କୁଆଁର ପୁନେଇଁ ଜହ୍ନ
କୁଆଁର ପୁନେଇଁ ଜହ୍ନ
ଶରତର ନିରୋଳା ନିଷ୍କପଟ ଆକାଶଟା
ଫାଙ୍କା ଫାଙ୍କା ଲାଗୁଛି ,
ମୁହଁ ଫୁଲେଇଛି
ପୁନେଇଁ ର ମଖମଲି ରୂପା ଜହ୍ନ
ନା ଅଛି ରଙ୍ଗ ନା ଅଛି ଚମକ
ଆଗଭଳି ଢାଳିଦେଉନି ସେ
ଜୌସ୍ନାର ଶୀତଳ ପୀୟୂଷ ।
ତୁଳସୀ ମୂଳରେ ଜଳୁନି ସଂଜବତୀ
ଧୂପ ,ଦୀପ, ନୈବେଦ୍ୟ ର ପବିତ୍ର ମହକ
ଆଜି ଯେପରି ବାସହୀନ
ସବୁ ଯେମିତି ସ୍ଥାଣୁ ପ୍ରାଣହୀନ।
ବୃନ୍ଦାବତୀ ମୂଳରେ ଶୁଭୁନି
ମଙ୍ଗଳ ଆଳତି ଶଙ୍ଖ ଧ୍ବନି
ହୁଳହୁଳି ଘଣ୍ଟ ଘଣ୍ଟା ମନ୍ତ୍ର ର ଝଂକାର।
ବଦଳି ଯାଇଛି ପାଣିପାଗ ,ଋତୁଚକ୍ର
ବର୍ଷ -ମାସ- ଦିନ- ଦଣ୍ଡ
ହଜିଯାଇଛି ଆତ୍ମୀୟତା
ଲିଭିଗଲାଣି ଭକ୍ତିର ପ୍ରାବଲ୍ୟ
ଅସଂଜତ ,ଅପ୍ରାକୃତିକ,କୃତିମ ଚେତନାର
ସ୍ପର୍ଦ୍ଧିତ ପ୍ରବେଶ
ଘେରିରହିଛି ଯାହା ବିଷଚକ୍ରର କ୍ରୁର ବଳୟ
ସବାର ହୋଇଛି ପଶୁତ୍ବର ନଗ୍ନ ଦୃଷ୍ଟିଭଙ୍ଗୀ
ଦୃଶ୍ୟ ରୁ ଅଦୃଶ୍ୟ କୁ ସ୍ପଷ୍ଟ ଧାବମାନ
ସରଳ ଓ ଅତୁଟ ବିଶ୍ଵାସ ,ନିରପେକ୍ଷ ବିବେକ ।
ଜହ୍ନିଫୁଲିଆ ଜହ୍ନରାତିଟା ଲୁହଝରାଉଛି
ପଣତ କାନିରେ ଆଉ ଢାଙ୍କିଦେଉନି ଶସାଗରାଧରା
ବଣ ବିଲ ସବୁଜ କେଦାର ;
କାଚକେନ୍ଦୁ ଜଳରାଶିର ସ୍ବଚ୍ଛ ଦର୍ପଣ
ମଉନେ ଖୋଜୁଛି ପୁନେଇଁର ଜହ୍ନକୁ
ଅତି ସାନ୍ତର୍ପଣରେ
ଆକାଶରେ ,ପୃଥିବୀରେ ଓ
ବିନ୍ଦୁ ବିନ୍ଦୁ କାକରର ମୁଲାୟମ ଆସ୍ତରଣ ଉପରେ ।
ଖାଁ ଖାଁ ଲାଗୁଛି ଗାଁ ଦାଣ୍ଡ ,ଘାସ ପଡିଆ,
ନଈ ପଠା ,କାଶତଣ୍ଡୀ,ଶୀତୁଆ ପବନ
ଚଉଦିଗ ଶୂନଶାନ, ନୀରବି ଗଲାଣି
"ଜହ୍ନିଫୁଲ ଠୋ ଠା " "କାକୁଡି ଫୁଲ ଠୋ ଠା"
"କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ"
ଲହଡି ଭାଙ୍ଗୁଛି ଯାହା ଗଭୀର ନୀରବତା
ପ୍ରତ୍ୟୟହୀନ ଏକ ଉଦ୍ଭଟ ଚିନ୍ତନ ।
ଶରତ କୁମାର ଦାସ ,ବଡବିଲ ମହାବିଦ୍ୟାଳୟ, ବଡବିଲ ।