STORYMIRROR

Sahadev Behera

Inspirational

4  

Sahadev Behera

Inspirational

ବନ୍ଧୁ

ବନ୍ଧୁ

1 min
274


ତମେ ବନ୍ଧୁ ମୋର   ପ୍ରିୟ ସହୋଦର  

    ସବୁ ଶୂନ୍ଯ ତମ ବିନା 

ଆଜି ଏ ସଂସାରେ ତମେ ମୂଲ୍ୟବାନ 

    ଆଉ ସବୁ ରୂପା ଗିନା ll


ବନ୍ଧୁର ବନ୍ଧୁତ୍ବ   ମହତ ପଣିଆ 

    ବନ୍ଧୁ ଚିହ୍ନେ ବନ୍ଧୁ ଗୁଣ 

କୃଷ୍ଣ ସୁଦାମାର   ବନ୍ଧୁ ଭାବ ଆଜି 

    ଜଗତ କରେ ପ୍ରମାଣ ll


ବନ୍ଧୁର ମଧୁର   ସମ୍ପର୍କର ସେତୁ 

     ରହିଥାଏ ନିରନ୍ତରେ

କାଳ କଳୁଷିତ  ଦୁନିଆ ତାହାକୁ 

      କଳୁଷ କରି ନ ପାରେ ll


ସୁଦାମା ସୁବଳ ଅବା ଦାମୋଦର 

     ମଧ୍ଯମ ପାଣ୍ଡବ କଥା 

ବିପଦ ଆପଦେ  ଅବା ସୁଖ ଦୁଃଖେ 

     ବନ୍ଧୁ ବୁଝେ ବନ୍ଧୁ ବ୍ୟଥା ll


ହେଉ ବାଲ୍ୟ ବନ୍ଧୁ ଆତ୍ମୀୟ ସ୍ବଜନ 

      ଅବା ହେଉ ସହୋଦର 

କୈଶୋର, ଯୌବନ ଦାମ୍ପତ୍ଯ ଜୀବନ 

      ବୃଦ୍ଧକାଳେ ସହଚର ll


ଭାଗ୍ୟର ବିଧାନ  କେ କରିବ ଆନ

      ବନ୍ଧୁ ଯେ ସାହା ହୁଅଇ 

ବିପଦରେ ଅବା ଆପଦରେ ହେଉ 

      ଦୁଆରେ ଠିଆ ହୁଅଇ ll


ବନ୍ଧୁ ସିନା ଜାଣେ ବନ୍ଧୁର ସ୍ବଭାବ 

    କ୍ଷୀର ନୀର ଖାଣ୍ଟି ସୁନା 

ମାନ ଅଭିମାନ  ରାଗଋଷା ପଣେ 

      ନ ହୁଏ ବନ୍ଧୁତ୍ବ ଊଣା ll


ହେଉ କିଏ ଧନୀ  ଅବା କେ ନିର୍ଦ୍ଧନ 

      ସବୁ କାର୍ଯ୍ୟେ ବନ୍ଧୁ ଠିଆ  

ଜଗତ ଜାଣିଛି  ଜଗତ ଚିହ୍ନିଛି 

      ବନ୍ଧୁର ବନ୍ଧୁ ପଣିଆ ll


ଦୁଃଖରେ ସୁଖରେ ଅବା ବିପତ୍ତିରେ  

       ବନ୍ଧୁ ଖୋଜୁ ଥାଏ ବନ୍ଧୁ 

ଦେଖିଦେଲେ ଝରେ  ସରଗରସୁଖ  

      ଲଭେ ପରା ସପ୍ତ ସିନ୍ଧୁ  ll

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational