ତୁମରି ଇଚ୍ଛାରେ ଚାଲେ ଏ ଜଗତ
ତୁମରି ଇଚ୍ଛାରେ ଚାଲେ ଏ ଜଗତ
ସେ ବର୍ଷଟା ମୋର ମନେନାହିଁ ।କିନ୍ତୁ ସେ ସ୍ମୂତିଟି ମୋ ମନ ରାଇଜରେ ଏବେ ମଧ୍ୟ ଅପାସୋରା ହୋଇ ରହିଛି ।ବହୁ ଦିନରୁ ଇଚ୍ଛା ଥିଲା, କାଳିଆର ଦେବସ୍ନାନ ପୂର୍ଣ୍ଣିମାରେ ଗଜାନନ ବେଶ ଦର୍ଶନ କରିବା ।କିନ୍ତୁ ,କଥାରେ ଅଛି , କାଳିଆର ଡୋରି ନ ଲାଗିଲେ କୌଣସି କାର୍ଯ୍ୟ ହୁଏନାହିଁ ।
ଏ ମନ ଭାବୁଥାଇ ଯାହା
କାଳେ ପ୍ରାପତ ହୁଏ ତାହା ।
ବାସ୍ତବିକ୍ ,ଡୋରି ଲାଗିଲା ସେହି କାଳିଆ ସାଆନ୍ତ ଙ୍କର ସେହି ବର୍ଷରେ । ହଠାତ୍ କାକା ପଚାରିଲେ "ଏବର୍ଷ ସ୍ନାନ ପୁର୍ଣିମା ପୁରୀ ଦର୍ଶନ ପାଇଁ ଯିବା କିରେ ? ମୁଁ, ହଁ ଭରିଲି । ନିର୍ଦ୍ଧାରିତ ଦିନରେ ବାହାରିଲୁ ପୁରୀ। ଠିକଣା ସମୟରେ ପୁରୀରେ ପହଞ୍ଚିଲୁ ଭୋର ୪ଟା ବେଳେ । ଝଟାପଟ୍ ନିଜର ସକାଳୁଆ ନିତ୍ୟକର୍ମ ସାରି ଦେଇ ଶ୍ରୀମନ୍ଦିର ମୁହାଁ ହେଲୁ ସକାଳର ତିନି ଠାକୁରଙ୍କ ପହଣ୍ଡି ବିଜେ ଦେଖିବାକୁ । ସେଦିନ କାହିଁକି ତିନି ଠାକୁରଙ୍କ ପହଣ୍ଡି ବିଜେ ଦେଖି ବହୁତ ଖୁସି ତ ଲାଗିଲା ମନେ ମନେ ସେ କଳା ଠାକୁରଙ୍କୁ ହୃଦୟରୁ ପ୍ରଣିପାତ ଜଣାଇଲି ।କିନ୍ତୁ ମୋର ମନେହେଲା ,ସତରେ !ମହାବାହୁ , ଏ ଥର ସ୍ନାନ କରିବାକୁ ଏତେ ହରବର କାହିଁକି? ସେଦିନ ଭୋର ୫ଟାରୁ ମହାପ୍ରଭୁ ସ୍ନାନ ମଣ୍ଡପରେ ବିଜେ ହୋଇ ସାରିଥିଲେ ।ଭାବିଲି, ଏବର୍ଷ ମହାପ୍ରଭୁ ଯେପରି ଭାବରେ ହରବର ହେଉଛନ୍ତି , ନିଶ୍ଚିତ ଭାବରେ ସହଳ ସ୍ନାନ ବିଧି ସମ୍ପନ୍ନ ହେବ।କଳିଆକୁ ଦର୍ଶନ ସାରି ମୁଁ ରାତି ଟ୍ରେନରେ ଗାଁକୁ ଫେରିଯିବି , ଏହି ଚିନ୍ତାରେ ରହିଲି ।
ସକାଳରୁ ଯାଇ ଦିନ ୧୨ଟା । ପ୍ରତିବର୍ଷ ଟିଭିରେ ପୁର୍ଣିମା ଯାତ୍ରା ଦେଖିଲା ସମୟରେ ପ୍ରାୟ ଦିନ ୧ଟା ସମୟରେ ସ୍ନାନ ଯାତ୍ରା ସରିଯାଏ,କିନ୍ତୁ କି ଆଶ୍ଚର୍ଯ୍ୟ, ସେ ବର୍ଷ ତାହର ବ୍ୟତିକ୍ରମ ହେବାକୁ ଯାଉଥିଲା । ଭୀଷଣ ଖରା ସାଙ୍ଗକୁ ଭୀଷଣ ଗୁଳୁଗୁଳି , ସେଥିରେ ପୁଣି ଲମ୍ବା ଧାଡ଼ି ସ୍ନାନ ମଣ୍ଡପ ପର୍ଯ୍ୟନ୍ତ । ଗୁହାରି କଲି "ହେ କାଳିଆ ସାଆନ୍ତ , ଆଉ କେତେ ବେଳ ପର୍ଯ୍ୟନ୍ତ ଅଟକାଇବ ପ୍ରଭୁ ? ଟିକେ ଦୟା କର ।
ଚାଲିଗଲା ପ୍ରସ୍ତୁତି। ସୁନା କୁଅ ରୁ ୧୦୮ ଗରାରେ ସ୍ନାନ ମଣ୍ଡପ କୁ ଅଣାଗଲା ଜଳ । ଜଳକୁ ସୁବାସିତ କରି ପୂଜା ନୀତି ଆରମ୍ଭ ହେଲା। କିନ୍ତୁ ଏ କଣ ନିତିକାନ୍ତିରେ ବିଳମ୍ୱ ହୋଉଛି କାହିଁକି?ଶେଷରେ ଅପରାହ୍ନ ୪ଟା ପରେ ମହାପ୍ରଭୁଙ୍କୁ ସ୍ନାନ କର।ହେଲା । ବର୍ତ୍ତମାନ ପାଳି ମହାପ୍ରଭୁଙ୍କ ଗଜାନନ ବେଶ। କିନ୍ତୁ ପ୍ରସ୍ତୁତିର ଦେଖା ନାହିଁ । ସବୁଠି ନିତିକାନ୍ତି ଡେରି ହେଉଛି ବୋଲି ଶୁଣାଯାଉଛି । ମୋ ମନକୁ ଗୋଟିଏ ପ୍ରଶ୍ନ ଉଙ୍କି ମାରିଲା , ସବୁ ତ ସେହି ପଣ୍ଡା ମାନଙ୍କଦ୍ୱ।ର। ମହାପ୍ରଭୁଙ୍କ ନିତି ସମ୍ପନ୍ନ ହେଉଛି , ଡେରି ହେବାଟା କଣ ଆପେ ଆପେ ହୁଏ? ପଣ୍ଡା ଚାହିଁଲେ ଯେଉଁ ପହଣ୍ଡି ଭୋର ୪ଟା ସମୟରେ ହୋଇ ପାରୁଛି ସେମାନେ ଚାହିଁଲେ ଦିବା ୧୦ଟାରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ହୋଇ ପାରିବ ନାହିଁ କାହିଁକି? ଏ ସବୁ ମନ୍ଦିର ପଣ୍ଡା ମାନଙ୍କ ନୀତି ଅବହେଳା ବ୍ୟତୀତ କିଛି ନୁହେଁ।
ରାଗରେ ଚାଲିଆସିଲି ,ସ୍ନାନ ମଣ୍ଡପରୁ ତଳକୁ । ତଳେଥାଇ ଭାବିଲି ଯେତବେଳେ ହେଉ ହେଉ ପଛେ ପ୍ରଭୁଙ୍କ ଗଜାନନ ବେଶ ତଳେ ଥାଇ ଦର୍ଶନ କରିବି।ବହୁ ସମୟ ବିତିଗଲା, ଗଜାନନ ବେଶର ଦେଖା ନାହିଁ । ଠିକ୍ ଏହି ସମୟରେ ମୁଁ ଲକ୍ଷ୍ୟ କଲି ବଡ଼ଦାଣ୍ଡ ରାସ୍ତାରେ ବହୁ ଦୂରରୁ ଘଣ୍ଟ ଘଣ୍ଟା ର ଶବ୍ଦ ଶୁଭୁଛି।ସେମାନେ ପାଖକୁ ପାଖକୁ ଆସିବାପରେ ଦେଖିଲି ,ଦୁଇଜଣ ବ୍ୟକ୍ତି ଏକ ବଡ଼ ବାଉଁଶରେ ତୁଳସୀ ଟାହିଆ ଧରି ପାଦରେ ଚାଲି ଚାଲି ଯାଉଛନ୍ତି , ଆଉଜଣେ ବ୍ୟକ୍ତି ଏକ ଘଣ୍ଟ ଧରି ଆଗରେ ଆଗରେ ଯାଉଛି । ମୋର ମନେହେଲା ସତେ ଯେମିତି ସେ ଘଣ୍ଟ ବଜେଇ ସମସ୍ତଙ୍କୁ ଜଣାଇ କହୁଛି , ଶୀଘ୍ର ଶୀଘ୍ର ରାସ୍ତା ଛାଡ,ମହାପ୍ରଭୁଙ୍କ ଟାହିଆ ଲାଗିବ, ତା ପରେ ମହାପ୍ରଭୁଙ୍କ ହାତୀ ବେଶ ହେବ। କିଛି ସମୟ ପରେ ପ୍ରଭୁଙ୍କ ତୁଳସୀ ଟାହିଆ ବେଶ ହେଲା ଏବଂ ତତ୍ ପରେ ପରେ ହେଲା ତିନି ଠାକୁରଙ୍କ ବହୁ ପ୍ରତିକ୍ଷୀତ ଗଜାନନ ବେଶ ।
ଆଃହା !! କି ସୁନ୍ଦର । ଧନ୍ୟ ସେ ଭକ୍ତ ,ସୁଦୂର କର୍ଣ୍ଣାଟକ ରୁ ଆସିଥିବା ଗଜାନନ ଭକ୍ତ ଗଣପତି ଭଟ୍,ଯାହାର ଭାବବେଶକୁ ସମ୍ମାନ ଦେଇ ପ୍ରତିବର୍ଷ ମହାପ୍ରଭୁ ଗଜାନନ ବା ହାତୀ ବେଶରେ ଦର୍ଶନ ଦେଇ ଆସୁଛନ୍ତି। ନିଜର ଇଷ୍ଟଦେବ ଗଜ।ନନଙ୍କୁ ପ୍ରଭୁଙ୍କ ଦର୍ଶନରେ ନ ପାଇ ସେ ନିରାଶରେ ଫେରି ଯାଉଥିଲେ , କିନ୍ତୁ ପର ମୁହୂର୍ତ୍ତରେ ସେ ଏହି ସ୍ନାନ ମଣ୍ଡପରେ ମହାପ୍ରଭୁ ତାଙ୍କୁ ଦେଖାଦେଲେ ଗଜାନନ ବେଶରେ । ମନୋକାମନା ତାଙ୍କ ପୂର୍ଣ୍ଣ ହୋଇଥିଲା ସେହି ଦିନ। ଜଗନ୍ନାଥ ପରୋକ୍ଷରେ କହିଦେଲେ "ରେ ବାୟା , ଯେଉଁ ପରଂବ୍ରହ୍ମଙ୍କୁ ତୁ ଖୋଜୁଛୁ , ତାକୁ ତୁ ମୋଠାରେ ହିଁ ପାଇବୁ, ମୁଁ ସେହି ପରଂବ୍ରହ୍ମ।
ମନେ ମନେ ଭାବିଲି, ଯଦି ମନ୍ଦିର ପଣ୍ଡାମାନେ ନୀତି ଅବହେଳା କଲେ ଯାତ୍ରା ବିଳମ୍ବିତ ହେବ ଠିକ୍,କିନ୍ତୁ ଯେଉଁ ସେବାକାରୀ ଯେଉଁମାନେକି ଜଗନ୍ନାଥଙ୍କ ପରମ ଭକ୍ତ ଦାସିଆ ବାଉରୀ ବଂଶଧର , ସେମାନେ କାହିଁକି ତାଙ୍କ କର୍ତ୍ତବ୍ୟରେ ହେଳା କରିବେ?କୌଣସି କାରଣରୁ ତାହା ସେ ଦିନ ତାଙ୍କର ତୁଳସୀ ଟାହିଆ ଦେବାରେ ବିଳମ୍ବ ହୋଇଥାଇ ପାରେ । ଯଦି ମନ୍ଦିରରେ ନୀତି ଶୀଘ୍ର ସମାପନ ହୋଇ ଥିଲେ ମହାପ୍ରଭୁ ସ୍ନାନ ପରେ ଶୂନ୍ୟ ମସ୍ତକରେ ରହିଥାନ୍ତେ । ନିୟମ ଅଛି ଦାସିଆ ବାଉରୀ ଗାଁରୁ ତୁଳସୀ ଟାହିଆ ନ ଆସିଲେ ମହାପ୍ରଭୁଙ୍କ ଗଜାନନ ବେଶ ହୋଇ ପାରିବ ନାହିଁ । ମୁଁ ଭାବୁଛି, ଟାହିଆ ବିଳମ୍ବରେହେବା ପୁର୍ବ ନିର୍ଦ୍ଧାରିତ । କେଉଁ ସମୟରେ କେଉଁ କାର୍ଯ୍ୟ ହେବ,କେତେବେଳେ ହେଵ ତାହା ସେହି ପରବ୍ରହ୍ମ ହିଁ ଜଣା । ପୁଣି ନୀତି ବିଳମ୍ବ ହେବା ବାବଦରେ ଯେଉଁ ଭ୍ରମ ମୋ ମନ ଭିତରେ ଥିଲା, ମହାପ୍ରଭୂ ମୋ ମନକଥା ଜାଣି ମୋର ସଂଶୟ ଦୂର କରିଛନ୍ତି। ମୁଁ ତେଣୁ ମୁଁ କହିବି
ଯାହା ମୁଁ ଦେଖୁଛି,
ଯାହା ମୁଁ କରଇ,
ଯାହା ମୁଁ ଚିନ୍ତଇ ମନେ
ଜଗତର ନାଥ
ସେ ତ ଜଗନ୍ନାଥ
ଜାଣୁ ଛନ୍ତି ପ୍ରତିକ୍ଷଣେ ।
ହେ ମହାବାହୁ , ହେ ବଳିୟାର ଭୁଜ, ହେ ଜଗତର ନାଥ ଜଗନ୍ନାଥ ତୁମ ପାଦେ ସତ ସତ ପ୍ରଣାମ,ପ୍ରଭୁ ସତ ସତ ପ୍ରଣାମ ।
ତୁମରି ଇଚ୍ଛାରେ ଚାଲେ ଏ ଜଗତ
ଆହେ ଶରଣ ରକ୍ଷଣ ମହାବାହୁ ।
ଭକ୍ତ ମନୋକାମନା ପୂର୍ଣ୍ଣ କରିଥାଅ
ଯୁଗେ ଯୁଗେ ତୁମ ନାମ ରହୁ ।
ଜୟ ଜଗନ୍ନାଥ, ଜୟ ମହାବାହୁ।
