ଦେଇଦିଅ ବେଳ ଥାଉ
ଦେଇଦିଅ ବେଳ ଥାଉ
କି ଦୋଷ ଦେବି ମୁଁ ଆଉ
ଆହେ ପଦ୍ମମୁଖ ଯେତେ ଯାହା ଦୁଃଖ
ଦେଇଦିଅ ବେଳ ଥାଉ ।
କହୁନି ଅସାର ଏ ସାରା ସଂସାର ସଂରଚନା ତୁମ ଯେଣୁ
ପ୍ରାଣୀ ଏ ମାତର ବିବଶେ କାତର ପାଇବାକୁ କୃପା ରେଣୁ ,
ସୁଖ ପାଇଁ ନିତି ଭକ୍ତି ଭାବେ ପ୍ରୀତି ରଖନ୍ତି ମାୟାର ବଶେ
ନିରପେକ୍ଷ ରହି ସମଭାବ ବହି ରହିଛ ତନ୍ମୟ ରସେ ,
ଅୟୁତେ ବିଭବ ଇଚ୍ଛି
କଲେ କି ଯାଚନ ହୋଇବ ପାଚନ ମାଗୁନି ଦରବ କିଛି ।
ଶହେ ଜନ୍ମ ତଳେ ଖେଳଘର ଛଳେ କଅଁଳ ବୟସୀ ବାଳା
ଅବୋଧ କାଳରେ ଖେଳିବା ଆଳରେ ଭାଙ୍ଗିଥିଲା ଡିମ୍ବ ମାଳା ,
ଦଣ୍ଡିଲ ସେ ଦୋଷେ ତୁମେ ପରା ରୋଷେ ଅନେକ ଜନମ ପରେ
ଗାନ୍ଧାରୀ ବିଚାରୀ ନ ପାରିଲା ବାରି ଧର୍ମଯୁଦ୍ଧେ ସୁତ ମରେ ,
ଜାତିସ୍ମର କଲ ବୋଲି
ଯେତେ ପାପଭାର କର୍ମଫଳ ତାର ଗୋଟିଗୋଟି ଦେଲ ଖୋଲି ।
କାହାକୁ ତ ଜମା କରିଲନି କ୍ଷମା ବୋଲାଅ କ୍ଷମାସାଗର
କୃତକର୍ମ ଦେଖି ଦେଇଛ ତ ଲେଖି କହିବି କାହା ଆଗର ,
ପାପ ଯା' ମଣ୍ଡନ କରିଛି ଖଣ୍ଡନ ହେବନି ଏକଥା ସତ
ଏଥିପାଇଁ କୁହ ମଉନେ କି ରୁହ ଦାରୁଭୂତ ପ୍ରାୟ ମତ ,
ସବୁକଥା ଜାଣୁଜାଣୁ
ଲୁହକୁ ଶୁଖାଇ ମୁଣ୍ଡ ମୋ ଝୁଙ୍କାଇ କିପାଇଁ ରହିବି ସ୍ଥାଣୁ ।
କରୁଛି ବିନତି ଘେନ ମୋ ମିନତି ଖୋଲି ଦେଖ ମୋର ପାଞ୍ଜି
ହିସାବ ନିକାଶ ନଜାଣୁ ବିକାଶ କେତେ ଏହି ଝଡ ଝାଞ୍ଜି ,
ପରଖି ଭକତି ଥାଉ ମୋ ଶକତି ଥୋଇ ଦିଅ ଦଣ୍ଡ ଭାଗ
ଶେଷ କାଳେ ଯଦି ଦୁଃଖ ଦିଅ ଲଦି କିସ ଲାଭ ସୁଖେ ଆଗ ,
ଦୁଃଖକଷ୍ଟ ଲଭୁ ଲଭୁ
ଉଡିଗଲେ ପ୍ରାଣ ତୁମେ କି ନଜାଣ କେମନ୍ତେ ଡାକିବି ପ୍ରଭୁ ?
ପ୍ରସନ୍ନ କୁମାର ମାଦଳା