Truptimayee Behera

Inspirational Children

4.0  

Truptimayee Behera

Inspirational Children

ସୁପରମମ୍

ସୁପରମମ୍

4 mins
350



  ବହୁତ୍ ବର୍ଷ ତଳେ ମଣିପୁରରେ ଗୋଟେ ଛୋଟ ଗାଆଁଟେ ଥିଲା। ସେ ଗାଆଁରେ ରହୁଥିଲେ ଶଙ୍କର ଆଉ ରୂପା । ତାଙ୍କର ଥିଲା ଦୁଇଟା କୁନି କୁନି ଛୁଆ । ଗୋଟେ ଛୁଆର ନାଆଁ ଥିଲା ରାଜୁ ଆଉ ଗୋଟେ ଛୁଆର ନାଆଁ ଥିଲା ପିହୁ। ଶଙ୍କର ଆଉ ରୂପା ତାଙ୍କର ଦୁଇଟା ଛୁଆଙ୍କୁ ବହୁତ୍ ଭଲ ପାଉଥିଲେ। ସେଇ ଗାଆଁରେ ଗୋଟେ ବୁଢୀ ଅସୁରୁଣୀଟେ ଥିଲା। ତାର ବହୁତ୍ ଲମ୍ବା ଲମ୍ବା ହାତ ଥିଲା। ଯଦି କାହା ଘରେ ଛୁଆର ବାବା ରହୁନଥିଲେ ସେ ଅସୁରୁଣୀ ରାତିରେ ଆସିକି ତା ଲମ୍ବା ଲମ୍ବା ହାତରେ ଛୁଆମାନଙ୍କୁ ଧରି କି ଖାଇଦଉ ଥିଲା । ସେଥିପାଇଁ ସେ ଗାଆଁରେ ଛୁଆ ମାନଙ୍କର ବାବା ମାନେ କାମରେ ଗାଆଁରୁ ବାହାରକୁ ଯାଉନଥିଲେ ଆଉ ଯାହା କାମ ଦିନରେ ସାରି ରାତିରେ ଘରକୁ ପଳେଇ ଆସୁଥିଲେ। 


 ଗୋଟେ ଦିନ ଶଙ୍କରର କିଛି କାମ ପଡିଲା। ସେଥିପାଇଁ ଚାରି ଦିନ ପାଇଁ ତାକୁ ଘରୁ ବାହାରକୁ ଯିବାକୁ ପଡିଲା। ରୂପାର ବହୁତ୍ ଚିନ୍ତା ହେଇଗଲା ଦିଟା ଛୁଆଙ୍କୁ ଧରିକି ସେ ଏକା କେମିତି ଚାରି ଦିନ ରହିବ। ରାତିରେ ତ ବୁଢୀ ଅସୁରୁଣୀ ଆସିବ ମୋ ସ୍ୱାମୀ ନଥିବାର ଜାଣିଲେ ସେ ମୋ ଛୁଆଙ୍କୁ ଖାଇଦବ। ପ୍ରଥମ ଦିନ ରାତିରେ ରୂପା ଭଲରେ କବାଟ ଝରକା ବନ୍ଦ କଲା। ଛୁଆ ମାନଙ୍କୁ ଜଲଦି ଖାଇବାକୁ ଦେଇ ସେ ଶୁଆଇ ଦେଲା । ବହୁତ୍ ରାତିରେ କବାଟ କିଏ ବାଡେଇଲା। ରୂପା ଜାଣିପାରିଲା କି ବୁଢୀ ଅସୁରୁଣୀ ଡାକୁଛି ବୋଲି। ରୂପା ନିଜ ମନରେ ସାହସ ବାନ୍ଧିଲା। କିଛି ଡେରି ପରେ କବାଟ ବାହାରୁ କିଏ ପାଟି କଲା, ପଚାରିଲା ଶଙ୍କର ଘରେ ଅଛିକି ? ରୂପା ଜାଣିଛି କି ବୁଢୀ ଅସୁରୁଣୀଟା ଆଉ କାହାର ସ୍ୱରରେ ଏମିତି ପଚାରୁଛି ବୋଲି। ସେ ବି ଅଭିନୟ କଲା ତା ସ୍ୱାମୀ ଘରେ ଥିଲା ପରି, ଆଉ କହିଲା ଶଙ୍କର ଦେଖିଲ ଏତେ ରାତିରେ ତମକୁ କିଏ ଖୋଜୁଛି। ମୁଁ କଣ କବାଟ ଖୋଲିବି ଶଙ୍କର ? ସେ ଅସୁରୁଣୀ ଟା ଭାବିଲା ତା ସ୍ୱାମୀ ଘରେ ଅଛି ବୋଲି ଆଉ ସେ ପଳେଇଲା। ପୁଣି ତା ପର ଦିନ ବି ଆସିକି ରାତିରେ କବାଟ ବାଡେଇଲା ଆଉ ରୂପା ସେମିତି ଅଭିନୟ କରିକି କହିଲା। ସେ ଅସୁରୁଣୀ ପୁଣି ପଳେଇଲା। ଏମିତି ତିନି ଦିନ ପଳେଇଲା। ତିନିଦିନ ରୂପା ଛୁଆ ମାନଙ୍କୁ ବଞ୍ଚେଇଲା। କିନ୍ତୁ ଆସୁରୁଣୀକୁ କୋଉଠୁ ଖବର ମିଳିଗଲା କି ତା ସ୍ୱାମୀ ନାହିଁ ଆଉ ରୂପା ତା ସ୍ୱାମୀ ଘରେ ଥିବାର ଅଭିନୟ କରୁଛି ବୋଲି। ବୁଢୀ ଅସୁରୁଣୀ କହିଲା ଆଜି ରାତିରେ ତ ମୁଁ ଛୁଆ ଦିଟାଙ୍କୁ ନିଶ୍ଚିନ୍ତ ଖାଇବି।


  ଆଜି ଚତୁର୍ଥ ଦିନ। ରୂପା ମନେମନେ ଭାବୁଥିଲା ଆଜି ରାତିଟା ଯେମିତି ହେଲେ କଟିଗଲେ କାଲି ଶଙ୍କର ଆସିଯିବ ଆଉ ରାତିରେ ବୁଢୀ ଅସୁରୁଣୀ ଆସିଲେ ଡର ଲାଗିବନି। କିନ୍ତୁ ଆଜି ରାତିଟା ଯେ କେମିତି କଟିବ ସେଇ ଚିନ୍ତା। ସବୁଦିନ ପରି ସେଦିନ ରାତିରେ ମଧ୍ୟ ରୂପା ଛୁଆମାନଙ୍କୁ ଜଲଦି ଖାଇବାକୁ ଦେଇ ଶୁଆଇ ଦେଲା। ନିଜେ ନ ଶୋଇ ସଜାଗ ରହିଲା ସବୁ ପରିସ୍ଥିତିର ସାମନା କରିବା ପାଇଁ। ଭାବିଲା ସେ ନିଜର ଆଉ ଛୁଆର ଜୀବନ କିପରି ବଞ୍ଚାଇ ପାରିବ। ତା ଘରେ କାଠ କାଟିବା ପାଇଁ କଟୁରୀ ଥିଲା। ସେଇ କଟୁରୀ ଆଣି ନିଜ ପାଖରେ ରଖିଲା। ରାତି ଯେମିତି ବଢୁଥାଏ ରୂପାର ଡର ବି ତା ସହ ବଢୁଥାଏ। ନିଜ ଆଖିର ପଲକ ଗୋଟେ କ୍ଷଣ ପାଇଁ ମଧ୍ୟ ସେ ପକଉ ନଥାଏ। ତାହାଲେ ବି ସେ ସାହସ ବାନ୍ଧୁଥିଲା ନିଜ ମନରେ କି ଆଜି ରାତିବି କଟିଯିବ। ଠିକ୍ ମଧ୍ୟ ରାତ୍ରିରେ କବାଟ କିଏ ବାଡେଇଲା। ଏଇଟାତ ବୁଝିବାରେ ଆଉ ବାକି ନଥିଲା କି କବାଟର ଆର ପଟରେ ବୁଢୀ ଅସୁରୁଣୀ ଅଛି ବୋଲି। ରୂପା ପୁଣି ଶଙ୍କର ଘରେ ଥିବାର ଅଭିନୟ କରିବାକୁ ଲାଗିଲା । ସେ କହିଲା ଶଙ୍କର ଦେଖିଲ ଏତେ ରାତିରେ ପୁଣି କିଏ ଡାକୁଛି। ସେପଟେ ଅସୁରୁଣୀ ଉତ୍ତର ଦେଲା କବାଟ ଖୋଲ, ମୁଁ ଜାଣି ସାରିଛି ତୋର ସ୍ୱାମୀ ଘରେ ନାହିଁ । ତୁ ତିନି ଦିନ ହେଲା ମତେ ଭକୁଆ ବନଉଛୁ । ଆଜି ମୁଁ ତତେ ଛାଡିବିନି ତୋର ଦୁଇଟା ଛୁଆଙ୍କୁ ଖାଇକି ଯିବି। ସେ କହିଲା ଏଇ ଦିନର ଅପେକ୍ଷା ମୁଁ ବହୁତ ଦିନ ହେଲା କରୁଥିଲି । ତା ପରେ ତାର ଲମ୍ବା ଲମ୍ବା ହାତ କବାଟ ଫାଙ୍କ ଭିତରକୁ ପୁରେଇଲା ଛୁଆମାନଙ୍କୁ ଧରିବ ବୋଲି।


  ରୂପା ଡରିଗଲା କଣ କରିବ ଭାବି ପାରୁନଥିଲା। ନିଜେତ ମା' ଛୁଆମାନଙ୍କୁ ନିଜେ ତାକୁ ବଞ୍ଚେଇବାକୁ ପଡିବ। ନିଜର ସବୁ ସାହସ ବାନ୍ଧି ପାଖରେ ଆଗରୁ ରଖିଥିବା କଟୁରୀକୁ ଉଠେଇଲା। ଦୁଇହାତରେ କଟୁରୀକୁ ଯୋରେ ଧରିଥିଲା ଯେମିତି ହାତରୁ ଖସିନଯାଉ। ଯେତିକିବେଳେ ବୁଢୀ ଅସୁରୁଣୀ ତାର ଲମ୍ବା ଲମ୍ବା ହାତ ଘର ଭିତରେ ପୁରେଇଲା ଛୁଆମାନଙ୍କୁ ଧରିବା ପାଇଁ ରୂପା କଟୁରୀରେ ଦୁଇ ଚୋଟ ପକେଇଲା ତା ହାତକୁ। ବୁଢୀ ଅସୁରୁଣୀ ଜୋରରେ ଚିତ୍କାର କଲା । ତାର ଦିଟା ଲମ୍ବା ଲମ୍ବା ହାତ କଟିଗଲା। ଅସୁରୁଣୀର ଜୋର ଚିତ୍କାର ଶୁଣି ଗାଆଁ ଲୋକ ସବୁ ଉଠିଗଲେ। ଆଉ ଅସୁରୁଣୀକୁ ଧରିବାକୁ ତା ପଛରେ ଗୋଡେଇଲେ। ଅସୁରୁଣୀ ବିକଳରେ ତା କଟା ହାତ ଧରି ଦୌଡିକି ପଳେଇଲା। ଆଉ ସେ ଶପଥ ନେଲା କି ଏ ଗାଆଁକୁ ଆଉ କେବେ ଆସିବନି।  


 ତା ପର ଦିନ ଶଙ୍କର ଆସି ପହଞ୍ଚିଲା ଗାଆଁ ରେ। ଗାଆଁରେ ପ୍ରବେଶ କରୁ କରୁ ରୂପାର ସାହସ ବିଷୟରେ ଗାଆଁ ଲୋକଙ୍କଠୁ ଶୁଣିବାକୁ ପାଇଲା। ସେ ବିଶ୍ୱାସ କରିପାରୁନଥିଲା କି ତା ସ୍ତ୍ରୀ ଏତେ ସାହସୀ ହୋଇଥିବ ବୋଲି। ନିଜ ଘରେ ପହଞ୍ଚିଲା। ରୂପାଠୁ ସବୁ କଥା ଶୁଣିବା ପରେ ସେ ତାକୁ ବହୁତ ପ୍ରଶଂସା କଲା ଆଉ ସମ୍ମାନ ଦେଲା ତାର ସାହସ ପାଇଁ। ତା ପରଠାରୁ ଗାଆଁର ଲୋକମାନେ ନିଷ୍ପତ୍ତି ନେଲେ ଗାଆଁର ସବୁ ମହିଳାମାନଙ୍କୁ ଆତ୍ମରକ୍ଷାର ତାଲିମ ଦିଆଯିବ ଯୋଉଥିରେ ସେମାନେ ଆତ୍ମନିର୍ଭରଶୀଳ ହେବେ ଆଉ ନିଜର ଆଉ ଅନ୍ୟମାନଙ୍କର ଜୀବନ ମଧ୍ୟ ପରିସ୍ଥିତି ପଡିଲେ ବଞ୍ଚାଇ ପାରିବେ। ଆଉ ସେଇ ଦିନ ପରଠାରୁ ସେଇ ଗାଆଁରେ କେବେ ସେ ବୁଢୀ ଅସୁରୁଣୀକୁ କେହି ଦେଖି ନାହାନ୍ତି। 


ଏଇ ଗପରୁ ଆମକୁ କଣ ଶିକ୍ଷା ମିଳିଲା - 

 ମହିଳାମାନେ ପୁରୁଷମାନଙ୍କଠାରୁ କୌଣସି କ୍ଷେତ୍ରରେ କମ୍ ନୁହନ୍ତି। ଆଉ ବିଶେଷ କରି ମହିଳାଟି ଗୋଟେ ମାଆ ହୋଇଥିଲେ ତାର ସାହସ ଦୁଇଗୁଣିତ ହୋଇଯାଇଥାଏ। ସେ ତାର ଛୁଆକୁ କେବେବି ଅସୁବିଧାରେ ଦେଖିପାରେନି। ନିଜ ପ୍ରାଣପଣେ ଚେଷ୍ଟା କରେ ତାକୁ ବଞ୍ଚେଇବା ପାଇଁ। ମାଆ ହୋଇଗଲେ ବୋଧେ ସାହସ ଶହେଗୁଣା ବଢିଯାଏ। ଆଉ ନିଜର ବୁଦ୍ଧି ଓ ସାହସ ବଳରେ ଆମେ ଯେ କୌଣସି କଠିନ ପରିସ୍ଥିତିର ମୁକାବିଲା କରି ପାରିବା । ଆଉ ଶେଷରେ ସମସ୍ତ ମହିଳାମାନଙ୍କୁ ଆତ୍ମରକ୍ଷାର ତାଲିମ୍ ନବା କଥା। ଯେମିତି ପରିସ୍ଥିତି ଆସିଲେ ଆମେ ସାହସର ସହ ଛିଡା ହୋଇ ପାରିବା।



Rate this content
Log in

Similar oriya story from Inspirational