ଯୋଗିନୀ ଏକାଦଶୀ କଥା
ଯୋଗିନୀ ଏକାଦଶୀ କଥା
ଯୋଗିନୀ ଏକାଦଶୀ କଥା
===============
ଆଜି ଆଷାଢ଼ ମାସର କୃଷ୍ଣ ଏକାଦଶୀ l ଯୋଗିନୀ ଏକାଦଶୀ ନାମରେ ଏହି କୃଷ୍ଣ ଏକାଦଶୀ ପ୍ରସିଦ୍ଧ l ନିର୍ଜଳା ଉପବାସ ରହି ଶ୍ରୀମନ୍ନାରାୟଣଙ୍କୁ ଏହି ଏକାଦଶୀରେ ପୂଜା ଉପାସନା କରା ଯାଏ l ଯୋଗିନୀ ଏକାଦଶୀ ପରମ ମୋକ୍ଷଦାୟୀ l କଥିତହୁଏ ଯେ ନିଷ୍ଠାର ସହ ଏହି ଏକାଦଶୀ ପାଳନରେ ଅଠାଅଶି ହଜାର ବ୍ରାହ୍ମଣ ଭୋଜନ କରାଇବାର ପୁଣ୍ୟ ପ୍ରାପ୍ତ ହୋଇଥାଏ l ଏ ଏକାଦଶୀ ପାଳନରେ ମନୁଷ୍ୟର ସୁଖ ସମୃଦ୍ଧି ବଢ଼ିଥାଏ l
ଏହି ଏକାଦଶୀର ମହିମା ଶୁଣିବାକୁ ଯାଇ ଏକଦା ଯୁଧିଷ୍ଠିର, ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିବାରୁ ତାଙ୍କୁ ଭଗବାନ୍ ଏହି ଯୋଗିନୀ ଏକାଦଶୀର କଥା ଶୁଣାଇ ଥିଲେ l ଶ୍ରୀକୃଷ୍ଣ କହିଲେ, ଧନାଧିପତି କୁବେର ପରମ ଶିବ ଭକ୍ତ ଥିଲେ l ପ୍ରତ୍ୟହ ଶିବ ପୁଜନ ପାଇଁ ହେମମାଳୀ ନାମକ ତାଙ୍କର ଜଣେ ଭୃତ୍ୟ ମାନସରୋବରରରୁ ଯାଇ ପଦ୍ମପୁଷ୍ପ ତୋଳି ଆଣି ଦେଉଥିଲା l ସେ ଭୃତ୍ୟର ବିଶାଳାକ୍ଷୀ ବୋଲି ଏକ ସୁନ୍ଦରୀ ସ୍ତ୍ରୀ ଥିଲା l ଦିନେ ମାନ ସରୋବରରୁ ପୁଷ୍ପ ତୋଳି ଫେରିଲା ବେଳେ ହେମମାଳୀ ନିଜ ଘରକୁ ଚାଲି ଯାଇ ପତ୍ନୀ ସହିତ ପ୍ରେମାଳାପରେ ମଜ୍ଜି ଗଲା ଏବଂ ସେ କୁବେରଙ୍କୁ ଫୁଲ ଦେବା କଥା ଭୁଲି ଗଲା l
ସିଆଡେ କୁବେର ଦ୍ବି ପ୍ରହର ଯାଏ ଅପେକ୍ଷା କରି ବସି ରହିଲେ l ପୂଜାରେ ବିଘ୍ନ ଘଟିବାରୁ କ୍ରୋଧିତ ହୋଇ ସେ ଅନୁସନ୍ଧାନ କରି ଫୁଲ ନ ପହଞ୍ଚିବାର ପ୍ରକୃତ କାରଣ ଜାଣିଲେ ଏବଂ ଭୃତ୍ୟ ହେମମାଳୀକୁ କୁଷ୍ଠ ରୋଗରେ ପୀଡିତ ହୁଅ ବୋଲି ଅଭିଶାପ ଦେଲେ l
ହେମମାଳୀ ଅଭିଶାପଗ୍ରସ୍ତ ହୋଇ ତତ୍କ୍ଷଣାତ୍ ଅଳକାପୁରୀରୁ ମର୍ତ୍ତ୍ୟକୁ ପତିତ ହେଲା l
ନିଜ କୁକର୍ମ ପାଇଁ ଅନୁତପ୍ତ କୁଷ୍ଠ ରୋଗଗ୍ରସ୍ତ ଯକ୍ଷ ହେମମାଳୀ ମର୍ତ୍ତ୍ଯରେ ବୁଲୁବୁଲୁ ଦିନେ ମେରୁ ଗିରି ଶିଖରରେ ପହଞ୍ଚି ସେଠାରେ ତପସ୍ୟା ରତ ମହର୍ଷି ମାର୍କଣ୍ଡେୟଙ୍କୁ ନିଜର ଦୁଃଖ ଜଣାଇଲା l ମହାମୁନି ମାର୍କଣ୍ଡେୟ ତାର ଦୂରବସ୍ଥା ହୃଦୟଙ୍ଗମ କରି ତାକୁ ରୋଗ ମୁକ୍ତିର ଉପାୟସ୍ୱରୂପ ଯୋଗିନୀ ଏକାଦଶୀ ବ୍ରତ ପାଳନ ନିମିତ୍ତ ଉପଦେଶ ଦେଲେ । ହେମମାଳୀ ନିଷ୍ଠାର ସହିତ ସେହି ଏକାଦଶୀ ବ୍ରତ କରି, ଭଗବାନ ବିଷ୍ଣୁଙ୍କ ଜପ, ଆରାଧନା କଲା l ଫଳରେ ସେ କୁଷ୍ଠ ବ୍ୟାଧିମୁକ୍ତ ହୋଇ ତା ପୂର୍ବରୁପ ଫେରି ପାଇଲା ଏବଂ ସୁଖରେ ନିଜ ପତ୍ନୀ ପାଖକୁ ଯାଇ ପୁଣି ନିଷ୍ଠାର ସହ ଯକ୍ଷପତି କୁବେରଙ୍କ ସେବା ପୁଜା କରିବାକୁ ଲାଗିଲା l ଯୋଗିନୀ ଏକାଦଶୀର ମାହାତ୍ମ୍ୟ କୀର୍ତ୍ତନ କରି ବ୍ରହ୍ମ ବୈବର୍ତ୍ତ ପୁରାଣରେ କୁହା ଯାଇଛି:-
ଆନନ୍ଦ ହୋଇ ହେମମାଳୀ l
ଯୋଗିନୀ ବ୍ରତକୁ ଆଚରି ll
ପୂର୍ଣ୍ଣ ହୁଅନ୍ତେ ମହାବ୍ରତ l
ହେଲା ସେ କୁଷ୍ଠରୁ ବିମୁକ୍ତ ll
ରହିଲା ଆପଣା ମନ୍ଦିରେ l
କାନ୍ତାକୁ ଘେନି ସଙ୍ଗତରେ ll
ଶ୍ରୀକ୍ଷେତ୍ରଧାମରେ ଏହି ଯୋଗିନୀ ଏକାଦଶୀ ଖଳି ଲାଗି ଏକାଦଶୀ ରୂପେ ପାଳିତ ହୁଏ l କାରଣ ଏହି ଏକାଦଶୀ ଦିନ ଅଣସରରେ ଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଚାଉଳ ଚୂନା, କଇଥ ଅଠା, କସ୍ତୁରୀ ଏବଂ କର୍ପୁର ଆଦି ମିଶ୍ରଣରେ ଶୁଦ୍ଧ ସୁଆରଙ୍କ ଗୃହରେ ପ୍ରସ୍ତୁତ ବିଶେଷ ଖଳି ଲାଗି କରାଯାଏ l ଏହି ଖଳି ଜୀଉ ମାନଙ୍କ ଶରୀରର ମେଦରୂପେ ପରିକଳ୍ପିତ l
ଓଁ ନମଃ ନାରାୟଣାୟଃ
🙏🙏🙏
ଅର୍ଜୁନୀ
----------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
