ଦାଦନ ସାଜୁଛୁ କାହିଁ
ଦାଦନ ସାଜୁଛୁ କାହିଁ
ଘର ଛାଡ଼ି କାହିଁ ଦୂର ଦେଶ ଯାଉ
ଅର୍ଥ ଉପାର୍ଜନ ଆଶେ,
ଦୂର ଦେଶ ସେତ ଦୂର ପାହାଡ଼ଟି
ଅତିବ ସୁନ୍ଦର ଦିଶେ ।
କେତେ ଖାଲ ଢ଼ିପ କେତେ ଉଚ୍ଚ ନୀଚ
ସେ କଥା କାହୁଁ ବୁଝିବୁ,
ପାହାଡ଼ ରହସ୍ୟ ସେବେ ତୁ ବୁଝିବୁ
ସମୀପ ଯେବେ ତୁ ହେବୁ ।
ମାଟିରେ ତୋହର ସୁନା ଫଳୁଅଛି
ପାସୋରି ଦେଲୁ କି ମନୁ,
ସେସବୁ ସୁନା ଯେ ପିତଳ ସାଜିବ
ତୋର ପରିଶ୍ରମ ବିନୁ ।
କାମ କାମ କହି ଯା' ସାଥେ ଯାଉଛୁ
ସେ ଅଟେ ତୋହର ଶତ୍ରୁ,
ରୋଜଗାର ପାଇଁ ଦାନନ ସାଜୁଛୁ
ଭୁଲି ପ୍ରେମ ମାତୃ ପିତୃ ।
ଦାଦନଟି ତୋର ନୁହେଁ ଆପଣାର
ଭୃତ୍ୟଠୁ ହୀନ ଜୀବନ,
ସ୍ୱାଧୀନତା ତୋର ଲୁପତ ହୋଇବ
ଆକୁଳେ କାନ୍ଦିବ ପ୍ରାଣ ।
ଦିବା ନିଶି ତୋର କର୍ମ କଷଣକୁ
ଆଖିରେ ନ ଦେଖେ କେହି,
ମେରୁହାଡ଼ ତୋର କାଣ୍ଡ ପାଲଟିବ
କାର୍ଯ୍ୟ ଭାର ସହି ସହି ।
ଶ୍ରମ ବିକ୍ରି କରି ଅର୍ଥ ଆଶା ଧରି
ଶୋଷଣ ଚକ୍ରେ ଫସିବୁ,
ତିଳ ତିଳ ହୋଇ ଶୋଷଣ ଘଣାରେ
ପ୍ରତି ମୁହୂର୍ତ୍ତ ପିସିବୁ ।
ପିଠିରେ ତୋହର ଚାବୁକ ପ୍ରହାର
ନୁହେଁ ତୋର ତାହା ଭୋଗ୍ୟ,
ଶ୍ରମ ବଦଳରେ ଯାହା ତୋତେ ମିଳେ
ସେ ଅଟଇ ତୋ ଦୁର୍ଭାଗ୍ୟ ।
ଦୂଷିତ ଅଞ୍ଚଳେ ଭଙ୍ଗା ଚାଳ ତଳେ
ସ୍ୱପ୍ନେ କଳଙ୍କି ଲାଗଇ,
ଆତୁର ପ୍ରାଣରେ ବିକଳ ଚିତ୍କାରେ
କୋହକୁ ଓଠ ପିଅଇ ।
ଜୀବନ ଡଙ୍ଗାରେ ଛିଦ୍ର ତୁ କରୁଛୁ
ଜ୍ଞାତ ଅଜ୍ଞାତ ସାରରେ,
ସଂସାର ସାଗରେ ଛିଦ୍ର ଡଙ୍ଗାଟିରେ
କେହି କଣ ନଦୀ ପାରେ ? ।
ନିଶ୍ଵାସ ତୋହର ବଦ୍ଧା ପଡ଼ିଯାଏ
ଅତ୍ୟାଚାରୀଙ୍କର ପାଶେ,
ଭବିତବ୍ୟ ଗୋଟି ଅମା ଶର୍ବରୀର
ମଲା ଜହ୍ନ ପରି ଦିଶେ ।
ଘର ଛାଡ଼ି କାହିଁ ଦୂର ଦେଶ ଯାଉ
ଅର୍ଥ ଉପାର୍ଜନ ଆଶେ,
ଦୂର ଦେଶ ସେତ ଦୂର ପାହାଡ଼ଟି
ଅତିବ ସୁନ୍ଦର ଦିଶେ ।