Susamamanjari Mishra

Others

4  

Susamamanjari Mishra

Others

ଟୋପାଏ ସିନ୍ଦୁର

ଟୋପାଏ ସିନ୍ଦୁର

3 mins
384



ନନ୍ଦିନୀ.... ଚୁଲିରେ କାଠ ଜାଳୁ ଜାଳୁ ବାଁ ହାତ ନିଜ ପିଠି ଉପରକୁ ବାରମ୍ବାର ଚାଲି ଯାଉଥାଏ | ବେଲ୍ଟର ଦାଗ ଏଯାଏଁ ଲିଭିନି, ସେହି ଦାଗ ସବୁ ଛୁଇଁଦେଲେ ପୁଣି ତାଜା ହୁଏ ମନ ଆଉ ହୃଦୟର କ୍ଷତ ସବୁ, ଆଖିରୁ ବହିଯାଏ ଅବାରିତ ଧାରା ଭାତ ହାଣ୍ଡି ଚୁଲିରେ ଫୁଟି ଆସିଲାଣି... ନନ୍ଦିନୀ ଏକଦମ ଆନମନା..... କଣ ସବୁ ଭାବି ଚାଲିଛି, "ଏମିତି ଯନ୍ତ୍ରଣା ଧାରାବାହିକ ଭାବେ ମୋତେ ସହିବାକୁ ହୁଏ, କିଛି ବି ସାଙ୍ଘାତିକ ଦୋଷ ନଥାଏ ମୋର | ତଥାପି ମାନସିକ ଶାରୀରିକ ଭାବେ ସବୁ କଷ୍ଟକୁ ହୃଦୟର ସାତତାଳେ ସାଇତିଛି । ବିବାହର ସାତ ବର୍ଷ ବିତିଗଲା, ଆମ ଦୁହିଁଙ୍କ ନିଜ ପସନ୍ଦ ମୁତାବକ ଶୁଭଙ୍କରଙ୍କ ହାତ ଧରି ଏ ଘରକୁ ଆସିଥିଲି, ବିବାହରେ ଶାଶୁ ଶ୍ୱଶୁର କେହି ଖୁସି ନଥିଲେ | ସେମାନଙ୍କ ଘୃଣା ଆଜି ଶୁଭଂକରଙ୍କ ହୃଦୟଯାଏ ସଂକ୍ରମିତ ହୋଇଗଲାଣି, ମୁଁ ଖଣ୍ଡାୟତ ଘର ଝିଅ, ଶୁଭଙ୍କର ବ୍ରାହ୍ମଣଘର ପିଲା, ସେତିକି ଭୁଲ ପାଇଁ ମୋତେ ସାରା ଜୀବନ ଏ ନର୍କ ଯନ୍ତ୍ରଣାରେ ଘାଣ୍ଟିହେବାକୁ ପଡିବ ? " ଏ ଘରକୁ ନିଜର କରିବାର ଦୃଢ ପ୍ରୟାସ ଆଜି ଯେମିତି ଆଘାତ ପରେ ଆଘାତ ସହି ନିସ୍ତେଜ ହୋଇ ପଢ଼ିଛି |


ନାରୀଟି ସଂସାରର ସବୁ ଦୁଃଖକୁ ସହିପାରେ ହେଲେ ନିଜ ସିନ୍ଦୁର ଯେତେବେଳେ ବଇରୀ ସାଜେ ନାରୀଟି ତାର ସବୁ ଶକ୍ତି ହରାଇ ବସେ, କାହାକୁ ବା କହିବ ? ଅଜାଗା ଘା.. ଦେଖି ହୁଏନି କି ଦେଖେଇ ହୁଏନି | ନା ଆଉ ନୁହେଁ....  ନନ୍ଦିନୀ ତାର ପାଞ୍ଚ ବର୍ଷର ପୁଅକୁ ଧରି ଘର ଛାଡି ବାପଘର ଅଭିମୁଖେ ଚାଲି ଆସିଲା, ନିଜ ପସନ୍ଦ ମୁତାବକ ବିବାହ କରିଥିବାରୁ ଭାଇ ଭାଉଜ ମଧ୍ୟ କବାଟ ବନ୍ଦ କରିଦେଲେ, ସେଠୁ ନିରାଶ ହୋଇ ଫେରିଲା । ଏମ.ଏସ.ସି ପାସ... ହେଲେ ଚାକିରୀ ମିଳିଲାନି । ନିଜ ଗହଣାକୁ ବନ୍ଧକ ରଖି ଭଡା ଘରଟିଏ ଯୋଗାଡ଼ କଲା, ଟିଉସନ ଏବଂ ଅନ୍ୟ ଘରେ ପାଇଟି କରି ନିଜକୁ ଏବଂ ପିଲାକୁ ଦେଖିଲା । ଇତି ମଧ୍ୟରେ ଚାହୁଁ ଚାହୁଁ ପୁଅକୁ ପନ୍ଦର ବର୍ଷ ବିତିଗଲାଣି....।  


ପୁଅର ପ୍ରଶ୍ନବାଚୀ ଆଗରେ ଆଜି ଦୋଷୀଟାଏ ପରି ଠିଆ ହୋଇଛି ନନ୍ଦିନୀ.. "ମାଆ, .. କାହିଁକି ମୋତେ ମୋ ପରିବାର ଠାରୁ ମୋତେ ଅଲଗା କଲୁ ? ମାଆ ପରା ସର୍ଵମ ସହା, ଆଉ କିଛି ଦିନ ସବୁ ସହିଗଲୁନି କେମତି ? ମୁଁ ପିଲାବେଳୁଁ ଆଜିଯାଏ ବାପର ସ୍ନେହ ପାଇଁ ଆକୁଳ ହେଉଛି, ମୋ ପରିବାରର ଅନୁଭବ ପାଇଁ ଆଉଟୁ ପାଉଟୁ ହେଉଛି, ସେ ଦୁଃଖ ତୋର ନିଶ୍ଚୟ ଦିନେ ବଦଳିଯାଇଥାନ୍ତା, ମୋତେ ମୋ ବାପା ମାଆଙ୍କ ସହିତ ରହିବାକୁ ଦେ ମାଆ, ଫେରିଚାଲ.... ତୋ ସିନ୍ଦୁରର ଅଧିକାର ନେଇ |

ନିଷ୍ପତି ନେଲା ନନ୍ଦିନୀ.. ପୁଣି ଫେରିଯିବ ତାର ତେଲଲୁଣ ସଂସାରକୁ | ଟୋପାଏ ସିନ୍ଦୁରର ଅଧିକାର ନେଇ.... ଫେରିଲା ନନ୍ଦିନୀ.... 


ଶାଶୁଘର.... କିଛି ବି ବଦଳି ନାହାନ୍ତି ଘର ପାର୍ଶ୍ୱରେ ଥିବା ଯେତେ ସବୁ ସଂକେତ..., ଚଉଁରାଟି ଯେମିତି ଥିଲା ଏବେ ବି ସେମିତି ଅଛି, ଘର ଆଗରେ ଆମ୍ବଗଛଟି ମୁଁ ଲଗାଇ ଥିଲି... ଡେଙ୍ଗା ହୋଇ ଯାଇଛି, ଗେଟର ରଙ୍ଗ ସେଇ ନୀଳ ରଙ୍ଗ ଅଛି । ଗେଟ ଖୋଲି ଭିତରକୁ ଗଲା, ଘରର କଲିଙ୍ଗ ବେଲ ବାଜି ଉଠିଲା....  ସଦର ଦରଜା ଫିଟିଲା, ହେଲେ ଏ କଣ ? ଏ ଝିଅ କିଏ ? ଅବିବାହିତ.., ବୁଝିବାକୁ ଆଉ ଡେରି ହେଲାନି, ବିବାହର ଆଶା ନେଇ ଝିଅଟି ଶାଶୁ ଶ୍ୱଶୁରଙ୍କ ସେବାରେ ନିୟୋଜିତ ଅଛି..." ମିନି" |ତାପରେ ଘରର ଅନ୍ୟମାନେ ଆସି ପହଂଚି ଗଲେ.. ସହଜରେ କେହି ସ୍ୱୀକାର କଲେନି ନନ୍ଦିନୀକୁ, ହେଲେ ପୁଅର ଯୁକ୍ତିରେ ଆଜି ସମସ୍ତେ ନନ୍ଦିନୀକୁ ଘରେ ରଖିବାକୁ ବାଧ୍ୟହେଲେ, ନନ୍ଦିନୀ କେବଳ ପୁଅର ପିତୃ ପରିଚୟ ପାଇଁ ରହିବ... ଏ କଥା ସମସ୍ତେ ମାନିନେଲେ | ହେଲେ ନନ୍ଦିନୀ ତାର ମଥାର ସିନ୍ଦୁରର ଅଧିକାର ଜାହିର କରି ଫେରିଛି ଏକଥା ଶୁଭଙ୍କର ବୁଝିପାରିଥାଏ |


କିଛି ଦିନ ଗଡିଚାଲିଲା.... ନନ୍ଦିନୀ ଉପରେ ପୂର୍ବ ପରି ଅତ୍ୟାଚାର ଆଉ ନାହିଁ, ଘରର ସବୁ ଦାୟୀତ୍ୱକୁ ସୁନ୍ଦର ଭାବେ ତୁଲାଉ ଥାଏ ସେ | ଧୀରେ ଧୀରେ ସମସ୍ତଙ୍କ ମନ କିଣି ନେଲା |ମିନି ନିଜକୁ ଏଠି ଅସୁରକ୍ଷିତ ମନେକରି ଅନ୍ୟତ୍ର ଯାଇ ସଂସାର କରିବାକୁ ନିଷ୍ପତ୍ତି ନେଲା, ଟୋପାଏ ସିନ୍ଦୁର ଆଶାରେ ଏଠି ପଡିରହିଥିଲା, ହେଲେ ସେହି ଟୋପାଏ ସିନ୍ଦୁରର ଅଧିକାର ନେଇ ଶୁଭଙ୍କରଙ୍କର ନିଜ ସ୍ତ୍ରୀ ଯଦି ଫେରିଆସିଲା ତେବେ ମିନି କାହିଁକି ମଥାରେ ସିନ୍ଦୁର ଟୋପାଏ ପାଇବାକୁ ନୂଆ ସଂସାର କରିବ ନାହିଁ |ଶେଷରେ ସମସ୍ତଙ୍କ ଠାରୁ ବିଦାୟ ନେଇ ନିଜ ଗାଁକୁ ଚାଲିଗଲା |ଟୋପାଏ ସିନ୍ଦୁର ଆଜି ଅସଜଡ଼ା ସଂସାରକୁ ସଜାଡି ଦେଲା | ସତୀ ନାରୀର ସିନ୍ଦୁର ସୂର୍ଯ୍ୟ ପରି ତେଜିୟାନ | ମଥାରେ ଦାଉ ଦାଉ ହୋଇ ଜଳୁଥିବା ଏଇ ଟୋପାଏ ସିନ୍ଦୁର ସ୍ୱାମୀକୁ କୁପଥରୁ ସ୍ତ୍ରୀ ପାଖକୁ ଓଟାରି ଆଣେ | 

 


Rate this content
Log in