ପ୍ରଳୟ କାଳ
ପ୍ରଳୟ କାଳ
ଏଇ ମାତ୍ର ଫେରୁଛି ସେଉଠୁ
ଯେଉଁଠି ତୁମ ସହ ହୋଇଥିଲା ଦେଖା
ବାତ୍ସଲ୍ୟ ଫେଣେଇ ଉଠୁଥିଲା
ସମୁଦ୍ର ଢେଉରେ।
ତୁମେ ଥିଲ ଗୋପନ ଦିନଲିପିର
ନିଭୃତ ନିଷିଦ୍ଧ କବିତାର ଶବ୍ଦ
ଅପନ୍ତରାରେ କଣ୍ଟକିତ ଶାଖାରେ
ଦୋଳାୟିତ ଅନାମିକା ଫୁଲ।
ବିମୁଗ୍ଧ ମୁଁ ତୁମର ସେ ରୂପ ଲାବଣ୍ୟରେ
ହସିଲେ ସଭିଏଁ,
ପ୍ରେମ କବିତା କି ଲେଖାହୁଏ
ପ୍ରଳୟ କାଳରେ!
ଏ କାଳରେ ଜନ୍ମନିଏ ଜାରଜ ସନ୍ତାନ
ଘୃଣାର ଦଂଶନରେ ହୁଏ ଛଟପଟ
ବିମୁଖ ଦେବାଦେବୀ
ମୃତ୍ୟୁ ତାକୁ କରିଦିଏ ପଛ।
ଶବ୍ଦ ଶୂନ୍ୟ କବିତା ର ସେଇ କେତେ ଧାଡ଼ି
ଲେଖିଥିଲି ସେଦିନ ମୁଁ ତୁମକୁ ଭେଟିବା ଲଗ୍ନରେ
ଛାଡି ଦେଇ ଆସିଥିଲି ତାହାକୁ ସେଇଠି
ଲଭିବାକୁ ମୋକ୍ଷ ତା ନିଜ ବଳରେ।
ଫେରୁଛି ସେଉଠୁ,
ସେଇଠି ଏବେ ଗଢ଼ି ଉଠିଛି ବସ୍ତିଟିଏ
ଚନ୍ଦ୍ରକଳା ପରି ବଢୁଅଛି ମହାମାରୀ
କର୍ଦ୍ଦମାକ୍ତ କୁତ୍ସିତ ଗଳିରେ।
ତୁମେ ଏବେ ବି ସେଇଠି ଅଛ, ମୁଁ ବି ଅଛି
ସ୍ଫଟିକ ପାଲଟି ଯାଇଛେ ଦୁହେଁ
ମୋର ସେହି କବିତାଟି,
ଲହରୀରେ ନାଚୁଅଛି ନଉକାଟେ ପରି, ପ୍ରଳୟ କାଳରେ।