Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Rath

Romance

4.9  

Arabinda Rath

Romance

ବରଫ ତଳର ନିଆଁ

ବରଫ ତଳର ନିଆଁ

9 mins
787



ଆରେ ଭଲରେ ବସ, ଏମିତି ଉପରକୁ ହାମୁଡି ପଡୁଛ କାହିଁକି? ମିତାକୁ କାନ୍ଧ ଉପରୁ ଠେଲିଦେଇ ବିଟୁ ବସ୍ ରେ ବସିଥିବା ଅନ୍ଯ ଯାତ୍ରୀମାନଙ୍କୁ ନିରୀକ୍ଷଣ କରିବାକୁ ଲାଗିଲା। ମିତା ଚମକି ପଡି ନିଜକୁ ସଞ୍ଜତ କରିନେଇ ଦୁଇ ପାପୁଲିରେ ମୁହଁ ଘୋଡାଇ ପକାଇଲା। ପାପୁଲି ତଳେ କଣ ଚାଲିଥିଲା, କେବଳ ସେ ହିଁ ଜାଣେ। ଗତରାତିରୁ ବର୍ତ୍ତମାନ ସୁଦ୍ଧା ଅଗଣିତ ବାର ଗାଳି ଖାଇ ସାରିଲାଣି ମିତା। ବିଟୁ ଭାଷାରେ ସେ କାଳେ ଆଧୁନିକା ନୁହଁ, ନିହାତି ଗାଉଁଲୀ ଓ ମୁର୍ଖ। ବାହାର ଦୁନିଆ ର ଆଦବ କାଇଦା ତାକୁ ଜଣାନାହିଁ ଓ ତାକୁ ନେଇ ବାହାରକୁ ଯିବା ଅର୍ଥ ନିଜ ଇଜ୍ଜତ ହରାଇବା। ମିତାର ଖାଇବା,ପିଇବା,ଚାଲିବା,ହସିବା,ଦେଖିବା ଆଦି ଯାବତୀୟ କାର୍ଯ୍ଯ ଉପରେ ବିଟୁ ତୀକ୍ଷ୍ଣ ଟୀପ୍ପଣୀ ମାନ କଷି ଚାଲିଥିଲା। ବିଚାରି ନିରୁତ୍ତର ରହି କେବଳ ଲୁଚିଲୁଚି କାନ୍ଦୁଥିଲା। ନା ପ୍ରତିବାଦ କରୁଥିଲା ନା ନିଜେ ଠିକ୍ କରୁଛି ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରୁଥିଲା। 

ବାହାଘରର ଦୁଇମାସ ପରେ ଘର ଲୋକଙ୍କ ଜିଦ୍ ଆଗରେ ହାର୍ ମାନି, ମିତା କୁ ନେଇ ଶିମଲା ଯିବା ପ୍ରସ୍ତାବରେ ରାଜି ହୋଇଥିଲା ବିଟୁ। କାର୍ଯ୍ଯଭାରର ଚାପରେ ଅତିଷ୍ଠ ବିଟୁ ଭାବୁଥିଲା, ବାହାଘର ପରେ ତା ଜୀବନ ରେ ସ୍ବାଚ୍ଛନ୍ଦତା ଓ ସ୍ବାଧୀନତାର ଅର୍ଥ ପଥଭ୍ରଷ୍ଟ ହୋଇଯାଇଛି। ବାପାମାଆ ଠିକ୍ କରିଥିବା ଝିଅ ସହିତ ତାର ବିଭାଘର ସିନା ହୋଇଗଲା, କିନ୍ତୁ ସେ ମିତା କୁ କୌଣସି ମତେ ଆପଣାଇ ପାରୁ ନ ଥିଲା। ତାକୁ ଲାଗୁଥିଲା ମିତା ଏବଂ ତାର ପସନ୍ଦ ଓ ଜୀବନ ଶୈଳୀ ସମ୍ପୂର୍ଣ୍ଣ ବିପରୀତ ଥିଲା। ନିଜକୁ ଉଗ୍ର ଆଧୁନିକ ଭାବୁଥିବା ବିଟୁ ସାମନାରେ ମିତା ଥିଲା ନିହାତି ସାଧାସିଧା ସରଳ ଝିଅ ଟେ।

ଆଧୁନିକତାର ସ୍ପର୍ଶରୁ ବହୁ ଦୂରରେ ଥାଇ ମିତା ଥିଲା ଧିରସ୍ଥିର,ଭଦ୍ର ଓ ସଂସ୍କାର ସମ୍ପର୍ଣ୍ଣା। ବାହାଘରର ଖୂବ୍ କମ୍ ଦିନ ଭିତରେ ପରିବାର ର ସମସ୍ତଙ୍କ ହୃଦୟରେ ନିଜ ପାଇଁ ସେ ଜନ୍ମାଇ ପାରିଥିଲା ଏକ ସ୍ବତନ୍ତ୍ର ସ୍ଥାନ। କିନ୍ତୁ ବିଟୁ ପାଖରେ ସେ ହାର୍ ମାନି ଯାଇଥିଲା। କୌଣସି ଉପାୟରେ ସେ ବିଟୁକୁ ଖୁସି କରିବାରେ ଅସମର୍ଥ ଥିଲା। ଦିନସାରା ଘରକାମ ବ୍ଯସ୍ତ ରହି ନିଜ ରୁମ୍ କୁ ପଶିବା ମାତ୍ରେ ବିଟୁ ତାକୁ ଥଟ୍ଟା ପରିହାସ କରିବା ଆରମ୍ଭ କରି ଦେଉଥିଲା। କେବେକେବେ ବିଟୁ କହୁଥିଲା

- - - ମୋ ଭାଗ୍ଯ ଖରାପ ଯେ ମୁଁ ଗୋଟେ କାମବାଲୀକୁ ବାହା ହୋଇଗଲି। ଏମିତି ନିରସିଆ ଝିଅ ଭଗବାନ କାହା ଭାଗ୍ଯରେ ନ ଦିଅନ୍ତୁ। ମୋ ସାଙ୍ଗ ମାନଙ୍କର ସ୍ତ୍ରୀ ମାନେ ଜିନ୍ସ ଟି ସାର୍ଟ ପିନ୍ଧି ବାହାରେ ବୁଲିଲା ବେଳକୁ ଇଏ ଶାଢୀ ପିନ୍ଧି ମୁଣ୍ଡରେ ଓଢଣା ଦେଇ ସାଧବବୋହୂ ପରି ଘରେ ଲୁଚି ବସୁଛି।

ସବୁ ଶୁଣି ବି ନ ଶୁଣିବା ପରି ଅଭିନୟ କରେ ମିତା। ପରିବାରର ସଂସ୍କାର ଓ ବୋହୂର ଗାରିମା ସମ୍ମୁଖରେ, ଆଧୁନିକତା ର କୌଣସି ମୂଲ୍ଯ ଅଛି ବୋଲି ସେ କେବେ ଭାବି ପାରେନି। ବରଂ, ପରିବାର ଓ ସ୍ବାମୀର ସୁଖ,ସ୍ବାଚ୍ଛନ୍ଦ୍ଯ କୁ ପ୍ରାଧାନ୍ଯ ଦେଇ କର୍ତ୍ତବ୍ଯ ନିର୍ବାହ କରି ପାରିବା ହିଁ ତାର ସବୁଠାରୁ ବଡ ପ୍ରାପ୍ତି। 

ଶିମଲାରେ ପହଞ୍ଚିବା ପରେ ବିଟୁର କଥାବାର୍ତ୍ତା ଅଧିକ ରୁକ୍ଷ ଓ କଠୋର ହୋଇ ଚାଲିଥିଲା। ପ୍ରତି ପଦକ୍ଷେପରେ ସେ ମିତା କୁ ଜଣାଇବାକୁ ଚେଷ୍ଟା କରୁଥିଲା ଯେ ତା ସାମନା ରେ ମିତା ର କୌଣସି ଓୌକାତ୍ ନାହିଁ। ବରଂ ବିଟୁ ପରି ସ୍ବାମୀ ପାଇଥିବାରୁ ସେ ଚିରକାଳ ଋଣୀ ହୋଇ ରହିବା କଥା। ବାହାରକୁ ବୁଲି ଯିବା ସମୟରେ ବିଟୁ ସଦାବେଳେ ଆଗରେ ଚାଲୁଥିଲା ଓ ମିତା ତାକୁ ଅନୁସରଣ କରୁଥିଲା। ଜୀବନ ରେ ପ୍ରଥମ ଥର ପାଇଁ ଏତେ ନୂଆ ଜିନିଷ ଦେଖି ମିତା ଛାତି କୁଣ୍ଢେମୋଟ ହୋଇ ଯାଉଥିଲା। ସେ ଚାହୁଁଥିଲା ସେ ସ୍ଥାନରୁ କିଛି ଜିନିଷ ଆଣି ଘରେ ସଜାଇ ରଖିଲେ,ସବୁଦିନ ପାଇଁ ଏକାଠି ବୁଲିବାର ସ୍ମୃତି ମାନସପଟଳରେ ଉଜ୍ଜୀବିତ ରହିବ। ମାତ୍ର ବିଟୁର ହାବଭାବ ଦେଖି, କିଛି କିଣିବା ପାଇଁ ଚାହୁଁଛି ବୋଲି କହିବାର ସାହାସ ତା ପାଖରେ ନ ଥିଲା। ହୋଟେଲ୍ ରେ ଖାଇବା ବରାଦ କରିବା ସମୟରେ ବିଟୁ କେବେ ମଧ୍ଯ ମିତା କୁ ତା ପସନ୍ଦ ଅପସନ୍ଦ ବିଷୟରେ ପଚାରିବାକୁ ଉଚିତ୍ ମଣୁ ନ ଥିଲା। ନିଜ ମନପସନ୍ଦର ଖାଇବା ଖାଇନେବା ପରେ ବଳକା ଖାଦ୍ଯ ଟେବୁଲ୍ ରେ ରଖି ଆରାମ ରେ ଶୋଇଯାଉଥିଲା। ସେହି ବଳକା ଖାଦ୍ଯ ତା ପରଦିନ ବାହାରେ ଫୋପଡା ଯାଉଥିଲା। ବିଚାରି ମିତା- - କେବେ ବିସ୍କଟ୍ ଖାଇ ତ କେବେ ପାଣି ପିଇ ରାତି ବିତାଉଥିଲା। ସେମାନେ ଗୋଟିଏ ରୁମ୍ ରେ ରହୁଥିଲେ ସତ, ମାତ୍ର ସେମାନଙ୍କ ଭିତରେ ଥିଲା ଯୋଜନ ଯୋଜନ ର ଅଲଙ୍ଘନୀୟ ଦୂରତ୍ବ। କିନ୍ତୁ ମିତା ମନେମନେ ଖୁସି ଥିଲା। ନିଜ ପ୍ରାଣପ୍ରିୟ ସ୍ବାମୀ ସହ ବାହାରକୁ ବୁଲି ଆସି ତାକୁ ସବୁ କିଛି ପାଇଗଲା ପରି ଲାଗୁଥିଲା। ସେହି ସ୍ବର୍ଗୀୟ ଆନନ୍ଦ ସମ୍ମୁଖରେ, ଛୋଟମୋଟ ଅସୁବିଧାର କୌଣସି ସ୍ଥାନ ନ ଥିଲା।  

ସେଦିନ ସକାଳୁ ଟୁରିଷ୍ଟ ବସ୍ ରେ ସେମାନେ ଏକ ସ୍ଥାନ କୁ ବରଫପାତ ଦେଖିବାକୁ ବାହାରିଥିଲେ। ଶାଢୀ ପିନ୍ଧି ବାହାରି ଥିବାରୁ ବିଟୁ ଭୀଷଣ ବିରକ୍ତ ହେଲା ଓ ମନଇଚ୍ଛା ଗାଳି ମଧ୍ଯ ଦେଲା। କିଛି ସମୟ କାନ୍ଦିବା ପରେ ସେ ସାଲଓ୍ବାର କମିଜ୍ ପିନ୍ଧି ବାହାରିଲା। ମାତ୍ର ବିଟୁ ମୁହଁର ରୁକ୍ଷତା ପୂର୍ବବତ୍ ଅକ୍ଷୁର୍ଣ୍ଣ ଥିଲା। ବସ୍ ଭିତରେ ନିଦ ଲାଗିବାରୁ ବିଟୁର କାନ୍ଧରେ  ଅଜାଣତରେ ସେ ମୁଣ୍ଡ ରଖି ଶୋଇ ପଡିଥିଲା । ମାତ୍ର ବିଟୁ ପାଖରୁ ଧକ୍କା ଖାଇ ପୁନର୍ବାର ଝରକା ବାହରକୁ ଚାହିଁ ବସିଲା। ଶାନ୍ତ,ନିର୍ମଳ,ଥଣ୍ଡା ପରିବେଶର ମତୁଆଲା ଦୃଶ୍ଯ ତା ମନରେ ଅପୂର୍ବ ଆନନ୍ଦ ସଞ୍ଚାରଣ କରି ଚାଲିଥିଲା। ଟେଲିଭିଜନରେ ଦେଖିଥିବା ବରଫପାତ ସ୍ବଚକ୍ଷୁରେ ଦେଖି ପାରିବ ବୋଲି ଭାବିବା ମାତ୍ରେ ମନ ରୋମାଞ୍ଚିତ ହୋଇ ଉଠୁଥିଲା। 

ଅନ୍ଯପକ୍ଷରେ ବିଟୁ ବସ୍ ରେ ବସିଥିବା ଅନ୍ଯ ଯାତ୍ରୀ ମାନଙ୍କୁ ନିରିକ୍ଷଣ ଚାଲିଥିଲା। ନବ ବିବାହିତ ଯୋଡି ମାନଙ୍କର ହସଖୁସି ଓ ଥଟ୍ଟାମଜା ଦେଖି ତା ମନରେ ସ୍ବତଃ ଇର୍ଷାଭାବ ଜାଗ୍ରତ ହୋଇ ଉଠୁଥିଲା। ନିଜ ଭାଗ୍ଯ କୁ ଧିକ୍କାର କରି ମନେମନେ କହୁଥିଲା-- କି ଫଟା କପାଳ ମୋର। ମୋ ଭାଗ୍ଯରେ ଶେଷରେ ମିତା ପରି ଝିଅ ଲେଖା ଥିଲା। ମୁହଁ ବୁଲେଇ ଆଉଥରେ ସେ ମିତା ଆଡକୁ ଦେଖିଲା। କେଜାଣି କାହିଁକି ତା ମନ ହେଲା ମିତା ର ହାତ ଧରି ପଚାରିବାକୁ- - ତୁମେ କଣ ନିଜକୁ ପରିବର୍ତ୍ତନ କରି ପାରିବ ନାହିଁ? ଭାବୁଥିଲା ଯଦି ମିତା ସହ ତା ମନ ମିଶି ପାରନ୍ତା କେତେ ଭଲ ହୁଅନ୍ତା। ମିତା ଦେଖିବାକୁ ସୁନ୍ଦର ଥିଲା ଓ ଆକର୍ଷଣୀୟ ଥିଲା ତାର ବ୍ଯକ୍ତିତ୍ବ। କେବଳ ବିଟୁ ନଜର ରେ ସେ ଥିଲା ଏକ ମରହଟ୍ଟୀ ଯୁଗର ଅବଗୁଣ୍ଠନବତୀ ନାରୀ। ବାହାଘର ପରେ ପ୍ରଥମଥର ପାଇଁ ତା ମନରେ ମିତା ପାଇଁ କିଛି ଭାବନା ଜାଗ୍ରତ ହୋଇଥିଲା। ମାତ୍ର ସ୍ବଅହଂକାର ର ପ୍ରକାଣ୍ଡ ପର୍ବତ ସମ୍ମୁଖରେ ସେ ଭାବନା ର କାୟା ବାଲି ରଗଡା ସହ ସମାନ ଥିଲା। 

ଆଗସିଟ୍ ରେ ବସିଥିବା ସ୍ବାମୀ ର କାନ୍ଧରେ ସ୍ତ୍ରୀ ଟି ମୁଣ୍ଡ ରଖି ଆରାମ ରେ ଶୋଇ ରହିଥିଲା ଓ ସେହି ଦୃଶ୍ଯ ପ୍ରବଳ ବିରକ୍ତିଭାବ ସୃଷ୍ଟି କରାଉଥିଲା ବିଟୁ ମନରେ। ସେ ବିଡ୍ ବିଡ୍ ହୋଇ କହୁଥିଲା-- ଉଃ, ରଖ ମ ତମ ପ୍ରେମ କୁ ଘର ଚାରିକାନ୍ଥ ଭିତରେ। ବସ୍ ରେ ଏମିତି ପ୍ରେମସୁଧା ବୁହାଇଲେ କଣ ହେବ- - ଘରେ ତ ମାରପିଟ୍ ହୋଇ ତୁମ ଜୀବନ ଯାଉଥିବ। ବାହାର ଯାଗା ରେ ଖାଲି ଲୋକଙ୍କୁ ଦେଖେଇବାକୁ ଏମିତି ଉତ୍ପାତ ହେଉଛ, ନ ହେଲେ ତୁମ ମାନଙ୍କ ଗୁଣ ମୁଁ ଭଲରେ ଜାଣିଛି। 

ଏକ ସ୍ଥାନ ରେ ବସ୍ ରହିଲା ଜଳପାନ ପାଇଁ। ଧମକାଇବା ପରି ପଚାରିଲା ବିଟୁ-- କଣ କିଛି ଖାଇବ? ମିତା ଉତ୍ତର ଦେବା ପୂର୍ବରୁ ସେ କହିଲା-- ସଦାବେଳେ ତ ପାଟି ରେ ମଣ୍ଡା ପଶିଥିବ,କଥା ବାହାରିବ କୁଆଡୁ। ପାଖ ଦୋକାନ ରେ ଚାହା ଓ କିଛି ଜଳଖିଆ ଖାଇ ସେ ବସ୍ କୁ ଫେରିଲା ଓ ମିତା ଉପରକୁ ଏକ ବିସ୍କୁଟ୍ ପ୍ଯାକେଟ୍ ଫିଙ୍ଗି ଦେଇ କହିଲା-- ଖାଇନିଅ, ଆଗରେ କିଛି ମିଳିବନି। ଭୋକ ଲାଗିଲେ ବରଫ ଖାଇନେବ। ସେ ବିଦ୍ରୁପାତ୍ମକ କଥାରେ କୌଣସି ପ୍ରତିକ୍ରିୟା ନ ଦେଖାଇ ମିତା ବିସ୍କୁଟ୍ ଖାଇବାରେ ଲାଗିଲା। 

ରାସ୍ତାର ଉଭୟ ପାର୍ଶ୍ବରେ ଶୁଭ୍ର ଗାଲିଚା ସମ ବରଫ ର ମୋଟା ଆସ୍ତରଣ ଅପୂର୍ବ ଦିଶୁଥିଲା ଓ ଝରଣାରୁ ଝରି ଆସୁଥିବା ପାଣି, ବରଫରେ ରୂପାନ୍ତରିତ ହୋଇ ନାନା ମନୋରମ ଆକୃତି ମାନ ସୃଷ୍ଟି କରି ଚାଲିଥଲା। ଆଃ !!!! କି ସ୍ବର୍ଗୀୟ ଦୃଶ୍ଯରାଜି। ବରଫାବୃତ୍ତ ପର୍ବତମାଳାର ଉତ୍ତୁଙ୍ଗ ଶିଖର, ସୂର୍ଯ୍ଯଙ୍କ ସ୍ବର୍ଣ୍ଣାଭ କିରଣମାଳା ରେ ସିକ୍ତ ହୋଇ ସ୍ବର୍ଣ୍ଣସ୍ନାତା ହେବା ପରି ଲାଗୁଥିଲା। ସେ ଦୃଶ୍ଯକୁ ପ୍ରତ୍ଯକ୍ଷ କରିବା ବ୍ଯକ୍ତି ର ଚିନ୍ତା,ଚେତନା ଓ ଆତ୍ମାରେ ଅଫୁରନ୍ତ ଆନନ୍ଦ ଓ ଶାନ୍ତିଭାବ ଉଦ୍ରେକ ହେବା ନିହାତି ସ୍ବାଭାବିକ୍ ଥିଲା। ବିଟୁ ବା ସେଥିରୁ ବାଦ୍ ପଡନ୍ତା କିପରି? ତା ମନରେ ଅହରହ ଜଳି ଚାଲିଥିବା ଅସନ୍ତୋଷ ଓ କ୍ରୋଧର ଅଗ୍ନୀ କିଛି ମାତ୍ରା ରେ ପ୍ରଶମିତ ହୋଇଥିଲା ନିଶ୍ଚୟ। 

ସେ ପ୍ରଥମ ଥର ମିତା କୁ କୋମଳ ସ୍ବରରେ ପଚାରିଲା- - ମିତା, ତୁମକୁ ଏ ସ୍ଥାନ କିପରି ଲାଗୁଛି। 

ବିଟୁ ର କୋମଳ ବଚନ ମିତା ଶରିରରେ ତଡିତ୍ ପ୍ରବାହ କରାଇଦେଲା। ତା କଣ୍ଠ ଥରଥର ହୋଇ ଉଠିଲା ଓ ସେ କହିଲା-- ମୋତେ ତୁମେ ସ୍ବର୍ଗ ଦର୍ଶନ କରାଇଦେଲ। ମୋ ଭାଗ୍ଯ ମୁଁ ତୁମକୁ ସ୍ବାମୀ ରୂପେ ପାଇଛି। ଏତେ ଖୁସି ମୁଁ କେବେ ହୋଇ ନ ଥିଲି। ଯଦି ଏବେ ମୋର ମୃତ୍ଯୁ ହୋଇଯାଏ, ତେବେ ମଧ୍ଯ ମୋ ମନରେ କିଛି ଅବଶୋଷ ରହିବନି। 

ମିତା ର ନିହାତି ସାଧାରଣ କଥାଟା ବିଟୁ ମନ ରେ ଲିଭି ଆସୁଥିବା କ୍ରୋଧାଗ୍ନୀ କୁ ପୁର୍ନଜୀବିତ କରାଇଦେଲା। ସେ ଚିଡି ଉଠି କହିଲା-- ତୁମକୁ ଭାଷଣ ଝାଡିବାକୁ କହୁନି ମୁଁ। ଭଲରେ ଗୋଟେ କଥା କୁ କହି ପାରୁନ ଯେ ଏତେ ବୁଲେଇ ବଙ୍କେଇ କହୁଛ। ପ୍ରକୃତ୍ତି ଛାଡିବ କୁଆଡୁ। କଥା ରେ ଅଛି ପରା ଘୁଷୁରି ପ୍ରକୃତ୍ତି ପଙ୍କରେ ଲୋଟିବା। ଯେତେ ଯାହା କଲେ ତୁମର ସେହି ଘୁଷୁରି ପ୍ରକୃତ୍ତି ଯାଉନି। ବିଟୁ କଥାରେ ମିତା ଚମକି ଉଠିଲା। ଅଜାଣତରେ ତା ପାଟି ରୁ କଣ ବାହାରି ଗଲା ସେ ନିଜେ ବି ଜାଣି ପାରି ନ ଥିଲା। ମୁଣ୍ଡ ପୋତି ଦୋଷୀଙ୍କ ପରି ସେ ଚୁପଚାପ୍ ବସି ରହିଲା। ମାତ୍ର ବସ୍ ରେ ଥିବା ଅନ୍ଯ ଯାତ୍ରୀ ମାନେ ବିଟୁର ରୁକ୍ଷ କଥା ଶୁଣି ବିରକ୍ତ ହେବା ପରି ଲାଗିଲା। କଟାକ୍ଷ କରି ସେମାନଙ୍କ ମନୋଭାବ ବିଟୁ କୁ ଭଲରେ ଦେଖାଇଲେ। 

ବସ୍ ରୁ ବିଟୁ ପ୍ରଥମେ ଓହ୍ଲାଇଗଲା ଓ ବରଫ ଚାଦର ରେ ମନ ଖୁସି ରେ ଚାଲିବାକୁ ଲାଗିଲା। ଅନ୍ଯପକ୍ଷରେ ବିଚାରି ମିତା, ଅତି ସଂଭ୍ରମତା ସହ ଧିରେ ତଳକୁ ଓହ୍ଲାଇ ଚାରି ଆଡକୁ ବୋକାଙ୍କ ପରି ଦେଖିବାକୁ ଲାଗିଲା। ସେ ସ୍ଥାନ ରେ ସେ କଣ କରିବା ଉଚିତ୍ ଜାଣି ନ ପାରି, କେବଳ ବଲବଲ କରି ଅନ୍ଯ ମାନଙ୍କୁ ଦେଖିବାରେ ଲାଗିଲା। ଅନ୍ଯ ଯାତ୍ରୀ ମାନଙ୍କ ଆନନ୍ଦର ଠିକଣା ନ ଥିଲା। ବରଫ ଗୋଲା ତିଆରି କରି ପରସ୍ପର କୁ ନିକ୍ଷେପ କରି ସେମାନେ ଖେଳକୁଦ ରେ ସମଗୁଲ ହୋଇଗଲେ। ପ୍ରେମୀ ଯୋଡା ମାନେ ହାତ ଧରାଧରି ହୋଇ ବରଫ ଉପରେ ନୃତ୍ଯ କରିବାକୁ ଲାଗିଲେ। ସେମାନଙ୍କ ପ୍ରେମର ଉତ୍ତାପ ସମ୍ମୁଖରେ ପରିବେଶର ହିମଶୀତଳ ଆବହାଓ୍ବା ଫିକା ପଡି ଯାଉଥିଲା। 

ସେହି ସମୟରେ ବସ୍ ରେ ଥିବା ଗାଇଡ୍ ଘୋଷଣା କଲା ଯେ ବର୍ଷା ହେବାର ସମ୍ଭାବନା ଅଛି।ତେଣୁ ଭୀଷଣ ହିମପାତ ହେବ। ବେଶି ଦୂର କୁ ନ ଯିବା ପାଇଁ ସେ ବାରମ୍ବାର ଚେତାବନୀ ଦେଇ ଚାଲିଥିଲା। ସତ କୁ ସତ କେଇ ଟୋପା ବର୍ଷା ବୁନ୍ଦା ଓ ହାବୁକାଏ ଥଣ୍ଡା ପବନ ସହ ହିମପାତ ଆରମ୍ଭ ହୋଇଗଲା। ସମସ୍ତେ ବିଭୋର ହୋଇ ତାହା ଉପଭୋଗ କରିବାରେ ଲାଗିଗଲା। ମିତା ଦୁଇ ହାତ ପ୍ରସାରି ଆକାଶରୁ ଝରି ଆସୁଥିବା ଶୁଭ୍ର ହିମପୁଷ୍ପବୃଷ୍ଟି କୁ ସଂଗ୍ରହ କରିବାରେ ଲାଗି ପଡିଲା। ସେତେବେଳକୁ ବିଟୁ ବହୁତ ଦୂରରେ ଥାଇ ହିମପାତ ର ମଜା ଏକୁଟିଆ ଉଠାଇବାରେ ଲଗିଥିଲା। ଅଚାନକ ଭୀଷଣ ଜୋର ରେ ପବନ ବୋହିବାକୁ ଆରମ୍ଭ କଲା ଓ ହିମପାତ ର ମାତ୍ରା ବହୁତ ବଢିଗଲା। ଗାଇଡ୍ ସମସ୍ତ ଯାତ୍ରୀ ମାନଙ୍କୁ ଅବିଳମ୍ବେ ବସ୍ ରେ ଚଢିବାକୁ ନିର୍ଦ୍ଦେଶ ଦେଇ ବସ୍ ଭିତରକୁ ଚାଲିଯାଇ ଗାଡି ଷ୍ଟାର୍ଟ କରିବାକୁ କହିଲା। ଯାତ୍ରୀ ମାନେ ଜଣ ଜଣ କରି ଭିତରକୁ ଚାଲିଲେ ମାତ୍ର ବିଟୁ ର ଦେଖା ନ ଥିଲା। ମିତା ବ୍ଯସ୍ତ ହୋଇ ଚାରି ଆଡକୁ ଦେଖିବାକୁ ଲାଗିଲା, କିନ୍ତୁ ବିଟୁ କୁ ଖୋଜି ପାଇବାରେ ଅସମର୍ଥ ହେଲା। ସେ ବିକଳ ହୋଇ ଦୌଡିବାକୁ ଲାଗିଲା। ତାକୁ ଲାଗିଲା କିଛି ଅଘଟଣ ଘଟିଗଲା କି ଆଉ!! କାହାକୁ ବା ପଚାରିବ, କେମିତି ଖୋଜିବ ସେ ବିଟୁ କୁ। ଦୌଡି ବହୁତ ବାଟ ଆସିବା ପରେ ମଧ୍ଯ ବିଟୁର ପତ୍ତା ନ ଥିଲା। ହିମପାତ ଓ ଥଣ୍ଡା ପବନ ତା ଶରୀର ର ଅଙ୍ଗପ୍ରତ୍ଯଙ୍ଗକୁ ବିଦ୍ଧ କଲା ପରି ଲାଗୁଥିଲା। ନିଶ୍ବାସପ୍ରଶ୍ବାସ ନେବାରେ ସେ ଭୀଷଣ କଷ୍ଟ ଅନୁଭବ କଲା। ଏକ ପଥରରେ ଝୁଣ୍ଟେଇ ହେବା ପରେ ସେ ମୁହଁ ମାଡି ତଳେ ପଡିଗଲା।

ଅନ୍ଯପକ୍ଷରେ ବିଟୁ ବସ୍ ଭିତରେ ପଶି ମିତା କୁ ଖୋଜି ଚାଲିଥିଲା। ବାରମ୍ବାର ଅନ୍ଯ ଯାତ୍ରୀ ମାନଙ୍କୁ ପଚାରିବା ସତ୍ତ୍ବେ ସେମାନେ କିଛି କହି ପାରୁ ନ ଥିଲେ। ଜଣେ ଯାତ୍ରୀ ତାକୁ ଛିଗୁଲାଇ କହିଲେ-- ଆପଣ ନିଜ ସ୍ତ୍ରୀ କୁ ଯେମିତି ବ୍ଯବହାର ଦେଖାଉଛନ୍ତି, ସେ ଆପଣଙ୍କ ଠାରୁ ଦୂରରେ ରହିବା ଭଲ। ବସ୍ ଛାଡିବାକୁ ପ୍ରସ୍ତୁତ ହୋଇ ସାରିଥିଲା ଓ କଣ୍ଡକ୍ଟର କବାଟ ବନ୍ଦ କରି ଡ୍ରାଇଭରକୁ ଗାଡି ଚଳାଇବାକୁ ସଙ୍କେତ ଦେଲା। ବିଟୁ ର ବାରମ୍ବାର ଅନୁରୋଧ ସତ୍ତ୍ବେ ସେ ଶୁଣିବାକୁ ନାରାଜ୍ ଥିଲା। ସେ କହୁଥିଲା- - ହିମପାତ ବଢିଗଲେ ବସ୍ ର ସମସ୍ତ ଯାତ୍ରୀଙ୍କ ଜୀବନ ବିପଦରେ ପଡିଯିବ। ବରଫ ରାସ୍ତାରେ ଜମା ହୋଇଗଲେ ଯିବାର ସମସ୍ତ ରାସ୍ତା ବନ୍ଦ ହୋଇଯିବ ଓ କେତେବେଳେ ବର୍ଷା ବନ୍ଦ ହେବ କହିବା ମୁସ୍କିଲ୍। ବିଟୁ ମନରେ ମିତାର ମୁର୍ଖାମୀ ପାଇଁ ଭୀଷଣ କ୍ରୋଧ ଓ ଦୟାଭାବ ଆସୁଥିଲା । କିନ୍ତୁ ସେ ଅସହାୟ ଭାବରେ କିଂକର୍ତ୍ତବ୍ଯବିମୁଢ ହୋଇ କଣ କରିବ ବୋଲି ଭାବି ଚାଲିଥିଲା।  

କଣ୍ଡକ୍ଟର ର ଶତ ବାରଣ ସତ୍ତ୍ବେ ବସ୍ ର କବାଟ ଖୋଲି ସେ ବାହାରକୁ ଡେଇଁ ପଡିଲା ଓ ମିତା. . . ମିତା ବୋଲି ଚିତ୍କାର କରିବାକୁ ଲାଗିଲା। ପାଗଳଙ୍କ ପରି ସେ ଖୋଜି ଚାଲିଥିଲା ସେହି ମଣିଷ କୁ ଯାହାକୁ ସେ ନାନା କଟୁ କଥା କହି ତିଳ ତିଳ କରି ଜାଳି ଚାଲିଥିଲା। ଯାହାକୁ ଘୃ ଣା ଓ ହେୟଜ୍ଞାନ ର ସମସ୍ତ ସ୍ବରୂପ ସହ ପରିଚିତ କରାଇ ଚାଲିଥିଲା। ବିଟୁ ର ଅନ୍ତରାତ୍ମା ତାକୁ ଧିକ୍କାର କରିଚାଲିଥିଲା। ହିମବର୍ଷାର ଶରୀର ବିଦିର୍ଣ୍ଣକାରୀ ରୌଦ୍ର ରୂପକୁ ଭ୍ରୁକ୍ଷେପ ନ କରି ସେ ଦୌଡି ଚାଲିଥିଲା। ଅଜାଣତରେ ତା ଆତୁର ଚିତ୍କାର ସହ ଆଖିରୁ ଝରି ଆସୁଥିବା ଲୋତକବର୍ଷା ମିଳିତ ହୋଇ ସାରି ଥିଲା । କାନ୍ଦି କାନ୍ଦି ସେ କହିଚାଲିଥିଲା-- ମିତା କୁଆଡେ ଚାଲିଗଲ ତୁମେ.....ମୋତେ ଦେଖା ଦିଅ...... । କିନ୍ତୁ ନାଃ- - - ମିତା ର ସନ୍ଧାନ ମିଳୁ ନ ଥିଲା। ମିତା ପ୍ରତି କରିଥିବା ଅବିଚାର ଓ ଘୃୃଣ୍ଯଭାବ ର ଆତ୍ମଗ୍ଳାନୀ ବିଟୁ ର ସମଗ୍ର ସତ୍ତାକୁ ତିଳ ତିଳ କରି ଦଗ୍ଧ କରି ଚାଲିଥିଲା। ହଠାତ୍ କୌଣସି ବସ୍ତୁ ଦ୍ବାରା ଆଘାତ ପାଇ ସେ ତଳେ ପଡିଗଲା। ସେହି ସ୍ଥାନ ରେ ମିତା ବରଫ ତଳେ ପୋତି ହୋଇ ରହିଥିଲା ଓ ତା ସମଗ୍ର ଶରୀର ବରଫ ପରି ଥଣ୍ଡା ପଡି ଯାଇଥିଲା। ମିତାକୁ ଛାତିରେ ଜାବୁଡି ଧରି ସେ ଚିତ୍କାର କରି କାନ୍ଦିବାକୁ ଲାଗିଲା। ଦୁଇ ହାତରେ ମିତାର ଶରୀରକୁ ଧରି ସେ ଦୌଡିବାକୁ ଲାଗିଲା ବସ୍ ପାଖକୁ। ଯୋଗକୁ ବସ୍ ଟି ସେତେବେଳ ଯାଏ ସେହି ସ୍ଥାନରେ ଥିଲା। ଦୌଡିବା ସମୟରେ ବରଫ ତଳେ ଲୁଚି ରହିଥିବା ପଥର ଖଣ୍ଡରେ ସେ କେତେ ଯେ cପାଇ ଚାଲିଥିଲା ତାର ହିସାବ ନାହିଁ। କିନ୍ତୁ ସେସବୁକୁ ଭ୍ରୁକ୍ଷେପ ନ କରି ସେ ମିତାକୁ ବଞ୍ଚାଇବାର ପଣରେ କ୍ଷତାକ୍ତ ଓ ରକ୍ତାକ୍ତ ହୋଇ ଦୌଡିି ଚାଲିଥିଲା। ଶେଷରେ ସେ ସଫଳ ହେଲା। ବସ୍ ରେ ଥିବା ଯାତ୍ରୀ ମାନେ ଶୀତ ବସ୍ତ୍ରରେ ମିତାକୁ ଆଚ୍ଛାଦିତ କରି ପକାଇଲେ। କିନ୍ତୁ ସେ ପର୍ଯ୍ଯନ୍ତ ମିତାର ଅବସ୍ଥା ସଙ୍ଗୀନ ଥିଲା। କୌଣସି ମତେ ବସ୍ ଟି ହିମପାତର ଭୀଷଣତାକୁ ପଦଦଳିତ କରି ହୋଟେଲରେ ପହଞ୍ଚିଲା ଓ ମିତାର ଚିକିତ୍ସା ବ୍ଯବସ୍ଥା କରାଗଲା।

ମିତା ଓ ବିଟୁ ଆଲିଙ୍ଗନବଦ୍ଧ ହୋଇ ବସି ରହିଥିଲେ ସେହି ସ୍ଥାନରେ ଯେଉଁଠାରେ ସେମାନଙ୍କ ପ୍ରେମର ପୁନର୍ଜନ୍ମ ହୋଇଥିଲା। ସେଦିନ ବି ହିମପାତ ହେଉଥିଲା ଓ ସମଗ୍ର ଅଞ୍ଚଳ ବରଫାବୃତ୍ତ ହୋଇ ରହିଥିଲା। କିନ୍ତୁ ସେମାନଙ୍କ ମନରେ କିଞ୍ଚିତ୍ ପରିମାଣରେ ଭୟ ବା ଆଶଙ୍କା ନ ଥିଲା। ପରସ୍ପରର ସାହଚର୍ଯ୍ଯ ସେମାନଙ୍କୁ ଶକ୍ତଶାଳୀ କରି ଦେଇଥିଲା ବୋଧହୁଏ। ସେଦିନ ବରଫତଳେ ଲୁଚି ରହିଥିବା ନିଆଁ ବିଟୁ ମନରେ ଜମାଟ ବାନ୍ଧିଥିବା ସମସ୍ତ ଆବର୍ଜନା କୁ ଜାଳିପୋଡି ପାଉଁଶ କରି ଦେଇଥିଲା। କେବଳ ସେତିକି ନୁହେଁ ସେହି ବରଫତଳ ନିଆଁ, ମିତା ଜୀବନ ରେ ଆଣି ଆସିଥିଲା ପ୍ରେମ,ପ୍ରାପ୍ତି ଓ ପୂର୍ଣ୍ଣତାର ଅପୂର୍ବ ସମ୍ଭାର। କିଛି ସମୟ ଉତ୍ତାରୁ ,ବରଫର ବିସ୍ତୀର୍ଣ୍ଣ ପ୍ରାନ୍ତରରେ ଦୌଡାଦୌଡି ହୋଇ ଖେଳିି ଚାଲିଥିଲେ ଦୁଇଟି ପ୍ରେମମୟ ଆତ୍ମା। ପରସ୍ପର ପ୍ରତି ଲୁକ୍କାୟିତ ଅବସ୍ଥାରେ ଆବୃତ୍ତ ଥିବା ଅଗାଢ ପ୍ରେମ କୁ ଅନାବୃତ୍ତ କରିସାରି ଥିଲା ସେହି ବରଫ ତଳର ନିଆଁ।






Rate this content
Log in

Similar oriya story from Romance