JitendraNath Gahir

Tragedy

3  

JitendraNath Gahir

Tragedy

ମରୀଚିକାର ସମ୍ପର୍କ

ମରୀଚିକାର ସମ୍ପର୍କ

3 mins
199


ସଦ୍ଯ ସୂର୍ଯ୍ୟର ପ୍ରଥମ କିରଣ ସୁନେଲୀ ଚାଦର ପରି ଆଚ୍ଛାଦିତ ହୋଇଛି ଶ୍ୟାମଳ ସବୁଜ ଘାସ ଗାଲିଚା ଉପରେ ।ସୁନା ରଂଗର ସୋରିଷ କ୍ଷେତ କୁକୁଳୁକୁଳୁ ନାଦରେ ଏକ ପର୍ବତ ଶିଖରୁ ନାଚି ନାଚି ବୁଲୁଥାଏ ଏକ ଚୁଳବୁଲି ଝରଣା । ଆମ୍ବତୋଟାରୁ ଭାସି ଆସେ କୋଇଲିର କୁହୁକୁହୁ ତାନ ତା ସାଙ୍ଗକୁ ମନ ମୋହୁଥାଏ ମନଲୋଭା ଫୁଲବଣ।ଏମିତି ଏକ ପ୍ରକୃତିର ପାର୍ବଣ ସହ ସବୁ ସୌନ୍ଦର୍ଯ୍ୟରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିପାରୁଥିଲା ସେଇ ଏକ ମଫସଲ ଛୋଟ ଗାଁ ।ଯେଉଁ ଗାଁ ରେ ସାଗରର ଘର ।ହସରେ ହେଉବା ଲୁହରେ ଦୁଃଖରେ ହେଉବା ସୁଖରେ ମିଳିମିଶି ସମସ୍ତେ ରହିଆସୁଛନ୍ତି ସେଇ ଗାଁରେ ।

ସାଗର ଗୋଟିଏ ଗାଁର ପିଲା ହୋଇଥିବାରୁ ସେ କେବେ ଜାଣିବାକୁ ଚେଷ୍ଟା କରିନି ସହରୀ ସଭ୍ୟତା ।ସମୟ ଚକରେ ସଂସାରରଥ ଗଡି ଚାଲିବା ପରି ସେଇ ଗାଁର ବୁକୁରେ ନାଚିକୁଦି ହସ ଖୁସିରେ ତାର ଦିନ କଟେ।ସତରେ ଜୀବନରେ ବଞ୍ଚିଥିଲେ କେତେ ଯେ ଅସମ୍ଭବ ଘଟଣା ଘଟେ ତାର କୌଣସି କଳନା ନାହିଁ ।ଠିକ୍ ଏମିତି ଏକ ଘଟଣା ଘଟିଛି ସାଗର ଜୀବନ ପରିଧି ଭିତରେ ଯେଉଁ ଘଟଣାର ଆଦ୍ୟ କି ଅନ୍ତ ମଧ୍ଯ ସେ କେବେ ଟେର ପାଇନି କିନ୍ତୁ ସେଇ ଘଟଣାର ମୂଳ କାରଣ ହେଲା ଝରଣା ।ଝରଣା ହେଉଛି ସାଗର ଗାଁର ଝିଅ ତେଣୁ ଗାଁ ଝିଅ ହେଇଥିବାରୁ ପରସ୍ପର ସହ ଦେଖା ସାକ୍ଷାତ ହେବା ସମ୍ଭବ ଓ ସ୍ବଭାବିକ ମଧ୍ଯ କିନ୍ତୁ ସେଇ ନିତିଦିନିଆ ଭେଟ ସାକ୍ଷାତକୁ ମିଶେଇ ଝରଣା ଯେ ନିଜ ମନରେ ଗୋଟିଏ ସେତୁ ବାନ୍ଧିବାରେ ବ୍ଯସ୍ତ ଏ କଥା କାହାରିକୁ ଜଣାନାହିଁ ଏପରି କି ସାଗରକୁ ମଧ୍ଯ ।ହେଲେ ଯେଉଁ ସେତୁ ଦୁଇ କଅଁଳ ମନର ମିଠା ସପନରେ ଭରିଯାଇଥିଲା। ଦିନେ ହଠାତ୍ ଭୁଷୁଡ଼ି ଯାଇ ସେ ଦୁଇ ଜଣଙ୍କୁ ଏକ ନିଶ୍ଚିହ୍ନ ମରୁଭୂମିରେ ମିଶେଇ ଦେବ ଏ କଥା କିଏ ବା ଜାଣିଥିଲା।

ଝରଣା ତ କେବେ ଜାଣି ବି ନଥିଲା ବେଦନା କି ପ୍ରତାରଣା ।ସେ ତ ସାଗର ହସକୁ ଫଗୁଣ ଏବଂ ସାଗର ଲୁହକୁ ଶ୍ରାବଣ ଭାବି ଭିଜିବାର ସ୍ପର୍ଶ ଅନୁଭବ କରୁଥିଲା କିନ୍ତୁ ସେ ଅନୁଭବର ସ୍ବାଦ ଥିଲା ଭିନ୍ନ ନା ଥିଲା ଖଟା ନା ମିଠା। ତାହା ତ ଥିଲା ହାଲୁକା ହାଲୁକା ହୃଦୟର ସ୍ପନ୍ଦନ ।ସତରେ ଝରଣା ଜାଣି ନଥିଲା ଯେ ସେ ଯେଉଁ ମିଠା ମହକ ଅନ୍ବେଷଣ କରୁଛି ତାହା ହେଉଛି ଏକ ମରୀଚିକା ବୋଲି ।

ଝରଣାର ମିଳନ ସ୍ଥଳ ବା ଶେଷ ଠିକଣା ଥିଲା ସାଗରର ହୃଦୟ କିନ୍ତୁ ହଠାତ୍ ମରୀଚିକା ପାଲଟିବା ଘଟଣା ଥିଲା ହୃଦୟ ବିଦାରକ ।ଝରଣା ଯେପରି ହିଡ ବନ୍ଧ ଡେଇଁ ସାଗର କୋଳରେ ବିଲୀନ ହୋଇ ସବୁଦିନ ପାଇଁ ମିଶି ଯିବାକୁ ଚାହୁଁଥିଲା ଠିକ୍ ସେହିପରି ନିରୋଳା ଏକା ଏକା ଝରଣାର ସାଗର ସହିତ ଭେଟ ହୁଏ ।ଝରଣା ସାଗରକୁ ପାଖରେ ଦେଖି ବହୁତ ଉତ୍ସୁକତା ଓ ଆଶ୍ବସ୍ତି ମନେ କରୁଥିଲା କାରଣ ତାର ବହୁ ଦିନର ଅପେକ୍ଷାର ଅନ୍ତ ହେଇଥିବାରୁ ତେଣୁ ସେ ଏହି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନଥିଲା।ନିଜର କଅଁଳ ମନକୁ ଦୃଢ କରି ସାଗରକୁ ଛୋଟିଆ ଏକ ପ୍ରଶ୍ନ କଲା "ସାଗର ତୁମେ କେବେ କାହାକୁ ପ୍ରେମ କରିଛ ? ଏ କଥା ଶୁଣି ସାଗର କିଛି ଉତ୍ତର ନ ଦେଇ ନିଜ ପକେଟରୁ ଗୋଟିଏ କାଗଜ ତୁକୁଡା ଝରଣା ହାତରେ ବଢେଇ ଦେଲା ଚୁପଚାପ ନୀରବରେ ।ସେଇ କାଗଜ ଟିକକ ସାଗର ହାତରୁ ନେଇ ଝରଣାର ଖୁସି କହିଲେ ନ ସରେ । କେତୋଟି ଧାଡି ପଢିଛି କି ନାହିଁ ଦୁଇ ହାତ ଥରିବାରେ ଲାଗିଛି ପୁଣି ଗୋଟିଏ କାଗଜ ତୁକୁଡାରେ ଯେଉଁ ଦୁଇ ହାତ ସବୁକିଛି କରିବାର ସାମର୍ଥ୍ଯ ରଖୁଥିଲା ଆଜି ସାମାନ୍ଯ କାଗଜର ଓଜନ ସମ୍ଭାଳି ପାରୁ ନ ଥିଲା କାରଣ ସେଇ କାଗଜରେ ଲେଖା ଥିଲା "ଝରଣା ତୁ ତ ଜାଣୁ ସାଗର ସବୁବେଳେ ନଦୀକୁ ହିଁ ବାହୁ ବନ୍ଧନରେ ବାନ୍ଧି ହେବାପାଇଁ ଚାତକ ପରି ବ୍ୟାକୁଳ ତେଣୁ ତୁ ହେଉଛୁ ମୋର ଅତି ଅନ୍ତରଙ୍ଗ ତେଣୁ ତୋତେ ଗୋଟିଏ ଛୋଟ କାମ ଦେଉଛି ବାନ୍ଧବୀ ହିସାବରେ - "ତୁ ଆସିଲା ବେଳେ ତଟିନୀକୁ ନେଇ କି ଆସିବୁ ତା ବିନା ସାଗର ଆଜି ବି ଅଧୁରା "ଚିଠିଟିକୁ ପଢିବା ସମୟରେ ତାର ଦୁଇ ଧାର ଲୁହ କେଉଁ ପର୍ବତ ଶିଖରୁ କୁଳୁକୁଳୁ ନାଦରେ ବୋହି ଯିବା ପରି ଝରଣାର ଦୁଇ ପ୍ରେମାଶକ୍ତ ନୟନରୁ ଅତୃପ୍ତ ଓଠ ଆଗରେ ଅଟକି ଗଲା ସତ କିନ୍ତୁ ସାଗର ପାଇଁ ଥିବା ପ୍ରେମକୁ ଅଟକେଇ ପାରିନଥିଲା ତେଣୁ ମନକୁ ବୁଝେଇ ଭାବୁଛି ଏ ବର୍ଷ ନ ହେଲେ ଆର ବର୍ଷ ଏ ଜନ୍ମ ନ ହେଲେ ଆର ଜନ୍ମ ସାଗର କୋଳରେ ବିଲୀନ ହେବାର ଆଶା ନେଇ ଅବିଶ୍ରାନ୍ତ ଭାବେ ଝରି ଚାଲିଛି ଆଗକୁ ଆଗକୁ -------ଆହୁରି ଆଗକୁ ଝରଣା ----ସାଗର ପାଖକୁ ।


Rate this content
Log in

Similar oriya story from Tragedy