାନ ଅନୁଯାଇ ଭାରତରେ ପ୍ରତି ଦେଢ଼ ଘଣ୍ଟାରେ ଗୋଟେ ମଦମୃତ୍ୟୁ ମାମଲା ନଥିଭୁକ୍ତ ହେଉଛି, ଏଇଟା ସରକାରୀ ତଥ୍ୟ । ୟା ଛଡା କେତେ କୁଆଡେ ମରୁଥିବେ, କିନ୍ତୁ ଆଜି ଯାଏ କୋଉଠି ଶୁଣିଛ ଗଞ୍ଜେଇ ଖାଇ କିଏ ମରିଛି । Not a single case.. ଜଣେ ବି ନୁହେଁ ।


- "ତା ମାନେ ତୁ କଣ କହୁଛୁ ଗଞ୍ଜେଇ ଟା ଅମୃତ, ସେଥିରେ କ୍ଷତି ହୁଏନି! " କହିଲା ନିରା ।


- ଦେଖ ମଣିଷ ଜୀବନରେ ଆବଶ୍ୟକତା ଠାରୁ ଅତ୍ୟଧିକ ସବୁକିଛି ହିଁ ବିଷ । ଏକଥା ମୁଁ ନୁହେଁ ସ୍ୱୟଂ ବୁଦ୍ଧଦେବ କହିଛନ୍ତି । ତୁ ଯଦି ବେଶି ପାଣି ପିଇବୁ ତତେ ବାନ୍ତି ଉଠେଇବ, ଦେହ ହାତ ଘୋଳେଇବ, କି ନା ? ଆବଶ୍ୟକତା ଠାରୁ ଅଧିକ ଭାତ ଖାଇଦେ ସେଟା ବି ତୋ ପାଇଁ କ୍ଷତିକାରକ । କଞ୍ଚା ଓଡ଼ିଆରେ ଲେମ୍ବୁ ଅତି ଚିପୁଡ଼ିଲେ ପିତା । ଆଛା, ତୁମକୁ ମେଡ଼ିସିନ ଠାରୁ ସୋରିଷ ତେଲ, ଦାନ୍ତମଜା ଠାରୁ ଦେହଲଗା ସାବୁନ ସବୁ ଅର୍ଗାନିକ ଦରକାର । ଗଞ୍ଜେଇ କଣ ଅର୍ଗାନିକ ନୁହେଁ କି ? ଆମ ପ୍ରାଚୀନ ହିନ୍ଦୁଧର୍ମର ମହାନ ଗ୍ରନ୍ଥ ଅଥର୍ବ ବେଦରେ ମଧ୍ୟ ଗଞ୍ଜେଇକୁ ପାଞ୍ଚଟି ପବିତ୍ର ଗୁଳ୍ମରୁ ଗୋଟିଏ ବୋଲି ଉଲ୍ଲେଖ ଅଛି । ସ୍ୱୟଂ ଦେବଦେବ ମହାଦେବ ଯାହାର ବ୍ରାଣ୍ଡ ଆମ୍ବାସଡର୍ ସେଇଟା କଣ ଅଧାର୍ମିକ ନା ଅପବିତ୍ର କହିଲ ମତେ। ଏଇ ପୁରା ଷଡଯନ୍ତ୍ର ହେଲା ଆମେରିକାର ବଡ଼ ବଡ଼ ଔଷଧ କମ୍ପାନୀ, ଟବାକୋ କମ୍ପାନୀ ଏବଂ ମଦ କମ୍ପାନୀ ମାନଙ୍କର । କାରଣ ବିଗତ ୩ହଜାର ବର୍ଷଧରି ଗଞ୍ଜେଇ ଥିଲା ଭାରତୀୟ ଆୟୁର୍ବେଦର ମୁଖ୍ୟ ଉପାଦାନ । ଗଞ୍ଜେଇରୁ ବହୁ ଧରଣର ଔଷଧ ତିଆରି ହେଉଥିଲା । ଏବେ ବି ବହୁ ଫାର୍ମାସିଟିକଲ କମ୍ପାନୀ ଏଇ ଗଞ୍ଜେଇରୁ ବିଭିନ୍ନ ପେନକିଲର ଓ ଅନ୍ୟାନ୍ୟ ଔଷଧ ପ୍ରସ୍ତୁତ କରି ଆମକୁ ହିଁ ଚଢାଦରରେ ବିକ୍ରି କରନ୍ତି । ତେଣୁ ୟାକୁ ବ୍ୟାନ ନକଲେ ସେମାନଙ୍କ ପ୍ରଡକ୍ଟ କେହି କିଣିବେନି । କେବଳ ପେନକିଲର ନୁହେଁ ଗ୍ୟାଷ୍ଟ୍ରିକ, କ୍ଷୁଧାବର୍ଧକ ଔଷଧ, ମଧୁମେହ, ଡାଇରିଆ, ଜଣ୍ଡିସ ଏମିତିକି କ୍ୟାନ୍ସର ରୋଗର ଔଷଧ ମଧ୍ୟ ଗଞ୍ଜେଇରୁ ପ୍ରସ୍ତୁତ ହୁଏ । ଆଉ ଗୋଟେ କଥା, କାନ୍ଥ ବାଡ଼ରେ ଯେଉଁ ସବୁ ପୋଷ୍ଟର ଲାଗିଥାଏ, "ଏକାନ୍ତରେ ଦେଖା କରନ୍ତୁ", ଆମେ ଯେଉଁ ସବୁ ପୋଷ୍ଟର ଦେଖି ମୁହଁ ବୁଲେଇ ନେଉ ସେ ସବୁ ରୋଗ ପାଇଁ ୟେ ବିଶଲ୍ୟକରଣୀ ଭଳି କାମ କରେ । ଏକ ପରିସଂଖ୍ୟାନ ଅନୁସାରେ ଆମେରିକାର ଯେଉଁ ରାଜ୍ୟରେ ଗଞ୍ଜେଇ ଉପରେ ବ୍ୟାନ୍ ନାହିଁ ସେ ସବୁ ରାଜ୍ୟରେ ମଦ, ସିଗାରେଟ ଓ ପେନକିଲର ବିକ୍ରି ଆଶାତୀତ ଭାବେ ହ୍ରାସ ପାଇଛି । ଏଥର ନିଜେ ବୁଝ । ଆଉ ୟାକୁ ବିରୋଧ କରନ୍ତି କେଉଁମାନେ, ସେଇ ସବୁ NGO ଯେଉଁମାନେ ଯୁକ୍ତରାଷ୍ଟ୍ର ତଥା ଭାରତର ବଡ଼ ବଡ଼ ନାମୀ ଦାମୀ ମଦକମ୍ପାନୀ, ଔଷଧ କମ୍ପାନୀ ଓ ସିଗାରେଟ କମ୍ପାନୀର ଅନ୍ନରେ ପ୍ରତିପାଳିତ । ତାଙ୍କ ପଇସାରେ ୟାଙ୍କ ଚୁଲି ଜଳେ, ତେଣୁ ସେମାନଙ୍କ ଆଦେଶକୁ ୟେ ଗୁରୁ ଆଜ୍ଞା ଭାବି ବିଚରା ଗଞ୍ଜେଇକୁ ବଦନାମ୍ କରିବାକୁ ଲାଗି ପଡ଼ିଲେ । ତେଣୁ ଭାଇମାନେ ଗଞ୍ଜେଇକୁ ଅପବାଦ ମୁକ୍ତ କରିବା ପାଇଁ ହେଲେ ପ୍ରଥମେ ତାକୁ ନେଇ ଜନସଚେତନତା ସୃଷ୍ଟି କରିବାକୁ ହେବ । ଲୋକଙ୍କୁ ବୁଝେଇବାକୁ ପଡିବ ଯେ ଗଞ୍ଜେଇ ଟାଣିଲେ କେତେ ଉପକାର ହୁଏ ।


- "ତା ହେଲେ କଣ କହୁଚ ଅଭିଯାନ ଆରମ୍ଭ କରିବା ?? " ପଚାରିଲା ସୁକୁଟା ।


- "ଆଉ କଣ ! ଜନସଚେତନତା ପାଇଁ ପ୍ରଥମେ ଆମକୁ ଏହାର ଉପଯୁକ୍ତ ବ୍ୟବହାର କରି ଲୋକଙ୍କୁ ଦେଖେଇବାକୁ ପଡିବ" ପକେଟରୁ ଗୋଟେ ଛୋଟ ଚଷମା ଖୋଳ ଭଳି ଛୋଟ ଖୋଳ ବାହାର କରି କହିଲା କୁନା। ସେଥିରେ ଗୋଟେ ଛୋଟ କାଠଖଣ୍ଡ, ଗୋଟେ ଛୋଟ କଇଁଚି, ଗୋଟେ ବ୍ଲେଡ୍, ଦୁଇ ତିନିଟା ବିଡି, ଗୋଟେ ଜରିରେ ମୋଡା ହୋଇ କିଛି ଗଞ୍ଜେଇ କଲି, ଗୋଟେ ଚିଲିମ ଆଉ ଗୋଟେ ଛୋଟ କନା।

ଏତେ ବେଳ ଯାଏ ଚୁପ ଚାପ ବସି ସବୁ ଶୁଣୁଥିଲା ମନୁଆ । ଏଥର ଉଠି ଛିଡା ହେଲା ।


- ମୁଁ ଚାଲିଲି, ତୁମେ ଜନ ସଚେତନତା କରୁଥାଅ । ଯେତେ ସବୁ ଫାଲତୁ କଥା । ତୁ ଏସବୁ ସାଙ୍ଗରେ ଧରି ବୁଲୁ ସବୁବେଳେ, ବେହିଆ?


- ଆରେ ମନୁଆ, ବସ୍ ଭାଇ କୁଆଡେ ଚାଲିଲୁ । ଛୋଟ ଛୁଆଙ୍କ ଭଳି ହଉ କାହିଁକି ? ଗୋଟା ଗୋଟା ବିଅର ଟେକିଲା ବେଳେ ତ ତୋତେ କହିବାକୁ ପଡ଼େନି । ସନା ବାହାଘରକୁ ମାଲ୍ ପିଇ ରାସ୍ତାରେ ଗଡ଼ି ନାଗୀନ୍ ଡ୍ୟାନ୍ସ କରୁଥିଲୁ, ସେତେବେଳେ କୁଆଡେ ଥିଲା ତୋ ସୁବୁଦ୍ଧି । ମୋ କଥା ମାନିକି, ଗୋଟେ ସୁଟକା ମାରି ଦେଖ୍, ଦୁନିଆର ସବୁ ଦୁଃଖ କଷ୍ଟ ଯନ୍ତ୍ରଣା ଫୁସ କି ସେଇ ଧୂଆଁରେ ଉଡିଯିବ । ତା ପରେ ଆନନ୍ଦ ହି ଆନନ୍ଦ । କହିଲା ରଘୁଆ ।

- "ନାଁ, ମୋର ଆନନ୍ଦ ନବାର ନାହିଁ, ତୁମେ ଟାଣ.. ଟାଣି କି ମର.. କଲିଜା ପୋଡିଯିବା ଶଳା ଅଧା ବୟସରେ ମରିବ ସବୁ । " କହିଲା ମନୁଆ


- ଆରେ ଖାଲି କଣ ଆନନ୍ଦ ! ଦି ଟାଣ ମାରିବା ପରେ ତତେ ଲାଗିବ, ସକ୍ରେଟିସ୍, ପ୍ଲାଟୋ, ଆରିଷ୍ଟୋଟଲ ଆଦି ବିଶ୍ୱ ପ୍ରସିଦ୍ଧ ଦାର୍ଶନିକ ମାନେ ତମ ଗୁହାଳ ପୋଛିବାକୁ ଯୋଗ୍ୟ ନୁହନ୍ତି । ତୁଚ୍ଛାଟାରେ କଣ ଗଞ୍ଜେଇକୁ ଜ୍ଞାନାଞ୍ଜନ କହନ୍ତି! ସେ ସବୁ ବିଦେଶୀଙ୍କୁ ଛାଡ଼, ଆମ ପ୍ରାଚୀନ ମୂନିଋଷି ମାନେ ଯେଉଁ ମହାନ୍ ଜ୍ଞାନଗର୍ଭକ ଶାସ୍ତ୍ର ପୁରାଣ ଲେଖିଦେଇ ଯାଇଛନ୍ତି ସେ ସବୁ କାହାର କମାଲ୍?? ଏଇ ଗଞ୍ଜେଇର...


- "ଆରେ, ଏତେ କରି କହୁଛି ଯେତେ ବେଳେ ଗୋଟେ ଟାଣ ମାରିକି ଦେଖେନା..ଦେଖ ବାବାଙ୍କ ପ୍ରସାଦକୁ ମନା କରନ୍ତିନି " ତା ହାତକୁ ଚିଲିମ ବଢ଼େଇ ଦେଉ ଦେଉ କହିଲା ରାଜୁ ।ତା ପରେ କେମିତି ଚିଲିମ ଧରି ଟାଣ ମାରିବ ସେ ନେଇ ଗୋଟେ ଛୋଟିଆ ଟ୍ରେନିଂ ବି ଦେଇ ଦେଲା କୁନା।


- "ବମ୍ ଭୋଲେ.." ହାତରେ ଚିଲିମ ଧରି, ମୁହଁରେ ଲଗେଇଛି, ପାଖରୁ କହି ଉଠିଲା କୁନା। ସମସ୍ତେ ଏକ ସ୍ୱରରେ କହି ଉଠିଲେ, ବମ୍ ଭୋଲେ.. ବମ୍ ଭୋଲେ.. ଜୟ ବବ୍ ମାର୍ଲେଙ୍କର ଜୟ ।


ପ୍ରଥମେ ଟାଣିଲା ବେଳେ ସେମିତି କିଛି ଲାଗୁନଥିଲା, ଖାଲି ପ୍ରଥମ ଥର ଟିକେ କାଶ ହେଲା । ଜଣ ଜଣ କରି ସମସ୍ତେ ପ୍ରସାଦ ସେବନ କରି ଚୁପ୍ ଚାପ୍ ଆଖି ବୁଝି ବସିଥିଲେ । ମନୁଆ ଭାବିଲା ଏଇଟା ବି ଗୋଟେ ରିଚୁଆଲ୍ ବୋଧେ । ଗଞ୍ଜେଇ ଟାଣି ସାରି ଆଖି ବୁଜି ଭଗବାନଙ୍କୁ ପ୍ରାର୍ଥନା କରିବା । ଯେତେ ହେଲେ ବି ଠାକୁରଙ୍କ ଭୋଗ । କିନ୍ତୁ ହଠାତ୍ ମନୁଆ ଅନୁଭବ କଲା, ତା ଆଖି ପତା ଆପେ ବୁଜି ହେଇ ଆସୁଛି । କେମିତି ଗୋଟେ ଭାରି ଭାରି ଭାରି ଲାଗୁଚି । ଓଠ ଶୁଖି ଆସୁଛି । ବସିବା ଜାଗାରୁ ଉଠିବାକୁ ବି ତାକୁ କଷ୍ଟ ହେଉଥିଲା । ୟା ଆଗରୁ ଏମିତି ନିଆରା ଅନୁଭବ କେବେ ହୋଇନଥିଲା ତାର । ପ୍ରବଳ ଶୋଷ ଲାଗୁଛି, ଭୋକବି ପ୍ରବଳ ଲାଗୁଛି । ଲାଗୁଛି ସତେ ଯେମିତି ତା ନାଡ଼ିଗୋଡ଼ି ଭିଡ଼ିମୋଡ଼ି ହୋଇ ପାଟି ବାଟେ ବାହାରିଯିବ । ଜିଭଟା ତଣ୍ଟି ଭିତରକୁ ଭିଡ଼ିହୋଇ ପଶିଗଲା ପରି ଲାଗୁଛି । ଦୁଇ ଆଖି ଲଙ୍କା ଦଳିଲା ପରି ପୋଡ଼ୁଛି । ଚାଲିଲା ବେଳେ ଲାଗୁଥିଲା ଯେମିତି ସେ ଉଡୁଛି । ଯାହାହେଉ କୌଣସି ପ୍ରକାର ଘରେ ପହଁଚିଲା ।

ରାତି କେତେଟା ହେଲାଣି କେ ଜାଣେ ! ମୋବାଇଲରେ ଦେଖିଲା ରାତି ୧୧ଟା। ଖୁବ ସନ୍ତର୍ପଣରେ ଘରର ସଦର ଦରଜା ଖୋଲି ଭିତରକୁ ପଶିଲା । ମନେ ମନେ କାଳିଆ ଠାକୁରଙ୍କୁ ଡାକୁଥିଲା, ବାପା ଯେମିତି ଶୋଇ ପଡିଥାନ୍ତୁ । ବାପା ଯଦି ଜାଣିବେ ସେ ଗଂଜେଇ ଟାଣି ଆସିଛି, ପିଠିରେ ବାଟାର ଚମଡ଼ା ଚପଲ ଛିଡ଼ିବା ସିଓର। ପାଦ ଚିପି ଚିପି ଘରକୁ ପଶି ଦେଖେ, ଡ୍ରଇଂ ରୁମରେ ଆରାମଚୌକିରେ ବାପା ବସି ଟିଭି ଦେଖୁଛନ୍ତି । ଧୀରେ ଧୀରେ ଖୁବ୍ ସନ୍ତର୍ପଣରେ ପାଦ ପକେଇ ଆଗକୁ ବଢୁଥିଲା ସେ।

ବାପାଙ୍କ କଟମଟ୍ ଆଖିକୁ ଦେଖିଲେ ପିଳେହି ସନ୍ନିପାତ ହେଇଯାଏ ମନୁଆର । ସବୁବେଳେ ମନ ଭିତରେ ଅଜଣା ଭୟ ତାକୁ ଆଚ୍ଛନ୍ନ କରି ରଖିଥାଏ ଯେ ବାପା ବୁଝି ପାରୁ ନାହାନ୍ତି ତ...। ହଠାତ ଗୁରୁ ଗମ୍ଭୀର କଣ୍ଠ ଶୁଭିଲା..।


- କେତେଟା ବାଜିଲାଣି କିଛି ହୋଶ୍ ଅଛି । ଏଇଟା କଣ ଘରକୁ ଫେରିବା ଟାଇମ ।


- " କାହିଁକି ପିଲାଟା ଉପରେ ସବୁବେଳେ ସେମିତି ହେଉଛ କହିଲ! " ରୋଷେଇ ଘରୁ ଆସୁ ଆସୁ କହିଲା ବୋଉ।


- "ଏ ଯାଏଁ ତୋ ପାଇଁ ଅପେକ୍ଷା କରି, ବାପା ଏବେ ଖାଇ ଉଠିଲେ । ଡାଇନିଂ ଟେବୁଲ ଉପରେ ଖାଇବା ଅଛି, ମୁହଁ ହାତ ଧୋଇ ଖାଇ ବସ୍ । ମୁଁ ଆସୁଛି ।" ଧୀରେ କହି ବୋଉ ପୁଣି ରୋଷେଇଘରକୁ ଫେରିଗଲା ।

ଓହୋ.. ଯା ହେଉ, ବାପା ବୋଧେ ବୁଝି ପାରି ନାହାନ୍ତି... ମନେ ମନେ ଟିକେ ଆଶ୍ୱସ୍ତ ହେଲା ମନୁଆ । ତଥାପି ଖୁବ ସତର୍କତାର ସହ ବେସିନରେ ମୁହଁ ହାତ ଧୋଇ ଆସିଲା। ଖାଇବା ଟେବୁଲରେ ବସି, ଆଡ଼ଆଖିରେ ବାପାଙ୍କୁ ଅନୁଧ୍ୟାନ କରୁଥିଲା । ତା' ଦୂରବସ୍ଥା କଥା ଯେମିତି ବାପା ନ' ବୁଝି ପାରିବେ ଖୁବ୍ ସତର୍କତାର ସହ ଦୁଇ ପଟ ରୁଟି, ଡାଲି, ଭଜା , ଚିକେନ ସବୁ ନେଇ ଖାଇବାକୁ ଆରମ୍ଭ କଲା । କିନ୍ତୁ ୟେ କଣ ! ବାପା ଏବେ ବି ତା ଆଡକୁ କଟମଟ୍ କରି ଚାହିଁ ରହିଛନ୍ତି !! କାରଣ ଟା' ବୁଝିବା ଆଗରୁ ଗାଲରେ ଠାଏ କରି ଗୋଟେ ବଜ୍ର ଚାପୁଡ଼ା..

ବଜ୍ଜାରୀ, ପ୍ଲେଟ୍ କାହିଁ ତୋର ?? ମ୍ୟାଟ୍ ରେ କାହିଁକି ବାଢ଼ି ଖାଉଚୁ ??? ଇଡିଏଟ ।


- ଖାଇଲା ବେଳେ ଯମର ବି ଅଧିକାର ନାହିଁ କହିଦଉଛି । ଖାଇଲା ବେଳେ ମୋ ଛୁଆକୁ ମାରୁଛ । ନିଦ ମାଡ଼ୁଥିବ କି କଣ! ଦେଖୁନା ଆଖି ଦୁଇଟା କେମିତି ଲାଲ୍ ପଡ଼ିଯାଇଛି ନିଦରେ ।


- ନିଦ ନା ଆଉ କଣ.. ଲାଲ୍ ଚକ୍ଷୁ ରାଜ ଲକ୍ଷଣ, ନହେଲେ ବୁଝିବ ଗଞ୍ଜେଇ ଭକ୍ଷଣ..। ତୁମ ଇଞ୍ଜିନିୟରିଂ ପଢ଼ୁଥିବା ପୁଅର କିର୍ତ୍ତୀ ଦେଖ..। ଏଇଟା ପାଇଁ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛି, ପୁଅ ମୋର ଇଞ୍ଜିନିଅର ହେବ, ଆଉ ପୁଅ କଣ କରୁଛି ଦେଖ ! ସବୁ ମୋ କପାଳ, ବଂଶ ବୁଡ଼ିଲା ବେଳେ ଏମିତି ଘୋଡା ମୁହାଁ ପୁଅ ମାନେ ଜନ୍ମ ହୁଅନ୍ତି । ଏତକ କହୁ କହୁ ଆର ଗାଲରେ ପୁଣି ଏକ ବ୍ରହ୍ମ ଚାପୁଡ଼ା... ।



© ରାକେଶ ମିଶ୍ର

[ ବି:ଦ୍ର :- ଏହା କେବଳ ମାତ୍ର ଏକ ବ୍ଯଙ୍ଗ ରଚନା, ଏହାକୁ ସିରିୟସ ଭାବେ ନେଇ ଏସବୁ ନିଶାଦ୍ରବ୍ୟ ସେବନ କରିବା ପୂର୍ବରୁ ବ୍ରହ୍ମ ଚାପୁଡ଼ା ଖାଇବା ପାଇଁ ପ୍ରସ୍ତୁତ ରହିବାକୁ ସବିନୟ ଅନୁରୋଧ । ଶେଷରେ ସାନ ସାନ ଭାଇ ମାନଙ୍କୁ କହିବି, ନିଜ ଆଖିରେ ଅନେକ ଭଲ ପିଲାଙ୍କୁ ନିଶା କବଳରେ ପଡି ନଷ୍ଟ ହେବାର ଦେଖିଛି..। ତେଣୁ ଏ ସବୁ ଠାରୁ ଦୂରରେ ରହିବାକୁ ଅନୁରୋଧ..।]




Rate this content
Log in

Similar oriya story from Comedy