ରଙ୍ଗ
ରଙ୍ଗ
ରଙ୍ଗ କଥା ପଚାରନା ମୋତେ
କଳା ରଙ୍ଗ
ଜନମରୁ ମୋ ସାଥେ
ତଳେ ପାଦ ଥାପିଲେ
ମାଟି ଧୂସର ରଙ୍ଗର
ଆଖି ଟେକିଲେ
ନୀଳ ରଙ୍ଗ ଆକାଶର
ଅତୀତ
ସ୍ମୃତି ହେଇ ଝୁଲେ ସିନା ମନରେ
ବଦଳି ସାରିଥାଏ ସେ
କିନ୍ତୁ ହାଲୁକା ପୀତ ବର୍ଣ୍ଣର ।
ଆଶାରେ
ସବୁଜିମା ମୋ ନିଇତି ଅଙ୍କୁରେ
ଆଉ ସପନ,
ନାଲି ବିନ୍ଦି ନାଇ ହେଉଥାଏ ରାତିର
ନାରୀରୁ ନାରାୟଣୀ ହେବା ପଥରେ
ନାରଙ୍ଗୀ ରଙ୍ଗ
ପ୍ରତିଥର କ୍ରୋଧ ହେଇ ବାଟ ଓଗାଳେ
ଯେତେ ଯେତେଥର
ବିଫଳ ମୁଁ ହୁଏ
ଲୋତକ ସବୁ
ପାଲଟୁ ଥାଆନ୍ତି ନୀଳାଭ ରଙ୍ଗର ।
ଏଣୁ, ରଙ୍ଗ କଥା ମୋତେ ପଚାରନା
ଜୀବନ ମୋ ଶୁଆ, ମୁଁ ତାର ମଇନା
ବୈଶାଖରେ ବୁଣେ ମୁହିଁ
ଗୋଲାପି ରଙ୍ଗ
ଆଷାଢରେ ଝରାଏ
ଈଷତ୍ ଲାଜୁଆ ତରଙ୍ଗ
ଭୋଦୁଅ ଖରାରେ
ସିଝେ ନାହିଁ ଅଭିମାନ
ଶୀତ କହି ପାରେନା ବି
ସଠିକ୍ କାରଣ ।