Jyotiranjan Sahu

Tragedy Drama

3  

Jyotiranjan Sahu

Tragedy Drama

ତୁମ ଅପେକ୍ଷାରେ- ୦୫

ତୁମ ଅପେକ୍ଷାରେ- ୦୫

5 mins
490



ଆଇନା ଆଗରେ ନିଜକୁ ଅତି ସତର୍କତାର ସହ ଦେଖୁଥାନ୍ତି କଲ୍ୟାଣୀ । ଅସ୍ତବ୍ୟସ୍ତ କେଶରାଶିକୁ ଅସ୍ତବ୍ୟସ୍ତ ଶରୀରର ବସ୍ତ୍ର । ମନରେ ଅହରହ ଚାଲିଥାଏ ମାନସ ମନ୍ଥନ । ଠିକ୍ ଆଉ ଭୁଲ୍ ର ଦ୍ବିଛକିରେ ଛିଡାହୋଇ ପ୍ରଶ୍ନ କରିଚାଲିଥାନ୍ତି ନିଜକୁ ନିଜେ । ଏପଟେ ଅମାନିଆ ଲୁହର ଉଛୁଳା ନଈଟା ବାରମ୍ବାର କୂଳଲଂଘି ମାଡିଯାଉଥାଏ କଲ୍ୟାଣୀଙ୍କର ବିନା ଅନୁମତିରେ । ସିନ୍ଥିରେ ଚହଟୁଥିବା ରକ୍ତ ସିନ୍ଦୁରଟାର ବିକଟାଳ ଅଟ୍ଟହାସ୍ୟ ବାରମ୍ବାର ବିବ୍ରତ କରିଚାଲିଥାଏ କଲ୍ୟାଣୀଙ୍କୁ । ଏବେଏବେତ ସିଏ ବାଟଚାଲିଶିଖିଥିଲେ ଦୁନିଆଁ ଦାଣ୍ଡରେ ଆଦିତ୍ୟଙ୍କର ହାତଧରି । ଏବେଏବେତ ସିଏ ପ୍ରେମର ଅଢେଇ ଅକ୍ଷର ଲେଖିବା ଶିଖୁଥିଲେ ଆଦିତ୍ୟଙ୍କର ତତ୍ତ୍ବାବଧାନରେ । ଆଦିତ୍ୟଙ୍କର ସେହି ହସହସ ମୁହଁଟାକୁ ମନେପକାଇ ପାଗଳିନୀ ପରି ହୋଇଉଠୁଥାନ୍ତି କଲ୍ୟାଣୀ । ମନ ମସ୍ତିଷ୍କ ଆଉ ଶରୀର କାହାର ଆଜି କାହାରି ଉପରେ ନିୟନ୍ତ୍ରଣ ନାହିଁ । ସଭିଁଙ୍କ ଜୀବନରେ ଏପରି ସମୟଟିଏ ନିଶ୍ଚୟ ଆସେ ଯେଉଁଦିନ ମନ ମସ୍ତିଷ୍କ ଶରୀର ବଚନ ସମସ୍ତେ ଅନିୟନ୍ତ୍ରିତ ହୋଇଉଠନ୍ତି । ଆଜି କଲ୍ୟାଣୀର ଏପରି ଅବସ୍ଥା ଦେଖି ସ୍ବୟଂ ବିଧାତା ମଧ୍ୟ ଆଙ୍କିଦେଇଥିବେ ସ୍ବକୃତ ବିଧାନ ଉପରେ ବିରାଟ ଗୋଟିଏ ପ୍ରଶ୍ନ ଚିହ୍ନ । 


          ଏଇତ କିଛିମାସ ପୂର୍ବରୁ ପାଦରେ ନାଲି ଅଳତା ସିନ୍ଥିରେ ନାଲି ସିନ୍ଦୁର ହାତରେ ନାଲି ମେହେନ୍ଦି ଆଉ ନାଲି ପାଟ ଶାଢୀଟେ ପିନ୍ଧି କଲ୍ୟାଣୀ ବିଦାୟ ଜଣାଇଥିଲା ନିଜର କୁମାରିତ୍ବକୁ ଆଦିତ୍ୟଙ୍କର ହାତଧରି । ପୂର୍ଣ୍ଣିମାର ଚାନ୍ଦ ପରି ଶରୀରରେ ନାଲି ପାଟଶାଢୀଟା କଲ୍ୟାଣୀଙ୍କୁ ଖୁବ୍ ମାନୁଥିଲା । ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଏହି ପ୍ରେମ ପକ୍ଷୀ ଦୁହିଁଙ୍କୁ ପରିଜନମାନେ ଓଜାଡି ଦେଇଥିଲେ ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭ କାମନା । ହେଲେ ଦିନ କେଇଟାର ଦାମ୍ପତ୍ୟ ଜୀବନକୁ ସତେଯେପରି କାହାର ନଜର ଲାଗିଗଲା । ପ୍ରେମ ପ୍ରଣୟର ଅଧ୍ୟାୟରେ ହଠାତ୍ ମାଡିଆସିଲା ଦୁଃଖର କଳା ବାଦଲ ଯେତେବେଳେ ଜଣାପଡିଲା ଆଦିତ୍ୟ ରକ୍ତ କର୍କଟରେ ପୀଡିତ । ଆଶା ସମ୍ଭାବନା ଆଉ ଶତ ଚେଷ୍ଟା ଉପରେ ତାଚ୍ଛଲ୍ୟ ଭରା ହସଟେ ହସିଦେଇ ମୃତ୍ୟୁ ସେଦିନ ଚିରସଙ୍ଗିନୀ ହୋଇଗଲା ଆଦିତ୍ୟଙ୍କର । ଅଶ୍ରୁର ବୈତରଣୀରେ ଭାସିଗଲେ ପରିଜନ ଆଉ ତାସହ ଭାସିଗଲା କଲ୍ୟାଣୀଙ୍କର ସବୁ ଆଶା ଭରସା ଏବଂ ସ୍ବପ୍ନ । ଆଦିତ୍ୟଙ୍କର ଅକାଳ ବିୟୋଗଟା କଲ୍ୟାଣୀଙ୍କୁ ହତଭାଗିନୀର ପରିଚୟ ଦେଇ ଚାଲିଗଲା । ଏହି ଦୁନିଆଁ ଭିଡରେ କଲ୍ୟାଣୀ ଆଜି ଏକାକିନୀ । 


         ଆଜି ହାତର ଚୁଡି ସିନ୍ଥିର ସିନ୍ଦୁର ଆଖିର କଜଳ ସବୁ ଲାଗୁଛି ଫିକାଫିକା । ସତେ ଯେପରି ମନୋରମ ଅଶୋକବାଟିକା ଭିତରେ ମୌନ ଜାନକୀ । ତେବେ ସଂସାର ର କଠୋର ସତ୍ୟକୁ ମାନିନେବାକୁ କଲ୍ୟାଣୀ କିନ୍ତୁ ଅନିଚ୍ଛୁକ । ଅନିଚ୍ଛୁକ ତାଙ୍କ ଯୌବନକୁ ବେଢିଧରିଥିବା ନାଲି ଶାଢୀକୁ ଅନାବୃତ କରି ଏଦୁନିଆଁ ଦେଉଥିବା ଶ୍ବେତରଙ୍ଗରେ ନିଜକୁ ଲୁଚାଇରଖିବାକୁ । ସେଥିପାଇଁ ବାରମ୍ବାର ସେହି ଧଳା ଶାଢୀଟିକୁ ଦୁଇ ହାତରେ ବେଡ୍ ଉପରେ ରଖିଦେଇ ପୁଣି ଧରିବାକୁ ଚେଷ୍ଟା କରୁଛନ୍ତି କଲ୍ୟାଣୀ । ମନ ମାନୁନାହିଁ କି ସଂସାରର ପରମ୍ପରା ତାଙ୍କୁ ଛାଡୁନାହିଁ । ଏହିପରି ଏକ ଚକ୍ରବ୍ୟୁହ ଭିତରେ ସେ ଆଜି ସାଜିଛନ୍ତି ଏକକ ଅଭିମନ୍ୟୁ ; ନିରସ୍ତ୍ରା ନିସ୍ତେଜା ଆଉ ନିର୍ବଳା । କିଏ ତାଙ୍କୁ ଆଉ ଦେବ ମାନସିକ ବଳ, ଭଗ୍ନମନୋରଥକୁ ଆଶ୍ବାସନାର ସାହାରା ଆଉ ଭାଙ୍ଗିଯାଇଥିବା ସ୍ବପ୍ନକୁ ସାଉଁଟି ଦେବାର ଭରସା । ଆଇନା ଆଗରେ ନିଜର ରୂପବି ଆଜି କୁତ୍ସିତ ଦେଖାଯାଉଥିଲା କଲ୍ୟାଣୀଙ୍କୁ । କାଚ ଆଇନାର ସେପାଖରେ ବୋଧହୁଏ ଆଉ କଲ୍ୟାଣୀ ନଥିଲେ ଥିଲା ଗୋଟିଏ ଶ୍ବେତ ବସ୍ତ୍ରରେ ଆବୃତ୍ତ ଠିକ୍ କଲ୍ୟାଣୀଙ୍କ ପରି ନାରୀଟିଏ ଯାହାକୁ ଦେଖି କଲ୍ୟାଣୀ ଚିତ୍କାର କରି ଗଡିପଡିଲେ ବେଡ୍ ଉପରେ । ଏଥର ହଠାତ୍ ତାଙ୍କୁ ଲାଗିଲା ସତେ ଯେପରି କିଏ ତାଙ୍କୁ ଡାକୁଛି । ଧୀରେଧୀରେ ସେହି ଏକାନ୍ତ ରୁମ୍ ର ବେଡ୍ ଉପରୁ ତକିଆ ଆଢୁଆଳରେ ଦେଖିବାକୁ ଚେଷ୍ଟାକଲେ କଲ୍ୟାଣୀ କିଏ ତାଙ୍କୁ ଡାକୁଛି ? ଅନୁଭବ ହେଲ‍ା ସତେ ଯେପରି ଆଦିତ୍ୟ ଏଇଠି କେଉଁଠି ଅଛନ୍ତି ! ବେଡ୍ ରୁ ଉଠିପଡି ଚିତ୍କାର କରି ଉଠିଲେ କଲ୍ୟାଣୀ । କହିଲେ " କଣ ପାଇଁ ମୋତେ ତୁମେ ଠକିଦେଇ ଚାଲିଗଲ ଆଦିତ୍ୟ ? ସାତ ଜନ୍ମ ପାଇଁ ହାତ ଧରିବାକୁ କଥାଦେଇ ଗୋଟିଏ ଜନ୍ମ ବି ସାଥି ଦେଇପାରିଲ ନାହିଁ "? କଲ୍ୟାଣୀଙ୍କ ଚିତ୍କାରରେ ଦୌଡି ଆସିଲେ ପରିଜନ କିଛି ଗୋଟିଏ ଅଘଟଣର ପୂର୍ବାନୁମାନ କରି । କଲ୍ୟାଣୀଙ୍କ ଦୁଆର ପାଖରେ ଛିଡାହୋଇ ସମସ୍ତେ ମିଶି ଖୁବ୍ ଜୋର ରେ ଡାକମାରିଲେ କଲ୍ୟାଣୀଙ୍କୁ । ହେଲେ ଭିତରଟା ଲାଗୁଥିଲା ନୀରବ ନିସ୍ତବ୍ଧ । କିଛି ସମୟର ଅନ୍ତରାଳ ପରେ କଲ୍ୟାଣୀ ନିଜକୁ ଆବଦ୍ଧ କରିରଖିଥିବା କୋଠରୀଟିର କବାଟଟା ବଳପୂର୍ବକ ଖୋଲାଗଲା । ଉନ୍ମୁକ୍ତ ଦ୍ବାରର ସେପାଖରୁ ସମସ୍ତେ ଦେଖିଲେ ଭୂଇଁ ଉପରେ ପଡିଥିବା କଲ୍ୟାଣୀଙ୍କର ନିସ୍ତେଜ ଶରୀରଟିକୁ । ମୁହଁରେ ତାଙ୍କର ଖେଳିବୁଲୁଥିଲା ପ୍ରଚଣ୍ଡ ନିରବତା । ସେଥିରେ ପୁଣି ଶୁଖିଆସିଥିବା ଲୋତକ ଧାରାର ପଛେପଛେ ଝାପ୍ସା କଜଳର ପଦଚିହ୍ନ । ଏହିସବୁ ଭିତରେ ମୃତ୍ୟୁ କିନ୍ତୁ ଜିଣିପାରିନଥିଲା ଜୀବନକୁ ସଂଗ୍ରାମରେ କି ଜୀବନବି ହାରିଯାଇନଥିଲା ମୃତ୍ୟୁସହ ସଂଗ୍ରାମରେ । ଏବେବି ରହିରହି କଲ୍ୟାଣୀଙ୍କର ବକ୍ଷଟା ସୂଚାଇ ଦେଉଥିଲା କଲ୍ୟାଣୀ ଜୀବିତ ବୋଲି । କିନ୍ତୁ ସେ ଥିଲେ ନିଶ୍ଚେତ । ସାମୟିକ ଚିକିତ୍ସା ପରେ ଧୀରେଧୀରେ ଆଖି ଖୋଲିଲେ କଲ୍ୟାଣୀ । ସଂଜ୍ଞା ଫେରୁଫେରୁ ପୁଣି ଚିତ୍କାର କରି କଲ୍ୟାଣୀ କହିଲେ " ନା ନା ! ନା ବାପା ମୁଁ ବିଧବା ନୁହେଁ । ମୁଁ ପିନ୍ଧିପାରିବିନି ସେ ଧଳା ଶାଢୀ । ନା ମୁଁ ଲିଭାଇଦେଇ ପାରିବି ମୋ ମଥାରୁ ତାଙ୍କ ନାଁର ସିନ୍ଦୁର ନା ଭାଙ୍ଗିଦେଇପାରିବି ତାଙ୍କ ନାଁ ର ଶଂଖା । ମା ମୋତେ କ୍ଷମା କର ; ମୋତେ କ୍ଷମା କର " । କଲ୍ୟାଣୀଙ୍କର ବ୍ୟାକୁଳତାରେ ଶିହରୀ ଉଠିଲେ ଆଦିତ୍ୟଙ୍କର ବାପା । କିନ୍ତୁ କଲ୍ୟାଣୀଙ୍କ ଶାଶୂ ! ! ସେ ଥିଲେ ନିରବ । ସେ ନିରବତାରେ ଝଲସୁନଥିଲା ସମ୍ମତିର ଛାପ । ଲାଗୁନଥିଲା କଲ୍ୟାଣୀଙ୍କର ଏତାଦୃଶ ବ୍ୟବହାରରେ ସେ ଏକମତ । ଶ୍ବଶୁରଙ୍କର ଆଶ୍ଵାସନା ପରେ ମଧ୍ୟ ଶାଶୂଙ୍କର ନିରବତା କଲ୍ୟାଣୀଙ୍କ ମନକୁ ଅଶାନ୍ତ କରିଦେଲା । ଅଶାନ୍ତ ମନ ଆଉ ବ୍ୟାକୁଳ ସ୍ବରରେ କଲ୍ୟାଣୀ ତାଙ୍କ ଶାଶୂ ମା' ଙ୍କୁ କହିଲେ " ମା' ! ସାତ ଦିନର ପରିଚୟ ଭିତରେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମକୁ ସାଥି ଦେବାପାଇଁ ଉଭୟ ଉଭୟେଙ୍କୁ କଥା ଦେଇଛୁ । କେମିତି କଥା ଭାଙ୍ଗିଦେବି ! କେମିତି ତାଙ୍କ ନାଁରେ ମଥାର ସିନ୍ଦୁର ହାତର ଶଂଖାକୁ ନିଜଠୁ ଦୂରେଇ ଦେବି ! ଆଖି ଆଗରୁ ଚାଲିଗଲେ ବୋଲି କଣ ମନ ଶରୀର ସ୍ମୃତି ଆଉ ଆତ୍ମା ; ସବୁଥିରୁ ତାଙ୍କୁ ଦୂରେଇଦେବି ! ସମ୍ପର୍କର ବାଟ ଟା କ'ଣ ଏତିକି ରେ ସରିଗଲା ! ଏ ସମ୍ପର୍କଟା ପରା ମନ ଶରୀର ଆଉ ଆତ୍ମାର । ତେବେ କେମିତି ସମ୍ପର୍କକୁ ତୁଟାଇ ନିଜକୁ ବିଧବାର ପରିଚୟ ଦେବି ! ଶରୀର ସହ କଣ ସମ୍ପର୍କଟାବି ମରିଯାଏ ! ଯଦି ମରିଯାଏ ତେବେ ମୁଁ ବିଶ୍ବାସ କରେନା ସମାଜର ଲକ୍ଷ୍ମଣ ରେଖା । ମୁଁ ମାନିବାକୁ ପ୍ରସ୍ତୁତ ନୁହେଁ ସମାଜ ସ୍ବୀକୃତ ପରମ୍ପରା । ମୁଁ ତ ତାଙ୍କୁ ଅପେକ୍ଷା କରିଛି ଜୀବନର ଶେଷ ଯବନିକା ପଡିବା ପର୍ଯ୍ୟନ୍ତ । ଜାଣନ୍ତି ମା' ସେଦିନ ରାତିରେ ସିଏ ମୋଠାରୁ ବିଦାୟ ନେବା ପୂର୍ବରୁ ବିକଳରେ ମୋ ହାତଧରି କହିଲେ ' କଲ୍ୟାଣୀ ମୁଁ ତୁମକୁ ଛାଡି ଚାଲିଗଲି ବୋଲି କଣ ମନ ଊଣା କରୁଛ ! ନା ' କଲ୍ୟାଣୀ ! ମୁଁ ସବୁବେଳେ ତୁମ ପାଖେ ପାଖେ ଅଛି । ଶରୀରଟା ସିନା ତୁମଠାରୁ ଦୂରେଇଯିବ କଲ୍ୟାଣୀ ତୁମେ କିନ୍ତୁ ତୁମଠାରୁ ମୋତେ ଦୂରେଇ ଦେବନି । ଜୀବନର ସେପାଖରେ ମୁଁ ତୁମକୁ ହିଁ ଅପେକ୍ଷା କରିଥିବି । ମୋ କଲ୍ୟାଣୀ ଆସିବ ! ମୋ କଲ୍ୟାଣୀ ଆସିବ... ' ! ସେଥିପାଇଁ ମା' ମୁଁ ଏହି ରୂପରେ ହିଁ ବଞ୍ଚିବାକୁ ଚାହେଁ ଜୀବନ ଉପରେ ମୃତ୍ୟୁର ବିଜୟ ହେବା ପର୍ଯ୍ୟନ୍ତ । କାହିଁକିନା ତାଙ୍କ ସହ ପୁଣି ଯେତେବେଳେ ଯେଉଁ ଅବସ୍ଥାରେ ବି ଦେଖାହେବ ମୁଁ ତାଙ୍କୁ କହିବି ' ଦେଖ ଆଦିତ୍ୟ ! ଆଜି ପର୍ଯ୍ୟନ୍ତ ମୋ ମଥାର ସିନ୍ଦୁର ହାତର ଶଂଖା ଦେହର ନାଲିଶାଢୀଟା ଖାଲି ତୁମରି ନାଁରେ ବଞ୍ଚି ଛନ୍ତି । ତୁମକୁ ଦେଇଥିବା ବଚନ ଆଉ ତୁମର ସ୍ମୃତିକୁ ନେଇ ମୁଁ ଆଜି ମୃତ୍ୟୁ ପର୍ଯ୍ୟନ୍ତର ବାଟକୁ ଅତିକ୍ରମଣ କରିଛି । ଏଇ ଯେଉଁ ତୁମ ନାଁର ଶଂଖା ଆଉ ସିନ୍ଦୁର ; ଦିନ ରାତି ସେମାନେ ମୋତେ ମନେପକାଇ ଦିଅନ୍ତି ଯେ ତୁମେ କହିଥିଲ କଲ୍ଯାଣୀ ! ଜୀବନର ସେପାଖରେ ମୁଁ ଥିବି ତୁମ ଅପେକ୍ଷାରେ " । ଏତିକି କହି ବାକ୍ ଶୂନ୍ୟ ହୋଇପଡିଲେ କଲ୍ୟାଣୀ । ପ୍ରତିକ୍ରିୟାହୀନ ତାଙ୍କର ମୁଖମଣ୍ଡଳରେ ଝଲସିଉଠୁଥିଲା ଆତ୍ମତୃପ୍ତି । ମନରେ ନାହିଁ ଆଉ ଅଶାନ୍ତ ସମୁଦ୍ର ର ଛାପ । ଏବେ ଲାଗୁଛି ଯେପରି ମନଟା ସାଲିସ୍ କରିନେଇଛି ସମୟ ଆଉ ପରିସ୍ଥିତି ସହ । ଏତେସବୁ ଭିତରେ ଏଦୁନିଆଁ ପାଇଁ ଦୃଷ୍ଟିକଟୁ ସାଜୁଥିବା କଲ୍ୟାଣୀଙ୍କ ନାଲିରଙ୍ଗର ସେହି ପାଟଶାଢୀଟାକୁ ପୁଣି ଥରେ ନିଜ ହାତରେ ସଜାଡି ଦେଉଦେଉ ଆଦିତ୍ୟଙ୍କ ମା' କହିଲେ " ତୋ ଶଂଖା ଆଉ ମଥାର ସିନ୍ଦୁର ସବୁଦିନ ଏହିଭଳି ଚହଟୁଥାଉ " । ଏତିକି କହି ସେ ନିଜ ହାତର ଶଂଖା କୁ କାଢି ପିନ୍ଧାଇଦେଲେ କଲ୍ୟାଣୀଙ୍କୁ । ସମସ୍ତେ ହତବାକ୍ ଶାଶୂ ବୋହୂଙ୍କର ଏଭଳି ଅବତାର ଦେଖି । ଏପଟେ ଆତ୍ମୀୟଙ୍କର ସ୍ବୀକୃତିରେ କଲ୍ୟାଣୀ ଲେଖୁଥାଆନ୍ତି ପରମ୍ପରାର ଏକ ନୂତନ ଅଧ୍ୟାୟ ॥


( କଥାଟି ତ୍ରୟମାସିକ ଓଡିଆ ସାହିତ୍ୟ ଇ-ପତ୍ରିକା 'ଶୁଭ ପଲ୍ଲବ'ର 'ଅକ୍ଟୋବର-ନଭେମ୍ବର-ଡିସେମ୍ବର' ସଂଖ୍ୟାରେ ପ୍ରକାଶିତ )


Rate this content
Log in

Similar oriya story from Tragedy