Lata Behera

Abstract

4.4  

Lata Behera

Abstract

ସମ୍ପର୍କ

ସମ୍ପର୍କ

10 mins
282



ସମ୍ପର୍କ ଗଢିବାଟା ବଡ଼ କଥା ନୁହେଁ । କାହିଁକି ନା ସମ୍ପର୍କ ଗଢ଼ିବାଟା ଅତି ସହଜ ହୋଇଥାଏ । କିନ୍ତୁ ସେଇ ସମ୍ପର୍କକୁ ଲିଭେଇବା ବହୁତ କଷ୍ଟ । ସମ୍ପର୍କ ଗଢ଼ି ତୋଳିବାରେ ଜାତି, ଅଜାତି, ଧର୍ମ,ବର୍ଣ୍ଣ,ଉଚ୍ଚ,ନୀଚ,ଧନୀ , ଗରିବ , ଶିକ୍ଷିତ, ଅଶିକ୍ଷିତ,ବଡ଼,ସାନ କିଛି ବି ପ୍ରଭେଦ ନଥାଏ । ଯେଉଁଠି ମନ ମାନେ, ହୃଦୟକୁ ଭଲ ପାଇବା ଛୁଇଁ ଯାଏ , ସେଇଠି ସମ୍ପର୍କ ଆପେ ଆପେ ଗଢ଼ି ହେଇଯାଏ ।

     କିନ୍ତୁ ଆଜିକାଲି ସମ୍ପର୍କ ବେଳେ ବେଳେ ଏମିତି କଦାକାର ରୂପ ନେଉଛି , କହିବାକୁ ବି ଖରାପ ଲାଗୁଛି । ସତରେ ମଣିଷ ଏତେ ସ୍ୱାର୍ଥପର । ଏତେ ନୀଚ । ଏତେ ତଳକୁ ଖସି ଯାଏ । ସ୍ବାର୍ଥ ପାଇଁ ସେ ଏମିତି ଅନ୍ଧ ଯେ ଚିହ୍ନା ମୁହଁ ବି ତା ପାଖରେ ଅଚିହ୍ନା ହେଇଯାଏ । ଦେଖି ନ ଦେଖିଲା ପରି ଆଡେଇ ଚାଲିଯାଏ । ସିଏ ଏମିତି ବ୍ୟବହାର କରେ , ସତେ ଯେମିତି ତା'କୁ ସେ କେବେବି ଦେଖିନି । ଭାବିଲା ବେଳକୁ ବହୁତ କଷ୍ଟ ଲାଗୁଛି ନା । ସତରେ କଷ୍ଟ ଲାଗୁଛି ? ହେଲେ କଥାଟା ନିରାଟ ସତ । କେତେ ହୃଦୟ ବିଦାରକ ସେ କଥା । କେହିବି କେବେ କଳ୍ପନା କରି ନ ଥିଲେ ସେ ଏମିତି ବଦଳି ଯିବ ବୋଲି । ସତରେ କି ସୁନ୍ଦର ତା ଅଭିନୟ । ଭାବିଲା ବେଳକୁ ତା ଆଖିରୁ ଲୁହର ଧାର ଛୁଟି ଚାଲିଥିଲା । ସେ କେବେବି ଭାବି ନ ଥିଲା ସେମାନେ ତା ସହିତ ଏମିତି ବ୍ୟବହାର କରିବେ ବୋଲି ।

     ପାହାଡ଼ର ଗୋଟିଏ ପଥର ଉପରେ ବସି ସେ ଭାବିବାକୁ ଲାଗିଲା ତାର ସେଇ ଅଭୁଲା କାହାଣୀ । କେତେ ରୋମାଞ୍ଚକର ଥିଲା ସେ ଘଟଣା ଗୁଡ଼ିକ । ସତରେ ସେ କେମିତି ଏତେ ବିଶ୍ୱାସ କଲା ସେମାନଙ୍କ ଉପରେ । ସେମାନଙ୍କ ଉପରେ ସେ ଏତେ ଭରସା କଲା କାହିଁକି ? ସତରେ ସେ କେତେ ବଡ଼ ଭୁଲ୍ କଲା ସେମାନଙ୍କୁ ନିଜର ଭାବିକି । ସତରେ ଏ ମଣିଷ କେତେ ଯେ ମାରାତ୍ମକ । ତା ଜୀବନ କେତେ ଯେ କଷ୍ଟମୟ ଭାବିଲା ବେଳକୁ ଦୁଃଖ ଲାଗୁଛି । ତାକୁ ଭଗବାନ ପ୍ରକୃତରେ କାହିଁକି ବଞ୍ଚେଇ ରଖିଛନ୍ତି ? କ'ଣ ପାଇଁ ? ଏତେ ବଡ଼ ଦୁନିଆରେ ତା'ର ଆଉ କିଏ ବା ଅଛି ? କାହା ପାଇଁ ସେ ବଞ୍ଚିଛି ? ଏମିତି ଦୁଃଖ କଷ୍ଟ ଯନ୍ତ୍ରଣା, ଅପମାନିତ ହେଇ ବଞ୍ଚିବାରେ ଲାଭ କ'ଣ ? ଭଗବାନ କାହିଁକି ମୋତେ ଜନ୍ମ ଦେଇଥିଲେ ? କେଉଁ ଉଦ୍ଦେଶ୍ୟରେ ଦେଇଥିଲେ ? ଏମିତି କେତେ ଯେ ପ୍ରଶ୍ନ ତା ମନରେ ଉଙ୍କି ମାରୁଥିଲା । ଅତୀତର ସବୁ କିଛି ଯନ୍ତ୍ରଣା ବିଦାରକ ଦୃଶ୍ୟ ତା ଆଖି ଆଗରେ ଭାସି ଆସୁଥିଲା ।

    ସତରେ କେତେ ସେ ହୀନିମାନିନୀ ,ହୀନିକପାଳି । ଛୋଟ ବେଳରୁ ବାପା ମାଆଙ୍କ ସ୍ନେହ ମମତା କ'ଣ ସେ ଜାଣିନି । ଦୁନିଆକୁ ଯେବେଠୁ ସେ ଚିହ୍ନିଲା ସେବେଠୁ ସେ ତା ଜେଜେମାକୁ ସେ ଦେଖିଲା । ତାହାରି କୋଳରେ ସେ ବଡ଼ ହେଇଛି । ଜେଜେମା ଏମିତି ସ୍ନେହ, ମମତା ଭଲ ପାଇବାରେ ତାକୁ ଏମିତି ଲାଳନ ପାଳନ କରିଥିଲେ ଯେ ,ସେ କେବେବି ତା ବାପା ତାର ଅଭାବ ଅନୁଭବ କରି ପାରି ନଥିଲା । ହୁଏତ ଭଗବାନ ତା ଖୁସି ଚାହୁଁ ନଥିଲେ । ଜେଜେମା ତାକୁ ଏକା କରି ଆର ପାରିକୁ ଚାଲିଗଲେ । ରୁପାଲି ଏଥର ଏକା ହେଇଗଲା । କିନ୍ତୁ ତାକୁ ତା ଶାଇ ପଡିଶା ଲୋକମାନେ ବହୁତ ଭଲ ପାଉଥିଲେ । ସେମାନଙ୍କ ସହିତ ତାର ସମ୍ପର୍କ ଗଢ଼ି ଉଠିଲା ।

    ରୂପାଲି ବହୁତ ସରଳ , ଶାନ୍ତ ଶିଷ୍ଟ ଥିଲା । ଛଳନା କପଟ ତାକୁ କିଛି ବି ଜଣା ନ ଥିଲା । ସେ ସତ୍ଯ, ସଚ୍ଚୋଟ ଥିଲା । ସମସ୍ତଙ୍କୁ ବିଶ୍ୱାସ କରୁଥିଲା । ତେଣୁ ତାହାର ଫାଇଦା ସମସ୍ତେ ଉଠେଉ ଥିଲେ ।ତା ଉପରକୁ ଯେତେ ଦୁଃଖ କଷ୍ଟ ଆସିଲେ ବି ସେ ସବୁ ସହି ଯାଉଥିଲା । ହେଲେ କାହାକୁ କିଛି କହୁ ନ ଥିଲା । ତେଣୁ ସମସ୍ତେ ତାକୁ ସେମାନଙ୍କ ସ୍ବାର୍ଥ ପାଇଁ ବ୍ୟବହାର କରୁଥିଲେ । ଆଉ ସ୍ବାର୍ଥ ସରିଗଲା ପରେ ସମ୍ପର୍କ କାଟି ଦେଉଥିଲେ । ରୂପାଲି ଏଥିରେ ଆଦୌ ମର୍ମାହତ ହେଉ ନ ଥିଲା । କାହିଁକି ନା ସେ କେବେ ବି କାହା ଠାରୁ କିଛି ବି ଅର୍ଥ ସାହାଯ୍ୟର ଆଶା ରଖୁ ନଥିଲା । ସେ ତ କେବଳ ସ୍ନେହ ମମତା ଭଲ ପାଇବା ଚାହୁଁଥିଲା । କିନ୍ତୁ ସେଇ ଲୋକମାନେ ତାର ମୂଲ୍ୟ ବୁଝି ପାରୁ ନ ଥିଲେ । କେଵଳ ସମ୍ପତ୍ତି ପାଇଁ ସମ୍ପର୍କ ରଖୁଥିଲେ । ରୂପାଲି ତ କାହାକୁ କିଛି ସମ୍ପତ୍ତି ଦେଇ ପାରିବନି ନା , ତେଣୁ ସ୍ଵାର୍ଥ ସରିଗଲା ପରେ ସେମାନେ ତାକୁ ଆଡେଇ ଚାଲି ଯାଉଥିଲେ ।

    ରୂପାଲି ଏଥର ନିଷ୍ପତ୍ତି ନେଲା ସେ ବାହାରକୁ ଯାଇ ରୋଜଗାର କରିବ । ଏଇ ଗାଁରେ ରହି କରିବା ବା କ'ଣ? ଗୋଟିଏ ପ୍ରାଇଭେଟ୍ ସ୍କୁଲରେ ପାଠ ପଢେଇଲା । ସବୁ ଶିକ୍ଷକ ଓ ପିଲାମାନେ ତାକୁ ବହୁତ ଭଲ ପାଉଥିଲେ । ରୂପାଲି ବହୁତ ଶାନ୍ତଶୀଳ ଓ କର୍ମଠ ଥିଲା । ତେଣୁ ତାକୁ ସମସ୍ତେ ସେଇଠି ବହୁତ ଆଦର ଓ ସମ୍ମାନ କରୁଥିଲେ । ତା ପଢେଇବା ଶୈଳୀ ପିଲାମାନଙ୍କୁ ମୁଗ୍ଧ କରି ଦେଉଥିଲା । ଆଉ ସେଥିରୁ ସେ ଯେତିକି ପଇସା ପାଉଥିଲା ଖୁସିରେ ଚଳି ଯାଉଥିଲା । ବିଧିର ବିଧାନ ବଡ଼ ବିଚିତ୍ର । ଦିନେ ରୂପାଲି ବଜାରକୁ ଯାଉଥିଲା । ହଠାତ୍ ଦେଖିଲା ଜଣେ ସ୍ତ୍ରୀଲୋକ ବେହୋସ୍ ହୋଇ ପଡିଛି । ସେ ତାକୁ ଚେତା କରି ପାଣି ପିଇବାକୁ ଦେଲା । ତାକୁ ତା ରୁମକୁ ଆଣି ତା'ର ବହୁତ ସେବା କଲା । ନିଜ ହାତରେ ତାକୁ ଖୁଆଇ ଦେଲା ।କେତେ ସମୟ ପରେ ସେ ସମ୍ପୁର୍ଣ୍ଣ ସୁସ୍ଥ ହେଇଗଲା । ସେ ରୂପାଲିକୁ ବହୁତ ଧନ୍ୟବାଦ ଦେଲା ଓ କିଛି ଟଙ୍କା ମଧ୍ୟ ଦେଲା ।ରୁପାଲି ମନା କଲା । ସେ କହିଲା ମୁଁ ତ କେବଳ ମୋ କର୍ତ୍ତବ୍ୟ କରିଛି । କିନ୍ତୁ ଭଗବାନ ତୁମକୁ ରକ୍ଷା କଲେ । ତେଣୁ ତୁମେ ଭଗବାନଙ୍କୁ ଧନ୍ୟବାଦ ଦିଅ । ସେଇ ଦିନ ଠାରୁ ରୂପାଲିର ସୁଶୀଳା ସହିତ ସମ୍ପର୍କ ବଢ଼ିବାରେ ଲାଗିଲା । ପରସ୍ପରକୁ ସେମାନେ ବହୁତ ଭଲ ପାଉଥିଲେ । ରୂପାଲି କୁ ଦିନେ ନ ଦେଖିଲେ ସୁଶୀଳା ଫୋନ୍ ପରେ ଫୋନ୍ କରି ଚାଲୁଥିଲା । ରୂପାଲି ମଧ୍ୟ ସୁଶୀଳାକୁ ନ ଦେଖିଲେ ପାଗେଳି ହେଇ ଯାଉଥିଲା । ଦୁଇ ଜଣ ଦୁଇ ଜଣଙ୍କର ପାଲଟି ଗଲେ ପରସ୍ପରର ଅନ୍ତରଙ୍ଗ ବନ୍ଧୁ । ତାଙ୍କର ଏଇ ସମ୍ପର୍କ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଥିଲେ । ଛୁଟି ସମୟରେ ସେମାନେ ଏକାଠି ରହୁଥିଲେ।ଖାଉଥିଲେ ଓ ହସ ଖୁସି ମଉଜ କରି ସମୟ କାଟୁଥିଲେ । ସୁଶୀଳା ସହିତ ରୂପାଲି ମଧ୍ୟ ସୁଶୀଳାର ବାପ ଘରକୁ ଯାଏ ।ସୁଶୀଳାର ବାପା ଘରର ଲୋକେ ରୂପାଲିକୁ ବହୁତ ଭଲ ପାଉଥିଲେ ଓ ଆଦର କରୁଥିଲେ ।ଦୁଇ ଜଣଙ୍କର ଏଭଳି ଭଲ ପାଇବା ସମ୍ପର୍କ ଦେଖି ଲୋକେ ବହୁତ ଖୁସି ହେଉଥିଲେ । କାହିଁକି ନା ସେମାନେ ବି ରୂପାଲିକୁ ବହୁତ ଭଲ ପାଉଥିଲେ । ସ୍ନେହ କରୁଥିଲେ ।

    ଜୁଆର,ସମୟ ଚକ୍ର କେତେବେଳେ ଯେ କୋଉ ମୋଡ଼ ନିଏ , କିଏବା କହି ପାରେ ? ରୂପାଲି ଜୀବନରେ ଠିକ୍ ସେୟା ହିଁ ଘଟିଗଲା । ସିଏ ଯାହା କେବେବି କଳ୍ପନା କରି ନ ଥିଲା , ବାସ୍ତବରେ ତାହା ହିଁ ହେଇଗଲା । ହଠାତ୍ ସୁଶୀଳା ବାପାଙ୍କର ଦେହାନ୍ତ ହୋଇଗଲା । ସୁଶୀଳା ତା ବାପ ଘରକୁ ଚାଲିଗଲା ।ଏ ଖବର ପାଇ ରୂପାଲି ଆଉ ଧୈର୍ଯ୍ୟ ଧରି ରହି ପାରିଲାନି । ଛୁଟି ନେଇ ସେ ମାଉସୀଙ୍କୁ ଦେଖିବା ପାଇଁ ଧାଇଁ ଯାଇଥିଲା । ସେତେବେଳକୁ ମାଉସୀଙ୍କର ଦେହ ମଧ୍ୟ ବହୁତ ସିରିୟସ୍ ହେଇ ଯାଇଥିଲା । ତାଙ୍କ ପାଖରେ ଆଉ କେହି ନ ଥିଲେ । ସେପଟେ ଶୁଦ୍ଧ ଘର । ଏପଟେ ମାଉସୀଙ୍କର ଅବସ୍ଥା ଏମିତି । ରୂପାଲି କ'ଣ କରିବ କିଛି ବି ଚିନ୍ତା କରି ପାରିଲାନି । ଏ ସମୟରେ କେହି ଜଣେ ଆସି ରୂପାଲିର ହାତ ଧରି ପକେଇଲା । କହିଲା ତୁମେ ଯାଅ, ମାଉସୀ ଭଲ ହେଇଗଲେ ତୁମେ ଚାଲି ଆସିବ । ତାଙ୍କର ଆଉ କିଏ ବା ଅଛି । କିଛି ଖରାପ ଭାବନି । ମୁଁ ତୁମକୁ ଅନୁରୋଧ କରୁଛି । ରୂପାଲି କ'ଣ କରିବ କିଛି ବି ଭାବି ପାରିଲାନି । ତାର ତ ଛୁଟି ସରିଗଲାଣି । କ'ଣ କରିବ , ଏପଟେ ସିଏ ହାତ ଧରିଛନ୍ତି ।ସିଏ ଜଣେ ଗୁରୁଜନ । ତା ଉପରେ ତାଙ୍କର ଭରସା ହେଲା ବୋଲି ସେ ସିନା କହିଲେ । ଜଣଙ୍କ ଜୀବନ ନିକଟରେ ନିଜର ରୋଜଗାର ମୂଲ୍ୟ କିଛି ବି ନୁହେଁ । ଆଜି ନାହିଁ କାଲି ରୋଜଗାର କରିହେବ । କିନ୍ତୁ ଗୋଟିଏ ଜୀବନ କେବେବି ଫେରେଇ ଆଣି ହେବନି । ରୂପାଲି କଥା ଦେଇଦେଲା । ମାଉସୀ ଭଲ ନ ହେବା ପର୍ଯ୍ୟନ୍ତ ସେ କେବେବି ଫେରିବନି । ଏଥର ସମସ୍ତେ ଖୁସି ହେଇଗଲେ । କାହିଁକି ନା ରୂପାଲି ଯାହାକୁ ଯାହା କଥା ଦିଏ ,ନିଜ ଜୀବନକୁ ବାଜି ଲଗେଇ ସିଏ ଅକ୍ଷରେ ଅକ୍ଷରେ ପାଳନ କରେ । ରୂପାଲି ତାଙ୍କ ସହିତ ଚାଲିଗଲା । ନିଜ ଦେହରୁ ବ୍ଲଡ଼ ଦେଲା । ମାଉସୀଙ୍କର ଅବସ୍ଥା ବେଳକୁ ବେଳ ବିଗିଡିବାକୁ ଲାଗିଲା । ରୂପାଲି ଭଗବାନଙ୍କୁ ଡାକିବାରେ ଲାଗିଲା ।ଯାହା ହେଉ ମାଉସୀ ବଞ୍ଚି ଗଲେ । କିନ୍ତୁ ସେ ତାଙ୍କର ସବୁ ଶକ୍ତି ହରେଇ ଦେଲେ । ଡକ୍ଟର କହିଲେ ତୁମେ ଏଥର ଘରକୁ ନେଇଯାଅ । ରୂପାଲି ମାଉସୀଙ୍କର ସବୁ ସେବା ଯତ୍ନ କଲା । ଗାଧୋଇ ଦେବା ଠାରୁ ଆରମ୍ଭ କରି ମାଉସୀ ଶୋଇବା ପର୍ଯ୍ୟନ୍ତ ସିଏ ମାଉସୀଙ୍କର ପାଖେ ପାଖେ ରହି ସବୁ କାମ କରୁଥିଲା । ଛ ମାସ ପରେ ମାଉସୀ ଧିରେଧିରେ ଚାଲିବା ଆରମ୍ଭ କଲେ ଓ ଟିକିଏ ଟିକିଏ କଥା ମଧ୍ୟ କହିଲେ । ମାଉସୀ ଓ ତାଙ୍କ ପରିବାରର ଲୋକେ ରୂପାଲିକୁ ବହୁତ ପସନ୍ଦ କରୁଥିଲେ ଓ ଭଲ ପାଉଥିଲେ । ମାଉସୀ ତାକୁ ମଧ୍ୟ ନିଜ ଝିଅ ପରି ସ୍ନେହ ଆଦର କରୁଥିଲେ । ଏକାଠି ଖାଉଥିଲେ,ପିଉଥିଲେ ଓ ଶୋଉଥିଲେ ମଧ୍ୟ । ସେମାନଙ୍କର ଭଲ ପାଇବା ଭିତରେ ରୂପାଲି ଏମିତି ହଜି ଯାଇଥିଲା ଯେ , କେତେବେଳେ ଆଠ ମାସ ବିତି ଗଲା, ସିଏ ଜାଣି ପାରିଲାନି । ସମସ୍ତେ ରୂପାଲିକୁ ନିଜର ବୋଲି ଭାବି ନେଇଥିଲେ । ରୂପାଲି ମଧ୍ୟ ସେମାନଙ୍କୁ ନିଜର ଭାବି ସବୁ କାମ ଖୁସିରେ କରି ନେଉଥିଲା । ତାକୁ ଲାଗୁଥିଲା ସତରେ ଏମାନେ ତାହାର ଅତି ଆପଣାର ,ଅତି ନିଜର । ଏମିତି ଲୋକଙ୍କ ପାଖରେ ସମ୍ପର୍କ ଗଢ଼ି ଦେଇଥିବାରୁ ରୂପାଲି ଭଗବାନଙ୍କୁ ପ୍ରଣାମ ଜଣେଇଲା ।

     ଏଥର ରୂପାଲି ଜୀବନରେ ଦୁଃଖର ଛାୟା ମାଡ଼ି ଆସିଲା । ରୂପାଲି କେବେବି ସ୍ୱପ୍ନରେ ସୁଧା ଭାବି ନଥିଲା ଯେ ଯେଉଁ ସୁଶୀଳା ତାକୁ ଏତେ ଭଲ ପାଉଥିଲା ,ସେଇ ସୁଶୀଳା ତାକୁ ଏତେ ଛୋଟ ନଜରରେ ଦେଖିବ ।ଏତେ ଅତେ ଅପମାନିତ କରି ତିରସ୍କାର କରିବ । କ'ଣ ପାଇଁ ସୁଶୀଳା ଏତେ ବଦଳିଗଲା ରୂପାଲି ଆଦୌ ବୁଝି ପାରିଲା ନାହିଁ । ସୁଶୀଳାର ଏପରି ବ୍ୟବହାରକୁ ଆଗ ଆଗ ରୂପାଲି କିଛି ବୁଝି ପାରୁ ନ ଥିଲା । ସେଦିନ ମାଉସୀଙ୍କୁ ଦେଖିବା ପାଇଁ ତାଙ୍କର କେତେ ଜଣ ବନ୍ଧୁ ଆସିଥିଲେ । ରୂପାଲି ସେମାନଙ୍କୁ ଥଣ୍ଡା ଆଣି ଦେଉଥିଲା। ସେମାନେ କହିଲେ ମାଉସୀ ଏମିତି ଭଲ ହେଇଯିବେ ଆମେ କେବେବି ଭାବି ନ ଥିଲୁ ।ଯାହା ହେଉ ସୋମୁ ମାଆ ପାଇଁ ଭଲ ଧାଈଟିଏ ରଖିଛି । ସୁଶୀଳା ସାଙ୍ଗେ ସାଙ୍ଗେ ଉତ୍ତର ଦେଲା ମୋ ଭାଇର ଅଭାବ କ'ଣ ? ସିଏ ତା ମାଆ ପାଇଁ ଚାହିଁଲେ ଏମିତି ଦଶ ଦଶଟା ଧାଈ ରଖିବ । ଦେଖୁନ ଅଯଥାରେ କେତେ ପିଲାଙ୍କୁ ସେ ପୋଷୁଛି । ଜଣଙ୍କୁ କୋଡ଼ିଏ ହଜାର ଟଙ୍କା ଲେଖାଏଁ ଅଯଥାରେ ଗଣୁଛି । କେତେ ଚାକର ଚାକରାଣୀ ରଖିଛି । ମୁଁ ଯେମିତି କିଛି କାମ କରିବିନି ସେଇଥିପାଇଁ ସେ ମଧ୍ୟ ରୋଷେୟା ରଖିଛି । ରୂପାଲି କିଛି ବୁଝି ନ ପାରି ସେମାନଙ୍କ ପାଇଁ ଖାଇବା ନେବାକୁ ଚାଲି ଆସିଲା ।

ଖାଇବା ଧରି ପହଞ୍ଚିବା ସମୟରେ ରୂପାଲିର କାନରେ ବାଜିଲା ସୁଶୀଳାର କଥା । ସୁଶୀଳା କହୁଥିଲା ହଁ ମୋ ଭାଇ କ'ଣ ରୂପାଲିକୁ ଆଉ ଛାଡ଼ିବ ? ସିଏ ବାହାଘର ହେଲେ ରୂପାଲି ତା ସ୍ତ୍ରୀର ସେବା କରିବ ।ମୋ ପାଇଁ ସିଏ ଚାକର ବାକର ରଖି ଦେଲା ,ଆଊ ତା ସ୍ତ୍ରୀ ପାଇଁ ସେ କ'ଣ ରୂପାଲିକୁ ରଖି ପାରିବନି । ସିଏ ଆଉ ଯିବ ବା କୁଆଡେ ? ତାର ଆଉ କିଏ ବା ଅଛି । ଯାହା ଘରକୁ ଗଲେ ତା ଘରେ କଟିବ । ମୋ ଭାଇର ଚାକରାଣୀ ହେଇ ରହିଲେ କ୍ଷତି କ'ଣ ? ମୋ ମାଆ ତ ତାକୁ ବହୁତ ଭଲ ପାଉଛି । ସୋମୁ ବି ତାକୁ ବହୁତ ଭଲ ପାଉଛି । ଉପରେ ଉପରେ ତାକୁ ଟିକିଏ ସ୍ନେହ ମମତା ଭଲ ପାଇବା ଦେଇ ଦେଲେ ସିଏ ରହିଯିବ । ତାକୁ ଯିଏ ଯାହା କହିଲେ ସିଏ କିଛି ବି କାହାକୁ କହିବନି । କୁଣିଆମାନେ ଚାଲିଗଲେ । 

      ମୁଣ୍ଡରେ ବଜ୍ର ପଡ଼ିଲା ପରି ରୂପାଲି ଥମ୍ କରି ବସି ପଡିଲା । ପ୍ରକୃତରେ ଏଇ କ'ଣ ଥିଲା ସୁଶୀଳାର ତା ପ୍ରତି ଭଲ ପାଇବା । ଏଇ ଥିଲା ତାହାର ଅସଲ ଚେହେରା । ଏତେ ବର୍ଷ ସମ୍ପର୍କ ଭିତରେ ସେ ତାକୁ କେମିତି ଚିହ୍ନି ପାରିଲାନି ? ଛାଡ ଯାହା ହେବାକଥା ହେଇଗଲାଣି । ମାଉସୀ ସମ୍ପୂର୍ଣ୍ଣ ଭାବେ ଭଲ ହେଇଗଲା ପରେ ମୁଁ ଚାଲିଯିବି । ଏତିକି ବେଳେ ରୂପାଲିର ସାଙ୍ଗ ରୂପାଲି ପାଖକୁ ଫୋନ୍ କଲା । ହଠାତ୍ ସୁଶୀଳା ରୂପାଲି ହାତରୁ ଫୋନ୍ ଛଡ଼େଇ ନେଇ ଯାହା ଇଚ୍ଛା ତାହା ବକି ଗଲା । ରୂପାଲିକୁ ଏଇଟା ବେଶୀ ବାଧିଲା । କାହିଁକି ନା ଯିଏ ସମସ୍ତଙ୍କୁ କ଼ହୁଥିଲା ,ସିଏ ବହୁତ ଭଲରେ ଅଛି । ଖୁସିରେ ଅଛି । ସମସ୍ତେ ତାକୁ ଆପଣାର ଭାବୁଛନ୍ତି । ଏମାନେ ବହୁତ ଭଲ । ସେଇଥିପାଇଁ ସେମାନେ ସେଇଠି ରହିବାର ଅନୁମତି ଦେଇଥିଲେ । କିନ୍ତୁ ସୁଶୀଳା ଯେତେବେଳେ ଏମାନଙ୍କୁ ଗାଳିରେ ଗାଳିରେ ସବୁ କହି ସାରିଲାଣି , ରୂପାଲି ଆଉ ଲୁଚେଇବ କ'ଣ । ସେମାନେ ଯେତେବେଳେ ରୂପାଲିକୁ ପଚାରିଲେ ରୂପାଲି ନୀରବ ରହିଲା । କିଛି ବି କହିଲାନି । ସେମାନେ ତାକୁ ଚାଲି ଆସିବା ପାଇଁ କହିଲେ । ରୂପାଲି କହିଲା , ମାଉସୀ,ସୋମୁ ଓ ପିଲାମାନେ ତ ମୋତେ ଭଲ ପାଉଛନ୍ତି ,ସିଏ ଭଲ ହେଇଗଲା ପରେ ମୁଁ ନିଶ୍ଚିତ ଚାଲି ଯିବି । ଏ କଥା ଆଉ କେହି ଯେମିତି ନ ଜାଣନ୍ତୁ , ମାଉସୀ ରୂପାଲିକୁ ସତର୍କ କରିଦେଲେ । ରୂପାଲିକୁ ସେଇଠି ଆଉ କିଏ ଭଲ ପାଉ ଏକଥା ସୁଶୀଳା ଆଦୌ ସହି ପାରୁ ନଥିଲା । ସୁଶୀଳାର ଏଇ ଉଗ୍ର ରୂପ କାହାକୁ ନ କହିବା ପାଇଁ ସୁଶୀଳା ରୂପାଲିକୁ ଧମକ ଚମକ ଦେଇଥିଲା । ସୁଶୀଳା ନିଜ ଭୁଲକୁ ଲୁଚେଇବା ପାଇଁ ବହୁତ ତଳକୁ ଯାଏ । ଦରକାର ପଡିଲେ ନିଜ ଦୋଷକୁ ସେ ଅନ୍ୟ ମୁଣ୍ଡରେ ଲଦି ଦିଏ । ସତରେ ସିଏ ଉପରକୁ ଯାହା ଦେଖା ଯାଉଛି ,ଭିତରଟା ତାର ସେୟା ନୁହେଁ ।ସିଏ ଏମିତି ଅଭିନୟ କେମିତି କରି ପାରୁଛି ? ଅଭିନେତ୍ରୀ ମାନେ ବି ଏମିତି ଅଭିନୟରେ ଫେଲ୍ ମାରି ଯିବେ

    ସେଇ ଦିନ ଠାରୁ ରୂପାଲି ବହୁତ ଗୁମସୁମ୍ ହେଇଗଲା । ଖାଲି ଭଗବାନଙ୍କୁ ଡାକିଲା ମାଉସୀ ଯେମିତି ଜଲଦି ଠିକ୍ ହେଇ ଯାଆନ୍ତୁ । ଯାହାହେଉ ଶେଷରେ ରୂପାଲିର ଡାକ ଠାକୁର ଶୁଣିଲେ । ଦୁଇ ବର୍ଷ ପରେ ମାଉସୀ ସମ୍ପୂର୍ଣ୍ଣ ଭଲ ହେଇଗଲେ । ମାଉସୀ ରୂପାଲିକୁ ଏତେ ଭଲ ପାଉଥିଲେ ଯେ ରୂପାଲି ତାଙ୍କୁ ଛାଡି ଚାଲି ଯାଉ ସିଏ କେବେବି ଚାହୁଁ ନ ଥିଲେ । ସୁଶୀଳା ମଧ୍ୟ ଚାହୁଁ ନ ଥିଲା ରୂପାଲି ଚାଲି ଯାଉ । ହେଲେ ରୂପାଲି ଏମିତି କଦର୍ଯ୍ୟ ପରିବେଶରେ ଆଉ ରହିବାକୁ ଚାହୁଁ ନ ଥିଲା,। ସୁଶୀଳା ର ସାଙ୍ଗ ରୂପାଲିର ଘନିଷ୍ଠ ବନ୍ଧୁ ।ଦିନେ ସେ ରୂପାଲିକୁ ତା ଘରକୁ ଆସିବା ପାଇଁ କହିଲା । ସୁଶୀଳା ତା କଥା ଭାଙ୍ଗି ପାରିଲାନି । ରୂପାଲିକୁ ଯିବାକୁ ଦେଲା । କିଛି ଦିନ ପରେ କୈାଣସି କାମକୁ ନେଇ ଦୁଇ ସହର ମଧ୍ୟରେ ଝଗଡ଼ା ଆରମ୍ଭ ହେଲା ।ଏ ସହର ଲୋକ ସେ ସହରକୁ ଯିବେନି କି ସେ ସହର ଲୋକ ଏ ସହରକୁ ଆସି ପାରିବେନି । ବିଚାରୀ ରୂପାଲି କୁଆଡେ ଆଉ ଯାଇ ପାରିଲାନି । ଫେରିବାକୁ କଥା ଦେଇଛି ନା , କେମିତି ଫେରିବ ସେ ? ଚାହୁଁ ଚାହୁଁ ମାସ ପରେ ମାସ ବିତି ଗଲା ।କୈଣସି ମୀମାଂସା ହେଇ ପାରିଲାନି । ଶେଷରେ ରୂପାଲି ନିଜ ଘରକୁ ଯିବାର ନିଷ୍ପତ୍ତି ନେଲା । କେତେ ଦିନ ପରେ ବାତାବରଣ ଠିକ୍ ହେଇଗଲା ।ଆଉ ସୋମୁର ବାହାଘର ମଧ୍ୟ ଠିକ୍ ହେଲା । । ମାଉସୀ ସବୁବେଳେ ରୂପାଲି ପାଖକୁ ଫୋନ୍ କରନ୍ତି । ରୂପାଲି ସୋମୁ, ସୁଶୀଳାଙ୍କ ସହିତ ଫୋନରେ କଥା ହୁଏ । ମାଉସୀ ରୂପାଲିକୁ ବାହାଘରକୁ ଆସିବାକୁ କୁହନ୍ତି । କିନ୍ତୁ ସୁଶୀଳା ମନରେ ସେୟା ନ ଥିଲା । ସେ ଚାହୁଁଥିଲେ ରୂପାଲି ମନକୁ ଆସୁ । ଲୋକଙ୍କ ସମ୍ନାରେ ତାକୁ ଡକା ନ ହେଉ । ସେଇଥି ପାଇଁ ବୋଧେ ସେଦିନ ସୁଶୀଳା ରୂପାଲିକୁ କହିଲା ,ତୁମେ ତ ଆମ ଘରକୁ ବେଭାର ନେଇକି ଆସିବେନି ନା , ତୁମ ଇଚ୍ଛା ହେଲେ ବାହାଘରକୁ ଆସିବ ନ ହେଲେ ନାହିଁ । ଆମେ ତୁମକୁ ବାଧ୍ୟ କରୁନୁ । ତୁମେ ନ ଆସିଲେ ବି କିଛି ବି ଅସୁବିଧା ହେବନି । ତୁମେ ତ ଆମର ନିଜର ନୁହଁ ନା । ଆଉ ତୁମେ ଯଦି ଆସିବ , ତାହାହେଲେ ଆମେ ତୁମକୁ ନ ଚିହ୍ନିଲା ପରି ବ୍ୟବହାର କରିବୁ । ସେଇଠି ତୁମେ କିଛି ଖରାପ ଭାବିବନି । କରଣ ସେଠିକି ଆମର ବହୁତ ବଡ଼ ବଡ଼ ଖାନଦାନୀର ଲୋକମାନେ ଆସିବେ । ସେମାନେ କହିବେ ୟା ସହିତ ସେମାନେ କ'ଣ ଏତେ ମିଶୁଛନ୍ତି । ଇଏ କିଏକି ?ଆମେ ସେମାନଙ୍କୁ କି ଉତ୍ତର ଦେବୁ ।

ତେଣୁ ତୁମ ଇଚ୍ଛା । 

     ରୂପାଲିର ଆଖିରୁ ଲୁହର ଧାର ଝରି ପଡ଼ିଲା । ସିଏ କେବେବି ଭାବି ନ ଥିଲା ସେମାନଙ୍କର ତା ପ୍ରତି ଏମିତି ଭାବନା ଥିବା ବୋଲି । ଯେତେବେଳେ ସେ ମାଉସୀଙ୍କର ସେବା କରୁଥିଲା , ସମସ୍ତଙ୍କୁ ନିଜର ଭାବି ସବୁ କରୁଥିଲା , ସେତେବେଳେ ସେମାନେ ତାକୁ କେତେ ଆଦର କରୁଥିଲେ । ଭଲ ପାଉଥିଲେ । ନିଜର ଭାବୁଥିଲେ । ଆଉ ଏବେ ?

ସତରେ ମଣିଷ କେତେ ଜଲଦି ବଦଳି ଯାଆନ୍ତି । ଏଇ କ'ଣ ପ୍ରକୃତ ସମ୍ପର୍କ । ନା ଲୋକ ଦେଖାଣିଆ ସମ୍ପର୍କ । ସତରେ ମଣିଷ ସ୍ବାର୍ଥ ସରିଗଲେ କେତେଯେ ତଳକୁ ଖସି ଯାଇପାରେ ତାହାର କଳନା ନ ଥାଏ । ତାହାହେଲେ ସମ୍ପର୍କ ମାନେ କ'ଣ ? ସମ୍ପତ୍ତି । ରୂପାଲି ଭାବନା ରାଇଜ ଭିତରେ ବୁଡ଼ି ରହିଥିଲା ।


Rate this content
Log in

Similar oriya story from Abstract