Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Inspirational

3  

Prasanta kumar Hota

Inspirational

ସବୁ ଇଛା ସେହି ଜଗନ୍ନାଥ

ସବୁ ଇଛା ସେହି ଜଗନ୍ନାଥ

9 mins
14.6K


ପରିମଳ ଯେତିକି ଶିକ୍ଷିତ ଥିଲା ସେତିକି ଉଦ୍ଯୋଗୀ ମଧ୍ୟ ଥିଲା।ସେଥିପାଇଁ ନିଜ ଉପରେ ପ୍ରଚଣ୍ଡ ଭରସା ବି ଥିଲା। ଭାଗ୍ୟ ଓ ଇଶ୍ଵରୀୟ ସତ୍ତା ଉପରେ ସେ ଏତେ ଗୁରୁତ୍ବ ଦେଉ ନଥିଲା। ଗୁରୁତ୍ବ ଦେଉଥିବା ବ୍ୟକ୍ତିଙ୍କୁ ଲଘୁ ମନ୍ତବ୍ୟ ଦେବାକୁ ବି ପଛାଉ ନଥିଲା। ଯୁକ୍ତି ଥିଲା ଯାହା ପ୍ରାପ୍ୟ ଯାହା ବାସ୍ତବ ତା ପ୍ରତି ଯଦି ଆମର ନିଷ୍ଠା ନାହିଁ ତାହେଲେ ଅବାସ୍ତବ ଓ ଅପ୍ରାପ୍ୟ ବିଷୟ ବସ୍ତୁ ଉପରେ ଆମର ଏତେ ନିଷ୍ଠା କଣ ପାଇଁ। ଏସବୁ କେବଳ ଆଳସ୍ୟର ଆଳ ନଚେତ୍ ନିଷ୍କର୍ମା ହେବାର କାରଣ ନୁହେଁ କି!

ପରିମଳ ସାଙ୍ଗରେ କେହି ଅଧିକ ଯୁକ୍ତି ଲାଗନ୍ତି ନାହିଁ କାରଣ ତାଙ୍କ ଜ୍ଞାନ ଆଗରେ ବେଶି ସମୟ କେହି ତିଷ୍ଠି ପାରନ୍ତି ନାହିଁ। ପ୍ରକୃତରେବି ସେ କର୍ମଠ ଚଞ୍ଚଳ ଓ ଶୃଙ୍ଖଳିତ। ଅସଫଳତା କଣ ସେ ଏପର୍ଯ୍ୟନ୍ତ ଜାଣି ନାହାନ୍ତି। ଜୀବନର ପ୍ରତ୍ୟେକ ପାହାଚରେ ସଫଳତା ତାଙ୍କୁ ତାଙ୍କ ନିଜସ୍ୱ ଅବଦାନ ବୋଲି କହିବାକୁ ପ୍ରେରଣା ଦେଇଛି।

ପ୍ରକୃତରେ ଯାହା ଦୃଶ୍ୟମାନ ତାହା ହିଁ ସତ୍ୟ - ଅଦୃଶ୍ୟର ସତ୍ତାରେ ଯେଉଁ ସତ୍ୟତା ଥାଏ ତାର ପରିପ୍ରକାଶ ଏକ ଅନାବଶ୍ୟକ ଚର୍ଚ୍ଚା।

ପରିମଳଙ୍କ ବଡ ଚାକିରୀ। ଆୟ ଅପର୍ଯ୍ୟାପ୍ତ। ସେଥିପାଇଁ ଘରେ ବି ସମସ୍ତ ଙ୍କର ସେ ପ୍ରିୟ। କେହି ପରିମଳକୁ କିଛି କହନ୍ତି ନାହିଁ।

ଦିନକର କଥା ଜେଜେ ପୂଜାରୁ ଉଠୁ ଉଠୁ ଟିକେ ବିଳମ୍ବ ହେଇଗଲା। ଟେବୁଲ ଉପରେ ଖାଇବା ବଢା ସରିଥାଏ। ପରିମଳ ପରିହାସରେ ପଚାରିଲା - ଜେଜେ ଏତେ ସମୟ ଧରି ଠାକୁରଙ୍କୁ କଣ କହୁଥିଲ! ସେ କଣ ପ୍ରକୃତରେ ତମ ପୂଜା ଖୋଜନ୍ତି ନା ତୁମେ ସମୟ ସାରିବା ପାଇଁ ପୂଜାକୁ ଖୋଜ। କଥାର କଟୁତା ଜେଜେଙ୍କୁ ଯେତିକି ବାଧିଲା ନାହିଁ ନିଜ ନାତିର ପରମାତ୍ମାଙ୍କ ସତ୍ତା ଉପରେ ଏପରି ଅପରିପକ୍ଵ ଟିପ୍ପଣୀ ବିବ୍ରତ କରୁଥିଲା। କଣ କହିବେ ଭାବି ପାରିଲେ ନାହିଁ। ଏତିକିବେଳେ ପରିମଳଙ୍କ ପାଟି ଶୁଭିଲା - ଜେଜେ ବସୁନ ଜଲଦି ଖାଇଲେ ଡାକ୍ତରଙ୍କ ପାଖକୁ ଯିବା ପରା - ମୋର ଡେରି ହେଇ ଯାଉଛି।

ହଁ ହଁ ବସୁଛି କହି ଜେଜେ ବସି ପଡିଲେ କିନ୍ତୁ ଭାବନାରେ ପୂର୍ଣ୍ଣଛେଦ ପଡି ନଥାଏ। ପରିମଳ ପାଖରୁ ପ୍ରଭୁଙ୍କୁ ଏପରି ଟିପ୍ପଣୀ କରିବା ସେ ଆଦୌ ସହି ପାରୁ ନଥିଲେ।

ମନସ୍ତତ୍ଵକୁ ବୁଝି ପାରିଲା ପରି ପରିମଳ ଜେଜେଙ୍କ ଆଡକୁ ଅନାଇ ହସିଦେଲା - କହିଲା ଜେଜେ ରାଗିଲକି? ଜେଜେ ମଧ୍ୟ ନିଜ ଢଙ୍ଗରେ ଉତ୍ତର ଦେଲେ - ନାଇରେ ତୋ ଉପରେ କଣ ରାଗି ହେବ

କାହିଁକି? ପରିମଳ ପ୍ରଶ୍ନ କଲା ।

ଜେଜେ ହସିଦେଲେ ।

ପରିମଳ କିନ୍ତୁ ବ୍ୟତିବ୍ୟସ୍ତ।

ସେ ପୁଣି ଆଉ ଥରେ "କାହିଁକି" ପଚାରି ଜେଜେଙ୍କ ଆଡେ ଅନାଇ ରହିଲା।

ଜେଜେ ଯେମିତି ସୁଯୋଗକୁ ଉଣ୍ଡୁଥିଲେ, କହିଲେ- ଆରେ ତୋ ପାଖରେ ଭୁଲ ଖୋଜିଲେତ ମିଳିବନି। ତୋ ଉପରେ ରାଗିବି କେମିତି?

ତାହେଲେ ମୋ କଥା ଶୁଣି ହଠାତ୍ ଏମିତି ଗମ୍ଭୀର ହେଇଗଲ ଯେ!

ପ୍ରଭୁଙ୍କ ସତ୍ତାକୁ ସ୍ଵୀକାର କରୁଥିବା ବ୍ୟକ୍ତି ଯେତେବେଳେ ଅସ୍ଵୀକାର କରୁଥିବା ବ୍ୟକ୍ତିର ପ୍ରଭାରେ ମଳିନ ପଡିଯାଏ ସେତେବେଳେ ଗମ୍ଭୀର ରହିବାତ ସ୍ଵାଭାବିକ।

ପରିମଳକୁ ଉତ୍ତରଟା କେମିତି ଅଡୁଆ ଅଡୁଆ ଲାଗିଲା। ଭାବିଲା ଜେଜେଙ୍କୁ ବୋଧେ ଆଘାତ ଲାଗିଛି। ଭୁଲ ମାଗିଦେଲେ ଠିକ୍ ହେବ ଭାବି ଅପେକ୍ଷା ନକରି ପରିମଳ ଜେଜେଙ୍କ ଆଡେ ଅନାଇ କହିଲା - ଜେଜେ ମୋର ଏପରି କହିବା ଭୂଲ ହେଇଯାଇଛି। ମୋର ତୁମକୁ କୌଣସି କଷ୍ଟ ପହଞ୍ଚାଇବା ଉଦ୍ଦେଶ୍ୟ ନଥିଲା।

ଜେଜେ ଏଥର ହସିଲେ। କହିଲେ-ଏଇ ଦେଖ୍ ମୋର ଖାଇବା ସରିଗଲାଣି।

ପରିମଳ ତତ୍ କ୍ଷଣାତ୍ ନିଜ ଖାଇବା ସାରିଦେଲା କିନ୍ତୁ ଆନ୍ଦୋଳିତ ହେଉଥିବା ହୃଦୟ ପୁଣି ଥରେ ସେହି ପ୍ରଶ୍ନ କରିବାକୁ ବାଧ୍ୟ କଲା।

ଜେଜେ କହିଲେ ଆମେ ବାଟରେ ଗଲାବେଳେ କଥା ହେବା। ପରିମଳ ବାହାରି ସାରିଥାଏ। ଡ୍ରାଇଭରକୁ ତୁରନ୍ତ ଗାଡି କାଢିବାକୁ କହିଲା।

ଗାଡି ମାତ୍ର ଆଗକୁ ବଢିଛି କି ନାହିଁ ପରିମଳ ଜେଜେଙ୍କ ଆଡକୁ ପ୍ରଶ୍ନ ବାଚୀ ଦୃଷ୍ଟିରେ ଅନାଇଲା। କହିଲା- ଜେଜେ ଯଦି ମୋ କଥା ଆଘାତ ଦେଇଥାଏ ମୁଁ ଦୁଃଖିତ।

-କିନ୍ତୁ ତୁ ଯାହା କହିଲୁ କିଛି ତ ଭୁଲ କହିନୁ। ତେଣୁ ଦୁଃଖିତ କଣ ପାଇଁ?

-ଜେଜେ ତମେ କଣ ସତରେ ମୋ କଥାକୁ ସ୍ଵୀକାର କରିଛ। ସତ୍ୟ ବୋଲି ଗ୍ରହଣ କରିଛ।

-ଯେଉଁ କଥା ଯୁକ୍ତି ଦ୍ୱାରା ସିଦ୍ଧାନ୍ତରେ ଉପନୀତ ହୁଏ ତାହା ସତ୍ୟ ବୋଲି ଗ୍ରହଣ ହୋଇଯାଏ। ଆତ୍ମା କିନ୍ତୁ ସ୍ଵୀକାର କରେ ଉପଲବଧି ପରେ।

- ତାମାନେ?

- ଏଇ ଯେମିତି ତୋ କଥା। ତୁ ଯୁକ୍ତି ଦ୍ୱାରା ସିଦ୍ଧାନ୍ତରେ ପହଞ୍ଚୁଛୁ ଓ ତୋର ଆତ୍ମା ତାକୁ ସାଦରେ ଗ୍ରହଣ କରି ନେଉଛି। କିନ୍ତୁ ଯାହା ତୋର ଆତ୍ମା ଗ୍ରହଣ କରୁଛି ତାକୁ ତୁ ଯୁକ୍ତି ଦ୍ୱାରା ସିଦ୍ଧାନ୍ତରେ ପହଞ୍ଚାଇ ପାରୁନାହୁଁ।

-ହୋଉ ହେଲା ତମେ ତାହେଲେ ମୋତେ କ୍ଷମା କଲ ତ! କଥାର ମୋଡ ବଦଳାଇ ପରିମଳ ପଚାରିଲା।

ପରିମଳ ମୁଣ୍ଡ ଉପରେ ବାତ୍ସଲ୍ୟର ହାତ ବୁଲାଇ ଆଣି ଜେଜେ କହିଲେ- ତୋତେ କ୍ଷମା କରିବିନି ତ କାହାକୁ କରିବି

- ଏମିତି ଅସ୍ପଷ୍ଟ ଉତ୍ତର କାହିଁକି ଦେଉଛ ଜେଜେ! ସ୍ପଷ୍ଟ ତ କହି ପାରିବ ମୋତେ କ୍ଷମା କଲ ବୋଲି।

-ସ୍ପଷ୍ଟ କେବଳ ଗୋଟିଏ ସତ୍ୟକୁ ଦେଖେ। ଅସ୍ପଷ୍ଟ କିନ୍ତୁ ଅନେକ ସତ୍ୟକୁ ପ୍ରକାଶ କରୁଥାଏ।

-ମୋର କିନ୍ତୁ ଗୋଟିଏ ସ୍ପଷ୍ଟ ଉତ୍ତର ଦରକାର

-ମୋର ମଧ୍ୟ ଗୋଟିଏ ସ୍ପଷ୍ଟ ସତ୍ୟ ଦରକାର

-ତାହେଲେ ଅସ୍ପଷ୍ଟ ଛାୟାର ଆବରଣ କଣ ପାଇଁ

-ସମସ୍ତଙ୍କୁ ସ୍ପଷ୍ଟତା ଭଲ ଲାଗେ ନାହିଁ। ସ୍ପଷ୍ଟତାରେ ଯେତିକି ମଧୁରତା ଥାଏ ସେତିକି ନିଷ୍ଠୁରତା ଲୁଚିଥାଏ। ସେହି ନିଷ୍ଠୁରତା କେହି ଗ୍ରହଣ କରି ପାରନ୍ତି ନାହିଁ। ଏଇ ଯେମିତି ମୋର ପୂଜା ଡେରି ହେଲା ବୋଲି ତୋର ମାନସିକତାକୁ ତୁ ମୋତେ ସ୍ପଷ୍ଟ କରିଦେଲୁ କିନ୍ତୁ ସ୍ପଷ୍ଟ ବାଦିତା ମୋତେ ଭଲ ଲାଗିଲା ନାହିଁ।

-ତାହେଲେ କଣ ତମେ ମୋତେ କ୍ଷମା କରିନ ଜେଜେ!

ଆରେ ନା ମୁଁ ତୋତେ କ୍ଷମା କରି ସାରିଛି।

ଯଦି କ୍ଷମା କରିଛ ତାହେଲେ ମୋର ପ୍ରାୟଶ୍ଚିତ ପାଇଁ ମୋତେ କିଛି ମାଗ। ତୁମକୁ ଦେଲେବି ମୋତେ ଖୁସି ଲାଗିବ। ଅନୁଭବ ବି ହେବ ଯେ ତୁମେ ମୋତେ କ୍ଷମା କରିଛ।

- ଜେଜେ କିଛି କହିଲେ ନାହିଁ କାରଣ ସେ ଜାଣିଛନ୍ତି ପରିମଳର ଏ ପ୍ରାୟଶ୍ଚିତ ଗୁଣ ପାଇଁ ସେ ତାକୁ ବହୁତ ଭଲ ପାଆନ୍ତି।

- ପରିମଳ ପୁଣିଥରେ ସେହି ପ୍ରଶ୍ନ କଲା।

ଜେଜେଙ୍କର କିନ୍ତୁ ମନେ ପଡୁଥିଲା ଗୀତାର ପ୍ରଥମ ଅଧ୍ୟାୟ ତୃତୀୟ ଶ୍ଳୋକ - ପଶ୍ୟୈତାମ୍ ପାଣ୍ଡୁ ପୁତ୍ରାଣାମ୍ ଆଚାର୍ଯ୍ୟ ---- ଦୁର୍ଯ୍ୟୋଧନ କହୁଛନ୍ତି -ହେ ଆଚାର୍ଯ୍ୟ ଆପଣଙ୍କ ବୁଦ୍ଧିମାନ ଶିଷ୍ୟ ଦ୍ରୂପଦ ପୁତ୍ର ଧ୍ରୁଷ୍ଟଦ୍ୟୁମ୍ନ ଦ୍ଵାରା ସଜା ହେଇଥିବା ଏହି ବିଶାଳ ପାଣ୍ଡବ ସେନାଙ୍କୁ ଦେଖନ୍ତୁ -ଏପରି କହିବା ଯେତେ ସାମାନ୍ୟ ଲାଗିଲେବି ଅନ୍ତର୍ନିହିତ ସତ୍ୟ ଅନେକ କିଛି ପ୍ରକାଶ କରୁଥାଏ। ଯେମିତି ଦ୍ରୋଣାଚାର୍ଯ଼୍ୟଙ୍କୁ କିଏ ତାତ୍ସଲ୍ୟ କରି କହୁଛି ଦେଖ! ଏଇ ଧୃଷ୍ଟଦ୍ୟୁମ୍ନ ଯିଏ ତୁମକୁ ମାରିବା ପାଇଁ ଜନ୍ମ ନେଇଛି ତାକୁ ତୁମେ ଅସ୍ତ୍ର ଶସ୍ତ୍ର ଶିକ୍ଷା ଦେଇଛ ଆଉ ଆଜି ସିଏ ତୁମ ସମ୍ମୁଖରେ ଯୁଦ୍ଧ ପାଇଁ ପ୍ରସ୍ତୁତ। ସତରେ କଣ ଯେଉଁ ଶିକ୍ଷା ଦିଆଯାଏ ସେ ଶିକ୍ଷାରୁ ବି ପୁଣି ହାରିବାକୁ ପଡେ।

ପରିମଳକୁ କଣ କହିବେ ଭାବୁଥିଲେ। ନିଜେ ଦେଇଥିବା ଶିକ୍ଷାରେ ନିଜେ ଯେମିତି ହାରି ଯାଉଥିଲେ। ହଠାତ୍ ଭାବାନ୍ତର ହେଲା -କହିଲେ ତୁ ମୋତେ ଶ୍ରୀ ମନ୍ଦିର ଜଗନ୍ନାଥ ଦର୍ଶନ କରାଇଦେବୁ। ସେତିକି ମୋର ଦରକାର।

- ଏଇଟା କଣ ଗୋଟେ ମାଗିବା ଜେଜେ। ତୁମେ ଯୋଉଦିନ ଚାହିଁବ ମୋ ଡ୍ରାଇଭରକୁ ନେଇ ଯାଇ ପାରିବ।

କିନ୍ତୁ ମୁଁ ଚାହେଁ ତୁ ମୋତେ ସାଙ୍ଗରେ ନେଇ ଯା।

- ହଉ ଜେଜେ ମୁଁ ଯିବି କିନ୍ତୁ କେବେ ଯିବ କୁହ।

- ଯୋଉଦିନ ତୋର ଇଚ୍ଛା ।

ତାହେଲେ କାଲି ଚାଲ ଯିବା।

ଡାକ୍ତର ଙ୍କ କ୍ଲିନିକ୍ ରେ ପହଞ୍ଚି ସାରିଥିଲେ। ଜେଜେ ଙ୍କର ସବୁ ଚେକ୍ ଅପ ବି ହେଇଗଲା। କିଛି ଔଷଧ ସାଙ୍ଗରେ ନେଇ ଫେରିଲେ।

ତା ପରଦିନ ସକାଳେ ଜେଜେ ନିତ୍ୟକର୍ମ ଜଲଦି ସାରିଦେଲେ। ପୂଜା ପାଠ ମଧ୍ୟ। ପରିମଳ କାହା ସହିତ ଫୋନରେ କଥା ହେଉଥିଲା, ଜେଜେଙ୍କ ପାଖକୁ ଆସି କହିଲା - ମୁଁ ଅଫିସରୁ 2ଟା ବେଳେ ଆସିଲେ ଲଞ୍ଚ କରି ବାହାରିବା।

ଅଜାଣତରେ ଜେଜେଙ୍କ ପାଟିରୁ ବାହାରି ପଡିଲା-ପ୍ରଭୁଙ୍କର ଇଛା ନଥିଲେ ଆଜି କଣ କାଲି ବି ଯାଇ ପାରିବାନି।

ପରିମଳ ଆଉ ଅଫିସ ଯିବ କଣ ମନର ଜିଦ୍ ଦୃଢ ହେବାକୁ ଲାଗିଲା। ଅହଂକାର ବିଵେକର ସୀମା ଭିତରକୁ ପ୍ରବେଶ କଲା।

ସେହି ଅହଂକାରରେ କହିଲା-ଜେଜେ ମୁଁ ବାହାରିଲି ତୁମେବି ବାହାର। ଏବେ ଯିବା। ଜେଜେ ବାହାରି ପଡ଼ିଲେ ସିନା କିନ୍ତୁ ସମ୍ଭାବ୍ୟ ଭବିଷ୍ୟତକୁ ନେଇ ଉଦ୍ବିଗ୍ନ ହେଲେ।

ଗାଡ଼ି ପୁରୀ ଅଭିମୁଖେ ଚାଲିଲା। ଖୋର୍ଦ୍ଧାରୁ ପୁରୀ ଦୁଇ ଘଣ୍ଟା ଯାତ୍ରା।

ଜେଜେ ଜଗନ୍ନାଥଙ୍କ ନାମ ନେଉଥାନ୍ତି। ପରିମଳ ମୋବାଇଲରେ ଅଫିସ କଥା ବୁଝୁଥାଏ। ମଝିରେ ମଝିରେ ଜେଜେଙ୍କ ଆଡେ ଦେଖି ମୁରୁକି ହସୁଥାଏ। ସତେ ଯେମିତି ସାମର୍ଥ୍ୟ ଆଗରେ ବାକି ସବୁ ମୂଲ୍ୟହୀନ। ଭାଗ୍ୟ ଯେତେବେଳେ ନିଜକୁ ସହାୟ ହୁଏ ସେତେବେଳେ କ୍ଷଣିକ ପାଇଁ ବି ନିଜକୁ ନିଜର ଅଧୀଶ୍ବର ବୋଲି ମନେ ହୋଇଯାଏ। ଦୃଶ୍ୟମାନ ଜଗତରେ ଅଦୃଶ୍ୟର ବା ସ୍ଥାନ କାହିଁ।

ଗାଡି ଯେତେବେଳେ ଚନ୍ଦନପୁର ଅତିକ୍ରମ କଲା ଜେଜେ ଦୀର୍ଘଶ୍ବାସ ପକାଇ ପ୍ରଭୁଙ୍କୁ ପ୍ରଣାମ କଲେ। ପରିମଳ ନିଜର ସାମର୍ଥ୍ୟ ଓ ଇଛା ଶକ୍ତିର ବିଜୟରେ ଆତ୍ମସନ୍ତୋଷ ପାଉଥିଲା।

ଧିରେ ଧିରେ ଗାଡି ପୁରୀ ସହର ଭିତରେ ପ୍ରବେଶ କରାଇ ଠିକଣା ଯାଗାରେ ଡ୍ରାଇଭର ଗାଡିକୁ ପାର୍କିଂ କଲା। ଉଭୟ ଜେଜେ ନାତି ମହା ତୃପ୍ତିରେ ଗାଡିରୁ ଓହ୍ଲାଇଲେ। ଅଟୋ ରିଜର୍ଭ କରି ଗାଡି ପାଖକୁ ଆସିଲା ବେଳକୁ ଗୋଟେ ମଟର ସାଇକେଲ ଜେଜେଙ୍କ ପାଖରେ ହଠାତ୍ ବ୍ରେକ୍ କସି ରହିଗଲା। ଜେଜେ କିଛି କହିବା ପୂର୍ବରୁ ଲୋକଟି ଇୟାଡୁ ସେୟାଡୁ ଗୁଡାଏ ବକି ଚାଲିଗଲା। ପରିମଳ ଜେଜେଙ୍କୁ ଦେଖିକି ଚାଲିବା ପାଇଁ ସାବଧାନ କରାଇଦେଲା ଏବଂ କହିଲା ମୋ ହାତ ଧର ନହେଲେ ଦର୍ଶନ ଅଧୁରା ରହିଯିବ।

ବାପା ଠିକ୍ କହିଲୁ କହି ଅଟୋ ଉପରେ ବସିବାକୁ ଯାଉଛନ୍ତି କୋଉଠୁ ଗୋଟେ ବୁଲା କୁକୁର ଆସି ପରିମଳ ଗୋଡକୁ କାମୁଡି ଦେଲା। ପରିମଳ ଓ ପାଖ ଲୋକ କିଛି କରିବା ପୂର୍ବରୁ ରକ୍ତ ବୋହି ଆସିଲା।

ଯନ୍ତ୍ରଣା ପରିମଳ ପାଇଁ କିଛି ନଥିଲା ଯଦିଓ କୁକୁର କାମୁଡା ଇଞେକ୍ସନ ଭୟ ମନରେ ପଶୁଥିଲା। ଜେଜେ ତୁରନ୍ତ ଅଟୋରୁ ଓହ୍ଲାଇ ନିଜ ଡ୍ରାଇଭରକୁ ହସ୍ପିଟାଲ ଆଡେ ଯିବା ପାଇଁ କହିଲେ। ପରିମଳ କିନ୍ତୁ ମନ୍ଦିର ଆଗ ଯିବା ପାଇଁ ଜିଦ କଲା। ଜେଜେ କିଛି ଶୁଣିଲେ ନାହିଁ। ଆଶୁ ଚିକିତ୍ସା ଆରମ୍ଭ ହେଲା। ଇଞେକ୍ସନ ବି ଦିଆଗଲା। ଉପଚାର ସରିଲା ବେଳକୁ ପରିମଳ ଔଷଧୀୟ ଦୋଷରୁ ଶୋଇ ପଡିଥିଲା। ଜେଜେ ଆଉ ମୁହୂର୍ତ୍ତେ ଅପେକ୍ଷା ନକରି ଭୁବନେଶ୍ବରରେ ପହଞ୍ଚି ଗଲେ। ସେତେବେଳକୁ ପରିମଳ ଉଠି ସାରିଥିଲା। ଜଗନ୍ନାଥ ଦର୍ଶନ ନହେବାରୁ ମନରେ କଷ୍ଟ ଆସିଲା। ଜେଜେ ବୁଝିପାରି କହିଲେ ପୁଣି ଆଉଥରେ ଆମେ ଯିବା।

- ହଁ ଯିବା ଯେ କିନ୍ତୁ ଏଥରତ କଥା ରହିଲାନି।

ଦୁର୍ଘଟଣାରେ କେହି ଦାୟୀ ରହନ୍ତି ନାହିଁ ବୋଲି ଜେଜେ ବୁଝାଇଲେ। ଏପରି ଘଟଣାକୁ ଆଧିଭୌତିକ କୁହାଯାଏ। କେହି ଭାଗ୍ୟ କହନ୍ତି ଆଉ କେହି ଦାୟିତ୍ବ ହୀନତା କହି ଦୋଷ ଲଦି ଦିଅନ୍ତି। କଥା କିନ୍ତୁ ସେଇ ଗୋଟେ। ବୁଝିବାର ପ୍ରକାର ଭେଦରେ ମଣିଷର ମାନସିକତା ତାକୁ ଭିନ୍ନ ଭିନ୍ନ ରୂପ ଦିଏ ।

- ଜେଜେ ଆମେ ଆସନ୍ତା ରବିବାର ଯିବା- କିନ୍ତୁ ଏହାକୁ ନେଇ ପ୍ରଭୁଙ୍କ ଇଛା ଅନିଛାର ସମ୍ପର୍କ ନାହିଁ। ପରିମଳ ମଝିରୁ କଥା ଛଡାଇ ନେଇ କହିଲା

- ଜେଜେ ହସିଲେ କିଛି କହିଲେ ନାହିଁ

ଜେଜେ ପରିମଳର ମାନସିକତାକୁ ଲକ୍ଷ୍ୟ କରି କହିଲେ-

କରଣୀୟ କର୍ତ୍ତବ୍ୟ ମଧ୍ୟ ପ୍ରଭୁଙ୍କ ଦର୍ଶନ ଠୁ କିଛି କମ ନୁହେଁ ।

-ମୁଁ ମଧ୍ୟ ଏହା କହେ ବୋଲି ପରିମଳ କଥାରେ ଯୋର ଦେଲେ। ମଣିଷ ନିଜକୁ ସଦାବେଳେ କର୍ମ ଓ କର୍ତ୍ତବ୍ୟ ପାଳନରେ ନ୍ୟସ୍ତ ରଖିବା ଉଚିତ।

- ହଁ ସତ, କିନ୍ତୁ ପରମାତ୍ମାଙ୍କ ସ୍ଵୀକୃତି ସହିତ।

ଏକମାତ୍ର ପରମାତ୍ମା ବ୍ୟତୀତ ଯିଏ ଦ୍ଵିତୀୟ ସତ୍ତାକୁ ସ୍ଵୀକୃତି ଦିଏ ତାର ଇଚ୍ଛା ଓ କାର୍ଯ୍ୟ ପ୍ରବୃତ୍ତିରେ ପରିଣତ ହେଇଯାଏ। ପ୍ରବୃତ୍ତି ଉଦୟ ହେବା ଯାହା ଭୋଗ ଦୃଢୀଭୂତ ହେବା ସେୟା। ତେଣୁ ଯେପର୍ଯ୍ୟନ୍ତ ନିବୃତ୍ତି ଦୃଢିଭୁତ ନହୋଇଛି ସେପର୍ଯ୍ୟନ୍ତ ପ୍ରବୃତ୍ତି ପ୍ରଶମିତ ହୁଏ ନାହିଁ। ଜେଜେଙ୍କ ର ଏପରି କହିବାରେ

ପରିମଳ କିଛି କହିଲା ନାହିଁ ସତ କିନ୍ତୁ ମନ ଭିତରେ କିଏ ଯେମିତି କିଛି କହିବା ପାଇଁ ଚେଷ୍ଟା କରୁଥିଲା।

ରବିବାର ଯିବାର ବ୍ୟବସ୍ଥା ନିଶ୍ଚିତ ଥିଲା। ଯୋଗକୁ ସେଦିନ ପରିମଳର ପୁରୀ ବିଚ୍ ହୋଟେଲରେ ମିଟିଙ୍ଗ ଥାଏ । ଉଭୟ ଦର୍ଶନ ଆଶାରେ ବାହାରି ପଡ଼ିଲେ। ଏକାଦଶୀ ବି ଥାଏ। ମନ୍ଦିରକୁ ଆଗ ଯାଇ ପରେ ବାକି କାମ କରିବ ବୋଲି ଭାବୁଥିଲା ହଠାତ୍ କଲେକ୍ଟରଙ୍କ ଫୋନ୍ ଆସିଲା ତୁରନ୍ତ ମିଟିଙ୍ଗ ଆରମ୍ଭ କରିବା ପାଇଁ। ଆଉ କିଛି ଚାରା ନଥିଲା। ପରିମଳ ଜେଜେଙ୍କ ରହିଵା ବ୍ୟବସ୍ଥା କରାଇ ସବୁ କାମ ସାରି ଅପରାହ୍ନ ୪ଟା ବେଳକୁ ପହଞ୍ଚି ଗଲା। ଉଭୟେ ଅଗତ୍ୟା ମନ୍ଦିର ଆଡେ ବାହାରିଲେ। ସିଂହଦ୍ଵାର ପାଖରେ ପହଞ୍ଚି ଗଲେ। ବାଇଶି ପାହାଚରେ ପାଦ ରଖୁ ରଖୁ ପରିମଳ ଜେଜେଙ୍କ ଆଡେ ଅନାଇ ନିଜ ପ୍ରାୟଶ୍ଚିତ ପୂରଣ ହେବାର ଇଙ୍ଗିତ ଦେଲା।

ଭବିତବ୍ୟ ଯେତେବେଳେ ଧାର୍ଯ୍ୟ ହୋଇସାରିଥାଏ ଅନ୍ୟ କୌଣସି ପ୍ରାପ୍ତିର ଆଶା ମୃଗତୃଷ୍ଣା ହୋଇଥାଏ।

ବିଧି ନିର୍ଦ୍ଦିଷ୍ଟ ପରି ସେତେବେଳେ କୌଣସି ପଣ୍ଡାର ଅସଦାଚରଣରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହେଇଗଲା। ଅଳ୍ପ ସଂଖ୍ୟକ ପୋଲିସ ବିଫଳ ହେବାରୁ ସମସ୍ତେ ମନ୍ଦିର ବାହାରକୁ ଯାଇ ନିରାପଦରେ ରହିବେ ବୋଲି ବ୍ୟସ୍ତ ହେଉଥିଲେ। ପରିମଳ କିନ୍ତୁ ଯିବେ ନାହିଁ। ଅଘଟଣକୁ ଏଡାଇବା ପାଇଁ ମନରେ ସାହସ ସଞ୍ଚିଲେ। କିନ୍ତୁ ପ୍ରାରବ୍ଧର ଫଳ ଯେତେବେଳେ ବିଡମ୍ବନାର କାରଣ ତାକୁବା କିଏ ବାରଣ କରି ପାରିବ। ଏତେ ଯୋରରେ ଲୋକମାନେ ମାଡି ଆସୁଥିଲେ ଯେ ଠେଲା ପେଲାରେ ଜେଜେ ତଳେ ପଡିଗଲେ। ଆଉକିଛି ହେବା ପୂର୍ବରୁ ପରିମଳ ଜେଜେଙ୍କୁ ନିଜ ଆବରଣ ଭିତରେ ଆବଦ୍ଧ କରିବା ପାଇଁ ଚେଷ୍ଟା କଲା। କିନ୍ତୁ ନିଜେ ହିଁ ଭାରସାମ୍ଯ ହରାଇ ଜେଜେଙ୍କ ସହିତ ପଡିଗଲା ।

ଯେତେବେଳେ ସେ ନିଜକୁ ଆବିଷ୍କାର କଲା ମୁଣ୍ଡରେ ପଟି ବନ୍ଧା ହେଇଥିଲା। ଡକ୍ଟର ଦାସ ଓ କଲେକ୍ଟର ସାହେବ ପାଖରେ ଥିଲେ। ଜେଜେ ଗୋଡକୁ ନିଜ କୋଳ ଉପରେ ରଖି ଆଉଁସୁ ଥିଲେ। ପରିମଳ ଆବାକାବା ହେଇ ଦେଖୁଥିଲା। କିଛି କହିବାକୁ ଉଦ୍ୟତ ହେବାରୁ କଲେକ୍ଟର ଅଟକାଇ ଦେଲେ କହିଲେ ମୁଁ ସବୁ କହୁଛି। ପରିମଳ ଜେଜେଙ୍କ ଆଡକୁ ଅନାଇ ରହିଲା। ଜେଜେ ଇଷତ୍ ହସି ଚୁପ୍ ରହିଗଲେ। ପରିମଳ ଦୃଷ୍ଟି ନଫେରାଇବାରୁ ଜେଜେ କହିଲେ ଆରେ ଏମିତି ଦେଖୁଛୁ କଣ। ଆଜି ତୁ ବହୁତ ବଡ କାମ କରିଛୁ।

କଣ ବୋଲି ଆଚମ୍ବିତ ହୋଇ ପଚାରନ୍ତେ ଜେଜେ କହିଲେ ତୁ ଯେତେବେଳେ ମୋତେ ଧରିବାକୁ ଚେଷ୍ଟା କଲୁ ଠେଲାପେଲା ରେ ମୁ ପଡିଗଲି ଆଉ ତୁ ମୋତେ ଭାବି ଦୁଇ ଜଣ ବୁଢା ବୁଢୀଙ୍କୁ କୁଣ୍ଢାଇ ଧରିଲୁ। ଭାରସାମ୍ଯ ହରାଇ ତୁ ପଡିଗଲୁ ପଥର ବାଜି ତୋ ମୁଣ୍ଡ ଫାଟି ଗଲା। ତୁ ଚେତା ହରାଇ ପଡିଗଲୁ ଆଉ ତୋ ଉପରେ ଯୋଉ ଦୁଇଜଣ ବୁଢା ବୁଢୀ ଆରାମରେ ବିଶ୍ରାମ ନେଇ ପାରିଲେ ସେମାନେ ହେଉଛନ୍ତି ଏଇ କଲେକ୍ଟର ଙ୍କ ବାପା ମାଆ।

କଲେକ୍ଟର କଥା ଛଡାଇ ନେଇ କହିଲେ ଆଜି ରାତିରେ ଆପଣମାନେ ମୋ ଘରେ ଖାଇବେ ବୋଲି ଅନୁମତି ଦିଅନ୍ତୁ। ମୋ ବାପା ମା ତମକୁ ଦେଖିବେ ବୋଲି ଅପେକ୍ଷା କରିଛନ୍ତି।

ମୁଁ କିନ୍ତୁ ଜଗନ୍ନାଥ ଦର୍ଶନ ବିନା କୁଆଡେ ଯିବି ନାହିଁ -ପରିମଳ କହିଲେ।

ହୋଉ ସେୟା ହେଉ- କଲେକ୍ଟର କହିଲେ।

ମନ୍ଦିର ଭିତରେ ରତ୍ନବେଦୀ ପାଖରେ ପହଞ୍ଚି ଗଲେ। କଲେକ୍ଟର ପାଖରେ ପାଖରେ ଥିବାରୁ ସୁନ୍ଦର ଦର୍ଶନ ହେଲା। ମନେହେଉଥିଲା ଏହା ଯେମିତି ସ୍ମୃତି ହୋଇ ରହିଯିବ। ଫେରିଲା ବେଳକୁ ପରିମଳ ଜେଜେଙ୍କୁ ଅନାଇ କହିଲା ଜେଜେ ଦର୍ଶନ ଟିକେ ପାଇଁ ଜଗନ୍ନାଥ କେତେ ନାଟ ଲଗାଇଦେଲେ।

ଭଗବାନ ଯାହାକୁ ଯାହା ସାମର୍ଥ୍ୟ ଦେଇଛନ୍ତି ସେଥିପାଇଁ ଗର୍ବ କଲେ ସେ କୌଣସି ବାଟରେ ତାର ବିଧାନ କରିଦେବେ। କେହି ବୁଝି ପାରନ୍ତି ଆଉ କେହି ଆକସ୍ମିକ ଘଟଣା କହି ଏଡାଇ ଯାଆନ୍ତି କାରଣ ପରମାର୍ଥିକ ଅନୁଭବ କେବଳ ପ୍ରଭୁ କୃପା ଥିଲେ ହିଁ ମିଳେ। ଏତିକି କହି ଜେଜେ ଆଖି ବନ୍ଦ କରି କଣ କହି ପକାଇଲେ। ପରିମଳ ବୁଝିବା ପାଇଁ ଚେଷ୍ଟା କଲା କିନ୍ତୁ ପାରିଲା ନାହିଁ। ମନେ ମନେ ଭାବିଲା ସବୁ ଇଛା ସେହି ଜଗନ୍ନାଥ। ଯତ୍ କୃପା ତମହମ୍ ବନ୍ଦେ ପରମାନନ୍ଦ ମାଧଵମ୍।

ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya story from Inspirational