ମଣ୍ଡୁକର ପ୍ରଭୁଭକ୍ତି
ମଣ୍ଡୁକର ପ୍ରଭୁଭକ୍ତି
ଦିନେ ଭଗଵାନ ରାମ ଏଵଂ ଲକ୍ଷ୍ମଣ ଏକ ସରୋବରରେ ସ୍ନାନ ପାଇଁ ନିଜର ଧନୁ ଏବଂ ତୁଣୀର କୁ ସରୋବର ନିକଟରେ ରଖି ପାଣି ଭିତରକୁଗଲେ। ସ୍ନାନ ପରେ ସେମାନେ କୂଳକୁ ଯେତେବେଳେ ନିଜର ଧନୁ ଏବଂ ତୁଣୀର ଉଠାଇବାକୁ ଲାଗିଲେ, ସେତେବେଳେ ଲକ୍ଷ୍ମଣ ଦେଖିଲେ ତାଙ୍କ ଧନୁରେ ରକ୍ତଛିଟା ଲାଗିଛି ।ସେ ରାମଙ୍କୁ କହିଲେ , ଭାଇ , ଜଣା ପଡ଼ୁଛି , ଆମ ଧନୁ ଦ୍ଵାରା କିଛି ହିଂସାତ୍ମକ କାର୍ଯ୍ୟ ଅଜାଣତରେ ହୋଇଯାଇଛି ।
ଯେତେବେଳେ ଦୁଇ ଭାଇ ଧନୁ ରଖିଥିବା ମାଟିରୁ କିଛି କାଢ଼ି ଦେଖିଲେ , ଏକ ମଣ୍ଡୁକ ମରଣାପର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି।ଭଗଵାନ ରାମ ତାକୁ ପଚାରିଲେ , ହେ ମଣ୍ଡୁକ, ଆମର ଧନୁ ତୀର ତୁମ ଉପରେ ରହିବା ସତ୍ତ୍ୱେ ତୁମେ କିଛି କହିଲ ନାହିଁ କାହିଁକି? ଅନ୍ତତଃ କିଛି ଚିତ୍କାର କିମ୍ୱା ଛଟପଟ ହୋଇ ଆମକୁ ଜଣାଇଥାନ୍ତ ? ଅଜାଣତରେ ଆମଦ୍ୱାରା ତୁମର ଏ ମରଣାସନ୍ନ ଅବସ୍ଥା ହୋଇଛି,ଆମକୁ କ୍ଷମା କର ।
ମଣ୍ଡୁକ ଉତ୍ତର ଦେଲା , ପ୍ରଭୁ , ଯେତେବେଳେ ସାପ ମୋତେ ଖାଇବାକୁ ଆସେ, ମୁଁ ଜୀବନ ରକ୍ଷା ପାଇଁ ଆପଣଙ୍କ ରାମ ରାମ ଉଚ୍ଚାରଣ କରିଥାଏ। ମୋର ଆକୁଳ ନିବେଦନ ଶୁଣି ଆପଣ ହେ ,ଦୟାନିଧାନ ଦୟା ପରବଶ ହୋଇ ମୋତେ ଶତ୍ରୁ କବଳରୁ ରକ୍ଷା କରିଥାନ୍ତି। କିନ୍ତୁ ଆଜି ଯେତବେଳେ ଦେଖିଲି, ସ୍ଵୟଂ ପ୍ରଭୁ ଶ୍ରୀରାମ ମୋ ଉପରେ ନଜର ଧନୁ ରଖିବାକୁ ମନ କରିଛନ୍ତି, ସେତେବେଳେ ଭାବିଲି, ଅହୋଭଗ୍ୟ ମୋର! ପ୍ରଭୁଙ୍କ ସେବା କେତେଜଣଙ୍କ ଭାଗ୍ୟରେ ଯୁଟେ? ଏହାଭାବି ମୁଁ ଆସନ୍ନ ବିପଦ ଥିବା ସତ୍ତ୍ବେ କୌଣସି ଚିତ୍କାର କଲିନାହିଁ । ଆପଣଙ୍କୁ ଛାଡ଼ି ଆଉ କୌଣସି ନାମ ଏ ତୁଣ୍ଡରେ ଆସିଲାନାହିଁ।
ପ୍ରଭୁ ରାମ , ମଣ୍ଡୁକର ଭକ୍ତିରେ ଅତ୍ୟନ୍ତ ପ୍ରସନ୍ନ ହେଲେ। ତାର ଏ ମରଣାସନ୍ନ ଅବସ୍ଥାରୁ ତାକୁ ଅଭୟ ପ୍ରଦାନ କଲେ।
