Susamamanjari Mishra

Children Stories

3  

Susamamanjari Mishra

Children Stories

ସଙ୍ଗଦୋଷ

ସଙ୍ଗଦୋଷ

3 mins
271


ପୋଲିସ ଗାଡିର ଶବ୍ଦ ଖୁବ ନିକଟରୁ ନିକଟତର ହେବାକୁ ଲାଗୁଥାଏ, ଗୋଟାଏ ପରେ ଗୋଟେ ଗୁଳିର ଗର୍ଜନ ତୁହାକୁ ତୁହା ଭୟଙ୍କର ଶବ୍ଦ ସୃଷ୍ଟି କରୁଥାଏ, ପ୍ରାଣ ବିକଳରେ ପୋଲିସ ଗାଡିର ଆଗରେ ଦୌଡୁଥାଏ ଅପରାଧୀ "ବଣ୍ଟି ରାଜା " | 

ହାତରେ ଛୋଟିଆ ବ୍ୟାଗ, ପୋଲିସର ପିସ୍ତଲରୁ ଗୁଳିମାନଙ୍କ ମଧ୍ୟରୁ ଗୋଟାଏ ବଣ୍ଟିର ଗୋଡ଼ରେ ବାଜିଯାଇଛି, ଦୌଡି ବାକୁ ଶକ୍ତି ନାହିଁ, ଯନ୍ତ୍ରଣାରେ ଛଟପଟ ଏବଂ ପ୍ରାଣ ବଞ୍ଚାଇବାକୁ ଅସୀମ ପ୍ରୟାସରତ ସେ |ବୋଧହୁଏ ବିଧିର ବିଧାନ ଅନ୍ୟ କିଛି ଅଛି |ଆଗରେ ଦୃଶ୍ୟ ହୁଏ ଏକ ମନୋରମ ଆଶ୍ରମ, ସୁନ୍ଦର ଉପବନଯୁକ୍ତ ଚତୁର୍ପାଶ୍ୱ ଆକର୍ଷଣୀୟ ଶୋଭାରେ ପରିପୂର୍ଣ୍ଣ ସାଧୁ ସନ୍ଥଙ୍କ ଗହଳିଚହଳି | ଆଗକୁ ବଢିଲା ବଣ୍ଟି, ଉପାୟ ନ ପାଇ ସେଇ ଆଶ୍ରମ ଆଡକୁ ବଢିଲା, ଗୋଡ଼ରୁ ଧାର ଧାର ରକ୍ତରେ ଆଶ୍ରମର ରାସ୍ତା ରକ୍ତିମ ହୋଇଯାଉଥାଏ |

ପେଟରେ ଦୁଇଦିନ ଉପବାସର ଭୋକର ଯନ୍ତ୍ରଣା, ଆଶ୍ରମର ସମସ୍ତ ସନ୍ୟାସୀଙ୍କ ଦୃଷ୍ଟି ବଣ୍ଟି ଉପରେ ହିଁ ଲାଖି ରହିଲା, ଦୁଇପହର ସମୟ ହେତୁ ସମସ୍ତ ଖାଇବା ପାଇଁ ପତ୍ର ପାଖରେ ବସିଥାନ୍ତି, ବଣ୍ଟି ସେଇ ରକ୍ତ ଜୁଡୁବୁଡୁ ଗୋଡ଼ରେ ଅନ୍ୟ ଜଣଙ୍କ ଖାଇବା ନେଇ ଭୋକ ବିକଳରେ ଖାଇବାକୁ ଲାଗିଲା | ଏସବୁ ଜଣେ ତ୍ରିକାଳଦର୍ଶୀ ସାଧୁ ଯେ କି ଆଶ୍ରମରେ ମୁଖ୍ୟ ଥାନ୍ତି, ସେ ଲକ୍ଷ୍ୟ କରୁଥିଲେ, ଅପରାଧୀଟିକୁ ବାଧା ନ ଦେବା ପାଇଁ ଅନ୍ୟ ମାନଙ୍କୁ ଆଦେଶ ଦେଲେ | ବଣ୍ଟି ପେଟ ଭରି ଖାଇ ସରିଲା, ସେ ସ୍ଥାନରୁ ଯିବାକୁ ବାହାରିଲା ବେଳକୁ ସନ୍ଥ ଜଣକ ତାକୁ ଅଟକାଇଲେ, "ବାବା କୁଆଡେ ଯିବ?? ଗୋଡ଼ରେ ଆଘାତ ଲାଗିଛି ଅଳ୍ପ ସମୟ ଏଠି ବିଶ୍ରାମ ନିଅ ଏବଂ ଗୋଡ଼ର ଚିକିତ୍ସା କରାଇ ଏଠୁ ତମେ ଚାଲି ଯାଇ ପାର, ତମର ଏଠି କିଛି ଅସୁବିଧା ହେବନି ତମେ ଏଠାକାର ଅତିଥି " | ଏତକ ଶୁଣି ବଣ୍ଟି କିଛି ସମୟ ଭାବି ସନ୍ଥଙ୍କ କଥାରେ ସମ୍ମତି ଦେଲା | ବିଶ୍ରାମ କରିବାକୁ ଅନ୍ୟ କୋଠରୀକୁ ଯାଇ ନିଜର ଚିକିତ୍ସା କରାଇଲା, ଅନ୍ୟ ସାଧୁ ମାନେ କ୍ଷତର ଅନେକ ଜଡିବୁଟି ଲେପନ କରୁଥାନ୍ତି, ସେମାନଙ୍କର ସ୍ନେହ ପୂର୍ଣ୍ଣ କଥା ବଣ୍ଟିକୁ ଭାରି ଭଲ ଲାଗୁଥିଲା | କିଛି ଘଣ୍ଟା ଶୋଇବା ପରେ ଯିବାକୁ ବାହାରିଲା ବେଳକୁ ସେମାନେ ବଣ୍ଟିକୁ ଆଉ ଗୋଟେ ଦିନ ରହି କ୍ଷତ ଶୁଖିଯିବା ପରେ ଯିବାକୁ କହିଲେ, ବଣ୍ଟି ମଧ୍ୟ ଏଥିରେ ରାଜି ହୋଇଗଲା | ଦିନଟିଏ ବିତିଗଲା.... 

ବଣ୍ଟି ଆଜି ଆଶ୍ରମରୁ ବାହାରି ଆସିବ... ପୁଣି ଫେରିଯିବ ସେଇ ପୁରୁଣା ଅପରାଧୀକ ଦୁନିଆଁକୁ, କାହିଁକି ନା ସେ "ଗୁରୁ ସାହେବ"କୁ କଥା ଦେଇଛି , ତାଙ୍କରି ପାଇଁ ତ ସେ ଆଜି ବଡ଼ ହେଇଚି, ପେଟକୁ ଦାନା ମିଳିଛି !!, .

 ପୁଣି ପଛକୁ ପଛକୁ ଭାବିବାକୁ ଲାଗିଲା ବଣ୍ଟି ..... 


ଦିନେ ବାପା ମାଆଙ୍କ ସାଙ୍ଗରେ ପିକନିକ ଯିବା ଦିନ ଦୁର୍ଘଟଣାରେ ବାପା ମାଆଙ୍କୁ ହରେଇ ଦେଇଥିଲା, ଆଠ ବର୍ଷର ପିଲା, କୁଆଡ଼ ଯିବ? ବାପା ମାଆଙ୍କର ରକ୍ତାକ୍ତ ଶବ ପାଖରେ ଖୁବ ଜୋରରେ ବୁକୁଫଟା ଚିତ୍କାର କରୁଥାଏ, ସେତେବେଳେ କେହି ହେଲେ ସହାୟତା କରିନଥିଲେ, ଏଇ "ଗୁରୁ ସାହେବ " ହିଁ ତ ରାସ୍ତାରୁ ଉଠାଇ ଆଣି ପାଖରେ ରଖିଥିଲେ, ହେଇ ପାରେ ନିଜର କଳା କାର୍ଯ୍ୟରେ ବଣ୍ଟିକୁ ଲଗାଇ ଦେଇଥିଲେ, ବ୍ରାଉନ ସୁଗାର ଏବଂ ଚୋରୀ କାମରେ ବଣ୍ଟିକୁ ନିୟୋଜିତ କରିଥିଲେ | ସେଥିପାଇଁ କେତେ ଯେ ଗୁଳିର ଯନ୍ତ୍ରଣା ସହିବାକୁ ପଡିଛି ତାର ହିସାବ ନାହିଁ, ହେଲେ ଦିନେ ହେଲେ ତାକୁ ସ୍ନେହରେ କେହି କଥା ପଦେ ହେଲେ କହିନାହାନ୍ତି, କୌଣସି ଯତ୍ନ ମଧ୍ୟ ନେଇନାହାନ୍ତି |

ଏତକ ଭାବୁ ଭାବୁ ବଣ୍ଟିର ଆଖିରେ କେତେବେଳୁ ଯେ ଲୁହ ଆସିଗଲାଣି ସେ ଜାଣିପାରୁନି |

ଆଶ୍ରମରେ ଝାଞ୍ଜ କୀର୍ତ୍ତନରେ ବଣ୍ଟିର ଭାବନାର ପୂର୍ଣ୍ଣଚ୍ଛେଦ ପଡିଲା, ପ୍ରଭୁଙ୍କ ଯଶ କୀର୍ତନ ବଣ୍ଟିକୁ ଖୁବ ନୂଆ ଅନୁଭୂତି ଦେଉଥାଏ, ବଣ୍ଟି ଆଗ୍ରହର ସହ ସେ ସବୁ ଶୁଣିଲା |

ଏତିକିବେଳେ ଜଣେ ସାଧୁ ଆସି ଖୁବ ଶାନ୍ତ ଗଳାରେ କହିଲେ " ବାବା ଆଜି ଆଉ ଯାଅନି କ୍ଷତ ସମ୍ପୂର୍ଣ୍ଣ ଭଲ ହେଲେ ତମେ ଚାଲିଯିବ " ବଣ୍ଟିର ଯିବାକୁ ଇଚ୍ଛା ହେଉ ନ ଥାଏ, ସାଧୁଙ୍କ କଥା ଶୁଣି ଟିକେ ଖୁସି ହୋଇଗଲା ସେ | ସେଇ ଦିନ ଠାରୁ ପ୍ରତିଦିନ ଅନ୍ୟ ମାନଙ୍କ ସହ ଫୁଲ ତୋଳିବା କାର୍ଯ୍ୟ ଠାରୁ ଆରମ୍ଭ କରି ଆଶ୍ରମର ଅନ୍ୟାନ୍ୟ କାର୍ଯ୍ୟରେ ଯୋଗ ଦେଲା, ଆଶ୍ରମରେ ଭଜନ କୀର୍ତ୍ତନ ଏବଂ ଆଳତୀରେ ମଧ୍ୟ ଯୋଗ ଦେଲା |ଆଉ ଯିବା କଥା ସମ୍ପୂର୍ଣ୍ଣ ଭୁଲିଗଲା | ଏହା ସବୁ ତ୍ରିକାଳଦର୍ଶୀ ମୁଖ୍ୟ ସନ୍ଥ ଦେଖି ମୁରୁକି ମୁରୁକି ହସୁଥାନ୍ତି |

ସର୍ପ ଦେହରେ ମଧ୍ୟ ମଣି ଥାଏ | ମଣିଷ ଉପରେ ପରିବେଶ ପରିସ୍ଥିତି ହିଁ ପ୍ରଭାବ ପକାଇଥାଏ | ମଣିଷଟି ଭଲ ମଣିଷଙ୍କ ଗହଣରେ ରହିଲେ ଭଲ ଏବଂ ଖରାପ ମଣିଷଙ୍କ ଗହଣରେ ରହିଲେ ଖରାପ ହିଁ ହୁଏ |



Rate this content
Log in