Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

JitendraNath Gahir

Romance

4.8  

JitendraNath Gahir

Romance

ପାଣି ବୋତଲ

ପାଣି ବୋତଲ

8 mins
549


ବସନ୍ତର କାନ୍ତକମନୀୟ ସବୁଜ ଶ୍ଯାମ ରୂପରାଜିକୁ ଅପହରଣ କରି ଧରା ବକ୍ଷକୁ ପଦାର୍ପଣ କରେ ନିଷ୍ଠୁର ନିଦାଘ ଗ୍ରୀଷ୍ମ । ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସମସ୍ତଙ୍କ ମନରେ ତୋଳି ଥାଏ ଶୂନ୍ୟତା ଓ ଗଭୀର ଅତୃପ୍ତିର ହା ହା। ତଥାପି ବସନ୍ତର ଛାଡ଼ି ଯାଇଥିବା କିଛି ମଳୟ ର ସ୍ପର୍ଶ ଓ କୋଇଲିର କୂଜନରବକୁ ସନ୍ତକ କରି ଗାଁ ନଈପଠାରେ ଥିବା ଆମ୍ବତୋଟା ମୂଳେ ବସି ମନକୁ ହାଲକା ହାଲକା ଅନୁଭବ କରୁଥିଲାବେଳେ ଜଣାପଡେ଼ ଗ୍ରାମ୍ଯ ଜୀବନର ପ୍ରକୃତ ମଜା। ସବୁଦିନ ଭଳି ସେଦିନ ମଧ୍ୟ ମୁଁ କିଛି ସମୟ ସେଠାରେ ରହି ମନ ଖୁସିରେ ଘରକୁ ଫେରି ଆସିଲି କିନ୍ତୁ ଟେବୁଲ୍ ଉପରେ ଥୁଆ ହୋଇଥିବା ଚିଠିଟିକୁ ଖୋଲି ପଢିଲା ବେଳକୁ ହଠାତ୍ ମୋର ମୁଣ୍ଡ ଭିତରଟା ଝାଇଁ ଝାଇଁ ଲାଗିଲା କାରଣ ଖରାଛୁଟିରେ ୧୫ ଦିନିଆ ଟ୍ରେନିଂ ତାହା ପୁଣି କୋରାପୁଟ ପରି ଏକ ପାହାଡ଼ି ଜିଲ୍ଲାକୁ ଯିବା ପାଇଁ ମୋର ବିଲକୁଲ ବି ଇଚ୍ଛା ନ ଥିଲା। କିନ୍ତୁ ଯାହା ହେଲେ ବି ଯିବାକୁ ପଡିବ ଏ କଥାଟି ଭାବିଲା ବେଳକୁ ମୋର ମନ ଭିତରଟା ଘାଣ୍ଟି ହୋଇପଡୁଥିଲା।


   ଠିକ୍ ତା ପରଦିନ ସକାଳୁ ସକାଳୁ ବସ୍ ଯୋଗେ ବାହାରି ପଡ଼ିଲି କୋରାପୁଟ। ଖରାଦିନ ହୋଇଥିବାରୁ ବସ ବି ଖାଲି ଖାଲି ଲାଗୁଥିଲା।ତେଣୁ ସମସ୍ତେ ନିଜ ନିଜ ସିଟ୍ ରେ ଆରାମରେ ବସିଥାନ୍ତି। କିଛି ସମୟ ପରେ ବସ ଯାଇ ପହଞ୍ଚିଲା ଭବାନୀପାଟଣା ବସଷ୍ଟାଣ୍ଡରେ।କଣ୍ଡକ୍ଟର ସମସ୍ତଙ୍କୁ କହିଲା - ଏଠି ୧୫ ମିନିଟ୍ ବସ ରହିବ ଯଦି କାହାର ଜଲଖିଆ ପତ୍ର କରିବାର ଅଛି କରିନିଅ। କେତେ ଜଣ ବସରୁ ଓହ୍ଲାଇବା ପରେ ମୁଁ ମଧ୍ଯ ଥଥମମ ହୋଇ ଓହ୍ଲାଇଲି ଏବଂ ଗୋଟିଏ ପାନ ଦୋକାନରୁ ପାଣି ବୋତଲ ଟେ କିଣି ବସ କୁ ଚଢ଼ିଗଲି। ଠିକ୍ ସମୟରେ ଡ୍ରାଇଭର ହର୍ନ ବଜାଇ ଗାଡ଼ି ସ୍ଟାର୍ଟ କଲା ବେଳକୁ ହଠାତ୍ ବସ୍ ଭିତରକୁ ପଶି ଆସିଲା ଗୋଟିଏ ଚବିଶ ପଚିଶି ବର୍ଷର ଝିଅ ଏବଂ ଆଗ ପଛ ଟିକେ ଅନେଇ ମୋ ପାଖ ସିଟ୍ ରେ ବସି ପଡ଼ିଲା। ଦେଖିଲି ତା ଶରୀରରୁ ଝାଳ ନିଗିଡ଼ି ପଡୁଛି ତଥାପି ସେ ପୋଛିବାକୁ ଡରୁଛି। ହୁଏତ ତାର ଗୋରା ମୁହଁରେ ସେଇ କଜ୍ଜଳ ଆଖିର କଜ୍ଜଳ ଧାର ଲେପି ହେଇଯିବ ବୋଲି ସେ ସାବଧାନର ସହ ଆସ୍ତେ ଆସ୍ତେ ଚାପି ଚାପିକି ଓଢଣୀ ରେ ତା ର ମୁହଁରୁ ବୋହି ଆସୁଥିବା ଝାଳକୁ ପୋଛୁଥାଏ । ସତରେ କଜ୍ଜଲ ଆଖି ଦୁଇଟି ତାର ଗୋରା ମୁହଁକୁ ଖୁବ୍ ମାନୁଥିଲା। ଲାଗୁଥିଲା ଯେମିତି ଭଗବାନ ଏ ଅପରୂପା କାମିନୀର ରୂପ ସୌନ୍ଦର୍ଯ୍ୟର ଗଢଣ ଦାୟିତ୍ଵ ଦେବଶିଳ୍ପୀ ବିଶ୍ବକର୍ମାଙ୍କୁ ଦେଇ ଥିଲେ। କାରଣ ତା ଦେହର ଗଢ଼ଣ ଥିଲା ଗୋଟିଏ ଚାଉଳରେ ଗଢ଼ା। ତାର ଗୋରା ମୁହଁରେ ଝାଳର ବୋହି ଆସୁଥିବା ଧାର ତା ର ସୁନ୍ଦରତାକୁ ଦ୍ବିଗୁଣିତ କରୁଥିଲା। ସତରେ ତାର ସୌନ୍ଦର୍ଯ୍ୟର କୌଣସି ଉପମା ହିଁ ନ ଥିଲା। ଲାଗୁଥିଲା ସେ ହିଁ ଥିଲା ସବୁ ସୌନ୍ଦର୍ଯ୍ୟର ଶେଷ ସୀମା। 

କିଛି ସମୟ ପରେ ଝରକା ବାଟ ଦେଇ ଆସୁଥିବା ପବନ ଯୋଗୁଁ ଝାଳ ଶୁଖି ଯିବାରୁ ତାର ପୁନେଇଁ ଜହ୍ନ ପରି ଗୋଲ ମୁହଁଟା ସଦ୍ୟଫୁଟା ପଦ୍ମଫୁଲ ସମ ଝଟକି ଉଠୁଥିଲା। ତେଣୁକରି କଣେଁଇ କଣେଁଇ ତାର ସୁନ୍ଦରତାକୁ ଦେଖି ଉପଭୋଗ କରିବାର ମୋର ପ୍ରବଳ ଇଚ୍ଛା ହେଉଥିଲେ ମଧ୍ୟ ସିଏ ଜାଣିଲେ କ'ଣ ଭାବିବ ବୋଲି ଅଜଣା ଭୟରେ ମୁଁ ତାକୁ ଚାହିଁ ପାରୁନଥିଲି । ଗାଡ଼ି ତାର ମାତାଲ୍ ଗତିରେ ଆଗେଇ ଚାଲିଥାଏ ଏବଂ ମୁଁ ମୋର ଭାବନା ରାଇଜରେ ବିଜଡିତ ହୋଇ ଯାଇଥିଲି । ଏଇ ସମୟରେ ହଠାତ୍ ଏକ ସୁମଧୁର ନାରୀ କଣ୍ଠସ୍ବରରେ' ହ୍ଯାଲୋସାର' ଶୁଣି ମୋର ଅଭିନିବେଶ ଭାଙ୍ଗିଗଲା। ଚମକି ପଡ଼ି ଦେଖିଲି ସେଇ ଝିଅଟି ମୋତେ ଡାକୁଛି ।

ପୁଣି କହିଲା - sir please ପାଣି ବୋତଲ ଟିକେ ଦେବେ। 


ମୁଁ - ହଁ ହଁ sure ନିଅନ୍ତୁ।


ଝିଅଟି ମୋ ହାତରୁ ପାଣି ବୋତଲଟି ନେଇ ଆରାମରେ ପାଣି ବୋତଲକୁ ପାଟିରେ ରେ ରଖି ଏକ ନିଃଶ୍ବାସରେ କେଇ ଢ଼ୋକା ପାଣି ଶୋଷିନେଲା ତାର ରକ୍ତିମ ଅଧରରେ ।ମୋତେ ଲାଗୁଥିଲା ପାଣି ପିଇ ସେ ଯେତିକି ଆସ୍ବସ୍ତି ହୋଇନଥିବ କିନ୍ତୁ ତା ପାଣି ପିଇବା ଦେଖି ମୁଁ ସେତିକି ଆରାମ ଅନୁଭବ କରୁଥିଲି। ତା ପରେ ସ୍ମିତହାସ୍ୟରେ thank you କହି ପାଣି ବୋତଲଟା ମୋତେ ବଢେଇ ଦେଲା। ମୁଁ ମଧ୍ଯ ଟିକିଏ ହସି ଦେଲି ଏବଂ ମନେ ମନେ ପାଣି ବୋତଲକୁ ଧନ୍ଯବାଦ୍ ଦେଇ ପୂର୍ବବତ ଚୁପ୍ ଚାପ୍ ଝରକା ବାଟେ ପ୍ରକୃତିର ସୁଷମାରାଜିକୁ ନେତ୍ରପାତ କଲି । ଆଉ ଖୋଜୁଥିଲି ପ୍ରତିଟି ବନାନୀରେ, ପ୍ରତିଟି ଫୁଲରେ ସେଇ ପାଖ ସିଟ୍ ରେ ବସି ଥିବା ଝିଅର ହରିଣୀ ପରି ଚଳ ଚଞ୍ଚଳ ଆଖି ଓ ତାର ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ଆଭାଶ୍ରୀ ମୁଖମଣ୍ଡଳକୁ। ଏହା ଭିତରେ ମୁଁ ମୋର ଗନ୍ତବ୍ୟ ପଥର ଅଧାରୁ ଅଧିକ ପଥ ଅତିକ୍ରମ କରି ସାରିଥାଏ। ଦେଖିଲି ଅଚିହ୍ନା ଝିଅଟି ମଧ୍ୟ ହାଲକା ହାଲକା ନିଦରେ ଶୋଇ ଯାଇଛି।ଟିକିଏ ଅବଶ ଲାଗିବାରୁ ପାଣି ପିଇବା ପାଇଁ ବୋତଲ ବାହାର କରି ଦେଖିଲି ବୋତଲରେ ପାଣି କମ୍ ଅଛି, ତେଣୁ ମନେ ମନେ ଚିନ୍ତାକଲି ଝିଅଟି ଆଉଥରେ ଯଦି ପାଣି ମାଗେ ତେବେ ତାକୁ କ'ଣ ଦେବି ଭାବି ବୋତଲକୁ ରଖିଦେଇ ଶୋଇବା ପାଇଁ ଚେଷ୍ଟା କଲି।


ଶୋଇବା ପୂର୍ବରୁ ପୁଣି ଥରେ ତାକୁ ଦେଖିବାକୁ ଇଚ୍ଛା ହେଲା ଦେଖିଲି ଯେ ଝିଅଟି କେଡ଼େ ଆରାମରେ ଶୋଇ ପଡିଛି ଏବଂ ଅଙ୍କାବଙ୍କା ରାସ୍ତା ଯୋଗୁଁ କେତେ କେତେ ବେଳେ ଅଜାଣତରେ ମୋ ପାଖକୁ ଢଳି ପଡୁଛି ଏସବୁ ଦୃଶ୍ୟ ଦେଖି ମୋର ଅମାନିଆ ମନ ଅକୁହା ଆନନ୍ଦ ଓ ଉନ୍ମାଦନାରେ ଉଲ୍ଲସିତ ହୋଇ ଉଠିଛି। ନା ତାକୁ ମୁଁ ନିଦରୁ ଉଠେଇଛି ନା ତାକୁ ଠିକ୍ ସେ ବସିବା ପାଇଁ କହିଛି। କେବଳ ମୁଁ ଚେଷ୍ଟା କରିଛି କେମିତି ଆରାମରେ ଶୋଇ ଶୋଇ ନିଜର ଗନ୍ତବ୍ୟ ସ୍ଥାନକୁ ପହଞ୍ଚିବ। ଏମିତି ଅନେକ କିଛି ତା ବିଷୟରେ ହିଁ ଭାବୁ ଭାବୁ ନିଜେ ମଧ୍ୟ ଏକ ଭାବୁକର ମନ ନେଇ ପ୍ରକୃତିର ସେଇ ସମସ୍ତ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ ଜିଲ୍ଲାର ସୁନ୍ଦରତା ଓ ଆକର୍ଷଣକୁ ପ୍ରଶଂସା ମଧ୍ୟ କରିଛି। ଦେଖୁଛି ବଣ ପାହାଡ଼ ଘେରା ନୀଳ ଆକାଶ ତଳେ କେତେ ଯେ ବିହଗକୂଳ ଉଡ଼ି ଯିବାର ଦୃଶ୍ୟ, ପାହାଡ଼ ଉପରେ ଲଟକିଥିବା ବଡବଡ ଶିଳାଖଣ୍ଡ ଯାଦୁଗରୀ କିମ୍ବା ପାହାଡ଼ ଉପରେ ଝାପସା ଝାପସା


ଦେଖାଯାଉଥିବା ଆଦିବାସୀଙ୍କ ଚାଳଛପର କୁଡିଆର ତାଜମହଲ ପୁଣି ରାସ୍ତାର ଉଭୟ ପାର୍ଶ୍ବରେ ଜଗି ରହିଛି ବଡବଡ ଭୀମକାୟ ଗଛସବୁ ଯେପରିକି ଯାତ୍ରୀ ମାନଙ୍କୁ ସ୍ବାଗତ କରିବା ପାଇଁ। ଏସବୁ କଥା ଦେଖୁ ଦେଖୁ ବସ ମଧ୍ୟ କେତେବେଳେ ଯେ ଏକ ପାହାଡ଼ି ହୋଟେଲ ପାଖରେ ପହଞ୍ଚି ଗଲାଣି ମୁଁ ଜାଣି ପାରିଲି ନାହିଁ। ହାତଘଣ୍ଟା ଦେଖିଲି ସମୟ ମଧ୍ୟ ଦୁଇଟା ବାଜିବାକୁ ପନ୍ଦର ମିନିଟ୍ ବାକି। ତେଣୁ ମଧ୍ଯାହ୍ନ ଭୋଜନ ପାଇଁ ବସରୁ ସମସ୍ତେ ଓହ୍ଲାଇବା ଦେଖି ମୁଁ ମଧ୍ଯ ଓହ୍ଲାଇଲି। ସେ ଝିଅଟି କେତେବେଳେ ଯେ ବସରୁ ଓହ୍ଲାଇ ଖାଇବା ପାଇଁ ଗଲା ମୁଁ ଜାଣି ପାରିଲି ନାହିଁ ତେଣୁ ଦେଖିବା ପାଇଁ ହରବରରେ ହୋଟେଲ ଭିତରକୁ ପଶିଗଲି। ଦେଖିଲି ଗୋଟିଏ କୋଣରେ ବସି ଖାଉଛି। ମୁଁ ମଧ୍ଯ ଡେରି ନ କରି ଅଳ୍ପ କିଛି ଖାଇ ମୋ ସିଟ୍ ରେ ଆସି ବସିଗଲି। ସମସ୍ତେ ଖାଇ ସାରିବା ପରେ ବସରେ ଆସି ବସିପଡିଲେ। କିଛି ସମୟ ପରେ ବସ ମଧ୍ୟ ପବନ ବେଗରେ ନିଜର ଯାତ୍ରାର ଦ୍ବିତୀୟ ପର୍ବ ଆରମ୍ଭ କଲା।

କିଛି ଦୂର ଯାଇଛି କି ନାହିଁ ମୋତେ ଟିକେ ନିଦ ନିଦ ଲାଗିବାରୁ ଶୋଇବା ପାଇଁ ଚେଷ୍ଟା କଲି କିନ୍ତୁ ଛାଇ ଛାଇ ନିଦ ଲାଗିଛି କି ନାହିଁ , ହଠାତ୍ ଏକ ହମ୍ପସ୍ ପାଖେ ଗାଡି ବ୍ରେକ୍ କରିବାରୁ ମୋର ନିଦ ଭାଙ୍ଗିଗଲା। ତାପରେ ଯେତେ ଶୋଇବାକୁ ଚେଷ୍ଟା କଲେ ମଧ୍ୟ ଆଉ ନିଦ ହେଲା ନାହିଁ ତେଣୁ ବେଗରୁ ନିଉଜପେପର ବାହାର କରି ପଢିବା ପାଇଁ ଭାବିଲି।ତେଣୁ ଏଇ ସମୟରେ ବେଗକୁ ତଳକୁ ଆଣିବା ଦେଖି ଝିଅଟି ପଚାରିଲା - ସାର ! ପାଣି ବୋତଲ ଟିକେ ଦେବେ। 


ମୁଁ - ହଁ ନିଅନ୍ତୁ। ବେଗରୁ ବାହାର କରି ପାଣି ବୋତଲ ଟା ତା ହାତକୁ ବଢ଼େଇ ଦେଲି। 

ଝିଅଟି ମୋ ହାତରୁ ପାଣି ବୋତଲ ନେଇ ଅଧା ପାଣି ପିଇ ମୋତେ ପୁଣି thank you କହି ବୋତଲଟି ଫେରେଇ ଦେଲା ଆଉ ପଚାରିଲା ବସ କେତେ ଦୂର ଆସିଲାଣି ? 


ମୁଁ - କୋରାପୁଟ ପାଖାପାଖି ଆସିଲାଣି ୨୦/୨୨ କିଲୋମିଟର ଥାଇପାରେ ଆଉ ଅଧଘଣ୍ଟା ରେ ବସ ପହଞ୍ଚି ଯିବ । 


ଝିଅଟି ଟିକିଏ ହସି ଦେଇ ମୋବାଇଲ୍ ରେ ସମୟ ଦେଖି କହିଲା - 

ଆଜି ବସ ବହୁତ ଡେରି କରୁଛି । ଏତେ ସମୟରେ ପହଞ୍ଚି ଯିବା କଥା। 


ମୁଁ - ହଁ ଆପଣ ଠିକ୍ କହୁଛନ୍ତି। ଆଜି କାଲି ସବୁ ବସର ବସ ଟାଇମିଂ ଏମିତି ସବୁବେଳେ ଚାଲିଶ ପଚାଶ ମିନିଟ୍ ଲେଟ୍ ଆଉ ଡ୍ରାଇଭର ମାନେ ମଧ୍ୟ ଜାଣି ଜାଣି ଲେଟ୍ କରିବେ। 


ତାପରେ ମୁଁ ମନେ ମନେ ଭାବିଲି ମୁଁ ଚାହୁଁଛି ଡେରି ହେଲେ ଭଲ ହୁଅନ୍ତା କିନ୍ତୁ ଏ ଝିଅଟି ଜଲଦି ଜଲଦି ପହଞ୍ଚିବାକୁ ଚାହୁଁଛି। ଧନ୍ଯରେ ବିଧାତା! ବିଚିତ୍ର ତୋ ନିୟତିର ଖେଳ। ମଣିଷ ଯାହା ଭାବେ ସବୁବେଳେ ହିଁ ଓଲଟା। ଏମିତି ଅନେକ କଥା ଭାବୁ ଭାବୁ କେତେବେଳେ ଯେ ବସ ଟି କୋରାପୁଟ ବସଷ୍ଟାଣ୍ଡ ସମ୍ମୁଖରେ ଆସି ପହଞ୍ଚିଗଲା ଜାଣି ପାରିଲି ନାହିଁ। ହେଲପର୍ ର ସେଇ ବସଷ୍ଟାଣ୍ଡ ଆସିଗଲା ବସଷ୍ଟାଣ୍ଡ ବସଷ୍ଟାଣ୍ଡ ଓହ୍ଲାଅ ଓହ୍ଲାଅ ଜଲଦି ଜଲଦି ତାର ଏହି ଡାକ ସବୁ ମୋର ହୃଦୟକୁ କ୍ଷତବିକ୍ଷତ କରୁଥିଲା। ଇଚ୍ଛା ହେଉଥିଲା ତାକୁ ଗାଳି ଗୁଲଜ କରିବାକୁ ହେଲେ ଚିନ୍ତା କଲି ସେ ହେଲେ କ'ଣ କରିବ ସେ ତ ତାର କାମ କରୁଛି ବୋଲି ମନରେ ଭାବି ମନ ଦୁଃଖରେ ବସରୁ ଓହ୍ଲାଇ ସେଇ ଝିଅଟିକୁ ଚାହିଁଲି। ଯିଏକି ଆଜି କିଛି ସମୟ ପାଇଁ ମୋ ସହ ସହଯାତ୍ରୀ ହୋଇଥିଲା ବସରେ। 


ଝିଅଟି ଗୋଟିଏ ଅଟୋକୁ ହାତ ମାରି ଅଟକାଇ ତାର ବେଗ ପତ୍ର ଧରି ମୋ ପଟେ ଥରେ ପ୍ରେମାସକ୍ତ ଚାହାଣୀରେ ଚାହିଁ ସ୍ମିତହାସ୍ୟ ହସି ଦେଇ ଚାଲି ଗଲା ସେଇ "ତୁମ କବ ଆଓଗେ" ଲେଖା ଥିବା ସେଇ ଅଫେରା ଅଟୋରେ। ଯେତେ ଦୂର ଯାଏଁ ସେଇ ଅଟୋ ଦିଶୁଥିଲା ସେତେ ଦୂର ଯାଏଁ ଚାହିଁ ରହିଲି କିନ୍ତୁ ସେ ଅଟୋ ଟି ଆସିବାର ଥିଲା ନା ସେ ଅଟୋ ଭିତରେ ବସିଥିବା ଝିଅ ଦୁଇଟି ଯାକ ଥିଲେ ମୋ ପାଇଁ ମୃଗତୃଷ୍ଣା। 


କିଛି ସମୟ ପରେ ମନ ଦୁଃଖରେ ମୋର ଠିକଣା ସ୍ଥାନକୁ ଯିବା ପାଇଁ ବାହାରିଲି କାରଣ ମୁଁ ଠିକ୍ ଜାଣିଥିଲି ସେଇ ଝିଅଟି ତ ଚାଲିଗଲା ଅଦିନିଆ ମେଘ ପରି ଅନ୍ୟ କେଉଁଠି ବର୍ଷିବା ପାଇଁ କିନ୍ତୁ ଗଲାବେଳେ ନେଇ ଗଲା ମୋର କଅଁଳ ହୃଦୟକୁ। ତେଣୁ ତା କଥା ଭାବି ଭାବି ଗୋଟିଏ ଅଟୋ ଧରି ବାହାରି ଗଲି ମୋର ଟ୍ରେନିଂ ହେଉଥିବା ସ୍ଥାନକୁ । ଅଟୋଟି ମୋତେ ଠିକ୍ ସମୟରେ ଠିକଣା ଯାଗାରେ ପହଞ୍ଚାଇ ଦେଲା କିନ୍ତୁ ଓହ୍ଲାଇବା ସମୟରେ ଦେଖିଲି ବେଗରେ ମୋର ପାଣି ବୋତଲ ନାହିଁ। ତେଣୁ ବ୍ଯସ୍ତ ବିବ୍ରତ ହୋଇପଡିଲି କାରଣ ତାହା ମୋ ପାଇଁ ଏକ ସାଧାରଣ ପାଣି ବୋତଲ ନ ଥିଲା ତାହା ଥିଲା ସେଇ ଝିଅର ଏକମାତ୍ର ସନ୍ତକ ଯାହାକୁ ସେ ହାତରେ ଓ ଓଠରେ ତାର ସ୍ପର୍ଶ ଦେଇଥିଲା । ସାଙ୍ଗେସାଙ୍ଗେ ଡ୍ରାଇଭରକୁ କହିଲି ଭାଇ ଚାଲ ବସଷ୍ଟାଣ୍ଡରେ ମୋର ଜିନିଷ ଛାଡି ଯାଇଛି। ସେ ଗାଡ଼ି ଫେରାଇ ମୋତେ ବସଷ୍ଟାଣ୍ଡକୁ ନେଲା। ହେଲପର୍ କୁ ଯାଇ କହିଲି ଭାଇ ମୋର ପାଣି ବୋତଲ ଟା ଭିତରେ ଅଛି ଟିକେ ଦିଅ। 


ହେଲପର୍ କହିଲା - ଗାଡ଼ିର ପଛପଟେ ସବୁ ବୋତଲ ଫୋପାଡ଼ି ଦେଇଛି ଦେଖିକି ନିଅ ପାଣି ବୋତଲ କୁ କ'ଣ ମୁଁ ସାଇତି ରଖିଛି। 


ତା କଥା ଶୁଣି ବହୁତ ରାଗ ହେଲା ଏବଂ ରାଗରେ ଗର ଗର ହୋଇ ମୋର ପାଣି ବୋତଲକୁ ଖୋଜିଲି। ଯାହା ହେଉମୋରପାଣିବୋତଲ ପାଇବାରୁ ମୁଁ ଟିକେ ରିଲାକ୍ସ ଅନୁଭବ କଲି। ପାଣି ବୋତଲକୁ ଧରି ଅଟୋରେ ବସି ଟ୍ରେନିଂ ସ୍ଥାନକୁ ପହଞ୍ଚୁ ପହଞ୍ଚୁ ଘଣ୍ଟାକୁ ଦେଖିଲି ସଂନ୍ଧ୍ଯା ସାତଟା ବାଜିଲାଣି ତେଣୁ ମୁହଁ ହାତ ଧୋଇ କ'ଣ ଟିକେ ଖାଇ ଶୋଇବାକୁ ଚେଷ୍ଟା କଲି ହେଲେ ନିଦ ବିଲକୁଲ ବି ହେଲା ନାହିଁ। ଯେତେ ଶୋଇବାକୁ ଚେଷ୍ଟା କଲେ ମଧ୍ୟ ତାର ମଲ୍ଲିଫୁଲିଆ ମୁଁହ ,କଳା କଜ୍ଜଳ ଆଖି, ରକ୍ତିମ ଓଷ୍ଠାଧାର ସାଙ୍ଗକୁ ଶ୍ରୁତିମଧୁର ପ୍ରେମ ପୂର୍ଣ୍ଣ କଥା ମୋର ମନ ଆଗରେ ନାଚି ଯାଉଥିଲା। ଏମିତିକି ଶୟନେ, ସପନେ ଓ ଜାଗରଣେ ସବୁବେଳେ ମୋର ହୃଦୟ ଦର୍ପଣରେ ତାର ହିଁ ପ୍ରତିଛବି ଦେଖାଯାଉଥିଲା। ତେଣୁ ବହୁତ କଷ୍ଟରେ ମୁଁ ତିନି ଚାରି ଦିନ କଟାଇଲି। ତା ପର ଦିନ ଟ୍ରେନିଂର ସେକେଣ୍ଡ ହାଫ୍ ପୂର୍ବରୁ ଏକ ଜରୁରୀ ଚିଠିଟିଏ ସ୍ପିଡ୍ ପୋଷ୍ଟ କରିବା ପାଇଁ ପୋଷ୍ଟ ଅଫିସ ଆଡେ ଗଲି କିନ୍ତୁ ସମୟ ଅଧିକ ହୋଇଯିବାରୁ ତାହା ସେ ଦିନ ହୋଇ ପାରିବ ନାହିଁ ବୋଲି ମନା କରି ଦେଲେ। ବହୁତ ଅନୁରୋଧ କଲାପରେ ମଧ୍ୟ ସେ ଆଉ ଦିନେ ଆସିବା ପାଇଁ କହିଲେ ସେଥିପାଇଁ ବାଧ୍ୟ ହୋଇ ମନ ଦୁଃଖରେ ଫେରି ଆସୁଥିଲି। ହଠାତ୍ " ହ୍ଯାଲୋ ସାର ଶୁଣନ୍ତୁ କୁଆଡେ ଆସିଥିଲେ ? ଶୁଣି ମୁଁ ଚମକି ପଡ଼ିଥିଲି ପଛକୁ ଫେରି ଯାହା ଦେଖିଲି ତାହା ମୋର ଆଖିକୁ ବିଶ୍ବାସ କରି ପାରୁ ନ ଥିଲି । ଯାହାକୁ ମୁଁ ଦିନ ରାତି ସବୁବେଳେ ଖୋଜୁଥିଲି। ସିଏ ନିଜେ ମୋ ଆଖି ସାମନାରେ ଠିଆ ହୋଇ ଥିବା ଦେଖି ମନେ ମନେ ବହୁତ ଖୁସି ହେଲି ତେଣୁ ପାଖକୁ ଯାଇ କହିଲି ଏ ଚିଠିଟି ସ୍ପିଡ୍ ପୋଷ୍ଟ କରିବା ପାଇଁ ଆସିଥିଲି ଆଜି ତ ବହୁତ ଟାଇମ୍ ହେଇଗଲାଣି କାଲି ଆସି କରି ଦେବି। 


ସେ - କାହିଁକି ଆପଣ ହଇରାଣ ହେବେ ଦିଅନ୍ତୁ ମୋତେ ଦିଅନ୍ତୁ ମୁଁ କାଲି ସକାଳେ କରି ଦେବି ? 


ମୁଁ - ନା ନା ଆପଣଙ୍କର ବୋଧେ ଅନ୍ୟ କିଛି କାମ ଥିବ। ମୋ ପାଇଁ ଅଯଥା ଆପଣ କାଇଁ କଷ୍ଟ କରିବେ ? 

ସେ- ଆରେ ଏଥିରେ କଷ୍ଟ କରିବାର କ'ଣ ଅଛି ସେଟା ମୋର କାମ ଦିଅନ୍ତୁ। ଆପଣ କେତେବେଳେ ଆସି ରିସିପ୍ଟ ନେଇଯିବେ। ସେ ମୋ ହାତରୁ ଚିଠିଟିକୁ ଛଡାଇ ନେଇ ଅଫିସ ଭିତରକୁ ଚାଲିଗଲେ। ମୁଁ ମଧ୍ଯ ଖୁସିରେ ଖୁସିରେ ମୋର ରୁମ୍ କୁ ଫେରି ଆସିଲି । ସେ ଝିଅକୁ ଦେଖିଲା ପରେ ମୋର ହୃଦୟ ରୂପକ ମରୁଭୂମିରେ ବର୍ଷାଛିଟା ର ଆଭାସ ପାଇଲା ପରି ମନେହେଲା ତେଣୁ ସେଇ ଝିଅ ଛୁଇଁ ଥିବା ପାଣି ବୋତଲକୁ ହୃଦୟରେ ଚାପି ଧରିଲି। ଏମିତି ଅନେକ ସମୟରେ ସେ ଝିଅ କଥା ମନେ ପଡ଼ିଲେ ପାଣି ବୋତଲ କୁ ଦେଖି ମୋର ଅବୁଝା ମନକୁ ବୁଝେଇ ଦେଉଥିଲି। 


ହଠାତ୍ ଦୁଇ ଦିନ ପରେ ସଂନ୍ଧ୍ଯା ସମୟର ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଲା। ଫୋନ୍ ରିସିଭ୍ କଲି ଅପର ପଟରୁ ଶୁଣାଗଲା - ହ୍ଯାଲୋ ଆପଣ ଅମରେନ୍ଦ୍ର ସାର କହୁଛନ୍ତି ? 


ମୁଁ - ହଁ ମୁଁ ଅମରେନ୍ଦ୍ର କହୁଥିଲି। ଆପଣ କିଏ କହୁଥିଲେ ? 

ଫୋନ୍ କଲ୍- ମୁଁ ଅସୀମା। ଅସୀମା ପଟ୍ଟନାୟକ। 

ମୁଁ - କ୍ଷମା କରିବେ କେଉଁ ଅସୀମା ମୁଁ ଜାଣି ପାରିଲି ନାହିଁ ? 


ଫୋନ୍ କଲ୍- ମୁଁ ସେଇ ଅସୀମା ମନେ ପକାନ୍ତୁ ଭବାନୀପାଟଣା ବସଷ୍ଟାଣ୍ଡରୁ ଆପଣଙ୍କ ପାଖେ ବସି ଥିବା ଝିଅ ଯାହାକୁ ଆପଣ ପିଇବାକୁ ପାଣି ଦେଇଥିଲେ ପାଣି ବୋତଲ, ପାଣି ବୋତଲ ଏଥର ମନେ ପଡିଲା। 


ମୁଁ - ଓଃ କ୍ଷମା କରିବେ ମାଡାମ୍।ଜାଣିଲି ଜାଣିଲି କୁହନ୍ତୁ ମାଡାମ୍ କୁହନ୍ତୁ। ଆପଣ ମୋ ନାଁ କେମିତି ଜାଣିଲେ ଆଉ ଫୋନ୍ ନମ୍ବର କେଉଁଠୁ ପାଇଲେ ? 


ଅସୀମା - ସେମିତି ପାଇଲି ମୋତେ ଦରକାର ଥିଲା ମୁଁ ଖୋଜିଲି । 

ମୁଁ - କେଉଁଠି ଖୋଜିଲେ ? 

 

ଅସୀମା - ଆରେ ବା ବା ଆପଣଙ୍କ ଚିଠିରେ ଆପଣଙ୍କ ନାଆଁ ଆଉ ନମ୍ବର ଥିଲା ମୁଁ ଟିପି ନେଲି। ବୁଝିଲେ ତ। 


ମୁଁ - ସତେ ତ ମୁଁ ପୁରା ପୁରି ଭୁଲି ଯାଇଥିଲି। ମୁଁ ନିଜେ ହିଁ ଠିକଣା ଥିବା ଚିଠିଟିକୁ ଆପଣଙ୍କୁ.......କହି ମୁଁ ଲାଜେଇ ଯାଇଥିଲି।

 

ଦୁହେଁ ଜୋରରେ ହସି ଉଠିଥିଲୁ ଫୋନରେ ତାପରେ ଫୋନ୍ ରଖି  ମୁଁ ମୋର ଅତି ପ୍ରିୟ ପାଣି ବୋତଲରୁ ଅଧା ପାଣି ପିଇ ଅଧା ଅସୀମା ପାଇଁ ବୋତଲରେ ଛାଡ଼ିଦେଲି ଆଉ ସେଇ ପାଣି ବୋତଲ ମଧ୍ୟ ଅସୀମା ଓଠର ସ୍ପର୍ଶ ପାଇବା ପାଇଁ ରାତିସାରା ଚାହିଁ ରହିଥିଲା। 


Rate this content
Log in

Similar oriya story from Romance