Lata Behera

Abstract

4  

Lata Behera

Abstract

ତୁଳସୀ

ତୁଳସୀ

7 mins
358



ଦେବ ଓ ଦାନବ ଭିତରେ ସଦା ସର୍ବଦା ସଂଘର୍ଷ ଲାଗି ରହି ଥାଏ । ରାକ୍ଷସଙ୍କ ଗୁରୁ ଶୁକ୍ରାଚାର୍ଯ୍ୟଙ୍କର ମୃତ୍ୟୁ ସଞ୍ଜୀବନି ବଳରେ ଦୈତ୍ୟମାନେ କାହାକୁ ମାନୁ ନ ଥିଲେ । ତ୍ରିପୁର ବିଜୟୀ ହେଉଥିଲେ । ସେହି ପରି ଏକ ରାକ୍ଷାସ ଥିଲା ଯାହାର ନାମ ଜଳନ୍ଧର । ସିଏ ଜଳ ଦେବତା ସାଗରରୁ ଜନ୍ମ ହୋଇଥିବାରୁ ବରୁଣ ଦେବତା ତା ନାମ ରଖିଥିଲେ ଜଳନ୍ଧର । ସିଏ ବିଷ୍ଣୁଙ୍କର ଏକ ଅଂଶ ଥିବାରୁ ଅଧିକ ଶକ୍ତିଶାଳୀ ହୋଇ ପଡିଥିଲା । ତାଙ୍କୁ ଲକ୍ଷ୍ମୀଙ୍କର ଭାଇ ମଧ୍ୟ କୁହାଯାଏ । କାହିଁକି ନା ସାଗର ଦୁଲଣୀ ହେଉଛି ମହାଲକ୍ଷ୍ମୀ । ସିଏ ତ୍ରିପୁର ବିଜୟୀ ହେବା ସହିତ ଅମର ରହିବା ପାଇଁ ଚାହୁଁ ଥିଲା । ତେଣୁ ଗୁରୁଙ୍କର କଥା ଅନୁସାରେ ସିଏ ଏକ ସତୀ କନ୍ୟାଙ୍କୁ ବିବାହ କରିବାକୁ ଚାହିଁଲେ । କାରଣ ସତୀ କନ୍ୟାଙ୍କୁ ବିବାହ କଲେ ସିଏ କେବେ ବିଧବା ହେବନି । ଏବଂ ସହଜରେ ଅମରତ୍ବ ହେଇ ରହିବ ସେ ଯୁଗ ଯୁଗ ପାଇଁ । ତେଣୁ ସିଏ ତୁଳସୀଙ୍କୁ ବିବାହ କରିଥିଲେ । ଯାହାଙ୍କର ଅନ୍ୟ ନାମ ଥିଲା ବୃନ୍ଦାବତୀ । ବୃନ୍ଦାବତୀଙ୍କୁ ବିବାହ କରି ଦୈତ୍ୟ ଆଉ ଇନ୍ଦ୍ର ଚନ୍ଦ୍ର ମାନିଲାନି । ତାର ଉପଦ୍ରବ ବେଳୁ ବେଳ ବଢିବାକୁ ଲାଗିଲା । ଦେବତାମାନେ ତା ଅତ୍ୟାଚାରରେ ଅଧିଷ୍ଠ ହେଇ ପଡିଲେ ଏବଂ ବ୍ରହ୍ମାଙ୍କ ପାଖକୁ ଯାଇ ରାକ୍ଷସ କବଳରୁ ରକ୍ଷା କରିବାକୁ କହିଲେ । ପିତାମହ ବ୍ରହ୍ମା ଚିନ୍ତିତ ହେଇ ପଡିଲେ । ଏ ସମୟରେ ନାରଦ କହିଲେ କିଛି ଚିନ୍ତା କରିବାର ନାହିଁ ।ରାକ୍ଷସ ନିଶ୍ଚତ ମରିବ । ଏତିକି କହି ନାରଦ ମନ ଯାନରେ ଜଳନ୍ଧର ରାକ୍ଷସ ପାଖକୁ ଗଲେ । ସେତେବେଳକୁ ଜଳନ୍ଧର ବ୍ରହ୍ମ ପୁର ଆକ୍ରମଣ କରିବାକୁ ଉଦ୍ୟତ ହେଉ ଥିଲା । କାହିଁକି ନା ଲକ୍ଷ୍ମୀ ତାଙ୍କ ଭଉଣୀ ଥିବାରୁ ସିଏ ବିଷ୍ଣୁପୁର ଆକ୍ରମଣ ନ କରି ବ୍ରହ୍ମପୁର ତଥା କୈଳାସ ପୁର ଆକ୍ରମଣ କରିବାର ସିନ୍ଧାନ୍ତ ନେଇ ସାରି ଥିଲା । ନାରଦଙ୍କୁ ଦେଖି ଜଳନ୍ଧର ପ୍ରଣାମ କରି ଆଗମନର କାରଣ ପଚାରିଲା । କଳିହା ନାରଦ କହିଲେ ଆପଣ କୁଆଡେ ବୋଧେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ? ଜଳନ୍ଧର କହିଲା ବ୍ରହ୍ମପୁର । ନାରଦ କହିଲେ ବ୍ରହ୍ମ ପୁର ଅପେକ୍ଷା କୈଳାସ ପୁର ଅତୀବ ସୁନ୍ଦର । ସତେ ଯେମିତି ସିଏ ସ୍ୱରାଗର ଅମରାବତୀ । ଆଉ ଶିବଙ୍କ ପତ୍ନୀ ହେଉଛନ୍ତି ଅନିନ୍ଦ୍ୟ ସୁନ୍ଦରୀ । ତିନି ପୁରେ ଏମିତି ସୁନ୍ଦରୀ ଦିବା ସ୍ୱପ୍ନ । ଏହା ଶୁଣି ଦୈତ୍ୟ ରାଜ ପାର୍ବତୀଙ୍କୁ ପାଇବା ଲୋଭରେ କୈଳାସ ପୁର ଆକ୍ରମଣ କଲେ । ଏଇ କଥା ଜାଣି ସତୀ ଲୁଚି ଗଲେ । ଜଳନ୍ଧର ଓ ଦେବ ଦେବ ମହାଦେବଙ୍କର ବର୍ଷ ବର୍ଷ ଧରି ଯୁଦ୍ଧ ଚାଲିଲା । ନା ରାକ୍ଷାସ ପଛ ଘୁଞ୍ଚା ଦେଲା । ନା ଶିବ ଜିତି ପାରିଲେ । ସଦାଶିବ ଅଧୈର୍ଯ୍ୟ ହେଇ ଗଲେ । ଜଳନ୍ଧର ପାଖରେ ଶିବଙ୍କର କୌଣସି ଅସ୍ତ୍ର କାମ କଲାନି । ନା ପାଶୁପତ ନା ତ୍ରିଶୂଳ । ଏଇ ସମୟରେ ନାରଦ ପ୍ରବେଶି କହିଲେ ଯେ ପର୍ଯ୍ୟନ୍ତ ଜଳନ୍ଧରରଙ୍କର ପତ୍ନୀଙ୍କ ସତୀତ୍ବ ନଷ୍ଟ ନ ହୋଇଛି , ସେ ପର୍ଯନ୍ତ ରାକ୍ଷସର ମୃତ୍ୟୁ କଦାପି ହେବ ନାହିଁ । ଶିବଙ୍କୁ ଯୁଦ୍ଧରେ ପରାସ୍ତ କରି ନ ପାରି ଜଳନ୍ଧର ଶିବଙ୍କ ପତ୍ନୀଙ୍କୁ ପାଇ ପାରିବେନି । କିନ୍ତୁ ଜଳନ୍ଧର କୌଣସି ଦିବ୍ୟ ଅସ୍ତ୍ର ଶିବଙ୍କୁ ମାରି ପାରିଲାନି । ଏପଟେ ଜଳନ୍ଧରର ବି ବହୁତ ଚିନ୍ତା ବଢିଗଲା । ଶିବଙ୍କୁ ନ ମାରିଲେ ସିଏ ପାର୍ବତୀଙ୍କୁ ପାଇ ପାରିବେନି । ହେଲେ ଶିବ ଯେ ମରୁ ନାହାଁନ୍ତି । ସବୁ ଅସ୍ତ୍ର ବ୍ୟର୍ଥ ହେଇ ଯାଉଛି । ଉଭୟେ ଚିନ୍ତାରେ ରହି ଗଲେ । ଏଥିରୁ ଉଦ୍ଧାର ହେବା ପାଇଁ ଦେବ ଦେବ ମହାଦେବ ବିଷ୍ଣୁଙ୍କୁ ସ୍ମରଣ କଲେ । କେମିତି ଉପାୟ କରି ବୃନ୍ଦାବତୀଙ୍କର ସତୀତ୍ବକୁ ନଷ୍ଟ କରାଯାଉ । ନ ହେଲେ ଏଇ ରାକ୍ଷସ କେବେବି ମରିବନି । ବିଷ୍ଣୁ ଆଶ୍ବାସନା ଦେଇ କହିଲେ ପ୍ରଥମେ ମୁଁ ବୃନ୍ଦାବତୀଙ୍କ ପ୍ରତି ଅନ୍ୟାୟ ବା ଅସତ୍ ଆଚରଣ କରି ପାରିବିନି । ଯଦି ଜଳନ୍ଧର ପ୍ରଥମେ ଏମିତି କିଛି ଅନ୍ୟାୟ ପଦକ୍ଷେପ ନିଏ, ତାହାହେଲେ ମୁଁ ଜଗତର ରକ୍ଷା ପାଇଁ ବୃନ୍ଦାବତୀଙ୍କ ସତୀତ୍ବକୁ ନଷ୍ଟ କରି ଦେବି । ଆଉ ତା ପରେ ଯାଇ ଜଳନ୍ଧର ମରିବ । ଏହା ଶୁଣି ନାରଦ ନାରାୟଣ ନାରାୟଣ କହି ଜଳନ୍ଧରଙ୍କ ପାଖରେ ପହଞ୍ଚି କହିଲେ - ହେ ଦୈତ୍ୟ ରାଜ । ରାକ୍ଷସ କୁଳର ଶିରୋମଣି । ଶିବଙ୍କୁ ନ ମାରି ପାରିଲେ ଏହା ସମଗ୍ର ରାକ୍ଷସ କୁଳ ପ୍ରତି ଅସମ୍ମାନ ହେବ । ଯୁଗ ଯୁଗ ପାଇଁ କଳଙ୍କ ଲାଗି ଯିବ । ଏ ସାରା ଜଗତ ତୁମର ଜୟ ଜୟକାର ବଦଳରେ ନିନ୍ଦା କରିବ । ଯଦି ତୁମ୍ଭେ ଶିବଙ୍କୁ ବଧ କରିବାକୁ ଚାହୁଁଛ , ତାହାହେଲେ ପ୍ରଥମେ ସେଇ ଶିବଙ୍କ ପତ୍ନୀ ପାର୍ବତୀଙ୍କ ସତୀତ୍ବକୁ ନଷ୍ଟ କରିବାକୁ ପଡିବ । ଯେ ପର୍ଯ୍ୟନ୍ତ ପାର୍ବତୀଙ୍କ ସତୀତ୍ବ ନଷ୍ଟ ନ ହେଇଛି ସେ ପର୍ଯ୍ୟନ୍ତ ଶିବ ଙ୍କୁ କେହିବି ମାରି ପାରିବେନି । ଆସୁଛି । ନାରାୟଣ ନାରାୟଣ କହି ନାରଦ ଚାଲି ଗଲେ । ଜଳନ୍ଧର ଚିନ୍ତା କଲେ ଯେମିତି ହେଲେ ସିଏ ପାର୍ବତୀଙ୍କର ସତୀତ୍ବକୁ ନଷ୍ଟ କରି ଦେବେ ।

    ଏହା ଚିନ୍ତା କରି ସିଏ ଏକ ମାୟାର ଜଳନ୍ଧର ସୃଷ୍ଟି କରିଲା । ଯିଏକି ଶିବଙ୍କ ସହିତ ଯୁଦ୍ଧ କରିବାକୁ ଲାଗିଲା । ଏବଂ ନିଜେ ଶିବଙ୍କୁ ରୂପ ଧରି ପାର୍ବତୀଙ୍କ ପାଖକୁ ଯାଇ ପୀରତି ଭିକ୍ଷା କଲା । ପାର୍ବତୀ ଆଶ୍ଚର୍ଯ୍ୟ ହେଇଗଲେ । ଯୁଦ୍ଧରେ ଜଳନ୍ଧର ବଧ ହେଲା ବୋଲି ପଚାରିଲେ । ଶିବ ରୂପୀ ଜଳନ୍ଧର କହିଲା , ଦେବୀ ମୁଁ ତାକୁ ମାରି ପାରୁନି । ସବୁ ଅସ୍ତ୍ର ତା ପାଖରେ ବ୍ୟର୍ଥ ହେଇ ଯାଉଛି । ମୋତେ ବହୁତ ଅବଶ ଲାଗୁଛି । ଆସନା । ମୋ ସହିତ ତୁମେ ରତି କ୍ରୀଡା କର । ଦେଖିବ ତା ପରେ ମୁଁ କେମିତି ତାକୁ ମାରି ପାରିବି । ତୁମେ ମନା କରନି । ମୁଁ ସେଇଥି ପାଇଁ ରଣ ଭୂମି ଛାଡି ତୁମ ପାଖକୁ ଦୌଡି ଆସିଛି । ଏହା ଶୁଣି ଦେବୀ ପାର୍ବତୀ ସ୍ତମ୍ଭୀଭୂତ ହେଇ ଚିନ୍ତା କଲେ । ଯେଉଁ ମହେଶ୍ଵର ପଞ୍ଚ ଜିତେନ୍ଦ୍ରିୟକୁ ଜୟ କରି ସାରିଛନ୍ତି , ସିଏ ଏମିତି କାମୁକ ହେଲେ କେମିତି ? ୟା ଭିତରେ କିଛି ତ ଗୋଟେ ରହସ୍ୟ ନିଶ୍ଚିତ ରହିଛି । ଏହା ଚିନ୍ତା କରି ସତୀ ପାର୍ବତୀ କିଛି କ୍ଷଣ ଧ୍ୟାନ ମଗ୍ନ ରହି ସବୁ ଜାଣି ଦେଲେ । ଆଖି ଖୋଲି କହିଲେ ଯଦି ତୁମେ ପ୍ରକୃତରେ ମୋ ପ୍ରାଣେଶ୍ବର ହେଇ ଥିବ, ତାହାହେଲେ ମୋ ସହିତ ରତି କ୍ରୀଡା କରିବାକୁ ଆସ । ଆଉ ଯଦି ଛଦ୍ମ ବେଶୀ ହେଇଥିବ ଏଇ ବିଭୁତି ତୁମ ଶରୀରରେ ପଡିବା କ୍ଷଣି ତୁମେ କୀଟ ପୋକ ହେଇଯିବ । ଏହା କହି ପାର୍ବତୀ ମନ୍ତ୍ର ବିଭୁତିକୁ ତା ଉପରକୁ ଫିଙ୍ଗିବାକୁ ଉଦ୍ୟତ ହେବା ସମୟରେ ରାକ୍ଷସ ନିଜ ରୂପ ଧାରଣ କରି କୈଳାସ ଗିରିରୁ ପଳେଇ ଆସିଲା । ଏହାର ସୁଯୋଗ ନେଇ ଭଗବାନ ବିଷ୍ଣୁ ଜଳନ୍ଧରଙ୍କ ରୂପ ନେଇ ବୃନ୍ଦାବତୀ ଦେବୀ ପୂଜା କରି ଫେରିବା ବାଟରେ ଦୁଇ ଖଣ୍ଡ ହେଇ ପଡି ରହିଲେ । ସ୍ୱାମୀଙ୍କ ମୃତ୍ୟୁ ଏମିତି କେମିତି ସମ୍ଭବ ବୋଲି ସିଏ ଦେବା ଦେବୀଙ୍କୁ ଆକୁଳ ପାର୍ଥନା କଲେ । କାହିଁକି ନା ତାଙ୍କୁ ବର ମିଳିଥିଲା , ଯେ ପର୍ଯ୍ୟନ୍ତ ତାଙ୍କ ସତୀତ୍ବ ନଷ୍ଟ ନ ହେଇଛି ତାଙ୍କ ସ୍ୱାମୀଙ୍କୁ କେହି ବି ମାରି ପାରିବେନି । ତାହାହେଲେ ତାଙ୍କ ସ୍ୱାମୀ ବଧ ହେଲେ କେମିତି ? ସ୍ୱାମୀ ଜଳନ୍ଧରଙ୍କ ମୃତ ଦେହକୁ କୋଳରେ ଧରି ସତୀ ବୃନ୍ଦାବତୀ ବିଳାପ କରିବାକୁ ଲାଗିଲେ । ଏଇ ସମୟରେ ଦୈବୀ ବାଣୀ ହେଲା - ଯଦି ତୁମେ ସତୀ ।ତୁମର ସତୀତ୍ବକୁ କେହିବି ନଷ୍ଟ କରି ନାହାଁନ୍ତି । ତାହାହେଲେ ତୁମ ସ୍ୱାମୀ ବି ମୃତ ନୁହଁନ୍ତି । ତୁମେ ତୁମ ସେଇ ସତୀତ୍ବ ବଳରେ ତୁମ ସ୍ୱାମୀକୁ ଫେରି ପାଇବ । ଏବେ ତୁମେ ତୁମ ସ୍ୱାମୀଙ୍କର କଟା ମୁଣ୍ଡକୁ ଶରୀରରେ ଯୋଡି ଦିଅ । ଆଉ ସ୍ୱାମୀ ଉଠ ବୋଲି ଡାକ । ସିଏ ନିଶ୍ଚିତ ଉଠିବେ । ଏହା ଶୁଣି ସତୀ ବୃନ୍ଦାବତୀ ଗଣ୍ଡି ସହିତ ମୁଣ୍ଡକୁ ଲଗେଇ ଦେଇ ସ୍ୱାମୀ ଉଠ ଯେମିତି କହିଛନ୍ତି ଜଳନ୍ଧର ରୂପୀ ଭଗବାନ ବିଷ୍ଣୁ ସେମିତି ଉଠି ପଢିଛନ୍ତି । ବୃନ୍ଦାବତୀ ତାଙ୍କୁ ନେଇ ଅନ୍ତଃପୁରକୁ ଗଲେ । ଭଗବାନ ବିଷ୍ଣୁ ଏହି ସୁଯୋଗରେ ବୃନ୍ଦାବତୀଙ୍କର ସତୀତ୍ବକୁ ନଷ୍ଟ କରି ଦେଲେ । କିନ୍ତୁ ସତୀ ବୃନ୍ଦାବତୀ ଭଗବାନଙ୍କର ଏଇ ରତି କ୍ରୀଡାରୁ ଜାଣି ପାରିଲେ ଯେ ସିଏ ତାଙ୍କ ସ୍ୱାମୀ ନୁହଁନ୍ତି । ସିଏ ଉଠି ଆସି କାନ୍ଦି କ୍ରୋଧିତ ହେଇଗଲେ । ରାଗି ଯାଇ କହିଲେ - କୁହ କିଏ ତୁମେ ? ଜାଣି ଶୁଣି ତୁମ୍ଭେ ମୋର ସତୀତ୍ବକୁ ନଷ୍ଟ କରି ଦେଲ । ମୁଁ ତୁମଙ୍କୁ ଅଭିଶାପ ଦେଉଛି । ସତୀ ବୃନ୍ଦାବତୀଙ୍କ ଏଇ ଅଭିଶାପ କଥା ଶୁଣି ଭଗବାନ ବିଷ୍ଣୁ ନିଜ ରୂପ ଧାରଣ କରି କ୍ଷମା ମାଗିଲେ । କିନ୍ତୁ ବୃନ୍ଦାବତୀ ତାଙ୍କୁ କ୍ଷମା ନ କରି ପୃଷାଣ ହେଇ ଯାଅ ବୋଲି ଅଭିଶାପ ଦେଇ ଦେଲେ । ନିଜେ ଭଗବାନ ହେଇ ଗୋଟିଏ ସତୀ ନାରୀର ସତୀତ୍ବକୁ ନଷ୍ଟ କରି ଥିବାରୁ ତୁମେ ପଥର ହେଇ ଯାଅ ବୋଲି କହିଲେ ।ଏବଂ ମୋର ଏଇ ଶରୀରକୁ ମୁଁ ତୁମ ଆଗରେ ଜାଳି ଭସ୍ମ କରି ଦେବି ବୋଲି କୋପିତ ହେଲେ । ଭଗବାନ ବିଷ୍ଣୁ ତାଙ୍କୁ ବହୁତ ବୁଝେଇଲେ ମୁଁ ତୁମଙ୍କୁ ବିବାହ କରିବି ବୋଲି କହିଲେ । ସମସ୍ତେ ତୁମଙ୍କୁ ପୂଜା କରି ମୁକ୍ତି ପାଇବେ ବୋଲି କହିଲେ । ତୁମଙ୍କୁ ମୁ ମୋର ମସ୍ତକରେ ଧାରଣ କରିବି ବୋଲି ମଧ୍ୟ କହିଲେ । ତୁମେ ନ ଲାଗିଲେ ମୁଁ ମଣୋହି କରିବିନି ବୋଲି କହିଲେ । କିନ୍ତୁ କିଛି ଲାଭ ହେଲାନି । ତୁମ ଯୋଗୁଁ ମୁଁ ଅପବିତ୍ର ହେଇଗଲି । ଅସତୀ ହେଇଗଲି । ନିଜ ହାତରେ ନିଜ ମଥାର ସିନ୍ଦୂର ଲିଭେଇ ଦେଲି । ଏ ଜଗତ ମୋତେ ଏବେଠୁ ଅସତୀ , କଳଙ୍କିନୀ କହିବ । ତୁମେ ହିଁ ପାଷାଣ ହେଇଯାଅ କହିଲେ । ଭଗବାନ ବିଷ୍ଣୁ କହିଲେ ତୁମ ଅଭିଶାପ ମୁ ମଥା ପାତି ଗ୍ରହଣ କରୁଛି ସତୀ । ମୁଁ ନିଶ୍ଚତ ପାଷାଣ ହେବି । କିନ୍ତୁ କଳି ଯୁଗରେ । ଆଉ ତୁମେ ହେବ ତୁଳସୀ । ମୁଁ ମୋ ମସ୍ତକରେ ତୁମଙ୍କୁ ଧାରଣ କରିବି । ତୁମେ ହେବ ଯୁଗ ଯୁଗ ପାଇଁ ସତୀ । ତୁମ ଦେହରେ ତେତେଶ କୋଟି ଦେବତା ବାସ କରିବେ । ମୂଳରେ ଗଙ୍ଗା, ଡାଳରେ ବିଷ୍ଣୁ, ଜଟାରେ ଶିବ , ପତ୍ରରେ ଦେବତା ମାନେ ବାସ କରିବେ । ତୁମ ପତ୍ର ନ ଲାଗିଲେ ମୋର ପୂଜା କେବେବି ହେବନି । ଆଉ ତୁମେ ଜଗତର ବହୁତ ଉପକାର କରିବ । ତୁମ ଯୋଗୁଁ ଜଗତବାସୀଙ୍କର ବହୁତ କଲ୍ୟାଣ ହେବ । ତୁମ ପତ୍ରରେ ବହୁ ଦୂରା ସାଧ୍ୟ ରୋଗ ଭଲ ହେବ । ସାରା ଜଗତ ତୁମର ଜୟ ଜୟକାର କହି ପୂଜା କରିବେ । ତୁମର ସେବା କରି ପାପ ଜୀବନରୁ ମୁକ୍ତି ପାଇବେ । କିନ୍ତୁ ବୃନ୍ଦାବତୀ ବିଷ୍ଣୁଙ୍କର ଏଇ କଥାକୁ ଶୁଣି ବି ନିଜର ସତୀତ୍ବ ନଷ୍ଟ ହେଇ ଥିବାରୁ ନିଜେ ଭଗବାନ ବିଷ୍ଣୁଙ୍କର ଆଗରେ ଚାହୁଁ ଚାହୁଁ ଅଗ୍ନିରେ ନିଜ ଶରୀରକୁ ଭସ୍ମୀଭୂତ କରି ଦେଲେ । ଏଥିରେ ଭଗବାନ ବିଷ୍ଣୁ ବହୁତ ମର୍ମାହତ ହେଲେ । ସେପଟେ ବୃନ୍ଦାବତୀଙ୍କ ସତୀତ୍ବ ନଷ୍ଟ ହେବା କ୍ଷଣି ଶିବ ଜଳନ୍ଧରଙ୍କୁ ତ୍ରିଶୂଳରେ ବଧ କଲେ । କିନ୍ତୁ ବୃନ୍ଦାବତୀଙ୍କ ଅଭିଶାପ ଭଗବାନ ବିଷ୍ଣୁଙ୍କର ରୂପରେ ଫଳିଲା । କଳି ଯୁଗରେ ଭଗବାନ ବିଷ୍ଣୁ ପାଷାଣ ରୂପ ଧରିଲେ ଓ ସତୀ ତୁଳସୀ ରୂପୀ ବୃନ୍ଦାବତୀଙ୍କୁ ମସ୍ତକରେ ଧାରଣ କଲେ । ତେଣୁ ଜଗନ୍ନାଥଙ୍କ ପାଖରେ ତୁଳସୀ ନ ଲାଗିଲେ ମହାପ୍ରଭୁ କେବେବି ମଣୋହୀ କରନ୍ତି ନି । ଆଉ ଏଇ ତୁଳସୀ ପତ୍ରର ରସରେ ଅଦା, ମହୁ ମିଶାଇ ଖାଇବା ଦ୍ୱାରା ଥଣ୍ଡା ଜ୍ବର ଭଲ ହେବା ସହିତ ତା ପତ୍ର ଯୋଗୁଁ ବହୁତ ରୋଗ ମଧ୍ୟ ଭଲ ହୁଏ । ସକାଳେ ସନ୍ଧ୍ୟାରେ କୁଳବଧୁ ମାନେ ତୁଳସୀ ଦେବୀଙ୍କୁ ଜଳ ଦେଇ ପ୍ରଦକ୍ଷିଣ କରି ସନ୍ଧ୍ୟାରେ ସନ୍ଧ୍ୟାବତୀ ତୁଳସୀ ମୂଳରେ ଜାଳି ଅହ୍ୟ ସୁଲକ୍ଷଣୀ ହେବା ପାଇଁ ତୁଳସୀ ଦେବୀଙ୍କର ଆଶୀର୍ବାଦ ମାଗି ଭକ୍ତି ଭାବରେ ପ୍ରଣାମ କରନ୍ତି । ସମସ୍ତଙ୍କ କଣ୍ଠରୁ ବାହାରି ଆସିଥାଏ ଭାବ ବେଗର ଏଇ ତୁଳସୀ ଭକ୍ତି ଗୀତଟି : -

ମାଗୋ ତୁଳସୀ ଦେବୀ

ତୁ ଅଟୁ ଶ୍ରୀକୃଷ୍ଣଙ୍କ ପ୍ରାଣ ବଲ୍ଲବୀ 

ମାଗୋ ତୁଳସୀ ଦେବୀ ।


ତୁଳସୀର ମାଳ ତୁଳସୀର ଚୂଳ

     ତୁଳସୀ ଭୂଷଣ ହୋଇ 

ତୁଳସୀ ମୂଳରେ ଲୟ ଲଗାଇଲେ 

     ନୀଳଚକ୍ର ଦିଶୁ ଥାଇ ।

ମାଗୋ ତୁଳସୀ ଦେବୀ ।


ଚାରି ପାଖେ ଚାରି ତପୀ ବସିଛନ୍ତି 

    ମଧ୍ୟେ ବସେ ବସୁନ୍ଧରା 

ଚାରି ପାଖେ ଚାରି ଚାମର ଢାଳନ୍ତି

    ରୁକ୍ମୁଣୀ ଲିପେ ଚଉରା ।

ମାଗୋ ତୁଳସୀ ଦେବୀ ।


ସତ୍ୟ ଯୁଗେ ତୋର ସତ୍ୟବତୀ ନାମ

    ଦ୍ୱାପର ଯୁଗେ ମାଳତୀ

ତ୍ରେତୟାରେ ତୋର ନାମ ତିରିପୁରା

     କଳି ଯୁଗେ ବୃନ୍ଦାବତୀ ।

ମାଗୋ ତୁଳସୀ ଦେବୀ 


ତୋ ମୂଳରେ ଗଙ୍ଗା ତୋ ଡାଳରେ ବିଷ୍ଣୁ 

     ତୋ ପତ୍ରେ ଦେବତା ବାସ

ତୋ ପତ୍ର ପଡିଲେ ମଣୋହୀ ହୁଅଇ 

    କହଇ ଗୋରେଖ ଦାସ ।

ମାଗୋ ତୁଳସୀ ଦେବୀ ।

ସତରେ ଅଭିଶାପ ସମସ୍ତଙ୍କ ପାଇ ଥାଏ । କର୍ମ ଅନୁସାରେ ଅଭିଶାପରୁ କେବେବି ମୁକ୍ତି ମିଳେନି । ଯାହାକି ସ୍ୱୟଂ ଭଗବାନ ବିଷ୍ଣୁ ବୃନ୍ଦାବନଙ୍କର ଅଭିଶାପରେ ପାଷାଣ ହେଇ ଯାଇ ଥିଲେ । ତେଣୁ ଏଇ କାହାଣୀଟି ଆମକୁ ଭଲ ଶିକ୍ଷା ଦେଇଛି । ପାର୍ବତୀଙ୍କ ପରି ସତ୍ୟତା ଜାଣିବାକୁ ସର୍ବଦା ଚେଷ୍ଟା କରିବା ଉଚିତ୍ ଓ ତା ପରେ ଯାଇ ନିଷ୍ପତି ନେବା ଦରକାର । ଆଉ ଅନ୍ୟର କ୍ଷତି କଲେ ତାହାର ପରିଣାମ ନିଶ୍ଚତ ଭୋଗିବାକୁ ପଡେ ।


Rate this content
Log in

Similar oriya story from Abstract