ଆହ୍ଵାନ
ଆହ୍ଵାନ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଓଃ,ଅସହ୍ୟ ଏସବୁ।ସାରା ରାତି ଅନିଦ୍ରାରେ ଖାଲି ବିକଳ,ଅସହାୟ ଲାଗୁଥିଲା।
ମନ,ବିବେକ ଓ ଆତ୍ମାର ଲଢେଇରେ ପ୍ରାଣଟା ଯେମିତି ଚାଲିଗଲା ପରି ଲାଗୁଥିଲା।
କାହିଁକି ଯେ ଏମିତି ହେଉଥିଲା?
କବିର କଲମକୁ ଶବ୍ଦ ଆସିବା ଆଗରୁ ଯେମିତି ବିଦ୍ରୋହର ବହ୍ନି ଜଳୁଥିଲା।
ଶବ୍ଦ ଗୁଡା କବିଙ୍କୁ ଯେମିତି ଖତେଇ ହେଉଥିଲେ।ଯେଉଁ ପାଖ ମାଡ଼ି ଶୋଇଲେ ସେପାଖ ମଥାଟାକୁ ସତେ ଯେପରି କିଏ ହାତୁଡିରେ ପ୍ରହାର କରି କ୍ଷତବିକ୍ଷତ କରିଦେଲା ଭଳି ଲାଗୁଛି।
ଦୂରଦର୍ଶନ, ଖବରକାଗଜ, ମୋବାଇଲ ଯେଉଁଠି ଆଖି ପଡୁଥିଲା ମହାମାରୀ ଜନିତ ଅକାଳ ମୃତ୍ୟୁ ଦେଖି ଦେଖି ପ୍ରତି ମୂହୁର୍ତ୍ତରେ ମୃତ୍ୟୁର ତାଣ୍ଡବଲୀଳା ଶୁଣି ଶୁଣି ମୃତ୍ୟୁ ପଦଧ୍ଵନି ନିକଟରୁ ନିକଟତର ଲାଗୁଥିଲା।କିଏ ଜାଣେ କେତେବେଳେ କେଉଁ କଥା।
ଏପାଖରେ ମୃତ୍ୟୁର ବିଭୀଷିକା ତ ସେପାଖରେ ଦୂରାତ୍ମା ଦୂରାଚାରୀ ମାନଙ୍କର ବ୍ୟଭିଚାରରେ ଛଟପଟ ହୋଇ ମୃତ୍ୟୁ ସହ ତମାମ ସଂଗ୍ରାମ କରି ହାରି ଯାଉଥିବା ନୀରିହ କଳିକା ମାନଙ୍କର ଆର୍ତ୍ତ ଚିତ୍କାରରେ ଫାଟି ଯାଉଥିଲା ଧରଣୀର ଛାତି ତ ପୁଣି ଆର ପାଖରେ ଖାଇ ଖାଇ ନେଇ ନେଇ କାହାର ଭଣ୍ଡାରରେ ଯାଗା ନଥିଲା ବେଳେ ଭୋକକୁ ସାନ୍ତ୍ବନା ଦେଇ ଦେଇ ଆଉ କିଏ ପ୍ରତି ମୂହୁର୍ତ୍ତରେ ଜୀବନ୍ତ ସମାଧି ନେଇଯାଉଥିଲା।
ନା ଏସବୁ ଦେଖି ହେଉଛି ନା ଶୁଣି ହେଉଛି।ମସିଣାରେ ଏପଟ ସେପଟ ହୋଇ ଖାଲି ଯାହା ଉଦିତ ସୂର୍ଯ୍ୟର ସୁନେଲି କିରଣକୁ ଅପେକ୍ଷା କରିଛି।ପୁଣି ଏକ ନୂତନ ସୂର୍ଯ୍ୟୋଦୟର ସମ୍ଭାବନାରେ ଭାବବିହ୍ଵଳ ହୋଇ ଚାହିଁ ରହିଛି ଶୂନ୍ୟ ଶୂନ୍ୟ ମହାଶୂନ୍ୟକୁ।କେତେବେଳେ ଏହି କଳାହାଣ୍ଡିଆ ଘନଘୋର ଅନ୍ଧକାର ହଟି ଧରଣୀ ବକ୍ଷରେ ସ୍ନେହ ଶ୍ରଦ୍ଧା ଓ ଭଲପାଇବାର କଳକଳ ସ୍ରୋତସ୍ଵିନୀଟିଏ ନିର୍ବିକାର ଭାବରେ ବହିବ। ଆଗାମୀ ଭବିଷ୍ୟତକୁ ଆହ୍ଵାନ କରିବ।ହଟିଯିବ ଅହଂକାର ଏ ପୃଥିବୀ ବକ୍ଷରୁ।