Nityananda Sahu

Inspirational Others

4  

Nityananda Sahu

Inspirational Others

ତ୍ୟାଗର ମୂଲ୍ୟ !

ତ୍ୟାଗର ମୂଲ୍ୟ !

7 mins
233



କର୍ତ୍ତବ୍ୟ ପାଳନ ପାଖରେ ଶେଷରେ ମାତୃତ୍ୱ ମୋହକୁ ତୁଟାଇବାକୁ ପଡିବ ବୋଲି କେବେ ବି ମୁଁ (ଡ଼ଃ, ସୁମିତ୍ରା ପରିଡା )ଭାବି ନ ଥିଲି । ଏଇ କିଛି ଦିନ ହେବ ମେଡ଼ିକାଲ ରେ ନାହିଁ ନ ଥିବା ରୋଗୀ ମାନଙ୍କ ର ଭିଡ଼। ଚାରି ଆଡ଼େ ମହାମାରୀ କରୋନାର ଆକ୍ରୋଶ ରେ ଶହ ଶହ ଲୋକ ସଂକ୍ରମିତ । ଜୀବନ ମୃତ୍ୟୁ ର ତାଣ୍ଡବ ଲୀଳା ରେ ଯେମିତି ସମସ୍ତେ ବଞ୍ଚିବାର ଶେଷ ଆଶା ଛାଡି ସାରିଲେଣି । ଏମିତି ବି ଦିନ ଦେଖିବାକୁ ମିଳିବ ବୋଲି କେହି କେବେ ବିଶ୍ୱାସ କରି ନ ଥିଲେ। ସମୟ ବଦଳି ଯାଇଛି , ରୋଗ ଆଉ ରୋଗୀଙ୍କର ସଂଖ୍ୟା ସୁସ୍ଥ ଲୋକଙ୍କ ଅପେକ୍ଷା ବୃଦ୍ଧି ହେବାରେ ଲାଗିଛି। କରୋନା ରୋଗରେ ସଂକ୍ରମିତ ହେଲେ ଆତ୍ମୀୟ ମାନେ ବି ସାହାଯ୍ୟ କରିବାକୁ ରାଜି ହେଉ ନାହାନ୍ତି । ମହାମାରୀ କରୋନାର ସଂକ୍ରମଣର ଭୟଭୟତା କୁ ଦେଖି କେହି ବି ସାହାଯ୍ୟ କରିବାକୁ ଆଗେଇ ଆସୁ ନାହାନ୍ତି ।

    ସାନୁ(ପୁଅ)କୁ ମାତ୍ର ଛଅ ମାସ ର ହେବ । ଠିକ ସେ ବି ଦୁନିଆଁ କୁ ଦେଖି ନାହିଁ । ଏ ରୋଗ ବିଷୟରେ ସେ ବା କଣ ଜାଣିବ। ମାତୃତ୍ୱ ର ଅମୃତ କୁ ତାର ଓଠ ଦୀର୍ଘ ପାଞ୍ଚ ଦିନ ହେଲା ସ୍ପର୍ଶ କରି ନାହିଁ । କୁଆଁ..... କୁଆଁ ଡାକରେ ମାଆକୁ ତାର ଝୁରି ହୋଇ ମୁହଁ ଲାଲ ପଡି ଗଲାଣି । କେତେ ଆଉ ସେ ଡବା କ୍ଷୀରରେ ନିଜର ଉଦର ପୂର୍ଣ୍ଣ କରିବ। ମୋତି(ଚାକରାଣୀ) ଅଛି ବୋଲି ,ଟିକେ ଆଶ୍ବସ୍ତ ଲାଗୁଚି।ସାନୁର ସବୁ କିଛି ମୋ ଅନୁପସ୍ଥିତ ରେ ସେ ହିଁ ବୁଝି ଥାଉଛି। ପୁଅର ସେଇ ହସ ହସ ମୁହଁକୁ ଟିକେ ପାଖରୁ ଦେଖିବା ସହ ତାକୁ ଗେଲ କରିବାକୁ ହେଲେ , ଆହୁରି ଦୁଇ ସପ୍ତାହ ଅପେକ୍ଷା କରିବାକୁ ପଡିବ। ଶାଶୁ ଶଶୁର କେହି ବି ପାଖରେ ନାହାନ୍ତି । ପିଲାଟା ର ଅଝଟ ମୁହଁ ଆଖି ଆଗରେ ନାଚି ଉଠୁଛି।

   ଲୁହରେ ଆଖି ଭିଜି ଯାଉଥାଏ । ଅତ୍ୟଧିକ ପରିଶ୍ରମ ସହ କରୋନା ରୋଗୀ ମାନଙ୍କୁ ସେବା ଯୋଗାଇବା ଭିତରେ ଦେହ କ୍ଳାନ୍ତ ହୋଇବି ବିଶ୍ରାମ ଟିକେ ମିଳିବାର ସୁଯୋଗ ନାହିଁ।

     ଦେହ ଭିତରଟା ପିପିଇ କୀଟ ପିନ୍ଧିବା ଦ୍ୱାରା ଝାଳ ହୋଇ ସିଜି ଗଲାଣି । ଦିନ ରାତି ଚବିଶ ଘଣ୍ଟା ଖଟୁଥିଲେ ବି ଜୀବନରେ ଟିକେ ଶାନ୍ତି

ନାହିଁ ।

  ଶହ ଶହ ଲୋକଙ୍କର ଆର୍ତ୍ତନାଦ ରେ ମେଡ଼ିକାଲ ର ୱାର୍ଡ ସବୁ ପ୍ରକମ୍ପିତ। ବଞ୍ଚାଅ ବଞ୍ଚାଅ ଶୁଣି ଅଳ୍ପ ସଂଖ୍ୟକ ଡାକ୍ତର ଆଉ ଅନ୍ୟ ଷ୍ଟାପ ମାନେ ଏତେ ସଂଖ୍ୟକ ରୋଗୀ ମାନଙ୍କୁ କେମିତିବା ସେବା ଯୋଗାଇବୁ ବେଳେ ବେଳେ ବୁଝି ପାରୁ ନାହୁଁ। କାହାର ଅକ୍ସିଜେନ ଦରକାର , କାହାର ଇସିଜି ଚେକ ଅପ , କାହାର ନିମୋନିଆ ହେଲାଣି ତ ଆଉ କାହାର ଭୀଷଣ ଦେହ ଖରାପ । ଏହା ଭିତରେ ସବୁ ଦିନ ମେଡ଼ିକାଲ କୁ ନୂଆ ପେସେଣ୍ଟ ଆସିବାର ସଂଖ୍ୟା କମୁ ନାହିଁ। ମେଡ଼ିକାଲ ରେ ବେଡ଼ ଫାଙ୍କା ନ ଥିଲା ବେଳେ ପେସେଣ୍ଟ ମାନେ ସବୁ ମେଡ଼ିକାଲ ବାରଣ୍ଡା ଠାରୁ ଆରମ୍ଭ କରି ଯେଉଁଠି ବି ଫାଙ୍କା ସ୍ଥାନ ଅଛି ଦେଖିକି ସେଇଠି ଆସି ରହି ଯାଉଛନ୍ତି। ସମସ୍ତ ଙ୍କୁ ମ୍ୟାନେଜ କରିବା ବହୁତ କଷ୍ଟ ହୋଇ ଯାଉଛି।

     ଖାଇବା ପିଇବା ର କିଛି ଠିକ ଠିକଣା ନାହିଁ। କଥାରେ ଅଛି ଡାକ୍ତର ମାନେ ହେଉଛନ୍ତି ଦ୍ୱିତୀୟ ଭଗବାନ। ହେଲେ ଏତେ ସଂଖ୍ୟକ ଲୋକଙ୍କ ପାଇଁ ଡାକ୍ତର ସଂଖ୍ୟା ସ୍ୱଳ୍ପ ଥିଲା ବେଳେ , ପେସେଣ୍ଟ ମ୍ୟାନେଜ ମେଣ୍ଟରେ ଅନେକ ସମୟ ଅସୁବିଧା ହେଉଅଛି। ଚେଷ୍ଟା ତ ଜାରି ଅଛି ସମସ୍ତ ଙ୍କୁ ସେବା ଯୋଗାଇ ଦେବା ପାଇଁ । କିନ୍ତୁ ସବୁବେଳେ ଏହା ସମ୍ଭବ ନୁହେଁ। ସରକାର ଯଦି ପୂର୍ବରୁ ମେଡ଼ିକାଲ ର ଉନ୍ନତି କରଣ ଠାରୁ ଆରମ୍ଭ କରି ଶଯ୍ୟା ସଂଖ୍ୟାରେ ଅଭିବୃଦ୍ଧି, ଉନ୍ନତ ଟେକ୍ନୋଲୋଜି ର ଯନ୍ତ୍ରପାତି ସହ ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀରେ ନିଯୁକ୍ତି କରାଇ ପାରିଥିଲେ ହୁଏତ ଆଜିର ଦିନରେ ଆଉ ବିଶେଷ ଅସୁବିଧା ହୋଇ ନ ଥାନ୍ତା। ସୋମେଶ ଙ୍କର(ସ୍ୱାମୀ) ପୋଷ୍ଟିଂ ରାୟଗଡା ର ଆଧିବାସୀ ଅଧିସୃତ ଏରିଆ ରେ। ଲକ ଡାଉନ ଆଉ ସଟ ଡାଉନ ପାଇଁ ଆମ ପାଖକୁ ଆସିବାର କୌଣସି ପ୍ରକାର ର ମାଧ୍ୟମ ନାହିଁ। ମହାମାରୀ ସମୟରେ ତାଙ୍କର ଛୁଟି କୁ ବିଭାଗୀୟ ମଞ୍ଜୁରୀ ମିଳି ପାରୁ ନାହିଁ।


     ବେଳେ ବେଳେ ନିଜର ଦୁଃଖ କୁ ୱାର୍ଡ ରେ ଆଡ଼ମିଶନ ହୋଇ ରହିଥିବା ଫୁଲ ମାଆଙ୍କୁ କହିଲା ପରେ ମନ ଟା ହାଲକା ଲାଗେ। ଫୁଲ ମାଆ କରୋନା ରେ ପୀଡିତ ହୋଇ ଏଇ ତିନି ଦିନ ହେବ ମେଡ଼ିକାଲ ରେ ଆଡ଼ମିଶନ ହୋଇ ଅଛନ୍ତି। ପଚାରିଲେ କୁହନ୍ତି ତାଙ୍କ ନାତି ବିଦେଶରେ ରେ ରହୁଥିଲା , ଏଇ ଲକ ଡାଉନ ଖବର ଶୁଣି ଘରକୁ ଆସିଲା ପରେ କୁଆଡେ ତାଙ୍କ ଦେହରୁ ଫୁଲ ମାଆ ପାଖକୁ ଏ ଭୁତାଣୁ ଆସିଛି। ବୟସ ସିନା ଅପରାହ୍ନରେ ,ହେଲେ ଦେହରେ ଆଜି ବି ବହୁତ ଫୁର୍ତ୍ତି। ସବୁ ଠାରୁ ବ୍ୟୟ ଜ୍ୟେଷ୍ଠ ହୋଇ ଥିଲେ ବି ଅନ୍ୟ ମାନଙ୍କ ପରି କେବେ ନିଜର ମନ ବଳକୁ ଦୁର୍ବଳ ହେବାକୁ ଦେଇ ନାହାନ୍ତି। କିଛି ଦିନ ର ସେବା ଭିତରେ ତାଙ୍କ ସହ ମାଆ ଝିଅର ସମ୍ପର୍କ ସ୍ଥାପନ ହୋଇ ଯାଇଛି ମୋର ।

     ୱାର୍ଡ ରେ ଆଡ଼ମିଶନ ହୋଇ ଥିବା ସବୁ ପେସେଣ୍ଟ ମାନଙ୍କର ସ୍ୱାସ୍ଥ୍ୟ ଗତ ଯତ୍ନ ନେବା ସହ ତାଙ୍କର ଦୈନ୍ୟ ଦିନର ସମସ୍ତ କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରିବାକୁ ହୋଇ ଥାଏ । ଯାହା ଦ୍ୱାରା ସେମାନେ ନିଜର ଏକଲା ପଣକୁ ଭୂଲିଯାଇ ,ମେଡ଼ିକାଲ ର ଷ୍ଟାପ ମାନଙ୍କୁ ନିଜର ପରିବାରର ସଦସ୍ୟ ବୋଲି ଭାବିବେ।

    କରୋନା ୱାର୍ଡ ରେ ଡିୟୁଟି ସରିଲା ପରେ କିଛି ଦିନ ମେଡ଼ିକାଲ ରେ ଆସୋଲେଶନ ହୋଇ ରହିଲା ପରେ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିଲେ ଘରକୁ ଯିବାର ଅନୁମତି ମିଳିବ। ତା ମାନେ ଆହୁରି ଦୁଇ ସପ୍ତାହ ଯାଏଁ ପୁଅକୁ ଦେଖି ପାରିବି ନାହିଁ। ଛାତିର କୋହରେ ଭାଙ୍ଗି ପଡିଲି ମୁଁ ।

   ଘରକୁ ଗଲେ ସାନୁ ମତେ ଚିହ୍ନି ପାରିବ ତ ?


ଏମିତି ଅନେକ ଭାବନା ଭିତରେ ହଜି ଯାଇଥାଏ ମୁଁ । ରାତି ଆସି ନଅ ଟା ବାଜିବ। ଆଜି ମେଡ଼ିକାଲ ରେ ଚାରୋଟି ପେସେଣ୍ଟ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ସେ ସମସ୍ତ ଙ୍କୁ ମୁଁ ନିଜେ ଚିକିତ୍ସା କରୁଥିଲି । ସମସ୍ତେ ଭଲ ଥିଲେ । ହଠାତ ନିଶ୍ୱାସ ପ୍ରଶ୍ୱାସ ନେବାରେ ଭୀଷଣ ଯନ୍ତ୍ରଣା ହେବା ଦ୍ୱାରା ସମସ୍ତେ ବେଡ଼ରେ ପଡି ଛଟ ପଟ ହେବାର ଦେଖି , ଉପସ୍ଥିତ ଅନ୍ୟ ସହଯୋଗୀ ଙ୍କ ସହ ସେମାନଙ୍କୁ ଚିକିତ୍ସା ଦେବାକୁ ଯାଇ ଅସଫଳ ହେଲୁ ।

  ଆଖି ସମ୍ନାରେ ଏକା ସାଙ୍ଗରେ ଚାରୋଟି ଜୀବନ ପ୍ରାଣ ହରେଇ ଦେଲେ। ତିନି ଜଣ ଅକ୍ସିଜେନ ର ଅଭାବରେ ପ୍ରାଣ ହରେଇଥିବା ବେଳେ ଅନ୍ୟ ଜଣକ ଏ ସବୁ ଦେଖି ଟେନ୍ସନ ରେ ହାର୍ଟ ଆଟାକ ହୋଇ ମୃତ୍ୟ ବରଣ କରିଲା। ଗଛ କାଟି ଦେଇ ଆମେ ଘର କରୁଛେ ନିଜର ବାସସ୍ଥଳୀ ପାଇଁ । କିମ୍ବା ବିଜନେସ ପାଇଁ ବିଭିନ୍ନ ବଡ଼ ବଡ଼ କମ୍ପାନୀ ଖୋଲୁଛେ , ହେଲେ କେବେ ବି ଅକ୍ସିଜେନ ର ଅଭାବ କୁ ଆମେ ବୁଝି ପାରିଲେ ନାହିଁ । ଆଜି ଠିକ ସମୟରେ ଅକ୍ସିଜେନ ସପ୍ଲାଏ ନ ମିଳି ପାରିବା କାରଣରୁ , ତିନୋଟି ଜୀବନ ଚାଲି ଗଲା ।

    ସେମାନଙ୍କ ର ଜୀବନ ନ ବଞ୍ଚାଇ ପାରିବାରୁ ନିଜକୁ ନିଜେ ଧିକ୍କାର କରୁଥିଲି।

  ହଠାତ କିଛି କାଚ ଭାଙ୍ଗିବାର ଶବ୍ଦ ଶୁଣିବାକୁ ମିଳିଲା। ଆଉ ତା ପରେ ଅନେକ ଲୋକଙ୍କ ପାଟି ତୁଣ୍ଡ ସହ ଭଙ୍ଗା ରୁଜା ମେଡ଼ିକାଲ ରେ ଆରମ୍ଭ ହୋଇଗଲା। ମେଡ଼ିକାଲ କର୍ମଚାରୀ ମାନେ ଭୟରେ ଥରୁ ଥିଲେ। ମୃତ୍ୟୁର କାରଣ ଜାଣି ନ ଥିବା ଆତ୍ମୀୟ ସ୍ୱଜନ ମାନେ , ଚିକିତ୍ସା ରେ ଅବହେଳା ଦର୍ଶାଇ ଯିଏ ବି ତାଙ୍କ ସାମ୍ନାକୁ ଆସୁଥିଲେ ,ସମସ୍ତଙ୍କୁ ମାର ପିଟ କରୁଥିଲେ। ଗୋଟେ ପଟେ ମେଡ଼ିକାଲ ର ସମ୍ପତ୍ତି ନଷ୍ଟ ହେଉଥିବା ବେଳେ ଅନ୍ୟ ପେସେଣ୍ଟ ମାନଙ୍କର ଅସୁସ୍ଥାତାକୁ ଆଖି ଆଗରେ ରଖି ସେମାନଙ୍କୁ ବୁଝେଇବାକୁ ଚେଷ୍ଟା କରିବାକୁ ଗଲା ବେଳେ ଲୋକଙ୍କ ର ଆକ୍ରୋଶ ର ଶିକାର ବି ମତେ ହେବାକୁ ପଡିଲା।

   କେହି ବି ବୁଝିବାକୁ ନାରାଜ ଥିଲେ । ଲିଙ୍ଗ ଗତ ପାର୍ଥକ୍ୟ ନ ଦେଖି ଯିଏ ଯାହା ଧରିଥିଲା ହାତରେ ପିଟି ଚାଲିଲେ । ରକ୍ତରେ ଜୁଡୁବୁଡୁ ହୋଇ ଚାରି ଜଣ ଡାକ୍ତର ସହ ଅନ୍ୟ ସହକର୍ମୀ ସମସ୍ତେ ବାରଣ୍ଡାରେ ଗଡୁ ଥିଲୁ ।

    ମୁଣ୍ଡ ଫାଟି ଯାଇ ରକ୍ତ ବାହାରୁ ଥାଏ । ଆଖି ସମ୍ନାରେ ସାନୁ ର ମୁହଁ ନାଚି ଉଠୁଥାଏ । ସେବା ଦ୍ଵାରା ଜୀବନ ବଞ୍ଚାଉ ଥିବା ଡାକ୍ତର ଙ୍କୁ ଯେଉଁ ଲୋକ ମାନେ ଦିନେ ଭଗବାନ ବୋଲି କହୁଥିଲେ ,ସେମାନେ ଆଜି କେମିତି ହିଂସ୍ର ହୋଇ ପାରିଲେ ?

     ଆଖି ବୁଝି ହୋଇ ଆସୁଥାଏ ଲୁହର ବନ୍ୟାରେ ।


ଦୀର୍ଘ ଛଅ ଘଣ୍ଟା ପରେ , ଚେତା ଫେରି ଆସିଲା। ଲୋକଙ୍କୁ ସେବା ଦେଇ ଆସୁଥିବା ଡାକ୍ତର ଆଜି ନିଜେ ରୋଗର ଶଯ୍ୟା ରେ । ଲୋକ ମାନେ ଆକ୍ରୋଶ ରେ ଆସି ଜୀବନ ନେବାକୁ ବସିଥିଲେ। ଜୀବନ ବଞ୍ଚି ଯାଇଥିବାରୁ ଭଗବାନ ଙ୍କୁ ଧନ୍ୟବାଦ ଜଣାଉ ଥାଏ ।

   ମେଡ଼ିକାଲ ର ୱାର୍ଡ ରେ ଲାଗିଥିବା ଟିଭିରେ ଫୁଲ ମାଆ କରୋନା ର ସଫଳ ମୁକାବିଲା କରି ସୁସ୍ଥ ହୋଇ ଫେରିବାର ଦେଖି , ମୋ ଛାତି ଗର୍ବରେ ଫୁଲି ଉଠୁଥାଏ । ମେଡ଼ିକାଲ କର୍ମଚାରୀ ମାନେ ତାଙ୍କୁ ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରୁଥିଲେ ।

        କିଛି ମିଡିଆ ଭାଇ ମାନେ ଯେତେବେଳେ ତାଙ୍କ ଠାରୁ ଇଣ୍ଟରଭୁ ନେବାକୁ ଗଲେ ,

   ଫୁଲ ମାଆ କହୁଥିଲେ ;

          ଆଜି ଯଦି ମୁଁ ମୃତ୍ୟୁ ସହ ଲଢ଼ି ଜୀବନ ଫେରି ପାଇ ଥାଏ ତା ହେଲେ ମୋ ଝିଅ ଡାକ୍ତର ସୁମିତ୍ରା ଆଉ ତାର ସହଯୋଗୀ ଙ୍କ ପାଇଁ ସମ୍ଭବ ହୋଇ ପାରିଛି । ମୁଁ ଦେଖିଛି ଦିନ ରାତି ସେମାଙ୍କର ସେବା ଆଉ ତ୍ୟାଗକୁ। ହେଲେ ମତେ ବହୁତ ଖରାପ ଲାଗୁଚି ଏ କଥା କହିବାକୁ ଯେ , ଗତ ରାତ୍ରିରେ ଯାହା କିଛି ଶିକ୍ଷିତ କୁହନ୍ତୁ କି ଅଶିକ୍ଷିତ ଲୋକ ଆସି ମେଡ଼ିକାଲ ରେ କଲେ ,ତାହା ଆଦୌ ଗ୍ରହଣୀୟ ନୁହେଁ । ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ସରକାର ନେବା ଦରକାର । ସ୍ୱାସ୍ଥ୍ୟ ବିଭାଗର ସମସ୍ତଙ୍କୁ ଆମେ ସମ୍ମାନ ଦେବାର ଆବଶ୍ୟକତା ଅଛି। ଆମର ଯେମିତି ପରିବାର ଅଛି , ସେମାନଙ୍କର ବି ଅଛି । ଆପଣ ମାନେ ଜାଣିଛନ୍ତି ଯେଉଁ ଅସମାଜିକ ବ୍ୟକ୍ତି ନିଜର ଆତ୍ମୀୟ ଙ୍କର ମୃତ୍ୟୁ ର ଦୋଷରେ ଡାକ୍ତର ସୁମିତ୍ରା ଉପରେ ଆକ୍ରମଣ କରିଥିଲା , ସେ କଣ ଜାଣିବ ଗୋଟେ ମାଆ ର ବଳିଦାନର କଥା ।

   ଛଅ ମାସର ନବ ଜାତ ଶିଶୁ ପୁତ୍ରକୁ ଦୀର୍ଘ ଦିନ ଧରି ନିଜ ଛାତିର ଅମୃତ ନ ଦେଇ ଯେଉଁ ମାଆ ଶହ ଶହ ଲୋକଙ୍କର ଜୀବନ ବଞ୍ଚାଇବାକୁ ଦିନ ରାତି ଚେଷ୍ଟା କରୁଥିଲା , ଆପଣ ମାନେ କଣ ତାର ତ୍ୟାଗ ର ଏହି ପୁରସ୍କାର ଦେଲେ ।

  ଆରେ ଲଜ୍ୟା କର ସବୁ .....ଲଜ୍ୟା କର । ଏ ରୋଗ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ହେବାର କାରଣ ହେଉଛେ ଆମେ । ସରକାରଙ୍କ ର ନିୟମ ପାଳନ କରୁ ନାହୁଁ , ନିଜ ନିଜ ଭିତରେ ଦୂରତା କି ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦେଉ ନାହୁଁ । ଏଠି ଭୂଲ ତ ଆମେ କରୁଛେ । ଏ ରୋଗକୁ ଆମେ ହିଁ ପ୍ରଶୟ ଦେଇଛେ । ଡାକ୍ତର ମାନଙ୍କ ଉପରେ ଜୁଲୁମ କଲେ , କଣ ସବୁ ସମାଧାନ ହୋଇଯିବ। 

    ଆମେ ମାନେ ମାଗଣା ସେବା ଆଉ ଅନ୍ୟାନ୍ୟ ସୁବିଧା ପାଇବା ପାଇଁ ସରକାରଙ୍କୁ ଗୁହାରୀ କରୁଛେ । ଭୋଟ ଦେଉଛ । ସରକାରଙ୍କ ର ପ୍ରଲୋଭନ ରେ ଆସି କେତେଟା ଟଙ୍କାର ମୋହରେ ନିଜର ଅସ୍ତିତ୍ୱ ଭୂଲି ଯାଉଛେ । ସମସ୍ତେ ଯଦି ସରକାରଙ୍କ ନିକଟରେ ସ୍ୱାସ୍ଥ୍ୟ ବିଭାଗର ଭିତ୍ତିଭୂମି ର ଉନ୍ନତି କରଣ ପାଇଁ ଦାବି ନ କରିବା , ତେବେ ଏ ଭଳି ପରିସ୍ଥିତି ର ସମ୍ମୁଖୀନ ଆମେ କଦାପି କରି ପାରିବା ନାହିଁ ।

    କେବଳ ଏତିକି ଅନୁରୋଧ କରିବି , ଜୀବନ ମୃତ୍ୟୁ ସହ ଲଢେ଼ଇ କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସମ୍ମାନ ଦେବା ଉଚିତ , ନା କି ସେମାନଙ୍କୁ ଆକ୍ରମଣ କରିବା ।

     ମୋ ଝିଅ ଡାଃ, ସୁମିତ୍ରା ପରିଡା ପାଇଁ ଆଜି ମୁଁ ଗର୍ବିତରେ ମାଆ ।


ଫୁଲ ମାଆ ର ଏ କେଇ ପଦ କଥା ଶୁଣି ମୋ ଆଖିରୁ ଲୁହ ଝରିବା ବନ୍ଦ ହେଉ ନ ଥାଏ । ଗୋଟେ ମାଆ ହିଁ ଆଉ ଗୋଟେ ଝିଅର ହୃଦୟର ଦୁଃଖକୁ ବୁଝି ପାରିଥାଏ ।

      କୋଭିଡ ମହାମାରୀ ର ସଚେତନତା ବାର୍ତ୍ତା ସହ ଲୋକଙ୍କୁ ଚେତାଇ ଦେଇ ଆଜି ଫୁଲ ମାଆ ଦୁନିଆଁ ପାଇଁ ଆଉ ଏକ ଉଦାହରଣ ସୃଷ୍ଟି କରି ପାରିଛନ୍ତି ।

      ଟିଭିରେ ମୋ ଫଟୋ ସହ ଫୁଲ ମାଆ ଙ୍କର ଭାଷଣ କୁ ବାରମ୍ବାର ବିଭିନ୍ନ ଚାନେଲ ମାନେ ପ୍ରସାରଣ କରୁଥାନ୍ତି। ଦେହ ହାତରେ ବ୍ୟାଣ୍ଡେଜ ପଡିଥାଏ । ସମୟର ସଦୁପଯୋଗ କରିବା ସହ ମେଡ଼ିକାଲ ରେ ଯାଇ ଲୋକଙ୍କର ସେବା କରିବାର ପ୍ରାଧାନ୍ୟ ରେ ଶେଷରେ ମୁଁ ମେଡ଼ିକାଲ ରୁ ଡିସଚାର୍ଚ୍ଚ ହୋଇ ହୋମ ଆଇସୋଲେସନକୁ ଫେରି ଆସିଲି।

    ଅନ୍ୟ ଜଣେ ସହକର୍ମୀ ସେବିକା ଦିଦି ସେ ଦିନର ଆକ୍ରମଣ ରେ ଗୁରୁତ୍ୱର ହୋଇ ଥିବା କାରଣରୁ ତାଙ୍କର ମୃତ୍ୟ ଖବର ଶୁଣିବା ପରେ ଦୁଃଖ ଲାଗିଲା। ତାଙ୍କର ଆମର ଆତ୍ମାର ସଦଗତି କାମନା କରିଲି।

   ସରକାର ମାନପତ୍ର ଆଉ କିଛି ଅର୍ଥ ରାଶି ଘୋଷଣା କରିବା ସହ ମେଡ଼ିକାଲ ରେ ଅସମାଜିକ କାର୍ଯ୍ୟକଳାପ ଯଦି କେହି ଆଗତ ଭବିଷ୍ୟତରେ କରନ୍ତି ତେବେ ତାଙ୍କ ପ୍ରତି କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେବା ସହ ଆଇନ ପ୍ରଣୟନ କରିଲେ।

  ଆଜି ସାନୁ କୁ ଦୀର୍ଘ ଏତେ ଦିନ ପରେ କୋଳରେ ଧରିଲା ପରେ , ମୋର ସବୁ ଦୁଃଖ କୁ ମୁଁ ଭୁଲି ଯାଇ ସାରିଥିଲି । ଆଉ ନିଜ କର୍ତ୍ତବ୍ୟ ସ୍ଥଳୀ କୁ ଫେରିବା ପାଇଁ ପ୍ରସ୍ତୁତ ହେଉ ଥିଲି । 

   କାହିଁକି ନା ସେବାରେ ଥାଏ ଅସୀମ ଆନନ୍ଦ ।


କ୍ରମଶଃ....

   

    


Rate this content
Log in

Similar oriya story from Inspirational