ଶୂନ୍ୟତା ର ପଥେ
ଶୂନ୍ୟତା ର ପଥେ
ଜୀବନଟା ଯାହା ମରୁ ମରୀଚିକା
ମେଂଚାମେଂଚା ଅନ୍ଧକାର
ତତଲା ବାଲିରେ ପାଦ ନ ପଡଇ,
ଜଳାଧାର ବହୁ ଦୂର ।।
ମରୁରେ ଉଦ୍ୟାନ ଅନ୍ଧାରେ ଆଲୋକ,
ହାତ ପାହାନ୍ତାରେ ନାହିଁ,
ଆଶାର ଶେଫାଳୀ ଆଲୋକ ବର୍ଣ୍ଣାଳୀ,
ଲୁଚକାଳି ଖେଳୁଥାଇ ।।
କଣ୍ଟକିତ ପଥ ଚାଲି ନ ପାରଇ,
ରୁଧିର ଝରଇ ନିତି,
ନୀଳାଭ ଆକାଶେ ବଉଦର ଫାଙ୍କେ
ଖୋଜେ ମୁଁ ଅମରାବତୀ ।।
ଜୀବନ ମନ୍ଦିର ଖଣ୍ଡିତ ପଥର,
ଶୁଭୁନାହିଁ ଶଙ୍ଖନାଦ,
ମଉଳି ଗଲାଣି ପୂଜା ଫୁଲ ଯେତେ
ନାହିଁ ସ୍ତୁତିର ନୈବେଦ୍ୟ ।।
ପ୍ରେମ ପ୍ରତାରଣା ଆଶା ଓ ନିରାଶା,
ମୋ ଦେହର ଛାଇ ହୋଇ,
ହସାଏ କେବେ ତ କନ୍ଦାଏ ତ କେବେ,
ଯାତନାର ଗୀତ ଗାଇ ।।
ନିଦାଘରେ ଆଉ ଆସିବନି କେବେ,
ମେଘର ଶୋଭା ସମ୍ଭାର,
ଶିଶିର ବିନ୍ଦୁ ରେ ହସିବନି କେବେ,
ଶୁଷ୍କ ପାଦପ ପତର ।।
ସ୍ତୋତ୍ରର ସ୍ତବକ ମନ୍ତ୍ର ର ମହକ,
ମୂର୍ଚ୍ଛନା ତୋଳିବ ନାହଁ,
ଛନ୍ଦ ହରା ଲାଗେ ପ୍ରେମର ରାଗିଣୀ,
କୋଇଲି ଗାଇବ ନାହଁ ।।
ଧୂସର ଦିଗନ୍ତ ଧୂମାୟିତ ପଥ,
ଫିକା ଲାଗେ ଇନ୍ଦ୍ରଧନୁ,
ଅତନ୍ଦ୍ର ନୟନ ଖୋଜୁଥାଏ ଅଶ୍ରୁ,
ଘର୍ମାକ୍ତ ହୁଏ ମୋ ତନୁ ।।
କସ୍ତୁରୀ ସୁଗନ୍ଧ ଦୟଣାର ମାଳ
ଅପହଞ୍ଚ ଅର୍ଥହୀନ
ଅଖଣ୍ଡ ଦୀପାଳି ଅଲୌକିକ ଦୀପ୍ତି,
ଲାଗେ ଯାହା ଜ୍ୟୋତିହୀନ ।।
ଶୂନ୍ୟତା ର ପଥେ ଖୋଜେ ମୁଁ ପୂର୍ଣ୍ଣତା,
ବିଷରୁ ଖୋଜେ ପୀୟୂଷ,
ଚନ୍ଦନ ଚର୍ଚ୍ଚିତ ପାରିଜାତ ପୁଷ୍ପ,
ଦୃଶ୍ୟ ରୁ ହୁଏ ଅଦୃଶ୍ୟ ।।
×××××××××××××××××××××××
ଶରତ କୁମାର ଦାସ
ବଡବିଲ ମହାବିଦ୍ୟାଳୟ, ବଡବିଲ ।