Lata Behera

Abstract

4  

Lata Behera

Abstract

କ୍ଷମତା

କ୍ଷମତା

6 mins
235



କ୍ଷମତା ଗୋଟିଏ ମୁହୂର୍ତ୍ତରେ ସବୁ କିଛି ଓଲଟ ପାଲଟ କରି ଦିଏ । ଯାହା କେହି କେବେ ସ୍ୱପ୍ନରେ ବି କଳ୍ପନା କରି ନ ଥାଏ , ଏଇ କ୍ଷମତା ତାହା କରି କି ଦେଖାଇ ଦେଇଥାଏ । ପ୍ରଭାବଶାଳୀ ନେତାମାନଙ୍କର ହାତର ଖେଳନା ସାଜି ନିରୀହ ଜନତାମାନଙ୍କୁ ନଚେଉ ଥାଏ । ଏଇ ଯେମିତି ଘଟି ଗଲା ବର୍ଣ୍ଣାଳୀ ଦିଦିଙ୍କ ଜୀବନରେ । ରାତା ରାତି ଆଇନ୍ ଦେଖେଇ ଦେଲା ତାର ଖେଳ । ବର୍ଣ୍ଣାଳୀ ଛୋଟରୁ ବହୁତ ନିର୍ଭୀକ ଥିଲେ । ସତ୍ୟ ସଚ୍ଚୋଟରେ ସର୍ବଦା ବାଟ ଚାଲୁ ଥିଲେ । ତାଙ୍କର ଉତ୍ତମ ବ୍ୟବହାର, ପଠେଇବାର ଦକ୍ଷତା ଦେଖି ସରକାର ତାଙ୍କୁ ହେଡ୍ ମାଷ୍ଟରାଣୀ ରୂପେ ଦଶ ବର୍ଷର ଶିକ୍ଷକତା ହାସଲ ପରେ ନିଯୁକ୍ତି ଦେଲେ । ବର୍ଣ୍ଣାଳୀ ଦିଦି ହେଡମାଷ୍ଟରାଣୀ ହେଲା ପରେ ସ୍କୁଲର ଭାଗ୍ୟ ବଦଳି ଯାଇଥିଲା । ସିଏ ଟଙ୍କାଟେବି ଖାଉ ନ ଥିଲେ । ସବୁବେଳେ ପିଲାମାନଙ୍କ ଭବିଷ୍ୟତ ଓ ବିଦ୍ୟାଳୟର ଉନ୍ନତି କେମିତି ହେବ ଚାହୁଁ ଥିଲେ । ସିଏ ହେଡ୍ ଶିକ୍ଷୟିତ୍ରୀ ହେଲା ପରେ ପ୍ରଥମେ ସ୍କୁଲର ପ୍ରାଚୀର କରିଥିଲେ । ଅନାବନା ଗଛ କାଟି ବିଭିନ୍ନ ପ୍ରକାର ଫୁଲଗଛ , କଦଳୀ ଗଛ, ଝାଉଁ, ଆମ୍ବ , ପଣସ,ବଉଳ, ଆକାଶିଆ, ଆତ, ସୋ ଗଛ ଇତ୍ୟାଦି ଅନେକ ପ୍ରକାର ଗଛ ଲଗେଇ ପ୍ରାକୃତିକ ପରିବେଶର ସୌନ୍ଦର୍ଯ୍ଯ ବଢେଇ ଦେଇଥିଲେ । ଫୁଲ ଫୁଟିବା ସମୟରେ ସ୍କୁଲ ହସି ଉଠୁଥାଏ । ଜୀବନର ସବୁ ଗ୍ଳାନି କ୍ଷଣିକରେ କେଉଁଆଡେ ଅପସରି ଯାଏ । ଇଚ୍ଛା ହେଉଥାଏ ସେଇ ଘାସ ଗାଲିଚା ଉପରେ ସେମିତି ବସି ଫୁଲ ଉପରେ ଉଡୁଥିବା ପ୍ରଜାପତିର ଦୃଶ୍ୟକୁ ଉପଭୋଗ କରି ହଜି ଯିବା ପାଇଁ ତାହାର ସେଇ ଅଭୁଲା ସ୍ମୃତି ଭିତରେ । ସମସ୍ତେ ଦିଦିଙ୍କୁ ବହୁତ ପ୍ରଶଂସା କରୁଥିଲେ । ସ୍କୁଲକୁ ସରକାର ଯେତେବେଳେ ଯାହା ପଇସା ଦିଅନ୍ତି ଦିଦି କମିଟି ମେମ୍ବର ଓ ଚେୟାରମ୍ୟାନ୍ ଙ୍କ ସହିତ ଆଲୋଚନା କରି ଗଠନମୂଳକ ପଦକ୍ଷେପ ନିଅନ୍ତି । ସିଏ କୁହନ୍ତି ଏଇ ସ୍କୁଲ ତୁମ ଗାଆଁର । ତାହାର ଉନ୍ନତି ହେଲେ ପିଲାମାନଙ୍କର ଉନ୍ନତି ହେବ । ଆଉ ପିଲାମାନେ ହେଉଛନ୍ତି ଆମର ଭବିଷ୍ୟତର ନାଗରିକ । ତେଣୁ ସ୍କୁଲ ଟଙ୍କା ସ୍କୁଲ ତଥା ପିଲାମାନଙ୍କର ଉନ୍ନତି ପାଇଁ ଖର୍ଚ୍ଚ କରାଯାଉ । ମୁଁ ଚିର ଦିନ ପାଇଁ ଏଇ ସ୍କୁଲ ର ନୁହେଁ । କିନ୍ତୁ ଏଇ ସ୍କୁଲ ତୁମର । ଚିର ଦିନ ପାଇଁ ରହିବ ତୁମ ଗାଆଁର । ଏହା ପିଲାମାନଙ୍କର ଭବିଷ୍ୟତ ଉଜ୍ଜଳ କରିବ । ଗାଆଁ ଲୋକେ ଖୁସି ହେଇ ଦିଦିଙ୍କୁ ଧନ୍ୟ ଧନ୍ୟ କହିଲେ । କିନ୍ତୁ ଧନ ପୀପାସୁ ସ୍ୱାର୍ଥୀ ଲୋକମାନେ ତାଙ୍କର ଶତ୍ରୁ ପାଲଟି ଗଲେ । ଭିତରେ ଭିତରେ ଲାଗି ପଡିଲେ ତାକୁ ସ୍କୁଲରୁ ବାହାର କରି ଦେବାପାଇଁ । ଏଇ କଥା ଜାଣି ବି ଦିଦି ସେମାନଙ୍କୁ ଯଥେଷ୍ଟ ସମ୍ମାନ ଦେଉଥିଲେ । ଏବଂ ପିଲାମାନଙ୍କର ଉନ୍ନତି ପାଇଁ ସେମାନଙ୍କ ସହିତ ଆଲୋଚନା କରି ଗୋଟିଏ ଗଡରେଜ, ପିଲାମାନଙ୍କ ପାଇଁ ଖାତା, କଲମ, ବ୍ୟାଗ୍, ପେନସିଲ , ଯନ୍ତ୍ରବାକ୍ସ ଓ କେତେ ଖେଳନା ଆଣିଲେ । ପିଲାମାନେ ବହୁତ ଖୁସି ହେଲେ । ଭଲ ପାଠ ପଢିଲେ । ଯେଉଁ ପିଲା ପାଠରେ , ଖେଳରେ , ଗୀତରେ, ନାଚରେ , ଭାଷଣରେ, ସାଧାରଣ ଜ୍ଞାନରେ ଭଲ କଲେ ସେଇ ଟଙ୍କାରେ ସିଏ ସେମାନଙ୍କୁ ପୁରସ୍କାରର ବ୍ୟବସ୍ଥା କରେଇ ସେମାନଙ୍କ ଆଗ୍ରହ ଓ ଇଚ୍ଛା ଶକ୍ତିକୁ ଆହୁରି ଜାଗ୍ରତ କରି ସୁଦୃଢ କରି ଦେଲେ । ସ୍ବାର୍ଥୀ ଲୋକମାନଙ୍କର ରାଗ ଆହୁରି ବଢିଗଲା । କାହିଁକି ନା ସିଏ ଆଉ ଟଙ୍କା ଖାଇ ପାରିଲେନି । ଦିଦି ମିଟିଙ୍ଗ କରି ସବୁ କଥା କମିଟି ମେମ୍ବର ସବୁ ସଦସ୍ୟମାନଙ୍କୁ ଜଣେଇ ଦିଅନ୍ତି ଓ ତାପରେ ସମସ୍ତଙ୍କ ଅନୁମତି ନେଇ କାର୍ଯ୍ୟ କରନ୍ତି ।

      ଏ ସମୟରେ ସ୍କୁଲକୁ ଟଙ୍କା ଆସିଲା ନୂଆ ଘର ପାଇଁ । ବର୍ଣ୍ଣାଳୀ ଦିଦି ମିଟିଙ୍ଗ ଡକାଇ ଆଲୋଚନା କଲେ । ଚେୟାରମ୍ୟାନ୍ ଏଥିରେ ରାଗି ଯାଇ କହିଲେ ସେଇ ଘର ତୁମେ କରିବା ଦରକାର ନାହିଁ । ମୁଁ କରିବି । ଏତେ ଟଙ୍କା ଖର୍ଚ୍ଚ କାହିଁକି ହେବ । ମାତ୍ର ବେଢ ଲକ୍ଷ ଭିତରେ ମୁଁ ଘର କରିଦେବି । ଏତେ ବି ଲାଗିବନି । ତାଠାରୁ ବି କମ୍ ଟଙ୍କାରେ ଘର ହେଇଯିବ । ବର୍ଣ୍ଣାଳୀ ଦିଦି ପ୍ରତିବାଦ କରି କହିଲେ , ସରକାର ଯେତିକି ଟଙ୍କା ଦେଉଛନ୍ତି ଖୁସିରେ ବହୁତ ଭଲ ମଜବୁତ୍ ଘର ହେବ । ଯୁଗ ଯୁଗ ପାଇଁ ଏଇ ସ୍କୁଲ ତୁମ ଗାଆଁର ହେଇ ରହି ଥିବ । ଚେୟାରମ୍ୟାନ୍ କହିଲେ- ଏ ସ୍କୁଲ ରହୁ ବା ନ ରହୁ ତୁମର ଯା' ଆସେ କେତେ ? ତୁମେ ସବୁ ଦିନ ଏଇଠି ରହୁନ । ତୁମର ଏ କଥାରେ ମୁଣ୍ଡ ପୂରେବା ଦରକାର ନାହିଁ । ବର୍ଣ୍ଣାଳୀ ଦିଦି କହିଲେ- ଅଛି , ମୁଁ ସ୍କୁଲ ର ହେଡ୍ ଶିକ୍ଷୟିତ୍ରୀ । ସରକାରଙ୍କୁ ମୋତେ କୈଫୟତ ଦେବାକୁ ପଡିବ । ଆପଣଙ୍କୁ ନୁହେଁ । ଆପଣ କାହିଁକି ବୁଝୁ ନାହାଁନ୍ତି । କଲମ ପିଲର କରି ବହୁତ ମଜବୁତ୍ ଘରଟେ ବନେଇଲେ ଇଏ ବହୁ ବର୍ଷ ପର୍ଯ୍ୟନ୍ତ ରହିବ । ଚେୟାରମ୍ୟାନ୍ କହିଲେ - କଲମପିଲର କରିବା ଦରକାର ନାହିଁ । ଟଙ୍କା ମୋତେ ଦିଅ । ମୁଁ ଆମ ସରପଞ୍ଚକୁ ଧରି କାମ ଉଠେଇ ଦେବି । ଘର ଭୁଷୁଡି ପଡୁ । ଅସୁବିଧା କ'ଣ ହେଲା ? ଆହୁରି ଘର ଆସିବ । ସରପଞ୍ଚ ଆମ ହାତରେ । ଏମେଲ ବି ସରପଞ୍ଚଙ୍କ ହାତରେ । ସରପଞ୍ଚକୁ ଚାଳିଶି ହଜାର ଟଙ୍କା ଦେଲେ ମାମଲା ଖତମ । ଏଥିରେ ବର୍ଣ୍ଣାଳୀ ଦିଦି ରାଜି ହେଲେନି । କହିଲେ ମୁଁ ନିଜ ହାତରେ କରିବି । ଆପଣମାନେ ମୋତେ ସହଯୋଗ କରନ୍ତୁ । କେତେକ ହଁ କଲେ ଓ କେତେକ ନୀରବ ରହିଲେ । ଶେଷରେ ବର୍ଣ୍ଣାଳୀ ଦିଦି ସ୍କୁଲର ଘର କାମ ନିଜ ହାତରେ କଲେ । ଚେୟାରମ୍ୟାନ୍ କହିଲେ ଆମକୁ ପଚାଶ ହଜାର ଟଙ୍କା ଦିଅ , ଆମେ ଭୋଜି କରି ଖାଇବୁ । ବର୍ଣ୍ଣାଳୀ ଦିଦି କହିଲେ - ଠିକ୍ ଅଛି ଆଗ ଘର ହେଇଯାଉ । ତା ପ୍ରତିଷ୍ଠା ଦିନ ଏଇ ସ୍କୁଲ ରେ ଭୋଜି କରି ଦେବା । ଆପଣମାନଙ୍କ ସହିତ ପିଲାମାନେ ବି ଖାଇବେ । ଦେଖିବେ ଏଥିରେ ପିଲାମାନେ ବହୁତ ଖୁସି ହେବେ । ଚେୟାରମ୍ୟାନ୍ ଏଇ କଥାରେ ବହୁତ ରାଗି ଗଲେ । କହିଲେ ତୁମେ ଯଦି ଟଙ୍କା ଅମଙ୍କୁ ଦେବନି , ତାହାହେଲେ ଆମ ସରପଞ୍ଚ ଓ ଏମେଲଙ୍କୁ କହି ତୁମଙ୍କୁ ଏଇଠୁ ବଦଳି କରି ଦେବୁ । ବର୍ଣ୍ଣାଳୀ ଦିଦି କହିଲେ ବଦଳି ହେବା ଆଗରୁ ମୁଁ ସ୍କୁଲ ଘର ନିଶ୍ଚତ କରି ସାରି ଥିବି । ବର୍ଣ୍ଣାଳୀ ଦିଦି ଯେଉଁ ବାଲି, ଚିପ୍ସ୍ ପକେଇଥିଲେ ସେମାନେ ରାତା ରାତି ଘରକୁ ବହୁତ ବୋହି ନେଲେ । ଏତେ ପ୍ରତିବନ୍ଧକ ସତ୍ତ୍ବେ ବି ଯାହା ହେଉ ଶେଷର ବର୍ଣ୍ଣାଳୀ ଦିଦି ହିଁ ଜିତିଲେ । କିନ୍ତୁ ଯେଉଁ ଦିନ ଘର ପ୍ରତିଷ୍ଠା ହେଲା , ସେଇଦିନ ଦିଦିଙ୍କର ବଦଳି ଆସିଲା । ରାତାରାତି ସରପଞ୍ଚ ଓ ଏମେଲଙ୍କୁ ଧରି ସେମାନଙ୍କ ବର୍ଣ୍ଣାଳୀ ଦିଦିଙ୍କୁ ଏକ ଘଞ୍ଚ ପାହାଡିଆ ଜଙ୍ଗଲ ଅଞ୍ଚଳକୁ ବଦଳି କରିଦେଲେ । ବର୍ଣ୍ଣାଳୀ ଦିଦି କହିଲେ ଆପଣମାନେ ମୋତେ ଯେତେ ଦୂର ପଠେଇଲେ ମୋର କିଛି କ୍ଷତି ହେବନି । ଏଇଠି ମୁଁ ଯେମିତି କଲମ ଧରି ପାଠ ପଢେଇ ଦରମା ପାଉଥିଲି , ଆଉ ଯେଉଁ ସ୍କୁଲ ରେ ରହିବି ସେଇଠି ବି ସେଇ କାମ କରିବି । ସେଇ ଏକା ଦରମା ପାଇବି। କ୍ଷତି ହେବ ତୁମ ଗାଆଁ ସ୍କୁଲର । ପିଲାମାନଙ୍କର । ଏଇ ସମୟରେ ପିଲାମାନେ ଆସି ବର୍ଣ୍ଣନା ଦିଦିକୁ କୁଣ୍ଠେଇ ଧରି କାନ୍ଦିବାକୁ ଲାଗିଲେ । ଦିଦି ପିଲାମାନଙ୍କୁ କୋଳେଇ ନେଇ କାନ୍ଦି ପକେଇଲେ । ଚକଲେଟ୍ ଦେଲେ । ପିଲାମାନେ ନେଲେ ନାହିଁ । କହିଲେ ଆମର ଚକଲେଟ୍ ଦରକାର ନାହିଁ । ଆପଣ ଦରକାର । ଦିଦି କହିଲେ ଠିକ୍ ଅଛି , ତୁମେମାନେ ମନ ଦେଇ ପାଠ ପଢ । ମୁଁ ଯେଉଁ ସ୍କୁଲକୁ ଯିବି ତୁମ ସହିତ ସେମାନଙ୍କର ଏକ ପ୍ରତି ଯୋଗିତା କରିବା । ସେଇଠି ଆମେ ସମସ୍ତେ ଏକାଠି ମିଶି ଖାଇବା । ଏଥର ଏଇ ପେନ୍ ଓ ଚକୋଲଟ୍ ନିଅ । ପିଲାମାନେ ନେଉଥିଲେ ସତ , ହେଲେ କାହା ମୁହଁରେ ହସ ନ ଥିଲା । ଲୁହରେ ଭିଜି ଯାଇଥିଲା ସେମାନଙ୍କ ଆଖି । ବର୍ଣ୍ଣାଳୀ ଦିଦିଙ୍କ ଗାଡି ପର୍ଯ୍ୟନ୍ତ ସବୁ ପିଲାମାନେ ଗଲେ । ବର୍ଣ୍ଣାଳୀ ଦିଦି ପିଲାମାନଙ୍କୁ ଧରି କାନ୍ଦି ପକେଇଲେ । ସେମାନଙ୍କ ଆଖି ଲୁହ ପୋଛି ଦେଲେ । ପିଲାମାନେ ପ୍ରଣାମ କରି ହାତ ହଲେଇ ବିଦାୟ ଦେଲେ । ସତରେ ଏଇ ନିରୀହ ପିଲାମାନଙ୍କର ଦୋଷ କ'ଣ ? ତାଙ୍କ ଖୁସି, ଭବିଷ୍ୟତ ଏଇ ସ୍ବାର୍ଥ ଲୋଭୀ କ୍ଷମତା ରାତାରାତି ଛଡେଇ ନେଲା ।

    ଧୀରେ ଧୀରେ ସ୍କୁଲର ପିଲାମାନଙ୍କର ପାଠ ପଢିବା ଶୈଳୀ ମାନ୍ଦା ପଡିଗଲା । ଏପରି କି ତାଙ୍କୁ ସଂଖ୍ୟା ଆସିଲାନି କି , ପଣିକିଆ ।ବହି ପଢିବା ତ ଦୂରର କଥା ଅ ଠାରୁ କ୍ଷ ପର୍ଯ୍ୟନ୍ତ ପିଲାମେନେ ଲେଖି ପାରିଲେନି କି କହିବି ପାରିଲେନି । ବାପା ମାଆମାନେ ପିଲାଙ୍କୁ ଟିଉସନ କରିଲେ । ତଥାପି ପିଲାମାନଙ୍କର ପାଠ ହେଲାନି । ଘରେ ପିଲାଙ୍କ ଉପରେ ବିରକ୍ତ ପ୍ରକାଶ କରିଲେ । ଚେୟାରମ୍ୟାନ୍ ଟଙ୍କା ପାଇଲେ ସତ ହେଲେ ସ୍ୱୁଲ ଓ ପିଲାମାନଙ୍କର ପାଠରେ ବହୁତ କ୍ଷତି ହେଲା । ସମସ୍ତେ ଚେୟାରମ୍ୟାନ୍ ଙ୍କୁ ଦୋଷ ଦେଲେ । କହିଲେ ଆମର ପଇସା ନାହିଁ । ତୁମ ଯୋଗୁଁ ସିଏ ବଦଳି ହେଇଗଲେ । ଯେମିତି ହେଉ ତୁମେ ତାଙ୍କୁ ଫେରେଇ ଆଣ । କିନ୍ତୁ ସେତେବେଳକୁ ବହୁତ ଡେରି ହେଇ ଯାଇଥିଲା । ସେଠାର ଲୋକମାନେ ବ୍ଳକ୍ କଲେକ୍ଟର ପାଖକୁ ଯାଇ ଅନୁରୋଧ କଲେ ଯେମିତି ବର୍ଣ୍ଣାଳୀ ଦିଦି ଆମ ସ୍କୁଲ ଛାଡି ନ ଯାଆନ୍ତୁ । ସିଏ ଆମ ଗାଁର ଲକ୍ଷ୍ମୀ । ଆମ ପିଲାମାନଙ୍କ ସରସ୍ବତୀ । ତାଙ୍କ ପାଇଁ ଆମ ସ୍କୁଲ ଆଜି କିଛି ନାଆଁ କରିଛି । ସିଏ ଆମ ହୀରା ।ତାକୁ ଆମେ ଛାନିବୁନି । ବିଚରା ଚେୟାରମ୍ୟାନ୍ ଘରକୁ ଫେରି ବହୁତ ଅନୁତାପରେ ଜଳିବାକୁ ଲାଗିଲା ।ସତରେ କେତେ ଭୁଲ୍ କରିଛି ସେ । ଏମିତି ହୀରା ପାଖରେ ଥାଇ ବି ସିଏ ତାକୁ ଏଇ କେଇଟା ଟଙ୍କା ଲୋଭରେ କ୍ଷମତା ବଳରେ ନିଜ ଗାଆଁ ପିଲାଙ୍କର ଭବିଷ୍ୟତକୁ ମାଟିରେ ମିଶେଇ ଦେଲେ । ଶେଷରେ ତା ପିଲା ବି ମୁର୍ଖ ହେଇ ଗଲା । ନିଶା ଖାଇ ବୁଲିଲା । ଆଉ ପାଠ ପଢିବାକୁ ଗଲାନି । ବିଚରା ଚେୟାରମାନ୍ ସରପଞ୍ଚକୁ ଧରି ବାରମ୍ବାର ଯେତେ ଚେଷ୍ଟା କଲେବି ,ନିରାଶ ହେଇଗଲେ । ଏତେ ବଡ ଭୁଲ୍ ସିଏ ନିଜେ ତ କରିଛନ୍ତି । କହିବେ କାହାକୁ ? ଶୁଣିବ କିଏ ? ବର୍ଣ୍ଣାଳୀ ଦିଦି ସେଇ ଗାଆଁକୁ ଆଉ କେବେବି ଫେରିଲେନି ।


Rate this content
Log in

Similar oriya story from Abstract