Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Rakesh Panda

Comedy Others

4  

Rakesh Panda

Comedy Others

ଟାଇମ୍ ପାସ୍

ଟାଇମ୍ ପାସ୍

4 mins
30



    ମଦ ପିଇଲେ କରୋନା ହେବନାହିଁ। ଯଦି ହୋଇଥିବ ଭଲ ହୋଇଯିବ, ଦିନେଶ କହିଲା। 

   ବାଟୁ କହିଲା - ମୁଁ ବି ସେୟା ଶୁଣୁଛି। ଶୁଣୁଛି କ'ଣ ଖବରକାଗଜରେ ବି ପଢ଼ିଛି। ହ୍ୱାଟସ୍ ଆପ୍, ଫେସବୁକରେ ବି ଲୋକେ ଏଇକଥା ଲେଖୁଛନ୍ତି। ତେଣୁ ଆମେ ନିଶ୍ଚୟ ଥରେ ପିଇବା ଉଚିତ। ମଦଟା ତ କୋଉ ବିଷ ନୁହେଁ ଯେ ଥରେ ପିଇଦେଲେ ମରିଯିବା। ଇଏ କୋଉ ପାୱାରଫୁଲ୍ ଔଷଧ ବି ନୁହେଁ। ବିନା କାରଣରେ ଖାଇଦେଲେ ତା'ର ବିକୃତ ସାଇଡ୍ ଇଫେକ୍ଟ ବାହାରିବ। 

   -- ତା'ହେଲେ ଚାଲ୍। 


   ବାଟୁ ଆଉ ଦିନେଶ ମଦ ଦୋକାନରେ ପହଞ୍ଚିଲେ। ଆଉ ପିଇଲେ। କିଛି ସମୟ ପରେ ନିଶା ଧରିଲା। 

   ଦିନେଶ କହିଲା - ସତକଥା। ଏବେ ମୁଁ ଜାଣିପାରୁଛି ମଦ ପିଇଲେ ଆଦୌ କରୋନା ହେବନାହିଁ। 

   ଠିକ୍ କହିଛୁ। ଜମା ହେବନାହିଁ। ଦେଖୁନୁ, ମୋର ଏବେ ବହୁତ ସାହସ ବଢ଼ି ଯାଇଛି। କରୋନା ଫରୋନା କିଛି କଥାକୁ ମୋତେ ଡର ଲାଗୁନାହିଁ। ମୋର ତ କରୋନା ଜୀବାଣୁକୁ ଧରି ପକେଇବାକୁ ଇଛା ହେଉଛି, କହିଲା ବାଟୁ। 


   ଦିନେଶ କହିଲା - ବହୁତ ସାହସ ବଢ଼ି ଯାଇଛି। ଚାଲ୍, ଆଉ ଟିକେ ଟିକେ ପିଇଦେବା। ଆହୁରି ସାହସ ବଢ଼ିଯିବ। 

    ଦୁହେଁ ପୁଣି ମଦ ପିଇଲେ। ଏକଦମ୍ ଟଳମଳ ହେବା ପର୍ଯ୍ୟନ୍ତ। ପାଟି ଖନି ମାରିଯିବା ପର୍ଯ୍ୟନ୍ତ। ଦିନେଶ ଚାହିଁଲା ବାଟୁ ମୁହଁକୁ। ଆଖି ଦିଟା ଦଳି ପକେଇ ଭଲ ଭାବରେ ଦେଖିଲା। କହିଲା - ତୁ କ'ଣ ଦିଟା ଦେଖା ଯାଉଛୁ ?

    ବାଟୁ ଦେଖିଲା ଦିନେଶକୁ। ମୁଣ୍ଡଫୁଣ୍ଡ ଝାଡ଼ି ଆଉଥରେ ଦେଖିଲା। କହିଲା - ତୁ ବି ଦୁଇଟା ହୋଇ ଯାଇଛୁ। ତା'ହେଲେ କରୋନା ନହେବାର ରହସ୍ୟ ଟା ଏଇଠି ଅଛି। 

    -- ମାନେ ?

    -- ମଦ ପିଇଲା ପରେ ତୁ ଦିଇଟା ହେଇଗଲୁ। ଆଉ ମୁଁ ବି ଦିଇଟା। ସେଥିରୁ କରୋନା ଗୋଟେ ଗୋଟେକୁ ହବ। ଆଉ କ'ଣ ଏକାଥରେ ଦିଟାକୁ ହବକି ?

   -- ନା ନା। ସେମିତି ହେବା ସମ୍ଭବ ନୁହେଁ। 

   -- ତୋ ଦେହରୁ ଗୋଟାକୁ ଆଉ ମୋ ଦେହରୁ ଗୋଟାକୁ ହେବ। ଆଉ ସେଥିରୁ ବଳକା ରହିଲା କେତେ ?

   -- ହା ହା ହା ହା... ତୁ ଜଣେ ଆଉ ମୁଁ ଜଣେ। ପୁରା ସୁସ୍ଥ। 


  ବାଟୁ କହିଲା - ପ୍ରକୃତରେ କେହି କରୋନାକୁ ଡରିବା ଉଚିତ ନୁହେଁ। ସମସ୍ତେ ମଦ ପିଇବା ଉଚିତ। 

    ଦିନେଶ କହିଲା - ମୋର ଆଜି ଚୀନକୁ ଯିବାପାଇଁ ଇଚ୍ଛା ହେଉଛି। ମାନେ ଉହାନ୍ ସହରକୁ। ଆଉ ତ ଆମର ଡରଫର ବୋଲି କିଛି ନାହିଁ ନା। ତେଣୁ ଟିକେ କରୋନା ରୋଗୀଙ୍କୁ ଛୁଇଁ ଦେଖନ୍ତେ। ସେବା କରନ୍ତେ। ଆଉଁସା ଘସା କରନ୍ତେ। 

   -- ମୋର ବି ଭାରି ଇଚ୍ଛା ହେଲାଣି। ଚାଲୁନୁ ଯିବା। ହେଲେ ଯିବା କେମିତି ?

   -- ଉଡ଼ାଜାହାଜରେ। ଚାଲ୍ ଆଗ ଏରୋଡ୍ରମ୍ ପହଞ୍ଚିବା ତା'ପରେ ଦେଖିବା। ଯୋଉଟା ପାଇବା ସେଟା ନେଇ ପଳେଇବା। 

   -- ହଁ ହଁ କରୋନା ଡରରେ ତ କେହିକୁଆଡ଼େ ଯାଉନାହାଁନ୍ତି। ସବୁ ସେମିତି ଠିଆ ହୋଇଛି। 


   ଦୁହେଁ ଚାଲିଲେ ଏରୋଡ୍ରମ୍ ଆଡ଼କୁ। ଟଳମଳ ହୋଇ, ପରସ୍ପରର ସାହାଯ୍ୟ ନେଇ ଚାଲିଥାନ୍ତି। ହଠାତ୍ ଦିନେଶ ପାଟିକଲା - ଦେଖ୍ ଦେଖ୍, ଆମେ ଚୀନରେ ପହଞ୍ଚି ଗଲେଣି। ଦେଖୁନୁ ଚାରିଆଡ଼େ କେମିତି ଶୁନଶାନ୍। 

      -- ହଁ। ଠିକ୍ କଥା। କର୍ଫ୍ୟୁ ଯୋଗୁଁ ଲୋକବାକ ବାହାରେ ବୁଲୁ ନାହାଁନ୍ତି। ହେଇ ଦେଖ୍, ସେଠି ପିଣ୍ଡାରେ ଗୋଟେ ଲୋକ ଶୋଇଛି। ଚାଲ୍, ତା ପାଖରୁ ଖବର ନେବା। 

     ଅନ୍ଧାରୁଆ ଗଳି ଭିତରେ ଶୋଇଥିବା ଲୋକଟା ଥିଲା ଗୋଟେ ଭିକାରୀ। ବିଚରା ଚୁପଚାପ୍ ଘୋଡ଼ାଇ ହୋଇ ଶୋଇଥିଲା। ଦିନେଶ ଆଉ ବାଟୁ ତା ପାଖରେ ପହଞ୍ଚିଲେ। ତାକୁ ନିଦରୁ ଉଠାଇ ପଚାରିଲେ - ବାବୁ, ତମ ନାଁ କ'ଣ ?

    ଲୋକଟା କହିଲା - ଚାଇନା ସାଉ। 

    ଦୁହେଁ ସ୍ଥିର ନିଶ୍ଚିତ ହେଲେ ଯେ ସେମାନେ ଚୀନରେ ପହଞ୍ଚି ସାରିଛନ୍ତି। ଦିନେଶ ପଚାରିଲା - ଆଛା, ଏଇଟା ଉହାନ୍ ସହର ତ ?

   ଲୋକଟା ଉହାନ୍ ଶବ୍ଦଟା କେବେ ଶୁଣି ନଥିଲା । ତେଣୁ କିଛି ବୁଝି ନପାରି କହିଲା - ମୁଁ ଜାଣେନି। 

   ବାଟୁ କହିଲା - ଶୁଣିଲୁ, ଶୁଣିଲୁ ନା। ଏ ଲୋକଟା ଓଡ଼ିଆ କହୁଛି। 

    ଦିନେଶ ପଚାରିଲା - ତୁମେ ଓଡ଼ିଆ କେମିତି ଜାଣିଲ ? କ'ଣ କେବେ ଓଡ଼ିଶା ଯାଇଥିଲ ?

   -- ନାଇଁ ଆଜ୍ଞା। ମୁଁ ତ ଓଡ଼ିଶା.... 

   ବାଟୁ କହିଲା - ତୁମେ ତା'ହେଲେ ନିଶ୍ଚୟ ହୁଏନସାଂ ଙ୍କ ବଂଶଧର। ତାଙ୍କରି ଠୁ ତମେ ଓଡ଼ିଆ ଶିଖିଛ। ତୁମେ ଜଣେ ମହାନ ଲୋକ। ଜାଣିଛ ତମ ଜେଜେବାପା ଆମ ରାଜ୍ୟକୁ ଯାଇଥିଲେ। ପୁରା ଆମ ଗାଁ ପାଖକୁ। ଜଗତସିଂପୁରକୁ। ଚେଳିତୋଳ ବନ୍ଦର କଥା ବି ତମ ଜେଜେ ନିଶ୍ଚୟ ତୁମକୁ କହିଥିବେ। ସେଇଟା କିନ୍ତୁ ଆଉ ଚେଳିତୋଳ ନାହିଁ। ତିର୍ତ୍ତୋଲ ହେଇ ଯାଇଛି। ହା ହା ହା.. 


    ଦିନେଶ କହିଲା - ବାଟୁ, ତୋ ପାଖରେ କାଗଜ କଲମ ଅଛିକି ? ମୁଁ ଭାବୁଛି ଏବେ ଇତିହାସ ଲେଖିବି। ମାନେ ହୁଏନସାଂ ଙ୍କ ବଂଶର ପରବର୍ତ୍ତୀ କଥା। ତାଙ୍କ ନାତି ପାଖରୁ ବହୁତ ତଥ୍ୟ ମିଳିବ। 

    -- ଇତିହାସ ଲେଖିବୁ ? ଛେନାଗୁଡ଼ ଲେଖିବୁନା ? ଓଡ଼ିଆରେ କେତେଟା ଅକ୍ଷର ତତେ ଜଣା ଅଛିନା। 

    -- ହଁ। ଜାଣିଛି। ବହୁତ ଅକ୍ଷର। ହଜାରେ ହେଇପାରେ, ପାଞ୍ଚ ହଜାର କି ପଚାଶ ହଜାର ଅକ୍ଷର ହୋଇପାରେ। ଯେତେ ମୋଟା ବହି ସେତେ ବେଶୀ ଅକ୍ଷର। 

    -- ଆଁ...... 

    -- ହଁ। ମୁଁ ମୋ ସ୍ତ୍ରୀ ପାଇଁ ଗୋଟେ ରନ୍ଧନ ଶିକ୍ଷା ବହି ନେଇଥିଲି ସେଥିରେ ପ୍ରାୟ ପାଞ୍ଚ ହଜାର ଓଡ଼ିଆ ଅକ୍ଷର ଥିଲା। ମୋ ସ୍ତ୍ରୀ ଭାନୁମତୀ ମ। ଭାନୁମତୀ ନା ଭାଲୁମତୀ। ଭାଲୁମତୀ ନାଁ ଟା ଠିକ୍ ହେବ। ତା'ର ମତିଗତି ସବୁ ଭାଲୁ ଭଳି। 

   -- ତା'ହେଲେ ଭାଲୁ.... ନା ନା ଭାଉଜ କ'ଣ ରୋଷେଇ ଶିଖି ନଥିଲେ ?

    -- ଶିଖିଥିବା ରୋଷେଇ ରାନ୍ଧିବା ଆଉ ରନ୍ଧନ ଶିକ୍ଷା ବହିରୁ ପଢ଼ି ପଢ଼ି ରାନ୍ଧିବା ଅଲଗା କଥା। ମାନେ ଗୋଟେ ସମ୍ଭ୍ରାନ୍ତ କଥା। 

    ଶିଖି ନଥିବା ବି ଗୋଟେ ସମ୍ଭ୍ରାନ୍ତ କଥା, ଆଶ୍ଚର୍ଯ୍ୟ ହୋଇ ପଚାରିଲା ବାଟୁ। 

   ଦିନେଶ କହିଲା - ଆଉ । ରନ୍ଧନ ଶିକ୍ଷା ବହିଟା ବାଁ ହାତରେ ଧରି ରୋଷେଇ କରୁ କରୁ ପୋଡ଼ି ପକେଇବ। ଆଉ ଦମେ ଆହା ଚୁ ଚୁ କରିବ। ଲୋକେ କହିବେ, ଆହା, କେଡ଼େ ଖାନ୍ଦାନି ବୁନିଆଦି ଘର ଝିଅଟା। ଗେଲ ବଅସରେ ବଢ଼ିଛି... ଯେ ମା' ବୁଢ଼ୀମା ତା ହାତରେ ରୋଷେଇ ବାସ କରେଇ ନାହାଁନ୍ତି। 


      -- ତା'ହେଲେ ରୋଷେଇ ଶିକ୍ଷା ବହିରୁ ଯିଏ ରାନ୍ଧଣା ଶିଖିବ ସିଏ ନିଶ୍ଚୟ ପୋଡ଼ିବ ? ତା'ହେଲେ ଏମିତି ବାଜ୍ୟେ ବହିଟା ବାହାରିଛି କାହିଁକି ? କ'ଣ ନାରୀମାନଙ୍କୁ ହଇରାଣ କରିବା ପାଇଁ ? ପରିବାର ଲୋକଙ୍କ ଠାରୁ ଗାଳି ଖୁଆଇବା ପାଇଁ ? ପ୍ରତିଶୋଧ ନେବାପାଇଁ ?

   ବାସ୍ ବାସ୍.. ଠିକ୍ କଥା କହିଲୁ। ପ୍ରତିଶୋଧ ନେବାପାଇଁ ବହି ଲେଖାଯାଏ। ପ୍ରତିଶୋଧ ନେବାପାଇଁ ପୁରସ୍କାର ବି ଦିଆଯାଇ ପାରେ, କହିଲା ଦିନେଶ। 

     -- ପୁରସ୍କାର ଦେଇ କେମିତି ପ୍ରତିଶୋଧ ନିଆଯିବ ? ଆଁ... 


   ଦିନେଶ କହିଲା - ମୋର ଗୋଟେ ସାଙ୍ଗ ଅଛି। ଜୀବନ ସାରା ବଢ଼ିଆ ବଢ଼ିଆ ଗପ ଲେଖିଲା। ବହୁତ ଗୁଡ଼େ ଗପବହି ଛାପାହେଲା। ଲୋକେ ତାକୁ ଗାଳ୍ପିକ କହିଲେ। ଗୋଟେ ଉପନ୍ୟାସ ଲେଖିଥିଲା ଯେ ତାକୁ ଉପନ୍ୟାସ ପାଇଁ ପୁରସ୍କାର ମିଳିଲା। ମାନେ ସାହିତ୍ୟ ଏକାଡେମୀ ପୁରସ୍କାର। ତା ଭିତରେ ଥିବା ଗାଳ୍ପିକଟାକୁ ଅସମ୍ମାନିତ କରାଗଲା। ଏଇଟା ଗୋଟେ ପ୍ରତିଶୋଧ ନୁହେଁ ?

   ବାଟୁ କହିଲା - ଦିନେଶ , ଗୋଟେ କଥା ମାର୍କ କରିଲୁଣି ନା !

   -- କ'ଣ ?

   -- କରୋନା ଆମକୁ ଛାଡ଼ି ପଳେଇଲାଣି। ଦେଖୁନୁ ତୁ ଗୋଟେ ଦେଖା ଯାଉଛୁ। ଦେଖିଲୁ ମତେ କରୋନା ଛାଡ଼ିଲାଣି ନା ?

   -- ହଁ ହଁ ତୁବି ଗୋଟେ ହେଇ ଯାଇଛୁ। 


* ପ୍ଲିଜ୍, ଘରେ ରୁହନ୍ତୁ ଓ ମୋର ବାଜ୍ୟେ ଲେଖା ପଢ଼ି ସମୟ ବିତାନ୍ତୁ। 



Rate this content
Log in