STORYMIRROR

Susamamanjari Mishra

Children

3  

Susamamanjari Mishra

Children

ସୁନା କଙ୍କଣ

ସୁନା କଙ୍କଣ

2 mins
233


ମଧୁପୁର ନାମରେ ଛୋଟିଆ ଗାଁ ଟିଏ |

ପାର୍ଶ୍ୱରେ ବହି ଯାଉଥିବା ନଈର କୁଳୁକୁଳୁ ଶବ୍ଦଲହରୀରେ ସାରା ଗାଁ ମୁଖରିତ ହୋଇ ଉଠୁଥାଏ |

ସେହି ଗାଁରେ ଏକ ଛୋଟିଆ ପରିବାରଟିଏ ରହୁଥାଏ, ବୁଢ଼ୀମାଆ ଏବଂ ନାତୁଣୀ ମାନିନୀ  | ପୁଅ ବୋହୁଙ୍କ ଏକ ଦୁର୍ଘଟଣାରେ ଅଚାନକ ଦେହାନ୍ତ ପରେ ଏବେ ଉଭୟ ଉଭୟଙ୍କ ସାହାରା |

ଅନ୍ୟଘରେ ପାଇଟି କରି ଯେନତେନ ପ୍ରକାରେଣ ଚଳିଯାଆନ୍ତି 

ବୁଢୀମା ଏବଂ ମାନିନୀ | 

ସମୟର ଖେଳ ବଡ଼ ବିଚିତ୍ର, ଦିନେ ନଈବଢି ଆସିଲା |

ନଈବଢିର କରାଳ ରୂପରେ ଭାସିଗଲା ଅନେକଙ୍କ ଜୀବନ ଏବଂ ଜୀବିକା | ନାତୁଣୀ ଏବଂ ବୁଢୀମା ଅନ୍ୟ ଗ୍ରାମବାସୀଙ୍କ ସହାୟତାରେ ଉଚ୍ଚସ୍ଥାନରେ ଆଶ୍ରୟ ନେଲେ | 

କିଛି ଦିନ ଗଲା, ନଈ ବଢି ଛାଡି ଗଲା | ନଈକୂଳରେ ହଠାତ ଦିନେ ମାନିନୀ ଏକ ଚକଚକ କରୁଥିବା କଙ୍କଣଟିଏ ଦେଖିଲା |

ତଳୁ ଉଠାଇ ହାତରେ ଧରି ଏପଟ ସେପଟ ଦେଖିଲା, ଖୁବ ଓଜନ ଲାଗୁଥିଲା ହାତକୁ, ପଟେ କଙ୍କଣ ଧରି ମାନିନୀ ବୁଢୀମାକୁ ଦେଖାଇଲା | ବୁଢୀମା ଏହାକୁ ଦେଖି ସୁନା ହୋଇଥିବ ବୋଲି ଭାବି ପଡୋଶୀ ଘରକୁ ଯାଇ ରାମୁ ନାମକ ଏକ ବ୍ୟକ୍ତିକୁ ଜଣାଇଲା | ପଡୋଶୀ ଘରର ରାମୁ ଖୁବ ଇର୍ଷାଳୁ ଥିଲା, ସେ କଙ୍କଣଟି ଦେଖି ଖାଣ୍ଟି ସୁନା ବୋଲି ଜାଣିପାରିଲା ଏବଂ ବୁଢ଼ୀକୁ ୟାଡୁ ସିଆଡୁ କହି କଥାଟା ଟାଳି ଦେଲା, "ଏହା ଏକ ସାଧାରଣ କଙ୍କଣ, ଏହାର ମୂଲ୍ୟ କିଛି ନାହିଁ," କହି ବିଦା କରିଦେଲା ବୁଢ଼ୀମାଆକୁ, ବୁଢୀମାଆ କଙ୍କଣଟି ସେହିଠାରେ ଫିଙ୍ଗି ଘରକୁ ଫେରିଲା | 


ରାମୁ ସେହି କଙ୍କଣଟିକୁ ଗୋଟାଇ ପରଦିନ ସକାଳୁ ପାଖ ବଜାରକୁ ଯାଇ ଏକ ସୁନା ଦୋକାନରେ ପହଞ୍ଚିଲା, ଏବଂ କଙ୍କଣଟି ଦେଖାଇଲା |

ସୁନା ଦୋକାନୀ ଏହାକୁ ଦେଖି ଜମିଦାର ବାବୁଙ୍କ ଝିଅର କଙ୍କଣ ବୋଲି ଚିହ୍ନିପାରିଲା | 

ଅନେକ ଦିନ ତଳେ ଜମିଦାର ବାବୁ ଏହି ଦୋକାନୀ ପାଖରେ ଝିଅପାଇଁ କଙ୍କଣଟି ତିଆରି କରିଥିଲେ, ଏହା ଚୋରି ହୋଇଯାଇଥିଲା, ଝିଅର ଅତ୍ୟନ୍ତ ପ୍ରିୟ ଥିଲା ଉକ୍ତ କଙ୍କଣଟି, ଏହା ହଜି ଯାଇଥିବାରୁ ଝିଅଟି ଖୁବ ଦୁଃଖ ପାଇଥିଲା, ଜମିଦାର ବାବୁ ତାଙ୍କ ଝିଅ ପାଇଁ ଖୁବ ଦୁଃଖ କରିଥିଲେ | ସେଥିପାଇଁ ଚୋରକୁ ପଚାଶ ଚାବୁକ ପାହାରର ଦଣ୍ଡ ଘୋଷଣା କରିଥିଲେ |

ଏବେ ସେହି ଚୋରି କଙ୍କଣଟିକୁ ରାମୁ ପାଖରେ ଦେଖି ଦୋକାନି  ସଙ୍ଗେ ସଙ୍ଗେ ଜମିଦାର ବାବୁଙ୍କୁ ସୂଚନା ଦେଲା |

ରାମୁକୁ ଜମିଦାର ବାବୁଙ୍କ ଲୋକ ନେଇଗଲେ ଏବଂ କିଛି ନବୁଝି ଜମିଦାରବାବୁଙ୍କ ନିର୍ଦ୍ଦେଶରେ ଦଣ୍ଡ ଘୋଷଣା ଅନୁଯାୟୀ ପଚାଶ ଚାବୁକ ପାହାର ଥୋଇଦେଲେ |

ମାଡ ଖାଇସାରି ରାମୁ ସବୁ ସତ କଥା କହିଲା | ବୁଢ଼ୀମାଆ ଏବଂ ନାତୁଣୀକୁ ସଭାକୁ ଡକାଇ ପୁରସ୍କୃତ କଲେ | ଏବଂ ମାନିନୀକୁ ଏକ ଭଲ ଘର ଏବଂ ଭଲ ବର ଦେଖି ବାହା କରାଇବାର ପ୍ରତିଶୃତି ଦେଲେ | ସେହିଦିନଠାରୁ ଜମିଦାରଙ୍କ ଦାୟିତ୍ୱରେ ବୁଢୀମା ଏବଂ ମାନିନୀ ରହିଲେ,ଜମିଦାର ବାବୁ ମାନିନୀକୁ ପାଠ ପଢ଼ାଇବାର ବ୍ୟବସ୍ଥା ମଧ୍ୟ କରାଇଦେଲେ |

ବୁଢୀମା ନାତୁଣୀ ଖୁବ ଖୁସିରେ ରହିଲେ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children