ସ୍ତନ୍ୟ କର (ମୁଲାକରମ)
ସ୍ତନ୍ୟ କର (ମୁଲାକରମ)
"ହେଇଟି ଅପା, ଦେଖୁନୁ ଆର ତୁଠରୁ କେମିତି ପୁରୋହିତଟା ଏପଟେ କନକନ କରି ଅନଉଛି, ସତେ ଅବା ଗୋଟା ଗିଳିଯିବ", ସଦ୍ୟ ଯୌବନରେ ପାଦ ଥାପିଥିବା ନାଙ୍ଗଲି ବଡ଼ ଆକ୍ରୋଶରେ କହୁଥାଏ।
"ଆରେ, ତୁ କାହିଁକି ତାଙ୍କ ଆଡେ ନଜର ଦଉଚୁ? ସେମାନେ ହେଲେ ବଡ଼ ଲୋକ ଜାତିରେ ଉଚ୍ଚ, ଆମେ ମଳିମୁଣ୍ଡିଆ ସେପଟେ ଆଖିଦେବା ଠିକ ନୁହେଁ, ସେ ପରା ଆଞ୍ଜୁଳାରେ ପାଣି ନେଇ କଣ ପୂଜା କରୁଛି", ନାଙ୍ଗଲିକୁ ତା' ବଡ ଅପା ବୁଝେଇଲା।
କିନ୍ତୁ କଥା ନ' ସରୁଣୁ ନାଙ୍ଗଲି କହିଲା," ହୁଁ, ତୁ ଆଉ ବୁଝାନି ଲୋ, ମୁଁ ଏ ନୁଙ୍ଗୁରା ଲୋକଙ୍କୁ ଠିକ ଜାଣି ସାରିଲିଣି, ବଡ଼ଲୋକିଆ ହାବଭାବରେ ଏମାନେ ଏତେ ନୀଚ୍ଚ କାମ କରନ୍ତି, ଛି ଛି" ଆମେ ଛୋଟ ଅସ୍ପୃଶ୍ୟ ଘରେ ଜନ୍ମ ନେଲୁ ବୋଲି କଣ ଆମର ମାନ ମହତ ଦେଇଦେଇଛେ"।ତୁ ଯାହା କହ ଜାଣୁ ମୋର ବି ଠାକୁରାଣୀ ସାହିବାଣୀ ପରି ଉପରେ ଜାମା ପିନ୍ଧିବାକୁ ଭାରି ଇଚ୍ଛା ହୁଏ ଲୋ..
"କଣ କହୁଚୁ ତୁ! ମୋ ଆଗରେ ଯାହା କହିଲୁ ଆଉ କାହା ଆଗେ କହିବୁନି ଟି! ନିଆଁପାଣିରୁ ବାସନ୍ଦ କରିଦେବେ".. ଆମେ ଯେତିକିର ଲୋକ ସେତିକିରେ ରହିବା, ବଡଅପା ଏଥର ଟିକେ କଡ଼ା କରି କହିଲା, ଚାଲ ଚାଲ ସେପଟେ କେତେ କାମ ଏଠି ଆଉ ଦିନରେ ସପନ ଦେଖି ଲାଭ ନାହିଁ।
ଶୁଆସାରି ଭଳି ଦୁଇଭଉଣୀ ପୁଣି ହସିହସି ଆଗେଇଗଲେ। କିନ୍ତୁ ନାଙ୍ଗଲି ମନରେ ଉଠିଥିବା ଝଡ଼ ଉପରକୁ ସିନା ପ୍ରଶମିତ ହେବାପରି ଜଣାପଡିଲେ ବି ଭିତରେ ସମୁଦ୍ର ଭିତରେ ଝଡ଼ ବସା ବାନ୍ଧିଚାଲିଥାଏ। ସକାଳୁ ନିତ୍ୟକର୍ମ ସାରି ପୋଖରୀ ତୁଠରୁ ମାଠିଆରେ ପାଣି ନେଇ ଚାଲିଆସିଲେ।
××××××××××××××××××
ଏମିତି ବରାବର ସେଇ ସମୟରେ ଦୁଇ ଭଉଣୀଙ୍କ ପୋଖରୀ ତୁଠରେ କାମ ଆଉ ଅନତି ଦୂରରେ ପକ୍କା ତୁଠରେ ଠାକୁରକୁଳିଆ ବଡ଼ବଡ଼ିଆଙ୍କ ସିନାନ କାମ, ସମୟ ପାଖାପାଖି ସମାନ, ଆଉ ଏ କଥାଯେ ଖାଲି ନାଙ୍ଗଲି ଆଉ ତା ବଡ଼ଅପା ପାଇଁ ଥିଲା ତାହା ନୁହେଁ, ଗାଁ ର ପ୍ରତ୍ୟେକ ନୀଚ୍ଚକୁଳିଆ ଝିଅବୋହୂଙ୍କ କ୍ଷେତ୍ରରେ ବି ସମାନ।
ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ କେରଳ ଥାଏ ଦକ୍ଷିଣାତ୍ୟର ଏକ ପ୍ରଦେଶ, ତ୍ରିଭଙ୍କର ଶାସନକାଳରୁ କେରଳ ଅନନ୍ୟ ଏକ ସମୃଦ୍ଧଶାଳୀ ପ୍ରଦେଶ ଭାବେ ପରିଗଣିତ ହେଇଆସୁଥିଲା, କିନ୍ତୁ ଶାନ୍ତ ସରଳ ନିଷ୍କପଟ ଜନତାଙ୍କୁ ମିଥ୍ୟା ଲୋଭ ଦେଖାଇ କାଳକାଳ ଧରି ଶୋଷିଗଲେ ମୋଗଲ ଆଉ ବାକି ଯାହା ଥିଲା ଛାର ପୋକ ପରି ଶୋଷିନେଲେ ଫିରିଙ୍ଗୀ ଗୋରା ମାନେ। ଆଉ ପ୍ରଚଣ୍ଡ ବୁଦ୍ଧି ପ୍ରୟୋଗ କରି ବୁଣି ଦେଲେ ରାଗ ଦ୍ୱେଷ ହିଂସା ଆଉ ଉଚ୍ଚନୀଚ୍ଚର ମଞ୍ଜି। ତାହାରି ଫଳସ୍ୱରୂପ ସମାଜରେ କର୍ମକୁ ନେଇ ଚାଲିଆସିଥିବା ଜାତି ପ୍ରଥା ଏବେ ଜନ୍ମଗତ ଅଧିକାର ଉପରେ ଅଟକି ଗଲାଣି। ଏପରିକି ଶେଷରେ ବେଶ ପୋଷାକ ପରିପଟ୍ଟୀରୁ ଯେପରି ଜାତି ବାରି ହୋଇପଡେ ସେଥିପାଇଁ ନୀଚ୍ଚ ଜାତି ମହିଳାଙ୍କ ପାଇଁ ସ୍ତନବସ୍ତ୍ର ପିନ୍ଧିବା ବାରଣ। ଯିଏ ଅମାନ୍ୟ କରିବ ନିଆଁପାଣି ବାସନ୍ଦ।
ଗୋଟେ ପ୍ରଥା ଯେତେବେଳେ ବହୁବର୍ଷ ଧରି ତାର ମୂଳଲକ୍ଷ୍ୟରୁ ବିଚ୍ୟୁତ ହୋଇଯାଏ, ସେତେବେଳେ ତାହା କୁସଂସ୍କାରରେ ପରିଣତ ହୁଏ ଆଉ ଏହିପରି ଏକ କୁସଂସ୍କାର ହେଲା ମୁଲାକରମ। ଯେଉଁଠି ଲଜ୍ଜା ନାରୀର ଭୂଷଣ ବୋଲି କୁହାଯାଏ ସେପରି ସ୍ଥଳରେ ଏପରି ଏକ ଅନ୍ଧପରମ୍ପରାକୁ ଆଗେଇନେଉଥାନ୍ତି କିଛି ଉଚ୍ଚକୂଳଜାତ ବ୍ୟକ୍ତିବଵିଶେଷ। ନିଜର ନିହିତ କାମାତୁର ପୁରୁଷପଣିଆକୁ ଜାଗ୍ରତ ରଖିବା ପାଇଁ ଏପରି ଏକ ଘୃଣ୍ୟ ପ୍ରଥାକୁ ମର୍ଯ୍ୟାଦା ନାଁ ରେ ଚଳେଇ ଆସିଛନ୍ତି। ଯଦି କିଏ ନିଜର ସ୍ତନକୁ ଆବୃତ କରିବାକୁ ଚାହିଁବ ତା'କୁ ଦେବାକୁ ହେବ କର, ଯାହାର ନାମ ମୁଲାକରମ।
××××××××××××××
ସଦ୍ୟ ଯୌବନରେ ଉବୁଡୁବୁ ନାଙ୍ଗଲି, ମନରେ ଅନେକ ଉତ୍ସାହ ଉଦ୍ଦୀପନା ,ପୁଣି ନୂଆ ନୂଆ ବିଭା ହେଇଚି, ତନ ମନ ପ୍ରାଣ ରେ ଏକ ଅପୂର୍ବ ଚମକ। କିଏ କହିବ ନୀଚ୍ଚଜାତି ବୋଲି, ଲମ୍ବା କେଶ, ପୂର୍ଣ୍ଣଚନ୍ଦ୍ର ପରି ମୁହଁ, ହରିଣୀ ଆଖି , ପଦ୍ମପାଖୁଡା ପରି ଓଠ, ଆଉ କି ସୁନ୍ଦର ହସ, ଗଜଗାମିନୀ ଚାଲି, ଢଳଢଳ ବକ୍ଷଦେଶ, ସୁଢଳ ଗଣ୍ଡଦେଶ। ସତେ ଅବା କୋଉ ସପନ ରାଇଜରୁ ଆସିଛି।
ଆଉ ତା'ର ଏଇ ରୂପ ଦେଖିବାପାଇଁ, ସେଇ ଉନ୍ମୁକ୍ତ ବକ୍ଷୋଜ ଦେଖି କାମ ବାସନା ମେଣ୍ଟାଇବା ପାଇଁ ଜଣକପରେ ଜଣେ ଅବା ଅକାରଣରେ ଛୁଟି ଚାଲିଥାନ୍ତି ସେଇ ଅପର ତୁଠକୁ। ଭୋକିଲା କୁକୁର ମାଉଁସ ଦେଖି ଟପଟପ ଲାଳ ଗଡାଇବା ପରି ଏ ମଣିଷମାନେ ବେସରମ ଲୋଭିଲା ଆଖିରେ ଅପଲକେ ଅନେଇଥାନ୍ତି। ସବୁ ଜାଣିହେଲେ ମଧ୍ୟ କିଛି କହିହେବନି, କହିବୁ କାହାକୁ! ନୀଚ୍ଚକୂଳରେ ଜନ୍ମ ପରା।
କିନ୍ତୁ ଏସବୁ ଜମା ଭଲ ଲାଗୁନଥାଏ ନାଙ୍ଗଲିକୁ, ଶେଷରେ ସେ ଠିକ କଲା ସାଗର ଢେଉ ପରି ସ୍ତନକୁ କିଛି ନହେଲେ ପିନ୍ଧା କାନିରେ ଆବୃତ କରିବ, ନିୟମ ସିନା ଅଛି କୌଣସି ସ୍ତନ ଆବୃତ ପୋଷାକ ପିନ୍ଧି ହେବନି, କିନ୍ତୁ ଏ ନିୟମ ତ ନାହିଁ ନା ପିନ୍ଧା କାନି ଢାଙ୍କି ହେବନି ବୋଲି।
ଏମିତି ଦିନେ ପିନ୍ଧା କାନି ଢାଙ୍କି ଚାଲିଲା, ହେଲେ ଏ କଥା ବଡବଡ଼ିଆଙ୍କର ହଜମ ହେଲାନାହିଁ, ଶେଷରେ ତାକୁ ସଭାକୁ ଡକାଗଲା।ନାଙ୍ଗଲି ସଭାରେ ମଧ୍ୟ ସେଇ ସମାନ ଯୁକ୍ତି ବାଢ଼ିଲା, କିନ୍ତୁ ଗରିବ ମାଇପ ସମସ୍ତଙ୍କର ଶାଳୀ, କିଏ ଅବା କାହିଁକି ଶୁଣିବ, ଅନ୍ୟମାନେ ବି ନିଆଁପାଣି ବାସନ୍ଦ ଭୟରେ ଚୁପ।
ଶେଷରେ ସଭା ନିଷ୍ପତି ତାକୁ ମୁଲାକରମ ଦେବାକୁ ହେବ, ନହେଲେ ସମସ୍ତଙ୍କ ଆଗେ ନିୟମ ଭାଙ୍ଗିଥିବାରୁ ଭୁଲ ମାଗିବାକୁ ହେବ। ସ୍ୱାଭିମାନି ନାଙ୍ଗଲି କିନ୍ତୁ ମୁଲାକରମ ଦେବାକୁ ହିଁ କହିଲା, ଏବେ ଠୁଁ ସେ କର ଦେବ ଆଉ ସ୍ତନ ଢାଙ୍କିବ, କାହାରି ଆଉ କିଛି କହିବାର ନାହିଁ। ମୁଖିଆଙ୍କ ନିଷ୍ପତି ମାସ ପାଞ୍ଚରେ କର ଆଣିବାକୁ ଯିବେ।
×××××××××××××××
ଧୀରେଧୀରେ ଦିନ ବିତି ଚାଲୁଥାଏ, ଗରିବ ପରିବାରରେ କଉଦିନ ଓଳିଏ ଖାଇଲେ ଆରଓଳିକୁ ଉପାସ, ମୁଣ୍ଡ ଗୁଞ୍ଜିବାକୁ ନୁଆଁଣିଆ ଚାଳ ପୁଣି କର କେଉଁଠୁ ଆଣିବ। ବିତି ଯାଉଥାଏ ଦିନ, ଗଡି ଯାଉଥାଏ ସମୟ, କେବଳ ଗୋଟିଏ ଚିନ୍ତା କର ପଇସା କେଉଁଠୁ ଆସିବ।
ଏଥର ସେ ଦିନ ଆସିଲା, ନାଙ୍ଗଲି ଲାଚାର, କଣ ବା କରିବ! କରଗ୍ରହୀତା ଦୁଆର ଆଗେ ଛିଡା ହୋଇଛନ୍ତି, ଆଉ କିଛି ବୁଦ୍ଧି ଦିଶୁ ନଥାଏ, ପାଖରେ ପଡିଥିବା ଏକ କଟୁରିରେ କାଟି ଦେଲା ତା'ର ମମତାର ନିର୍ଝରକୁ। ଝର ଝର ହୋଇ ଝରିଯାଉଥିଲା ଖାଲି ଲହୁ, ଆଖିରୁ ଲୁହ, କଥାରେ ଅଛି ନା ଥିବ ବାଉଁଶ ନା ବାଜିବ ବଇଁଶୀ। ଚାରିଦିଗ ଅନ୍ଧାର ଦିଶୁଥିଲା, ହାତରେ ଧରିଥିଲା ଦୁଇଟା ମାଂସ ପିଣ୍ଡୁଳା, ସମସ୍ତଙ୍କ ପ୍ରସାଧନ ସାମଗ୍ରୀ କାମାତୁର ଲୋଲୁପର ଆକର୍ଷଣର କେନ୍ଦ୍ରବିନ୍ଦୁ।
ଆଉ ଶରୀରରେ ବଳ ନଥିଲା କି ଆଉ ମୁହଁରେ ସେ ତେଜ। ଘୋର ପବନରେ ମୂଳରୁ ଉପୁଡି ପଡୁଥିବା କଦଳଗଛ ପରି ଟଳି ପଡିଲା ନାଙ୍ଗଲି। ସେ ସିନା ଟଳି ପଡିଲା କିନ୍ତୁ ଦୃଢ଼ ସ୍ତମ୍ଭ ପରି ଠିଆ କରେଇଦେଲା ଏକ ଆକ୍ରୋଶକୁ। ତା ଜୁଇ ସିନା ଜଳିଗଲା କିନ୍ତୁ ଜଳେଇଦେଲା ପ୍ରତିବାଦର ଏକ ବହ୍ନିକୁ। ସଂସ୍କୃତି ପରମ୍ପରା ନାଁ ରେ ଚାଲିଆସୁଥିବା ଏହି କୁପ୍ରଥାକୁ ନମାନି ସୃଷ୍ଟି କରିଦେଇଗଲା ଅନନ୍ୟ ଏକ ଉଦାହରଣ।