ସ୍ତ୍ରୀର ଭାବନା
ସ୍ତ୍ରୀର ଭାବନା


ତରକାରୀ ରାନ୍ଧିବାର ପ୍ରୟାସରେ ରତ ଥିଲା ସୁହାନୀ । କଡେଇରେ ତେଲ ଗରମ ହେଉହେଉ ବଟା ମସଲା ଅଜାଡି ଦେଇ ପିଠା ପାତିଆରେ ଘାଣ୍ଟିବାକୁ ଲାଗିଲା ସେ । ମସଲାରୁ ତେଲ ଅଲଗା ହୋଇ ଆସିବା ଉପରେ । ଆଗରୁ ତେଲରେ ଛଣା ହୋଇ ରହିଥିବା ବଡ ବଡ ଫୁଲକୋବିର ଖଣ୍ଡ ସବୁ ଓ ଆଳୁକୁ ଏଥର କଡେଇରେ ଛାଡିବାର ବେଳ । ଆଉ ପାଞ୍ଚ ମିନିଟ ପରେ ଟିକିଏ ଗରମ ମସଲା ଗୁଣ୍ଡ ପକେଇ ଓଲ୍ହେଇଦେଲେ କାମ ଶେଷ । ଆଜି ଦ୍ବିପ୍ରହର ଭୋଜନଟା ବେଶ ଜମିବ ।
ଫୁଲକୋବି ସୁହାନୀର ଖୁବ ପସନ୍ଦ । ସେଥିପାଇଁ ଶୀତଦିନବି ତାର ସବୁଠାରୁ ପ୍ରିୟ । ବଜାରକୁ ଯେତେବେଳେ ଫୁଲକୋବି ନୂଆ ହୋଇ ଆସେ ଦାମ ଟିକେ ବେଶୀ ଥାଏ । ତଥାପି ବି ଖାସ ତାରି ପାଇଁ ବାପା ଅଧିକ ରେଟ ଦେଇ ମଧ୍ୟ ଫୁଲକୋବି କିଣିଆଣନ୍ତି । ସେଦିନ ସୁହାନୀ ବୋଉଠୁ ଦ୍ବିତୀୟ ଥର ଭାତ ମାଗିକି ଖାଏ । ଫୁଲକୋବି ତରକାରୀ କି କଷା ସାମନାରେ ତାକୁ ମାଛମାଂସ ବି ପସନ୍ଦ ଲାଗେନି । ବୋଉ ତା ତରକାରୀ ଗିନାରୁ ବାଛିକି ଗୋଟାଏ ଦୁଇଟା କୋବିଖଣ୍ଡ ଝିଅ ସୁହାନୀ ପ୍ଲେଟରେ ପକାଇ ଦିଅନ୍ତି । ମା' ଆଡକୁ ଚାହିଁ ଖାଲି ଟିକେ ମୁରୁକି ହସିଦିଏ ସୁହାନୀ । ଝିଅକୁ ତୃପ୍ତିର ସହିତ ଖାଉଥିବାର ଦେଖି ମା ମନ ଖୁସିରେ ଭରିଯାଏ ।
ସେଇ ମାସ ଦୁଇମାସ ଫୁଲକୋବି ତରକାରୀ,ଭଜା,ପକୋଡା, ଫୁଲକୋବି ପରୋଠା ଆଦି ଭିନ୍ନ ଭିନ୍ନ ବ୍ୟଞ୍ଜନ ହୁଏ ତାଙ୍କ ଘରେ । ଗରମ ଗରମ କଡେଇରୁ କଢା ହୋଉ ହୋଉ ଆଗ ଚାଖଣା ଆରମ୍ଭ ହେଇଯାଏ ସୁହାନୀର । ତାପରେ ଆଉ ଯିଏ । ଆଉ ଯିଏ କହିଲେ ବାପା ମା ଦୁଇଜଣ । ଘରଟିର ଖୁସିର କେନ୍ଦ୍ରବିନ୍ଦୁ କହିଲେ ସୁହାନୀକୁ ହିଁ ବୁଝାଏ ।
ସୁନାନାକୀ ଝିଅଟିର ବିବାହ ବାଛି ବାଛି ଛୋଟ ପରିବାରଟିଏ ଦେଖି ବାପା ମନୋହର କରିଦେଲେ । ନିଜ ଭଳି ତାଙ୍କର ମଧ୍ୟ ତିନି ଜଣକିଆ ପରିବାର । ବାପା, ମା' ଓ ଏକୋଇରବଳା ବିଶିକେଶନ ସମ୍ବିତ ଯେ କି ଏକ ଚାର୍ଟାର୍ଡ ଫାର୍ମରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ ଅବସ୍ଥାପିତ ।
ଦୁଇ ପରିବାର ବେଶ ଖୁସିର ସହିତ ଧୁମଧାମରେ ବିବାହ କାମ ନିପଟେଇ ଦେଲେ । ଧୀରେଧୀରେ ବନ୍ଧୁବାନ୍ଧବଙ୍କ ଗହଳି ମଧ୍ୟ ହାଲୁକା ହେବାକୁ ଲାଗିଲା । ବୈବାହିକ ଜୀବନ ସହିତ ଏକ ସ୍ବତନ୍ତ୍ର ଭାବେ ଅଲଗା ଅଧ୍ୟାୟର ଅୟମାରମ୍ଭ ହେଲା ସୁହାନୀର ସମ୍ମୁଖରେ ।
ଆରେ ଆରେ ବଢାବଢି କର । ଲଞ୍ଚ ଟାଇମ ହେଇଗଲା । ଗେଟ ଭିତରେ ପଶୁପଶୁ ସମ୍ବିତ ବଡପାଟିରେ କହି ଚାଲୁଥିଲେ ।
ଜଲଦି ଜଲଦି ସମସ୍ତଙ୍କ ପାଇଁ ପ୍ଲେଟରେ ଭାତ, ଡାଲି, ମୁଗ ନଡିଆ ଦିଆ ଶାଗ ଭଜା, ଶିମ୍ବ ରାଇ ଓ ଫୁଲକୋବି କଷା ବାଢିଦେଲା ସୁହାନୀ । ଫୁଲକୋବି କଷାର ବାସ୍ନାରେ ଆଜି ମୁଁ ଦୁଇଥାଳି ଭାତ ଖାଇଦେବି, କହିଲେ ସମ୍ବିତ । କହୁକହୁ ଆଗେ ପାଟିରେ ଗୋଟିଏ କୋବିଖଣ୍ଡ ପୁରେଇ ଉଦରସ୍ଥ କରିଦେଲେ । କି ବଢିଆ ହେଇଛି ମ କୋବି କଷାଟା । ଶାଶୁ ଶ୍ବଶୁର ମଧ୍ଯ ସମ୍ବିତର ହାଁ ରେ ହାଁ ମିଳଉଥିଲେ । କଡେଇରେ ଥିବା ସମସ୍ତ କୋବିକଷା ସମସ୍ତଙ୍କ ଥାଳିରେ ଖୁସିରେ ପରଶି ଦେଉଥିଲା ସୁହାନୀ । ସେମାନଙ୍କ ଖୁସି ଦେଖି ତା ନିଜ ପେଟ ପୁରି ଉଠୁଥିଲା । କିଛିଦିନର ବ୍ୟବଧାନରେ ,ଝିଅରୁ ସ୍ତ୍ରୀ ହେବା ଭିତରେ ଭାବନା ମାନଙ୍କର ଭାବାନ୍ତର ଆପଣା ଛାଏଁ କେମିତି ହୋଇଗଲା ସେକଥା ସୁହାନୀର ବୁଝିବାର ହୁଏତ ଆବଶ୍ୟକତା ହୋଇନଥିଲା । ସମସ୍ତଙ୍କର ଖୁସିକୁ ନିଜର ଖୁସି ଭାବେ ମାନିନେଇଥିଲା ସେ ।