ତୋ କଥା ମନେ ପଡେ
ତୋ କଥା ମନେ ପଡେ
ଯେବେ ନିସ୍ତବ୍ଧ ରାତିରେ,
ନିଦ ଭାଙ୍ଗିଗଲେ,ବୋଉ
ତୋ କଥା ମନେ ପଡେ।
ସକାଳୁ ସକାଳୁ,
ଯେବେ ଶେଯରୁ ଉଠିପଡ଼େ,
କାହିଁକି କେଜାଣି,
"ବୋଉ" ଶବ୍ଦଟା ମୋ,
ଓଠରେ ଆପେ ଆସିଯାଏ।
ସଞ୍ଜ ହେଲେ ଚଉଁରା,
ମୂଳେ ଯେବେ ଦୀପ ଜଳେ।
ସବୁ କାର୍ଯ୍ୟରୁ ବିରତି ମିଳେ,
ବୋଉ ତୋ କଥା ମନେ ପଡେ।
କେବେ ଖାଉ ଖାଉ ତଣ୍ଟିରେ ,
ଲାଗିଲେ କେହି ଜଣେ ପିଠିରେ ,
ଥାପୁଡ଼େଇ ଦେଲା ପରି ଅନୁଭବ ହୁଏ
ବୋଉ କାହିଁକି ତୋ,
କଥା ମନେ ପଡ଼ିଯାଏ।
ଏତେ ବ୍ୟସ୍ତ ଜୀବନରେ,
କେବେ ଏକା ଏକା ବସି ପଡିଲେ,
ଅବା ରାସ୍ତାରେ ଏକା ଚାଲୁ ଚାଲୁ,
କାହିଁକି କେଜାଣି ବୋଉ,
ତୋ କଥା ମନେ ପଡ଼ିଯାଏ।
ଆକାଶରେ ଆଜି ପୁନେଇଁ,ଜହ୍ନ,
ଏହି ଜହ୍ନ ଭିତରେ ତୋ ମୁହଁ
ଖାଲି ମୋତେ ଦେଖାଯାଏ
ଆଉ ସେହି ସମୟରେ,
ତୋ କଥା ବି ମନେ ପଡ଼ିଯାଏ।
ଯେତେ ସବୁ ଆସେ ଓଷା, ବ୍ରତ,ପୂର୍ଣିମା,
ମନେପଡେ ତୋ ହାତ ରନ୍ଧା
ପାଖେ ଥିଲେ କେତେ ବଳେଇ ଖୁଆନ୍ତୁ,
ଏତେ ଶ୍ରଦ୍ଧା କୁଆଡୁ ଆ'ଣୁ ତୁ !
ଗାଁ ଦାଣ୍ଡର ଧୂଳି ଖେଳ,
ଖେଳ ପଡିଆରେ ଗଣ୍ଡଗୋଳ,
ସବୁ ପରେ
ତୋର ସେ କାନ ଧରି ତାଗିଦ କରିବା
କାହିଁକି କେଜାଣି
ଆଜି ମନେ ପଡେ।
ଦିନେ ଉଚ୍ଚଶିକ୍ଷା ପାଇଁ,
ତୋ ପଣତ କାନି ଛାଡିଥିଲି,
ଆଜି କର୍ମକ୍ଷେତ୍ର ପାଇଁ,
ତୋର ହାତ ଛାଡ଼ ଦେଲି।
ଲୁହ ଦେଖି ନ ଥିବା ଏ ଆଖିରେ
ଆଜି ଅସରନ୍ତି ଲୁହର ଧାର
ହେଲେ ସେ ଲୁହକୁ ପୋଛିବାକୁ
ତୋ ପରି ହାତଟିଏ
ଆଉ ନାହିଁ ବୋଉ।
ଆଜି ତୋ କଥା ମନେ ପଡେ......
ପ୍ରକାଶ ସାହୁ