ରାମଭକ୍ତ ଗୁଣ୍ଡୁଚି
ରାମଭକ୍ତ ଗୁଣ୍ଡୁଚି
ଏକାଗ୍ର ଚିତ୍ତରେ ଦେଖୁଥିଲେଟି ଜଣକୁ
ଯେବେ ଚାଲୁଥିଲା ସେତୁବନ୍ଧ କାମ,
ଛୋଟ ଜୀବଟିର ଭାବାବେଗକୁ ମାପି ଚାଲିଥିଲେ
ସେହି ଦଶରଥ ପୁତ୍ର ପୁରୁଷୋତ୍ତମ ଶ୍ରୀରାମ।
ରାମଙ୍କୁ ଦେଖି ଭାଇ ଲକ୍ଷ୍ମଣ ପଚାରିଲେ
କାହାକୁ ଦେଖୁଛନ୍ତି ନୀରବ ନିଶ୍ଚଳେ?
କିଏ ସେହି ଭାଗ୍ୟବାନ ରାମଙ୍କ ଧ୍ୟାନକୁ ଟାଣିଛି,
କିଏ ବା ଅଛି ଏହି ମହିତଳେ?
ଏଇ ଦେଖ ଲକ୍ଷ୍ମଣ , କେତେ ଛୋଟିଆ ଜୀବଟି
ଏକ ଗୁଣ୍ଡୁଚି ମୂଷା ଜୀବ ଅଟେ ସିଏ ସାନ,
ଶ୍ରମଦାନ କରେ ସେତୁବନ୍ଧ ପାଇଁ
ଛୋଟ ହୋଇ ମଧ୍ଯ ଅଟଇ ସେ ମହାନ ।
ଲକ୍ଷ୍ମଣ କହିଲେ ଯାହା ଦେଖୁଛନ୍ତି ଭାଇ
ସେଥିରେ ବାସ୍ତବତା କିଛି ନାହିଁ,
ହସି ଖେଳି ମଜା ନେଉଛି ସେ ସମୁଦ୍ର ବାଲିରେ
ସ୍ୱଷ୍ଠ ଭାବେ ଦେଖି ତ ପାରୁଛି ମୁହିଁ ।
ସତ୍ୟ କଥାଟି ତୁମେ ଯଦି ଜାଣିବାକୁ ଚାହଁ ଶ୍ରୀରାମ କହିଲେ ଚାଲ ତା ପାଖକୁ ଟିକେ ଯିବା,
କଅଣ ସେ କରୁଛି ସମୁଦ୍ର ବାଲିରେ
ସେ ଛୋଟିଆ ପ୍ରାଣୀ ଗୁଣ୍ଡୁଚିକୁ ପଚାରିବା ?
ରାମ ପଚାରିଲେ ଗୁଣ୍ଡୁଚିକୁ ଚାହିଁ
ତୋର ସେତୁବନ୍ଧେ କେଉଁ କାର୍ଯ୍ୟ ଏଠି ?
କେଉଁ ଉଦ୍ଦେଶ୍ୟରେ ତୁହି କାମରେ ଲାଗିଛୁ
ବାଲି ଝାଡି ତୁହି ହଲାଇ ତୋହର ପିଠି ?
ବିନତୀ ସ୍ୱରରେ ଗୁଣ୍ଡୁଚି କହିଲା
ମୁଁ ଯେ ଲଘୁ ପ୍ରାଣୀ ମୋ ଦ୍ଵାରା କି ଅବା ହେବ?
ବାଲିରେ ଘୋଷାରି ନେଉଛି ମୁଁ ଧୂଳି
ସେ ଧୂଳିରେ କି ସେତୁ ବନ୍ଧା ଯିବ?
ତଥାପି ପ୍ରଭୁ ହେ,କରୁଅଛି ମୁହିଁ
ଆପଣଙ୍କ କାର୍ଯ୍ୟ ଭାବି ରାଷ୍ଟ୍ରର କରମ,
ଅଧର୍ମ ଉପରେ ଧର୍ମ ବିଜୟର ଏ କାମ
କଲେ ସାର୍ଥକ ହେବ ମୋ ଗୁଣ୍ଡୁଚି ଜନମ ।
ମୋ ପରିଶ୍ରମର ମୂଲ୍ୟ ଯଦିଓ ନଗଣ୍ୟ
ସେ କାର୍ଯ୍ୟର ଅବା କୌଣସି ମାନେ ବା ନ ଥାଉ,
ଅନ୍ୟାୟ ଉପରେ ସତ୍ୟ ବିଜୟର ଏ କାମ କରୁଥିବି ସଦା ପ୍ରଭୁ ହେ ଏତିକି କରୁଣା ହେଉ ।
ଛୋଟିଆ ଗୁଣ୍ଡୁଚିର ଭକ୍ତି ଭାବନାକୁ ଦେଖି
ପ୍ରଭୁ ଖୁସିରେ ଗଦଗଦ ହେଲେ,
ପିଠିରେ ଆଉଁସି ଆଙ୍କିଦେଲେ ତିନିଗାର
ନିଜ ପ୍ରେମର ପ୍ରତୀକକୁ ଛାଡ଼ି ଦେଇ ଗଲେ ।
ଆଜି ବି ରହିଛି ଗୁଣ୍ଡୁଚି ଦେହରେ
ସେହି ରାମ ସ୍ନେହ ତିନି ଗାର,
ରାମକାର୍ଯ୍ୟ କରି ସେ କ୍ଷୁଦ୍ର ଜୀବଟି
ଚିରିଦିନ ପାଇଁ ପ୍ରଭୁଙ୍କୁ କରିଦେଲା ସେ ନିଜର ।
ଜୟ ଶ୍ରୀ ରାମ।
