Susamamanjari Mishra

Inspirational

4  

Susamamanjari Mishra

Inspirational

ଶାନ୍ତିର ଦୂତ ***********

ଶାନ୍ତିର ଦୂତ ***********

7 mins
1



ରବି ଅନେକ ବେଳୁ ବିଦାୟ ନେଇ ପାହାଡ଼ ଉହାଡ଼ରେ ଲୁଚି ଗଲେଣି । ପକ୍ଷୀ ମାନଙ୍କର ନୀଡ଼ ବାହୁଡା଼ ପର୍ଯ୍ୟାୟ ବି ଶେଷ ହେଇଗଲାଣି । କଅଁଳ ଶିଶୁ ବି ମାଆର କୋଳରେ ଅଧିକାର ଦାବି କରି ମୁଣ୍ଡ ଗୁଂଜି ଅଚିନ୍ତା ନିଦରେ ଶୋଇଗଲେଣି ।


ଶୂନଶାନ ପରିବେଶ, ଖୋଲା ଆକାଶ, ପାଖରେ ସରକାରୀ କ୍ଵାଟର । ନିକଟରେ ସୁନ୍ଦର ବଗିଚା ଝାପ୍ସା ବିଜୁଳି ଆଲୋକରେ ଶୋଭା ବର୍ଦ୍ଧନ କରୁଥାଏ । ସିମେଣ୍ଟରେ ତିଆରି ଚୌକିରେ ମୁଣ୍ଡକୁ ଆଉଜି ବସିଥାନ୍ତି ମୋହନ ବାବୁ । ଭାରାକ୍ରାନ୍ତ ଲାଗୁଥାଏ ଆଜି । 3ମାସ ହେବ କର୍କଟ ରୋଗରେ ସ୍ତ୍ରୀଙ୍କ ମୃତ୍ୟୁ ଯେତିକି ଦୁଃଖ ଆଉ ଅସହାୟତା ଆଣିଦେଇଛି ତା ଠୁ ଅଧିକ ଦୁଃଖ ଆଜି ସେ ଜନ୍ମିତ ପୁଅଠୁ ପାଇଛନ୍ତି । ଏକମାତ୍ର ପୁଅ ତାଙ୍କର ରୋମୀ । 

ସରକାରୀ କିରାଣୀ ଚାକିରୀ କରୁଥିବା ବାପା ପାଇଁ ରୋମୀର କୁଆଡେ ସମ୍ମାନର ଆଞ୍ଚ ଆସୁଛି ।ରୋମୀର ବ୍ୟବହାର ଦିନକୁ ଦିନ ଅସହ୍ୟ ହେଇଉଠୁଛି । ଅଭାବ ଅସୁବିଧାରେ ଥାଇ ରୋମିକୁ ପ୍ରାଇଭେଟ କଲେଜରେ ଇଞ୍ଜିନିୟରିଙ୍ଗ ପଢ଼େଇଲେ, ହେଲେ କ୍ଲାସ କରିବା ତ ଦୂରର କଥା, ବରଂ ଘରକୁ ପ୍ରତିଦିନ କିଛି ସାଙ୍ଗ ମାନଙ୍କୁ ଡାକି ଆଖଡ଼ା କରିବାଟା ଗୋଟିଏ ପ୍ରକାର ଅଭ୍ୟାସ ହେଇଗଲାଣି । ସନ୍ଧ୍ୟାରେ ଘରୁ ବାହାରିଯିବ ଯେ ରାତି ଗୋଟାଏରେ ପାଦ ଟଳମଳ କରି ଫେରିବ । ଘରେ ବାପା ତାର ରୋଷେଇ କରି ନିଜେ ନ ଖାଇ ପୁଅ ପାଇଁ ଅପେକ୍ଷା କରିଥିବ, ଏକଥା ପୁଅକୁ କିଛି ବି ଫରକ ପଡ଼େନା ।

 ବାପା ଦରମାର ଜମା ଟଙ୍କାରେ ନିଜର ଦାମୀ ପ୍ୟାଣ୍ଟ ସାର୍ଟ ଆଉ ଆଧୁନିକ ଗାଡି କିଣା ହୁଏ ।


ଆଜି ପୁଅର କଲେଜରେ ପରୀକ୍ଷା ରେଜଲ୍ଟ ବାହାରିଲା, ହେଲେ ବାବୁ ପରୀକ୍ଷା ଦେଇନାହାନ୍ତି ।

 ପୁଅକୁ ଏ ବୟସରେ କି ଶାସନ କରିବେ ମୋହନ ବାବୁ । ପଦେ କଥା କହିଦେଲେ ତାଙ୍କର ଅସ୍ତିତ୍ୱ ଦୋହଲେଇ ଦେଉଛି ରୋମୀ । କଥା କହିବାର ଶୈଳୀରେ ରୁକ୍ଷତା ଏବଂ ଅଭାଦ୍ରାମୀ ଏସବୁ ସହିବାକୁ ମୋହନ ବାବୁଙ୍କ ପାଖରେ ଆଦୌ ଧୈର୍ଯ୍ୟ ନାହିଁ ।

ଆଜି କିନ୍ତୁ ରୋମୀର ମୁହଁରୁ ଜଣେ ଅଯୋଗ୍ୟ ଏବଂ ଅକର୍ମା ବାପା ବୋଲି ମାନପତ୍ରଟିଏ ପାଇବା ପରେ ମୋହନ ବାବୁ ଭାଙ୍ଗି ପଡିଛନ୍ତି । ଛାତିରେ ଅସହ୍ୟ ଯନ୍ତ୍ରଣା । ଲାଗୁଚି ଏଇନେ ପିଣ୍ଡରୁ ପ୍ରାଣ ବାହାରି ପଡିବ ।

ଅତି ଭାରାକ୍ରାନ୍ତ ମନ ନେଇ ଟିକେ ବାହାରର ନିର୍ମଳ ପରିବେଶରେ ନିଶ୍ୱାସ ନେବେ ।

ସେଥିପାଇଁ ଆଜି ସେ ଏକାନ୍ତରେ ବାହାରେ ବସିଛନ୍ତି । ମନେ ମନେ ଚିନ୍ତାକରୁଥାନ୍ତି "ଆଜି ପଡୋଶୀ ସବୁ ନିଜ ନିଜ ଘରେ ଖୁସିରେ ଥିବେ, ବୋଧେ ମୋ ପରି ସେମାନେ ଦୁଖୀ ନୁହନ୍ତି " ।

ନିଜ ଜୀବନର ପ୍ରତିଟି ଘାତ ପ୍ରତିଘାତକୁ ମନେ ପକାଉ ଥାନ୍ତି । ଜୀବନରେ ଘଟିଥିବା ଦୁଃ ସମୟର ହିସାବ କରୁଥାନ୍ତି ।


ଏମିତି ଚିନ୍ତାରେ ଥିବାବେଳେ କେତେବେଳେ ଯେ ଘଣ୍ଟା କଣ୍ଟା ଏକ ପାଖକୁ ଆସି ମିନିଟ କଣ୍ଟା 12 ପାଖକୁ ଅତିକ୍ରମ କରିଗଲାଣି ଜଣାପଡୁନି ।

ଆଜି ନିଦ ବି ରୁଷିଯାଇଛି ହଜିଯାଇଛି ।ସବୁରତି ଭଳି ଆଜି ମଧ୍ୟ ମୋହନ ବାବୁ ପେଟକୁ ଦାନାଟିଏ ବି ଦେଇନଥାନ୍ତି ।

ସବୁଆଡେ ନୀରବତା ଖେଳିଗଲାଣି ।

ଅଚିନ୍ତାରେ ସାରା ସହର ଶୋଇଇଗଲାଣି । ଜାଗେ ଜାଗେ ଅନ୍ଧାରର ରାଜୁତି । ବିଜୁଳି ଆଲୋକରେ କିଛି କିଛି ଜାଗାରେ ଝାପ୍ସା ଝାପ୍ସା ଦେଖାଯାଉଥାଏ ।


ମୋହନ ବାବୁ କିନ୍ତୁ ବାରମ୍ବାର ମୁଣ୍ଡରେ ହାତ ବୁଲାଉ ବୁଲାଉ ଦୀର୍ଘ ନିଶ୍ୱାସଟେ ମାରୁଥାନ୍ତି ଆଉ ଅସ୍ପଷ୍ଟ ଭାବରେ କହୁଥାନ୍ତି "ହେ ପ୍ରଭୁ ମୋତେ କାହିଁକି ଜୀବିତ ରଖିଛ??? ଜୀବନର ଝଡ଼କୁ ସାମ୍ନା କରିପାରୁନି, ଜୀବନରେ ଆଉ ଶାନ୍ତି କାହିଁଯେ!!! "

ମୁଣ୍ଡକୁ ସିମେଣ୍ଟ ଚୌକିରେ ଆଉଜି ଥିବା ବେଳେ ଧୀରେ ଧୀରେ ଆଖି ତାଙ୍କର ବନ୍ଦ ହେଇ ଆସୁଥିଲା, ନିଦ ରାଜା ଧୀରେ ଧୀରେ ମୋହନ ବାବୁଙ୍କୁ  ଅକ୍ତିଆର କରିବାକୁ ଉଦ୍ୟତ କଲେଣି ।

ଏଇ ସମୟରେ କାହାର ଗୋଟେ ଛାଇକୁ ଅନୁଭବ କରିପାରିଲେ ମୋହନ ବାବୁ । ଫାଙ୍କା ଦେହକୁ ଗେରୁଆ ଖଦି, ଗଳାରେ ରୁଦ୍ରକ୍ଷ ମାଳା । ହାତରେ ଲାଲ ରଙ୍ଗର ପୁଟୁଳି । ଖୁବ ଶାନ୍ତ ସ୍ମିତ ହାସ୍ୟ ବଦନରେ କିଛି ହିସାବ କରୁଥାନ୍ତି । ବସିଥାନ୍ତି ନିକଟରେ ଏକ ବୃକ୍ଷ ମୂଳରେ ।

ଏତେ ରାତିରେ ନିଶବ୍ଦ ସମୟରେ ତାଙ୍କୁ ଦେଖି ମୋହନ ବାବୁ ପାଖକୁ ଆସି ଅତି ଆଶ୍ଚର୍ଯ୍ୟ ଭାବେ ପ୍ରଶ୍ନ କଲେ " ଆପଣ କିଏ ମହାଶୟ, ଏଠି ଏତେ ରାତିରେ କଣ କରୁଛନ୍ତି, ଖୁବ ଶାନ୍ତ ଏବଂ ସରଳ ଲାଗୁଛନ୍ତି । ମୋତେ ଦୟାକରି ଆପଣଙ୍କ ପରିଚୟ ଦିଅନ୍ତୁ । " ବ୍ୟକ୍ତି ଜଣଙ୍କ ନମ୍ର ଗଳାରେ ଉତ୍ତର ଦେଲେ "ମୁଁ ଶାନ୍ତି ଦୂତ, ଏଠିକୁ ଅସିଛି ଶାନ୍ତି ବାଣ୍ଟିବା ପାଇଁ, ହେଲେ ଯିଏ ଯୋଗ୍ୟ ତାକୁ ହି ଶାନ୍ତି ବାଣ୍ଟି ପାରିବି, ମୋର ଏ ତାଲିକାରେ ସେଇ ଯୋଗ୍ୟ ବ୍ୟକ୍ତିଙ୍କ ନାଁ ଅଛି ଯାହାଙ୍କୁ ମୁଁ ଶାନ୍ତି ବାଣ୍ଟି ପାରିବି । "

ସଂଗେ ସଂଗେ ମୋହନ ବାବୁ କହିପକେଇଲେ " ମୋତେ ବି ଶାନ୍ତିରୁ କିଛି ଦିଅନ୍ତୁ, ଆଉ ଆପଣଙ୍କ ତାଲିକାରେ ଦେଖନ୍ତୁ ସେଥିରେ ମୋ ନାଁ ଅଛି କି?? "

ବ୍ୟକ୍ତି ଜଣଙ୍କ କହିଲେ "ନାଁ ଏଥିରେ ଆପଣଙ୍କ ନାଁ ନାହିଁ, ଆପଣ ଯଦି 20ଟି ପରିବାରରୁ ଯେଉଁ ପରିବାର କି ସବୁ ପ୍ରକାର ଶାନ୍ତିରେ ରହିଥିବେ ସେଇ ପରିବାରୁ ଗୋଟିଏ ଲେଖାଏଁ କଲମ ମାଗି ଆଣି ପାରିବେ ତେବେ ଆପଣଙ୍କ ନାଁ ଟି ମୁଁ ଏଥିରେ ଲେଖିବି । ଆଉ ଆପଣଙ୍କୁ ମଧ୍ୟ ଶାନ୍ତି ବାଣ୍ଟି ଦେବି ।


ଏ କଥା ଶୁଣି ଖୁସି ହେଇଗଲେ ମୋହନ ବାବୁ । କାଲି ଠୁ ନିଶ୍ଚୟ ସେ କାମରେ ଲାଗିଯିବେ ।

ଆଖି ଖୋଲିଲେ ମୋହନ ବାବୁ । ଏବେ ସେ ଘରକୁ ଫେରିଲେ, ଆଉ ବିଛଣାରେ ପଡ଼ୁ ପଡ଼ୁ ନିଦ ଲାଗିଗଲା ।

ରାତି ପହିଲା, ଜୀବନର ଚର୍ଯ୍ୟା ସ୍ୱାଭିବିକ ଥାଏ, ଅଫିସରୁ ଫେରି ପଡିଶା ଘରକୁ କଲମଟିଏ ମାଗିବାକୁ ଗଲେ । ବୟସ୍କ ଲୋକଟିଏ କବାଟ ଖୋଲିଲା, ଶାନ୍ତ ଏବଂ ଥୁରୁଥୁରୁ କଣ୍ଠରେ କହିଲା "କଣ ହେଇଚି, ତୁମେ କାହାକୁ ଖୋଜୁଛ??? " 

ମୋହନ ବାବୁ ନମ୍ର ଗଳାରେ କହିଲେ " ମୋତେ କଲମଟିଏ ଦିଅନ୍ତୁ," ବୃଦ୍ଧ ବ୍ୟକ୍ତି ଜଣକ ଦଉଚି ବୋଲି କହି ଭିତରକୁ ଗଲେ, ଏତିକି ବେଳେ ମୋହନ ବାବୁ ଟିକେ ଉଚ୍ଚ ଗଳାରେ ବୃଦ୍ଧ ଜଣକୁ ପଛରୁ ଡାକିଲେ "ରୁହନ୍ତୁ!! ମୋତେ କଲମଟି ଦେବା ପୂର୍ବରୁ ଆପଣ ଅନୁଗ୍ରହ କରି କହିବେ କି ଯେ ଆପଣ ମାନଙ୍କ ଘରେ କେବେ କେହି ଅଶାନ୍ତିରେ ନାହିଁ କିମ୍ଵା ଦୁଃଖରେ ନାହିଁ ; " ବୃଦ୍ଧ ବ୍ୟକ୍ତି ଜଣଙ୍କ ହସିଲେ ଆଉ କହିଲେ "ତୁମେ କି କଥା କହୁଛ, " ମୋ ସ୍ତ୍ରୀ ରୋଗରେ ଚାଲିଯିବା ପରେ ଗାଁରେ ପୈତୃକ ଘର ଖଣ୍ଡେ ବିକ୍ରି କରି ଏଠି ପୁଅ ବୋହୁଙ୍କ ପାଖରେ ରହିଛି । ପୁଅ ବୋହୁ ଅଫିସ ଯିବା ପରେ ନିଜେ ରାନ୍ଧି ଖାଉଛି, ରାତିରେ କେବେ କେବେ ସେମାନେ ଡେରିରେ ବାହାରୁ ଖାଇ ଆସିଥାନ୍ତି, ଦିନେ ଦିନେ ମୁଁ ରୋଷେଇ କରି ସେମାନଙ୍କୁ ଅପେକ୍ଷା କରି କରି ଉପବାସରେ ମୋତେ ନିଦ ହେଇଯାଏ, ଆଉ ରାତି ପହିଯାଏ ।

ବୟସ ବୃଦ୍ଧି ସଂଗେ ସଂଗେ ଦେହ ମଧ୍ୟ ସୁସ୍ଥ ରହୁନି, ଏତେ ବଡ଼ ଘରଟିରେ ଏକୁଟିଆ ହି ମୋର ଦିନ ବିତେ । ଦେହ ଖରାପରେ ମୋ ସେବା କରିବା ତ ଦୂରର କଥା, ମୋତେ କେହି ଟିକେ ଔଷଧ ଆଣିଦେବାକୁ ଏଠି କେହି ନାହିଁ ।

ପୁଅ ବୋହୁଙ୍କର ବାହାଘର ଆଜିକୁ 15ବର୍ଷ ହେଇଗଲା,ହେଲେ ନାତି କି ନାତୁଣୀର ପାଦ ଏ ଘରେ ପଡିଲାନି ।

ତେବେ କୁହ କି ସୁଖ ଶାନ୍ତିରେ ମୁଁ ଅଛି??? "


ଏତିକି ଶୁଣି ମୋହନ ବାବୁ ସେଠୁ ଫେରିଲେ, ଅନ୍ୟ ଏକ ଘରକୁ ଗଲେ, ସେଠି ମଧ୍ୟ ଜଣେ ବୃଦ୍ଧା କୋଳରେ ଦୁଇ ଯାଆଁଳା ଶିଶୁଙ୍କୁ ତେଲ ମରୁଥାନ୍ତି, ସେମାନେ ଖୁବ ଜୋରରେ ଚିତ୍କାର କରୁଥାନ୍ତି, ପାଖରେ ତାଙ୍କ ସ୍ୱମୀ ସେଇ ଶିଶୁ ଦୁଇଜଣଙ୍କୁ ତୁନି କରିବାକୁ ଚେଷ୍ଟା କରୁଥାନ୍ତି । ମୋହନ ବାବୁ କଲମଟିଏ ମାଗିବସିଲେ । ଭିତରକୁ ଆସି ସବୁ କିଛି ପଚାରି ବୁଝିଲେ, "ବୃଦ୍ଧା ଜଣଙ୍କ କାନ୍ଦି କାନ୍ଦି ସବୁ କଷ୍ଟର ପୋଥି ଖୋଲି ଦେଲେ, କହିଲେ " ଏଇ 6ମାସ ହେବ ପୁଅ ବୋହୁ ଗୋଟିଏ ଭୋଜିରେ ଯୋଗ ଦେବାକୁ ଯାଇ ରାସ୍ତାରେ ତାଙ୍କ ଗାଡିକୁ ଗୋଟିଏ ଟ୍ରକଧକ୍କା ଦେଇଦେଇ ଦେବାରୁ ସେଇ ଦୁର୍ଘଟଣାରେ ସେମାନେ ଚାଲିଗଲେ ହେଲେ ଏଇ ନିଷ୍ପାପ ଦୁଇ ପିଲାଙ୍କ ଦାୟିତ୍ୱରେ ମୁଁ ସବୁଦିନ ପାଇଁ ବାନ୍ଧି ହେଇଗଲି । ଖାଲି ଈଶ୍ୱରଙ୍କୁ ଡାକୁଛି ଏମାନେ ବଡ଼ ହେବା ଯାଏ ଆମକୁ ଠାକୁର ବଂଚେଇ ରଖିଥାନ୍ତୁ । 

ଏତିକି ଶୁଣି ମୋହନ ବାବୁ ସେଠୁ ଫେରିଲେ ।


ସବୁଦିନ ଅଫିସରୁ ଫେରି ଅନ୍ୟ ମାନଙ୍କ ଘରକୁ ଯାଉଥିଲେ ଏବଂ ଦୁଃଖର କାହାଣୀ ଶୁଣି ଆସୁଥିଲେ ।

ଏମିତି କୌଣସି ଘର ମିଳିଲାନି ଯେ କି ସୁଖ ଆଉ ଶାନ୍ତିରେ ଥିବେ ।


କିଛି ଦିନ ବିତିଗଲା...


ଥରେ ମୋହନ ବାବୁ ତାଙ୍କ ଅଫିସ ସହକର୍ମୀମାନଙ୍କ ସହ ଏକ ତୀର୍ଥ ସ୍ଥାନକୁ ଗଲେ । ସେଠୁ ଫେରିଲା ବେଳେ ସମସ୍ତେ ନିଜ ନିଜ ମଟର ସାଇକେଲରେ ଫେରିଲେ, ।

ଅଧା ବାଟରେ ମୋହନ ବାବୁଙ୍କ ମଟର ସାଇକେଲଟି ଖରାପ ହେଇଗଲା, ରାସ୍ତା କଡରେ ଘଞ୍ଚ ଜଙ୍ଗଲ, ମୋହନ ବାବୁ ବ୍ୟସ୍ତ ହେଇ ଉଠିଲେ । ଜଙ୍ଗଲ ଭିତରୁ କିଛି ଶବ୍ଦ ଶୁଭିଲା, ସେ ସେଇ ଆଡକୁ ଗଲେ "ସେ ଠାରେ ଦେଖିଲେ ଜଣେ ସନ୍ୟାସୀ ଏକ ବୃକ୍ଷ ମୂଳରେ ବସି ପ୍ରଭୁଙ୍କୁ ଜପ କରୁଥାନ୍ତି । କିଛି ଦୂରର ନିକଟରେ ପଥରର ଏକ ଗୁମ୍ଫାରେ ଅନ୍ୟ ଜଣେ ସନ୍ୟାସୀ କିଛି କାଠ ଗୋଟେଇ ଆଣି କୁଢ଼ କରୁଥାନ୍ତି ।

ମୋହନ ବାବୁ ସେଇ ସ୍ଥାନକୁ ଯିବା କ୍ଷଣି ସନ୍ୟାସୀଙ୍କର ଆଖି ଧ୍ୟାନରୁ ଉଠିଲେ ଏବଂ ଶାନ୍ତ ଗଳାରେ ପରିଚୟ ପଚାରିଲେ ""ମୋହନ ବାବୁ ତାଙ୍କ ଗାଡି ଖରାପ ହେଇଜିବା କଥା କହିବା ସହ ନିଜ ଜୀବନର ଘଟିଥିବା ପ୍ରତ୍ୟକ ଦୁଃଖ କଷ୍ଟ କଥା ବର୍ଣ୍ଣନା କଲେ । ଏବଂ କଲମଟିଏ ମାଗିଲେ ।, ସନ୍ୟାସୀ ଜଣଙ୍କ କହିଲେ "ଏଠି ମୋ ପାଖରେ କଲମ ଆସିବ କୁଆଡୁ?? ମୋ ପାଖରେ ଏଠି କିଛି ନାହିଁ । କେବଳ ଆବଶ୍ୟକ ଜିନିଷ ଛଡା, ଗଣ୍ଡିଏ ଖାଇ ଖଣ୍ଡିଏ ପିନ୍ଧି ପ୍ରଭୁଙ୍କ ଉପାସନାରେ ମୁଁ ଖୁବ ଶାନ୍ତିରେ ଅଛି । ନିଜକୁ ଶୂନ୍ୟ କରି ପ୍ରଭୁଙ୍କ ନିକଟରେ ସମ୍ପୂର୍ଣ୍ଣ ସମର୍ପଣ କରିଦେଲେ ସେଥିରେ ପରମ ଆନନ୍ଦ ମିଳେ ।

ନା କିଛି ପାଇବାର ଆଶା ଅଛି ନା କିଛି ହରେଇବାର ଭୟ । କୌଣସି କାମନା ବାସନା ଭୋଗ ବିଳାସର ଇଛା ଏଠି ନାହିଁ । ଏ ଶରୀର ଯଦି ମୋର ନୁହେଁ ତେବେ ଏ ଶରୀରକୁ ନେଇ ଏତେ ବ୍ୟସ୍ତ ବିବ୍ରତ କାହିଁକି? କେବେ ନା କେବେ ପୁରୁଣା ଲୁଗା ବଦଳେଇଲା ପରି ଏ ଶରୀରକୁ ତ୍ୟାଗ କରିବାକୁ ହେବ ତେବେ, ସେଥିପାଇଁ ଚିନ୍ତା କାହିଁକି?? ଯିଏ ସୃଷ୍ଟି କରିଛି ଏ ସବୁ ଦାୟିତ୍ୱ ସେ ହି ନେବ ।

ଏହା ଶୁଣି ମୋହନ ବାବୁ ସେଠି ରାତ୍ରି ଜାପନ କରି ତଇଁଆର ଦିନ ଫେରିଲେ । ଘରକୁ ଆସି ପୁନଶ୍ଚ ସେଇ ସ୍ଥାନକୁ ଗଲେ ଯେଉଁଠି ଜଣେ ଶାନ୍ତି ଦୂତ ମିଳିଥିଲେ, ସେଇ ଚୌକିରେ ଆଉ ଥରେ ବସିଲେ । ମନେ ମନେ ଭାବିଲେ "ପୁଣି ଥରେ ଭେଟିବି ସେ ଶାନ୍ତି ଦୂତଙ୍କୁ, ତାଙ୍କୁ କହିବି ଯେ ଶାନ୍ତି କେବଳ ନିଜ ମଧ୍ୟରେ ଅଛି, ହୃଦୟ ନିର୍ମଳ ଏବଂ ଆତ୍ମାର ଶୁଦ୍ଧିରେ ଶାନ୍ତି ମିଳିଥାଏ । କିଛି ପାଇବାର ଆଶା ଏବଂ ଭୌତିକ ବିଷୟ ଭୋଗ ଲାଳସା ଆମକୁ କଷ୍ଟ ଦେଇଥାଏ । ଈଶ୍ୱରଙ୍କ ପ୍ରତି ସମର୍ପଣ ଭାବ, ଏକାଗ୍ରତାରେ ଆମକୁ ପରମ ଶାନ୍ତି ମିଳେ ।, ଆଜି ସେଇ ଶାନ୍ତି ଦୂତଙ୍କୁ କହିଦେବି ଯେ ମୋ ନାଁ ଆଉ ସେ ଲେଖିବା ଅବଶ୍ୟକ ନାହିଁ, ଏ ଶାନ୍ତି ପ୍ରତ୍ୟକ ମଣିଷ ଅନେକ ଜଂଜାଳରେ ରହି ମଧ୍ୟ ନିଜ ମଧ୍ୟରେ ଜାଗ୍ରତ କରିପାରିବ । ମନରୁ ସବୁ ଅହଂକାରକୁ ସମ୍ପୂର୍ଣ୍ଣ ନଷ୍ଟ କରି ନିର୍ମଳ ମନଭାବ ନେଇ ନିଜର କର୍ତବ୍ୟ କର୍ମ କଲେ ଶାନ୍ତି ଆପେ ଆପେ ଆସେ ।"

ଏତିକି ଚିନ୍ତା କରିବା ସମୟରେ ମୋହନ ବାବୁଙ୍କୁ ସେଇ ଚୌକିରେ ହାଲ୍କା ନିଦ ଲାଗିଗଲା, ସେ ଦେଖିଲେ ଗୋଟିଏ ବଡ଼ ଲମ୍ବା କାଗଜରେ ଅନେକ ଲୋକଙ୍କ ନାଁ ସବୁ ତାଲିକା କରାଯାଇଛି । କିନ୍ତୁ ସେ ଦୂତ ନାହାନ୍ତି । ସେ ଦେଖିଲେ ମୋହନ ବାବୁଙ୍କ ନାଁ ସେଇ ତାଲିକାର ଆରମ୍ଭ ଲେଖା ଯାଇଛି ।

ଏହା ଦେଖି ମୋହନ ବାବୁଙ୍କ ଆଖି ଖୋଲିଗଲା, ନିଦ ଭାଙ୍ଗିଗଲା । ଚାରିଆଡେ ଚାହିଁଲେ, ସେଠି କୌଣସି କାଗଜ ଦେଖିବାକୁ ପାଇଲେନି ।

ଆଶ୍ଚର୍ଯ୍ୟ ହେଲେ । ହେଲେ ନିଜ ମୁହଁରେ ସ୍ମିତ ହାସ୍ୟ ନେଇ ଘରକୁ ଫେରିଲେ ।

ମୋହନ ଭାବୁ ଏବେ ସମ୍ପୂର୍ଣ୍ଣ ସ୍ଥିତପ୍ରଜ୍ଞ ପାଲଟିଯାଇଥିଲେ ।

ନା ଥିଲା ଅବସାଦ, ନା ଥିଲା ଦୁଃଖ, ନା ଥିଲା ଆଶା କି ଆକାଂକ୍ଷା ନା ଥିଲା ଅବଶୋସ ।



Rate this content
Log in

Similar oriya story from Inspirational