STORYMIRROR

Krushna Chandra Lenka

Classics Inspirational Children

4  

Krushna Chandra Lenka

Classics Inspirational Children

ମାଆ

ମାଆ

1 min
349


ସୁଖେ,ଦୁଃଖେ, ଶୋକେ ଅନ୍ଧାରେ,ଆଲୋକେ

    ହୁଅଇ ନିତି ଯେ ଠିଆ

ତାର ସମ କେହି ଏ ଜଗତେ ନାହିଁ

   ସେହି ପରା ଆମ ମାଆ।

ମାଆର ପଣତ ଆମ ପାଇଁ ସେତ

   ଅନ୍ଧର ଲଉଡି ସମ

ତା' ପଣତେ ସଦା ଶିଶୁ ପାଇଁ ବନ୍ଧା

   ସେନେହ, ଶରଧା, ପ୍ରେମ।

ମମତା ଯାହାର ସଦା ଗଳାହାର

  କେଡେ ମହିୟସୀ ସେତ

ବଚନ ଯାହାର ଅତି ସୁମଧୁର

  କେମନ୍ତ ଭୁଲିବ ସୁତ?

ହୋଇ ସେ ଶିକ୍ଷକ ଦେଖାଏ ଆଲୋକ

    କରିଣ ଦୂର ତମସା

ତାର ହୃଦ ବାଣୀ ସଦା ଥାଏ ଜିଣି

  ସନ୍ତାନ ସକଳ ଆଶା।

କେଡେ ସେ ଯତନେ ପାଳଇ ସନ୍ତାନେ

 ଦେଇ ତା' ଅମୃତ ଧାର

ସେ ଅମୃତ ପାନ କରିଣ ସନ୍ତାନ

  ଜଗତେ ହୁଅଇ ବୀର।

ଲହୁ ଲୁହ ତାର କରି ଏକାକାର

  ଗଢଇ ସନ୍ତାନ କ୍ରମେ

ଦିନ ଅବା ରାତି ଯାଏ ତାର ବିତି

  ନଥାଏ ବିରତି ଶ୍ରମେ।

କେତେ ସେ ଯାତନା ପାଇଚି ବେଦନା

  ସନ୍ତାନ ଜନମ ଦେଇ

ଯା'ର ଦୁଃଖ କ୍ଳେଶ ନାହିଁ ତିଳେ ନାଶ

  ତା' ପରି କେ' ଅବା କାହିଁ?

ଏକ ତରୁ ପରି ଦିଏ ପ୍ରାଣ ଭରି

 ଅନ୍ତ ନାହିଁ ଉପକାରେ

ତା' ଜୀବନ କାଳେ ଥକି ନାହିଁ ତିଳେ

  ମଙ୍ଗଳ ପାଇଁ ସଂସାରେ।

ଦୀପଟିଏ ହୋଇ ନିତି ଜଳୁଥାଇ

  ଦେଇଣ ଆଲୋକ ପରେ

ସହନ ଶକତି ବଢୁଥାଇ ନିତି

 ଜୀବନର ସାତ ସୁରେ।

ଏ ଧରା ବକ୍ଷରେ କିଏ କହେ ତାରେ

  ସକଳ ସେନେହ ମୟୀ

ଏ ଦୁନିଆ କହେ ସେ ଆଉ କେ' ନୁହେଁ

  ସେତ ପରା ଦୟା ମୟୀ।

ହାତ ଧରି ଯା'ର ଚାଲେ ବାର ବାର

  ଧରା ବକ୍ଷେ ପାଦ ଦେଇ

ସେହି ମୋ ଜନନୀ ସେହି ମା' ଅବନୀ

  ତା' କୋଳେ ବଢିଛି ମୁହିଁ।

ତାର ସ୍ନେହ ପ୍ରେମ ଅନନ୍ତ ଅସୀମ

  କଳନା ଯାହାର ନାହିଁ

ତା' ପରଶ ମଣି ସାଥେ ହୃଦ ବାଣୀ

 ସଦା ହିତ ଆମ ପାଇଁ।

ତୁହି ମୋ' ନୟନ ତୁହି ମୋ' ସପନ

  ତୁହି ମୋ' ପରାଣ ମିତ

ଏ ଜୀବନ ପଥ ନୁହେଁ କଣ୍ଟକିତ

 ମୋ' ଶିରେ ଥିଲେ ତୋ' ହାତ।

ବିପତ୍ତି କାଳେ ସେ ସନ୍ତାନର ପାଶେ

  ରହିଥାଏ ଉଜାଗର

ଧରି ତାର କୋଳେ ସ୍ୱୟଂ ବୁଦ୍ଧି ବଳେ

  ଦୂରାଏ ବିପତ୍ତି ଡର।

ପ୍ରଶଂସିଲେ ତାରେ ଯେତେ ତାର ବାରେ

   ମନେ ତା' ନଥାଏ ଗର୍ବ

ସରଗଠୁଁ ବର ଅଟେ ମାଆ ମୋର

   ତା' ପରି କିଏ ସେ ହେବ?

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics