ବାଟ
ବାଟ
ସଡ଼କ ଓ ସମୟ ଦୁଇଟା ସାରା ସମାନ। ଏଇଠୁ ଭୁବନେଶ୍ୱର ଦି ଘଣ୍ଟାର ବାଟ, ବାସ୍ । ସଡ଼କ ଆଉ ସମୟ ସମାନ ହୋଇଗଲା।
ନଭେମ୍ବର ୨୦୧୯ ରୁ ଆମେ କରୋନା ଭୂତାଣୁ ସହିତ ଚାଲିଛନ୍ତି। ପହଞ୍ଚିଲେଣି ମଇ ମାସରେ। ସାତମାସ ଅତିକ୍ରମ କରି ସାରିଛନ୍ତି। ଆମ ଆଗରେ ଆଉ ଛଅ ସାତ ମାସ ସମୟ ଅଛି। ଆକଳନ କର୍ତ୍ତା ମାନଙ୍କ କଳନା ଅନୁଯାୟୀ ମଝିରେ ଜୁନ୍, ଜୁଲାଇ ଭଳି ଦୁଇଟା କଠିନ ମାସ ଅଛି। ତାକୁ ଅତିକ୍ରମ କରି ଆଗକୁ ଆଗେଇ ଯିବାପାଇଁ ପଡ଼ିବ। ତା'ପରେ ବିପଦ, ଦୁଃଖ ଓ ଭୟରୁ ମୁକ୍ତି ମିଳିବ। ଭଲ ସମୟ ଆସିବ।
ସାତମାସ ତଳୁ କରୋନା ଭୂତାଣୁ ଚୀନର ଉହାନ୍ ସହରରୁ ଯାତ୍ରା ଆରମ୍ଭ କରିଛି। ନିଜ ଦେଶର ସୀମା ଅତିକ୍ରମ କରି ଅନେକ ଦେଶରେ ଆତଙ୍କ ସୃଷ୍ଟି କରି ଜୀବନ ନେଇ ଚାଲିଛି। ବିଭିନ୍ନ ଦେଶର ସହର ମାନଙ୍କୁ ଆତଙ୍କିତ କରି ଆମ ଗାଁ ଗଣ୍ଡା ଭିତରେ ବି ପହଞ୍ଚି ଯାଇଛି। କରୋନା ତା'ର ସାତମାସ ଯାତ୍ରା ଭିତରୁ ଶେଷ ଦୁଇମାସ ଆମ ସହିତ ବିତାଇଛି। କିନ୍ତୁ ଏପର୍ଯ୍ୟନ୍ତ ଆମକୁ ସ୍ପର୍ଶ କରିପାରି ନାହିଁ। କାରଣ ଆମେ ସାବଧାନତା ଅବଲମ୍ବନ କରିଛନ୍ତି। ହେଲେ କରୋନାର ଯାତ୍ରା ଜାରି ରହିଛି।
ଆମର ଚାଲିବା ଶେଷ ହୋଇ ଗଲାଣି। ଆମକୁ ଠିକଣା ମିଳି ଯାଇଛି। ସୁରକ୍ଷିତ ସ୍ଥାନରେ ଆମେ ରହି ସାରିଛନ୍ତି। ନିଜ ଘରେ ଓ ସରକାରଙ୍କ ଦୃଷ୍ଟି ତଳେ ରହିବା ଠାରୁ ଆଉକିଛି ଅଧିକ ସୁରକ୍ଷିତ ସ୍ଥାନ କିଛିନାହିଁ।
କିନ୍ତୁ ଆଜି ପର୍ଯ୍ୟନ୍ତ ଚାଲିବା ଶେଷ ହେଲାନାହିଁ ପ୍ରବାସୀ ଶ୍ରମିକମାନଙ୍କର। ବାଟ ସରୁନାହିଁ କି ଦୁଃଖର ସମୟ ଶେଷ ହେଉନାହିଁ।
କାରଖାନା ଓ ନିର୍ମାଣ କାର୍ଯ୍ୟ ହଠାତ୍ ଦିନେ ବନ୍ଦ ହୋଇଗଲା। ସହରରେ ଲକ୍ ଡାଉନ୍ ଘୋଷଣା କରାଗଲା। ବନ୍ଦ ହେଲା କାମ। ବନ୍ଦ ହେଲା ରାସ୍ତାଘାଟ, ଗାଡ଼ିମଟର, ଅଫିସ୍ ଆଉ ଦୋକାନ ବଜାର। ବାସଗୃହ ମାନଙ୍କର ମୂଖ୍ୟ ଗେଟ୍ ଖୋଲିଲା ନାହିଁ।
ଶ୍ରମିକ ପଡ଼ି ରହିଲା ତା'ର ଅସ୍ଥାୟୀ କ୍ୟାମ୍ପ, ଶ୍ରମିକ ବସ୍ତି ଆଉ ଫୁଟପାଥ୍ ରେ। କାନ୍ଥ ଓ ଛାତ ନଥିବା ତା'ର ବାସ ଗୃହରେ ବସି ବସି ଦେଖୁଥିଲା ସବୁ ଖୋଲାଅଛି। ଆକାଶ, ସୂର୍ଯ୍ୟ, ଚନ୍ଦ୍ର, ତାରା, ପବନ, ପାଣି ସବୁ ଖୋଲାଅଛି। ତେଣୁ ନିଶ୍ଚୟ ଏ ସହର ବି ଦିନେ ଖୋଲିଯିବ। ପୂର୍ବଭଳି ସବୁ ସ୍ୱାଭାବିକ ହୋଇଯିବ। ଭଲ ସମୟ ଆସିବ। ଦୋକାନ, ବଜାର, କଳକାରଖାନା, ନିର୍ମାଣ କାର୍ଯ୍ୟ ଚାଲିବ। ପୁଣି ମଜୁରି ମିଳିବ। ଦୁଃଖ ଦୂରେ ହେବ।
ବସି ବସି ସମୟ ବିତିଲା। ପଇସା ସରି ଆସିଲା। ଆଉ ପ୍ରତ୍ୟେକ ମୁହୂର୍ତ୍ତରେ ଭୟ ଆସି ଆଘାତ ଦେବାକୁ ଲାଗିଲା। ହଜାର ହଜାର ଲୋକ ରୋଗଗ୍ରସ୍ତ ହୋଇ ଚାଲିଛନ୍ତି। ହଜାର ହଜାର ଲୋକ ମରୁଛନ୍ତି। ଏଇ ସହରରେ ଶହ ଶହ ଲୋକ ରୋଗରେ ପଡ଼ି ସାରିଲେଣି। ପ୍ରତିଦିନ ଲୋକ ମରୁଛନ୍ତି। ନିଜ ଚାରି କଡ଼ରେ କରୋନା ତା'ର ତାଣ୍ଡବଲୀଳା ଚଲାଇଥିଲା। ଭାରି ଅସହାୟ ଲାଗୁଥିଲା। ଏ ଦୂର ସ୍ଥାନରେ ନିଜର ବା କିଏ ଅଛି। ଏ ସରକାର, ଶାସନ, ପ୍ରଶାସନ ସହିତ କୌଣସି ସମ୍ପର୍କ, ପରିଚୟ କିଛି ନାହିଁ। କର୍ମ ସଂସ୍ଥାନ ଯୋଗାଇ ଡାକି ଆଣିଥିବା ମାଲିକମାନେ ଦୂରେଇ ଗଲେଣି। ଭାରି ଅସହାୟ ଲାଗୁଛି। ଏଠି ପଡ଼ୋଶୀ, ବନ୍ଧୁବାନ୍ଧବ କେହି ନାହିଁ। ଖୁବ୍ ଏକୁଟିଆ ଜୀବନ।
ନିଜ ରାଇଜକୁ ଯାଇ ଗାଁ ରେ ଥିବା ନିଜଘରେ ପହଞ୍ଚିଗଲେ ସବୁ ଦୁଃଖ ଦୂର ହୋଇଯିବ। ଏକାକୀତ୍ୱ କଟିଯିବ। ଆପଣାର ଲୋକଙ୍କ ମୁହଁ ଦେଖିବାକୁ ମିଳିବ। ମିଳିବ ସ୍ନେହ ଶ୍ରଦ୍ଧା ଓ ଆଶ୍ୱାସନା। ଜୀବନ ମୂଲ୍ୟବାନ ଲାଗିବ।
ସେଇଠୁ ଆରମ୍ଭ ହେଲା ଘରକୁ ଫେରିବାର ଯାତ୍ରା। ଏହି ଯାତ୍ରାର ସର୍ବନିମ୍ନ ଅବସ୍ଥାଟି ଥିଲା କପର୍ଦ୍ଦକ ଶୂନ୍ୟ ଭାବରେ ପାଦରେ ଚାଲି ଚାଲି ହଜାର କିଲୋମିଟର ଅତିକ୍ରମ କରିବାର ଲକ୍ଷ୍ୟ। ତା'ସହିତ କାଖରେ ଥିଲା ତିନି ଚାରି ବର୍ଷର ଶିଶୁପୁତ୍ର ଓ ହାତଧରି ପାଦରେ ପାଦ ମିଳାଇ ଚାଲୁଥିବା ନଅ ଦଶ ବର୍ଷର କୁନିଝିଅ।
ପଇସା ସରି ଯାଇଥିଲା। ସୁଖ ସରି ଯାଇଥିଲା। ଦୁଃଖର ସମୟ ଶେଷ ହେଉ ନଥିଲା। ଘର ପାଖକୁ ଲମ୍ବିଥିବା ରାସ୍ତା ଶେଷ ହେଉ ନଥିଲା। ପାଦ ପକାଇଲା ବେଳକୁ ରବର ଭଳି ଆହୁରି ଲମ୍ବି ଯାଉଥିଲା। ପେଟରେ ଭୋକ ବଢ଼ି ଚାଲିଥିଲା। ଆଣ୍ଠୁ ଗଣ୍ଠିର ଯନ୍ତ୍ରଣା ବଢ଼ୁଥିଲା। ପାଦତଳ ସିଝି ଯାଇଥିଲା। ଭୂମିରେ ପାଦ ପକାଇଲେ ଦେହ ଥରି ଉଠୁଥିଲା। ବାଟ ସରୁ ନଥିଲା। ସମୟ ସରୁ ନଥିଲା। ସରି ଯାଉଥିଲା ଜୀବନ। ଚାଲୁ ଚାଲୁ, କାନ୍ଦୁ କାନ୍ଦୁ, କୁନି କୁନି ଛୁଆମାନେ ମରି ଯାଉଥିଲେ। ମାଆ କୋଳରେ ବସି ଦୋଳି ଖେଳିବା ବୟସରେ ମାଟିମାଆ କୋଳରେ ମିଶି ଯାଉଥିଲେ।
ଭୋକ, ଶାରୀରିକ କଷ୍ଟ , ଅଭାବ, ଅସହାୟତା ମାରୁଥିଲା ମଣିଷକୁ। ପ୍ରବାସରୁ ଦୌଡ଼ି ଆସି ଜନ୍ମ ମାଟିର, ମାଟି ମାଆର ଅଭୟ ପଣତ ତଳେ ଆଶ୍ରୟ ନେବାକୁ ଇଚ୍ଛା କରି ଚାଲୁ ଚାଲୁ ଅଚିହ୍ନା ବାଟରେ ଚିରଦିନ ପାଇଁ ପାଦ ଅଟକି ଯାଉଥିଲା।
ଆଃ.......... ସେମାନେ ଯଦି ଆମଭଳି ସୁରକ୍ଷିତ ଭାବରେ ରହିବାର ସୁଯୋଗ ପାଇଥାନ୍ତେ !