Parameswar Ojha

Inspirational Others

4  

Parameswar Ojha

Inspirational Others

ତମେ ବ୍ୟସ୍ତ ହୁଅନି ମୁଁ ଅଛି

ତମେ ବ୍ୟସ୍ତ ହୁଅନି ମୁଁ ଅଛି

4 mins
276


କାଲି ଆମ ଘର ଛାଆ ଛପର ହେଉଥିଲା , ବଡ଼ ଝାମେଲା  କାମ ଏ ଘର ଛପର କାମଟା । ବର୍ଷ ସାରା ର ଅଳିଆ କଳାମଳା ଯେତେ ଥିବ ସବୁ ଝଡା ଝଡି ହୋଇ ସଫା ହେବ । ଚାଳ ଘର ଛପର ଓଲାରିବାକୁ ଯେତିକି ପରିଶ୍ରମ ତା ଠୁଁ ଅଧିକ ପରିଶ୍ରମ ସେ ସବୁ ଆଳି ମାଳିକା ଅଳିଆ ପାଳ ସବୁ ବୋହି ବୋହି ନେଇ ଗୋଟେ ଯାଗାରେ ଗଦା ମାଡି ରଖିବା , ଚାଳ ରୁ ପୁଣି ଯେତିକି ପୁରୁଣା ଭଲ ଛଣ ବାହାରିବ ତାକୁ ଅଲଗା ବାଛି ରଖାଯିବ ନୂଆ ଛଣ ସହ ମିଶିକି ସେ ପୁଣି ଛାଆ ହୋଇ ଯିବ । ସବୁ ସରିଲା ପରେ ପୁଣି ଘର ଭିତର ଝଡା ଝଡି ହେବ ଚାଳ ରୁ ତଳ ଯାଏଁ , ସବୁ ଜିନିଷ ଟିକି ନିଖି କଢା ଯାଇ ସଫା ସୁତୁରା ହୋଇ ପୁଣି ରହିବ । ତାପରେ ବାହାର ଭିତର ସବୁ ଅଳିଆ ସଫା ସଫି ହୋଇ ଘର ନୂଆ କଳେବର ରେ ରୂପାନ୍ତରିତ ହେଲା ବେଳକୁ । ତିନି ଚାରିଦିନ ଲାଗିଯିବ ମୋଟା ମୋଟି ଭାବରେ ।

 ତେଣୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାମଟି ହେଲା ଏଇ ଛପର କାମଟି , ଯଦି ଛାଆଳି ଭଲସେ ଛାଆନ୍ତି ତେବେ ଗୋଟା ବର୍ଷକ ତିନିଶହ ଷାଠିଏ ଦିନ ଆଉ କିଛି ଝିନଝଟ ନାହିଁ । ଆଉ ଯଦି କୋଉଠି ଅବହେଳା କରିଦେଲେ ତେବେ ଗଲା ଆଷାଢ଼ ମାସ କୁ ନାମ ନେବା ବରାଦ । ଟିକେ ଅଧିକ ବର୍ଷା ହେଲେ ପାଣି ଟୁପ୍ ଟାପ୍ ବୋହିବ ଅନେକ ଯାଗା ରେ , ଏକଦମ୍ ବିରକ୍ତିକର ପରିସ୍ଥିତି ସେ ଗୋଟେ ସେତେବେଳେ ରାତି ଅଧ ହେଉ କି ବଡି ଭୋରରୁ ହେଉ ତମକୁ ଉଠି ସେ ଯାଗାରେ କଂସା ବାଲ୍ଟି କୁଣ୍ଡ ଏସବୁ ରଖି ଘରକୁ ବର୍ଷା ପାଣିରୁ ବଞ୍ଚେଇ ବାକୁ ପଡେ । ନହେଲେ କୋଉଠି ବିଛଣା ଓଦା ତ ଆଉ କୋଉଠି ଆଲମାରୀ ଆଉ କୋଉଠି ତଳ ମାଟି ଚଟାଣ ତ ପୁଣି ଠାକୁର ଘର ଭିତର ଘର ଶାଳ ଘର ସବୁ ସବୁକୁ ଦେଖିବା ବେଳକୁ ଗୋଟା ଓଳି ବନ୍ଦ ରାତି ଅନିଦ୍ରା । ତେବେ ଏଥିପାଇଁ ଆମର କିଛି ଦାୟିତ୍ବ ନଥାଏ ସେଇଟା ବାପା ବୋଉ ଙ୍କ କାମ ଏବଂ ସେମାନେ ହିଁ କରିବେ ଗୋଟେ ଅଲିଖିତ ନୀୟମ ଅଛି ଯେପରି ସେଇପରି ଲାଗେ ଆମକୁ । 

ତେବେ ପଅରଦିନ ଅପରାହ୍ନ ଠୁଁ ଆମେ ବାପ ବୋଉ ପୁଅ ଚାରିଜଣ ଜଣ ଲାଗିକି ଛପର ଓଲାରି ଦେଇଥିଲୁ ଆଉ ସେ କୁଟା ସବୁକୁ ଗଦା ମାରି ଅଳିଆ ସଫା କରି ଦେଇଥିଲୁ । ଯେମିତି ଛାଆଳି ଭୋରରୁ ଆସିବେ ତ ଛାଆ ଆରମ୍ଭ କରିବେ । ଆଉ ଗୋଟେ କଥା ଆମ ଏଠିକା ଛାଆଳି ଟିକେ ଖାତିରିଆ ସ୍ବଭାବ ର ମାନେ ସବୁ ଆଡେ ଘର ଛାଆଳି ବାଲାଏଁ ଭୋରରୁ ଆସି ଛପର ଓଲାରିବେ ତା ସହ ନୂଆ ଛଣ ଛାଇ କି ଯିବେ । କିନ୍ତୁ ଏମାନେ ଦୁହେଁ ସେଇ ଏକା ପଇସା ନେବେ ୫୦୦ ଲେଖାଏଁ ୧୦୦ କିନ୍ତୁ କେବଳ ଛାଇବେ ଓଲରା ଉଲୁରି ଦାୟିତ୍ଵ ଆମର । ଛାଡ ସେଇ ଭଳି ତ ଚାଲି ଆସିଛି ଆଉ ଏବେ ଭାବିଲେ କଣ ହେବ ? 

ତେବେ ଘନ ବଡାପା ଆଉ ଅଗସ୍ତି କକା ସେ ଦୁଇଜଣ ସକାଳ ସାଢେ଼ ପାଞ୍ଚ ରୁ ଆସି ଚାଳକୁ ଚଢି ଛପର ଆରମ୍ଭ କରିଦେଲେ । ଆମେ ଦୁଇଜଣ ତଳେ ରହିଲୁ ଛଣ ପକାଇବା ପାଇଁ । ବୋଉ ତା'ର ରୋଷେଇ କରିବା ସହ ହାତ ମାରୁଥିଲା ଏପଟେ ବି । ଆଉ ସାନ ଉପରେ ଚଢ଼ି ଛଣ ସବୁ ସାଇଜ଼ କରି ରଖୁଥିଲା ଅଗସ୍ତି କକା ଆଉ ଘନ ବଡାପା କହିବା ମୁତାବକ । 

 ଏସବୁ ଭିତରେ ଯୋଉଟା ଅଧିକ ବିରକ୍ତିକର ଲାଗୁଥିଲା ତା' ଥିଲା ବାପା ଙ୍କ ଅତ୍ୟଧିକ ବ୍ୟସ୍ତ ବିବ୍ରତ ହୋଇ କାମ କରିବା ଆଉ ବଡ ପାଟି କରି ଡ଼ାକିବା । ଏଇ ଛଣ ଆଣେ ସେପଟ ରୁ ଆଠ ଦଶ ବିଡ଼ି ଉପରକୁ ପକାଇଦେ ଏକାଥରେ ସେମାନେ ଛାଇବେ ବସିକି ସେପଟେ ବାଉଁଶ ଚିରି ବତା କଲୁଣି ନାଁ ନାହିଁ ଆଉ କେତେବେଳେ ଯେ କଣ କାମ ସରିଲା ବେଳକୁ କରିବୁ ବତା ଆଗରୁ ରଖିଥିଲେ ସିନା ମଥାନ ମାରିଲା ବେଳକୁ ଲାଗିବ ନହେଲେ ସେତେବେଳକୁ ସେ ବତା ପାଇଁ ଉପରେ ଅନେଇ ଥିବେ ଆଉ ତମେ ହାଇଁ ପାଇଁ ହେଉଥିବ ତୁ ଆଇଁଲୁ ଆଇଁଲୁ ଡେରି ହେଉଛି ବସନା ମ କେମିତି ଲାଗିପାଗି କାମଟା ସାରିଦେଲେ କଥା ସରିବ ଗୋଟେ ବଡ଼ ଚିନ୍ତା ଯିବ ତୁ ଗୋଟେ କି ଭଳିଆ ପିଲା ତୋ ବାଗ କଣ ମୁଁ କିଛି ବୁଝି ପାରୁନି ?

ମୁଁ ବାପା ଙ୍କ ମୁହଁ କୁ ଚାହିଁଲି କିଛି ସମୟ , ସବୁ ବାପାଙ୍କ ଚରିତ୍ର ବୋଧେ ଏମିତି ବାପା ଯେତିକି ବ୍ୟସ୍ତ ବିବ୍ରତ ହେଉଛନ୍ତି ପ୍ରକୃତରେ କାମ ସେତିକି ର ନାହିଁ । ଠିକ୍ ସମୟ ରେ ଠିକ୍ ଠିକ୍ କାମ କଲେ ଆରାମ ସେ ଘର ଛାଆ ସମୟ ଭିତରେ ହୋଇ ଯିବ ସବୁ ହେଲେ ବାପା ଙ୍କୁ କିଏ ବୁଝାଇବ ? ସେତ ସବୁବେଳେ ଏମିତି ସବୁ କାମକୁ ସବୁ ବେଳକୁ ।

ତଥାପି ବାପା ଙ୍କୁ କହିଲି ବାପା ତମେ କାଇଁ ବ୍ୟସ୍ତ ହେଉଛ କହିଲ ? ଏମିତି ଅଯଥା ଟେନସନ ନେଇ ମୁଣ୍ଡ ଖରାପ କାଇଁ କରୁଛ ? ସହଜେ ତୁମର ଟିକେ କଣ ହେଲେ ମୁଣ୍ଡ ବୁଲାଏ ଆମେ ଦୁଇ ଜଣ ଅଛୁ ସବୁ କରିଦେବୁ ତମେ ଜମା ବ୍ୟସ୍ତ ହୁଅନା ଗୋଟେ ଯାଗାରେ ବସ , ଖାଲି ବରାଦ କର କୋଉଟା କେମିତି ହେବ ହେଲା ? ତମର ଦରକାର ନାହିଁ କୋଉଥିରେ ହାତ ମାରିବା କୁଟାକୁ ଦିଖଣ୍ଡ କରିବା ହେଲା ? ବାପା ଗୋଟେ ବଡ଼ ଛଣ ବିଡା ଧରି ପକାଇବାକୁ ଉଦ୍ୟତ ହେଉଛନ୍ତି ତ ମୁଁ ସେଇ ଛଣ ବିଡା ତାଙ୍କ ହାତରୁ ଛଡେଇ ନେଇ ଉପରକୁ ପକାଇ ଦେଲି । " ତମେ ଯାଅ ଟିକେ ପାଣି ଫାଣି କଣ ପିଇ ଦେଇ ଟିକେ ରେଷ୍ଟ ନେଇ ଆସ ମୁଁ ଅଛି ଏଠି ଗଲ ତମେ ବାପା ଙ୍କୁ ଏକପ୍ରକାର ଢେଲିଲା ଭଳି ବିଦା କରିଦେଲି । 

ବାପା କିଛି କହିଲେନି ସାମାନ୍ୟ ଚୁପ୍ ହୋଇଗଲେ । ସେଇଠୁ ଟିକେ ଧିର ସ୍ଥିର କଥା ହେଲେ । ସବୁ କାମ କରୁଥିଲେ କିନ୍ତୁ ଆଗ ଠାରୁ ବହୁତ ଚୁପ୍ ଚାପ୍ । ବୋଧେ ଭାବୁଥିଲେ ତାଙ୍କ ବଡ ପୁଅ ର କାର୍ଯ୍ୟକଳାପ ଆଉ କଥାକୁ । ମୁଁ ଦେଖିବା ଆଗରୁ ହିଁ ସେ ଆଖି କୋଣରୁ ଲୁହ କୁ ପୋଛି ଦେଇଥିଲେ ତାଙ୍କ ଗାମୁଛା ରେ ଭିତରକୁ ଯାଉ ଯାଉ ।  ସେ ଲୁହ ଦୁଃଖର ନୁହେଁ ବରଂ ଖୁସିର ଆଉ ଆତ୍ମସନ୍ତୋଷ ର ଥିଲା । " ତମେ ବ୍ୟସ୍ତ ହୁଅନି ବାପା ମୁଁ ଅଛି " ପୁଅ ର ଏଇ ଯଥେଷ୍ଟ ସାମର୍ଥ୍ୟ ପୂର୍ଣ୍ଣ ବାକ୍ୟ ତ ସବୁ ବାପା ଙ୍କ ପାଇଁ ସାହସ ଆଉ ଧୈର୍ଯ୍ୟ , ଗୋଟେ ବାପା ପାଇଁ ୟା ଠୁଁ ବଡ କଥା ଆଉ କ'ଣ ଅଛି ଯେ ? କିନ୍ତୁ ପୁଅ ଯେତେ ପାରିବାର ହେଲେବି ସବୁ ଘର ପାଇଁ ବାପା ହେଉଛନ୍ତି ମଝି ଖୁଣ୍ଟ ଏକଥା ଆମେ କେବେ ବି ଅସ୍ବୀକାର କରି ପାରିବାନି ।


Rate this content
Log in

Similar oriya story from Inspirational