ଗାଆଁ ମଶାଣି
ଗାଆଁ ମଶାଣି
ଗଡିଲେ ଖସାଣି ଆମ ଗାଁ ମଶାଣି
ରାଉତରା ନଈ ଧାରେ
ଅଙ୍ଗାର ପାଉଁଶ ମାଠିଆ ବାଉଁଶ
ସବୁବେଳେ ସେହିଠାରେ ।
କୁଢ଼ କୁଢ଼ ହାଡ଼ ଏଣେତେଣେ ଗାଢ଼
ସପ୍ତଫେଣୀ କଣ୍ଟାବୁଦା
କେତେ ଅନାବନା ଛିଣ୍ଡା ଚିରା କନା
ପଡିଥାଏ ହୋଇ ମୁଦା ।
ଖଇ ଓ କଉଡ଼ି ନଡ଼ିଆ ଦଉଡ଼ି
ଶିକା ଓ ଛାଞ୍ଚୁଣି କୁଲା
ବୁଲୁଥାନ୍ତି ସେହି ଠାବେ ଅବା କେହି
ଶିବା ଶ୍ବାନ ବାରବୁଲା ।
ଅଭିମାନ କରି ମଲା ସାପ ପରି
ଶୁଖି ପଡିଥାଏ ନଦୀ
ଧାରେ କାହିଁ ପାଣି ଦେଖାଏ ତା' ଠାଣି
ବର୍ଷା ହୋଇଯାଏ ଯଦି ।
ବନ୍ଧେ ତାର ଠିଆ ଝାଡି ଲଟା କିଆ
ଅରଖ ସାହାଡ଼ା ଡାଳେ
ପେଚା ବାନ୍ଧି ବସା ପାଞ୍ଚେ ମନ୍ଦ ଦଶା
ପଡିବ କି କେଉଁ କାଳେ ।
ଏଠି ଗଲା ସନ ଚମକି ଦି' ଜଣ
ହଗା ବାନ୍ତି ହୋଇ ମଲେ
ଏ ମଶାଣି ଆଗେ ଭାରି ଡର ଲାଗେ
ଏକୁଟିଆ କେବେ ଗଲେ ।
ଦୁଇ ହାତ ଛାଡ଼ି କଳା ଛାଇ ମାଡ଼ି
ପଡ଼ିଗଲେ ତୋଟା କଣେ
ରାମ ରାମ କହି ଝାଳ ଯାଏ ବହି
ପାଖରେ ନଥିଲେ ଜଣେ ।
ଜଗାଳି ସାହିର ଉଲା ସେ ଡାହିର
ଉପରୁ ଡରାଏ ନିତି
ଗାଈ ଲାଞ୍ଜେ ଝାଡି ଦୁଇ ଫୁଙ୍କ ଛାଡ଼ି
ଗୁଣିଆ ଛଡାଏ ଭୀତି ।
ଗାଆଁଟିର ଶେଷେ ନୁଖୁରା ଏ ବେଶେ
ଶୋଇଛି ମଶାଣି ପଦା
କିଏ ମଲେ ପୋଡ଼ା ହେବା ପାଇଁ ଲୋଡ଼ା
ସ୍ବର୍ଗଦ୍ବାର ଇଏ ସଦା ।
ଆଗପଛ ଭାଳି ଫେରିବି ତ କାଲି
ଗାଆଁ ମାଟି ପ୍ରିୟ ଅତି
ସେ ମାଟିର ଦେହ ଭୁଲିବ କି ସ୍ନେହ
ପ୍ରଣମଇ ରଖି ମତି ।