ପଞ୍ଜୁରି ଭିତରେ ନାରୀ
ପଞ୍ଜୁରି ଭିତରେ ନାରୀ
ପୃଥିବୀ ତ ଏକ ବିଶାଳ ପଞ୍ଜୁରି
ତା ମଧ୍ୟେ ଦୁଇଟି ପକ୍ଷୀ,
ଭିଆଣ କରିଣ ପରମପୁରୁଷ
ରହିଅଛି ହୋଇ ସାକ୍ଷୀ ।
ତାହାରି ଭିତରେ କ୍ଷୁଦ୍ର ପଞ୍ଜୁରିଟେ
ଗଢ଼ିଛି ମଣିଷ ଜାତି,
ସେହି ପଞ୍ଜୁରିର କୋଳକୁ ମଣ୍ଡନ
ନାରୀ କରେ ଖାଲି ନିତି ।
ଦିନକୁ ଦି'ଥର ଖାଇବାକୁ ମିଳେ
ସୀମିତ ସମୟ ପାଇଁ,
ଆଶା ଆକାଂକ୍ଷା ତ ସବୁ ମରିଯାଏ
ପଞ୍ଜୁରି ଭିତରେ ରହି ।
ସମାଜର ସେହି ବିକୃତ ନିୟମ
ଶିଖେ ବାଧ୍ୟ ହୋଇ ନାରୀ,
ପଞ୍ଜୁରି ଭିତର ଶାରୀଟିଏ ପରି
ନାମକୁ ମୁଖସ୍ଥ କରି ।
ଖୋଲା ଆକାଶର ଖୋଲା ପବନକୁ
ନାହିଁ ତାର ଅଧିକାର ,
ପ୍ରକୃତିର ଚିର ଅପୂର୍ବ ଶୋଭାକୁ
ସାତ ସପନ ସେ ପାର ।
ବକ୍ଷକୁ ଫୁଲାଇ ମୁହଁ ଟେକି ଥରେ
ଯଦି ସେ ଚାଲିବ ବାଟ,
ସମାଜର ସେହି ଭଦ୍ର ପୁରୁଷଙ୍କ
ହୃଦୟେ ପଡ଼ଇ ଚୋଟ ।
ନାରୀଟା ଦୁର୍ବଳା ଲଜ୍ଜା ସାଥେ ଭୟ
ଭୂଷଣ ସିନା ତାହାର,
ଏହା କେତେଦୂର ସତ ଅଟେ ବୋଲି
କରିଛ କେବେ ବିଚାର ?
ନିଜ ଭୋଗ ପାଇଁ ନାରୀଟାକୁ ଆଜି
ପିତୁଳା ଦେଇଛ କରି,
ମହିମଣ୍ଡଳରେ କେ ବୀର ଅଛରେ
ତାଆଠୁ ଅଧିକା ସହି ।
ବଳ ଓ ବୁଦ୍ଧିର ଗନ୍ତାଘର ସେହି
ସ୍ନେହ ମମତା ଆବୋରି,
ଭଲ ପାଇବାରେ ବେଶି କ୍ଷମ ବୋଲି
ସଜେଇ ଦେଇଛ ଶାରୀ ।
ଦୀର୍ଘଦିନ ଧରି ତୁମ ସ୍ୱାର୍ଥପାଇଁ
ଉଡ଼ିବାକୁ ଚାହୁଁନାହିଁ,
ଦୁର୍ବଳିଆ ଭଦ୍ର ମଣିଷଙ୍କ ପାଇଁ
ପଞ୍ଜୁରି ଭିତରେ ନାରୀ ।